Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଫେରା ସାବିତ୍ରୀ , ଅସହାୟ ସତ୍ୟବାନ
ଅଫେରା ସାବିତ୍ରୀ , ଅସହାୟ ସତ୍ୟବାନ
★★★★★

© sushama Parija

Tragedy

10 Minutes   14.2K    17


Content Ranking

ସାବିତ୍ରୀ ଅମାବାସ୍ୟା ଏଇ କିଛି ଦିନ ତଳେ ଯାଇଛି। କେଜାଣି କାହିଁକି ମୋ ବାପ ଘରେ କି ଶାଶୁଘରେ କେହି ଏ ଓଷାଟି କରନ୍ତି ନାହିଁ। ନୂଆ ନୂଆ ବାହାହୋଇ ଆସିଲା ବେଳେ ଥରେ ବଡ ଯାଆଙ୍କୁ ଜିଦ୍ ଧରିବାର ଶୁଣିଥିଲି ସାବିତ୍ରୀ ବ୍ରତ କରିବା ଲାଗି ହେଲେ ଶାଶୁଙ୍କ ବାରଣ ଆଉ ଦେଢଶୁରଙ୍କ ଟାପରା କଥା ''ଆଗୋ ସାବିତ୍ରୀ ! ମୁଁ ତମ ସତ୍ୟବାନ କହୁଛି ଏ ଓଷା କରିବା ଆମର ଦରକାର ନାହିଁ ''ଶୁଣି ସେ ଓଷା କରିବାରୁ ନିବୃତ୍ତ ହୋଇଥିଲେ ଆଉ ଆମେ ସାନ ମାନେ ମୁହଁରେ ଲୁଗା କାନି ଚାପି ହସକୁ ଲୁଚାଇ ରୋଷେଇ ଘର ଭିତରକୁ ପଶି ଯାଇଥିଲୁ । ତା’ପର ଠାରୁ ଆଉ ଆମ ଘରେ କେହି ସେ ସାବିତ୍ରୀ ଓଷା କରିବା କଥା ଉଠାନ୍ତି ନାହିଁ। ମୋ ବାପ ଘରେ ବି ମୁଁ ମୋ ବୋଉ ,ବଡବୋଉ କି ଖୁଡୀ ,କାହାରିକୁ ସାବିତ୍ରୀ ବ୍ରତ କରିବାର ଦେଖ ନାହିଁ ମୋ ହେତୁ ପାଇବା ଦିନଠାରୁ । ସେ ଥରକ ବଡବୋଉଙ୍କର ନୂଆ ବୋହୂଟି ବ୍ରତ କରିବା ଲାଗି ମନ ବଳାଇଲେ ,ତାଙ୍କୁ ଦେଖି ମୋ ନୂଆ ଭାଉଜଟି ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିବା ଲାଗି ଜିଦ୍ ଧରିଲା। ଅଗତ୍ୟା ମୋ ବୋଉ ତା'କୁ ଏଥି ନିମନ୍ତେ ଅନୁମତି ଦେବାକୁ ବାଧ୍ୟ ହେଲା । କିନ୍ତୁ ବିଧିର ବିଡମ୍ବନାକୁ ଦେଖ ,ସେ ବାରବର୍ଷ ମାତ୍ର ଓଷା କରି ପାରିଲା । ତେର ତମ ବର୍ଷର ଓଷା ସରଞ୍ଜାମ ସେମିତି ସଜାଡି ରଖି ସେ ଚାଲି ଗଲା ଅଫେରା ବାଟରେ । ତା' କିଣି ଥିବା ଶାଢୀ, ସିନ୍ଦୂର, ଅଳତା ତା'ର ଯୁଇରେ ପକାଇଲା ବେଳକୁ ମୋ ଭାଇ ଅସମ୍ଭାଳ କୋହ ରେ ଫାଟି ପଡିଥିଲା । ଜ୍ଞାତି କୁଟୁମ୍ବ ମାନେ ଖାନନଗର ଶ୍ମଶାନରୁ ତାକୁ ଘରକୁ ଆଣିଲା ବେଳକୁ ନାକେଦମ୍ ହୋଇଥିଲେ। ଘରକୁ ଫେରିବା ପରେ ମଧ୍ୟ ସେ ସେଇ କଥା କହି କହି ଝୁରି ହେଉଥିଲା । ତା'ର ଦୁଇଟି ଛୋଟଛୋଟ ପୁଅ ଝିଅଙ୍କୁ ସମ୍ଭାଳି ଘରେ ବସିଥିବା ଆମ ସମସ୍ତଙ୍କର ମୁହଁରେ ଭାଷା ନଥିଲା ତା'କୁ ସାନ୍ତ୍ଵନା ଦେବା ଲାଗି ।

ଭାଉଜଟି ମୋର ଥିଲା ଗୋଟିଏ ଚାଉଳରେ ଗଢ଼ା ଦେବୀଟିଏ ଭଳି । ତା'ର ରଚିତା ନାମଟିକୁ ସାର୍ଥକ କରିଥିଲା ସିଏ। କଟକରେ ମୋ ଭାଇ ପଢୁଥିବା ସ୍କୁଲର ମାଷ୍ଟ୍ରଙ୍କର ଝିଅ ଥଲା ରଚିତା । ସାତ ଭାଇ ଭଉଣୀଙ୍କ ମଧ୍ୟରେ ଦ୍ଵିତୀୟ ସନ୍ତାନ । ଯୌଥ ପରିବାରରେ ଲୋକ ଗହଳିରେ ବଢିଥିବାରୁ ତା'ର ଅତ୍ୟନ୍ତ ସରଳ ଅମାୟିକ ବ୍ୟବହାରରେ ସମସ୍ତଙ୍କର ପ୍ରିୟପାତ୍ର ଥିଲା ସିଏ। ପାଠ ପଢାରେ ଦୁର୍ବଳ ଥିବାରୁ ସ୍କୁଲରେ ଅଧାରୁ ପାଠ ଛାଡି ଘରେ ବସି ଭାଉଜମାନଙ୍କ ସହିତ ମିଶି ଘର କାମ କରିବାରେ ନିପୁଣ ହୋଇଥିଲା । ସେପଟେ ମୋ ବାପାଙ୍କ ପରେ ଆମେ ମଝିଆଣୀ ଭଉଣୀଟିକୁ ବାହାଘର କରି ଦେଇଥାଉ , ସାନ ଭଉଣୀଟିକୁ ଧରି ଏକ ରହୁଥିଲା ବୋଉ ଆମ ଗାଁରେ । ଚାଷ ବନ୍ଦୀ ଘର, ହଜାରେ କାମ । ବୋଉ ଚାହୁଁଥିଲା ବଡ ପୁଅଟିକୁ ବାହାଘର କରି ବୋହୂଟିଏ ଆଣିଲେ ତା' କୁ ଘର କାମରେ ସାହାଯ୍ୟ କରନ୍ତା । ସେ ତା'ର ସମସ୍ତ ସମ୍ଭାବ୍ୟ ଯୋଗାଯୋଗ ଲଗାଇ ଦେଇଥିଲା ବାହାଘର ଖୋଜିବାରେ । ମୋ ମାଉସୀ ଘର ତରଫରୁ ମୋ ଭାଇ ପାଇଁ ପ୍ରସ୍ତାବଟି ପଡିଲା ପରେ ଖୁସି ଖୁସିରେ ରାଜି ହୋଇଗଲେ ରଚିତାର ବାପା । ଥରଟିଏ ଲାଗି ବି ମୋ ଭାଇକୁ ଦେଖିବାକୁ ଚାହିଁନଥିଲେ ସେ କାରଣ ସ୍କୁଲରେ ମୋ ଭାଇ ତାଙ୍କର ଛାତ୍ର ଥିଲା ଆଉ ସେ ଜାଣିଥିଲେ ଯେ ସେ ସୈନ୍ୟ ବାହିନୀରେ ଚାକିରି କରିଛି ବୋଲି । ସ୍କୁଲରେ ସବୁଠାରୁ ସୁନା ପିଲା ଭାବରେ ମୋ ଭାଇର ଖୁବ୍ ସୁଖ୍ୟାତି ଥିଲା। ମୋ ମାଉସୀର ଶାଶୂ ନିଜେ ସାଥିରେ ମୋ ବୋଉକୁ ନେଇ ଯାଇଥିଲେ ବୋହୂ ଦେଖିବାକୁ । ଥରେ ତାକୁ ଦେଖିଲା ପରେ ମୋ ବୋଉ ସ୍ଥିର କରି ଦେଇଥିଲା ଯେ ସେ ସଇ ଝିଅଟିକୁ ହିଁ ବୋହୂ କରିବ , ଆଉ କାହାରିକୁ ନୁହେଁ । କିଏ ଯେମିତି କିମିଆ କରି ଦେଇଥିଲା ତା'କୁ । ଆମେ ସବୁ ଯେତେବେଳେ ତା'ର ପାଠ ପଢା କଥା ଉଠେଇଲୁ ,ସେ କହିଥିଲା ପାଠ ପଢି କ'ଣ ସେ ଚାକିରୀ କରିବ? ମୁଁ ସେ ମଙ୍ଗଳା ମାଷ୍ଟର ପାଖେ ଖଡି ପକାଇ ମେଳକ କରି ରାଜଜୋଟକ ପଡିଛି ବୋଲି ଦେଖି ଆସିଛି, ମୋ ପୁଅ ପାଇଁ ସେଇ ଝିଅଟିକୁ ହିଁ ଆଣିବି ,ମୋର ଯାନିଯୌତୁକ, ବଂଶ ପରମ୍ପରା କିଛି ଦରକାର ନାହିଁ, ସେଇ ବୋହୂଟି ଦରକାର । ବୋଉର ଏକା ଜିଦ୍ ଦେଖି ଆମେ ବାଧ୍ୟ ହୋଇଥିଲୁ ପାଟି ବନ୍ଦ କରି ତା'ରି କଥା ମାନି ବାହାଘରର ଦିନ ଧାର୍ଯ୍ୟ କରିବା ଲାଗି । ମୋ ଭାଇ ମଧ୍ୟ ଖବର ପାଇ ଚାକିରୀରୁ ଛୁଟି ନେଇ ଚୁପଚାପ୍ ହୋଇ ଆସି ବେଦୀ ଉପରେ ବସି ପଡିଥିଲା ବାହା ହେବା ପାଇଁ । ସିଏ ବି ଥରଟିଏ ଲାଗି କହି ନଥିଲା ଯେ ଝିଅଟି କେମିତି ବୋଲି । ସୁରୁଖୁରୁରେ ବାହାଘର ସରି ନୂଆବୋହୂକୁ ଧରି ଆମେ ଫେରିଥିଲୁ ଗାଁକୁ।

ବାହାଘର ବେଳକୁ ମୋ ଭାଇର ପୋଷ୍ଟିଂ ଥିଲା କାଶ୍ମୀରରେ। ସେତେବେଳେ ମଧ୍ୟ ଅଶାନ୍ତ ଥିଲା କାଶ୍ମୀର ।ତେଣୁ ପରିବାରକୁ ନେବାର ପ୍ରଶ୍ନ ହିଁ ଉଠୁନଥିଲା ତଥାପି ବୋଉ କହିଥିଲା ''ଯାଉନରେ ! ମାସେ ଦିମାସ ଖଣ୍ଡେ ବୁଲି ଆସିବ''। ଭାଇ କିଛି କହିବା ପୂର୍ବରୁ ଭାଉଜ କହି ଉଠିଥିଲା '' ମୋର ତମକୁ ଛାଡି କୁଆଡେ ଯିବାର ନାହିଁ ବୋଉ '' । ଆପଣାର ବୋହୂ ପଣିଆରେ ନୂଆ ବୋହୂ କିଣି ନେଇଥିଲା ସମସ୍ତଙ୍କର ମନ । ଗାଁରେ ଖୁଡୀ, ଦେଠେଇ ସମସ୍ତେ କହୁଥିଲେ ରେଖା କଣ୍ଢେଇଟିଏ ଆଣିଛି ବୋହୂ କରି । ରୂପରେ ଯେମିତି ଗୁଣରେ ସେମିତି । ସାକ୍ଷାତ ଲକ୍ଷ୍ମୀ ପ୍ରତିମାଟିଏ । ଯାନିଯୌତୁକରୁ କଅଣ ମିଳିବ ବୋହୂଟିରେ ତ ଘର ପୁରି ଯାଉଛି । ଗଭୀର ଆତ୍ମସନ୍ତୋଷରେ ପୁରି ଯାଉଥିଲା ମୋ ବୋଉର ମନ। ମାସଟିଏ ଛୁଟି କାଟି ମୋ ଭାଇ ଫେରି ଯାଇଥିଲା ତା'ର କାର୍ଯ୍ୟସ୍ଥଳୀକୁ ।

ପୁଅ ଘରେ ନାହିଁ ବୋହୂ ରମନ ଖରାପ ଲାଗୁଥିବ ଭାବି ପ୍ରତି ଆଠ ପନ୍ଦର ଦିନରେ ଥରେ ତାଙ୍କର ବାପ ଘରକୁ ବୁଲି ଆସିବା ଲାଗି ପଠାଇ ଦେଉଥିଲା ବୋଉ । ଦିନ ସୁରୁଖୁରୁରେ ଗଡି ଚାଲିଥିଲା । ବର୍ଷକୁ ଥରେ ଦୁଇ ମାସ ଛୁଟିରେ ଆସୁଥିଲା ଭାଇ। ଖୁବ୍ ଖୁସିରେ ଦିନ କାଟି ପୁଣି ଫେରି ଯାଉଥିଲା । ଦୁଇବର୍ଷ ପରେ ଭାଇର ପ୍ରଥମ ଝିଅଟି ଜନ୍ମ ହୋଇଥିଲା। ପ୍ରଥମ ସନ୍ତାନଟି ଅଜା ଘରେ ଜନ୍ମ ହେବାର ପ୍ରଥା ଅନୁସାରେ ଭାଉଜ ତାଙ୍କ ବାପଘରେ ରହିଥିଲେ ପ୍ରାୟ ଛଅ ମାସ । ଏକୋଇଶାକୁ ଆସିଥିଲା ମୋ ବୋଉ ଝିଅ ଲାଗି ଚେନ୍ ମୁଦି ଧରି, ଖୁବ୍ ଖୁସି ହୋଇଥିଲା ମୋ ଘରକୁ ଲକ୍ଷ୍ମୀ ଆସିଲେ କହି । ଛଅ ମାସ ପରେ ଘରକୁ ଫେରିଲା ପରେ ବୋଉ ଦେଖିଲା ଭାଉଜର କାନ ପାଚୁଛି । ସବୁବେଳେ ପାରା ପରଟିଏ ଧରି ସେ କାନରେ ପୁରେଇ ସଫା କରୁଛି। ସାଧାରଣ କଥା ଭାବି ବୋଉ ତୁଟୁକା ତୁଟୁକି ଔଷଧ କଲା । କାନ କିନ୍ତୁ ଭଲ ହେଲା ନାହିଁ। ଡାକ୍ତର ଦେଖାଇ ଔଷଧ ଖାଇବା ପରେ କିଛିଦିନ ଭଲ ହୋଇ ଯାଉଥିଲା ପୁଣି ଥରେ କାନ ପାଚିବା ଆରମ୍ଭ ହେଉଥିଲା । ଏଇ ସମୟରେ ମୋ ସାନ ଭାଇ ଆଊ ସାନ ଭଉଣୀର ଏକାଠି ବାହାଘର ହେଲା , ସେତେବେଳେ ମୋ ବଡ ଭାଉଜ ସାତ ମାସର ଗର୍ଭବତୀ । ସାନ ଭଉଣୀର ପରେ ଏଥରକ ସାନ ଯାଆକୁ ପାଇ ଖୁବ୍ ଖୁସି ହୋଇଥିଲା ନୂଆବୋହୂ । ଦ୍ଵିତୀୟ ଗର୍ଭରେ ପୁଅଟିଏ ଦେଇ ତା'ର ସଂସାରକୁ ପୂର୍ଣ୍ଣ କରିଥିଲେ ଈଶ୍ଵର । ପୁଅଟି ହେବାର ଅଳ୍ପ ଦିନ ପରେ ନୂଆବୋହୂର ମୁହଁଟା ଫୁଲିବା ଆରମ୍ଭ କରିଥିଲା। ନୂଆବୋହୂର ବାପା ତାଙ୍କର ଡାକ୍ତର ଛାତ୍ର ମାନଙ୍କୁ ଦେଖେଇ ଯେତେ ଚିକିତ୍ସା କଲେ ମଧ୍ୟ କାନଟି ଆଉ ଭଲ ହେଲା ନାହିଁ । ଶେଷରେ ମୁଁ କଟକର କର୍ଣ୍ଣ ନାସା ଗଳା ବିଶେଷଜ୍ଞ ଡାକ୍ତର ଗଙ୍ଗାଧର ବେହେରାଙ୍କୁ ଦେଖାଇ ପରାମର୍ଶ କରିବା ଲାଗି ନୂଆବୋହୂକୁ ନେଇ ଗଲି। ବହୁତ ପ୍ରକାର ପରୀକ୍ଷା ନିରୀକ୍ଷା କରି ଡାକ୍ତର କହିଲେ ଯେ ଭୟଙ୍କର ସଂକ୍ରମଣ ହେତୁ କାନଟି ଖରାପ ହୋଇ ଏମିତି ଅବସ୍ଥା ହୋଇଛି । ପ୍ରଥମେ ଆଣ୍ଟିବାୟୋଟିକ୍ ଦେଇ ସଂକ୍ରମଣ ଭଲ ହେଉ ତା'ପରେ ସିଟି ସ୍କାନ୍ କରି ଦେଖିବା କ'ଣ ହୋଇଛି।

ଆଠ ଦିନ ପରେ ସିଟି ସ୍କାନରେ ଜଣା ପଡିଲା ଯେ କାନର ସଂକ୍ରମଣ ମୁଣ୍ଡ ଭିତରକୁ ଯାଇ ସେଠାରେ ଗୋଟିଏ ଟିଉମର୍ ସୃଷ୍ଟି ହୋଇଛି । ସେଥିଲାଗି ଅପରେସନ କରିବାକୁ ପଡିବ । ମୁଣ୍ଡରେ ବଜ୍ର ପଡିଲା ଆମର। କ'ଣ କରିବୁ କିଛି ବୁଦ୍ଧି ବାଟ ଦେଖା ଗଲା ନାହିଁ । ତାଙ୍କର ବାପା ମଧ୍ୟ ଉପସ୍ଥିତ ଥିଲେ ଆମ ସାଥିରେ । ସେ କାନ୍ଦି ପକାଇଲେ କ'ଣ ହୋଇଗଲା ତାଙ୍କ ଝିଅର ଭାବି । ଭାଇକୁ ଟେଲିଗ୍ରାମ କରାହେଲା ମାତ୍ର ଜରୁରୀ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ହେତୁ ତା'କୁ ଛୁଟି ମିଳିଲା ନାହିଁ । ଏୟାର ଫୋର୍ସରେ ଥିବା ମୋ ସାନ ଭାଇ ଖବର ପାଇ ଛୁଟି ନେଇ ଆସିଥିଲା । ନୂଆବୋହୂକୁ ନେଇ ତା'ର ବାପା ଏବଂ ମୋ ସାନ ଭାଇ ଗଲେ ଚଣ୍ଡୀଗଡ୍ ମୁଖ୍ୟ ହସ୍ପିଟାଲକୁ ଅପରେସନ କରିବା ଲାଗି । ସେଠାରେ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର କହିଲେ ନୂଆବୋହୂର କ୍ୟାନସର ହୋଇଛି । ଅପରେସନ କଲେ ରୋଗ ବ୍ୟାପିବାର ସମ୍ଭାବନା ଅଛି । ଅପରେସନ ଟେବୁଲରେ ମଧ୍ୟ ରୋଗୀ ଚାଲି ଯାଇପାରେ । କାନ୍ଦିକାନ୍ଦି ଡାକ୍ତରଙ୍କ ଗୋଡ ଧରି ପକେଇଲେ ନୂଆବୋହୂର ବାପା । କହିଲେ '' ଏଡେ ସୁନ୍ଦର ଝିଅକୁ ମୋର ଖଣ୍ଡଖଣ୍ଡ କରି ମାରି ଦିଅ ନାହିଁ , ବରଂ ସେ ସେମିତି ଯେତିକି ଦିନ ବଞ୍ଚିବ ବଞ୍ଚି ରହୁ '' । ବାଧ୍ୟହୋଇ ସେଠାରୁ ତାଙ୍କୁ ଫେରାଇ ଆଣିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ଭାଇ ପାଖରେ । ଘରେ ପହଞ୍ଚିଲା ପରେ ସମସ୍ତେ ଜାଣିଲେ କଥାଟି । ଗାଁରେ ହଇଚଇ ସୃଷ୍ଟି ହୋଇଗଲା ରଚିତାର କ୍ୟାନସର ହୋଇଛି , ଆଉ ଅଳ୍ପ ଦିନ ତାର ଆୟୁଷ। ବୋଉ କାନ୍ଦି କାନ୍ଦି ଠାକୁରଙ୍କୁ ଡାକୁଥାଏ '' ମୋ ଜୀବନ ପଛେ ନେଇ ଯାଅ ପ୍ରଭୁ ମୋ ବୋହୂର ଜୀବନ ରକ୍ଷା କର। କେତେଟା ଦିନ ବା ସଂସାର ଦେଖିଛି ସିଏ। ମାତ୍ର ପଇଁତିରିଶ ବର୍ଷ, ସେଥିରେ ପୁଣି ଏତେ ଛୋଟ ଛୋଟ ପୁଅ ଝିଅ ଯୋଡିଏ। ମୋ ପୁଅଟା ତ ନିର୍ମାୟା କିଛି ଜାଣେ ନାହିଁ , କେମିତି ଜୀବନ ଧରିବ ସେ ? ରକ୍ଷା କର ପ୍ରଭୁ ରକ୍ଷା କର '' ଏମିତି କହି କହି ଅସ୍ଥିର ହୋଇ ପଡୁଥାଏ। ଆମେ ସବୁ ମନର ଦୁଃଖକୁ ମନରେ ମାରି ନୂଆବୋହୂର ଚିକିତ୍ସାରେ ଲାଗି ଥାଉ। ଇତି ମଧ୍ୟରେ ମୋ ଭାଇ ସ୍ତ୍ରୀର ରୋଗ କଥା ଦେଖାଇ ସୈନ୍ୟ ବାହିନୀରୁ ସ୍ଵେଚ୍ଛାକୃତ ଅବସର ନେଇ ଫେରି ଆସିଥିଲା ଗାଁକୁ। ସ୍ତ୍ରୀର ଶେଷ ଇଚ୍ଛା ମୁତାବକ ଗାଁରେ କୋଠା ଘରଟିଏ କରି ସେ ଯିବା ପୂର୍ବରୁ ତାକୁ ଦେବାକୁ ଭାବୁଥିଲା । ସେଇ କାମରେ ଦିନରାତି ଲାଗିଥାଏ। ବର୍ଷକ ଭିତରେ ଘରଟି ତିଆରି ହୋଇଗଲା। ଘର ପ୍ରତିଷ୍ଠା ଦିନ ଭାଇ ସହିତ ପୂଜାରେ ବସିଲା ବେଳକୁ ତା' ର ଆଖି ଖୁସିରେ ଚିକ୍ ମିକ୍ କରୁଥାଏ ।

ନୂଆବୋହୂ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥାଏ। ମୋ ଭାଇ କଥା, ପିଲାମାନଙ୍କ କଥା ଭାବିଭାବି ଧୀରେ ଧୀରେ ତା'ର ଅବସ୍ଥା ଖରାପ ହେବାକୁ ଲାଗିଥାଏ। କାନ ମୂଳେ ଆବୁଟାଏ ହୋଇ ମୁହଁଟା ବଙ୍କା ହୋଇ ଯାଇଥାଏ । କାନ ବାଟେ ଅନବରତ ପୂଜ ରକ୍ତ ଗଡି ବାରେ ଲାଗି ଥାଏ। ମେମୋରି ଫେଲ୍ କରୁଥିବାରୁ ଲୁଗା ପଟାର ଠିକଣା ରହୁନଥାଏ । ଏ ସବୁ ଦେଖି ମୋ ଭାଇ ମୁଣ୍ଡରେ ହାତ ଦେଇ ବସିଥାଏ ।

ବୋଇକୁ ମୁଁ ନେଇ ଆସିଥାଏ ମୋ ଘରକୁ , ମଝିଆ ଭଉଣୀ ନେଇ ଯାଇଥାଏ ଝିଅଟିକୁ ଆଉ ସାନ ଭାଉଜ ନେଇ ଯାଇଥାଏ ପୁଅକୁ । ଶେଷରେ ମୋ ସାନ ଭାଇ ଆସିଲା । ସେ କହିଲା ଭାଉଜଙ୍କର ଏମିତି ତିଳ ତିଳ ହୋଇ ମରିବା ଅପେକ୍ଷା ଏକାଥରେ ଅପରେସନ କରିଦେଲେ ଭଲ। ଯାହା ଭାଗ୍ୟରେ ଥିବ ହେବ। ସେ ରରର ବଡ ମେଡିକାଲରେ ଯାଇ ପରାମର୍ଶ କଲା ଡାକ୍ତର ଡମ୍ବୁରୁଧର ଲେଙ୍କାଙ୍କ ସହିତ । ତାଙ୍କର ହାତରେ ବଡ ମେଡିକାଲରେ ଅପରେସନ ହେଲା ନୂଆବୋହୂର। ଅପରେସନ ପରେ ଚାଲିଲା କେମୋଥେରାପି । ଶୁଖିଲା ବାଉଁଶ ଗଜା ହେଲାପରି ନୂଆବୋହୂ ଆମର ଧୀରେ ଧୀରେ ନୂଆ ଜୀବନ ପାଇଲା ।

ଛଅ ମାସ ପରେ ଗାଁକୁ ଫେରିଲା ବେଳକୁ ତାଙ୍କର ଚେହେରା ପୂର୍ବ ଭଳି ସୁନ୍ଦର ହୋଇ ଆସୁଥିଲା ।

ଗାଁ ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟରେ ଚାହିଁ ରହୁଥିଲେ । ଆମେ ସବୁ ଭାବୁଥିଲୁ ଠାକୁର ବୋଉର ଆକୁଳ ଡାକ ଶୁଣି ନୂଆବୋହୂକୁ ସୁସ୍ଥ କରି ନୂଆ ଜୀବନ ଦେଇଛନ୍ତି । ଧୀରେ ଧୀରେ ସେ ପୁଣି ଆଗଭଳି କର୍ମ ଚନ୍ଚଳ ହୋଇ ଉଠିଥିଲେ , ଘରର ସବୁ କାମ ନିଜ ହାତରେ କରୁଥିଲେ । ମାସକୁ ଥରେ ଲେଖାଏଁ ଚେକ୍ ଅପ୍ କରିବାକୁ କଟକ ଆସିଲା ବେଳେ ଏବେ ଟ୍ୟାକ୍ସି ନକରି ବସରେ ଆସୁଥିଲେ । ତାଙ୍କୁ ସୁସ୍ଥ ହେଉଥିବା ଦେଖି ଭାଇ ମୋର ଅନ୍ୟ ଆଡେ ଚାକିରୀ ଖୋଜିବାକୁ ଆରମ୍ଭ କରିଥିଲା । ବହୁତ ଖୁସିରେ ଦିନ ଗଡି ଚାଲିଥିଲା । ସେ ଥରକ ନୂଆବୋହୂ ଚେକ୍ ଅପ୍ ଲାଗି ଆସିଲା ବେଳକୁ ସାବିତ୍ରୀ ଅମାବାସ୍ୟା ଆଉ ପନ୍ଦର ଦିନ ବାକି ଥାଏ , ତାଙ୍କ ବାପ ଘରେ ଓହ୍ଲାଇ ଆଗ ମୋ ଭାଇକୁ କହିଲେ '' ସବୁ ବର୍ଷ ମୋ ବାପା ସାବିତ୍ରୀ ଲୁଗା ଦିଅନ୍ତି, ଏ ବର୍ଷ ତମେ ମତେ ପାଟ ଶାଢୀଟିଏ କିଣି ଦେବ । ବାହାଘର ପରେ ଆଉ ମୋର ପାଟ ଶାଢୀଟିଏ କେବେ କିଣା ହୋଇ ନାହିଁ '' । ଖୁସିରେ ମୋ ଭାଇ ତାଙ୍କୁ ନେଇ ରାଜହଂସ ଦୋକାନରେ ବାଛି ବାଛି ହଳଦିଆ ରଙ୍ଗର ନାଲି ଧଡିଆ ପାଟ ଶାଢୀ ଟିଏ କିଣି ଦେଲେ । ଶାଢୀ ସହିତ ନାଲି ଶଙ୍ଖା, ସିନ୍ଦୂର, ଅଳତା ଆଉ ରୂପାର ଝୁଣ୍ଟିଆ କିଣି ଘରକୁ ଫେରିଲା ବେଳକୁ ଦିନ ଦୁଇଟା ବାଜିଲାଣି । ସେଦିନ ଆଉ ଡାକ୍ତର ଦେଖା ନୋହିଲା । ପରଦିନ ସକାଳୁ ଆଗ ମୋ ସ୍ୱାମୀ ଯାଇ ହସ୍ପିଟାଲରେ ଟିକେଟ୍ କରି ଲାଇନରେ ରହିବେ ଆଉ ମୋ ଭାଇ ନୂଆବୋହୂକୁ ନେଇ ଠିକ୍ ସକାଳ ନଅଟାରେ ସେଠାରେ ପହଞ୍ଚିବ ବୋଲି ସ୍ଥିର ହେଲା । କଥା ଅନୁସାରେ ମୋ ସ୍ୱାମୀ ପରଦିନ ସକାଳୁ ହସ୍ପିଟାଲରେ ଟିକେଟ କରି ଲାଇନରେ ଠିଆ ହେବାକୁ ଚାଲିଗଲେ। ଆମେ ସବୁ ମଧ୍ୟ ଯିଏ ଯାହାର କାମରେ ବାହାରି ଗଲୁ। ଦିନ ଏଗାରଟା ବେଳକୁ ମୋ ସ୍ୱାମୀଙ୍କର ଫୋନ୍ ଆସିଲା '' ଶୀଘ୍ର ବାହାରି ଆସି ହସ୍ପିଟାଲ ରେ ପହଞ୍ଚ , ରଚିତା ଆଉ ନାହିଁ ''। ମୋ ଗୋଡ ତଳେ ଭୂମିକମ୍ପଟିଏ ହୋଇଗଲା ଯେମିତି । ଗୋଟାଗୋଟା ଝାଳ ବାହାରି ମୁଣ୍ଡ ବୁଲାଇ ଦେଲା , ମତେ ଲାଗିଲା ମୋ ଗୋଡ ଦୁଇଟି ମହଣ ମହଣ ଓଜନ ହୋଇ ମାଟିରେ ଦବି ଯାଇଛି ଆଉ ମୁଁ ଚେଷ୍ଟା କରି ବି ଚାଲି ପାରୁନାହିଁ । ମୋର ସହକର୍ମୀ ଜଣେ ମୋର ଏମିତି ଅବସ୍ଥା ଦେଖି ମତେ ଧରାଧରି କରି ଚୌକିରେ ବସାଇ ଘଟଣା କ'ଣ ବୋଲି ପଚାରିଲେ । ବହୁ କଷ୍ଟରେ ମୁଁ ତାଙ୍କୁ ସବୁ କଥା କହିବାରୁ ମେଡିକାଲ୍ ପାଇଁ ଅଟୋଟିଏ ଡାକି ମତେ ପଠାଇ ଦେଲେ।ମୁଁ ହସ୍ପିଟାଲରେ ପହଞ୍ଚିବା ବେଳକୁ ସେଠି ଅସମ୍ଭବ ଭିଡ । ନୂଆବୋହୂର ବାପ ଘର ଲୋକ ହସ୍ପିଟାଲରେ ରୁଣ୍ଡ ହୋଇଛନ୍ତି , ବାରଣ୍ଡାରେ ଗୋଟାଏ କଣକୁ ଆଉଜି ମୂର୍ତ୍ତିଟିଏ ଭଳି ଶୂନ୍ୟଦୃଷ୍ଟିରେ ଚାହିଁ ରହିଛି ମୋ ଭାଇ । ଏମିତି ଗୋଟାଏ ଅପ୍ରତ୍ୟାଶିତ ଘଟଣା ପରେ ସେ ସ୍ତମ୍ଭୀଭୂତ ହୋଇ ଯାଇଛି । ମତେ ଦେଖି ଧାଇଁ ଆସିଲା ପାଖକୁ । ମତେ ଅପା ବୋଲି ଚିତ୍କାର କରି କୁଣ୍ଢାଇ ପକାଇ ପିଲାଙ୍କ ଭଳି ଭୋ ଭୋ ରଡି ପକାଇ କାନ୍ଦି କାନ୍ଦି ଲୋଟି ପଡିଲା । ଈଶ୍ଵର ଜାଣନ୍ତି କେଉଁଠାରୁ ଏତେ ବଳ ଆସିଲା ମୋ ଭିତରେ । ମୁଁ ସ୍ଥିର ଅବିଚଳିତ ଭାବେ ଠିଆ ହୋଇ ତା'କୁ ଧୈର୍ଯ୍ୟ ରଖିବାକୁ କହି ନୂଆବୋହୂର ବାପାଙ୍କୁ କେମିତି ଏସବୁ ଘଟଣା ଘଟିଲା ବୋଲି ପଚାରିଲି । ସେ ଯାହା କହିଲେ ସେ ଘଟଣାଟି ଥିଲା ଏହିପରି । ସବୁ ଦିନ ପରି ସେଦିନ ବି ସକାଳ ଛଅଟାରୁ ଉଠି ନିତ୍ୟକର୍ମ ସାରି ରଚିତା ହସ୍ପିଟାଲ ଆସିବା ଲାଗି ପ୍ରସ୍ତୁତ ହେଉଥିଲା , ଅଟୋବାଲାଟି ମଧ୍ୟ ଆସି ସାରିଥିଲା, ମା' ଦେଇଥିବା ମିଶ୍ରିପାଣି ଗ୍ଲାସଟି ପିଇ ସାରିବା ପରେ ବାନ୍ତି ଲାଗିବାରୁ ତା' ପାଖରେ ଛିଡ଼ା ହୋଇଥିବା ମୋ ଭାଇକୁ ଟିକେ ଧରିନିଅ କହି ତା'ର ଛାତିକୁ ଆଉଜି ପଡିଥିଲା । ମୋ ଭାଇ ତାକୁ ଖଟ ଉପରେ ନିଜ କୋଳରେ ଧରି ଶୁଆଇ ପକାଇ ଡାକ ଛାଡିଥିଲା ତା'ର ମାଆଙ୍କୁ । ଦୌଡା ଦୌଡି ହୋଇ ସମସ୍ତେ ଜମା ହେଲା ବେଳକୁ ସେ ଦଲକାଏ ବାନ୍ତି କରି ପକାଇଥିଲା ମୋ ଭାଇର କୋଳରେ , ଥରଟିଏ ଆଖି ଖୋଲି ଚାହିଁଥିଲା ମୋ ଭାଇର ମୁହଁକୁ ଆଉ ତା'ର ଆଖି ବନ୍ଦ କରି ଦେଇଥିଲା । ଦୁଇ ଧାର ଲୁହ ବୋହି ଯାଇଥିଲା ସେ ଆଖିରୁ । ତା' ପରେ ସେମାନେ ସେଇ ଅଟୋରେ ନେଇ ଆସିଲେ ହସ୍ପିଟାଲର ଇମର୍ଜେନ୍ସି ଓାର୍ଡକୁ । ସେଇଠି ଡାକ୍ତର ଦେଖି ତାକୁ ମୃତ ବୋଲି ଘୋଷଣା କରିଥିଲେ । ମୁଁ ହତବାକ୍ ହୋଇ ଶୁଣୁଥାଏ ତାଙ୍କ କଥା ଆଉ ଭାବୁଥାଏ '' ଦିନେ ସାବିତ୍ରୀ ସତ୍ୟବାନଙ୍କ ମୃତ ଶରୀରକୁ କୋଳରେ ଧରି ଯମରାଜଙ୍କୁ ପ୍ରାର୍ଥନା କରି ତାଙ୍କ ଠାରୁ ସତ୍ୟବାନଙ୍କର ପ୍ରାଣ ଫେରାଇ ଆଣିଥିଲେ , ମୋ ଭାଇ ସେମିତି ତା' ପ୍ରାଣ ପ୍ରିୟା ପତ୍ନୀର ଶବକୁ ତାର କୋଳରେ ଧରି ରଖି ଯମରାଜଙ୍କୁ ପ୍ରାର୍ଥନା କରି ତା'ର ପ୍ରାଣକୁ ଫେରାଇ ଆଣନ୍ତା ନାହିଁ ???

ସାବିତ୍ରୀ ଅମାବାସ୍ୟା ସତ୍ୟବାନ

Rate the content


Originality
Flow
Language
Cover design

Comments

Post

Some text some message..