ଅକ୍ଷିମୁଠି ଅନୁକୂଳ
ଅକ୍ଷିମୁଠି ଅନୁକୂଳ
ଆଜି ପବିତ୍ର ଅକ୍ଷି ତୃତୀୟା। ସନା ପ୍ରଧାନ ବ୍ୟସ୍ତ ହୋଇ ପୁଅ ବାବୁଲିକୁ ଡାକ ପକାଇଲା।।
"କିରେ,କେତେବେଳେ ଆଉ ବିଲକୁ ଯାଇ ଅଖି ମୁଠି ଅନୁକୂଳ କରିବୁ ? ଚଷା ପୁଅ ହୋଇ ଆଜି ଦିନରେ ଯଦି ବିଲକୁ ନଗଲୁ, ତେବେ ଧରିତ୍ରୀ ମା ଜମା କ୍ଷମା ଦେବନି।ଗଲା ଦୁଇ ସନ ହେଲାଣି କାହା ନଜର ଲାଗିଛି କେଜାଣି, ଗଜା ମରୁଡି ହେଉଛି ଆମ ବିଲରେ।ମୁଁ ଆଉ ଚାଲି ପାରୁନି ବୋଲି,ତୋତେ ସବୁ ଦାୟିତ୍ୱ ଦେଲି।ହେଲେ ତୁ ନିଜେ ଚାଷ ନକରି ......"
କଥା ସମ୍ପୂର୍ଣ୍ଣ କରିପାରିଲା ନାହିଁ ସନା।ଆଖି ଦୁଇଟା ସଜଳ ହୋଇଉଠିଲା।ବୟସ ଥିଲା ବେଳେ ବାବୁଲି ବୋଉ କେତେ ଯତ୍ନରେ ସଜାଡି ଦେଉଥିଲା ଅଖି ମୁଠି ଓ ପୂଜା ସାମଗ୍ରୀ ? ବଳଦ ଦୁଇଟାଙ୍କୁ ବି ଗାଧୋଇ,ସଜ କରି ଦେଉଥିଲା ଆଜି ଦିନରେ। ସ୍ତ୍ରୀ ଆଜିକୁ ପାଞ୍ଚ ବର୍ଷ ହେଲାଣି ସ୍ଵର୍ଗରେ। ବୋହୂକୁ ତ କିଛି କହି ହେବନି ।
ବିରକ୍ତ ହୋଇ ବାବୁଲି ଗୋଟେ ଟୋକେଇରେ ଅନୁକୂଳ ଜିନିଷକୁ ଘୋଡେଇ ବାହାରିଲା ବେଳେ ,ସନା ପୁଣି ପଚାରିଲା,"ଲଙ୍ଗଳ, ବଳଦ କାହାଠାରୁ ଯୋଗାଡ଼ କରିଛୁ ?
"ଓହୋ, ଆଜି ପରା କୃଷି ମନ୍ତ୍ରୀ ନିଜେ ଆମ ଅଂଚଳକୁ ଆସୁଛନ୍ତି ଅକ୍ଷିମୁଠି ଅନୁକୂଳ କରିବାକୁ।ଟ୍ରାକ୍ଟରରେ ହଳ କରିବେ ଓ ସମସ୍ତେ ମିଶି ଅକ୍ଷି ମୁଠି ବୁଣିବୁ।"
ଜିନ୍ସ ପ୍ୟାଣ୍ଟ ଉପରେ ଧୋତିଟେ ପିନ୍ଧୁଥିଲା ବାବୁଲି।ଘୁସୁରି ଘୁସୁରି ,ସନା ପହଁଚିଲା ପିଣ୍ଡା ଉପରେ ଥୁଆ ହୋଇଥିବା ସେଇ ଟୋକେଇ ଉପରେ।ସେ ଚାହୁଁଥିଲା ଦେଖିବାକୁ କେଉଁ କିସମର ଧାନ ପୁଅ ନେଉଛି ବୁଣିବାକୁ।ଟୋକେଇରେ ଥିବା ଅକ୍ଷିମୁଠି ଦେଖି ତା ଅକଲ ଗୁଡୁମ ହୋଇଗଲା।
"ଆରେ ଇୟେ କଣ ? ୟାକୁ ଆଜି ବୁଣିବୁ ?ତୋ ମୁଣ୍ଡ ଖରାପ ହୋଇଗଲାଣି କି ?ଧାନ ବଦଳରେ ତୁ........"
ଏକ ତାତ୍ସଲ୍ୟଭରା ହସ ହସି ବାବୁଲି କହିଲା, "ଖାଲି ମୁଁ ନୁହେଁ ,ଅନେକ ଆଜି ଏଇ ବିହନ ବୁଣିବେ।ଧାନ ଚାଷ କଲେ ସିନା ବିହନ ଆସିବ।ଯେବେଠୁଁ ସରକାର ଆମକୁ ମାଗଣାରେ ବି ପି ଏଲ ଚାଉଳ ଦେଲେଣି, ଚାଷ କରିବା ଦରକାର ପଡୁନି।ରାଲିରେ ଗଲେ ଟଙ୍କା ତିନିଶ ମିଳୁଛି ବୋଲି ମୂଲିଆ ମିଳୁ ନାହାନ୍ତି।ତେଣୁ କିଏ ପଙ୍କ, କାଦୁଅ ହୋଇ ଚାଷ କରିବ ?କାର୍ଡରେ ପରା ଆମ ଦୁହିଁଙ୍କ ନାଁ ରେ ପଚାଶ କିଲୋ ଚାଉଳ ମିଳୁଛି।ଆଜି ମନ୍ତ୍ରୀଙ୍କ ସହ ଟିଭି ଵାଲା ଆସିବେ ବୋଲି ଜଣକା ପାଞ୍ଚଶ ମିଳିବ, ଗଲା ବର୍ଷ ପରି। ଆମେ କଣ ବୁଣୁଛୁ କିଏ ଦେଖୁଛି ?କ୍ୟାମେରା ତ ମନ୍ତ୍ରୀଙ୍କ ଉପରେ।"
ଘର ଭିତରୁ ବୋହୁ ବାହାରି ଆସି କହିଲା, "ମୁଁ ପରା ସେଇଥି ପାଇଁ ନିଜେ ଅଖକ୍ଷିମୁଠି ସଜାଡି ଦେଇଛି। ହଁ ଶୁଣ ,ଜଲଦି ଆସିଲେ ଟିକେ ସୁନା ଦୋକାନ ଯିବା।ଆଜି ପରା ସୁନା କିଣିଲେ ଶୁଭ ।"
ସନା ପ୍ରଧାନ ଦେଖୁଥିଲା ଟୋକେଇ ଭିତରେ ଥିବା ଅକ୍ଷିମୁଠି,କାର୍ଡ ରେ ମିଳୁଥିବା "ବି ପି ଏଲ" ଚାଉଳକୁ।"
(ଅରବିନ୍ଦ ଦାସ)