Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶିଢି
ଶିଢି
★★★★★

© Soumya Shubhadarshinee

Tragedy

7 Minutes   7.5K    19


Content Ranking

ପ୍ରବାହମାନ ନଦୀ ଚିରକାଳ ଅସ୍ଥିର ନିଜ ସ୍ରୋତରେ , କିନ୍ତୁ ଯେବେ ସେଇ ନଦୀ ସାଗର ଛୁଏଁ ହେଇଯାଏ ସ୍ଥିର ସ୍ଥବୀର। ତୁମେ ଠିକ ସେମିତି ସୁଗନ୍ଧା , ସାଗର ପରି ଆଉ ମୁଁ ନଦୀ।ଥରୁଟିଏ ମୋତେ ନିଜ ପାଖରେ ସ୍ଥିର ହେଇ ରହିଯିବାର ସୁଯୋଗ ଦିଅ।

★★★★★

ସାଗର ଯେ ଅଗଣିତ ନଦୀର ଧାରକ ତୁମେ କିନ୍ତୁ କେବଳ ଗୋଟିଏ ନଦୀକୁ ଆଶ୍ରୟ ଦେଇପାରିବ ନାହିଁ ? ବିଶ୍ୱାସ ହେଉନି ମୋର ସୁଗନ୍ଧା, ନା' ନା' ଜମା ବିଶ୍ୱାସ ହେଉନି। ମୁଁ ଜାଣେ ମୁଁ ତୁମ ପୃଥିବୀରେ ଗୋଟେ ଅପାଙ୍କ୍ତେୟ ,କିନ୍ତୁ ତୁମେ ମୋ ଲାଗି ସବୁଠାରୁ ମୂଲ୍ୟବାନ।ମାନୁଛି ତୁମେ ପରମ୍ପରା ଆଉ ମୂଲ୍ୟବୋଧକୁ ଜଡେଇ ଧରିଥିବା କଳ୍ପ ବୃକ୍ଷ। କିନ୍ତୁ ସେଇ ବୃକ୍ଷରେ ହିଁ ଡୋରୀ ବନ୍ଧା ହୁଏ, ଇପ୍ସା ପୂର୍ଣ୍ଣ କରିବାର ସଂକେତ ମିଳେ। ତୁମେ ସୀତା ପରି ହେବାର ଅଭିନୟ ବହୁତ କରି ସାରିଲାଣି। ଥରୁଟିଏ ରାଧା ହେବାର ସାହସ କରିପାରିବ ନାହିଁ? ହୁଏତ ପାରିବ ବା ପାରିବିନି !କିନ୍ତୁ ରାଣ ଅଛି ଏମିତି ସାଇତା ମନଟିଏ ମୋର ଖୁବ୍ ପସନ୍ଦ। ସେଇ ମଣିଷ ହିଁ ନିଏ ଦାୟିତ୍ୱ , ଦିଏ ପ୍ରେରଣା, ଭରେ ସ୍ପୁଲିଙ୍ଗ, ସାଜେ ସୁରକ୍ଷାର ବଳୟ। ତୁମେ କ'ଣ ଭାବୁଛ: ମୁଁ ଜାଣେନି ,ଆଉ ସତ ହେଲା ଜାଣିବାକୁ ଚାହେଁନି ବି। କାରଣ ତୁମେ ଯେ ନିଶ୍ଚିତ ତରଳି ଯିବ ମୋ ପାଇଁ ସେଇ ବିଶ୍ୱାସ ଅଛି ମୋର ନିଜ ଉପରେ ଆଉ ଆମ ସମ୍ପର୍କ ଉପରେ।

କେତେ ରୋକଠୋକ କଥା କୁହ ତୁମେ ସୁଗନ୍ଧା, ଓଃ କେବେବି ଭାବନି ଶୁଣୁଥିବା ମଣିଷ କେତେ କଷ୍ଟ ପାଉଥିବ। ଅଚିରେ ଛୁରୀ ଚଳେଇ ଦିଅ କୋମଳ ମନରେ ବିନା ଦ୍ବିଧାରେ । ଖଣ୍ଡ ଖଣ୍ଡ ହେଇଯାଏ ମୋ ସ୍ୱପ୍ନ ସବୁ। ନିରାଶାର ଗୋଟେ ଗାଢ଼ ରଙ୍ଗ ମାଖି ହେଇଯାଏ ସବୁ ସମ୍ଭାବନାରେ। ମୁହୂର୍ତ୍ତକ ପାଇଁ ମୁଁ ନିଶବ୍ଦ , ସ୍ଥିତି ଶୂନ୍ୟ ହେଇଯାଏ। ମୋ ଶକ୍ତ , ସବଳ, ବିଶାଳ, ପଥର ହୃଦୟ ଭାଙ୍ଗି ଖଣ୍ଡ ଖଣ୍ଡ ହେଇଯାଏ। କିନ୍ତୁ ଯେବେ ଭାବେ ଯେଉଁ ମଣିଷର ତିରସ୍କାର ଏତେ ନିଷ୍ଠୁର ତା'ର ସୌହାର୍ଦ୍ଦ୍ୟ କେତେ ଆକର୍ଷଣୀୟ ହେଇନଥିବ ସତେ। ସେଇ ମୁହୂର୍ତ୍ତରେ ମୁଁ ଖୁବ ଆନନ୍ଦିତ ହେଇଯାଏ। ମଣିଷର ପ୍ରକୃତି ତ' ସେମିତି ଯିଏ ଯେତେ କ୍ରୋଧି ସେତିକି ସ୍ନେହୀ, ଯେତେ ସରଳ ସେତିକି ଜଟିଳ, ଆଉ ଠିକ ସେମିତି ତୁମ ଘୃଣା ଯେତେ ହୃଦୟ ବିଦାରକ ପ୍ରେମ ସେତିକି ହୃଦୟ ଉନ୍ମାଦକ ହେବ ନିଶ୍ଚିତ। କେବଳ ସେଇ ଗୋଟିଏ ଅଭିପ୍ରାୟକୁ ନେଇ ମୋର ଏତେ ସବୁ ପ୍ରଚେଷ୍ଟା ତୁମେ କ'ଣ ବୁଝୁନ।

ଜାଣ ସବୁବେଳେ ଏଇୟା ହିଁ ଭାବେ ଯେ କାହିଁକି ତୁମେ କଠୋର ହେବାର ଅଭିନୟ କରୁଛ? ତୁମକୁ ମୁଁ ଦେଖିନି କେବେ ସ୍ପଷ୍ଟ ଭାବେ ନିକଟରୁ ନିରିଖେଇ , କିନ୍ତୁ ଅନୁଭବ କରିଛି ବହୁତ ଗଭୀର ଭାବେ। ଜାଣିଛି ତୁମେ କେତେ ସମ୍ବେଦନଶୀଳ। ମନେ ଅଛି ନା ସେଇ ଅଫିସ ଟୁର୍ ରେ ମୁଁ ଯେବେ ଯାଇଥିଲି ଆଉ ତୁମେ ଫୋନ୍ କରିଥିଲ। ମୁଁ ହୋଟେଲରେ ଫୋନ୍ ଛାଡି ଦେଇ ଚାଲି ଯାଇଥିଲି। ତୁମେ କେତେ କଲ୍ କରିଥିଲା ବାପରେ । ମୁଁ ତ' ଆଶ୍ଚର୍ଯ୍ୟ ହେଇଯାଇଥିଲି। କାହିଁକି ଏମିତି କଲ ବୁଝେଇ ପାରିବ ମୋତେ??

ଆଉ ଯେବେ କଲ୍ ବ୍ୟାକ୍ କଲି ତୁମେ ଏମିତି ବ୍ୟସ୍ତ ହେଲ ଯେମିତି ମୋର ଏକାନ୍ତ ନିଜର କେହି ମୋ ପାଇଁ

ଚିନ୍ତାରେ । କହିଲ ପୁଣି କ'ଣ , " ଅଂଶୁ ତୁମେ ଠିକ ଅଛ ତ' ନା କିଛି ସମସ୍ୟା।ମୋ ଫୋନ୍ ଉଠଉନ , ଜାଣ ମୁଁ କେତେ ବିବ୍ରତ ହେଇଗଲି।"

କେତେ ତୀବ୍ର ଆଲୋଡନ ଥିଲା ସେ ସ୍ୱରରେ ତୁମେ ଜାଣିନ । କେବଳ ମୁଁ ଅନୁଭବ କରିଛି ସେଇ ଆକର୍ଷଣ। ସୁଗନ୍ଧା ତୁମେ ଯେ ଫୁଲ ଠୁବି ବେଶି କୋମଳ, ସେଦିନ ବେଶ ଭଲ ଭାବେ ବୁଝି ଯାଇଥିଲି। କିନ୍ତୁ ନା' ,ତୁମେ ମୋ ସମ୍ନାରେ କଠୋର ହେବାର ଅଭିନୟ କରିବ ସବୁବେଳେ ମୁଁ ଜାଣେ। ଆଉ ଏଇଟା ହିଁ ତୁମର ଭାବ ମୋ ଲାଗି।

କେବେବି ତୁମେ ମୋତେ ଗ୍ରହଣ କରିବ ନାହିଁ ବୋଲି ସବୁବେଳେ କହୁଛ ନୁହେଁ। ବଡ଼ ବେପରୁଆ ଭାବେ ମୋର ସବୁ ଆବେଦନ ପତ୍ର ନାକଚ କରିଦେଉଛ। ତୁମ ବିଚାର ଧାରା ଓ ରକ୍ଷଣଶୀଳତାର ଶକ୍ତ ପ୍ରାଚୀର ଡେଇଁ ଗୋଟିଏ ବି ଅନୁରୋଧ ପହଞ୍ଚି ପାରୁନି। କିନ୍ତୁ ଜାଣିନି କାହିଁକି କେଜାଣେ ମୋ ଆବେଦନ କରିବାର ନିଶା କିନ୍ତୁ ଟିକିଏ ବି କମ ହେଉନି । ଅଧିକନ୍ତୁ ଆହୁରି ଆହୁରି ବଢୁଛି। ତୁମ କଦର୍ଯ୍ୟ ଗାଳି ଶୁଣିବାକୁ ଭଲ ଲାଗୁଛି, ତୁମ ତିରସ୍କାର ମିଠା ଲାଗୁଛି , ତୁମ ପ୍ରତିରୋଧ ଆମନ୍ତ୍ରଣ ପରି ପ୍ରତିତ ହେଉଛି।

ମୋତେ ତୁମେ ବଦ୍ଧ ପାଗଳ ବୋଲି କୁହ ଅନେକ ଥର। କିନ୍ତୁ ମନେ ପକାଇଲ ଟିକେ କେଉଁ ପାଗଳ ମିଛ କୁହେ? ହଁ ପାଗଳ କ'ଣ କେବେ ମିଛ କୁହେ କି? ତୁମେ ତ ଭାରି ବୁଦ୍ଧିମତୀ , ତୁମକୁ ମୁଁ ନିର୍ବୁଦ୍ଧିଆ କ'ଣ ବୁଝେଇବି। ତୁମେ ମୋ ଠାରୁ ଢେର ଜାଣ, ତେଣୁ ନିଶ୍ଚିତ ଜାଣିଥିବ ମିଛ କୁହେନି କେବେ ପାଗଳ। ସବୁବେଳେ କେବଳ ସତ କୁହେ। କିନ୍ତୁ ଏଇ ଛଳନାମୟ ସମାଜରେ ଯିଏ ଯେତେ ବାଗରେ ମିଛ କୁହେ ସିଏ ସେତେ ଭଲ ମଣିଷ। ନିରାଟ ସତର ନଗ୍ନ ବାସ୍ତବତା ଖୁବ୍ ଭୟଙ୍କର ! ସତ ମଣିଷକୁ ବଞ୍ଚିବାକୁ ଦିଏନି। ତେଣୁ ସବୁବେଳେ ମିଛଗୁଡ଼େ କୁହେ ମଣିଷ ଅଭିନୟର ପୋଷାକ ପିନ୍ଧି , ଅତ୍ମୀୟତାର ମୁଖା ଲଗେଇ, ଚାତୁର୍ଯ୍ୟର ମହକ ଖେଳେଇ।

ତୁଚ୍ଛା ବୁଢ଼ୀ ମାଉସୀକୁ ଦେଖିକି କେଡେ ସରାଗରେ କୁହ, " ଆଣ୍ଟି ତୁମେ ପୂରା ୟଙ୍ଗ ଲାଗୁଛ , ସତ" । ଏତକ ଶୁଣି ଆଣ୍ଟି ଫିଦା ହେଇଯାନ୍ତି ଆଉ ତୁମେ ଚୁପ କି ତାଙ୍କ ଝିଅକୁ ନେଇ ଘେରାଏ ବୁଲି ଆସ ନୁହେଁ । ଆରେ ନା ନା ମୁଁ ତୁମ ସହ ଏମିତି ଛଳନା କରୁନି। ସବୁ ସତ କହୁଛି ସେଥିପାଇଁ ତ' ମୁଁ ପାଗଳ। କିନ୍ତୁ ରାଣ ଅଛି ଏଇ ପାଗଳାମିକୁ ତୁମେ ଝୁରିବ ନିଶ୍ଚିନ୍ତ ଭାବେ ଝୁରିବ। କାରଣ ଆଉ ଦ୍ଵିତୀୟ ପାଗଳ ଗୋଟେ ମିଳିବ ନାହିଁ । ମିଳିବେ ସବୁ ମିଛ ମଣିଷ।

***********

ବେଡ଼ ନମ୍ବର ୧୭ରେ ନିରବ ହେଇ ଶୋଇଛି ସୁଗନ୍ଧା। ସାଥିରେ ସାରା ପରିବାର। ମିଷ୍ଟର ଡାକ୍ତରଙ୍କ ସହ କିଛି କଥାରେ ବ୍ୟସ୍ତ। ପାଞ୍ଚ ବର୍ଷର କୁନି ଝିଅ କାନ୍ଦୁରୀ ମୁହଁରେ ଚାହିଁଛି। ଶାଶୁ ବସିଛନ୍ତି ସଲାଇନ୍ ଡ୍ରପ୍ କୁ ଜଗି। ସରିଲେ ତୁରନ୍ତ ନର୍ସକୁ ଡାକିବାକୁ ହେବ ନହେଲେ ବ୍ଲଡ଼ ବାହାରି ଚୁଞ୍ଚି ବନ୍ଦ ହେଇଯିବ।

ସୁଗନ୍ଧା ହୋସକୁ ଆସିବାର ଦେଖି ଝିଅ ଚିଲ୍ଲେଇଲା, "ପାପା , ପାପା ," ସଭିଏଁ ତା'କୁ ଘେରି ଗଲେ। ମିଷ୍ଟର ହାତ ଧରି ନେଇ ଗୋଟେ ଉଷ୍ମତା ଛୁଆଁଇ ଦେଲେ ସାରା ଦେହରେ। ଡାକ୍ତର ପଲ୍ସ ଚେକ୍ କଲେ। ଦେଖିଲେ ସବୁ କିଛି ଟିକି ନିଖି , ହାର୍ଟ ବିଟ୍, ଅକ୍ସିଜେନ୍ ଲେବଲ୍, ବ୍ଲଡ଼ ପ୍ରେସର୍ ଏମିତି ଅନେକ ଚିକିତ୍ସା ସମ୍ପର୍କିତ ତଥ୍ୟ ଆଉ ସବୁ ପରୀକ୍ଷା ପରେ ଜଣେଇଲେ ପେସେଣ୍ଟ ଏବେ ବିପଦ ମୁକ୍ତ।

ଗୋଟେ ଖୁସିର ଲହରୀ ଖେଳି ଗଲା ସାରା ପରିବେଶରେ। ଝିଅ ହସିଲା ଆଉ ସୁଗନ୍ଧାର କୋଳରେ ମୁହଁ ଗୁଞ୍ଜି ଦେଲା। ଶାଶୁ ହାତ ଯୋଡିଲେ ଈଶ୍ୱରଙ୍କ ସକାଶେ। ମିଷ୍ଟର ମୁଗ୍ଧ ଦୃଷ୍ଟିରେ ଚାହିଁଲେ ସୁଗନ୍ଧାକୁ। ଯେମିତି ଗୋଟେ ବିରାଟ ହତାଶାର କଳା ବାଦଲ ଅପସରି ଯାଇ ଆକାଂକ୍ଷାର ସୂର୍ଯ୍ୟ ଉଦ୍ଭାସିତ ହେଇଛି ଆକାଶରେ।

ସାନ ଦିଅରଟା ଖୁସିରେ କୁଣ୍ଡେଇ ପକେଇଲା। କହିଲା, " ଭାଉଜ ତୁମେ କ'ଣ ଏମିତି ଯାଇ ପାରିବ ଆମକୁ ଛାଡି ? ନା' କେବେ ନୁହେଁ ଭାଇ ତୁମକୁ ଯିବାକୁ ଦେବନି ଆଉ ଆମେ ସବୁ ତୁମ ଯିବା ରାସ୍ତା ବନ୍ଦ କରିଦେବୁ । "

ଲୁହ ଟଳ ମଳ ଆଖି ଯୋଡିଏ ଦୂରରୁ ଦେଖୁଥିଲା ସୁଗନ୍ଧାକୁ । ହଁ ତା' ବାପା ସବୁବେଳେ ଏମିତି ହସ୍ପିଟାଲକୁ ଭୟ କରନ୍ତି। ତା' ମା' ଏମିତି ହସ୍ପିଟାଲରେ ଛାଡି ଚାଲି ଗଲା ପରେ ବାପା ଜମା ଯାଆନ୍ତି ନାହିଁ। ଆଜି କିନ୍ତୁ ଆସିଛନ୍ତି ପିତୃତ୍ୱର ଆହ୍ୱାନରେ। ଗୋଟିଏ ବୋଲି ଝିଅର ଏଇ ବିପଦ ବେଳେ ଦେବାକୁ ସାହସ କିନ୍ତୁ ନିଜ ଭୟକୁ ଜିତି ପାରି ନାହାନ୍ତି ଟିକିଏ । ସେଥିପାଇଁ ଦୂରରେ ଠିଆ ହେଇ ଜୁଳୁ ଜୁଳୁ ଲୁହ ଲେଶା ଆଖିରେ ଦେଖୁଛନ୍ତି ଖାଲି। ସୁଗନ୍ଧା ହାତ ଠାରି ଡାକିଲା ତାଙ୍କୁ ପାଖକୁ। ଆସିଲେ ବାପା ଡ଼ରି ଡରି ଆଉ ଭୋ କିନା କାନ୍ଦି ପକେଇଲେ । ବାଷ୍ପରୁଦ୍ଧ ଗଳାରେ କହିଲେ'' ତୁ ଯିବୁନି ମୋତେ ଛାଡ଼ି କେବେ ତୋ ମା' ପରି , ତୋତେ ମୋ ରାଣ" ।

ସୁଗନ୍ଧାର ଆଖିରେ ବି ଭରି ଗଲା ଲୁଣ ପାଣି ଆଉ ଧାର ଧାର ହେଇ ଛୁଇଁ ଗଲା ଓଠ। ସତେ କେତେ ଗାଢ଼ ସମ୍ପର୍କର ରଙ୍ଗ। କଣ ଏମିତି ରଙ୍ଗ ଲାଗିଛି ଅଂଶୁ ମନରେ ?? କେମିତି ଭୁଲିବ ସେ ,

" କେତେ ବ୍ୟାକୁଳ ଭାବେ ଅଂଶୁ ଅପେକ୍ଷା କରିଥିବ ତା'ର। ଆଉ ସେ ଯାଇପାରୁନି। "

କୁଳ କିନାରା ମିଳୁ ନଥିଲା ତାକୁ। "କାହିଁକି ଏମିତି କଲ ପ୍ରଭୁ ?" ବାରମ୍ବାର ଏଇ ପ୍ରଶ୍ନ ପ୍ରତିଧ୍ବନିତ ହେଉଥିଲା ତା' ମୁଣ୍ଡ ଭିତରେ । ମଣିଷକୁ ସୃଷ୍ଟି କରି ଏମିତି ନିଜ ହାତର କଣ୍ଢେଇ ସଜେଇବା ଗୋଟେ କ୍ରୁର ଆନନ୍ଦ ପ୍ରଭୁଙ୍କର। ସତ ଭାରି ହୃଦୟହୀନ ସେ ସତ୍ତା , ଯେ ମାୟାର ରଜ୍ଜୁରେ ବାନ୍ଧି ମଣିଷ ଗୁଡାଙ୍କୁ ଏମିତି ନଚେଇ ଚାଲେ । ସେଇତକ ଈଶ୍ୱରଙ୍କ ଲୀଳା , ସେଥିପାଇଁ ସେ ଲୀଳାମୟ। ହେଲେ କେତେ ଯନ୍ତ୍ରଣା ହୁଏ କ'ଣ ବୁଝନ୍ତି ନାହିଁ ପ୍ରଭୁ। ଯଦି ସୁଖଦ କାହାଣୀ ଟିଏ ଲେଖନ୍ତେ ସଭିଙ୍କ ପାଇଁ ତେବେକି ସସସ୍ୟା ହୁଅନ୍ତା ଯେ ?? ହସଖୁସିରେ କଟି ଯାଆନ୍ତା ସଭିଙ୍କ ଜୀବନ। ସମସ୍ତଙ୍କର ଥାନ୍ତା ଗୋଟେ ଉଜ୍ଜ୍ୱଳ ଜୀବନ ପ୍ରବାହ । କିନ୍ତୁ ନା' ପ୍ରଭୁ ସବୁବେଳେ ଗୋଟେ ଦୁଃଖଦ କାହାଣୀ ମୋହରେ। ସବୁକିଛି ସଠିକ ରହିଲେ ମଜା ଆସେନି ତାଙ୍କୁ । ସେ ସମ୍ପର୍କ ଗୁଡାକୁ ଭାଙ୍ଗି ରୁଜି ପୁଣି ଯୋଡିବାକୁ ଭଲ ପାଆନ୍ତି ଭାରି।

*********

ରାଉଲକେଲାକୁ ଥରେ ଆସ ସୁଗନ୍ଧା ପ୍ଲିଜ।ଏଇତକ ଅନୁରୋଧ ଅଂଶୁର ସବୁ ଦିନ। କେତେଥର ସୁଗନ୍ଧା ମନା କରିସାରିଛି ତା'ର ଠିକଣା ନାହିଁ । କିନ୍ତୁ ଅଂଶୁ ଯେମିତି କାଠ ପଥର ରୋଜ ସେଇ ଅନୁରୋଧ । " ଓଇ ଜାଣ କେବଳ ତୁମ ପାଇଁ ସମ୍ଭବ ହେଲା ଏଇ ଉନ୍ନତି। ତୁମେହିଁ ମୋ ପ୍ରେରଣା। ମୋତେ କେତେ ମୋରାଲ୍ ସପୋର୍ଟ ଦେଇଛ ତୁମେ ଜାଣିନ। ଖାସ ତୁମ ସାମ୍ନାରେ ନିଜକୁ ପ୍ରତିପାଦନ କରିବା ପାଇଁ ମୁଁ ଏଇ ଟାର୍ଗେଟ୍ ଆଚିଭ୍ କଲି।

ସୁଗନ୍ଧା ତୁମେ କେବେ ଦେଖିଛ ଶିଢି? ପାହାଚ ନଥିବା ଉଚ୍ଚ ସ୍ଥାନକୁ ଯିବାର ଗୋଟେ ସୁଯୋଗ । ତୁମେ ସେମିତି ସୁଗନ୍ଧା ମୋ ଲାଗି ।ଜୀବନରେ ସବୁଠାରୁ ସମ୍ମାନସ୍ପଦ ଆସନ ଲାଗି ଶିଢିଟେ। ତୁମେ ଥିଲେ ମୁଁ କିଛିବି ହାସିଲ କରିନେବି। ମୋର ଅଗାଧ ବିଶ୍ୱାସ। ଆଉ ସେଇ ମଣିଷ ମୋ ପ୍ରଥମ ସଫଳତାର ସମ୍ମାନ ପାଇଲା ବେଳେ ନଥିବ !! କେମିତି ଚଳିବ କୁହ ? ମୁଁ ଜାଣିନି ତୁମେ ଆସିବ ମୋ ଆପ୍ରିସିଏସନ ପାର୍ଟିକୁ । ନହେଲେ ମୁଁ ବି ଯିବିନି କହୁଛି। ପ୍ଲିଜ ମୋତେ ଥରେ ତ' ତୁମ ଉପସ୍ଥିତି ଅନୁଭବ କରିବାକୁ ଦିଅ!!!!"

ସବୁବେଳେ ପ୍ଲିଜ ଟିକେ କଥା ହୁଅ କହି, ହଇରାଣ କରୁଥିବା ଅଂଶୁକୁ ଦିନେ ସୁଗନ୍ଧା ରାଗିକି କହିଲା , "ଶୁଣ ତୁମେ ଭଲ ପିଲା , ଗୋଟେ ଆକ୍ଟିଭ୍ ଏମ୍ପ୍ଲୟୀ ବୋଲି ମୋର ଏତେ ପ୍ରିୟ , କିନ୍ତୁ ତା' ମାନେ ନୁହେଁ ମୁଁ ତୁମ ସହ କିଛି ବିଶେଷ ସମ୍ପର୍କରେ। ମୋତେ ବାରମ୍ବାର ଫୋନ୍ କରି ବ୍ୟସ୍ତ କରିବା ବନ୍ଦ କର। ଯଦି ତୁମେ ମୋ କମ୍ପାନୀର 'ବେଷ୍ଟ ଏମ୍ପ୍ଲୟୀ' ହେବ ତେବେ ଯାଇଁ କଥା ନହେଲେ କେବେ ନୁହେଁ ।''

ଅଂଶୁ ଗୋଟେ ଏମ୍ପ୍ଲୟୀ ସୁଗନ୍ଧାର ମିଷ୍ଟରଙ୍କ ନିଜସ୍ୱ କମ୍ପାନୀରେ। ସେଠି ସୁଗନ୍ଧା ବସ୍। ସାରା କାମ ସେହିଁ ସମ୍ଭାଳେ। ଏଇ ପିଲାଟିର କାମ କରିବାର ଝୁଙ୍କ ଆକର୍ଷିତ କରିଥିଲା ସୁଗନ୍ଧାକୁ କିନ୍ତୁ ପିଲାଟା ଗୋଟେ ପାଗଳ , ତା'ର ବିଶେଷ ଇଛା ସୁଗନ୍ଧା ତା' ସହ ରହୁ ସାରା ଜୀବନ। ହେଉ ପଛେ ନାମହୀନ କିନ୍ତୁ ଯୋଡିବ ସେ ଗୋଟେ ସମ୍ପର୍କ। ଆଉ ସେଥିପାଇଁ ସେ କିଛିବି କରିଦେବ।

କେବଳ ତାକୁ ଦୁରେଇ ଦେବାକୁ ସୁଗନ୍ଧା ଏମିତି 'ବେଷ୍ଟ ଏମ୍ପ୍ଲୟୀ' ହେବା ପ୍ରସଙ୍ଗ ଉଠେଇ ଥିଲା। ସେ ଜାଣି ଥିଲା ଅଂଶୁ ପ୍ରତିଯୋଗିତାରେ ରୁହେନି। ତା'ର ସବୁ ଗୁଣ ଭଲ କିନ୍ତୁ ଧର୍ଯ୍ୟ ସହକାରେ କରେନି କିଛି । ତେଣୁ ଏମିତି ଗୋଟେ ଟାସ୍କ ଦେଇଦେଲା ସେ ଆଉ କଥା ବନ୍ଦ କରିଦେଲା ।

ସୁଗନ୍ଧା କିନ୍ତୁ ଜମା ଭାବି ନଥିଲା ଅଂଶୁ ବେଷ୍ଟ ହେଇଯିବ କେବଳ ତା' ପାଇଁ।

**************

ରାଉଲକେଲାରେ ମିଷ୍ଟର ତାଙ୍କ କମ୍ପାନୀର ନୂଆ ବ୍ରାଞ୍ଚ ଖୋଲିଥିଲେ ଆଉ ସେଇଠିକୁ ଅଂଶୁକୁ ବଦଳି କରାଯାଇଥିଲା। କେବେ କେମିତି ସେଇ ଅଫିସ ଭିଜିଟ୍ କରିବାକୁ ଯାଇଛି ସୁଗନ୍ଧା। ସେଇଠି ହିଁ ଅଂଶୁର ଆପ୍ରିସିଏସନ୍ ପାର୍ଟି।

ସୁଗନ୍ଧା ରହିବ ତାଙ୍କ ହେଡ୍ ଅଫିସ ଭୁବନେଶ୍ବର ପ୍ରୋଗ୍ରାମରେ ଆଉ ତା' ମିଷ୍ଟର ଯିବେ ରାଉଲକେଲା। ଏଇ ଥିଲା ପ୍ରୋଗ୍ରାମ୍। କିନ୍ତୁ କେବଳ ଅଂଶୁର ବିଶେଷ ଅନୁରୋଧ ପାଇଁ ଏଇ ସିଡ୍ୟୁଲ୍ ବଦଳେଇ ସୁଗନ୍ଧା ନିଜେ ଯାଉଥିଲା ରାଉଲକେଲା। କିନ୍ତୁ ବିଚିତ୍ର ଈଶ୍ୱର , ତା' ଗାଡି ଧକ୍କା ହେଇଗଲା ଆଉ ସେ ଜୀବନ ଓ ମୃତ୍ୟୁ ମଝିରେ ଝୁଲନ୍ତ ଅବସ୍ଥାର ପଡିଛି ହସ୍ପିଟାଲରେ।

ଅଂଶୁକୁ କ'ଣ ବୁଝେଇବ ସେ ? ହୁଏତ ଅଂଶୁର ଇଛାକୁ ଈଶ୍ୱର ବି ପ୍ରତିରୋଧ କରିଛନ୍ତି। ନହେଲେ କି ହୁଅନ୍ତା ଏମିତି ଦୁର୍ଘଟଣା ?? ସୁଗନ୍ଧା କେବେ ଗଭୀର ଭାବେ ଭାବିନି ଅଂଶୁ ପାଇଁ କିନ୍ତୁ ଆଜି କାହିଁକି ଖୁବ୍ ଭାବୁଥିଲା।

ସୌମ୍ୟା

ସୁଗନ୍ଧା ଶିଢି ଅଂଶୁ

Rate the content


Originality
Flow
Language
Cover design

Comments

Post

Some text some message..