Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମଉଳା ଗୋଲାପ
ମଉଳା ଗୋଲାପ
★★★★★

© Chinmoyee Mohanty

Tragedy

5 Minutes   21.1K    15


Content Ranking

ଅନେକ ଦିନ ପରେ ବହି ଥାକରୁ ପୁରୁଣା ଡାଏରୀଟାକୁ ବାହାର କଲା ଅନନ୍ୟା।ଡାଏରୀର କାଗଜ ଗୁଡାକ ହଳଦିଆ ପଡିଗଲାଣି।ପୃଷ୍ଠା ଓଲଟେଇଲା।ତାରି ଭିତରେ ଖୁବ୍ ନିରାପଦରେ ଶୋଇ ରହିଥିଲା ମଉଳି ଯାଇଥିବା ଲାଲ୍ ଗୋଲାପଟା। ଅଭିମାନରେ,ନା ଅନୁଶୋଚନା ରେ! ଧୀରେ ଆଉଁସି ଦେଲା ସେଇ ମଉଳା ଫୁଲଟିକୁ।ସତେ ଯେମିତି ତା ଭିତରୁ ସେ ଅନୁଭବ କରୁଥିଲା ଆତୀତର କାହାର ଛୁଆଁ।ଅନୂଢା କିଶୋରୀଟିଏ ଭଳି ଲାଜେଇ ଯାଉଥିଲା ଅନନ୍ୟା। ଶିହରୀ ଉଠୁଥିଲା ଗୋଲାପର ମିଠା ମିଠା ବାସ୍ନାରେ।

            ସବୁ ତ ସେ ଗୋଟି ଗୋଟି କରି ସେଦିନ ଫେରେଇ ଦେଇଥିଲା ଅମ୍ଳାନଙ୍କୁ।ତାଙ୍କ ଲେଖା ଚିଠି ଯାହାକୁ ଛାତିରେ ଚାପି ଧରି ,ରାତି ରାତି ନ ଶୋଇ କେତେ ନା କେତେ ସ୍ୱପ୍ନ ଦେଖୁଥିଲା ...ତା ପାଇଁ ଅମ୍ଳାନ ଲେଖିଥିବା କବିତା,ଆଉ ତାକୁ ପାଖରେ ବସେଇ ଆଙ୍କିଥିବା ତାର ସୁନ୍ଦର ସୁନ୍ଦର ସ୍କେଚ୍ । ହେଲେ ସେଦିନ ସେ ଫେରେଇ ଦେଇ ପାରି ନଥିଲା ,ପ୍ରଥମ ଦେଖାରେ ଅମ୍ଳାନ ତାକୁ ଦେଇଥିବା ଲାଲ୍ ଗୋଲାପ ଫୁଲଟିକୁ।ତାହାଲେ ସତରେ କ'ଣ ଅମ୍ଳାନଙ୍କୁ ତା ମନ ଭିତରୁ ସେ ଦୂରେଇ ପାରିନଥିଲା??ଆଉ ଆଜି ବି ଅନେକ ଦିନରୁ ହଜେଇ ଦେଇଥିବା ଅତୀତ କାହିଁକି ତାକୁ ଆନମନା କରୁଛି?

ମଉଳା ଗୋଲାପ ଭିତରେ ବି ସେ ଅନୁଭବ କରିପାରୁଛି ଅତୀତର ବାସ୍ନା !! ମନତଳେ ଚେଇଁ ଉଠୁଛି ଅତୀତ....

         କଲେଜ୍ ଫଙ୍କସନରେ ଗୀତଗାଇ ଷ୍ଟେଜରୁ ଓହ୍ଲଉ ଓହ୍ଲଉ ଅଜାଡି ହେଇ ପଡିଥିଲା ତା ଉପରେ କେତେ ଫୁଲତୋଡା ,କେତେ ଉପହାର।ଅମ୍ଳାନଙ୍କ ଲାଲ ଗୋଲାପଟି ତାକୁ ସେଦିନ କେମିତି ଅଲଗା ଗୋଟେ ଅନୁଭବ ଆଣିଦେଇଥିଲା।ଅତି ଯତ୍ନରେ ସେଇଟିକୁ ସେ ସାଇତି ଦେଇଥିଲା ତା ଡାଏରୀ ଭିତରେ।ସେଇଟା ବୋଧେ ଥିଲା ସବୁଠୁ ନିରାପଦ ସ୍ଥାନ। ତାପରେ ଧିରେ ଧିରେ ଅମ୍ଳାନ ତାକୁ କେମିତି ଭାରି ଭଲ ଲାଗିଲେ। ତାଙ୍କର ବ୍ୟକ୍ତିତ୍ୱ,ସବୁଥିରେ ତାଙ୍କର କଳାତ୍ମକ ରୁଚିବୋଧ... ତାର ଭାବନାର କେନ୍ଦ୍ରବିନ୍ଦୁ ଥିଲେ ଅମ୍ଳାନ। କେତେବେଳେ ମହାନଦୀ ପଠାରେ ଭୂଇଁ ବରକୋଳି ତୋଳୁ ତୋଳୁ ହାତରେ କଂଟା ଫୁଟିଗଲେ, ଛାତିକୁ ଆଉଜେଇ ନେଇ, ଅମ୍ଳାନ ତା ହାତରୁ ରକ୍ତ ପୋଛିଦିଅନ୍ତି ତ ,ଆଉ କେତେବେଳେ ନନ୍ଦୀକେଶ୍ୱରୀ ପଠାରେ ବସି ତାକୁ ଶୁଣାନ୍ତି ନନ୍ଦିକାର ପ୍ରେମ କାହାଣୀ।

                   

  କେତେବଳେ କଲେଜ ପିକନିକରେ ପାଟିଆଲାର ରକ୍ ଗାର୍ଡନରେ ଘୁରି ଘୁରି ସେମାନେ ଶୁଣୁଥିଲେ ପଥରର ସଂଗୀତ।ଆଉ କେବେ କେବେ କୋଣାର୍କର ରମ୍ୟକଳାର ରୂପ ଲାବଣ୍ୟ ରେ ମୁଗ୍ଧ ବିଭୋର ହେଇ ସ୍ୱପ୍ନ ର ତାସ ଘର ତୋଳୁଥିଲେ।ସେମାନେ ଜାଣିନଥିଲେ,ଏ ସ୍ୱପ୍ନର ତାସ୍ ଘର ଦିନେ ଭାଙ୍ଗିଯିବ ବୋଲି !!

          ହଠାତ୍ କ'ଣ ହେଲା କେଜାଣି, ମୁକ୍ତ ଆକାଶର ପକ୍ଷୀ ଭଳି ଉଡିବୁଲୁଥିବା ଅନନ୍ୟାର ଡେଣା ଦିଇଟା କାଟି ଦିଆଗଲା।ଆଉ ଜୋର୍ ଜବରଦସ୍ତ ତାକୁ ଗୋଟେ ସୁନା ପଞ୍ଜୁରୀ ଭିତରେ ବନ୍ଦ କରିଦିଆଗଲା।ସେ ପଞ୍ଜୁରୀ ର ନାଁ 'ବିବାହ'। ତା ଭିତରେ ତା ପାଇଁ ରୂପା ଗିନାରେ ଦୁଧ ଭାତ ଖଞ୍ଜି ଦିଆଗଲା। ହେଲେ ତା ଭିତରେ ସେ ଖୋଜି ପାଉନଥିଲା ଖୋଲା ଆକାଶଟିଏ। ଶୁଣିପାରୁନଥିଲା ଝରଣାର କୁଳୁକୁଳୁ ଗୀତ। ବର୍ଷାରେ ଗୋଟାପଣ ଭିଜିଯାଇ ସାଉଁଟି ପାରୁନଥିଲା ନାଲି ଗୁଲୁ ଗୁଲୁ ସାଧବ ବୋହୁ ମାନଙ୍କୁ।ଦରିଆ କୂଳରେ ଛିଡା ହେଇ ବି ତା'ର ଶୋଷ ମେଣ୍ଟୁ ନଥିଲା।

          ଆଜି ବାହାରେ ବର୍ଷା ନାଚୁଛି।ଅନେକ ଦିନରୁ ଶୁଖିଲା ଥିବା ମାଟିଟା ବତୁରି ଯାଉଛି।ଶୋଷି ନେଉଛି ସବୁତକ ପାଣି।ମନଭରି ମେଣ୍ଟେଇ ଦବ ତାର ଅୟୁତ ପିପାସା।ଅନନ୍ୟାକୁ ଅନେକ ଶୋଷ ହଉଛି।ତା ତଣ୍ଟି ଯେମିତି ଅଠା ଅଠା ହେଇଯାଉଛି।ଆରେ ତା ଗିନାରେ ତ ତା ପାଇଁ ପାଣି ଭର୍ତ୍ତି ହେଇ ରହିଛି।ନା ଏ ପାଣି ଗୁଡାକରେ ସୁଆଦ ନାହିଁ।ମାଟି ବାସ୍ନାରେ ଛିଟିକି ଆସୁଥିବା ପାଣିକୁ ଆଞ୍ଜୁଳା ଆଞ୍ଜୁଳା ପିଇ ଯିବାକୁ ଭାରି ଇଚ୍ଛା ହଉଛି!! 

       ମାଟିର ଏ ବାସ୍ନା କାହିଁକି?ମିଳନରେ କ'ଣ ଦେହ ମନ ସବୁ ବାସ୍ନାୟିତ ହେଇଯାଏ?କାଇଁ, ସେମିତି ଅନୁଭବ ତ ତା'ର କେବେ ବି ହେଇନି। ମନର ନିବୁଜ ପଞ୍ଜୁରୀ ଭିତରକୁ ନିଃଶବ୍ଦରେ ପଶି ଆସୁଛି ଅତୀତ। ମଉଳା ଗୋଲା ଟି ଏଇ ବର୍ଷା ଭିଜା ସଂଜରେ ତାକୁ ବେଶ ଆପଣାର ଲାଗୁଛି।ବୁଝିପାରୁ ନ ଥିଲା କାହିଁକି?ଅତୀତ ତ କେବେଠୁ ସ୍ମୃତିର ମୁଠାଏ ପାଉଁଶ ହେଇଗଲାଣି। ତଥାପି ସେ ସାଇତି ରଖିଛି ସେଇ ମଉଳା ଗୋଲାପଟିକୁ।ଯିଏ ହଜେଇ ଦେଇଛି ତା'ର ରଂଗ..ସମାଧୀ ଦେଇ ଦେଇଛି ତା'ର ବାସ୍ନା।

          ଅନନ୍ୟା କିନ୍ତୁ ତା'ରି ଭିତରେ ଖୁବ୍ ନିବିଡ ଭାବରେ ହଜିଯାଉଥିଲା।ବାସ୍ନାୟିତ ଗୋଲାପର ମଧୁ ପିଆଲା ଚୁମି ଯାଉଥଲା ତା ଦୁଇ ଓଠକୁ।ଆଃ କି ତୃପ୍ତି !! ବାହାରେ ବର୍ଷା ନାଚୁଥିଲା ମାଟିର ଛାତିରେ।

    ବର୍ଷା ଆଉ ମାଟିର ଏ ଏକାତ୍ମ ଭାବ ,ମନେ ହେଉଥିଲା ସତେ ଯେମିତି ସେମାନେ

ମୈଥୁନ-ମନସ୍କ।ଆଉ ଅନନ୍ୟା ମାପି ଚାଲିଥିଲା ଅତୀତରେ ଛାଡ଼ି ଆସିଥିବା ଅମ୍ଳାନଙ୍କର ବିଶ୍ୱାସ ବନ୍ଧନର ଦୈର୍ଘପ୍ରସ୍ଥକୁ।ଦଲକାଏ ପବନରେ ଓଲଟି ଯାଉଥିଲା ନିଷ୍ଠୁର ଇତିହାସର ପୃଷ୍ଠା ସବୁ।ତା'ର ଯେତେ ସବୁ ଆଦର୍ଶ ସବୁ ନୀତି ସବୁ ମୂଲ୍ୟବୋଧ, କେମିତି ସେ ଉଜାଡି ଦେଇ ପାରିଲା ଅନ୍ୟର ଖିଆଲକୁ ସମ୍ମାନ ଜଣେଇ।ଖୋଲା ଝରକା ଦେଇ ଛିଟିକି ଆସୁଥିବା ବର୍ଷାରେ ମିଶି ଯାଉଥିଲା ଧରା ଦେଉ ନ ଥିବା ଅତୀତର ଅଭୁଲା ଲଗ୍ନ ସବୁ।

       ବାହାରେ ବର୍ଷା ।ପବନରେ କାକରର ଶୀତଳତା।ହେଲେ ଅନନ୍ୟା ମନ ଭିତରେ ଅନୁତାପର ଜଳନ୍ତା ତାତି।ସବୁ ନିଷ୍ଠୁରତାକୁ ସୁନାପିଲା ପରି କାହିଁକି ସେ ଆଦରିନେଲା !!ଅମ୍ଳାନ ବି ସବୁ କିଛି ମାନି ନେଇ ଥିଲେ ଚୁପଚାପ୍।ସେ ତ ସବୁଦିନ ସେମିତି।କୋଉ କଥାରେ ପ୍ରତିବାଦ କରିନାହାନ୍ତି କେବେ।ଏଇଟା ତାଙ୍କର ପୁରୁଷତ୍ୱର ଅହଂକାର ନା ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଲାଭ କରିବାର ସାଧନା, ଵୁଝିପାରେନି ଅନନ୍ୟା।

        ମନେପଡି ଯାଉଛି, ଏମିତି ବର୍ଷାରେ ଭିଜିବା ପାଇଁ ଦିନେ ସେମାନେ ପାଗଳ ହେଇ ଉଠୁଥିଲେ।ଭାବୁଥିଲେ,ଏମିତି ବର୍ଷା ଝରୁଥାଆନ୍ତା ଅବିଶ୍ରାନ୍ତ,ଆଉ ଗୋଟେ ଫାଙ୍କା ଆଶ୍ରୟ ବିହୀନ ରାସ୍ତାରେ ସେମାନେ ଚାଲୁଥାଆନ୍ତେ।ଅସରନ୍ତି ରାସ୍ତା,ସରନ୍ତାନି ଜମା...ଆକାଶରୁ ଗଦା ହେଇ ପଡୁଥିବା ସରଗ ଫଳକୁ ଆଂଜୁଳା ଆଂଜୁଳା ଗୋଟେଇ ନେଇ ଦୁଷ୍ଟାମୀ କରି ଅମ୍ଳାନଙ୍କ ଓଦା ସାର୍ଟ ଭିତରେ ଭର୍ତ୍ତି କରି ଖିଲି ଖିଲି ହସି ଉଠେ ସେ। ଅମ୍ଳାନଙ୍କୁ କୁଆଡେ ତା'ର ଏଇ ଦୁଷ୍ଟାମୀ ଗୁଡା ଭାରି ମିଠା ମିଠା ଲାଗେ।।

     ସେଦିନର ସେଇ ଇପ୍ସିତ ମୁହୂର୍ତ୍ତକୁ ଫେରିବାକୁ ଇଚ୍ଛା କରି ଲହୁ ଲୁହାଣ ହେଇଯାଏ ମନ।ଆଜି କାହିଁକି ଅଚାନକ ଭାବେ ଏଇ ଅତୀତ ବିନା ନିମନ୍ତ୍ରଣରେ ବିନା ଅନୁମତିରେ ତା ମନର ନିବୁଜ

କକ୍ଷକୁ ପଶି ଆସୁଛି ,ବୁଝିପାରୁନଥିଲା ଅନନ୍ୟା। ତା ଅତୀତର ସବୁ ଦସ୍ତାବିଜକୁ ତ ସେ ନିଜ ହାତରେ ଭସେଇ ଦେଇଛି ସମୟ ନଦୀର ଅଫେରା ସୁଅରେ।ଆଉ ସେଇ ଦିନଠୁ ତା ଖାଲି ପଡିଥିବା ମନ ସିନ୍ଦୁକରେ ସେ ଜୋର କରି ତାଲା ପକେଇ ଦେଇଛି।

     ଆହ୍ୱାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଛି। ତାଙ୍କ ମନ ସାଙ୍ଗରେ ତା'ର ସଂପର୍କ କ'ଣ!! ତା'ଦେହଟାକୁ ନେଇ ସେ ଖେଳନ୍ତି।ଖୁସି ହୁଅନ୍ତି।ବାସ୍।ତା ମନ ସହିତ ସେ କେବେ ରମଣ କରି ନାହାନ୍ତି।ତା ମନ କେବଳ ଅମ୍ଳାନଙ୍କର।ତାକୁ ଛୁଇଁବାର ଅଧିକାର ଆଉ କାହାରି ବି ନାହିଁ।ଅନନ୍ୟା ଅନୁଭବ କରିଛି, ପଞ୍ଜୁରୀ ଭିତରେ ବନ୍ଦ ହେଇ ରହିଥିବା,ଆଉ ଉଡିପାରୁ ନ ଥିବା ପକ୍ଷୀଟିଏ ସେ।ଅନ୍ୟକୁ ଖୁସି କରିବାକୁ ତାକୁ ଶିଖାଯାଇଥିବା ରାମ ନାମ ସେ ଭଜେ।କୃଷ୍ଣ ନାମ ଭଜେ।ଏ ସବୁ ତାକୁ କେମତି ସୁରହରା ଲାଗେ।ଖୋଲା ଆକାଶରେ ତା ସାଥି ଚଢେଇ ମାନଙ୍କ ସାଙ୍ଗେ ସୁର ମିଳେଇ ଗୀତ ଗାଇବାକୁ ତ'ର ଭାରି ଇଚ୍ଛା ହୁଏ। ହେଲେ....

         

     ହେଲେ ତା'ର ଡେଣା ଦି'ଟା କାଟି ଦିଆହେଇ ଉଡିବାର ବାଟଟା ତ ସବୁଦିନପାଇଁ ବନ୍ଦ କରି ଦିଆଯାଇଛି।ସେଇ ପଞ୍ଜୁରୀ ହିଁ ତା'ର ପୃଥିବୀ।ଫୁଲି ଫୁଲି ମହ୍ଲାର ତାଳରେ ନାଚି ଉଠୁଥିବା ଉତ୍ତାଳ ମନଟା ତା'ର ହଠାତ୍ କେମିତି ଉଦାସ ଗମ୍ଭୀର ହେଇଯାଉଥିଲା।ଅତୀତର ସବୁ ନିବିଡ ମୁହୁର୍ତ୍ତ ଗୁଡାକ ତ କେବେଠୁ ସେ ଉଜେଇଁ ଦେଇ ଆସିଛି।ଅନ୍ୟର ଖିଆଲରେ ସେ କେବଳ ବଂଚିଛି।ବଂଚିବା

ଶିଖିଯାଇଛି !!

      ମନ କଥା ତା'ର କ'ଣ ବୁଝିଲା କେଜାଣି... ବର୍ଷା ଟା ବି ଥମି ଗଲା।ଝର୍କା ବାଟେ ଛିଟିକି ପଡୁଥିବା ବର୍ଷା ଛିଟାରେ ମିଶିଯାଉଥିଲା ଅନନ୍ୟା ଆଖିରୁ ନିଗିଡି ଆସୁଥିବା ମନର କୋହ ସବୁ।

       ଘର ଭିତର ବାହାର ଚାରିଆଡେ କଳାଘୁମର ଅନ୍ଧାର।ତା' ଭିତରେ ବି ଭୟଙ୍କର ଅନ୍ଧକାର।ପ୍ରବଳ ବର୍ଷାରେ ବିଜୁଳି ବିଭାଗର ପାୱାର କଟ୍। ଧୀରେ ଧୀରେ ଉଠିଲା ଅନନ୍ୟା। ଦୁଃଖ,ଅନୁଶୋଚନାର ଭାରରେ ସେ ଯେମିତି ଅଳସୀ ଗର୍ଭବତୀ ।ଇମରଜେନ୍ସି ଲାଇଟଟାକୁ ଅନ୍ କଲା।ତା' ମନ ତଳର ଅନ୍ଧାର କିନ୍ତୁ ସେମିତି କଳା କିଟିକିଟି। ବାହାରେ କିଏ ଡାକିଲା ଭଳି ଲାଗିଲା।କବାଟଟା ଖୋଲୁ ଖୋଲୁ ତା' ପାଟିରୁ ଅନ୍ୟମନସ୍କ ଭାବରେ ବାହାରି ପଡିଲା...''ହେଇ,ଅମ୍ଳାନ୍ ବର୍ଷାରେ ଗୋଟାପଣ

ଭିଜିଯାଇଛ ! ଆସ.. ମୋ ଶାଢୀ କାନିରେ ତମକୁ ଭଲ କି ପୋଛି ଦିଏ।ଦେହ ଖରାପ ହବ ଯେ।'ଚିଡି ଉଠିଲେ ଆହ୍ୱନ।'ଅମ୍ଳାନ କିଏ ଅନନ୍ୟା ! ଏ ବର୍ଷା ପାଗରେ ତମ ମୁଣ୍ଡ ଖରାପ ହେଇ ଗଲାଣି ବୋଧେ।କାହାକୁ କ'ଣ କହୁଛ! ବଡ ବିରକ୍ତିକର ଏ ବର୍ଷା।ଆଜି କିଛି କାମ ହେଇପାରିଲାନି"।ଦୁମ୍ ଦୁମ୍ ହେଇ ଘର ଭିତର କୁ ପଶି ଆସିଲେ ଆହ୍ୱନ।ବର୍ଷା ଟା ତାଙ୍କୁ ଜମା ଭଲ ଲାଗେନି। ଭୟରେ ଅନନ୍ୟାର ଥରିଲା ହାତରୁ ତଳେ ଖସିପଡିଥିଲା ମଉଳା ଗୋଲାପଟି,ଆଉ ଆହ୍ୱାନଙ୍କ ବର୍ଷା ଭିଜା ପାଣି ସରସର ଜୋତା ତଳେ ଦଳି ଚକଟି ହେଇଯାଇଥିଲା ଅତି ଅସହାୟ ଭାବରେ।

        ଚଟାଣ ଉପରେ ଆଣ୍ଠେଇ ପଡି ଅନନ୍ୟା ଆଉଁସି ଚାଲିଥିଲା ତା'ର ଅତୀତକୁ, ଆକ୍ତା ମାକ୍ତା ହେଇ ପଡିଥିବା ଅମ୍ଳାନଙ୍କ ଶେଷ ସନ୍ତକ ମଉଳା ଗୋଲାପଟିକୁ।।

ଅତୀତ ଗୋଲାପ ଅଭିମାନ

Rate the content


Originality
Flow
Language
Cover design

Comments

Post

Some text some message..