Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ଵାଧୀନତା
ସ୍ଵାଧୀନତା
★★★★★

© Arabinda Rath

Crime Others Tragedy

11 Minutes   1.2K    15


Content Ranking

ଲେଖା- ଅରବିନ୍ଦ ରଥ

---ଓଃ ମମି ମୋତେ ବିରକ୍ତ କରନି କହୁଛି ପରା। ତୁ କେମିତି ଜାଣିବୁ ସ୍ବାଧୀନତାର ଅର୍ଥ। ସାରା ଜୀବନ ତ ଘର ଚାରିକାନ୍ଥ ଭିତରେ କାଟିଲୁ। ନା କାହା ସହ ମିଶିଲୁ ନା କୁଆଡେ ବାହାରିଲୁ। ବାହାର ଦୁନିଆରେ କେତେ କଣ ପରିବର୍ତ୍ତନ ହୋଇଗଲାଣି ତୋର ସେ ବଷୟରେ କି ଜ୍ଞାନ ଅଛି ?

ମୁହଁ ଫଣଫଣ କରି ଗୋଟେ ନିଶ୍ବାସରେ କହିଗଲା ମିତା ।

ତା ଭାବଭଙ୍ଗୀ ଦେଖି ରାଧା ଚୁପ୍ ରହିବାକୁ ଠିକ୍ ମନେକଲେ। ଯାହା ହେଲେ ବି ବଢିଲା ଝିଅର ଚିନ୍ତା ତ ସଦା ବେଳେ ଲାଗିରହିବ। ମୋହନ ତ ସଦା ବେଳେ ନିଜ କାମରେ ବ୍ୟସ୍ତ। ତାଙ୍କର ସବୁବେଳେ ସେଇ ଗୋଟିଏ କଥା

-- ମୋ କାମ ହେଲା ଟଙ୍କା କମେଇବା। ବାକି ଯାହା ରହିଲା ସେ ସବୁର ଦାୟୀତ୍ବ ତୁମର। ଯେତେବେଳେ ଟଙ୍କା ଦରକାର ମୋତେ କହିବ।

ଘରେ ଜମା ତିନି ପ୍ରାଣୀ। ବାପା, ମାଆ ଓ ଝିଅ। ମୋହନ ଜଣେ ବ୍ୟବସାୟୀ, ରାଧା ଗୃହିଣୀ ଓ ଝିଅ ମିତା, ଯିଏ ଏବେ କଲେଜରେ ପାଠ ପଢୁଛି।

ରାଧା ଗାଁ ସ୍କୁଲରେ ଯେନେତେନ ପ୍ରକାରେଣ ମେଟ୍ରିକ୍ ଖଣ୍ଡିକ ପାଶ କରି ସାରିବା ପରେ ମୋହନ ବାବୁଙ୍କ ହାତ ଧରିଲେ। ବାହାଘର ପରେ ଘର ଜଞ୍ଜାଳ ସମ୍ଭାଳୁ ସମ୍ଭାଳୁ କେତେ ବେଳେ ଚୁଟି ଧଳା ହୋଇଗଲା ସେ ଆଡକୁ କେବେ ନଜର ବି ଯାଇନି। ଏବେ ସ୍ବାମୀ ସ୍ତ୍ରୀ ଙ୍କର ଏକ ମାତ୍ର ଲକ୍ଷ୍ଯ ଝିଅଟିର ହାତ କୁ ଦି ହାତ କରିବା। ଝିଅ କଲେଜ ରୁ ପାଶ୍ କରି ସାରିବା ପରେ ହିଁ ଏ ଜଞ୍ଜାଳ କୁ ସାରିଦେବାକୁ ଦୁହେଁ ମନସ୍ଥ କରିଛନ୍ତି।

ମୋହନ ବଡ ଧିରସ୍ଥିର ମିଜାଜର ଓ ମିଷ୍ଟଭାଷୀ। କିନ୍ତୁ ମିତା, ପିଲା ଦିନରୁ ଗେଲବସର ହୋଇ ମୁହଁଖୋର ପାଲଟି ଯାଇଥିଲା। କଥା କଥାରେ ଜବାବ୍ ଦେବା ଓ କଟୁ କଥା କହି ଅପରପକ୍ଷ କୁ ଚୁପ୍ କରାଇବା ଗୁଣ ରେ ସେ ମାହିର୍ ହୋଇ ସାରିଥିଲା । ଏକ ମାତ୍ର ସନ୍ତାନ ଭାବରେ, ତା ଉପରେ ପିଲାଟି ଦିନରୁ ଅଜାଡି ହୋଇ ପଡିଥିଲା ଅସରନ୍ତି ଭଲ ପାଇବା। କାଳେ ମିତା ର ଲାଳନପାଳନ ରେ କିଛି ତୃଟି ରହିଯିବ ସେ ଆଶଙ୍କା ରେ ମୋହନ ସଦାବେଳେ ଯତ୍ନବାନ ରହୁଥିଲେ। କାଳକ୍ରମେ ମିତା ର ଶବ୍ଦକୋଷ ରେ ଅଳି ଅର୍ଦ୍ଦଳି ନାମକ ଶବ୍ଦମାନ ବିଲୁପ୍ତ ହୋଇ କେବଳ ଦାବୀ ନାମକ ଶବ୍ଦର ବହୁଳ ବ୍ଯବହାର ଦେଖିବାକୁ ମିଳୁଥିଲା। ସବୁ ଦିନ ସେ କିଛି ନା କିଛି ନୂଆ ଜିନିଷ ଆଣିବାକୁ ଦାବୀ କରେ। ସେଥିରେ କିଛି ବିଭ୍ରାଟ ହେଲେ ଗୋଡ ହାତ ଛାଟି କାନ୍ଦିବା ସହ ଜିନିଷପତ୍ର ଫିଙ୍ଗା ଫୋପଡା କରେ। ବାପା ମାଆ ଝିଅର ଏପରି ବ୍ଯବହାର କୁ ପିଲାଳିଆମି ଭାବି ଅଣଦେଖା କରି ଦିଅନ୍ତି।

ସତ କହିବାକୁ ଗଲେ ମୋହନ କେବେ ବି ମିତା କୁ ଝିଅ ହିସାବ ରେ ବଢାଇବାର ପକ୍ଷରେ ନ ଥିଲେ। ତାଙ୍କ ମତରେ ଆଜିକାଲି ଝିଅ ଓ ପୁଅ ଭିତରେ କିଛି ଫରକ ନାହିଁ। ଏମିତି କିଛି କାମ ନାହିଁ ଯାହା ଝିଅ ମାନେ କରି ନ ପାରିବେ। ତେବେ ଝିଅ ମାନଙ୍କ ପାଇଁ ଏତେ କଟକଣା କଣ ପାଇଁ ?ତେଣୁ ପିଲା ଟି ଦିନରୁ ଝିଅ ମାନଙ୍କ ପାଇଁ ଉଦ୍ଦିଷ୍ଟ କଟକଣା ତା ପାଇଁ ନ ଥିଲା ।

କର୍ତ୍ତବ୍ୟ ଦୃଷ୍ଟିରୁ କେବେ କେମିତି ରାଧା ଚେତାଇଲା ପରି କହୁଥିଲେ---

– ସେ ପର ଘର ର ସମ୍ପତ୍ତି। ତାକୁ ଏତେ ମୁହଁ ଦେଲେ କାଲି ସକାଳେ ସେ ଶାଶୁ ଘରେ ଚଲି ପାରିବ ତ?

– ଆରେ ଛାଡ ସେ ପୁରୁଣାକାଳିଆ କଥା ସବୁ। ଦୁନିଆ ଆସି କେଉଁଠି ପହଞ୍ଚିଲାଣି। ତୁମେ ସେଇ କଳାଧଳା ଯୁଗରେ ଅଛ ଆଜି ଯାଏ? ତାଚ୍ଛଲ୍ୟ କରି କୁହନ୍ତି ମୋହନ।

ଦାବୀ ମୁତାବକ ମୋହନଙ୍କ ପାଖରୁ ପାଇଥିବା ନୂଆ ମୋବାଇଲ ଧରି ମିତା ସେଦିନ କଲେଜ୍ ଗଲା। ପିଲା ମାନେ ସବୁ କେତେ ଦାମୀକା ମୋବାଇଲ ଧରି ଆସୁଛନ୍ତି। ସେ ବା କାହିଁକି ପଛରେ ରହିବ।

– ଏ ମମି ଦେଖିଲୁ ମୋ ଆଡକୁ। ତୋ ଫଟୋଟେ ଉଠାଏ। ଆରେ ତୋ ନୁଖୁରା ଚୁଟି ଗୁଡାକୁ ଟିକେ ଭଲରେ ସଜେଇ ଦେ। ନହେଲେ ଯିଏ ଦେଖିବ କହିବ ମୋ ମମି ଚାକରାଣି ପରି ଦିଶୁଛି।

କଥାଗୁଡା ତୀର ପରି ଭେଦ କରିଗଲା ରାଧାଙ୍କ ହୃଦୟରେ। ମୁହଁରେ ଶୁଖିଲା ହସଟେ ଫୁଟେଇ ଠିଆ ହେଲେ।

ମିତା କଲେଜ ବାହାରି ଗଲାଣି ଓ ମୋହନ ଦୋକାନରେ। ଆଜି କାହିଁକି କେଜାଣି ନିଜ ଅସ୍ତିତ୍ବ ନେଇ ରାଧା ଭୀଷଣ ଭାବେ ଚିନ୍ତିତ ଥିଲେ। ଅତୀତ ର ସେ ଘଟଣା ସବୁ ଆଜି ଆଖି ଆଗରେ ଚଳଚିତ୍ରର ଦୃଶ୍ୟ ପରି ନାଚି ଯାଉଥିଲା। ପିଲା ଦିନରୁ ରାଧାଙ୍କର ବାପା ମାଆଙ୍କର ଦେହାନ୍ତ ହୋଇ ଯାଇଥିଲା ଓ ସେ ତାଙ୍କ ମାମୁଁ ମାଇଁଙ୍କ ଦ୍ବାରା ପାଳିତ ହୋଇଥିଲେ। ବାପା ମାଆଙ୍କର ସ୍ନେହ ଓ ଭଲପାଇବା କଣ ସେ ଜାଣିବାର ସୁଯୋଗ ପାଇ ନ ଥିଲେ। ମୁଣ୍ଡରୁ ବୋଝ ହାଲୁକା କରିବା ପାଇଁ ମାମୁଁ ତାଙ୍କ ବିଭାଘର ମୋହନଙ୍କ ସହିତ କରାଇ ଦେଇଥିଲେ। ବୟସରେ ଯଥେଷ୍ଟ ବଡ ମୋହନ ବିନା ଯୌତୁକରେ ରାଧାଙ୍କ ହାତ ଧରିଥିଲେ। କାରଣ ସେ ଭଲରେ ଜାଣି ଥିଲେ ତାଙ୍କ ବର୍ଦ୍ଧିତ ବୟସ ଯୋଗୁଁ ଯୋଗ୍ଯ କନ୍ଯା ପାଇବା ସେତେଟା ସହଜ ନ ଥିଲା। ଜନ୍ମ ରୁ ଦୁଃଖ ସହି ଆସିଥିବା ରାଧାଙ୍କ ପାଇଁ ସେ ବିଭାଘର ରେ କିଛି ନୂତନତ୍ବ ଥିବା ସେ ଜାଣି ପାରୁ ନ ଥିଲେ। ସେ ଜାଣିଥିଲେ ଯେ ମାମୁଁ ତାଙ୍କ ମୁଣ୍ଡର ବୋଝ ଅନ୍ଯ ଜଣେ ଲୋକର ମୁଣ୍ଡ କୁ ଟେକି ଦେଇ ନିଶ୍ଚିନ୍ତ ହୋଇ ଯାଇଥିଲେ।

ବିବାହ ପରଠାରୁ ପ୍ରଶଂସା ବୋଲି ଶବ୍ଦର ବ୍ଯବହାର ତାଙ୍କ ପାଇଁ କେବେ ହେବାର ସେ ମନେ ପକାଇ ପାରୁ ନ ଥିଲେ। ଝିଅ ଜନ୍ମ ହେଲା ବୋଲି ବନ୍ଧୁବାନ୍ଧବଙ୍କ ପାଖରୁ ତାଙ୍କୁ ବହୁତ ଗଞ୍ଜଣା ଶୁଣିବାକୁ ପଡିଥିଲା। ଝିଅ ଜନ୍ମ ହେବାର ବେଶ୍ କିଛି ଦିନ ଯାଏ ମୋହନ ଗୁମସୁମ୍ ରହୁଥିଲେ ଓ ତାଙ୍କର ନୀରବତା ର କାରଣ ରାଧା ଜାଣି ପାରିଲେ ମଧ୍ଯ ପ୍ରତିକାର ର ଉପାୟ ନ ପାଇ ଚୁପ୍ ରହୁଥିଲେ। । ଧିରେଧିରେ ସବୁ ସାଧାରଣ ହେବାକୁ ଲାଗିଲା। ନିଜ ପରିବାର କୁ ଠିକ୍ ରେ ଚଳାଇବା ହିଁ ତାଙ୍କ ର ଏକ ମାତ୍ର ବ୍ରତ ଥିଲା । ବେଶି ପାଠ ପଢି ନାହାନ୍ତି ବୋଲି କେବେ କେମିତି ମୋହନ ମଧ୍ୟ ଟାହିଟାପରା କରିପକାନ୍ତି ନିଜ ସାଙ୍ଗସାଥିଙ୍କ ମେଳରେ। ମୁହଁରେ ଶୁଷ୍କ ହସ ଫୁଟାଇ ଅପମାନର ଗରଳ ଆକଣ୍ଠ ପିଇ ଯାଆନ୍ତି, କିନ୍ତୁ କେବେ ପ୍ରତିବାଦ କରି ନାହାନ୍ତି। କରିବେ ବା କେମିତି?

ହେତୁ ପାଇବା ଦିନରୁ ତାଙ୍କ ମାଇଁ କାନେକାନେ କହି ରଖିଥାଆନ୍ତି---

--- ମରଦ ଯାହା କହିବ ହୁଁ ଭରିବୁ। ସେମାନେ ପରା ଆମଠୁ ବେଶୀ ଜ୍ଞାନୀ। ମରଦ ମୁହଁରେ ଜବାବ୍ ଦେବାର ଅର୍ଥ ହେଲା ତାକୁ ଅପମାନ ଦେବା। ଆଉ ଯଦି ଅପମାନ ପାଇ ମରଦ ହାତ ଛାଡିଦେବ ତୋ ସଂସାର ଭାସିଯିବ। ମରଦ ପିଲା ର କଣ ଅଛି। ଆଜି ତୋତେ ଛାଡିବ କାଲି ସକାଳେ ଆଉ କାହା ହାତ ଧରି ସଂସାର ଚଳେଇବ। କିନ୍ତୁ ମାଇପି ପିଲାର ଭାଗ୍ୟ ମାଟି ହାଣ୍ଡିପରି। ଥରେ ଭାଙ୍ଗିଗଲେ ଗଲା, ସାରା ଜୀବନ ଖପରା ହୋଇ ଜୀବନ ବଞ୍ଚିବାକୁ ପଡିବ। ଯଦି କେବେ ତୋ ମରଦ ସହ ଅପଡ ହୋଇ ଆମ ଘର କୁ ଆସିବୁ ମାଡ ଦେଇ ତୋ ଗୋଡ ଛୋଟା କରିଦେବି।

ମାଇଁ ଙ୍କୁ ମଧ୍ୟ ଦେଖି ଆସିଛନ୍ତି ରାଧା ସେଇ ମାଟି ହାଣ୍ଡି ରୂପରେ। ଜବାବ୍ ଦେବା ଦୂରେ ଥାଉ , ମାମୁଁ ଙ୍କ ମୁହଁ ଉପରେ କଥା କହିବାର ସାହାସ ନଥିଲା ତାଙ୍କର। କେବଳ ଓଢଣୀ ଭିତରୁ ମୁଣ୍ଡ ଟୁଙ୍ଗାରି ହଁ କରିବା ବ୍ୟତୀତ ଆଉ କିଛି କରୁ ନ ଥିଲେ। ମାମୁଁ ଙ୍କ କଥା ବା ନିଷ୍ପତ୍ତି ଉପରେ ନାହିଁ କରିବାର ଅଧିକାର କେବେ ନ ଥିଲା ତାଙ୍କର। ସେମିତିକା ଅଧିକାରର ଆବଶ୍ୟକତା ଅଛି ବୋଲି ବି ସେ କେବେ ଅନୁଭବ କରି ନ ଥିଲେ।

ଆଜି ଭାବୁଛନ୍ତି ରାଧା ସ୍ଵାଧୀନତା ବିଷୟରେ। ବାହାଘର ହେଲାବେଳେ ରାଧାଙ୍କ ମନରେ ଥିଲା, ସେ କେବେ ବି ଅନ୍ଧ ଭାବରେ ନିଜ ସ୍ଵାମୀ କଥାରେ ହଁ ଭରିବେ ନାହିଁ। ତାହା ହିଁ ହେବ ତାଙ୍କ ପାଇଁ ସ୍ଵାଧୀନତା। ସେ ପ୍ରକାରର ସ୍ବାଧୀନତା ତ ସେ ପାଇ ସାରିଛନ୍ତି। ତେବେ କାହିଁକି ତାଙ୍କ ମନ ଅଶାନ୍ତ? କାହିଁକି ଲାଗୁଛି ଯେ ତାଙ୍କ ଆପାଦ ମସ୍ତକ ଏକ ଅଦୃଶ୍ୟ ଶିକୁଳିରେ ବନ୍ଧା ହୋଇରହିଛି।

ମିତା ଯେ ଧିରେଧିରେ ନିଜ ସରହଦ ଭୁଲି ଉଛୃଙ୍ଖଳ ହୋଇଯାଉଛି ସେ କଥାରେ ଦ୍ବିମତ ନାହିଁ। ତାକୁ ତାଗିଦ୍ ନ କରି ମୋହନ ଏପରି ପ୍ରଶ୍ରୟ ଦେବା କୁ ସେ ଆଦୌ ସହଜ ଭାବରେ ଗ୍ରହଣ କରି ପାରୁନଥିଲେ। ଚାହିଁଲେ ବି କିଛି କହି ପାରୁ ନ ଥିଲେ। ସେଇ ଜାଗାରେ ହିଁ ନିଜକୁ ପରାଧୀନତାର ଶିକୁଳିରେ ଆବିଷ୍କାର କରିବାକୁ ବାଧ୍ୟ ହେଉଥିଲେ।

– -- ପାପା, ଆସ ଦେଖିବ ମୋ ଫେସବୁକ୍ ରେ କେତେ ସାଙ୍ଗ ହୋଇ ଗଲେଣି। ସାତ ଶହରୁ ଅଧିକା ପିଲା ମୋ ଲିଷ୍ଟରେ ଅଛନ୍ତି। ଆହୁରି ଶହେ ପିଲା ଫ୍ରେଣ୍ଡ୍ ରିକ୍ବେଷ୍ଟ୍ ପଠେଇଛନ୍ତି। ସମୟ ଦେଖି ସେମାନଙ୍କୁ ଆସେପ୍ଟ କରିବି। ମୋହନ ଙ୍କ ହାତକୁ ମୋବାଇଲ୍ ଟା ବଢେଇ ଦେଲା ମିତା।

--- ଆରେ ମା....ଏମାନେ ସବୁ କିଏ। ଏ ପୁଅ ଗୁଡାକ ଏମିତି କଣ ବେଶଭୁଷା ହୋଇଛନ୍ତି। ଦେଖିଲେ ପ୍ରେତ ଦେଖିଲା ପରି ଲାଗୁଛି। ଆଉ ଝିଅ ମାନେ ଏମିତି କଣ ଡ୍ରେସ୍ ପିନ୍ଧିଛନ୍ତି। ଏ ପୁଅ ଗୁଡାକ ତୋତେ ଏମିତି ଖରାପ ଫଟୋ ଓ ମେସେଜ ଦେଇଛନ୍ତି କଣ ପାଇଁ?? ଟିକେ ବିରକ୍ତ ହୋଇ ପଚାରିଲେ ମୋହନ।

--- ମୁଁ ଜାଣିଥିଲି ତୁମେ ସେମିତି କହିବ। ତୁମେ ବି ମମି ପରି ପୁରୁଣାକାଳିଆ। ମୋ ସ୍ବାଧୀନତା ଉପରେ ରୋକ୍ ଲଗେଇବାର କିଛି ବି ଅଧିକାର ନାହିଁ ତୁମର ପାପା। ମୋ ନିଜ ହିସାବରେ ମୁଁ ବଞ୍ଚିବି, ମିଶିବି, ଖେଳିବି, ବୁଲିବି....ଯାହା ଚାହିଁବି କରିବି। ମୋ ଉପରେ କେହି ବି ରୋକ୍ ଲଗେଇ ପାରିବେ ନାହିଁ। ତୁମେ କଣ ନାରୀ ସ୍ବାଧୀନତା ବିଷୟରେ କିଛି ଜାଣିନ ନା କଣ? ମୁଁ ହେଲି ଆଜିର ନାରୀ। ବହୁ ଦିନ କାଳ ପୁରୁଷ ମାନେ ନାରୀ ମାନଙ୍କୁ ପାଦ ତଳେ ଦବାଇ ରଖିଲେ.....ଏବେ ସେସବୁ ଚଳିବ ନାହିଁ...... କେବଳ ମୁଁ ନୁହଁ, ମୋ ସାଙ୍ଗ ମାନେ ମଧ୍ୟ ଏମିତି ସ୍ବାଧୀନ ଭାବରେ ବଞ୍ଚୁଛନ୍ତି। ତେବେ ତୁମେ ମୋ ପାଇଁ ଏତେ ନିୟମ କାନୁନ କାଢିବା କଣ ଠିକ୍ ହେଉଛି ? ଉଚ୍ଚ ସ୍ବରରେ ଏତିକି କହି ମିତା ମୋହନଙ୍କ ହାତରୁ ମୋବାଇଲା ଛଡାଇ ନେଇ ତା ରୁମ୍ ରେ ପଶି ଗଲା।

କିଛି ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ମିତା ଘର ଭିତରେ ନିଜକୁ ବନ୍ଦ କରି ଜିନଷପତ୍ର ଫିଙ୍ଗା ଫୋପଡା ଆରମ୍ଭ କରିଦେଇଥିଲା। ମୋହନ କିଛି ଦିନ ହେଲାଣି ମିତା ର ସ୍ବଭାବ ଓ ଶରୀରରେ ଅନେକ ପରିବର୍ତ୍ତନ ଲକ୍ଷ କରି ପାରୁଥିଲେ। ତା ମଧ୍ଯରେ ବିରକ୍ତିଭାବର ମାତ୍ରା ଯଥେଷ୍ଟ ବଢି ଯାଇଥିଲା। ଛୋଟମୋଟ କଥାରେ ସେ ରାଧାକୁ ଅନେକ କଟୁ କଥା କହିବାର, ମୋହନ ନିଜେ ଶୁଣୁଥିଲେ ମଧ୍ଯ କିଛି କହୁ ନ ଥିଲେ। ସେ ଭାବୁଥିଲେ ମିତା କେବଳ ସ୍ବଭାବବଶତଃ ଏମିତି କହୁଛି। କିନ୍ତୁ ତାଙ୍କ ସହ ମିତା ଯେପରି କଥାବାର୍ତ୍ତା କଲା, ତାହାର ଉଦ୍ଦେଶ୍ଯ ତାଙ୍କୁ କେବଳ ଅପମାନିତ କରିବାଥିଲା ବୋଲି ସେ ବେଶ୍ ଜାଣି ପାରୁଥିଲେ।

ନିଜ କାର୍ଯ୍ଯରେ ବ୍ଯସ୍ତ ଥିବା ହେତୁ ଝିଅ କଣ ପାଠ ପଢୁଛି ବୋଲି ପଚାରିବାର ସୁଯୋଗ କେବେ ମିଳେନି ତାଙ୍କୁ। ତାଙ୍କ ସହ ମିତା ଯେବେ ବି କଥା କୁହେ, ତା'ର ଏକ ମାତ୍ର କାରଣ ଥାଏ କିଛି ନା କିଛି ଦାବୀ। ସେତିକି ମିଳି ଗଲା ପରେ ପୁଣି କିଛି ଦିନ ପାଇଁ ବାପ ଝିଅଙ୍କ ଭିତରେ କଥାବାର୍ତ୍ତା ର ବିରାମ ଲାଗିଯାଏ। ଗୋଟିଏ ଦୁର୍ଭେଦ୍ଯ ପାଚେରୀ ର ଗୋଟିଏ ପାର୍ଶ୍ବରେ ଥିଲା ମିତା ଓ ଅନ୍ଯ ପାର୍ଶ୍ବରେ ଥିଲେ ମୋହନ ଓ ରାଧା।

ସେଦିନ ରାତିରେ ପ୍ରଥମଥର ପାଇଁ ମୋହନ କହିଲେ--

--- ତୁମେ ସତ କହୁଥିଲ। ପିଲା ଟା ଏବେ ଆମ ଅକ୍ତିଆର ରୁ ବାହାରକୁ ଯିବା ଆରମ୍ଭ କଲାଣି। ସବୁ ଭୁଲ ମୋର। ମୁଁ ତାକୁ ଆରମ୍ଭରୁ ମୁହଁଖୋର କରାଇ ଦେଇଛି। ସବୁଠାରୁ ବଡ ଭୁଲ ହେଲା ତାକୁ ସେ ମୋବାଇଲ ଟା ଦେବା। କ୍ଯାନସର ପରି ସେ ମୋବାଇଲ ମୋ ପିଲାକୁ ନିଜର ସମ୍ପୂର୍ଣ୍ଣ ଅକ୍ତିଆର କୁ ନେଇସାରିଲାଣି। ସେ ଆମ ପୂର୍ବ ମିତା ହୋଇ ନାହିଁ, କେମିତି ଗୋଟେ ଅଜଣା ଅଚିହ୍ନା ଲାଗୁଛି ।

ମୁଣ୍ଡ ପୋତି ବସିଥିଲେ ରାଧା ସବୁଦିନ ପରି। କିନ୍ତୁ ସେଦିନ ମୁହଁ ଖୋଲି କହିଲେ

– ହଁ ସତ କହିଲ। ତୁମେ ହିଁ ମୁହଁ ଦେଇଛ.... ଆକଟ ବି କରିବ ତୁମେ। ମିତା ସାରା ଦିନ ଭିତରେ ମୋ ସହ ପଦେ ବି କଥା ହେଉନି। ଏବେ ନା ତାର କିଛି ଦାବୀ ଅଛି ନା କିଛି ଅଭିଯୋଗ। କଲେଜରୁ ଫେରିବା ପରେ ତା ରୁମ ଭିତରେ ପଶୁଛି ଯେ ବାହାରୁଛି ତା ପରଦିନ। ଏପରିକି ଖାଇବା ପାଇଁ ମଧ୍ୟ ଆସୁନାହିଁ। ସେଇ ଘର ର ଦରଜା ବାହାରେ ଖାଇବା ଥାଳି ଧରି ମୁଁ ଠିଆ ହେଉଛି ଓ ସେ ହାତ ଲମ୍ବେଇ ନେଇଯାଉଛି। ଘର ଭିତର ବାଟ ସଦାବେଳେ ବନ୍ଦ ରହୁଛି। ଆମ ସହ ରହୁଛି ସତ ମାତ୍ର ସେ ଆମ ପାଖରେ ନାହଁ। ବଢିଲା ଝିଅ ସେ, କଣ ଆକଟ କରିବି ଜାଣି ପାରୁନି। କାଳେ ରାଗ ରେ କଣ କରିଦେବ ସେ ଡରରେ ତାକୁ କିଛି କହିବାକୁ ଭୟ ଲାଗୁଛି। ମୋତେ ଲାଗୁଛି ଆମ ମିତା କୁ ଥରେ ଡାକ୍ତରଙ୍କୁ ଦେଖେଇଦେବା। ସେ ପାଗଳୀ ହୋଇଯାଇନି ତ....

ଘର ଭିତରେ ବେଶ୍ କିଛି ସମୟ ଯାଏ ନୀରବତା ବିରାଜମାନ କଲା।

ଏବେ ମିତା ର ହାବଭାବରେ ଢେର୍ ପରିବର୍ତ୍ତନ ଦୃଶ୍ୟ ହେଉଥିଲା। ହାତରୁ ମୋବାଇଲ ଛାଡିବାର ନାମ ମଧ୍ୟ ସେ ନେଉନି। ଦିନରାତି ଚୁପି ଚୁପି କଥା ଚାଲିଛି। ବହୁତ୍ ସମୟ ସେ ମୋବାଇଲରେ କିଛି ଲେଖିବାରେ ବ୍ଯସ୍ତ ରହୁଥିଲା। ରହସ୍ୟମୟ ହୋଇ ଚାଲିଥିଲା ତା ବ୍ୟକ୍ତିତ୍ଵ। ଗୋଟିଏ ଛାତ ତଳେ ରହି ବି ସେ ଜଣେ ଅଜଣା ବାଟୋଇ ପରି ନିଜ ଜୀବନ ବଞ୍ଚୁଥିଲା। ସବୁଠାରୁ ବଡ ଆଶ୍ଚର୍ଯ୍ୟ କଥା ଥିଲା ମୋବାଇଲ ଏବେ ତାର ଜୀବନ ପାଲଟିସାରିଥିଲା ତାହା ଏପରି ଏକ ଦୁର୍ ମୂଲ୍ଯ ଚିଜ ଯାହାର ଏକ ମାତ୍ର ମାଲିକ ହେଲା ମିତା। ମୋବାଇଲକୁ ମୋହନ ବା ରାଧା ଛୁଇଁବା ଦୂରେ ଥାଉ, ଯଦି କେତେ ବେଳେ ତା ପାଖ ଦେଇ ଚାଲିଗଲେ ମିତା ରାଗ ରେ ଜର୍ଜରିତ ହୋଇଯାଏ।

--- କଣ ଏ ଘରେ ମୋର ପ୍ରାଇଭେସି ବୋଲି କିଛିନାହିଁ। ମୋ ବ୍ଯକ୍ତିଗତ ଜୀବନ ରେ ହସ୍ତକ୍ଷେପ କରିବାର ଅଧିକାର କାହାର ବି ନାହିଁ।

କେବେ କେମିତି ଟିଭି ଆଗରେ ବସି ମୋବାଇଲ ରେ କିଛି ଟୁପୁରୁ ଟାପର କରିଲା ବେଳେ ରାଧା କିଛି ଦୂର ରେ ବସି ଦେଖୁଥାନ୍ତି ଝିଅର ଏ ନୂତନ ରୂପ କୁ---

--- ଆଲୋ ମାଆ କଣ ସବୁ ଲେଖି ପକଉଛୁ।

– ତୁ କଣ ଜାଣିବୁ ଏହାର ଅର୍ଥ କଣ? ଏ କାମକୁ ଚାଟିଙ୍ଗ କୁହନ୍ତି। ମାନେ ମୋବାଇଲରେ ଲେଖା ମାଧ୍ୟମରେ କଥାବାର୍ତ୍ତା। ତୁ ତ ମଫସଲିଆ ଲୋକ, ତଥାପି ଜାଣିଥା.... ତୋ ଝିଅ ଫେସବୁକ୍ ରେ ଚହଳ ପକେଇ ଦେଇଛି। କଲେଜର ସବୁ ବଡବଡିଆ ପୁଅ ମାନେ ମୋର ସାଙ୍ଗ। ଅନ୍ୟ ଝିଅ ମାନେ ତ ମୋ ସହ କଥାବାର୍ତ୍ତା ବନ୍ଦ କରିଦେଲେଣି। ସବୁ ପୁଅ ମୋତେ ଡାକୁଛନ୍ତି ତାଙ୍କ ସହ ଯିବା ପାଇଁ ପାର୍କ, ସିନେମା,ମେଳା, ଗୁପ୍ ଚୁପ ଖାଇ। ଓଃ … କେମିତି ତୋତେ କହିବି ମୋ ଅନୁଭବ..

ଟିକେ ବିରକ୍ତି ରେ ରାଧା କହିଲେ--

--- କାଇଁ ତୋତେ ଖାଲି ପୁଅ ସାଙ୍ଗ ମିଳୁଛନ୍ତି। କଲେଜ୍ ସାରା କେହି ବି ଝିଅ ନାହାଁନ୍ତି ସାଙ୍ଗ ହେବାକୁ।

ଚିହିଁକି ଉଠିଲା ମିତା--

– ମମି ଖବରଦାର୍। ମୋ ସ୍ଵାଧୀନତା ଉପରେ କିଛି କହିଲେ ଭଲ ହେବନି। ମୁଁ ହଜାର ଥର କହିଛି, କାହା ସହ ମିଶିବି କେମିତି ମିଶିବି ସେ କଥା ମୋ ଉପରେ ଛାଡି ଦେ। ତୋ ମୁଣ୍ଡରେ ସେତିକି ମସଲା ନାହିଁ ଯେ ତୁ ମୋତେ ପାଠ ପଢେଇବୁ। ଏବେ ପୁଅ ଝିଅ ଭିତରେ କିଛି ତଫାତ୍ ନାହିଁ। ପୁଅ ମାନେ ଯାହା କରୁଛନ୍ତି ସେ ସବୁ କାମ ମୁଁ ଅତି ଆରାମରେ କରି ପାରୁଛି। ଆଉ ଦିନେ ସେମିତି ଫାଲତୁ କଥାବାର୍ତ୍ତା କଲେ ମୁଁ ସୁଇସାଇଡ୍ କରିଦେବି ଓ ସୁଇସାଇଡ୍ ନୋଟ୍ ରେ ଲେଖିବି ଯେ ତୁମେ ମାନେ ମୋତେ ମାନସିକ ନିର୍ଯ୍ୟାତନା ଦେଇ ମରିବାକୁ ବାଧ୍ୟ କଲ।

ନିଜ ରୁମ୍ ରେ ପଶି ଧଡ୍ କରି କବାଟ ବନ୍ଦ କରିଦେଲା ମିତା।

ମିତାର ଏମିତି କଥା ଶୁଣି ରାଧା କାନ୍ଦି ପକେଇଲେ। କେତେ ବଡ କଥା କହିଦେଲା ଆଜି ସେ। ଜନ୍ମ କଲା ମାଆ ସାମନାରେ ଆତ୍ମହତ୍ଯା କଥା କହୁଛି?

ସେତିକି ବେଳେ କବାଟ ପାଖରେ କାହାର ଡାକିବାର ଶବ୍ଦ ହେଲା।

ରାଧାଙ୍କ ସାମନାରେ ଚବିଶ ପଚିଶ ବର୍ଷର ପିଲାଟେ। ଚୁଟି ଗୁଡାକ ଗଞ୍ଜା ଚୂଳ ପରି ଠିଆ ହୋଇ ରହିଛି। ଦୁଇ ହାତରେ ନାଗସାପ ଚିତା କୁଟେଇଛି। ନହନହକା ଅଣ୍ଟା। ଜିନ୍ସ ପ୍ୟାଣ୍ଟଟିରୁ ରଙ୍ଗ ଛାଡି ଠାଏ ଠାଏ ଚିରିଯାଇଛି। କାନରେ ଦୁଇଟା କୁଣ୍ଡଳ, ହାତରେ ପିତ୍ତଳ କଡା। ଓଜନ କଣ୍ଟାରେ ଠିଆ କରିଦେଲେ ତିରିଶ କିଲୋ ହେବନି କି ନାହିଁ ସନ୍ଦେହ। ହାତରେ ଧରିଛି ଇଟା ଆକାରର ମୋବାଇଲ। ଆଖି ଗୁଡା ବିଷାକ୍ତ ସର୍ପ ପରି ଚାରିଆଡ ଘୁରି ବୁଲୁଛି। ଦାନ୍ତ ଗୁଡିକ ଗୁଟଖା ଖାଇ ରଚିଗଲା ପରି ଦିଶୁଛି। ସେ ପିଲା କୁ ଦେଖି କେମିତି ଏକ ଅଜଣା ଭୟରେ ଶିହିରି ଉଠିଲେ ସେ।

--- ଆଣ୍ଟି , ମିତା କୁଆଡେ ଗଲା କି?

--- ତୁମେ କିଏ ପୁଅ ମୁଁ ତ ତୁମକୁ ଜାଣିଲା ପରି ଲାଗୁନି।

--- ହାଃ ହାଃ ଆଣ୍ଟି ମୋତେ ଆପଣ କେମିତି ଜାଣିବେ। ମୁଁ ରକି, ମିତା ର ଫେସବୁକ ଫ୍ରେଣ୍ଡ। ଏଇ ତିନି ଦିନ ତଳେ ମିତା ସହ ବନ୍ଧୁତା ହେଲା। ସେ ଆଜି ମୋତେ ଡାକିଛି ତା ସହ ପାର୍କ ଯିବା ପାଇଁ।

ରାଧା ଙ୍କର ମୁଣ୍ଡ ଗୋଳମାଳ ହେଲା ପରି ଲାଗିଲା। ଏଡିକି ମେଞ୍ଚଡ ପିଲାର ଏତେ ସାହାସ....ତାଙ୍କ ଝିଅ କୁ ନେଇ ବୁଲି ଯିବ ବୋଲି ।

- ଚୁପ୍ ଚାପ୍ ଚାଲିଯା ଏ ଯାଗାରୁ। ମିତା କୁଆଡି ବି ଯିବନି। ତୋର ର ବହୁତ୍ ସାହାସ ମୁଁ ଦେଖୁଛି।

ହେଃ ବୁଢୀ କାଇଁ ପାଟି କରୁଛୁ। ତୋର ଏତେ ସାହାସ କେମିତି ହେଲା ମୋ ସାଙ୍ଗ ସହ ଅଭଦ୍ରାମୀ କରିବାକୁ। ଜାଣିଛୁ ତ ସେ କିଏ? ଏ ସହର ର ସବୁ ଠୁ ବଡ ଧନୀ ବିକାଶ ସାମନ୍ତରାୟଙ୍କର ପୁଅ ସେ। ଘର ବାହାରକୁ ଆସି ଦେଖ୍ ସେ କେଉଁ ଗାଡିରେ ଆସିଛି। ସେ ଗାଡିର ଦାମ୍ ଯାହା ଆମର ଘରଦ୍ବାର, ଜମିବାଡି ବିକ୍ରିକଲେ ବି ସେତିକି ହେବନି। ମୁଁ କୁଆଡେ ଯିବି କାହା ସହ ଯିବି ସେ କଥା ମୋତେ ବୁଝିବାକୁ ଦେ। ତୋର ଅନୁମତି ମୋର ଦରକାର ନାହିଁ.....ବଡ ରୁକ୍ଷ ଭାବରେ କହିଗଲା ମିତା।

ଜଣେ ବାହାର ଲୋକ ସାମନା ରେ ନିଜ ଝିଅ ପାଖରୁ ବୁଢୀ ଶବ୍ଦ ସହ ବାକି ସବୁ ଆକ୍ଷେପ ଶୁଣି ପଥରପ୍ରାୟ ହୋଇ ଯାଇଥିଲେ ରାଧା। ସେ ଟୋକା ଟା ଏପରି ପରିସ୍ଥିତି ଦେଖି ବଡ ତାଚ୍ଛଲ୍ଯ କଲା ପରି ହସି ହସି କହିଲା

---- ଓଲ୍ଡ ଲେଡି........ଏବେ ଜାଣିଲ ତ ....ମୁଁ କିଏ? ମୋତେ ଏମିତିି ଆଶ୍ଚର୍ଯ୍ଯ ହୋଇ ଦେଖୁଛ କଣ? ଏହା ମୋର ଲେଟେଷ୍ଟ୍ ଷ୍ଟାଇଲ୍। କାନର କୁଣ୍ଡଳ କୁ ଟିକେ ହଲେଇଦେଇ ଆଖି ନଚେଇ କହିଲା ସେ ଟୋକା ଟା।

ମିତା କବାଟ କୁ ଜୋରରେ ଗୋଇଠା ଟେ ମାରି ବାହାରି ଗଲା। ସେ ଗୋଇଠା ଟା କବାଟ ସହ ରାଧାଙ୍କ ଆତ୍ମାରେ ବି ବାଜିଲା। ସେ ଲଥ୍ କରି ତଳେ ବସି ପଡିଲେ।

--- ଆରେ ଏମିତି ବସିଛ କଣ? କଣ ହେଲା ତୁମର.... ମିତା କୁଆଡେ ଗଲା। କିଛି ତ କୁହ..... ମୋହନ ବଡ ବ୍ଯସ୍ତ ହୋଇ ପଚାରିଲେ ରାଧାଙ୍କୁ।

– ମିତା ମୋତେ ବୁଢୀ କହିଲା, ଗାଳି ଦେଲା....ଗୋଟେ ଅଚିହ୍ନା ବଜାରି ପିଲା ସହ କୁଆଡେ ବାହାରକୁ ଚାଲିଗଲା।

ମୋହନ ନିଜ କ୍ରୋଧ ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲେ। ମନେମନେ ଭାବିଲେ ଆଜି ଯାହା ହେଲେ ବି ମିତାକୁ ଭଲ କରି ପାନେ ଦେବାକୁ ହେବ। ସେ ନିଜକୁ କଣ ବୋଲି ଭାବୁଛି କି?

ସେଦିନ ଘରେ ଚୁଲି ଜଳିନି। ସ୍ବାମୀ ସ୍ତ୍ରୀ ଦିହେଁ ଅପେକ୍ଷା କରି ରହିଲେ ମିତାର ଆସିବା ବାଟକୁ। ସଂନ୍ଧ୍ଯା ହେଲା.... ରାତି ହେଲା... ତଥାପି ମିତା ର ଦେଖା ନାହିଁ।

ସ୍କୁଟର ଧରି ମୋହନ ଚାଲିଲେ ବିକାଶ ସାମନ୍ତରାୟ ବୋଲି ଲୋକର ଘରକୁ। କାରଣ ମିତା ର କହିବା ଅନୁସାରେ ସେ ପିଲା ବିକାଶ ସାମନ୍ତରାୟର ପୁଅ। କିନ୍ତୁ ମୋହନଙ୍କ ମୁଣ୍ଡରେ ବଜ୍ର ପଡିଗଲା...ଯେତେ ବେଳେ ସେ ଜାଣିଲେ ବିକାଶ ସାମନ୍ତରାୟ ର କେହି ପୁଅ ନାହାଁନ୍ତି। ତିନି ଝିଅ ଓ ପତ୍ନୀଙ୍କ ସହ ସେ ରୁହନ୍ତି ବିଦେଶରେ।

ତେବେ ସେ ପିଲା ମିତା କୁ..... ନାଁ ନାଁ ସେମିତି ହୋଇ ନ ପାରେ। ଆଇନ କାନୁନ୍ ବୋଲି କିଛି ଏ ଦେଶ ରେ। ଲୋକ କଣ ଏତେ ମାତ୍ରାରେ ବଦମାସୀ କରି ପାରିବେ। ସବୁ ଯାଗା ବୁଲିବୁଲି ମୋହନ ଖୋଜୁଥାଆନ୍ତି ପ୍ରାଣ ଠାରୁ ଅଧିକା ପ୍ରିୟ ମିତାକୁ। କିନ୍ତୁ କୁଆଡେ ଗଲା ସେ ? କେତେ ଆଉ ଖୋଜିବେ। ମନେ ମନେ ଭାବିଲେ ଘରକୁ ଯାଇ ରାଧାଙ୍କୁ ଧରି ପୋଲିସ୍ ପାଖରେ ଆସି ଗୁହାରି କରିବେ।

ଘର ସାମନା ରେ ସ୍କୁଟର ରଖି ପାଦ ଘୋଷାରି ଘର ଦରଜା ଖୋଲିଲେ। ରାଧା ତଳେ ଅଚେତ ହୋଇ ପଡିଛନ୍ତି। କଣ ହୋଇଛି ବୋଲି ଦଉଡି ଯାଇ ଦେଖିଲା ବେଳକୁ ତାଙ୍କ ପାଖରେ ଅତି ଅସଞ୍ଜତ ଅବସ୍ଥାରେ ପଡି ରହିଛି ମିତା। ଦେହ ସାରା ଆମ୍ପୁଡା ଓ କାମୁଡା ଦାଗ। ପିନ୍ଧିଥିବା ଡ୍ରେସ୍ ଠାଏଠାଏ ଚିରି ଯାଇଛି। ପାଟିରୁ ତାର ଭାସି ଆସୁଛି ମଦ ର ଗନ୍ଧ। ହାତରେ ଜାବୁଡି ଧରିଛି ତା ପ୍ରାଣପ୍ରିୟ ମୋବାଇଲଟି। ମୋବାଇଲର କାଚ ଭାଙ୍ଗିଯାଇଛି।

ମିତା ବଡ କଷ୍ଟରେ ବିଳିବିଳେଇ ହେଉଛି....

---ଦୟାକରି ମୋତେ ଛାଡି ଦିଅ …. ମୁଁ ତୁମର କଣ କ୍ଷତି କରିଛି। ମୋ ଜୀବନକୁ ଏମିତି ନଷ୍ଟ କରିଦିଅନି ପ୍ଲିଜ୍....ଦରକାର ନାହିଁ ମୋର ସ୍ବାଧୀନତା... ମୋତେ ନେଇ ଘରେ ଛାଡିଦିଅ। ତୁମେ ମୋତେ ମିଛ କହିଲ. ଶେଷରେ ଏ ପଶୁ ମାନଙ୍କ ପାଖରେ ମୋତେ ଛାଡିଦେଲ। ଛିଃ ଛିଃ ଧିକ୍ ତୁମ ପୁରୁଷତ୍ବକୁ।

ମିତାକୁ ଦେଇଥିବା ସ୍ବାଧୀନତାର ହାର ଯେ ତାକୁ ବିଷାକ୍ତ ସର୍ପ ଭାବରେ ଦଶଂନ କରିବ ଏହା ମୋହନଙ୍କ ଚିନ୍ତାଶକ୍ତି ବାହାରେ ଥିଲା। ଉଗ୍ର ଆଧୁନିକତା ର ନାଗଫାଶରେ ନିଜକୁ କବଳିତ କରି ସର୍ବସ୍ବ ଲୁଣ୍ଠନ କରାଇବାର ଅର୍ଥ ଯେ ସ୍ବାଧିନତା ନୁହେଁ, ଏହି କଥା ବୁଝାଇବା ପୂର୍ବରୁ ମିତା ର ଜୀବନ ଛାରଖାର ହୋଇ ସାରିଥିଲା।

ମମି ସ୍ବାଧୀନତା ଦୁନିଆ

Rate the content


Originality
Flow
Language
Cover design

Comments

Post

Some text some message..