Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆବିଷ୍କାର
ଆବିଷ୍କାର
★★★★★

© Soumya Shubhadarshinee

Inspirational

9 Minutes   1.1K    76


Content Ranking

ନନା ମନା କରିଦେଲେ ଆଉ ବୋଉବି , କେହି ଭାବିଲେନି ଥରେ ! ବୟସ ବଢିଲେ ମଣିଷ ଏମିତି କରେ ହୁଏତ , ହେଇଯାଏ ଟିକିଏ ଅବୁଝା ବା ଦୂରଦୃଷ୍ଟି ବିହୀନ ! ନା' ଆମେ ହେଇଗଲେଣି ଟିକେ ଅଧିକ ସଙ୍କୁଚିତ ନିଜ ଭିତରେ ? .........

★★★★★★

ସିକୁ ଭାଇନା ଏବେ ଟେକ୍ସାସ୍ ରେ , ନିତୁ ନାନୀ ମୁମ୍ବାଇ ଆଉ ମୁଁ ଦିଲ୍ଲୀରେ , ଗୋଟେ ଆ .ଇ .ଟି କମ୍ପାନୀରେ । ଘରେ ରହୁଛନ୍ତି ନନା , ବୋଉ ଆଉ ଆମ କୁକୁର ସୁଲତାନ । ସୁଦୃଶ୍ୟ ଦୁଇମହଲା ଘରେ ପିଲାଏ ରହିବେ ସାଥିରେ ଏଇ ସ୍ୱପ୍ନନେଇ ଗଢିଥିଲେ ନନା । କିନ୍ତୁ ଆଜିର ପିଲାଏ ଘରେ ରହିବା କ'ଣ ସମ୍ଭବ ?......

ରୁଚି ମୋ କଥା କମ ଶୁଣୁଥିବା ବୁଦ୍ଧିମତୀ ସ୍ତ୍ରୀ , କାରଣ ସେହିଁ ଏକମାତ୍ର ମଣିଷ ଯେ ନିଜ ଜବ୍ ଛାଡି ମୋ ସହ ଦିଲ୍ଲୀ ଯିବାକୁ ସଫା ସଫା ମନା କରିଦେଇଛି । କ୍ଲାସ ୱାନ୍ ଜବ୍ ଛାଡି ଆସୁ ନାହିଁ ଦିଲ୍ଲୀ । ବୁଝିଛି ସେ ଠିକ ଇଞ୍ଜିନିୟରିଂ ଚାକିରୀର ଅନିଶ୍ଚିତତା। ରିସେସନ୍ ପରେ ଆମ ଆଇ. ଟି ଵାଲାଙ୍କ ସ୍ଥିତି ଏମିତି ସଙ୍ଗୀନ । ଅନେକ ଝଗଡା , କଥା କଟାକଟି, ମନୋମାଳିନ୍ୟ ,ରାଗ ରୁଷା ପରେବି ସ୍ତ୍ରୀ ମୋର ଠିଟ । ''ନୋ ମାନେ ନୋ ,ମୋତେ ମୋ ଜବ୍ ଖୁବ୍ ଭଲ '' ଏଇତକ ରୋକଠୋକ ଜବାବ ରୁଚିର । ସ୍ୱାବଲମ୍ବୀ ହେବାର ଝୁଙ୍କ ତା' ଭିତରେ ।

ମୁଁ ବାହାଘର ବେଳେ କାହିଁକି କ୍ଲିୟର ଭାବେ ଜଣେଇଲି ନାହିଁ ଯେ ତାକୁ ଜବ୍ ଛାଡିବାକୁ ହେବ ଆଉ ମୋ ସହ ଦିଲ୍ଲୀ ଯିବାକୁ ହେବ । ସେତକ ମୋର ମସ୍ତ ବଡ଼ ଭୁଲ । ସେତକ ଜଣେଇଥିଲେ ସେ ବାହା ହେଇନଥାନ୍ତା । ବାସ ମୋର ନିରବ ରହିବା ମୋ ପାଇଁ କିଳା । ଭୁଲ ମୋର ତେଣୁ ଦଣ୍ଡ ମିଳିବ ସାରା ଜୀବନ । ରହିବି ଏକା ଆଉ ନିଜ ସ୍ତ୍ରୀ ସହ ଭେଟିବି କୁଣିଆ ହେଇ । କିନ୍ତୁ ପ୍ରସ୍ତାବଟି ଖୋଜିଥିଲେ ନନା ଆଉ ବୋଉ ମୁଁ ଦେଇଥିଲି କେବଳ ସମ୍ମତି । ଏତକ ବୁଝେଇବା ସମ୍ଭବ ନୁହେଁ । ତେଣୁ ଏଇ ସମସ୍ୟାର ଏଯାବତ କୌଣସି ସମାଧାନ ହେଇନି ।

କିନ୍ତୁ ପ୍ରକାରନ୍ତରେ ନନା ବୋଉଙ୍କର ଗୋଟେ ସୁଖ ସାଜିଛି ମୋ ସ୍ତ୍ରୀ , ରହୁଛି ଯିଏ ଓଡ଼ିଶାରେ । ଆଉ ତାରି ପାଇଁ ମୁଁ ଦିଶୁଛି ଓଡ଼ିଶାରେ ପ୍ରାୟ ରେଗୁଲାର । ଯଦିଓ ରୁଚି ଭୁବନେଶ୍ବରରେ ଆଉ ନନା ବୋଉ କମଳାଢ଼ିହରେ ତଥାପି ଓଡିଶା ଗଲେ ମାଡ଼ିଯାଉଛି ମୁଁ ଘରକୁ । ବୋଉ ହାତରୁ ବଡ଼ିଚୁରା ଆଉ ଦହି ପଖାଳ ଖାଇ ଘଡ଼ିଏ ଶାନ୍ତିରେ ଶୋଇବାକୁ । ନାରଣ କକେଇର ଛେନା କାକରା ଆଉ ସୁଲ ଖୁଡିର ଗୁଡ଼ ଆରିସା ଚାଖି ବାକୁ । କହିବାକୁ ଗଲେ ଗାଁ ସହ ମୋର ଭାଗବତ ସମ୍ପର୍କ ଭାଙ୍ଗିନି ଏଯାବତ ଖାସ ରୁଚି ପାଇଁ ।

ହେଲେ ଏଇ ଚାରି ବର୍ଷ ହେଲା ନନା ବୋଉ ସାଜିଛନ୍ତି ରିଫ୍ୟୁଜି । ଆମେ ବୁଝିବାରେ ନିଜ ଦେଶ ଛାଡି ପରଦେଶରେ ଯେଉଁମାନେ ଆଶ୍ରୟ ଖୋଜନ୍ତି ସେମାନଙ୍କୁ କୁହାଯାଏ ''ରିଫୁଜି '' କିନ୍ତୁ ମୋ ନନା ଆଉ ବୋଉ ନିଜ ଦେଶରେ ରିଫୁଜି । ଏବେ କହିବି କେମିତି ।

ମୁଁ , ରୁଚିକୁ କହି ଦେଇଥିଲି ତୁମେ ଚାକିରୀ କରିବ ତେବେ ତୁମେ ବୁଝିବ ଆମ ପିଲାଟି କେମିତି ରହିବ । ମୁଁ ଆଉ ଦିଲ୍ଲୀରୁ ଆସିବିନି ବୁଝିବାକୁ । ଭାରି ଚତୁର ମୋ ସ୍ତ୍ରୀ ଆଗରୁ କହିଛି । ସେ ବସିଗଲା ମହାମେରୁ ହେଇ ପୁରା ପାଞ୍ଚ ବର୍ଷ ।ଏବେ ସୁବିଧା ସୁଯୋଗ ହାଉଜାଉ , ପିଲା ଜନ୍ମ କ୍ଷେତ୍ରରେ ସଭିଏଁ ସ୍ୱାଧୀନ ହେବାକୁ । ଇଆଡ଼େ ମୋ ବୋଉ ଚିନ୍ତାରେ , ସାନ ପୁଅ ମୋର କୋଡ଼ପୋଛା କ'ଣ ଆଣ୍ଠୁକୁଡ଼ା ହବ । ଆହାଃ ଏଡ଼େ ଅନର୍ଥ କାହିଁକି କଲ ହେ ମାଧବ !.....

ମୁଁ ସସ୍ତ୍ରୀକ ଥରେ ଘରକୁ ଯାଇଥିଲା ବେଳେ ବୋଉ ସକେଇ ହେଲା । ରୁଚିକୁ ଡାକ୍ତର ଦେଖେଇବାକୁ ମୋତେ ବାଧ୍ୟ କଲା । ସେତିକିବେଳେ ରୁଚି ମାଇଲା ବ୍ରହ୍ମାସ୍ତ୍ର । ଆସିବେ ଆପଣ ଦୁହେଁ ମୋ ପାଖକୁ ତେବେ ଯାଇଁ ପିଲାଟିଏ ପାଇଁ ଭାବିବି ।

ରୁଚିର ମା' ନାହାନ୍ତି ତେଣୁ ବୋଉ ମୋର ମନା କରିବାର ଜୁ ନାହିଁ । ବୋଉ ହଁ କହିଲା ଆଉ ପାଖାପାଖି ବର୍ଷକ ପରେ ଅରୂପ ଆସିଲା ଆମ ପୃଥିବୀକୁ ଆଉ ତା' ସହ ନନା ଆଉ ବୋଉ । ଆମ ଗାଁର ଦିଅଁ ପୋଖରୀ , ଝୁରି ଅଜାର ଆମ୍ବ ତୋଟା , ମାଧବଙ୍କ ଦେଉଳ , ବୋଉର ମିଶନ୍ ଶକ୍ତି ଟିମ , ବାପାଙ୍କ ଭାଗବତ ଟୁଙ୍ଗୀ , ଆମ ବାଟି ବାଟି ଚାଷ , ନଳିଆ କକେଇର ମିଠା କ୍ଷୀର ଏମିତି ସବୁ ଦେଶୀ ଜିନିଷର ମୋହ ତୁଟେଇ । ନିଜ ଦେଶ ଛାଡି ଏବେ ପରଦେଶରେ ରିଫ୍ୟୁଜି ହେଇ ।

ନନାହିଁ କୁହନ୍ତି ଏଠିକାର ଏଇ ଚଢେଇ ବସା ଲେଖା ଘରଟିମାନ ( ଆପାର୍ଟମେଣ୍ଟ ) ଭିତରେ ବନ୍ଦୀ ଜୀବନ ବିତେଇଲା ପରି ଲାଗୁଛି । ନିଜର ବାଟି ବାଟି ଜମି ବାଡ଼ି , ଏହେଁ ବିରାଟ ଘର , ମାଛ ପୋଖରୀ ଥାଉଁ ଥାଉଁ ଏଠି ମଣିଷ ଶରଣାର୍ଥୀ ଭଳିଆ ହାତେ ଜାଗାରେ ଜାକି ଜୁକି ହେଇ ରହିବାଠୁ ବଡ଼ ଦୁଃଖ ଆଉ କିଛି ନାହିଁ । ଟେକା ପାଣି , କିଣା ପବନ , ଭେଜାଲ ଖାଦ୍ୟ : ବିଡ଼ମ୍ବନା ଏତକ ତୁଚ୍ଛା ବିଡ଼ମ୍ବନା, ଭାଗ୍ୟକୁ ନିନ୍ଦିଵା ଛଡା ଆଉ ଅନ୍ୟ ଉପାୟ ନାହିଁ । ବୋଉ କିନ୍ତୁ ବୁଝେ , ଆହୁରି ମଧ୍ୟ ସେ କଥା ଦେଇଛି । ତେଣୁ ନାତି ସହ ନିଜକୁ ବାନ୍ଧି ରଖେ ସବୁବେଳେ ।

ମୁଁ କିନ୍ତୁ ଏଇ ପୂରା କାହାଣୀ ଭିତରେ ପେଷିହେଇଗଲି, ନନାଙ୍କ ଅଭିଯୋଗ , ବୋଉର କାନ୍ଦ ଆଉ ରୁଚିର ଦୁଃଖ ସବୁ ମିଶି ମୋତେ ଘାଣ୍ଟିଲେ ଭୟଙ୍କର ଭାବରେ । ମୁଁ କୁଣିଆ ଲୋକ , ଯିବି କେବେ କେମିତି ଖାସ ମୋ ପୁଅ ପାଇଁ । କିନ୍ତୁ ନିଜ ପୁଅ ପଣିଆ ପାଇଁ ଦୁଃଖ କରିବି , ଅଯୋଗ୍ୟ ସ୍ୱାମୀର ମୁକୁଟ ଲଗେଇ ବୁଲିବି ଆଉ ସବୁଠାରୁ ଯନ୍ତ୍ରଣାଦାୟକ ହେଲା କୌଣସି ସମାଧାନ କରିପାରିବି ନାହିଁ । ଫେରିବି ସେମିତି ଅସହାୟ ଭାବରେ ନିଜ ନିପାରିଲାପଣକୁ କାନ୍ଧରେ ବୋହି ।

ଏଇତକ କେବଳ ମୋ ଘରର ଚିତ୍ର ନୁହେଁ ହୁଏତ ଆଜି ସବୁଘରେ ଏମିତି ଅଳ୍ପ ବହୁତ ଛବି । କିନ୍ତୁ ପିଲାମାନେ ପରିବାର ଭିତରେ ନିଜ ପିତା ମାତାଙ୍କ ସହ ରହିବାକୁ ହେଲେ ଏମିତିହିଁ କରିବାକୁ ହେବ ଅନ୍ୟ ଉପାୟ କାହିଁ । ସ୍ୱାବଲମ୍ବୀ ହେବାର ଏଇ ଯେଉଁ ଦ୍ରୁତ ପ୍ରତିଯୋଗିତାରେ ଆଜି ସଭିଏଁ ମାତିଛନ୍ତି ସେଠି ନିଜ ଗାଁ ଘର ଛାଡିବାକୁହିଁ ପଡୁଛି । ରୁଚିକୁ ଅନେକ ସମୟରେ ଭୁଲ ବୋଲି ପ୍ରମାଣିତ କରିବାର ପ୍ରଚେଷ୍ଟା କରିଛି ମୁଁ , ସେ ଚାକିରୀ ଛାଡ଼ିଦେଉ ବୋଲି ମଧ୍ୟ ଚାହିଁଛି ।କିନ୍ତୁ କେବେ ପଦେ ନନା ବୋଉଙ୍କୁ କହିନି ।

ସ୍ତ୍ରୀ ଟିଏ ନିଜର ସ୍ୱାଧୀନତା ରଦ୍ଦ କରୁ ଆଉ ପରିବାର ସମ୍ଭାଳୁ , ଏତକ ଚାହାଁନ୍ତି ସଭିଏଁ ଆଜିବି !

ଏମିତି ହଁ ନାହିଁ , ଇଚ୍ଛା ଅନିଚ୍ଛା , ବାଧ୍ୟ ବାଧକତା ଭିତରେ ବିତୁଛି ଜୀବନ । ନାତି ମୋହ ପାଇଁ ନନା ଆଉ ବୋଉ ସିନା ଏମିତି ରିଫ୍ୟୁଜି କିନ୍ତୁ ଗାଁ ଘରର ମାୟା ତୁଟେଇ ଦେବାବି ସହଜ ନୁହେଁ ।

ଦୁଇଦିନ ତଳେ ରୁଚିର ଫୋନ୍ ବଡ଼ ବ୍ୟସ୍ତ କଲା , " ପୂରା ପନ୍ଦର ଦିନ ପାଇଁ ଗାଁକୁ ଯିବେ । ଘର କାମ ଅଛି କହୁଛନ୍ତି । ''

-- " କିଛି ମ୍ୟାନେଜ କରିନିଅ ପ୍ଲିଜ ।"

--'' ମ୍ୟାନେଜ ମାନେ , 'ଡେ ବୋର୍ଡିଂ ' ଆଉ କିଛି ନାହିଁ । କିନ୍ତୁ ଏମିତି ପନ୍ଦର ଦିନ ପାଇଁ କେଉଁଠୁ ମିଳିବ ଗୋଟେ 'ଡେ ବୋର୍ଡିଂ' ମୋତେ ?''

-- " ଓଃ ! ଛୁଟି ନିଅ ତୁମେ , କିନ୍ତୁ ମୋତେ କୁହନି । ନନାଙ୍କୁ ବୁଝେଇ ପାରିବିନି ମୁଁ ।''

ମୁଁ ଏମିତି ଅସହାୟ ସବୁବେଳେ ନନାଙ୍କ ପାଖରେ । କାହିଁକି କେଜାଣି ବୁଝେଇ ପାରେନି କେବେବି ମୋ ନିଜ ଆବଶ୍ୟକତା । ଗାଁ ଘରେ କିଏ ରହୁଛି ଯେ ସେଇଟିକୁ ଆମେ ବଗେଇବା । ଏମିତି ପଦେ କହିବାର ସାହସ ନାହିଁ ମୋର । ଠିକ ଏମିତି ମୁଁ ସବୁବେଳେ । ପାଠ ପଢିବା ସମୟରେ କେବେବି ବୁଝେଇ ପାରିନଥିଲି ଯେ ମୋତେ ପ୍ରଶାସନିକ ସେବା ପାଇଁ ଆଗ୍ରହ ଆଉ ସେଥିପାଇଁ ମୁଁ ପବ୍ଲିକ୍ ଆଡ଼ମିନିଷ୍ଟ୍ରେସନ୍ ପଢିବି । ନନାଙ୍କ ଇଚ୍ଛାରେ ପଢ଼ିଲି ଫିଜିକ୍ସ , ଆଉ ପରେ କଂପ୍ୟୁଟର । ସ୍ୱପ୍ନ ସବୁ ସେମିତି ରହିଗଲା ପେଡିରେ ବନ୍ଦ। କୋଚିଂ ପାଇଁ ମଧ୍ୟ ରାଜି ହେଲେନି ନନା , ପରିବାରର ଆର୍ଥିକ ସ୍ଥିତି ଖରାପ ବୋଲି ସଫେଇ ଦେଇ । କିନ୍ତୁ ମୁଁ ଜାଣେ ସେତେ ଖରାପ ନଥିଲା ଘର ଆମର ।

ଠିକ ସେମିତି , ବହୁତ ଚେଷ୍ଟା କରିଥିଲି ଥରୁଟିଏ କହିବି ସ୍ୱାଗତିକା ବିଷୟରେ । ଝିଅଟା ମୋତେ ବହୁତ ଭଲ ପାଉଥିଲା , ମୋ ସହ ଜବ୍ କରୁଥିଲା ଆଉ ତା' ପରିବାର ମୋତେ ଖୁବ୍ ପସନ୍ଦ କରୁଥିଲେ । କିନ୍ତୁ କହିପାରିଲି ନାହିଁ । ବୋଉକୁ କହିଥିଲି ବଡ଼ କଷ୍ଟରେ କିନ୍ତୁ ବୋଉ ଏତକ ନନାଙ୍କୁ ଜଣେଇଲା କି ନାହିଁ ସେତକ ମଧ୍ୟ ବୁଝିପାରିଲି ନାହିଁ । ଆଉ ଏବେ କେମିତି କିଛି କହିବି ତାଙ୍କୁ ।

ରୁଚି କାନ୍ଦିଲା ଏକରକମ । କିନ୍ତୁ ନନା ବୋଉ ଗଲେ ସାଥିରେ ନେଇ ନାତିକୁ ।

" ନିଜ ଜିଦରେ ଅଟଳ ନନା , ତିନି ବର୍ଷର ଛୁଆକୁ ନେଇଗଲେ ମା' ଠୁ ଛଡେଇ । ''

ଏଇ କଥା ପଦକ ଘୋଷି ହେଲା ସବୁବେଳେ ରୁଚି ।

ହେଲା ହେଲା , ପନ୍ଦର ଦିନ ପାଇଁ ହଉ ଚଳିଯିବା । କିନ୍ତୁ ଏବେ ସେଇ ସମୟ ଗଡୁଛି , ଦୁଇ ମାସ ବିତିଗଲାଣି । ନନା ଆଉ ବୋଉ ଆସୁନାହାନ୍ତି କି ନାତିକୁ ଛାଡୁ ନାହାନ୍ତି । କେମିତି ହେବ ଏ ସମସ୍ୟାର ସମାଧାନ , ମୁଁ ଖୋଜି ପାଉନି ।

ଯିବାକୁ ହେବ ମୋତେ ଘରକୁ , ବୋଉ ଆଉ ନନାଙ୍କୁ ବୁଝେଇବା ପାଇଁ । ଆଉ ଯଦି ସେମାନେ ରାଜି ନ ହୁଅନ୍ତି ତେବେ !!......

**************

ଫୋନ୍ ରେ ବୋଉ କହୁଥିଲା , " ବେଶ ଭଲରେ ଅଛି ତୋ ପୁଅ ଏଠି ବୁଝିଲୁ , କାଳୀ ଗାଈର ମିଠା କ୍ଷୀର ପିଉଛି ଆଉ ଆମ ମାଛ ପୋଖରୀରୁ ତାଜା ମାଛ ଖାଉଛି । ରତନୀ ବୁଢ଼ୀ ରୋଜ ଆସି ଘର କାମ ସବୁ କରିଦେଇ ଯାଉଛି । ମୋତେ ବଡ଼ ଆରାମ । ନାତି ସହ ଖାଲି ଖେଳ ଚାଲୁଛି ଆମର । ଜାଣୁ ସେଇ ଭୁବନେଶ୍ୱରରେ ମନ ଭାରି ଚିଟା ଲାଗୁଥିଲାରେ । ଏଠି ଖୋଲା ମେଲାରେ ବେଶ ସୁଖ । ତୋ ପୁଅ ଚୁଡ଼ା , ଛେନା ଆଉ ଗୁଡ଼ ଚକଟା ଖାଉଛି ଭାରି ଖୁସିରେ । ଆଇବୁ ଯେବେ ଦେଖିବୁ ମାସ ଦୁଇଟାରେ ଦେହ ବାଗେଇ ଗଲାଣି । ''

ମୁଁ କ'ଣ କହିବି ବୁଝିପାରୁନି ଆଉ । ବୋଉ ଯାହା ଯାହା କହିଲା ସବୁ ସତ । ଆମ ଗାଁର ଜୀବନ ଆଉ ଏଇ ସହରର ଆପାର୍ଟମେଣ୍ଟ ଭିତରେ ବହୁତ ଫରକ । ସଜଳ ,ମୁକ୍ତ , ମଣିଷ ସବୁ ଗାଁରେ । ପୁଅ ସେଠି ପାଇବ ଶୁଦ୍ଧ ଖାଦ୍ୟ , ପାଣି , ପବନ ଆଉ ସୁଖରେ ବଞ୍ଚିବାର ପ୍ରଚୁର ସୁଯୋଗ। ଆମେମାନେ ସଭିଏଁ ସେଇଠି ମଣିଷ ହେଇ ଆଜି ନିଜ ନିଜର ସ୍ୱତନ୍ତ୍ର ପରିଚୟ ତିଆରିଛୁ । ପୁଅ ସେଠି ରହିଲେ ସତରେ କିଛି ସମସ୍ୟା ନାହିଁ । ସେ ମଧ୍ୟ ହେବ ସ୍ୱାବଲମ୍ବୀ ଠିକ ସେମାନଙ୍କ ପରି । କିନ୍ତୁ ରୁଚିକୁ କେମିତି ବୁଝେଇବ ମଣିଷ ?.........

ଯେବେ ଭାବିବ ମଣିଷ , ବୋଉ ନିଜ ଦିଗରୁ ଠିକ ଆଉ ରୁଚି ମଧ୍ୟ ଠିକ । ସେ ମା'ଟେ ତେଣୁ ତା'ର ଅଧିକାର ଅଛି । ଆଉ ବୋଉ ଜେଜୀ ମା' ତା'ର ମଧ୍ୟ ଗୋଟେ ମୋହ ଅଛି । ଛୁଆଟି ବେଳୁ ସେ କରିଛି । ପୁଅ ଯେପର୍ଯ୍ୟନ୍ତ ରୁଚି ଉପରେ ନିର୍ଭରଶୀଳ ଥିଲା ସେମାନେ ରହିଲେ ଏବେ ପୁଅର ଆବଶ୍ୟକତା ନାହିଁ ତେଣୁ ସେମାନେ ଗାଁରେ ରହିବାରେ କୌଣସି ସମସ୍ୟା ନାହିଁ ।

ମୁଁ ଫୋନ୍ ରେ ବୋଉକୁ ବୁଝେଇଲି , '' ଘର କାମ ବାହାନାରେ ଆସିଥିଲ ତୁମେ ଦୁହେଁ । ଏବେ ଏମିତି ପ୍ରସ୍ତାବ ଦେଲେ କେମିତି ଚଳିବ । ରୁଚି ପୁଅକୁ ଛାଡି କେମିତି ରହିବ ବୋଉ ?''

ବୋଉ ଭଲ ଉତ୍ତର ଦେଲା , '' ତୁ ଆସି ପୁଅକୁ ନେଇଯା । ନନା ଅବୁଝା ହେଉଛନ୍ତି । ବୋହୁ କହୁଥିଲା 'ଡେ ବୋର୍ଡ଼ିଂ' ରେ ରଖିଦେଵ । ସେଇଆ କର ଆଉ କିଛି କହନା ।''

ଏବେ ମୋ ପାଖରେ ଆଉ କିଛି ଦ୍ୱନ୍ଦ୍ୱ ନଥିଲା । ରୁଚିକୁ ଫୋନ୍ କରି ଜଣେଇଲି । ଆଉ ଯଥା ସମ୍ଭବ ଚେଷ୍ଟା କଲି ଏଇତକ ବୁଝେଇବାକୁ ,'' ଡେ ବୋର୍ଡିଂ ସୁବିଧା ଅଛି , ସେଇଆ କର । ନନାଙ୍କୁ ବୁଝେଇ ହେବନି ଆଉ । ତୁମେ ଯାଇ ପୁଅକୁ ନେଇଆସ । "

ରୁଚି ବ୍ୟସ୍ତ ହେଲା ବହୁତ , ନନାଙ୍କ ଉପରେ ବିରକ୍ତ ମଧ୍ୟ ହେଲା ଖୁବ୍ । କିନ୍ତୁ କିଛି ଉପାୟ ନଥିଲା । ସେ ଜାଣି ଥିଲା ନନା ନିଜ ହିସାବରେ ଠିକ । ପୁଅ ଏବେ ଆଉ ଖୋଜୁନି ମା' କୁ । ଜେଜୀ ପାଖରେ ତା'ର ସବୁ ଅଳି ଅର୍ଦଳି । ସ୍କୁଲ ପାଠ ଆରମ୍ଭ ପର୍ଯ୍ୟନ୍ତ ସେ ଗାଁରେ ରହିଲେ କିଛି ସମସ୍ୟା ନାହିଁ । ପାଠ ଆରମ୍ଭ ହେଲେ ଆସିଯିବ ପୁଣି ଭୁବନେଶ୍ୱର । ପ୍ଲେ ସ୍କୁଲ ଅଛି ଗାଁରେ ସେଇଠି ଚଳିଯିବ କାମ ।

କିନ୍ତୁ ରୁଚିର ଯୁକ୍ତି ମଧ୍ୟ ବେଶ ବଳିଷ୍ଠ । ପୁଅକୁ ସେଠି ରଖିଲେ ସେ ଗାଁ ପିଲା ହେଇଯିବ । ସହରର ଚାଲି ଚଳନ ଶିଖିବନି । ଏଠି ଆସି ଆଡଜଷ୍ଟ କରିବା କଷ୍ଟ ହେବ । 'ବଚପନ୍ ' କି 'କିଡ୍ .ଜି ' ଷ୍ଟାଣ୍ଡର୍ଡର ସ୍କୁଲ ପାଇବ ନାହିଁ । ମୋଟା ମୋଟି ଭାବେ ପିଲାଟା ଠିକ ସେ ଗଢି ହେବନି । ଆମ ସମୟ ଆଉ ଆଜିର ସମୟ ଭିତରେ ବେଶ ପାର୍ଥକ୍ୟ । ସେ ଗାଁ ରେ ରହିଲେ ହେୱାର୍ଡ଼ ହେଇଯିବ । ଆମ ପିଲାବେଳ ଜୀବନ ସହ ପୁଅର ଆଜିର ଜୀବନ ସମାନ ନୁହେଁ କେବେ !......

ରୁଚି ମୋତେ ଘୋଷାଡିଲା ଆସ , ଆଉ ଥରେ ଚେଷ୍ଟା କରିବା । ଆମର ଲୋଡ଼ା ପୁଅ ନିଜ ଜେଜେ ଆଉ ମା' ସହ ରହୁ । 'ଡେ ବୋର୍ଡିଂ ' ଭଲ ଯେ କିନ୍ତୁ ନିଜ ପରିବାରର ଆକର୍ଷଣ ଭିନ୍ନ ।

*****************

ଦିଲ୍ଲୀରେ ବସି ଏସବୁ ଆଡୁଆ ତୁଟେଇବା ଅସମ୍ଭବ । ଆସିଲି , ବାଧ୍ୟ ହେଇ ଆଶା ଆଶଙ୍କା ଭିତରେ । ନନାଙ୍କୁ ବୁଝେଇବା ଯାହା ମୋ ଦେଇ କେବେ ହେଇନି ସେଇ କାମ କରିବାକୁ । ବଡ଼ ଭୟ ଲାଗୁଥିଲା କାରଣ ମୁଁ ଏବେ ନନା ଆଉ ରୁଚି ମଝିରେ ଫସିଥିଲି । ରୁଚିକୁ ବି କୋଉ ବୁଝେଇ ପାରିଛି କେବେ ! " ଅଯୋଗ୍ୟ ମୁଁ ସତରେ" ଏଇ କଥା ପଦକ ଗୁଡେଇ ତୁଡେଇ ବ୍ୟସ୍ତ କରୁଥିଲା ଭୟଙ୍କର ଭାବରେ ।

ଉଭୟ ଗଲୁ ଗାଁକୁ ବଡ଼ ଅଶ୍ୱସ୍ତିକର ପରିବେଶରେ । ରୁଚି ମୋତେ ରାସ୍ତା ସାରା ଯାବତୀୟ ପ୍ରକାରର ଶୁଣେଇଲା । ଯେମିତି କି ମୋତେ ଜମା ବାହା ହବାର ନଥିଲା । ମୋର ସନ୍ୟାସ ନେଇ ଯିବାର ଥିଲା । ମୁଁ ଯଦି କିଛି କରିବାକୁ ଅସମର୍ଥ ତେବେ ଜଙ୍ଗଲକୁ ଯିବି ତପସ୍ୟା କରିବି । ଏଠି ରହିବି କାହିଁକି । ଏଠି ରହିଲେ ସବୁ ପଙ୍ଗା ନେବାକୁ ହବ । ସିଧା ସିଧା କଥା ରୁଚିର । ଆଉ ମୁଁ ପଦେ କହିବାକୁ ହଜାର ଥର ଭାବୁଥିବି ! ........

କାନରେ ତୁଳା ଦେଇ ଆସିବାର ଥିଲା , ସତରେ କାନ ଦୁଇଟା ବିକଳ ହେଇଗଲେଣି ଶୁଣି ଶୁଣି । କିନ୍ତୁ କିଛି ଉପାୟ ନାହିଁ । ମଣିଷ ଅନେକ ସମୟରେ ତ୍ରିଶଙ୍କୁ ହେଇଯାଏ ଏମିତି !......

ବୋଉକୁ ପ୍ରଥମେ ଦେଖନ୍ତି କି - ଏତକ ମନେ ମନେ ଘଷୁଥାଏ ମୁଁ । ବୋଉ ସମ୍ଭାଳି ନିଏ ସବୁବେଳେ । ଆଉ ସତକୁ ସତ ବୋଉ ମିଳିଗଲା ଦାଣ୍ଡ ଦୁଆରେ , ଅଭିନବ ଦୃଶ୍ୟଟେ ସହ । ପୁଅ ମୋର ଜେଜେଙ୍କ କାନ୍ଧରେ ବସିଥିଲା ଆଉ ବୋଉ ବୁଲେଇ ବୁଲେଇ ଖୋଉ ଥିଲା ଦୁଧ ଭାତ । କେଡେ ନିର୍ମଳ ହସ ମୋ ପୁଅର ଆଉ କେଡେ ମଧୁର ଭାବ ବୋଉ ଆଉ ନନାଙ୍କର । ଭାରି ମାୟା ଲାଗିଲା । ଏଇଠୁ ନେଇ ମୁଁ ତାକୁ ନିର୍ଜୀବ 'ଡେ ବୋର୍ଡିଂ' ରେ ରଖିବି କେମିତି ,ଭାବୁଥିଲି ମନେ ମନେ ! ରୁଚି ମୁଣ୍ଡିଆ ମାରିଲା ଆଉ ବୋଉ ମୋତେ କୁଣ୍ଢେଇ ପକେଇଲା । ଲୁହ ଟଳମଳ ଆଖିରେ ଅନେଇଲା ମୋତେ ଆଉ କାନରେ କହିଲା , " ନନାଙ୍କୁ କହିଛି ତୋ କଥା, ନେଇଯିବୁ ତୁ ପୁଅକୁ ହେଲା !''

ମୋ ପୁଅ କିନ୍ତୁ ସେମିତି ବସିଥିଲା ଜେଜେଙ୍କ କାନ୍ଧରେ । ଭୁଲି ଯାଇଛି ଯେମିତି ଆମ ଦୁହିଙ୍କ କଥା , ସେମିତି ଭାବ ତା ଆଖିରେ । ରୁଚି ଡାକିଲା , " ଆ ବେଟା , ତୋ ପାଇଁ କିଣ୍ଡରଜୟ ଆଣିଛି।" ପୁଅ ସେଇଟାକୁ ଭାରି ଭଲ ପାଏ । କିନ୍ତୁ ଆଜି ଆସିଲା ନାହିଁ । ବସିଲା ସେମିତି ଜେଜେଙ୍କ ଉପରେ । ମୁଁ ତ ସବୁବେଳେ କୁଣିଆ , ରୁଚି ଯେଉଁଠି ଫେଲ ମୋ କଥା ପଚାରେ କିଏ !.......

ପୁଅ ଭିତରେ ମୁଁ ଆବିଷ୍କାର କଲି ନିଜର ଅତୀତ । ଲାଗିଲା ନନାଙ୍କ ବୟସ କମି ଯାଇଛି ଆଉ କାନ୍ଧରେ ମୁଁ ବସିଛି । ସେଇ ନିର୍ମଳ ସୁଖ ଚୋରେଇବାକୁ ଇଚ୍ଛା ନଥିଲା ଟିକିଏବି !.......

ସୌମ୍ୟା ଶୁଭଦର୍ଶିନୀ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଜଗତସିଂହପୁର

ଦୂରଦୃଷ୍ଟି ବୟସ ସ୍ୱପ୍ନ

Rate the content


Originality
Flow
Language
Cover design

Comments

Post

Some text some message..