Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଫେରା ପୁଅ ର ବାପା
ଅଫେରା ପୁଅ ର ବାପା
★★★★★

© Lopamudra Mishra

Inspirational Tragedy

12 Minutes   14.6K    15


Content Ranking

କେଉଁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ । ପାହାଡ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ । ମନୋରମ ସୌନ୍ଦର୍ଯ୍ୟର ବିଭାରରେ ଭରପୁର ସୁନ୍ଦର ଏକ ଛୋଟିଆ ସ୍ଥାନ । ହରିଚନ୍ଦନପୁରରେ ପହଞ୍ଚିବା ପାଇଁ ଯାଜପୁର ରୋଡ଼ରୁ ଚାଳିଶ କିଲୋମିଟର ଆଗକୁ ଯିବାକୁ ହୁଏ । ସେଠୁ ପୁଣି ସତୁରୀରୁ ଅଶୀ କିଲୋମିଟର ଆଗକୁ ଗଲେ କେଉଁଝର ଜିଲ୍ଲା ସଦର ମହକୁମା ।

ଯାଜପୁର ରୋଡ଼ରୁ ହରିଚନ୍ଦନପୁରକୁ ଯିବାପାଇଁ ରହିଛି ସୁନ୍ଦର ସର୍ପିଳ ରାସ୍ତାଟିଏ । ଦୁଇ ପଟେ ପାହାଡ ଓ ବୃକ୍ଷ ଲତା । ମଝିରେ ମଝିରେ ରାସ୍ତାଟି ବୃତ୍ତ ପରି ଘୁରି ପୁଣି ଆଗକୁ ଚାଲିଯାଇଛି । ରାସ୍ତା ଅତିକ୍ରମ କରୁଥିବା ଯେ କୌଣସି ଭାବୁକ ବ୍ୟକ୍ତିକୁ ଲାଗିପାରେ ଏ ତ ରାସ୍ତା ନୁହେଁ, ସୁନ୍ଦର ଗୋଟେ ଜଙ୍ଗଲୀ କବିତା ! ସେହି କବିତାକୁ ପଢ଼ି ପଢ଼ି ଆଗକୁ ଆଗକୁ ବଢି ଚାଲିବାର ଅନୁଭୂତି ଖୁବ ନିଆରା ଓ ମଧୁର ।

ଅସମ୍ଭବ ଲୋଭନୀୟ ସୌନ୍ଦର୍ଯ୍ୟ ସର୍ବଦା ଭୟଙ୍କର ଓ ବିପଦପୂର୍ଣ୍ଣ । ହରିଚନ୍ଦନପୁରର ମୁଗ୍ଧକର ସୌନ୍ଦର୍ଯ୍ୟ ସହ ଜଡିତ କିଛି ଭୟାନକ ବିପଦ ସଂକୁଳ ଘାଟି । ତନ୍ମଧ୍ୟରୁ ଦାନ୍ତୁଆଣୀ ଘାଟି ଅନ୍ୟତମ । ଘାଟି ରାସ୍ତାଟି କିନ୍ତୁ ଖୁବ ସୁନ୍ଦର । ପ୍ରତ୍ୟେକ ଦିନ ସେହି ରାସ୍ତା ଅତିକ୍ରମ କରି କେଉଁଝରକୁ ଅନେକ ଲୋକ ବାଇକ, କାର ଓ ବସରେ ଯାତ୍ରା କରନ୍ତି । କିଛି ମାଲବାହୀ ବଡ ବଡ ଟ୍ରକ ଓ ମିନି ଟ୍ରକ, ଟ୍ରାକ୍ଟର ମଧ୍ୟ ସେହି ତୀକ୍ଷ୍ଣ ଘାଟି ରାସ୍ତା ଅତିକ୍ରମ କରି ଆଗକୁ ଯାଏ ।

ପାହାଡ କଟା ହୋଇ ନିର୍ମିତ ହୋଇଥବା ରାସ୍ତାଟିରେ ଯଦି କୌଣସି ଦିନ ଯାନବାହନ ଦୁର୍ଘଟଣା ଘଟେ,ତାହା ହୋଇପଡେ ଅତ୍ୟନ୍ତ ମର୍ମନ୍ତୁକ । ଯାନ ସହ ଜୀବନ ମଧ୍ୟ ଚାଲିଯାଏ । ବଞ୍ଚିବାର ଆଶା କ୍ଷୀଣ ହୋଇଯାଏ ସେହି ଘାଟିରୁ ତଳକୁ ଦୁର୍ଭାଗ୍ୟ ବଶତଃ ଖସି ପଡିଲେ । ଘାଟି ତଳକୁ ସିଧା ପଚାଶ -ଷାଠିଏ ଫୁଟର ଗଭୀରତା ।

ଦାନ୍ତୁଆଣୀ ଘାଟିଟି ଜନବସତି ଠୁ ସାମାନ୍ୟ ଦୂରରେ । ଘାଟିର ଠିକ ପୂର୍ବରୁ ମାଆ ଜଗତ ଜନନୀ କାଳୀଙ୍କର ଛୋଟ ଏକ ମନ୍ଦିର । ମନ୍ଦିର ଠିକ ଆଗକୁ ଚାଳିଶ ପଚାଶ ମିଟର ଆଗକୁ ଗଲେ ଅଜବ ଜଣେ ଲୋକ ଦୃଶ୍ୟପଟଳକୁ ଆସନ୍ତି । ମୁହଁରେ ଦାଢୀ ଭର୍ତ୍ତି । ଆଖି ଦୁଇଟିରେ ଅଦ୍ଭୁତ ଅସହାୟତା । ଦେଖିଲେ ମନେ ହୁଏ ଅନେକ ଦିନରୁ ଅନିଦ୍ରା । ରୁଗ୍ଣ ସେଥୁଆ ମୁହଁ । ଦୁର୍ବଳ ଶରୀରକୁ ତାଙ୍କର ଘୋଡେଇ ରଖିଛି ମାଟିଆ ରଙ୍ଗର ଏକ ଚଦର ।

ଅଦ୍ଭୁତ ଅସହାୟ ଦିଶୁଥିବା ବ୍ୟକ୍ତି ଜଣଙ୍କର ହାବଭାବ ମଧ୍ୟ ଅଜବ । ସେ ଘାଟି ରାସ୍ତା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଠିଆ ହୋଇ ଗଲା ଆସିଲା ସମସ୍ତ ବାଇକ ଆରୋହୀ, କାର ଚାଳକ ଏମିତି କି ବଡ ବଡମାଲ ବୋଝେଇ ଟ୍ରକକୁ ମଧ୍ୟ ଅଟକାଉ ଥାଆନ୍ତି ଓ ହାତରେ ଧରିଥିବା ଗୋଟେ କୋଡିଏ ବାଇଶ ବର୍ଷ ପିଲାର ଫୋଟୋକୁ ଦେଖାଇ କିଛି କହୁଥାନ୍ତି । ତାଙ୍କ କଥା ଶୁଣି କେହି ଗାଡିର ଗତି ଖୁବ ଧୀର କରି ଆଗକୁ ଆଗକୁ ଯାଉଥାନ୍ତି ତ ପୁଣି କେହି ଶୁଣି ନଶୁଣିଲା ପରି ଚାଲିଯାଆନ୍ତି । ସେ କିନ୍ତୁ ଆଗରେ ଠିଆ ହୋଇ ଖୁବ ଜୋରରେ ଆସୁଥିବା ଗାଡିକୁ ଦୂରରେ ଥାଇ ହାତ ଦେଖାଉଥାନ୍ତି ଅଟକେଇବା ପାଇଁ ।

ଜାନୁଆରୀ ମାସର ସକାଳ । ଯୁବ ସାମ୍ବାଦିକ ମାନସ ବାବୁ ନିଜ ବାଇକ ଧରି ଯାଜପୁର ରୋଡ଼ରୁ ହରିଚନ୍ଦନପୁର ହୋଇ କେଉଁଝର ଯାଉଥାନ୍ତି ତାଙ୍କ ନିଉଜପେପର ସଂକ୍ରାନ୍ତୀୟ କୌଣସି କାର୍ଯ୍ୟରେ । ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ତାଙ୍କ ବାଇକ ଅଟକାଇଲେ ସେହି ବ୍ୟକ୍ତି ଜଣଙ୍କ । ଫୋଟୋଟି କାଢି ମାନସଙ୍କ ସାମ୍ନାରେ ଧରିଲେ ଓ ମାର୍ଜିତ ଭାଷାରେ କହିଲେ - ମହାଶୟ ଟିକେ ଖାଲି ଶୁଣନ୍ତୁ । ବେଶି ସମୟ ନେବି ନାହିଁ । ଏଇଟି ମୋ ପୁଅର ଫୋଟୋ । ଭୋରୁ କେଉଁଝରରୁ ବାହାରି ଆସିଲାଣି । ସାଙ୍ଗରେ କୁଆଡେ ଆଉ ଜଣେ ପିଲାକୁ ଧରି ଆସୁଛି । ଏ ଯାଏଁ ପହଞ୍ଚିଯିବା କଥା । ଫୋନଟା ବି ବନ୍ଦ ରଖିଛି । ତା ସାଙ୍ଗର ନମ୍ବର ମତେ ଜଣା ନାହିଁ । ସେହି ମନ୍ଦିର ପାଖରେ ଦୁଇଘଣ୍ଟା ହେଲାଣି ତାଙ୍କ ବାଟ ଚାହିଁ ବସିଛି ମୁଁ । ମୋତେ ତ ଦେଖୁଛନ୍ତି । ସ୍ୱାସ୍ଥ୍ୟର ଅବସ୍ଥା ଯେପରି ଆଗକୁ ସେ ଘାଟି ପାର କରି ତାକୁ ଖୋଜିବାକୁ ଯାଇପାରିବିନି । ସେ ବୋଧେ ଏଇଠି ଆଗରେ କୋଉଠି ଅଟକି ଯାଇଛି ତା ସାଙ୍ଗ ପିଲା ସହ । ବଡ ବ୍ୟସ୍ତ ଲାଗୁଛି । ବୁଢ଼ାଲୋକ କଣ କରିବି? ବାବୁ ଦୟାକରି ଟିକେ ଆଗକୁ ଦେଖିକରି ଧୀରେ ଯାଉଥିବେ । ଯଦି ମୋ ପୁଅ ନଜରରେ ପଡିଲା ତାକୁ କହିବେ "ବାପା ଅନେକ ବେଳୁ ଅପେକ୍ଷା କଲେଣି, ଜଲଦି ଯାଅ "। ମନେକରି କହିବେ ବାବୁ । ଏଇ ଆଉଥରେ ଟିକେ ଦେଖିନିଅନ୍ତୁ ପୁଅକୁ ମୋର । ଏଇ ତା ଫୋଟୋ । ଧୀରେ ଯାଆନ୍ତୁ ବାବୁ । ରାସ୍ତା ଟିକେ ଖରାପ ଅଛି । ଦେଖିକି ଯିବେ । ଘାଟି ରାସ୍ତା ଅନ୍ୟମନସ୍କ ଆଦୌ ହେବେନି ।

--ଅଚ୍ଛା ଠିକ ଅଛି । ବ୍ୟସ୍ତ ହୁଅନ୍ତୁନି । ମୁଁ ଧୀରେ ଧୀରେ ଯାଉଛି । ଆପଣଙ୍କ ପୁଅ ଦେଖାହେଲେ ନିଶ୍ଚୟ କହିବି ଜଲଦି ଆସିବା ପାଇଁ । ନାଁଟା କଣ ତାଙ୍କର?

--ବୁବୁନ । ବୁବୁନ ଡାକେ ମୁଁ ତାକୁ । ସେ ବୁଝିଯିବ ମୁଁ କହି ପଠେଇଛି । ନମସ୍କାର ଆଜ୍ଞା । ଆସନ୍ତୁ ତେବେ ।

ମାନସ ସେହି ବ୍ୟକ୍ତିଙ୍କ କଥା ମାନି ବାଇକର ବେଗ କମେଇ ଖୁବ ଧୀରେ ଆରାମ ରେ ଘାଟି ପାର କଲେ । ଘାଟି ଆରପଟେ ରହି ରହି ବୁବୁନକୁ ଖୁବ ଖୋଜିଲେ । ନପାଇ ନିଜ ଗନ୍ତବ୍ୟ ପଥରେ ଚାଲିଗଲେ ।

ଘଟଣାର ସତର ଦିନ ପରେ ମାନସଙ୍କୁ ପୁନଶ୍ଚ ସେହି ଦାନ୍ତୁଆଣୀ ଘାଟି ପଥଦେଇ ଯିବାକୁ ପଡିଲା । ଏଥର ସମୟ ଅପରାହ୍ନ । ପରିବେଶ ଖୁବ ଶାନ୍ତ । ବାଇକ ଚଲେଇବା ବେଳେ ତୁହାକୁ ତୁହା ପବନ ଆସି ଦେହରେ ବାଜି ଘଷି ହେଇଯାଉଛି । ଶୀତ ଦିନର ପବନରେ ଦେହ ଥରିଯାଉଛି । ମାନସଙ୍କ ମୁଣ୍ଡରେ ହେଲମେଟ । ସେ ଠିକ ଯେମିତି କାଳୀ ମନ୍ଦିର ପାଖା ପାଖି ହେଇଛନ୍ତି ମାଟିଆ ଚଦର ଆବୃତ୍ତ ଲୋକଟିକୁ ପୁଣି ଥରେ ଦେଖିଲେ । ତାଙ୍କୁ ଦୂରରୁ ଦ୍ରୁତବେଗରେ ଆସୁଥିବାର ଦେଖି ସେ ହାତ ଦେଖେଇ ଅଟକାଇଲେ । ବୋଧେ ପୁଅ ଆସିଯିବା କଥା କହିବେ । କିନ୍ତୁ ଏ କଣ? ପୁଣି ସେହି ଫୋଟୋ ।

--ମଉସା ବୁବୁନ କଣ ସେହି ଦିନରୁ ଆସିନି ନାଁ କଣ?

ମଉସା ରୁହନ୍ତୁ । ଆରେ ଚାଲିଯାଉଛନ୍ତି କଣ? ପୁଲିସରେ ରିପୋର୍ଟ କରିଛନ୍ତି? ମୁଁ ଜଣେ ସାମ୍ବାଦିକ । ସାହାଯ୍ୟ କରିପାରିବି । ଶୁଣନ୍ତୁ । ଶୁଣନ୍ତୁ...

ବ୍ୟକ୍ତି ଜଣଙ୍କ ଖୁବ ଜୋରରେ ସେଠୁ ବଡ ବଡ ପାଦ ପକାଇ ଚାଲିଗଲେ ଓ ସଙ୍ଗେ ସଙ୍ଗେ ଏକ ବଣୁଆ ରାସ୍ତା ଭିତରେ ହଜିଗଲେ । ମାନସଙ୍କୁ ସେହି ଲୋକ ଜଣଙ୍କ ପଛରେ ବ୍ୟସ୍ତ ହୋଇ ଧାଉଁଥିବାର ଆଉ ଜଣେ ବାଇକ ଆରୋହୀ ଦେଖିଲେ । ସେ ନିଜ ଗାଡ଼ିରଖି ମାନସଙ୍କୁ ଘଟଣାଟି କଣ ପଚାରନ୍ତେ ମାନସ ସବିଶେଷ କହିଲେ ।

--ଓହୋ ଆପଣ ଧ୍ରୁବ ମଉସାଙ୍କ ବିଷୟରେ କହୁଛନ୍ତି । ସେ ସମସ୍ତଙ୍କୁ ଏମିତି ଅଟକାନ୍ତି । ଯାହାକୁ ଚିହିଁଥାଆନ୍ତି ତାକୁ ନ ଅଟାକାଇ ଖାଲି ଧୀରେ ଚଲେଇବାକୁ ହାତର ଇଙ୍ଗିତରେ ଜଣେଇ ଦିଅନ୍ତି ।

--ଆପଣ ତାଙ୍କୁ ତାହେଲେ ଜାଣନ୍ତି? ସେ କଣ ଜଣେ ମାନସିକ ରୋଗୀ?

--ହଁ ମୁଁ ଜାଣେ । ମୁଁ ତାଙ୍କ ପୁଅ ବୁବୁନର ସ୍କୁଲ ସାଙ୍ଗ । ମୋ ନାଁ ଆଲୋକ । ଆମ ଘର ଏହି ପାଖରେ । ଆପଣ ଯାହାଙ୍କୁ ପାଗଳ ମନେକରୁଛନ୍ତି ସେ ପ୍ରକୃତରେ ପାଗଳ ନୁହଁନ୍ତି । ମାନସିକ ଭାବେ ଖୁବ ସୁସ୍ଥ । କିଛି ଅଜଣା ଲୋକଙ୍କର ପାଗଳାମୀ କାରଣରୁ କୌଣସି ବଡ ଦୁର୍ଘଟଣା ଯେପରି ନଘଟେ ତାହାରି ପ୍ରୟାସ ସେ ତାଙ୍କ ନିଆରା ଶୈଳୀରେ କରୁଛନ୍ତି ।

--କିନ୍ତୁ କେମିତି? ଆଉ ବୁବୁନର ସେ ଫୋଟୋ? ମୁଁ ସବୁ ଜାଣିବାକୁ ଚାହେଁ । ମୁଁ ଜଣେ ସାମ୍ବାଦିକ । ମୋର ଏସବୁ ବିଷୟ ଜାଣିବାରେ ଖୁବ ଆଗ୍ରହ । ଆପଣ ପ୍ଲିଜ ଟିକେ ସମୟ ଦେଇ ମତେ ଘଟଣାଟା ପ୍ରକୃତରେ କଣ କହିବେ କି?

--ସେ ଅନେକ କଥା । ମୁଁ ସେମାନଙ୍କ ବିଷୟରେ ଯେତିକି ଜାଣିଛି କହିବାକୁ ଟିକେ ସମୟ ଲାଗିବ । ଆପଣଙ୍କ ପାଖେ ଯଦି ସମୟ ଥାଏ ସେହି ମନ୍ଦିର ପାଖକୁ ଆସନ୍ତୁ ମୁଁ କହିବି ।

ଆଲୋକ ଓ ଜର୍ଣ୍ଣାଲିଷ୍ଟ ମାନସ ବାବୁ ଉଭୟ ନିଜ ନିଜ ବାଇକ କାଳୀ ମନ୍ଦିର ଆଗରେ ରଖି ମନ୍ଦିର ସାମ୍ନା ପାହାଚ ଉପରେ ବସିଲେ ।

ଆଲୋକ ଆରମ୍ଭ କଲେ -

ଧ୍ରୁବ ମଉସା, ଧ୍ରୁବଚରଣ ପଟ୍ଟନାୟକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଥିଲେ । ଦୁଇବର୍ଷ ତଳେ ଚାକିରୀରୁ ଅବସର ନେଇଛନ୍ତି । ଶିକ୍ଷକ ହିସାବରେ ସେ ଥିଲେ ଖୁବ କର୍ତ୍ତବ୍ୟ ନିଷ୍ଠ । ବିବାହର ଆଠବର୍ଷ ପରେ ମଧ୍ୟ ସନ୍ତାନ ସୁଖ ନମିଳିବାରୁ ଧ୍ରୁବ ମଉସାଙ୍କ ସ୍ତ୍ରୀ ମାନେ ବୁବୁନର ମାମା ସର୍ବଦା ଗୁମସୁମ ରହୁଥିଲେ । ଏହି କାଳୀ ମନ୍ଦିରରେ ଆସି ପିଲାଟେ ପାଇବା ପାଇଁ ଅନେକ ପୂଜା ଅର୍ଜନା କରନ୍ତି । ଯାହା ହେଉ ଅନେକ ବର୍ଷ ପରେ ବହୁ ସ୍ପେସାଲିଷ୍ଟ ଡ଼କ୍ଟରଙ୍କୁ ଦେଖେଇ ଚିକିତ୍ସା କରାଇଲା ପରେ, ଏହି ବୁବୁନ ତାଙ୍କ କୋଳକୁ ଆସିଥିଲା । ପିଲାଟି ବି କାଳେ ଜନ୍ମ ହେଲା ବେଳରୁ ହିଁ ହେଇଥିଲା ସେମିତି ଡୌଲ ଡାଉଲ ଆଉ ସୁନ୍ଦର । ମାଉସୀ କହନ୍ତି ଡାକ୍ତର କିଛି କରିନି ମୋ ଶୂନ୍ୟ କୋଳକୁ ମାଆ କାଳୀ ପୂର୍ଣ୍ଣ କରିଛନ୍ତି ।

ବୁବୁନର ଜନ୍ମରେ ଧ୍ରୁବମଉସା ଆଉ ମାଉସୀଙ୍କ ଜୀବନ ସାର୍ଥକ ହେଲା ପରି ସେମାନଙ୍କୁ ମନେହେଲା ସେଥିପାଇଁ ପିଲାଟିର ନାଁ ସେମାନେ ରଖିଲେ ସାର୍ଥକ । ଖୁବ ଯତ୍ନରେ ସେମାନେ ପୁଅକୁ ପାଳନ୍ତି । ମାଉସୀ ତ ବୁବୁନକୁ ମୁହୂର୍ତ୍ତେ ଚକ୍ଷୁ ଅନ୍ତରାଳରୁ ଦୂରକୁ ଛାଡ଼ନ୍ତିନି । ସବୁ ଠିକ ଠାକ ଚାଲିଥିଲା ବେଳେ ସେମାନଙ୍କ ସଂସାରରେ ଗୋଟେ ବିରାଟ ଝଡ଼ ଉଠିଲା । ମାଉସୀ ରକ୍ତ କର୍କଟରେ ଆକ୍ରାନ୍ତ ହେଲେ । ଅନେକ ଟଙ୍କା ଖର୍ଚ୍ଚ ହେଲା । ମାଉସୀ କିନ୍ତୁ କ୍ୟାନ୍ସରକୁ ହରେଇ ପାରିଲେନି । ବୁବୁନ ମାତ୍ର ଛଅ ବର୍ଷ ବୟସରେ ମାତୃହରା ହୋଇଗଲା ।

ବନ୍ଧୁ ପରିଜନଙ୍କ ଶତ ଅନୁରୋଧ ସତ୍ତ୍ୱେ ମଉସା କୌଣସି ପ୍ରକାରେ ଦ୍ୱିତୀୟ ବିବାହ ନିମନ୍ତେ ରାଜି ହେଲେ ନାହିଁ ।

ବୁବୁନ ପାଇଁ ସେ ଉଭୟ ମାଆ ଓ ବାପାର କର୍ତ୍ତବ୍ୟ କଲେ । ତାକୁ କେବେ ମାଆର ଅଭାବ ଅନୁଭବ ହେବାକୁ ଦେଇନାହାଁନ୍ତି ମଉସା । ବୁବୁନ ଏବେ ପିତୃସର୍ବସ୍ୱ ।

ବୁବୁନ ସ୍କୁଲ ସମୟରୁ ହିଁ ଥିଲା ଖୁବ ମେଧାବୀ । ପ୍ରଚଣ୍ଡ ଧୀଶକ୍ତିର ଅଧିକାରୀ । ଅସମ୍ଭବ ଭାବେ ଶାନ୍ତ ଓ ନମ୍ର । ତାର ମେଧା ଓ ସୁନ୍ଦର ମାର୍ଜିତ ବ୍ୟବହାର ସଭିଙ୍କୁ ଆକର୍ଷିତ କରେ । ମାଆ ଛେଉଣ୍ଡ ପିଲାଟିକୁ ସମସ୍ତେ ବହୁତ ସ୍ନେହ ଆଦର ମଧ୍ୟ କରନ୍ତି । ଧ୍ରୁବ ମଉସାଙ୍କର ତ ଗର୍ଵ ତାଙ୍କ ପୁଅ ବୁବୁନ ।ରେଭେନ୍ସା କଲେଜରୁ ପ୍ଲୁସ ଟୁ ଶେଷ କଲା ପରେ ବୁବୁନ ତା ବାପାଙ୍କୁ କହିଲା ଦୂରକୁ କୁଆଡେ ନଯାଇ ଏଇଠି କେଉଁଝର ସରକାରୀ ଇଂଜିନିୟରିଂ କଲେଜରେ ବି. ଟେକ ଆଡ଼ମିଶନ ନେବ । ଗୋଟିଏ ପୁଅ ପାଖରେ ପଢୁ । ମଉସା ବି ରାଜି ହେଇଗଲେ ।

ବୁବୁନ GCE,କେଉଁଝରରେ ପଢିଲା । ହଷ୍ଟେଲରେ ରହେ । କିନ୍ତୁ ପ୍ରତି ସପ୍ତାହ ଶେଷରେ ଶନିବାର ସନ୍ଧ୍ୟାକୁ ଘରକୁ ଚାଲିଆସେ । ମଉସା ଏହି ମନ୍ଦିର ପାଖେ ଅପେକ୍ଷା କରିଥାନ୍ତି । ବସ ଏଇଠି ରହେ । ବାପା ପୁଅ ସାଙ୍ଗ ହେଇ ଘରକୁ ଯାଆନ୍ତି । ହଷ୍ଟେଲରେ ବୁବୁନର ରୁମମେଟ ପରେଶ ମିଶ୍ର । ଘର ଯାଜପୁରରେ । ସେ ଏତେ ଦୂର ନିଜ ଘରକୁ ନଯାଇ ପ୍ରାୟ ସମୟ ଛୁଟିରେ ବୁବୁନ ସଙ୍ଗେ ଏଇଠି ହରିଚନ୍ଦନପୁରରେ ଆସି ରହିଯାଏ । ତିନି ବର୍ଷ ସାଙ୍ଗ ହୋଇ ଗୋଟିଏ ରୁମରେ ରହିବା ପରେ ଦୁହିଁଙ୍କ ସମ୍ପର୍କଟା ଖୁବ ନିବିଡ ହୋଇଯାଇଥିଲା । ପରେଶ ଓ ବୁବୁନ ଦୁଇଭାଇ ପରି ପରସ୍ପରର ନିକଟତର ଥିଲେ । ବନ୍ଧୁତ୍ଵ ଭ୍ରାତୃତ୍ଵକୁ ରୂପାନ୍ତରିତ ହୋଇଯାଇଥିଲା ।

ଏହି ଛଅ ମାସ ପୂର୍ବରୁ ଦିନେ ବୁବୁନ ଆସି କହିଲା, "ବାପା ଗୋଟେ ବାଇକ ଦରକାର "। ଧ୍ରୁବ ମଉସା ତାର କୌଣସି ଇଚ୍ଛାକୁ ଅପୂରଣୀୟ ରଖିବାକୁ ଚାହୁଁନଥିଲେ । ବୁବୁନ ବାଇକଟା କିଣି କରି ନେଇକି ଆସିଲା ଘରକୁ । ସାଙ୍ଗରେ ସେହି ସାଙ୍ଗ ପରେଶ । ରାତିରେ ରହିଲେ ପୁଣି ସକାଳୁ କେଉଁଝର ବାହାରିଗଲେ । ମଉସା ସେମାନଙ୍କୁ ଅଟକାଇଲେ ଆଉ ଗୋଟାଏ ଦିନ ରହି ଏହି କାଳୀ ମନ୍ଦିରରେ ନୂଆ ଗାଡିଟି ପୂଜା କରିଦେବା ପାଇଁ । ସେମାନେ ରାଜି ହେଲେନାହିଁ । ପରୀକ୍ଷା ଥିଲା । ଚାଲିଗଲେ ତର ତର ହୋଇ । ଏଠି ଦୀପାବଳିରେ ଖୁବ ଧୁମଧାମରେ ପୂଜା ଅର୍ଜନା ହୁଏ । ସେବେ ଆସିକି ବାଣ ଫୁଟେଇବ ଆଉ ବାଇକଟା ପୂଜା କରିଦେବ କହିଯାଇଥିଲା ।

ଦିୱାଲୀ ଦିନ ହଷ୍ଟେଲରୁ ଦୁଇ ସାଙ୍ଗ ବାହାରି ଆସିଲେ । ବୁବୁନ ବାପାଙ୍କୁ ଫୋନ କରି କହିଥିଲା ସନ୍ଧ୍ୟା ପୂର୍ବରୁ ଆସି ପହଞ୍ଚିବ । ଆଉ ମଧ୍ୟ କହିଥିଲା ସେମାନେ ଦୁଇଜଣ କିଛି ଖାଇନାହାଁନ୍ତି କିଛି ରାନ୍ଧିକି ରଖିଥିବା ପାଇଁ । ଧ୍ରୁବ ମଉସା, ମାଉସୀ ଗଲା ଦିନଠୁଁ ରୋଷେଇ ଘର ଦାଇତ୍ୱ ନିଜ ଉପରକୁ ନେଇଯାଇଥିଲେ ।

ଆଲୋକ କଥା ମଝିରୁ ଅଟକି ଯାଇ ମାନସ ବାବୁଙ୍କୁ ପଚାରିଲେ, "ସାର, ସଞ୍ଜ ନଇଁ ଆସିଲାଣି । ଆପଣଙ୍କର କିଛି ଅସୁବିଧା ନାହିଁ ତ? ଶୀତ ଦିନ । ବହୁତ ବାଟ ବି ଆଗକୁ ଯିବାକୁ ପଡିବ ।"

--ନାଇଁ ମୋର କିଛି ଅସୁବିଧା ନାହିଁ । ଆପଣ କୁହନ୍ତୁ । ମୋ କାମ ତ ସେଇଆ । ଡେରି ହେଲେ ବି ଚଳେ । ମୋତେ କୁହନ୍ତୁ ଆଗ ବୁବୁନ ସେଦିନ କେତେବେଳେ ଫେରିଲା? ଏବେ ସେ କୋଉଠି?

ଆଲୋକ ପୁଣି ଅଧା ରଖିଥିବା କଥାକୁ ସେଇଠୁ ଆରମ୍ଭ କଲେ,

- sir ବୁବୁନ ଆଉ ଫେରିଲାନାହିଁ । ଏ ଯାଏଁ ଫେରିନାହିଁ । ଆଉ କୋଉଦିନ ଫେରିବାର ସମ୍ଭାବନା ମଧ୍ୟ ନାହିଁ ।

--ମାନେ??

-ସେଦିନ ଦୁଇବନ୍ଧୁ କେଉଁଝରରୁ ବହୁ ଆଗକୁ ଆସିସାରି ଥିଲେ । ଘର ଆଉ ମାତ୍ର ଗୋଟେ କିଲୋମିଟର ଆଗରେ ଥିଲା । ଏହି ଦାନ୍ତୁଆଣୀ ଘାଟି ନିକଟରେ ଘଟିଲା ବିରାଟ ଏକ ଭୟଙ୍କର ଦୁର୍ଘଟଣା ।

ଏପଟୁ ବଡ ଗୋଟେ ଟ୍ରକ ଖୁବ ସ୍ପିଡ଼ରେ ଆଗକୁ ଯାଉଥିଲା । ସେପଟୁ ପିଲା ଦୁଇଟି ତାଙ୍କ ବାଇକରେ ଆସୁଥିଲେ । ଘାଟି ମୋଡ଼ରେ କେହି କିଛି ଜାଣିପାରିଲେ ନାହିଁ । ଟ୍ରକଟି ନିଜ ବେଗକୁ ଆୟତକୁ ଆଣିପାରିଲା ନାହିଁ । ଖୁବ ଜୋରରେ ଆଗୁଆ ଧକ୍କା ଦେଲା ବୁବୁନର ନୂଆ ବାଇକରେ । ବାଇକ ସମେତ ବୁବୁନ ଓ ତା ସାଙ୍ଗ ଦୁହେଁ ଘାଟି ତଳକୁ ଖସି ପଡିଲେ । ଟ୍ରକଟି ନରହି ସେଠୁ ଚାଲିଗଲା । କେହି ବି ତା ନମ୍ବର ରଖିପାରିଲେ ନାହିଁ । କାରଣ ଘଟଣାଟି ଦେଖିବାକୁ କେହି ସେଠି ନଥିଲେ । ସମସ୍ତେ ତ ସେଦିନ ଏଇଠି ମନ୍ଦିରରେ । ଦୀପାବଳି ପୂଜା ପାଇଁ ବ୍ୟସ୍ତ ।

ସେମାନେ ଉପରୁ ଚାଳିଶ ଫୁଟ ତଳକୁ ଖସି ସେଇମିତି ପଡିରହିଛନ୍ତି । କେହି ଉଠେଇବାକୁ ନାହାଁନ୍ତି । ଏହି ମନ୍ଦିରକୁ ଆସିଥିବା କିଛି ଲୋକ ସେଦିନ ଜାଣିଥିଲେ ପାହାଡ ତଳକୁ ଦୁଇଟି ପିଲା ଖସିପଡି ରକ୍ତାକ୍ତ ହୋଇ ପଡିରହିଛନ୍ତି । କିନ୍ତୁ ଜଣେ ମଧ୍ୟ କେହି ସାହାଯ୍ୟର ହାତ ବଢେଇବାକୁ ଗଲେନାହିଁ । ସଭିଏଁ ଭାବିଲେ ହଁ ଘାଟିରେ ଦୁର୍ଘଟଣା ତ ନିତିଦିନିଆ କଥା । କିଏ ଯାଉଛି ସେ ପୁଲିସ ଫୁଲିସ ଚକ୍କରରେ ଫଶିବାକୁ । ଦୀପାବଳିଟାରେ ମନ୍ଦିରରେ ସମୟ ବିତେଇବାକୁ ଶ୍ରେୟସ୍କର ମନେ କଲେ ଭକ୍ତଗଣ ।

Sir ଏଇଠି ଅନେକ ଲୋକ ଧୁମ ଧାମରେ ପୂଜା ମନାଉଥିଲେ ବେଳେ, ସେଠି ମୋ ସାଙ୍ଗ ରକ୍ତରେ ଜୁଡୁବୁଡ଼ୁ ହୋଇ ଚେତା ହରାଇ ପଡିଥିଲା । ଲୋକେ ଏଠି ସର୍ବମଙ୍ଗଳ ମନାସୀ ଦୀପ ଜାଳୁଥିଲା ବେଳେ ଧ୍ରୁବ ମଉସାଙ୍କ ଘରର ଦୀପକ ଲିଭି ଲିଭି ଆସୁଥିଲା ।

କିଛି ଲୋକ ଯାଇ ପିଲା ଦୁଇଟିଙ୍କୁ ମୃତ ଭାବି ତାଙ୍କ ପକେଟରୁ ମୋବାଇଲ ଓ ଟଙ୍କା କାଢି ନେଇ ପଳେଇଲେ । ଘଟଣାର ଚାରିଘଣ୍ଟା ପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା । ଡାକ୍ତର ସେଠି ବୁବୁନର ଅତ୍ୟଧିକ ରକ୍ତସ୍ରାବ କାରଣରୁ ମୃତ୍ୟୁ ହୋଇଯାଇଥିବା ଘୋଷଣା କଲେ । ପରେଶ ଜୀବିତ ଥିଲା । ତାକୁ କଟକ ପଠେଇ ଦିଆଗଲା । ସେ ଏବେ ବି ବଞ୍ଚିଛି କିନ୍ତୁ ମୃତବତ । ଗୋଟେ ଆଖି ଓ ହାତ ହରେଇଛି । ସ୍ମ୍ରୁତିଶକ୍ତି ଚାଲିଯାଇଛି । ଜୀବନଟା ଖାଲି ଯାହା ରହିଯାଇଛି ତାର ।

ଦେବୀଙ୍କ ଭକ୍ତିରେ ତଲ୍ଲୀନ ଭକ୍ତମାନେ ଯଦି ସେଦିନ ପୂଜା ଅଧାରୁ ରଖି ଠିକ ସମୟରେ ଦୁର୍ଘଟଣା ସ୍ଥଳକୁ ଯାଇ ବୁବୁନକୁ ହସ୍ପିଟାଲ ନେଇଯାଇଥାନ୍ତେ ହୁଏତ ଆଉ ଗୋଟେ ଜୀବନ ଅକାଳ ରେ ଚାଲିଯିବାରୁ ବର୍ତ୍ତି ଯାଇଥାନ୍ତା । ଦୀପାବଳି ପରି ଆଲୋକର ପର୍ବରେ ଧ୍ରୁବ ମଉସାଙ୍କ ଘରଟି ସବୁ ଦିନ ପାଇଁ ଅନ୍ଧାର ଭିତରକୁ ଚାଲିଗଲା । ସେ ବଜାରରୁ ବାଣ ମିଠା କିଣି ଆଣି ପୁଅକୁ ଅପେକ୍ଷା କରି ରହିଥିଲେ । ପୁଅ କିନ୍ତୁ ଆଉ ଫେରିଲାନାହିଁ । ଖାଲି ଗୋଟେ ଫୋନ ଆସିଲା ଯେ ତାଙ୍କ ପୁଅର ଡେଡବଡି ଡାକ୍ତରଖାନାରେ ଅଛି । ଫର୍ମାଲିଟି ପୂରଣ କରି ଯାଇ ନେଇ ଆସିବାକୁ । ସେ କିନ୍ତୁ ଯିବାକୁ ମନା କରିଦେଲେ ।

"ନାଁ ମୋ ପୁଅ ରାସ୍ତା ରେ ଆସୁଛି । ମତେ କହିଛି ଆସି ପହଞ୍ଚିବ । ସେ ଲାଶ୍ ମୋ ପୁଅର ନୁହେଁ । ମୁଁ ଯାଇପାରିବିନି । ମୋତେ ଆଉ ବିରକ୍ତ କରନ୍ତୁନାହିଁ "। ଏମିତି କହି ଫୋନ ରଖିଦେଲେ ।

ବନ୍ଧୁ ଓ ପରିବାର ବର୍ଗଙ୍କୁ ବୁବୁନର ନିଷ୍ପ୍ରାଣ ଶରୀରଟା ହସ୍ତାନ୍ତର କରାଗଲା । ଲୋକେ କହିଲେ ବାଇକଟା ପୂଜା ନକରି ଚଳେଇବାର ଫଳ ଏହିଟା । ଆଉ କେହି କହିଲେ ଠାକୁରାଣୀଙ୍କ ପାଖେ ମାନସିକ ରଖି ପୁଅ ପାଇଥିଲେ, ପୂରଣ ନକରିବାରୁ ଠାକୁରାଣୀ କୁଆଡେ ପୁଣି ଫେରେଇ ନେଲେ ।

ଆପଣ କୁହନ୍ତୁ sir ଦେବୀ କେମିତି ଏତେ ନିଷ୍ଠୁର ହୋଇପାରନ୍ତି ଯେ ଜଣେ ନିହାତି ଏକାକୀ ଲୋକ ଠୁ ତା ବଞ୍ଚିବାର ସାହାରା ତା ଏକମାତ୍ର ପୁଅକୁ ଛଡେଇ ନେଇପାରନ୍ତି ? ଆମେ ପୂଜା କରୁଥିବା ଠାକୁର କଣ ଏତେ ନିର୍ଦ୍ଦୟ? ନୂଆ ଜିନିଷଟେ ତାଙ୍କ ପାଖେ ପୂଜା ନକରି ବ୍ୟବହାର କଲେ ସେ ଜୀବନ ନେଇଯିବେ? ଆଉ ଯଦି ଏହି ମନ୍ଦିରର ଦେବୀଙ୍କୁ ପୂଜା କଲେ ଦେବୀ ସଭିଙ୍କ ଜୀବନରେ ସୁଖ ଶାନ୍ତି ଭରିଦିଅନ୍ତି, ଜଗତର ମଙ୍ଗଳ କରନ୍ତି, ତେବେ ଧ୍ରୁବ ମଉସାଙ୍କର ଏଡ଼େ ବଡ କ୍ଷତିଟେ ହୋଇଗଲା ବେଳେ ଦେବୀ କରୁଥିଲେ କଣ? ମନ୍ଦିର ଠୁ ଏତେ ପାଖରେ ଦୁର୍ଘଟଣା ଘଟି କେତେ ଲୋକଙ୍କର ଜୀବନ ଯାଉଛି, ଦେବୀ କାହିଁକି ବଞ୍ଚେଇ ପାରୁନାହାଁନ୍ତି?

ବୁବୁନର ଦୁର୍ଘଟଣା ପରଠୁ ମଉସା ଆଉ ଏ ମନ୍ଦିରର ଦିଅଁ ଦେବତାଙ୍କୁ ବିଶ୍ୱାସ କରନ୍ତିନି । ଘରୁ ସବୁ ଠାକୁରଙ୍କୁ ନେଇ ବିସର୍ଜନ ଦେଇଦେଇଛନ୍ତି । ବାଇକର ଇନ୍ସୁରାନ୍ସ ଟଙ୍କା ଓ ବୁବୁନ ନାଁରେ ଜମା ରଖିଥିବା ସମସ୍ତ ଟଙ୍କାକୁ ପରେଶର ଚିକିତ୍ସାରେ ଲଗେଇଦେଇଛନ୍ତି ।

ଏବେ ସେ ସଞ୍ଜହେଲେ ଘରକୁ ଫେରି କବାଟ ଦେଇଦିଅନ୍ତି । ପୁଣି ନିଜେ କବାଟ ସେପଟୁ ଥାଇ କହୁଥାନ୍ତି । "ବୁବୁନ ! ତୁ ଆସିଗଲୁ ବାବା । ରହ ରହ ମୁଁ କବାଟ ଖୋଲୁଛି । ଫେରିବାକୁ ବଡ ବିଳମ୍ବ କରିଦେଲୁ ଆଜି । ମୁଁ ମନ୍ଦିର ପାଖରେ ଅପେକ୍ଷା କରି କରି ଏବେ ଆସିଲି । ତୁ ସାର୍ଟ ପ୍ୟାଣ୍ଟ ବଦଳେଇ ପକା ମୁଁ ଖାଇବା ବାଢୁଛି । ଆଜି ମୁଁ କଣ ରାନ୍ଧିଛି କହିଲୁ? "

ବୁବୁନକୁ ସିନା ସେ ନିଜ ଭିତରେ ବଞ୍ଚାଇ ରଖିଛନ୍ତି, କିନ୍ତୁ ତାଙ୍କ ବାପା ନାଁଟା ହଜିଯାଇଛି । କିଏ ଆଉ ତାଙ୍କୁ 'ବାପା' 'ବାପା' ଡ଼ାକିବ??

ବହୁତ ରାତି ଯାଏଁ ସେ ଏମିତି ବୁବୁନର ନାଁ ନେଇ ଅନେକ କଥା ଗପନ୍ତି । ପୁଣି ସକାଳ ହେଲେ ଏଇଠି ଆସି ଚଦର ଘୋଡେଇ ହୋଇ ବୁବୁନର ଫୋଟୋକୁ ଛାତିରେ ଜାକି ଠିଆ ହୋଇଯାଆନ୍ତି ।

ତାଙ୍କ ପୁଅ ସିନା ଆଉ ଫେରିଲା ନାହିଁ ସେ କିନ୍ତୁ ଚାହାଁନ୍ତି ଅନ୍ୟ କାହାର ପୁଅ ଏହି ଦାନ୍ତୁଆଣୀ ଘ।ଟିରେ ଆଉ ଅଟକିନଯାଉ । ଆଉ କେହି ବୁବୁନ ପରି ଘରକୁ ଅଫେରା ହୋଇ ରହିନଯାଉ ।

ଆପଣ ବିଶ୍ୱାସ କରିବେନାହିଁ sir ମଉସା ଏଠି ଯେବେଠୁଁ ବୁବୁନର ଫୋଟୋ ଧରି ଠିଆ ହେଲେଣି ସେବେଠୁ ଏଠାରେ ଆଉ କୌଣସି ବଡ ଧରଣର ଆକ୍ସିଡେଣ୍ଟ ହେଇନି । ଗାଡିର ବେଗ କମେଇ ଚଲେଇବାକୁ ସେ ସଭିଙ୍କୁ ଅନୁରୋଧ କରି କହନ୍ତି ।

Sir ଆପଣଙ୍କ ଆଖିରେ ଲୁହ ! ହଁ ମୁଁ ବି ଯେବେ ଲୁଚି ଲୁଚି ମଉସାଙ୍କୁ ବୁବୁନ ସହ ମିଛ ମିଛ କଥା ହେଉଥିବା ଶୁଣେ ଯନ୍ତ୍ରଣାରେ ମୋ ହୃଦୟ ଫାଟିଗଲା ପରି ମନେ ହୁଏ । ଏ ଦାନ୍ତୁଆଣୀ ଘାଟି ବୁଢ଼ା ଲୋକଟାର ଅସହାୟ ଜୀବନରୁ ଏକମାତ୍ର ସାହାରାଟିକୁ ଲୁଟି ନେଇ ସମ୍ପୂର୍ଣ୍ଣ ନିସ୍ଵ କରିଦେଲା । କି ଅସମ୍ଭବ ଦୁଃଖ ! ପୁଅର ଫେରନ୍ତା ବାଟକୁ ଚାହିଁ ରହି ନିଜକୁ ମିଛ ଗୋଟେ ଆଶ୍ୱାସନା ଦେଇ ବଞ୍ଚି ରହିଛନ୍ତି ଯାହା ।

ମାନସ ବାବୁ ଲୁହ ପୋଛି କହିଲେ, "ତାଙ୍କୁ ଟିକେ ଦେଖାକରି ହେବ?"

--ନାଁ । ଏବେ ସେ ବନ୍ଦ ଘର ଭିତରେ ବୁବୁନ ସହ ନିଜ ଛୋଟ କାଳ୍ପନିକ ଦୁନିଆରେ ବ୍ୟସ୍ତ ଥିବେ । ସମୟ ବହୁତ ହୋଇଗଲାଣି । ଆପଣଙ୍କର ବେଶୀ ଡେରି କରିବା ଉଚିତ ନୁହେଁ । ରାସ୍ତା ଖରାପ ଅଛି । ଏଠାରେ ଏବେ ଆଳତୀ ଆରମ୍ଭ ହେବ ଦେଖି କରି ଯିବାକୁ ଚାହିଁବେ?

ମାନସ ବାବୁ ହେଲମେଟ ହାତରେ ଧରି ଉଠୁ ଉଠୁ କହିଲେ, " ନାଁ ଆଲୋକ ବାବୁ ! ଆଜିଠୁ ଆଉ ନୁହେଁ । ଏଠି ନୁହେଁ କି ଆଉ କୋଉଠି ମଧ୍ୟ ନୁହେଁ । ୟାଙ୍କୁ ନୁହେଁ, ଅନ୍ୟ କାହାକୁ ବି ନୁହେଁ ।ଇଏ କଣ ଫେରିବାକୁ ବିଳମ୍ବ କରୁଥିବା ପୁଅ କୁ ତା ବାପା ମାଆଙ୍କ ପାଖକୁ ଫେରେଇପାରିବେ??ପାରିବେନି ନାଁ? ମୁଁ ଆସୁଛି । ଆପଣଙ୍କୁ ଅନେକ ଧନ୍ୟବାଦ । ଡେରି ହେଉଛି । ଘରକୁ ଶୀଘ୍ର ଫେରିଯିବେ "।

ଲୋପା

କେଉଁଝର ବୁବୁନ ଆଲୋକ

Rate the content


Originality
Flow
Language
Cover design

Comments

Post

Some text some message..