Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Deepak Sarangi

Others

3  

Deepak Sarangi

Others

ବାଘ ମାତିଛି

ବାଘ ମାତିଛି

7 mins
488



ସୋମବାର ସକାଳର ଖବରକାଗଜଟାକୁ ଦେଖୁଦେଖୁ ଆଖିରେ ପଡିଲା ମୋର ବକ୍ସ୍ ଭିତରେ ହାଇ ଲାଇଟ୍ ହୋଇଥିବା ଖବର ଉପରେ । ଖବର ଥିଲା ଯେ ନନ୍ଦନକାନନର ୫ ନମ୍ବର ଖୁଆଡରୁ ଗୋଟିଏ ବେଙ୍ଗଲ୍ ଟାଇଗର୍ ଗତ ରାତିରେ ହୋଇଥିବା ବର୍ଷା ଆଉ ପବନରେ ଭାଙ୍ଗି ଯାଇଥିବା ଲୁହା ଜାଲିକୁ ଡେଇଁ କୁଆଡେ ପଳେଇଛି । ଖବରରେ ଆହୁରି ମଧ୍ୟ ଲେଖା ଅଛି ଯେ ଏ ବାଘଟି ହେଉଛି ସେଇ ବାଘ ଯିଏ କି ତିନି ବର୍ଷ ତଳେ ତା’କୁ ଖାଇବାକୁ ଦେବାକୁ ଯାଇଥିବା ଜଣେ ନନ୍ଦନକାନନର କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଲୋକଟିକୁ ଜୀବନରେ ମାରି ଖାଇ ଯାଇଥିଲା । ସେଥିପାଇଁ ସାରା ଭୂବନେଶ୍ଵର ସହରରେ ଲୋକ ମାନଙ୍କୁ ହାଇ ଆଲର୍ଟ ଜାରି କରା ହୋଇଛି । ଖବରଟା ପଢି ମନଟା ମୋର କିପରି ଗୋଟେ ଅନ୍ୟମନସ୍କ ହୋଇ ପଡିଲା । ଇତି ମଧ୍ୟରେ ମୋ ଧର୍ମ ପତ୍ନୀ ପାଖକୁ ଆସି ଚା କପଟା ହାତକୁ ବଢାଇ ଦେଉ ଦେଉ ପଚାରିଲେ “କଣ ହେଲାକି? ଏମିତି ଚିନ୍ତାରେ ବସିଛ”?ପତ୍ନୀଙ୍କ ଆବେଗର ଅନ୍ତ କରିବାକୁ ଯାଇ କହିଲି “ଭୁବନେଶ୍ୱରରେ ବାଘ ମାତିଛି ବୋଲି ସାବଧାନ ରହିବା ପାଇଁ ଫରେଷ୍ଟ ଡିପାର୍ଟମେଣ୍ଟ୍ ଖବରକାଗଜ ମାଧ୍ୟମରେ ସମସ୍ତ ସହରବାସୀଙ୍କୁ ଆଲର୍ଟ କରାଇଛନ୍ତି” । ପତ୍ନୀ ମୋର ଟିକେ ସ୍ମିତ ହାସ୍ୟ ଦେଇ କହିଲ “ଯେଉଁ ଦୁଇ ଗୋଡିଆ ପଶୁ ସାରା ରାଜ୍ୟ ଟାକୁ ହୁଲୁସ୍ତୁଲୁ କରାଉଛନ୍ତି ସେମାନଙ୍କ ପାଇଁ କାହାକୁ ଆଲର୍ଟ କରାଯାଉନି ମାତ୍ର ଏଇ ସାମାନ୍ୟ ପଶୁଟାକୁ ନେଇ ଏତେ ହୋ ହାଲ୍ଲା କ’ଣ ପାଇଁ?ତାଙ୍କର ଏ ପ୍ରକାର କ୍ଷୋଭର ପରୋକ୍ଷ ଇଶାରା ନିକଟରେ ହୋଇଥିବା ସାରଥି ବାବା କେଳେଙ୍କାରୀକୁ ସୂଚାଉ ଥିଲା । ବାବା ଓ ତାଙ୍କର ସହଯୋଗୀମାନେ ନିକଟ ଅତୀତରେ ଯେପରି ସାରା ରାଜ୍ୟଟାକୁ ଓଲଟପାଲଟ କରିଦେଲେ ଏବଂ ବାବାଙ୍କର ମଣିଷ ମାଂସ ଲୋଭୀ ଯୌନପିପାସା ଯେ ଭୟଙ୍କର ପଶୁଠାରୁ ବି ସାଂଘାତିକ ତାହା ରାଜ୍ୟବାସୀ ଠିକ୍ ବୁଝି ପାରିଥିଲେ । 


ଘଣ୍ଟାରେ ସମୟ ୯ଟା ବାଜୁଥିବାର ଦେଖିକି ମୁଁ ବାହାରି ପଡିଲି ମୋର କର୍ମମୟ ଜୀବନର ଆଉ ଗୋଟେ ନୂଆ ଦିନକୁ ସ୍ଵାଗତ କରିବା ପାଇଁ । ମୋବାଇଲ୍ ରେ ବାଲାନ୍ସ କମ ଥିବାରୁ ଯିବାବେଳେ ଅଟକି ଗଲି ଘରଠାରୁ ଟିକେ ଆଗରେ ଥିବା ଅଜୁ ଭାଇ ଦୋକାନ ଆଗରେ । ସେ ମୋବିଲ ରିଚାର୍ଜ କରୁକରୁ କହିଲା ଜାଣିଛ ଦୀପୁ ଭାଇ କାଲି ସାରା ଭୁବନେଶ୍ୱର ପରା ବନ୍ଦ ହେଉଛି!ମୁଁ କହିଲି କଣ ପାଇଁ ? ସେ କହିଲା “ତୁମେ କଣ ଆଜିର “ଦିନଚର୍ଜ୍ୟା” ଖବରକାଗଜ ପଢିନ କି ?ରାଜଧାନୀରେ ପରା ବାଘ ମାତିଛି ସେଥିପାଇଁ ବିରୋଧୀ ଦଳ ବାଲା ସରକାରଙ୍କ ଅପାରଗ ପଣିଆର ବିରୋଧ କରି ଦୋକାନ, ବଜାର,ସ୍କୁଲ ,କଲେଜ ସବୁ ବନ୍ଦ କରିବେ କାଲି” । ମୁଁ ଆବେଗଭରା କଣ୍ଠରେ ପଚାରିଲି “ଆଉ ତୁମ ଦୋକାନ କାଲି ବନ୍ଦ ହବ ନା ନାହିଁ”?ଆବେଗ ଭରା କଣ୍ଠ ରେ ସେ କହିଲା “ମାସରେ ଯଦି ଦଶଦିନ ଦୋକାନ ବନ୍ଦ କରିବୁ ଆମେ ଚଳିବୁ କେମିତି ତୁମେ ନିଜେ କହିଲ ଦୀପୁ ଭାଇ ?ଗୋଟିଏ ମାସରେ କେଉଁ ଦିନ ଓଡିଶା ବନ୍ଦ ତ କେଉଁ ଦିନ ଭାରତ ବନ୍ଦ,ପୁଣି କେଉଁ ଦିନ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଦାବି ରେ ସହର ବନ୍ଦ , ଏମିତି ଯଦି ଖାଲି ବନ୍ଦ କଲେ ସମସ୍ୟାର ସମାଧାନ ହୋଇ ଯାଉଥାଆନ୍ତା ତେବେ ଆଉ କିଛି ଅସୁବିଧା ରୁହନ୍ତା କି” ?ମୋ ପାଖରେ ତା’ର ଏଇ ପ୍ରଶ୍ନର ଉତ୍ତର ନ ଥିଲା । ମୁଁ ଟିକେ ହସି ଦେଇ ଚାଲିଲି ଅଫିସକୁ । ଅଫିସ ଯାଇଁ ଦେଖେ ତ ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଚର୍ଚା ବାଘ କୁଆଡେ ଗଲା? ମୁଁ ଦେଖେ ତ ସବୁ ଠାରୁ ଅଧିକ ଚିନ୍ତାଗ୍ରସ୍ତ ଦେଖା ଯାଉଥାଆନ୍ତି ମିଶ୍ରବାବୁ । କାରଣ ତାଙ୍କର ଘର ସେଇ ନନ୍ଦନକାନନ ଅଞ୍ଚଳ ଆଡେ ମୁଁ ତାଙ୍କର ଶୁଖିଯାଇଥିବା ମୁହଁକୁ ଦେଖି ପଚାରିଲି “ମିଶ୍ରବାବୁ ରାତିରେ ବାଘଟା ଗଲା କୁଆଡେ” ? ସେ ଟିକେ ଚମକି ପଡି କହିଲେ “ବାଘ ଯୁଆଡେ ଯାଉ ପଛେ ଆମ ଘର ଆଡକୁ ନ ଆସୁ” । ସେ ଟିକେ ଡରି ଯାଇ କି ପୁଣି କହିଲେ “ମୋର ନୂଆ ଘରଟା ୬ମାସ ହେଲା ତିଆରି କରେଇଛି । ଘର ଚାରି ପଟର ପାଚେରୀ ଗୁଡା ବି ବେଶି ଉଚା ନୁହେଁ; ତେଣୁ ରାତି ହେଲେ ଡର ଲାଗୁଛି ପରା କାଳେ ପାଚେରି ଡେଇଁ ବାଘଟା ଘର ଭିତରେ ପଶିଯିବ । ସେଥିପାଇଁ ମୁଁ ରାତିରେ ଠିକ୍ ସେ ଶୋଇ ମଧ୍ୟ ପାରୁନି” । ମିଶ୍ର ବାବୁଙ୍କର କଥା ଶୁଣି ମୋତେ ଟିକେ ହସ ମାଡିଲା । କିନ୍ତୁ ହସକୁ ମନରେ ଚାପି ମିଶ୍ରବାବୁଙ୍କୁ ଆଶ୍ଵାସନା ଦେଇ ମୁଁ ମୋ ନିଜ କ୍ୟାବିନ୍ ଆଡକୁ ଯାଇ କାମରେ ମନ ଦେଲି । ପରଦିନ ଭୁବନେଶ୍ଵର ବନ୍ଦ କଥା ଜାଣି ଆଗ ଦରକାରି କାମ ଗୁଡା ଆଗେ ସାରିଦେଲି । ଠିକ ଅଫିସ୍ ଛୁଟି ହେଲା ବେଳକୁ ଗୋଟେ ନୋଟିସ୍ ଆସିଲା ଯେ ଆସନ୍ତା କାଲି ଭୁବନେଶ୍ଵର ବନ୍ଦ ହେଲେ ସୁଦ୍ଧା ସମସ୍ତଙ୍କୁ ଅଫିସ୍ ଆସିବାକୁ ପଡିବ ଏବଂ ଯିଏ ନ ଆସିବ ତାର ଆଗାମୀ ପାଞ୍ଚ ଦିନର ଦରମା କାଟି ଦିଆଯିବ । ନୋଟିସଟା ପଢି ସମସ୍ତଙ୍କ ମନ ପାଣିଚିଆ ହୋଇଗଲା । ସମସ୍ତେ ନିଜନିଜ ଭିତରେ କୁହାକୁହି ହେଲେ ଯେ ଆମ ଅଫିସ୍ ର ବସ୍ ସରକାରୀ ଦଳର ସମର୍ଥକ ହୋଇଥିବାରୁ ସେ ବନ୍ଦକୁ ସମର୍ଥନ କରୁ ନାହାଁନ୍ତି ।


ସନ୍ଧ୍ୟା ୬ ଟାରେ ଘରକୁ ଫେରି ଟିକେ ଫ୍ରେଶ୍ ହୋଇ ୭ଟା ରେ ସମାଚାର ଦେଖିବା ପାଇଁ ଟିଭି ଖୋଲିଲା ବେଳକୁ ସବୁ ଚ୍ୟାନେଲରେ ସେଇ ଗୋଟିଏ ହିଁ ଖବର ରାଜଧାନୀ ରେ ବାଘ ମାତିଛି । ବାଘକୁ ନେଇ ଚର୍ଚ୍ଛା, ଆଲୋଚନା ,ସମାଲୋଚନା ସରକାରୀ ଦଳ ଓ ବିରୋଧୀ ଦଳ ମାନଙ୍କ ଭିତରେ ବାକ୍ ବିତଣ୍ଡା ସାମ୍ବାଦିକ ମାନଙ୍କର ନନ୍ଦନକାନନର ୫ ନମ୍ବର ଖୁଆଡରୁ ସିଧା ପ୍ରସାରଣ ଇତ୍ୟାଦି ଇତ୍ୟାଦି । ମୁଁ ବିରକ୍ତ ହୋଇ ଟିଭିଟାକୁ ବନ୍ଦ କରିଦେଲି । ଧର୍ମପତ୍ନୀ ପାଖକୁ ଆସି ଚା କପଟା ହାତକୁ ବଢାଇ ଦେଉ ଦେଉ ପଚାରିଲେ “କଣ ହେଲା କି ଏମିତି ହଠାତ ଟିଭିଟା ବନ୍ଦ କରି ଦେଲ ଯେ”? ବିରକ୍ତ ହୋଇ ଉତ୍ତର ଦେଲି “ଏ ଟିଭି ବାଲାଙ୍କର ଆଉ କଣ କିଛି ସଂବାଦ ନାହିଁ ଖାଲି ଦିନ ସାରା ସେଇ ଗୋଟେ ବାଘ ଖବର ଦିନ ସାରା ଦେଖାଉଛନ୍ତି” । ଧର୍ମପତ୍ନୀ ମୋର କହିଲେ “ଆରେ ଜାଣିନ କି ବାଘ ପାଇଁ ପରା କାଲି ଭୁବନେଶ୍ବର ବନ୍ଦ ହେଉଛି” । ମୁଁ କହିଲି “ହଁ ଜାଣିଛି କିନ୍ତୁ ଆମ ଅଫିସ ଖୋଲା ଆଉ ମୋତେ କାଲି ସକାଳ ୧୦ଟା ସୁଦ୍ଧା ଯାଇ ଅଫିସରେ ପହଞ୍ଚିବାକୁ ପଡିବ ନ ହେଲେ ବସ୍ ଙ୍କର କଡା ଚେତାବନୀ ଯେ ଯିଏ କାଲି ନ ଯିବ ତାର ୫ ଦିନର ଦରମା କାଟି ଦିଆଯିବ” । କଥାଟା ଶୁଣି ପତ୍ନୀ ମୋର ଟିକେ ଚମକି ପଡିଲେ ଓ କହିଲେ “କାଲି ତୁମେ କେମିତି ଯିବ ବାଟଘାଟ ସବୁଠି ଜଳାପୋଡା , ରାସ୍ତାରୋକ ଆଦି ହେଉଥିବ” ।  ମୁଁ କହିଲି ତୁମେ ଜମା ବ୍ୟସ୍ତ ହୁଅନି ମୁଁ କାଲି ଟିକେ ଜଲଦି ବାହାରିଯିବି ଅଫିସକୁ ବନ୍ଦ ଯାଇଁ ୧୦ ଟା ପରେ ହେବ ନା ଆଉ” ।  ଯେନତେନ ପ୍ରକାରେ ମୁଁ ସିନା ତାଙ୍କୁ ବୁଝେଇ ଦେଲି କିନ୍ତୁ ମୁଁ ରାତିରେ ଠିକ୍ ସେ ଶୋଇ ପାରିଲିନି କାରଣ ମୋ ଘର ଠାରୁ ଅଫିସ ପ୍ରାୟ ୫ କିଲୋମିଟର ଥିଲା ଆଉ ତା ପୁଣି ଯିବାକୁ ପଡିବ ବାଣୀ ବିହାର,ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାର ମେନରୋଡ୍ ଦେଇକି । ଏ ସବୁ କଥା ଚିନ୍ତା କରୁକରୁ କେତେବେଳେ ମୋ ଆଖି ଲାଗି ଯାଇଛି ମୁଁ ନିଜେ ମଧ୍ୟ ଜାଣିନି ।


ସକାଳ ୬ ଟାରୁ ପତ୍ନୀ ଡାକିବାରୁ ମୋ ନିଦ ଭାଙ୍ଗିଲା । ସେଦିନ ଆଉ ଜଗିଙ୍ଗ କରିବାକୁ ନ ଯାଇ ନିତ୍ୟକର୍ମ ସାରି ଜଲଦି ବହରିପଡିଲି ଅଫିସକୁ । ତଥାପି ବାହାରୁ ବାହାରୁ ୮ ଟା ବାଜି ଗଲାଣି ମଟର ସାଇକେଲ ଷ୍ଟାର୍ଟ କରି ଠାକୁରଙ୍କୁ ସ୍ମରଣ କରି ମୁଁ ବାହରି ପଡିଲି ଅଫିସ ଅଭିମୁଖେ କିନ୍ତୁ ମନରେ ଟିକେ ଡର ଥାଏ । ସେଦିନ ଗାଡିକୁ ମୁଁ ଟିକେ ଆବଶ୍ୟକ ଠାରୁ ଜୋରରେ ଚଳାଉଥାଏ । ଯେତେ ଶୀଘ୍ର ସମ୍ଭବ ଯାଇ ଅଫିସ ପହଞ୍ଚି ଗଲେ ହେଲା ତା’ପରେ ଯେତେ ଜଳାପୋଡା ରାସ୍ତାରୋକ ହଉଛି ହଉଥାଉ । ଏମିତି ଭାବିକି ଗାଡି ଚଲେଇ କି ଯାଉଥାଏ କି ହଠାତ୍ ବାଣୀବିହାର ଛକରେ ଜଣେ ଯୁବକ ମୋ ଗାଡିର ପଛକୁ ଟାଣିକି ଧରିଲା । ମୁଁ ଦେଖିଲି ହାତରେ ତା’ର ଗୋଟାଏ ଦଳୀୟ ପତାକା ,ପିନ୍ଧିଥାଏ ଗୋଟେ ଦଳୀୟ ଚିହ୍ନଥିବା ଗୋଟେ ଟି ସାର୍ଟ । ଆଉ ମୁଣ୍ଡରେ ବାନ୍ଧିଥାଏ ଦଳର ଚିହ୍ନଥିବା ଗୋଟେ ବ୍ୟାଜ୍ । ସେ ମୋ ଆଡକୁ ମାଡି ଆସି ମୋତେ ଧମକ ଦେଲାଭଳି କହିଲା “ଆବେ ଜାଣିନୁ ଆଜି ଭୁବନେଶ୍ବର ବନ୍ଦ ବୋଲି” ତା ମୁହଁରୁ ବାହାରୁଥିବା ଭଣଭଣ ଗନ୍ଧରୁ ମୁଁ ଠଉରେଇ ନେଲି ଯେ ସେ ସକାଳୁ ସକାଳୁ ପୁରା ୨ ବୋତଲ ଖଣ୍ଡେ ଢକଲମ ପକେଇ ଦେଇଛି । ସେ ମୋତେ ଧମକେଇଲା ବେଳକୁ ଅନ୍ୟ ପଟରୁ ଆଉ ଚାରି ପାଞ୍ଚ ଜଣ ମୋ ଆଡକୁ ମାଡି ଆସିଲେ ଓ ମୋତେ ଗାଡିରୁ ଟାଣି ନେଇ ପଛକୁ ଫେରି ଯିବାକୁ ଧମକ ଦେଲେ । ଆଉ ଦୁଇ ଜଣ ଲୋକ ମୋ ଗାଡିର ହେଡ୍ ଲାଇଟ ଭାଙ୍ଗିବାକୁ ଚେଷ୍ଟା କରିବାକୁ ଗଲାବେଳକୁ ସେପଟରୁ ଜଣେ ବୟସ୍କ ବ୍ୟକ୍ତି ଆସି ତାକୁ ଧରି ପକେଇଲେ । ତାଙ୍କୁ ଦେଖି ମୋର ମନେ ହେଲା ସେ ଯେପରି ପାର୍ଟିର ମୁଖିଆ ଭଳି ।  ସେ ମୋତେ ସେମାନଙ୍କ କବଳରୁ ମୁକୁଳେଇ ଆଣି କର୍ମୀମାନଙ୍କର ଅସଦଆଚରଣ ପାଇଁ ମୋତେ କ୍ଷମା ମାଗିଲେ ଓ ସେହି କର୍ମୀମାନଙ୍କୁ ଉପର ଠାଉରିଆ ତାଗିଦ କରିବାକୁ ଯାଇ କହିଲେ “ତୁମେମାନେ କଣ ଜାଣିନ ଆମର ଏ ବନ୍ଦ କେବଳ ଶାନ୍ତି ପାଇଁ , ରାଜଧାନୀବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ” । ସେ ଏତିକି କଥା କହିଲା ବେଳକୁ ରାସ୍ତାର ସେପଟୁ ଗୋଟେ କାର୍ ର କାଚ ଆଉ ବସ୍ ର କାଚ ଝଣଝଣ ହୋଇ ଭାଙ୍ଗି ସାରିଲାଣି । ଆଉ କିଛି ମାତାଲ କର୍ମୀ ଗୋଟେ ଟ୍ରକ ଉପରେ ଚଢି ତା’ଉପରେ ନିଆଁ ଲଗେଇବାକୁ ଉଦ୍ୟତ ହେଲେଣି । ରାସ୍ତା ସାରା ଟାୟାର ପୋଡା ହେଉଥାଏ । ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର କିଛି ମନ୍ତ୍ରୀ ମାନଙ୍କର କୁଶ ପୁତ୍ତଳିକାମାନ ଦାହ କରାଯାଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରା ହେଉଥାଏ  ଶାସକ ଦଳକୁ । ସେପଟେ ନିଉଜ୍ ଚ୍ୟାନେଲ୍ ମାନେ ନିଜ ନିଜ ଚ୍ୟାନେଲ୍ ର ଟିଆରପି ବଢେଇବା ପାଇଁ ସବୁ ଭଙ୍ଗାଭଙ୍ଗିର ଦୃଶ୍ୟକୁ ନିଜ କ୍ୟାମେରାରେ ରେକର୍ଡ କରିବାକୁ ଚେଷ୍ଟା ଚଲେଇଥାଆନ୍ତି । ଏ ସବୁକୁ ଦେଖି ମୁଁ ମନେମନେ ଭାବିଲି ପ୍ରକୃତରେ ଏଇଟା ହିଁ ଶାନ୍ତିପୂର୍ଣ ବନ୍ଦ ପାଳନ । ସେ ଯାହାହେଉ ଏସବୁ ଭିତରେ ମୁଁ ଅଫିସରେ ପହଞ୍ଚିଗଲି । ମୁଁ ପହଞ୍ଚିଲା ବେଳକୁ ଆଉ ଚାରିଜଣ କର୍ମଚାରୀ ଓ ଆମ ବସ୍ ଅଫିସକୁ ଆସି ସରିଥାଆନ୍ତି । ସେମାନଙ୍କ ଅବସ୍ଥା ବି ମୋରି ଭଳି ହୋଇଥାଏ । ଆଜି ବସ୍ ଉପସ୍ଥାନ ଖାତାଟିକୁ ନିଜ କ୍ୟାବିନ୍ ଭିତରେ ରଖିଥାଆନ୍ତି । ସେ ଦେଖିବାକୁ ଚାହୁଁଥିଲେ କେତେ ଜଣ କର୍ମଚାରୀ ଏ ବନ୍ଦ କୁ ସମର୍ଥନ କରି ଆଜି ଅଫିସ ଆସିବେ ନାହିଁ । ଦିନ ପ୍ରାୟ ୧୨ଟା ବାଜିଗଲା ଆଉ କେହି ଅଫିସ ଆସିଲେ ନାହିଁ । ମୁଁ ଓ ବସ୍ ଙ୍କୁ ମିଶାଇ ଆମେ ମୋଟ ୬ ଜଣ ଲୋକ ଅଫିସରେ ଥାଉ । ଦିନ ଗୋଟାଏ ବେଳକୁ କିଛି ଯୁବକ ହାତରେ ଦଳୀୟ ପତାକା ଧରି କି ଆସି ଆମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ।  ସେଥିପାଇଁ ଆମ ପିୟନ ରାଜୁଆ ଅଫିସକୁ ଭିତର ପଟୁ ବନ୍ଦ କରିଦେଇ ଥାଏ । କିଛି ଷ୍ଟାଫ ଆମର ବସ୍ ଙ୍କୁ ନ ଆସିପାରିବାର କାରଣମାନ ଫୋନ୍ ରେ ବସ ଙ୍କୁ ଜଣାଉଥାଆନ୍ତି । କିନ୍ତୁ ବସ୍ ଆମର କାହାର କିଛି କଥା ନ ଶୁଣି ୫ ଦିନର ଦରମା କାଟିବା ପାଇଁ ଅଟଳ ହୋଇ ରହିଥାଆନ୍ତି । 


ସେଦିନ ଚିରାଚରିତ ସନ୍ଧ୍ୟା ୬ ରେ ଘରକୁ ନ ଫେରି ମୁଁ ରାତି ୯ ଟାରେ ଘରକୁ ଫେରିଲି । ଫ୍ରେଶ୍ ହୋଇ କି ଟିଭି ଚଳେଇଲା ବେଳ କୁ ଆଜି ଦିନର ସମସ୍ତ ଦୃଶ୍ୟକୁ ନିଉଜ୍ ଚ୍ୟାନେଲ୍ ମାନେ ପ୍ରସାରଣ କରୁଥାଆନ୍ତି ।  କିନ୍ତୁ ସବୁଠାରୁ ଗୁରୁତ୍ଵପୂର୍ଣ ଖବର ଏଇଆ ଥିଲା ଯେ ଯେଉଁ ବାଘ ପାଇଁ ଏତେ ସବୁ କାଣ୍ଡ ଘଟି ଯାଇଥିଲା ସେ ବାଘଟି ଖୁଆଡରୁ ଖସି ଆସି ନନ୍ଦନକାନନର କିଛି ଦୂରରେ ଥିବା ଏକ ଆବର୍ଜନାପୂର୍ଣ ଗଭୀର କୂଅରେ ପଡି ମୃତ୍ୟୁ ବରଣ କରିଥିଲା । ବାଘ ଖସି ଯିବାର ୪୮ ଘଣ୍ଟା ପରେ ମଧ୍ୟ ସମ୍ପୃକ୍ତ କର୍ମଚାରୀ ମାନଙ୍କର ପାଖରେ ଏହାର କିଛି ଖବର ନ ଥିଲା ପାଖ ଗାଁ ର ବାସିନ୍ଦା ମାନେ କୂଅ ଭିତରୁ ଆସୁଥିବା ଶବ୍ଦକୁ ଶୁଣି ନିକଟସ୍ଥ ଥାନାରେ ଖବର ଦେଇଥିଲେ । ଖବର ମିଳିବା ପରେ ଜଙ୍ଗଲ କର୍ମଚାରୀ ଓ ପୋଲିସ ଆସି ବାଘ କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ଗଲାବେଳକୁ କୂଅ ଭିତରେ ଶ୍ଵାସରୁଦ୍ଧ ହୋଇ ବାଘଟି ର ମୃତ୍ୟୁ ହୋଇ ସାରିଥିଲା । ହାତରେ କିଛି ବିସ୍କୁଟ୍ ଓ ଚା ଧରି କି ଆସି ପତ୍ନୀ ମୋର ମୋ ପାଖରେ ବସି ଆଜି ଦିନର ବନ୍ଦ ର ଅନୁଭୂତି ମୋତେ ପଚାରି ଚାଲିଥିଲେ । 


ମାତ୍ର ମୁଁ ତାଙ୍କର କଥା ପ୍ରତି ଧ୍ୟାନ ନ ଦେଇ ବରଂ ଭାବି ଚାଲିଥିଲି ସ୍ଵାଧୀନତା ସମୟର ସେହି ଜାଲିଆନାୱାଲାବାଗର ଘଟଣାକୁ । ଯେପରି ନିରୀହ ଜନତାଙ୍କୁ ଇଂରେଜମାନେ ହଠାତ୍ ଗୁଳି ଚାଳନା କରିବା ଫଳରେ ଲୋକମାନେ ଉପାୟ ଶୂନ୍ୟ ହୋଇ ପ୍ରାଣ ବିକଳରେ ଏକ ଅନ୍ଧକୂପକୁ ଡେଇଁ ପ୍ରାଣ ତ୍ୟାଗ କରିଥିଲେ । ସେହିପରି ଏ ମହାବଳ ବାଘ ମଧ୍ୟ ଆଜିର ସମାଜର ନିଷ୍ଠୁର ମଣିଷ ମାନଙ୍କର ଅତ୍ୟାଚାରକୁ ସହି ନ ପାରି କୂଅକୁ ଡେଇଁ ନିଜର ପ୍ରାଣର ଜଳାଞ୍ଜଳି ଦେଇଛି  । ଘଣ୍ଟାରେ ବାଜି ସାରିଥିଲା ରାତି ୧୦ଟା । ଘରଣୀ ମୋର ଡାକ ଛାଡିଲେ ରାତ୍ରି ଭୋଜନ ପାଇଁ ଆଉ ସେ ସମୟରେ ନିଉଜ୍ ଚ୍ୟାନେଲ୍ ମାନଙ୍କରେ ଚାଲିଥିଲା ବାଘର ମୃତ୍ୟୁକୁ ନେଇ ଆଲୋଚନା,ପର୍ଯ୍ୟାଲୋଚନା ଓ ସମାଲୋଚନା ଆଉ କିଛି ବିରୋଧୀ ଦଳ ର ନେତାମାନେ କହି ଚାଲିଥିଲେ ରାଜ୍ୟରେ ବ୍ୟାଘ୍ରବଂଶ ର ହ୍ରାସ ଲାଗି ଏଇ ଅପାରଗ ସରକାର ହିଁ ଦାୟୀ । ତେଣୁ ଆଗାମୀ ସପ୍ତାହରେ ବ୍ୟାଘ୍ରବଂଶର ସୁରକ୍ଷା ଲାଗି ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ , ବିକ୍ଷୋଭ ଓ ପୁଣି ଏକ ଓଡିଶା ବନ୍ଦ ।




Rate this content
Log in