Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଯଦି ହୋଇଥାନ୍ତା ସତ
ଯଦି ହୋଇଥାନ୍ତା ସତ
★★★★★

© JITENDRA KUMAR KONHAR

Inspirational Classics

8 Minutes   14.5K    19


Content Ranking

ପ୍ରଶାନ୍ତର ସଂସାର କହିଲେ କେବଳ ସ୍ତ୍ରୀ ସ୍ମିତା ଆଉ କୁନି ଝିଅ ରୀତା । ପ୍ରଶାନ୍ତ ନିଜ ଗାଁ ପାଖ ସହରର ତହସିଲ ଅଫିସ ରେ ଛୋଟ କିରାଣୀ ଚାକିରୀ ଟିଏ କରିଛି। ଦରମା ମାସକୁ ପାଞ୍ଚ ହଜାର ଦୁଇଶହ ଟଙ୍କା। ଖର୍ଚ୍ଚ କହିଲେ ବିଶେଷ କିଛି ନାହିଁ। ଝିଅ ପାଇଁ କିଛି ଖର୍ଚ୍ଚ ସହ ଯାହା ଅଫିସ ଯିବା ଆସିବାରେ ଟିକିଏ ଖର୍ଚ୍ଚ । ଘରର ଶାଗ ପଖାଳ ଭଲ ତ ସେ ଭଲ। ତେଣୁ ଅଳ୍ପ ଦରମା ହେଲେ ବି ପ୍ରଶାନ୍ତର ତେଲ ଲୁଣର ସଂସାର ବହୁତ ହସଖୁସିରେ ଗଡି ଚାଲିଥାଏ।

ଏଇ କିଛି ଦିନ ହେବ କ'ଣ ହୋଇଛି କେଜାଣି ସ୍ମିତାର ମୁଣ୍ଡରେ ସହର ଭୁତ ପଶି ଯାଇଛି। ବୋଧହୁଏ ସବୁ ସେଇ ଟିଭି ସିରିଏଲର ପ୍ରଭାବ। ଯେତେବେଳେ ଦେଖିବ ଟିଭି ଆଗରେ ବସି ଶାଶୁବୋହୁ ସିରିଏଲରେ ମାତିଥିବ। ସବୁବେଳେ ସହରରେ ଘର ଭଡା ନେଇ ରହିବା କଥା ପ୍ରଶାନ୍ତକୁ କୁହେ। ପ୍ରଶାନ୍ତ ଯେତେ କହିଲେ ବି ସ୍ମିତା ଶୁଣିବାକୁ ନାରାଜ। ସହରରେ ରହିଲେ କେତେ ଖର୍ଚ୍ଚ ସ୍ମିତା କାହିଁକି ବା ବୁଝିବ। ଧନୀ ଘରର ଝିଅ ସେ । ଘିଅ ମହୁରେ ବଡ ହୋଇଛି। ଭଲପାଇ ବାହା ହୋଇଗଲା ସିନା ଏବେ ଭାବୁଛି ଯେ କେବଳ ଭଲ ପାଇବାରେ ପେଟ ପୁରେନି ବୋଲି। ସ୍ମିତାର କଥା ରଖିବାକୁ ଯାଇ ଶସ୍ତା ସୁନ୍ଦର ଘର ଟିଏ ପ୍ରଶାନ୍ତ ସହରରେ ଯୋଗାଡ କରିବାରେ ଲାଗିଗଲା ସିନା କେମିତି କ'ଣ ଚଳିବେ ପ୍ରଶାନ୍ତର ସେଇ ଚିନ୍ତା ଥାଏ। କାରଣ ସହରରେ ପରା ଡିଜେଲ ପେଟ୍ରୋଲ ପରି ପାଣି ବି କିଣିବାକୁ ପଡେ। 

କଥାରେ ଅଛି ''ସଂସାର କରିଥିଲେ ପଥର ପଡିଲେ ସହି।'' ବାସ୍ ସେହି କଥା ବୋଧହୁଏ ପ୍ରଶାନ୍ତର ବର୍ତ୍ତମାନର ଜୀବନରେ ପରିଚାଳିତ। ପ୍ରତିଟି ସୁଖ-ଦୁଃଖରେ ଭାଗିଦାରୀ ହେବା, ପ୍ରତିଟି ସମସ୍ୟାକୁ ମିଶିକି ସାମ୍ନା କରିବା ଆଦି ବିବାହ ପୂର୍ବରୁ ଥିବା ସ୍ମିତାର ଯେତେ ପ୍ରତିଶ୍ରୁତି ପ୍ରଶାନ୍ତ ପାଇଁ ବର୍ତ୍ତମାନ ହୋଇଯାଇଛି ଯେମିତି ଏକ ଅବାସ୍ତବ ସ୍ୱପ୍ନ।

ନିଜ ଭିଟାମାଟି ଛାଡି ସହରକୁ ଆପଣାର କରିବା ପ୍ରଶାନ୍ତ ପାଇଁ ସହଜ ନ ଥିଲା। ତଥାପି ସେ ତା' ସ୍ତ୍ରୀର ଖୁସି ପାଇଁ ପାଖ ସହରେର ଘର ଭଡାଟିଏ ନେଇଗଲା। ଆଉ ଏଇ ମାସ କେତୋଟା ହେବ ସେମାନେ ସହରରେ ରହିଲେଣି।

ସହରରେ ଆସି ରହିବା ଦିନ ଠାରୁ ସ୍ମିତାର ପାଦ ଆଉ ତଳେ ଲାଗୁନ ଥାଏ। କିଛି ମାସର ରହଣି ଭିତରେ ପଡିଶା ଘର ମହାନ୍ତି ବାବୁଙ୍କ ସ୍ତ୍ରୀ ମମତା ଆଉ ପଟ୍ଟନାୟକ ବାବୁଙ୍କ ସ୍ତ୍ରୀ ସୁମନ ସହ ପରିଚୟ ହୋଇଯାଏ। ଯେତେବେଳେ ବି ଘର କାମ ଆଉ ଝିଅ ପାଖରୁ ଫୁରସତ ମିଳେ ତିନି ଜଣଙ୍କର ଖଟି ଆରମ୍ଭ ହୋଇଯାଏ। ଆଜି ଆମର ଏଇଆ ଆସିଲା କାଲି ଆମର ସେଇଆ ଆସିବ। ଆଜି ଆମର ନୂଆ ଟିଭି ଆସିଲା। ଆଜି ଆମେ ଏତେ ଭରି ସୁନା କିଣିଲୁ... ଏତେ ଟଙ୍କା ଖର୍ଚ୍ଚ ହେଲା ଇତ୍ୟାଦି ଇତ୍ୟାଦି। ସ୍ମିତା ପାରେନି ସିନା କିନ୍ତୁ ସତ ମିଛ କହି ସେମାନଙ୍କ ସହ ତାଳ ଦେଇ ସବୁବେଳେ କହିବାକୁ ଚେଷ୍ଟା କରେ।

'ହେଇଟି ଶୁଣୁଛ ଆମର ଗୋଟିଏ ଫ୍ରିଜ ଆଉ ଗୋଟିଏ ୱାସିଂ ମେସିନ ନେଇ ଆସିବ ଏଇ ମାସରେ ', ପ୍ରଶାନ୍ତ ଅଫିସରୁ ଫେରୁ ଫେରୁ କହିଲା ସ୍ମିତା। କାହିଁ ଆଜି କଣ ହେଲା କି ହଠାତ୍ ତୁମ ପାଟିରେ ଆଜି ଫ୍ରିଜ ୱାସିଂ ମେସିନର କଥା କୁହେ ପ୍ରଶାନ୍ତ। ମୁଁ କିଛି ଜାଣିନି.. ମୋର ଦରକାର ମାନେ ଦରକାର...'ସ୍ମିତା ଖାଇବା ବାଢି ଦେଉ ଦେଉ ପୁଣି ଥରେ କହିଲା । ପ୍ରଶାନ୍ତ କଣ କହି ବୁଝେଇବ ଜାଣି ପାରୁନ ଥିଲା ତଥାପି କୁହେ,' ସ୍ମିତା ତୁମେ ତ ଜାଣିଛ ମୋ ଦରମା କଥା । ଝିଅର ପାଠ ପଢା.. ଘରର ମାସ ସାରା ରାସନ ପାଇଁ ତ ନିଅଣ୍ଟ। କୋଉଠୁ ଆଣିବି ପୁଣି ଫ୍ରିଜ ୱାସିଂ ମେସିନ ପାଇଁ ଟଙ୍କା।'କିନ୍ତୁ ସ୍ମିତା ମୁହଁ ବୁଲେଇ ରୋଷେଇ ଘର ଭିତରକୁ ଚାଲି ଗଲା । ପ୍ରଶାନ୍ତ ମଧ୍ୟ ସ୍ମିତାର କଥାକୁ ଏତେ ଗୁରୁତ୍ୱ ନ ଦେଇ ଖାଇ ସାରି ଶୋଇବାକୁ ଝିଅ ସହ ଶୋଇବାକୁ ଚାଲିଗଲା।

ସବୁଦିନ ପରି ପ୍ରଶାନ୍ତ ସକାଳୁ ଉଠି ନିତ୍ୟକର୍ମ ସାରି ଅଫିସ ବାହାରି ଗଲେ। ସନ୍ଧ୍ୟା ଅଫିସରୁ ନ ଫେରୁଣୁ ସ୍ମିତା ପୁଣି ଆରମ୍ଭ କରିଦେଲା ପୂର୍ବଦିନ କଥା,"ତୁମେ କଣ ଦେଖୁନ ଆମ ପଡିଶା ଘର ମମତା ଆଉ ସୁମନ ଘର। ତାଙ୍କର କଣ ନାହିଁ କହିଲ.. ? ଗାଡି ଘୋଡା ଠାରୁ ଆରମ୍ଭ କରି ସୁନା ରୂପା ସବୁକିଛି। ଆମର ଏ ଭଡା ଘର ଖଣ୍ଡେ ଛଡା ଆଉ କ'ଣ ଅଛି । ମୁଁ ସେମାନଙ୍କୁ ପଦୁଟିଏ କିଛି କହି ପାରୁନି। ଯଦି ମୋ ଇଛା ପୂରଣ କରିପାରିବନି ମୋତେ ବାହା ହେଉଥିଲ କ'ଣ ପାଇଁ...? ମହାନ୍ତି ବାବୁ ଆଉ ପଟ୍ଟନାୟକ ବାବୁ ତ ତୁମ ପରି ଛୋଟ ଚାକିରି ଟିଏ କରିଛନ୍ତି। ସେମାନେ ତ ତାଙ୍କର ସ୍ତ୍ରୀଙ୍କ ସବୁ ଇଛା ପୂରଣ କରୁଛନ୍ତି। ତୁମେ କାହିଁକି କରିପାରିବନି ?" ପ୍ରଶାନ୍ତ ସ୍ମିତା କୁ ବୁଝାଇବାକୁ ଚେଷ୍ଟା କରି କୁହେ," ତୁମେ ବୁଝିବାକୁ ଚେଷ୍ଟା କର ସ୍ମିତା !! ମୁଁ ଯେତିକି ସେମାନଙ୍କୁ ଏଇ ଅଳ୍ପ ମାସର ରହଣି ଭିତରେ ଜାଣିଛି। ସେମାନେ ବିଭିନ୍ନ କାମ ପାଇଁ ଲୋକ ମାନଙ୍କ ପାଖରୁ ଲାଞ୍ଚ ନିଅନ୍ତି। ଆଉ ସେଇ ଟଙ୍କାରେ ସେମାନେ ମଜା ମଜଲିସ କରନ୍ତି। ମୁଁ ତ ସେମିତି କରି ପାରିବିନି ନା ସ୍ମିତା !! " ସଙ୍ଗେ ସଙ୍ଗେ ସ୍ମିତା କୁହେ,"କାହିଁକି ତୁମେ ଲାଞ୍ଚ ନେଲେ ତୁମକୁ କ'ଣ ଫାସି ହୋଇଯାଉଛି କି ?? ନା,ତୁମେ ଧରା ପଡି ଯାଉଛ। ତୁମକୁ କିଏ କହୁଛି ସବୁବେଳେ ଲାଞ୍ଚ ନେବାକୁ ଆମ ପାଇଁ ଯେତିକି ଆବଶ୍ୟକ ଆମେ ସେତିକି ନେବା। ପଟ୍ଟନାୟକ ବାବୁ ଆଉ ମହାନ୍ତି ବାବୁ ଯଦି କରିପାରୁଛନ୍ତି ତୁମେ କାହିଁକି ପାରିବନି।" ପ୍ରଶାନ୍ତ ଆଶ୍ଚର୍ଯ୍ୟ ହୋଇ କୁହେ "ଏ କ'ଣ କହୁଛ ସ୍ମିତା ତୁମେ । ନା ସ୍ମିତା ନା ମୁଁ ପାରିବିନି ଲାଞ୍ଚ ଟଙ୍କାରେ ମୁଁ ତୁମ ପାଇଁ କୌଣସି ଖୁସି କିଣି ଆଣିଦେଇ ପାରିବିନି।" "ଠିକ ଅଛି ତୁମକୁ ଯାହା ଇଛା ହେଉଛି ସେଇଆ କର କିନ୍ତୁ ମୋର ଦରକାର ମାନେ ଦରକାର...ମୁଁ କିଛି ଜାଣିନି" -ଏତକ କହି ସ୍ମିତା ମୁହଁ ବୁଲେଇ ଠିଆ ହୋଇ ପଡିଲା।'

ଦିନ ବିତିବା ସହିତ ପ୍ରଶାନ୍ତ ଆଉ ସ୍ମିତା ଭିତରେ ମତାନ୍ତର ହେବାକୁ ଲାଗିଲା। ମାନସିକ ଦୁଶ୍ଚିନ୍ତା ରେ ପ୍ରଶାନ୍ତର ଦିନ କଟେ। ସ୍ତ୍ରୀର ଖୁସି ପାଇଁ ସେ କୁଆଡୁ ଆଣିବ ଏତେ ଟଙ୍କା। ତା ମନ କହେ ଥରୁଟିଏ ଲାଞ୍ଚ ନେବା ପାଇଁ କିନ୍ତୁ ବିବେକ ବାଟ ଓଗାଳି ବସିଥାଏ। ଅଫିସରୁ ଘରକୁ ଫେରିଲେ ପୁଣି ଆରମ୍ଭ ହୋଇଯାଉଥାଏ ସ୍ମିତାର ନିତି ଦିନିଆ କଥା। କେତେବେଳେ ସୁନା ହାର ଦରକାର ତ କେତେବେଳେ ପାଟ ଶାଢୀ ପୁଣି କେତେବେଳେ ଫ୍ରିଜ ତ କେତେବେଳେ ୱାସିଂ ମେସିନ। ତେଣୁ ପ୍ରଶାନ୍ତ ସବୁଦିନ ଜାଣି ଶୁଣି ଘରକୁ ବିଳମ୍ବରେ ଫେରେ । ଅଫିସ ଛୁଟି ପରେ ସିଧା ଚାଲି ଯାଏ ପାଖରେ ଥିବା ପାର୍କ ଭିତରକୁ। ପାର୍କରେ ବହୁତ ସମୟ ଏକୁଟିଆ ବସି ଘରକୁ ଫେରେ

ଆଉ ଖାଇ ପିଇ ଶୋଇ ପଡେ। ସ୍ମିତା ପ୍ରଶାନ୍ତକୁ ଅପେକ୍ଷା କରି କରି ଶୋଇ ପଡୁଥାଏ। ସକାଳୁ ମଧ୍ୟ ପ୍ରଶାନ୍ତ ସଅଳ ଉଠି ଅଫିସ ସମୟରୁ ଯଥେଷ୍ଟ ପୂର୍ବରୁ ଅଫିସ ଚାଲିଯାଏ। ଏମିତି କିଛି ଦିନ ଭଲରେ ଭଲରେ କଟିଗଲା। କାରଣ ସ୍ତ୍ରୀ ସ୍ମିତାକୁ ସାମ୍ନା କରିବାକୁ ପଡୁ ନ ଥିଲା।

ସେଦିନ ମଧ୍ୟ ପ୍ରଶାନ୍ତ ଅଫିସ କାମ ପରେ ପାର୍କ ରେ ବସି ଥାଏ। ମୁଣ୍ଡରେ ଅନେକ ଚିନ୍ତା। ପ୍ରଶାନ୍ତ ଏକୁଟିଆ ବସିଥିବା ବେଳେ କେହି ଜଣଙ୍କ ଡାକରେ ଚମକି ପଡିଲା। ପଛକୁ ବୁଲି ଦେଖେତ ପୋଲିସ ବାବୁ ଜଣକ ଠିଆ ହୋଇଛନ୍ତି। ହଠାତ ଚିହ୍ନି ପାରିଲାନି ପ୍ରଶାନ୍ତ। ନିରେଖି ଦେଖେତ ସେ ଥିଲା ତା'ର ପିଲା ବେଳର ବନ୍ଧୁ ରମେଶ। ନୂଆ କରି ପ୍ରଶାନ୍ତ ରହୁଥିବା ସହରକୁ ଥାନାଧିକାରୀ ହୋଇ ଆସିଛନ୍ତି। ଢେର କିଛି ସମୟ ଦୁଇ ବନ୍ଧୁ କଥା ବାର୍ତ୍ତା ହେଲେ। ପ୍ରଶାନ୍ତର ଚିନ୍ତାଗ୍ରସ୍ତ ମୁହଁ ଦେଖି ରମେଶ କାରଣ ଜାଣିବାକୁ ଚାହିଁଥିଲା କିନ୍ତୁ ପ୍ରଶାନ୍ତ ତା କଥାକୁ ଏଡାଇ ଯାଇଥିଲା। କାରଣ କହିଲେ ତ କୁଳ କୁଟୁମ୍ବକୁ ଲାଜ ନ କହିଲେ କୁଳ ଭାସି ଯାଉଛି। ରମେଶ ପ୍ରଶାନ୍ତ ଠାରୁ ବିଦାୟ ନେଲାବେଳେ ନିଜର ଏକ ଭିଜିଟିଙ୍ଗ କାର୍ଡ ଦେଇଗଲା ଆଉ କହିଲା ଯେତେବେଳେ ବି ଯାହା ଅସୁବିଧା ହେବ ଫୋନ ଯୋଗେ ଜଣାଇବାକୁ। ଏହାପରେ ପ୍ରଶାନ୍ତ ମଧ୍ୟ ନିଜ ଘର ଅଭିମୁଖେ ବାହାରି ପଡିଲା। 

ପ୍ରଶାନ୍ତ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା। ମୁହଁ ଲାଲ ଦେଖା ଯାଉଥିଲା। 'କୋଉଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଛା ହେବ ଆସିବ ଆଉ ଯିବ। ଆଉ କାହା ପ୍ରତି ତୁମର କିଛି ଦାୟିତ୍ୱ ଅଛି ବୋଲି ତୁମେ ଜାଣିଛ ନା ନାହିଁ?' ପିନ୍ଧିଥିବା ସାର୍ଟକୁ ଖୋଲି ଦେଇ ସ୍ମିତାକୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ। ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା ମୋତେ ଭୋକ ଲାଗିଲାଣି ଜଲଦି ଖାଇବାକୁ ବାଢ।"

ସ୍ମିତା ଅବାକ୍ ହୋଇ ଚାହିଁ ରହିଥିଲା । କି ଅଦ୍ଭୁତ ମଣିଷ ଇୟେ। ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି। ନା ଆଜି ଯାହାବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ। ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ। ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା। ଆରେ ସ୍ମିତା ବୁଝିବାକୁ ଚେଷ୍ଟା କର। ଭଗବାନ ଆମକୁ ଯେତିକି ଦେଇଛନ୍ତି ଆମେ ସେତିକିରେ ଖୁସି ହେବା ଦରକାର। କାହିଁକି ତମର ଏ ବାଚାଳାମି। ଠିକ୍ ଅଛି ମୁଁ ଲାଞ୍ଚ ନେବି। ଆଉ ଜୀବନରେ ଥରୁଟିଏ ନେବି। କେବଳ ତୁମ ଖୁସି ପାଇଁ। ଆଉ ଦ୍ୱିତୀୟ ଥର ମୋତେ ଏ କାମ କରିବାକୁ ଯେମିତି ନ କୁହ। ରାଗ ଭରା କଣ୍ଠରେ କହି ଖାଇବା ଟେବୁଲରୁ ଉଠି ପ୍ରଶାନ୍ତ ଶୋଇବା ରୁମକୁ ଚାଲିଗଲା। ସ୍ମିତା ଯେତେ ଖାଇବା ପାଇଁ ଡାକିଲେ ବି ସେ ଆଉ ଶୁଣିଲାନି। ସ୍ମିତା ଟିକିଏ ଖୁସି ହେଉଥାଏ କାରଣ ତାର ଇଚ୍ଛା ପୂରଣ ହେବାକୁ ଯାଉଥିଲା। 

ଏହି ଘଟଣାର ଚାରି ଦିନ ପରେ ଦିନେ ସଂଧ୍ୟା ବେଳକୁ ପ୍ରଶାନ୍ତ ଘରକୁ ଫେରି ସ୍ମିତା ହାତରେ ୩୦,୦୦୦ ଟଙ୍କା ଗୁଞ୍ଜି ଦେଲେ। ଏବେ ମନ ଖୁସି ତ । ଜୀବନରେ ପ୍ରଥମ ଆଉ ଶେଷ ଥର ପାଇଁ ତୁମ ପାଇଁ ଲାଞ୍ଚ ନେଲି। ଯାଅ ତୁମ ଇଛାରେ ଫ୍ରିଜ, ୱାସିଂ ମେସିନ ଯାହା ଇଛା କିଣି ନେଇ ଆସ । ସ୍ମିତା ଟଙ୍କାତକ ନେଇ ଖୁସିରେ ପ୍ରଶାନ୍ତର ମନ ପସନ୍ଦର ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ଲାଗି ପଡିଲା। 

କିଛି ସମୟ ପରେ ଝିଅ ରୀତା ସହ ପ୍ରଶାନ୍ତ ଆଉ ସ୍ମିତା ଖାଇବା ପାଇଁ ପ୍ରସ୍ତୁତ ହୁଅନ୍ତେ ଘରର ମୁଖ୍ୟ ଦ୍ୱାରରେ କାହାର ଠକ୍ ଠକ୍ ଶବ୍ଦ ସମସ୍ତଙ୍କର ଧ୍ୟାନ ଭଗ୍ନ କଲା। ସ୍ମିତା ଯାଇ କବାଟ ଖୋଲେ ତ ଠିଆ ହୋଇଥିଲେ ପୋଲିସ ବାବୁ ଥାନା ଅଧିକାରୀ ରମେଶ ବାବୁ। ପୋଲିସକୁ ଦେଖି ସ୍ମିତା ଭୟଭୀତ ହୋଇଯାଇଥିଲା। କିଛି କ୍ଷଣ ପରେ ରମେଶକୁ ଚିହ୍ନି ପାରି ଟିକିଏ ଆଶ୍ବସ୍ତି ଅନୁଭବ କଲା। 'ଆରେ ରମେଶ ତୁମେ ପୋଲିସ ବାବୁ ହୋଇ ଗଲଣି। ମୁଁ ତ ପୁରା ଡରିଯାଇଥିଲି। ଆସୁ ନ ଭିତରକୁ ଆସ। ହେଇଟି ଶୁଣୁଛ ରମେଶ ଆସିଛନ୍ତି।' ପ୍ରଶାନ୍ତକୁ ସ୍ମିତା ଡାକ ଦିଅନ୍ତେ ତା'ର କଥାରେ ପୂର୍ଣ୍ଣଚ୍ଛେଦ ଟାଣି ରମେଶ କୁହେ 'କ୍ଷମା କରିବେ ଭାଉଜ ମୁଁ ଏଠାକୁ ବୁଲିବାକୁ ଆସିନି। ଡ୍ୟୁଟିରେ ଆସିଛି। ପ୍ରଶାନ୍ତ ନାଆ ରେ ଅଭିଯୋଗ ଅଛି ଯେ ସେ ୩୦,୦୦୦/- ଟଙ୍କା ଲାଞ୍ଚ ନେଇଛନ୍ତି। ତାର ସିସିଟିଭି ପ୍ରମାଣ ବି ଅଛି ଆମ ପାଖରେ ତେଣୁ ତାକୁ ମୁଁ ଗିରଫ କରିବା ପାଇଁ ଆସିଛି।' ସ୍ମିତାର ପାଦ ତଳୁ ମାଟି ଖସି ଯାଏ। କ'ଣ କରିବ ସ୍ମିତା ଜାଣି ପାରେନି।

ନିଜର ଅନାବଶ୍ୟକ ଇଚ୍ଛା ପୂରଣ କରିବାକୁ ଯାଇ ସେ ଏ କ'ଣ କଲା। ନିଜ ସିନ୍ଦୁରକୁ ବଳି ପକାଇ ଦେଲା। ରମେଶ ଘର ଭିତରକୁ ଆସି ତିରିଶି ହଜାର ଜବତ କରିନେଲା। ପ୍ରଶାନ୍ତ ସେମିତି ଚୁପଚାପ ଠିଆ ହୋଇଥାଏ। ରମେଶ ପ୍ରଶାନ୍ତକୁ ସାଥିରେ ଥାନାକୁ ନେବାକୁ ଉଦ୍ୟତ ହୁଅନ୍ତେ ସ୍ମିତା ରମେଶର ଗୋଡ ତଳେ ପଡିଗଲା। ଆଉ କାନ୍ଦି କାନ୍ଦି ପ୍ରଶାନ୍ତକୁ ଛାଡ଼ି ଦେବା ପାଇଁ ନେହୁରା ହୋଇ କହିଲା,"ସବୁ ଦୋଷ ତା'ର । ତାରି ପାଇଁ ପ୍ରଶାନ୍ତ ଲାଞ୍ଚ ନେଇଛନ୍ତି। ତୁମେ ତାଙ୍କୁ ଏଇ ଥରକୁ ଛାଡି ଦିଅ। ମୁଁ କଥା ଦେଉଛି ସେ କେବେ ଆଉ ଲାଞ୍ଚ ନେବେନି। ତୁମେ ପରା ତାଙ୍କର ପିଲା ବେଳର ବନ୍ଧୁ । ଦୟାକର ଏଇ ଥରକ ତାଙ୍କୁ ଛାଡି ଦିଅ। ତାଙ୍କ ବିନା ମୋର କ'ଣ ହେବ..? ମୋ କୁନି ଝିଅର କ'ଣ ହେବ ?"

"ଭାଉଜ କର୍ତ୍ତବ୍ୟ ଆଗରେ ସମ୍ପର୍କର ମାନେ କିଛି ନ ଥାଏ। ମୋତେ ମୋ କର୍ତ୍ତବ୍ୟ କରିବାକୁ ଦିଅ।" ଏତକ କହି ପ୍ରଶାନ୍ତକୁ ଟାଣି ଟାଣି ନେଇ ଗଲା ବେଳକୁ ପ୍ରଶାନ୍ତ ଦୁଇ ମିନିଟ୍ ସ୍ମିତା ସହ କଥା ହେବା ପାଇଁ ରମେଶକୁ ସମୟ ମାଗେ ।" ଠିକ ଅଛି ମୁଁ ବାହାରେ ଗାଡି ପାଖରେ ଅପେକ୍ଷା କରିଛି କହି ରମେଶ ବାହାରକୁ ଚାଲି ଆସେ।"

ସ୍ମିତାକୁ ଜୀବନର ଅନ୍ତିମ କ୍ଷଣର ଅନୁଭବ ଦେଉଥାଏ ଏହି ଦୁଇ ମିନିଟ୍ ।ହେଲେ କ'ଣ ହେବ ନେଡି ଗୁଡ ତ କହୁଣିକୁ ବହି ସାରିଥାଏ। ପ୍ରଶାନ୍ତ ଅଶ୍ରୁଳ ଆଖିରେ କୁହେ,"ମୁଁ ତୁମକୁ କେତେ ଥର କହିଥିଲି ସ୍ମିତା ହେଲେ ତୁମେ... ଦେଖିଲ ଆଜି ଏହାର ପରିଣାମ। ଝିଅ ରୀତାର ଯତ୍ନ ନେବ।" ସ୍ମିତା ପ୍ରଶାନ୍ତ ପାଖରେ ମଧ୍ୟ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କରିବାକୁ ଲାଗିଲା ଆଉ ନିଜ ସାଙ୍ଗ ରମେଶକୁ ତାକୁ ଛାଡ଼ି ଦେବା ପାଇଁ କହିବାକୁ କହିଲା। ସେ ନିଜର ଭୁଲ ପାଇଁ ପଶ୍ଚାତାପ କରିସାରିଥାଏ । ଝିଅ ରୀତା ମଧ୍ୟ କାନ୍ଦୁଥାଏ। ଠିକ୍ ଏତିକି ବେଳକୁ ରମେଶ ପୁଣି ଥରେ ଘର ଭିତରକୁ ପଶି ଆସିଲା ପ୍ରଶାନ୍ତକୁ ନେବା ପାଇଁ । ସ୍ମିତା ଉପାୟଶୂନ୍ୟ ହୋଇ ଯାଉଥିଲା। କ'ଣ ସେ କରିବ ଏବେ । କେମିତି ବଞ୍ଚିବ ବିନା ସାହାରାରେ କୁନି ଝିଅ କୁ ନେଇ..? 

ରମେଶ ସ୍ମିତାକୁ ବୁଝାଇବାକୁ ଯାଇ କୁହେ ଭାଉଜ ଧନ ସମ୍ପତି ଜୀବନରେ ବଡ ନୁହେଁ। ସ୍ନେହ ଭଲ ପାଇବା ଠାରୁ ବଡ କିଛି ନାହିଁ ଦୁନିଆରେ। ତୁମ ପାଖରେ ତ ଏତେ ଭଲ ପାଉଥିବା ସ୍ୱାମୀଟିଏ ଅଛି ଆଉ ଏତେ ସୁନ୍ଦର ଝିଅ ଟିଏ ଭଗବାନ ଦେଇଛନ୍ତି। ଆଉ କ'ଣ ଲୋଡା ତୁମକୁ। ଶେଷରେ ଏମିତି ଏକ କାମ କରିବା ପାଇଁ ପ୍ରଶାନ୍ତକୁ ବାଧ୍ୟ କଲ। ସ୍ମିତା ମୁଣ୍ଡ ତଳକୁ କରି ଠିଆ ହେଲା। ଆଖିରୁ ତା'ର ବହି ଚାଲିଥାଏ ଅଶ୍ରୁର ଧାର। ଚିନ୍ତାକରନି ଭାଉଜ ସେ ତିରିଶି ହଜାର ଟଙ୍କା କୋଉ ଲାଞ୍ଚ ଟଙ୍କା ନୁହେଁ। ସେଇ ଟଙ୍କା ହେଉଛି ମୋ ଟଙ୍କା। ଦୁଇ ଦିନ ତଳେ ପ୍ରଶାନ୍ତ ଅନ୍ୟମନସ୍କ ହୋଇ ରାସ୍ତା ରେ ଚାଲି ଚାଲି ଯାଉଥିଲେ, ସୌଭାଗ୍ୟକୁ ମୁଁ ସେଇ ଜାଗାରେ ଥିଲି ବୋଲି ଅଳ୍ପକେ ଏକ ବଡ ସଡକ ଦୁର୍ଘଟଣାରୁ ବଞ୍ଚିଗଲେ । ପ୍ରଶାନ୍ତ ଠାରୁ ସବୁ କଥା ଶୁଣି ମୁଁ ହିଁ ଏମିତି ଏକ ନାଟକ ରଚନା କରିଥିଲି କେବଳ ତୁମର ଆଖି ଖୋଲିବା ପାଇଁ। 

ରମେଶ ପାଖରୁ ସବୁ ଶୁଣି ସ୍ମିତାର ଦେହରେ ଯେପରି ପୁଣି ଥରେ ଜୀବନ ସଞ୍ଚରିତ ହୋଇଯାଇଥିଲା। ସେ ଏକ ଦୀର୍ଘ ନିଶ୍ବାସ ନେଇ ନିଜକୁ ସମ୍ଭାଳିବାକୁ ଚେଷ୍ଟା କଲା। ରମେଶ ପାଇଁ ସେ ନିଜର ଭୁଲ ବୁଝି ପାରିଥିଲା ତେଣୁ ତାଙ୍କୁ ଧନ୍ୟବାଦ ଦେଇ ନିଜ ଝିଅର ମୁଣ୍ଡ ଛୁଇଁ ସ୍ମିତା ପ୍ରତିଜ୍ଞା କଲା ଯେ ସେ ଏମିତି ଆଉ କେବେ କରିବନି ବୋଲି। ସ୍ମିତା ସହିତ ସମସ୍ତଙ୍କ ଓଠରେ ଏକ ସୁନ୍ଦର ଅଶ୍ରୁ ମିଶ୍ରିତ ସ୍ମିତ ହସ ଟିଏ ଖେଳିଗଲା। ସ୍ମିତା ନିଜ ଝିଅ ରୀତାକୁ ଧରି ପ୍ରଶାନ୍ତର ଛାତି ଉପରେ ମୁଣ୍ଡ ରଖି ଭାବୁଥିଲା... ହେ ଭଗବାନ ଏ ସବୁ ଘଟଣା ଯଦି ସତ ହୋଇଥାନ୍ତା ତେବେ......!!!

×××××××@@@××××××××÷÷######$$

ଜିତେନ୍ଦ୍ର କୁମାର କହଁର,ଶିକ୍ଷକ(କଲାଡି,ଫୁଲବାଣୀ)

ଦୁରଭାଷ- ୯୪୩୯୫୪୨୫୨୧ 

ସଂସାର ସ୍ମିତା ପ୍ରଶାନ୍ତ

Rate the content


Originality
Flow
Language
Cover design

Comments

Post

Some text some message..