କେତେ ଦିନ ଚାଲିବ: ଅନୁଭୂତି ରୁ ଖିଏ
କେତେ ଦିନ ଚାଲିବ: ଅନୁଭୂତି ରୁ ଖିଏ
ବିଦ୍ୟାଧରପୁର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରୁ ନିଜର କାମ ସାରି ଟାଇଁଟାଇଁ ଖରାରେ ମୁଁ ଫେରୁଥାଏ କୁଜଙ୍ଗ। ବୈଶାଖର ନିଆଁ ବର୍ଷାରେ ଶୀତ ତାପ ଅନିୟନ୍ତ୍ରିତ ଧଡ଼ଧଡିଆ ବସଟାରେ ମୋ ପାଖରେ ବସିଥାନ୍ତି ଜଣେ ପ୍ରାପ୍ତ ବୟସ୍କ , ପ୍ରୌଢ ବ୍ୟକ୍ତି । ବୟସ ୫୦ ରୁ ୫୫ ଭିତରେ। ପତଳା ଦେହ ସାଙ୍ଗକୁ ଚେହେରାଟା ଖରାକୁ କଳା କାଠ ପଡିଥାଏ। ଏମିତିରେ ମୁଁ ଅଜଣା ଲୋକମାନଙ୍କ ସହ ଗପିବାପାଇଁ ଟିକେ କୁଣ୍ଠାବୋଧ କରେନି। ମୁଁ ଉପରେ ପଡି ପଚାରିଦେଲି-
"ମଉସା, ଯିବେ କୁଆଡେ? କୁଜଙ୍ଗ ନା ସିଧା ପାରାଦ୍ଵୀପ?"
ମଉସା ଇଛା ନଥିଲା ଭଳିଆ କହିଲେ "ଯାଉଛି ଘରୁକୁ"। ମୁଁ ଭାବିଲି ମଉସାଙ୍କର ଇଛା ନାଇଁ ବୋଧେ। ତାପରେ ବି ଏ ଯୋଉ ଖରା, କାଇଁ ଅଚିହ୍ନା ଅଜଣା ଲୋକ ସାଙ୍ଗରେ ଗପିକି ଶକ୍ତି ଖର୍ଚ୍ଚ କରିବେ। ମୁଁ କୁଜଙ୍ଗିଆ, କୋଉ ଛାଡିବା ଲୋକ, ମୁଁ ଉଖୁରେଇ ପଚାରିଲି "ଘର କୁଆଡେ ତମର?" ମଉସା ପୁଣି ଚିଡିକି କହିଲେ "କିଓ ବାବୁ, ତମେ ରହୁନା, ଏତେ କ’ଣ ଗୋଟାଏ ବାଜୁରୁ ବାଜୁରୁ ହେଇ ଗପୁଛ?" ମୁଁ ବୁଝି ପାରିଲି ମଉସା କୋଉ ଗୋଟାଏ ମହଣେ ଓଜନର ଚିନ୍ତା ମୁଣ୍ଡେଇ ବୁଲୁଛି। କଥାରେ ନାଇଁ, "ଚିନ୍ତା ଖାଏ ଗଣ୍ଡି" ଚିନ୍ତା ଆଜି କାଲି କାହାର ନାଇଁ ଯେ, ତାପରେ ବି ,ଦୁନିଆ ବି ଯାହା ହେଲାଣି ।।ଭାରି ଇଚ୍ଛା ହେଲା ବୁଝିବାକୁ ମଉସାର ଅସୁବିଧା କ’ଣ, ଭାରି ନିଉନି ମାଉନି ହେଇ ପଚାରିଲି, " ମଉସା, ତମର କ’ଣ ଚିନ୍ତା ମୁଁ ଜାଣିନି। ତମ ପୁଅ ବୟସର ମୁଁ, ଯଦି ନକହିବାକୁ ଚାହୁଁଚ ନକୁହ। କିନ୍ତୁ ଭାବୁଛି କହିଲେ ତମକୁ ହାଲକା ଲାଗିବ ଟିକେ।" କ’ଣ ମଉସା ଭାବିଲା କେଜାଣି ମୋ ଗାଲରେ ତା କାଳିଆ ଆଉ ଝାଳୁଆ ପାପୁଲିକୁ ବୁଲେଇ ଦେଇ କହିଲା-
"ପୁଅରେ, ବହୁତ ଚିନ୍ତା, କ’ଣ କହିବି ଏ ଦୁନିଆ ତ ସ୍ୱାର୍ଥପର, ଏ ଦୁନିଆରେ ଝିଅ ଜନମ କରିବା କ’ଣ ପାପ?"
ମୁଁ ଟିକେ ଟିକେ ବୁଝିଲି, କିଛି କଥା ସନ୍ଦେହ ହେଲା, କିଛି ଅଧା କଥା ମନ ରେ ଖାଲି ବାଧ୍ୟ କରୁଥିଲା ତାକୁ ସବୁ ପୂର୍ଣ୍ଣ ରୂପ ଦେବା ପାଇଁ।
ମୁଁ ପୁଣି କହିଲି "ମଉସା ତମ ଝିଅ କ’ଣ କରେ, ଝିଅକୁ ନେଇ କିଛି ଅସୁବିଧା ହେଇଛି କି?"
ମଉସା କହିଲା, "ଝିଅ ମୋର ଇଂଜିନିୟର ଥିଲା । ଗୋଟାଏ ଭଲ କମ୍ପାନୀରେ । କେତେ ଧାର କରଜ କରି ଋଣ ଟଙ୍କାରେ ଝିଅକୁ ଇଂଜିନିୟରିଂ ପଢେଇଲି। ବାବୁ ,କାଳେ ଉଚ୍ଚ ଶିକ୍ଷିତ କରେଇବା ଝିଅକୁ ନିହାତି ଦରକାର। ତା ପଇସାରେ ଧାର ସବୁ ସୁଝିଲା, ମୋର ହାର୍ଟ ରୋଗ ହଠାତ ବାହାରିଲା। ଅପରେସନ ହେଲା। ଯେତେ ପଇସା ଲାଗିଲା ଜମି ବିକା ହେଲା। ଝିଅ କିଛି ଦେଲା । ଆଜିକାଲି ପ୍ରାଇଭେଟ କମ୍ପାନୀର ଅବସ୍ଥା ଯାହା , ଝିଅକୁ ଚାକିରୀ ଛାଡିବାକୁ ପଡିଲା। ଝିଅଟା ବାହା ଯୋଗ୍ୟ ହେଲା। ଯାହା ହେଲେ ବି ବାହା ଦବାକୁ ପଡିବ ନା। ଗୋଟାଏ ଜାଗାରୁ ପ୍ରସ୍ତାବ ଆସିଲା। ପଣ୍ଡିତ ଆମର କହିଲା ରାଜଜୋଟକ। ସବୁ ଭଲ। ଜାତିଆ ଟୋକାଟା। ପୁଅ ବି ଭଲ ଦେଖିବାକୁ। ସବୁ ଭଲ ଯେ, ଗୋଟାଏ କଥା। କିଛି କହିଲେନି ଆଗରୁ। ଏବେ କହୁଛନ୍ତି ୫ଲକ୍ଷ ନହେଲେ ବାହାଘର ହବନି। ପୁଅରେ, ନିର୍ବନ୍ଧ କରିଦେଇଛି। ଏବେ ଯଦି ବାହାଘର ଭାଙ୍ଗିଯାଏ, ସମାଜ ଲୋକ କ’ଣ କହିବେ? ଏବେ ବୁଲୁଛି। ଟଙ୍କା ଗୋଟଉଛି। କୋଉଠୁ ଧାର କରଜ କରିବି ଜାଣି ପାରୁନି। ତୁ ଟିକେ କହିଲୁ ପୁଅ, ଏତେ ପଢେଇ ଝିଅକୁ କ’ଣ ଲାଭ? ଏତେ ଟଙ୍କା କୋଉଠୁ ଆସିବ?ଭାବୁଛି ବେଳେବେଳେ ବିଷ ଟିକେ ଖାଇଦିଅନ୍ତି, ଜୀବନ ସରିଯାଆନ୍ତା, କିଏ ମିଛ ଜଞ୍ଜାଳରେ ଘାଣ୍ଟି ହବ? ଇଆଡ଼େ ଭାବୁଛି, ଯଦି ମରିଯିବି, ଝିଅଟା ଅଭିଆଡ଼ି ରହିଯିବ। ସେଇ ଚିନ୍ତାରେ ଆଜି ଡାଇବେଟିସ୍ ଡାକ୍ତର ପାଖକୁ ଯାଇଥିଲି , ଦେଖିଲା ବେଳକୁ ରକ୍ତଚାପ ଆକାଶ ଛୁଆଁ। ଶର୍କରା ପରିମାଣ ଅଣାୟତ୍ତ। ଡାକ୍ତର କହୁଛି ଚିନ୍ତା କମ କର। ହେଲେ ଚିନ୍ତା କୋଉ ଛାଡିହବ"
କହୁ କହୁ ମଉସା ଆଖି ଦୁଇଟାରୁ ଲୁହ ଆଉ ବୋଲ ମାନୁ ନଥାଏ। ଛାତି ରେ ବୋଧେ କୋହର ମହଣେ ଓଜନର ବୋଝ।
ଟିକେ ଭାବିଲେ, ଏ ଯୌତୁକ ପ୍ରଥା କ’ଣ ଠିକ? ଇରେ ସହଜେ ତ କନ୍ୟା ରତ୍ନକୁ ତା’ ବାପା ମା’ ଠାରୁ ଛଡେଇ ନଉଛ । ପୁଣି ଲକ୍ଷାଧିକ ପୁଞ୍ଜି, ଜିନିଷ ପତ୍ର ମାଗିବାର ଏ ଇଜ୍ଜତ ହରା କଥା। କ’ଣ ନା ଆମେ ସବୁ ପାଠୁଆ। ଇଂରାଜୀରେ କହିଲେ self sufficient/capable. ଏମାନେ କାଳେ ନିଜ ଗୋଡ଼ରେ ନିଜେ ଠିଆ । ଏମିତି ନିଜ ଗୋଡ଼ରେ ନିଜେ ଠିଆ ହେଇ ଅନ୍ୟ ଗୋଡ଼ ଭାଙ୍ଗିବା କୋଉ ପ୍ରକାର ନ୍ୟାୟ? ପାଠ ବହି ପଢି ରୋଜଗାର କରୁଥିବା ଆଉ ତଥାକଥିତ ପଣ୍ଡିତ ବୋଲାଉଥିବା ଆମରି ଭଳିଆ କେଇଟା ପାଷାଣ୍ଡ ଝିଅ ବାପାକୁ ଏମିତି ହାତ ପାତି ମାଗିବା ଗୋଟାଏ ଅପରାଧ ନୁହଁ କି? ଏ ଆଜିକାଲିଆ ଲୋକ ବି ଚାଲାକ ନୁହଁ। ଗାଉଁଲି ଅପଶବ୍ଦରେ ଦେଢ଼ଚାଲାକ। କହୁଛନ୍ତି କ’ଣ ନା ଝିଅର ଯାହା ଦରକାର କିଛି ଦିଅନ୍ତୁନି, ତା ବଦଳରେ କ୍ୟାସ ମାନେ ଧନ ଦେଇଦିଅ। ଏ ଧନ କ’ଣ ସମ୍ପର୍କରେ ନିହାତି ଦରକାର? କିଏ ମାନୁଚି ହୋ ଅଦାଲତର ନ୍ୟାୟପାଳିକାକୁ? ଯୌତୁକ ବିରୋଧୀ ଆଇନ ତା ବାଟରେ। ଇଏ ଭଦ୍ର ବୋଲାଉଥିବା ଯୌତୁକ ମାଗୁଥିବା ଅସୁର ମାନେ ଆଉ ଗୋଟେ ବାଟରେ। କ’ଣ କ’ଣ ଯେ ବାହାରୁଛି ପାଟିରୁ ୟାଙ୍କ ପାଇଁ? କ’ଣ କରିବେ ଏ ମଉସା ଭଳିଆ ଲୋକ,? ତାଙ୍କ କୋହ ଆଉ ଲୁହର ଉତ୍ତର କ’ଣ ଅଛି ଏଇ ଯୌତୁକ ଲୋଭୀ ପାଷାଣ୍ଡଙ୍କ ପାଖରେ?ସଦବୁଦ୍ଧି ଦିଅ ଏମାନଙ୍କୁ ହୋ ମହାପ୍ରଭୁ ।