ଝଡ଼ର ଗତିପଥ - ୧
ଝଡ଼ର ଗତିପଥ - ୧
ମନୋଜ ଦାସ
ହୁ-ହୁ ବତାସ । ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍ ମୁକ୍ତି ପାଇ ତା’ର ଅସୀମ ଗନ୍ତବ୍ୟମାର୍ଗରେ ବରାବର ବିଶ୍ବର ସମସ୍ତ କିଛିକୁ ଚୂର୍ଣ୍ଣୀଭୂତ କରି ଉଡ଼ାଇ ନେଇଯିବାକୁ ଚାହେଁ । ଅନ୍ଧାର କ୍ରମେ ବହଳ ହୋଇ ଆସୁଛି । ସମଗ୍ର ଆକାଶବ୍ୟାପୀ ଘନକୃଷ୍ଣ ମେଘ ଜମାଟ ବାନ୍ଧି ରହିଛି । ସୁଚ୍ୟଗ୍ର ପରିମିତ ବର୍ଷାବିନ୍ଦୁ ସମୂହ କ୍ରମେ ହୋଇ ଉଠୁଛନ୍ତି ବାଟୁଳି ଭଳି ଶକ୍ତିଶାଳୀ । ଆଉ ମଧ୍ୟେ ମଧ୍ୟେ ବିଦ୍ୟୁତ୍ର ଆଦିଗନ୍ତ ବିକାଶ ଭିତରେ ସମୁଦ୍ର ଲହରୀର ଉତ୍ତାଳ ବିଚ୍ଛୁରଣ ରଣୋନ୍ମତ୍ତ ଅସିମାଳା ଭଳି ଝଲସିତ ।
ଏମନ୍ତ ଦୁର୍ଯୋଗ ରାତ୍ରିରେ ନିର୍ଜନ ସମୁଦ୍ର ଉପକଣ୍ଠରେ ଏକ ଅନ୍ଧକାର ଦ୍ବିତଳ ପ୍ରାସାଦରେ ଆତଙ୍କରେ ଶିହରି ଉଠୁଥିଲେ ତିନୋଟି ପ୍ରାଣୀ । ସେମାନେ ଶ୍ରୀ ଓ ଶ୍ରୀମତୀ ସିହ୍ନା ଏବଂ ଶ୍ରୀମତୀ ସିହ୍ନାଙ୍କ ଭ୍ରାତା ଅଧ୍ୟାପକ ପ୍ରବାଳ କିଶୋର ।
ସମୁଦ୍ର ଚମତ୍କାର, କିନ୍ତୁ ପୁରୀ ବା ମାନ୍ଦ୍ରାଜ ବା ବମ୍ବେରେ ନୁହେଁ । ସେଠାରେ ମନେହୁଏ, ସମୁଦ୍ର ବିଚରା ଯେମିତି ପଞ୍ଝାଏ ସାନ୍ଧ୍ୟଭ୍ରମଣ ବିଳାସୀଙ୍କ ଆଗରେ ସେମାନଙ୍କର ଚେନାଚୁର ଚର୍ବଣ-ଜାତୀୟ ମଉଜଟାଏ ମାତ୍ର । ଶ୍ରୀମତୀ ସିହ୍ନା ମନ ବଳାଇଥିଲେ ସମୁଦ୍ରକୁ ସମୁଦ୍ର ଭଳି ଦେଖିବା ନିମନ୍ତେ । ଶ୍ରୀଯୁକ୍ତ ସିହ୍ନା ଖୋଜୁଥିଲେ ଏଭଳି ଏକ ଜନହୀନ ନିର୍ଜନ ଉପକୂଳ, ଯେଉଁଠି ନିରାଭରଣ ଉତ୍ତୁଙ୍ଗ ବାଲୁକା ଶଯ୍ୟା ଉପରେ ସମୁଦ୍ରର ପ୍ରାଗୈତିହାସିକ ଉତ୍ତାଳତା ଅହରହ ବିସ୍ଫୋରିତ ହେଉଥିବ ।
ଶ୍ୟାଳକ ପ୍ରବାଳ କିଶୋର ଅଚିରେ ସନ୍ଧାନ ନେଇ ଜାଣିଲେ, ସେ ରୂପ ଏକ ସ୍ଥାନ ହେଲା ଷଣ୍ଢକୁଦ । ଏକାନ୍ତ ନିର୍ଜନ ଅଥଚ ଐତିହାସିକ ଷଣ୍ଢରାଜାଙ୍କ ସ୍ମୃତିବିଜଡ଼ିତ ସେହି ସ୍ଥାନରେ ପରବର୍ତ୍ତୀ କାଳର ଜଣେ ଜମିଦାର ନିର୍ମାଣ କରିଥିବା ଗୋଟିଏ ଦ୍ବିତଳ ଅଟ୍ଟାଳିକା ବିଦ୍ୟମାନ ରହିଛି । ଉଦ୍ଦାମ ପ୍ରକୃତି କୋଳରେ ଦୁଇତିନି ଘଣ୍ଟା ଦୋହଲି ହେବା ନିମନ୍ତେ ତାହା ହିଁ ପ୍ରକୃତ ସ୍ଥାନ ।
ଷଣ୍ଢକୁଦର ନିର୍ଜନ ଉପକୂଳରେ ଯେତେବେଳେ ଜିପ୍ ଯାଇ ଉପନୀତ ହେଲା, ସେତେବେଳକୁ ଅପରାହ୍ନର ଅବଶେଷ ମାତ୍ର ରହିଛି । ଜିପ୍ରୁ ଓହ୍ଲାଇ ତିନିହେଁ ଚତୁର୍ଦ୍ଦିଗକୁ ଅନାଇ ସେ ଶୀତଳ ପବନ ଯେପରି ଆବକ୍ଷ ପିଇଗଲେ ।
ଅଧ୍ୟାପକ ପ୍ରବାଳ କିଶୋର ଥରେ ଧମକ ଦେବା ଭଳି କୌଣସି ଏକ କବିତାର କିୟଦଂଶ ଆବୃତ୍ତି କରିବାକୁ ଚେଷ୍ଟା କଲେ, ‘ନିର୍ଜନ ହେ ନିର୍ଜନ !’ ତା’ପରେ ଆଉ କିଛି ମନେ ନ ପଡ଼ିବାରୁ ଚୁପ୍ ହେଲେ । ହୁ-ହୁ ପବନ । ଉତ୍ତର-ପଶ୍ଚିମ କୋଣରେ ପୁଳାଏ ମେଘ ଭାସି ବୁଲୁଥିଲା । ପରିବେଶର ପ୍ରାଥମିକ ପର୍ଯ୍ୟବେକ୍ଷଣରେ କିୟତ୍କ୍ଷଣ ଅତିବାହିତ କରି ତନିହେଁ ସମୁଦ୍ରରେ ପଶିଲେ । ପ୍ରବାଳ କିଶୋର ଢେଉ ସହିତ ତାଙ୍କ ସ୍ବଭାବସିଦ୍ଧ ରୀତିରେ କିଛିଟା ବିଶେଷ ଧରଣର କସ୍ରତ କରୁଥିଲେ । ତାଙ୍କର ଭଗ୍ନୀ ଓ ଭଗ୍ନୀପତି କିନ୍ତୁ ସେଥିରେ ଉଦ୍ବୁଦ୍ଧ ନହୋଇ ଏଭଳି ସଂଯତ ଆଚରଣ କରୁଥିଲେ, ଯେମିତି ସମୁଦ୍ର ସୌଖୀନ କାଚ ନିର୍ମିତ ପଦାର୍ଥବିଶେଷ, ଯାହା କି ସେମାନଙ୍କ ସାମାନ୍ୟ ଅସାବଧାନତାରେ ବି ଚୂର୍ଣ୍ଣ ହୋଇଯାଇପାରେ ।
ସେହି ଅବସ୍ଥାରେ ହିଁ ଅବଦାନ ଭାବରେ ଆସିଗଲା ଝଡ଼ । ତିନି ହେଁ କୌଣସିମତେ ଜିପ୍ରୁ କେବଳ ଲୁଗାପଟା ସମ୍ବଳିତ ବ୍ୟାଗ୍ଟି ବାହାର କରିନେଇ କୋଠା ଭିତରକୁ ଝପଟି ପଶିଆସିଲେ । ଭାବିଥିଲେ, ଝଡ଼ର ଅବସାନ, ହେଲେ ସ୍ବଗୃହକୁ ଫେରିଯିବେ ।
କିନ୍ତୁ ଝଡ଼ କ୍ରମାଗତ ଭାବେ ବଢ଼ିଚାଲିଛି । ମୁହୂର୍ତ୍ତକ ସକାଶେ ବି ଆଉ କୌଣସି ଝରକା କବାଟ ଖୋଲା ରଖି ହେଉ ନାହିଁ । ଖୋଲିଦେଲେ ହିଁ ସର୍ବବ୍ୟାପୀ ପରାକ୍ରାନ୍ତ ଝଡ଼ ସହିତ ମୁହାଁମୁହିଁ ହେବାକୁ ପଡ଼ିବ । ସେ ପରାକ୍ରମ ଅସହ୍ୟ ।
ଅସହାୟ ଭାବରେ ତିନିହେଁ ବସିଥିଲେ । ଯେତେଦୂର ମନେପଡ଼ୁଛି, ଶ୍ରୀମତୀ ସିହ୍ନା ଶେଷ ମୁହୂର୍ତ୍ତରେ ଟର୍ଚ୍ଚ ଲାଇଟ୍ଟିଏ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗରେ ପୂରାଇଥିଲେ । କିନ୍ତୁ ସେ ବ୍ୟାଗ୍ଟି ରହିଛି ଜିପ୍ରେ । ଜିପ୍ ପର୍ଯ୍ୟନ୍ତ ଯିବା ସକାଶେ ଥରେ ପ୍ରବାଳ କିଶୋର ପ୍ରସ୍ତୁତ ହେଲେ । ଅଣ୍ଡାଳି ଅଣ୍ଡାଳି ସେ ପାହାଚ ପର୍ଯ୍ୟନ୍ତ ଗଲେ ମଧ୍ୟ, କିନ୍ତୁ ଅବତରଣ କରିବାକୁ ଉଦ୍ୟତ ହେବା ମୁହୂର୍ତ୍ତରେ ହିଁ ତଳ ମହଲାରେ ଶୁଭିଲା ଗୋଟିଏ ଶବ୍ଦ-କିଞ୍ଚିତ୍ ଅପ୍ରାକୃତିକ । ହୁଏତ କିଛି ନୁହେଁ, କିନ୍ତୁ ଜନପଦଠୁଁ ବହୁ ଦୂରରେ ଅବସ୍ଥିତ ରାଜରାଜୁଡ଼ା ପରିତ୍ୟକ୍ତ ଏସବୁ କୋଠିରେ ଏଭଳି ଶବ୍ଦର ତ ବହୁ ରହସ୍ୟମୟ କାରଣ ବି ଥାଇପାରେ ।
ଅତଏବ ପ୍ରବାଳବାବୁ ଗଲେ ନାହିଁ । ତା’ପରେ ସିହ୍ନା ସାହେବ ଶ୍ୟାଳକଙ୍କୁ ଈଷତ୍ ଭର୍ତ୍ସନା କରି ସ୍ବୟଂ ଅଗ୍ରସର ହେଲେ । କିନ୍ତୁ ହଠାତ୍ ତାଙ୍କର ମନେପଡ଼ିଲା, ବିନା ଚଷମାରେ କୁଆଡ଼େ ହେଲେ ଅଗ୍ରସର ହେବାକୁ ସେ କୋଡ଼ିଏ ବର୍ଷ ହେଲା ଭୁଲିଗଲେଣି, ସମୁଦ୍ର ଭିତରକୁ ପଶିବା ପୂର୍ବରୁ ଚଷମାଟି ସେ ଜିପ୍ରେ ଥୋଇଥିଲେ । ଅବଶ୍ୟ ପ୍ରବାଳ କିଶୋର ନମ୍ର ଭାବରେ ଗହନ ଅନ୍ଧକାର ମଧ୍ୟରେ ଚଷମାର ଭୂମିକା ସମ୍ପର୍କରେ ଥରେ ପ୍ରଶ୍ନ ଉଠାଇଲେ । କିନ୍ତୁ ସିହ୍ନା ସାହେବ ସେ ପ୍ରଶ୍ନର ଉତ୍ତର ନ ଦେଇ ଅନୁଶୋଚନା ପ୍ରକାଶ କରୁଥିଲେ ଯେ, ଅଧ୍ୟାପକଙ୍କ ଭଉଣୀ ଉପର୍ଯ୍ୟୁପରି ଅଭିମାନ କରି ତାଙ୍କର ଧୂମପାନ ଅଭ୍ୟାସଟି ଛଡ଼ାଇ ଦେଇ ନ ଥିଲେ ଏଇ ବିପଜ୍ଜନକ ମୁହୂର୍ତ୍ତରେ ଅବଶ୍ୟ ତାଙ୍କ ପାଖରେ ଦିଆସିଲିଟିଏ ଥାଆନ୍ତା ।
ତା’ପରେ ପ୍ରବାଳ କିଶୋର ଓ ସିହ୍ନା ସାହେବ ଏକତ୍ର ଜିପ୍ ପାଖକୁ ଯିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତେ ଶ୍ରୀମତୀ ସିହ୍ନା ଏକାକିନୀ ରହିବାକୁ ରାଜି ହେଲେ ନାହିଁ କି ସାଥିରେ ଯିବା ପ୍ରସ୍ତାବକୁ ମଧ୍ୟ ସମର୍ଥନ ଜଣାଇଲେ ନାହିଁ ।
ଅତଏବ ତିନିହେଁ ବସିରହିଲେ । ଚୂନ ପଲସ୍ତରା ଖସି ଖସି ପଡୁଛି । ଝଡ଼ର ଗତିବେଗ ବଢ଼ି ବଢ଼ି ଚାଲିଛି । ଝରକାଗୁଡ଼ିକରୁ କଡ଼ମଡ଼ ଶବ୍ଦ ନିର୍ଗତ ହେଉଛି । ଭୁସ୍କିନା ଗୋଟିଏ ମୁହୂର୍ତ୍ତରେ କୋଠାଟି ଧୂଳିସାତ୍ ହୋଇଯିବା ବିଚିତ୍ର ନୁହେଁ । ଝଡ଼ର ପ୍ରକୋପ କିଛି ମାତ୍ରାରେ ସହ୍ୟ କରିନେଇ କୋଠା ଉପରେ ବସୁଥିବା ମାଡ଼କୁ ଲାଘବ କରିବା ନିମନ୍ତେ ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ ଧଝଡ଼ର ଗତି ସହିତ ତାଳ ଦେଇ ସମୁଦ୍ରର ଗର୍ଜନ ମଧ୍ୟ ଭୟାବହ ହୋଇ ଉଠୁଥିଲା । ଏ ଏକ ମାରାତ୍ମକ ଝଡ଼-ପ୍ରବାଳବାବୁ କହିଲେ । କିନ୍ତୁ ଆମର ବର୍ତ୍ତମାନ ଉପାୟ କ’ଣ ? ବଡ଼ ଉଦ୍ବିଗ୍ନ ସ୍ବରରେ ଜିଜ୍ଞାସା କଲେ ଶ୍ରୀମତୀ ସିହ୍ନା । ରଣର ଗଛଟାଏ ବି ନାହିଁ ।