Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବହୁତ ଥଣ୍ଡା
ବହୁତ ଥଣ୍ଡା
★★★★★

© ସତ୍ୟବତୀ ସ୍ୱାଇଁ

Tragedy

4 Minutes   339    12


Content Ranking

ମୋର ବୋଧେ ପତଳା ହୃଦୟ। ଟିକିଏ ଟିକିଏ ଦୁଃଖ, ହତାଶ ପବନରେ ଦୋହଲି ଉଠେ। ଦୁଃଖ ବତାସ ବହିଲେ ମୋ କଥା କହିଲେ ନ ସରେ। ମୋତେ ସାଷ୍ଟାମ କରିବାକୁ ଲୋକେ ଦରକାର ହୁଅନ୍ତି। ସେଇଥି ପାଇଁ ନିହାତି ଆବଶ୍ୟକ ନହେଲେ ଦୁଃଖଦ ଖବର ମୋତେ କେହି ଶୁଣାନ୍ତି ନାହିଁ ମୋ ପାଖ ଲୋକେ। ସେମାନେ ଜାଣନ୍ତି କରୁଣ ପରିବେଶ ମୋ ମନ ଉପରେ ଗଭୀର ରେଖା ପାତ କରେ। ସେମିତି ଦୁଃଖ ଦୁର୍ଦ୍ଦଶା କବଳରୁ ବାହାରିବାକୁ ମୋତେ ବହୁତ ସମୟ ଲାଗି ଯାଏ ଯେଣୁ। ବିଶେଷତଃ ମୁଁ ଗୋଟିଏ ଭୟାନକ ଧକ୍କାରୁ ବଂଚିଲା ପରେ ମୋର ଏମିତି ଅବସ୍ଥା ହୋଇଛି। ମନଟି ପିଲା ପରି ହୋଇ ଯାଇଛି,ଯଦିଓ ମୁଁ ଜଣେ ପରିଣତ ବୟସ୍କା ମହିଳା।

ନା କିଛି ଟେନସନ୍ ସହି ପାରେ ନା କିଛି ସମସ୍ୟାର ସମ୍ମୁଖୀନ ହୋଇପାରେ। ଅକସ୍ମାତ୍ ଏମିତି ହୋଇଗଲେ ମୁଁ ଚୁପ୍ ଗୁମ୍ ହୋଇ ଯାଏ କିଛି ଦିନ। ଏଥି ପାଇଁ ମୋତେ ଦୟା କରନ୍ତି ସମସ୍ତେ। କିଛି ଅଶୁଭ ବା ଅସୁବିଧା ଖବର ମୋଠାରୁ ଯଥା ସମ୍ଭବ ଦୁରେଇ ରଖନ୍ତି। ଯେତେ ଖୁସି ମାହୋଲରେ ରଖିବେ ମୁଁ କୁଆଡେ ସେତେ ସୁସ୍ଥ ରହିବି ବୋଲି ଡାକ୍ତରଙ୍କ ପରାମର୍ଶ। ମୋତେ ବି ଡାକ୍ତର କହିଛନ୍ତି କୌଣସି କଥା ଉପରେ ଗଭୀର ଭାବେ ଚିନ୍ତା ନ କରିବାକୁ।

ପ୍ରଥମେ କିଛି ଜାଣି ପାରୁ ନଥିଲି କି କାହାକୁ ହଠାତ୍ ଚିହ୍ନି ପାରୁ ନଥିଲି। ଆସ୍ତେ ଆସ୍ତେ ସ୍ମୃତି ଶକ୍ତି ଅଳ୍ପ ଅଳ୍ପ ଫେରିଲାଣି। ତଥାପି ମନେ ରହୁନି କିଛି। ଛୁଆଙ୍କ ପରି ମୋ କାର୍ଯ୍ୟ କଳାପ। କାମ ଧନ୍ଦା ଭୁଲ୍ ଭାଲ୍ କରି ଦେଉଛି। ବୟସ ମୋ ଖସି ଯାଇଛି ଚାଳିଶରୁ ବୋଧେ କୋଡ଼ିଏକୁ। ମୋତେ ଲାଗୁଛି ମୁଁ କଲେଜରେ ସ୍ନାତକୋତ୍ତର ପଢୁଛି ରେଭେନ୍ସାରେ। ବର୍ତ୍ତମାନ ମୋର ଅତୀତରେ ଓହଳି ପଡିଛି। ମୁଁ ଯେ ମୀନୁ,ଦୁଇଟି ପିଲାର ମାଆ ଏକଥା ଲାଗୁନି। ପାଖ ଲୋକ ମାନଙ୍କ କହିବାରୁ ମୁଁ ନିଜକୁ ବୁଝାଉଛି ହଁ ଏମିତି ହୋଇଥିବ। ବାହା ଘର,ପିଲାମାନଙ୍କ ଏକୋଇଶିଆ,ଜନ୍ମଦିନ ସି ଡି ଦେଖି ଲାଗୁଛି ହୋଇଥିବ ଏକଥା ସତ୍ୟ। ମୋ ଭାଇ ଭାଉଜ ବି କହୁଛନ୍ତି ଏସବୁ କଥା। ଏପରି ପରିସ୍ଥିତି ରେ ମୋତେ ମୋ ପରିବାର,ପିଲା,ସ୍ୱାମୀ ଓ ଆତ୍ମୀୟ ସ୍ୱଜନ ଏନେଇ ଯଥେଷ୍ଟ ସହଯୋଗ କରୁଛନ୍ତି।

କିନ୍ତୁ ଯେଉଁ ମାନେ ମୋ ଜୀବନର ଏ ଦୁଃର୍ଘଟଣା ବିଷୟରେ ଜାଣି ନାହାନ୍ତି ସେମାନେ ଯେ କୌଣସି ଖବର ଦେଇ ଦିଅନ୍ତି। ମୁଁ ସହି ପାରେ ନାହିଁ ବେହୋସ ହେବା ଯାଏ କଥା ଯାଏ। ଦେହ ହାତ ଖାଲି ଥରେ। ତଣ୍ଟି ଶୁଖିଯାଏ। ନିଜକୁ ସମ୍ଭାଳି ପାରେନି। କଣ ଗୋଟେ ଗୋଳ ମାଳ ହୋଇଯାଏ ମୁଣ୍ଡ ଭିତରେ। ଡାକ୍ତର କହିଛନ୍ତି ମୋ ମୁଣ୍ଡ ଭିତରେ ଗୋଟେ ଭେନ୍ ରେ ରକ୍ତ ସଞ୍ଚାଳନ ଭଲ ଭାବେ ହେଉନି। ଭେନ୍ ଟି ଛେଚି ହୋଇ ଯାଇଛି। ଯେଉଁଥି ପାଇଁ ଏପରି ସମସ୍ୟା ସୃଷ୍ଟି ହେଉଛି । ଏମିତି ପାଞ୍ଚ ବର୍ଷ,ଦଶ ବର୍ଷ ଯାଏ ବା ଆଜୀବନ ହୋଇ ପାରେ। ଏଥି ପାଇଁ କୌଣସି ବିକଳ୍ପ ନାହିଁ ବୋଲି ବି କହିଛନ୍ତି। କେବଳ ସତର୍କ ରହିବା ଏହା ପାଇଁ ସର୍ବଶ୍ରେଷ୍ଠ ଔଷଧ।

ଦୁଃର୍ଘଟଣା ହେଲେ ବି ଯେହେତୁ କର୍ମଜୀବୀ ମହିଳା,ଘରେ ତ ବସି ହେବନି। ବସିଲେ ବରଂ ମୋ ସମସ୍ୟା ଅଧିକ ଜଟିଳ ହେବ। ମୋତେ ସଭିଙ୍କ ସହ ମିଶିବାକୁ ପଡିବ। ଆସ୍ତେ ଆସ୍ତେ ସରଳରୁ ଜଟିଳ ଜୀବନ ଆପଣେଇବାକୁ ପଡିବ ବୋଲି ଡାକ୍ତର ବି ପରାମର୍ଶ ଦେଇଛନ୍ତି। ପେଶାରେ ମୁଁ ଜଣେ ଶିକ୍ଷକ।

ସ୍କୁଲ ଗଲେ,ପିଲାଙ୍କ ଗହଣରେ ରହିଲେ ମୋତେ ବେଶୀ ଆନନ୍ଦ ମିଳେ। ଏଣୁ ଟିକେ ଭଲ ଲାଗିବାରୁ ମୁଁ ପ୍ରଥମେ କୌଣସି ସ୍ୱାସ୍ଥ୍ୟକର ପରିବେଶ,ପାଣି ପବନ ପରିବର୍ତ୍ତନ କରିବାକୁ ଡାକ୍ତର କହିଲେ ମଧ୍ୟ ମୁଁ ମୋ ସ୍କୁଲ ପରିବେଶରେ ଅଧିକ ଖୁସି ରହିବା ଦେଖି ମୋ ସ୍ୱାମୀ ମୋତେ ସ୍କୁଲରେ ଛାଡିଲେ ପ୍ରଧାନ ଶିକ୍ଷକଙ୍କ ତତ୍ତ୍ଵାବଧାନରେ। ନଵ ଜନ୍ମ ପାଇଁ ଯେବେ ସ୍କୁଲ ଗଲି ଆଃ କି ହସ ଖେଳି ଥିଲା ମୋ ମୁହଁରେ !ଖୁସିରେ ସତେକି ମୋ ଆତ୍ମା ଖୋଜୁଥିଲା ଏଇ ପରିବେଶ!!କାରଣ ଅନେକ ଲୋଭନୀୟ ଚାକିରୀ ଛାଡି ଆପଣେଇଥିଲି ଶିକ୍ଷକତାକୁ। ଆଦର୍ଶ ଶିକ୍ଷଟିଏ ହେବା ଯେଣୁ ମୋ ଜୀବନର ଲକ୍ଷ୍ୟ ଥିଲା।

ବାପା ମୋତେ ବୁଝେଇଥିଲେ ଡାକ୍ତର,ଇଞ୍ଜିନିୟର ହେବା ସେତେ ଟା ବଡ଼ କଥା ନୁହେଁ ଯେତିକି ଗୋଟିଏ ଶିକ୍ଷକ ହୋଇ ଅନେକ ଭଲ ମଣିଷ,ଡାକ୍ତର,ଇଞ୍ଜିନିୟର ସୃଷ୍ଟି କରିବା। ଯଦିଓ ବାପାଙ୍କ ଆଦର୍ଶ କଥା ଏବେକାରପିଲାମାନଙ୍କ ପାଖେ ଶୁନ।

ଗଣିତ,ଇଂରାଜୀ ବିଷୟ ମୋର ଅତି ପ୍ରିୟ। କ୍ଲାସ ଯାଇ ଯେତେବେଳେ ବହି ଖୋଲିଲି ମୋତେ ସବୁ ନୂଆ ଲାଗିଲା। ସତେକି ମୁଁ ପ୍ରଥମ କରି ବହି ଖୋଲୁଛି। ଯେଉଁ ପାଠ ମୋ ମୁହଁରେ ଥିଲା ମୁଁ ଜାଣି ପାରୁନି ସେଠି କଣ ଲେଖା ଯାଇଛି ! ଭାରି ଅସହାୟ ଲାଗିଲା। ଭୋ ଭୋ କାନ୍ଦି ପକାଇଲି। ମୋ ସହକର୍ମୀମାନେ ମୋତେ ଆଶ୍ୱାସନା ଦେଲେ। "ବ୍ୟସ୍ତ ହୁଅନ୍ତୁ ନାହିଁ। ସବୁ ଠିକ୍ ହୋଇଯିବ। ଆପଣ ଏଇ ମାତ୍ର ସୁସ୍ଥ ହୋଇଛନ୍ତି। ଆଦୌ ବିବ୍ରତ ହୁଅନି। କିଛି ଦିନ ଅପେକ୍ଷା କରନ୍ତୁ"ଜୀବନ କେତେ କଣ ଶିଖାଏ ? ଗୋଟେ ଗୋଟେ ଦୁଃର୍ଘଟଣା ଜୀବନ ଓଲଟ ପାଲଟ କରି ଦିଏ ! ଧୀରେ ଧୀରେ ନିଜକୁ ଠିକ୍ ଠାକ୍ କରିବାର ଇଚ୍ଛା ଶକ୍ତି ମୋତେ ଖୁବ ଶୀଘ୍ର ଭଲ କଲା। ଅବଶ୍ୟ ବେଶୀ ଆଲୋକ,ଶବ୍ଦ,କଥା କି ଦୁଃଖଦ ସମ୍ବାଦ ମୋତେ ଅସୁସ୍ଥ କରି ପକାଏ। ଏସବୁରୁ ମୋ ପରିବେଶ ମୋତେ ଦୁରେଇ ରଖନ୍ତି ।

ଆଜି କିନ୍ତୁ ହଠାତ୍ ଗୋଟେ ଫୋନ୍ ଆସିଲା---ମା ମୀନୁ, କେମିତି ଅଛୁ??ଆସିବୁକି ଟିକେ ଜନତା ହାଇ ସ୍କୁଲ ଆଡେ ଦୁଇଟା କୋଡିଏ ଭିତରେ। ଜନତା ସ୍କୁଲ ମୁଁ ପଢିଥିବା ସ୍କୁଲ। ଫୋନ୍ କରିଥିବା ଶିକ୍ଷକ ଜଣକ ଥିଲେ ମୋ ପ୍ରିୟ କୈଳାସ ସାର୍। ମୁଁ ଆତଙ୍କିତ ହୋଇ କହିଲି--କାହିଁକି ସାର୍ ,କିଛି କାମ ଅଛି କି ? ସେ କହିଲେ ହଁ ଜରୁରୀ କାମ।

ମୁଁ ଚାପରେ ରହି ମୋ ସ୍ୱାମୀଙ୍କୁ ଫୋନ୍ କଲି। ସେ ବି ହାଇ ସ୍କୁଲର ପ୍ରଧାନ ଶିକ୍ଷକ। ଦୁହେଁ ରିମେନିଂ ଦରଖାସ୍ତ ଦେଇ ଜନତା ସ୍କୁଲ ଗଲୁ। ସେଠୁ ସାର୍ ତାଙ୍କ ସାଙ୍ଗରେ ଆମକୁ କଣିଆଁ,ବାଲିକୁଦା ବ୍ଲକ ଅଫିସ୍ ପାଖକୁ ନେଇଗଲେ। ମୋତେ ବାଟରେ ଅତି କୋମଳ ତାର ସହ ବୁଝାଇ କହିଲେ--"ଶୁଣ ମା ମୁଁ ଯାହା କହୁଛି ଶୁଣି ବ୍ୟସ୍ତ ହେବୁ ନାହିଁ। ନିହାତି ସତ୍ୟ କଥା। ଟେନସନ୍ ହେବୁ ନାହିଁ କିମ୍ବା କିଛି ରିଆକ୍ଟ କରିବୁ ନାହିଁ" ।

ଖୋଲିକି କୁହନ୍ତୁ ସାର୍ ? ମୁଁ ଝାଳରେ ଗାଧୋଇ ପଡ଼ିଲିନି ସେତେ ବେଳକୁ। ତଣ୍ଟି ଅଠା ଅଠା ଲାଗିଲାଣି। ବ୍ୟାଗରୁ ପାଣି ବାହାର କରି ପିଇଗଲି। ସାର୍ ମୋ ଅବସ୍ଥା ଦେଖି କହିଲେ--ନା ଆଉ କହିବି ନାହିଁ। ତୁ ନ ଶୁଣି ଏମିତି ହେଲୁଣି ଶୁଣିଲେ କଣ ହେବୁ?

ମୋ ସ୍ୱାମୀ କହିଲେ--ସାର୍ ଆକ୍ସିଡେଣ୍ଟ ପରେ ସେ ଏମିତି ହୁଏ କିଛି ଆକସ୍ମିକ ଖବର ଶୁଣି। ସେମିତି କିଛି ଖବର କି ? ସାର୍ କହିଲେ ହଁ ସେମିତି ନିଶ୍ଚିନ୍ତ। ମିନୁର ଜାଣିବା ହକ୍ ଅଛି। ମୁଁ ନ କହିଲେ ନିଜକୁ ଅପରାଧୀ ଭାବିବି। ତାର ଅବସ୍ଥା ଦେଖି ଭାବୁଛି ଆଉ କହିବିନି।

ଝାଳ ପୋଛି ମୁଁ କହିଲି ମୁଁ ଠିକ୍ ଅଛି ସାର୍। ମୁଁ ପ୍ରସ୍ତୁତ କୁହନ୍ତୁ ଖବର ଶୁଣିବାକୁ।

ଠିକ୍ କହୁଛୁ ତ ? ସାର୍ ଙ୍କ ପ୍ରଶ୍ନ।

ହଁ ସାର୍- ମୋ ସକ୍ଷିପ୍ତ ଉତ୍ତର।

ଠିକ୍ ଅଛି ଆମେ ଏବେ ଧୂନ ସାରଙ୍କୁ ଶେଷ ଦର୍ଶନ କରିବାକୁ ଯାଉଛନ୍ତି। ସାରଙ୍କ ଇଚ୍ଛାଥିଲା ତାଙ୍କ ପ୍ରିୟ ଛାତ୍ର ଛାତ୍ରୀଙ୍କ ଗହଣରେ ତାଙ୍କ ଶେଷ ଯାତ୍ରା କରିବାକୁ।

"ତୋ ଠାରୁ ତାଙ୍କର ପ୍ରିୟ ଛାତ୍ରୀ ଆଉ କିଏ ହୋଇ ପାରିବ" ! ଯଦିଓ ମୁଁ ତୋ ମାନସିକ ଅବସ୍ଥା ଜାଣେ,ତେବେ ବି ମୋ ମନ କହିଲା ତୋ ପ୍ରିୟ ଶିକ୍ଷକଙ୍କ ଶେଷ ଦର୍ଶନ କରିବା ତୋର ହକ୍।

ଶେଷ ଦର୍ଶନ ! ତା ମାନେ ମୋ ପ୍ରିୟ ଧୂନ ସାର୍.....। ଏ ଖବର ଶୁଣି ଯଦିଓ ମୁଁ ଦଶ ମିନିଟ ସ୍ଥାଣୁ ପାଲଟି ଗଲି ,ଚହଲି ଗଲି ତେବେ ବି ଆତ୍ମା ଚାହିଁଲା ଦେଖିବି ଧୂନ ଲେଙ୍କା ମୋ ପୂଜ୍ୟ ଯାହାଙ୍କ ଯୋଗୁଁ ମୁଁ ଆଜି ଏଇଠି। ସବୁଦିନ ମୋ ପ୍ରିୟ ସାର୍ ଆଖି ବୁଜି ଶୋଇଥିଲେ। ଫୁଲ ମାଳ ଟିଏ ତାଙ୍କ ଦେହରେ ପକାଇ ମୁଁ ଆଶ୍ରା ଲୋଡିଲି ମୋ ସ୍ୱାମୀଙ୍କ ବାହୁ। ମନେ ମନେ କହିଲି ହେ ମୋ ପ୍ରିୟ ପୂଜ୍ୟ ମୋ ହୃଦୟେ ବସିଥିବା ସାର୍ ଘେନ ମୋ ଶେଷ ପ୍ରଣାମ।

ନିଛକ ସତ୍ୟକୁ ଭେଟ ହେଲା ବେଳେ ମୋତେ ଲାଗୁଥିଲା ସାର୍ ନୁହନ୍ତି ମୁଁ ଶୋଇଛି ଧଳା ଲୁଗାରେ ଗୁଡା ହୋଇ ଗଭୀର ନିଦରେ ଫୁଲ ଗଦା ତଳେ। ମୋ ନାକରେ ଗୁଂଜା ହୋଇଛି ପୁଳାଏ ତୁଳା। ଆତ୍ମୀୟ ସ୍ୱଜନ ଙ୍କ କାନ୍ଦରେ ଫାଟି ପଡୁଛି ଆମ ଘର। ମୁଁ ଯାଉଛି ଛଅ ଖଣ୍ଡ କୋକେଇରେ ମୋ ଶେଷ ଠିକଣା ମଶାଣୀକୁ ସବୁଦିନ ଶୋଇବି ବୋଲି । ମରିବା,ଏ ଦୁନିଆଁ ଦିନେ ଛାଡିବା ସମ୍ପୂର୍ଣ୍ଣ ସତ୍ୟ। ତଥାପି ମରିବାକୁ ମଣିଷ ଇଚ୍ଛା କରେକି ? ଏ ସୁନ୍ଦର ପୃଥିବୀର ମୋହ ସତରେ କି ଅଦ୍ଭୁତ ! ମୋ ସର୍ବାଙ୍ଗ ଶରୀର ଥରି ଉଠିଲା। କୈଳାସ ସାର୍ ମୋ ଅବସ୍ଥା ଦେଖି କହୁଥିଲେ ତୁ ଶୀଘ୍ର ପଳା ଏଠୁ। ଥଣ୍ଡା ବହୁତ।

ହଁ ତ ଚାରି ଆଡ଼େ ଥଣ୍ଡା ବହୁତ, ମୋ ଭିତରେ ବି---------

ସତ୍ୟବତୀ ସ୍ଵାଇଁ,ମୀନୁ,

ବାଲିକୁଦା,ଜଗତସିଂହପୁର*

ରେଭେନ୍ସା ଶିକ୍ଷକ ମଶାଣୀ ଧୂନ ସାର୍

Rate the content


Originality
Flow
Language
Cover design

Comments

Post

Some text some message..