Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଡାକବଙ୍ଗଳା
ଡାକବଙ୍ଗଳା
★★★★★

© Arabinda Rath

Thriller Tragedy

12 Minutes   14.5K    22


Content Ranking

---ବାବୁ ଆପଣଙ୍କୁ ପିଲା ଦିନେ ଏ କାନ୍ଧରେ ବସେଇ କେତେ ବୁଲେଇଛି। ବଜାର ନେଇଛି, ଯାତ୍ରା ଦେଖେଇ ନେଇଛି। ଆପଣଙ୍କର ମନେ ନ ଥିବ। ବଡ ବାବୁ ପରା ଏଇ ସହରରେ ହାକିମ ଥିଲେ। ମୁଁ ତାଙ୍କ ପିଅନ ଥିଲି। ମୋତେ କେତେ ଭଲ ପାଉଥିଲେ ସେ। ଚାକିରିରୁ ଅବସର ନେଇ ସାରିଲିଣି ମୁଁ ଆଜିକୁ ୫ ବର୍ଷ ହେଲାଣି। ଯେତେ ବେଳେ ଜାଣିଲି ଆପଣ ଏଠିକୁ ହାକିମ ହୋଇ ଆସୁଛନ୍ତି। ଆଉ ରହି ହେଲାନି, ଦଉଡି ଚାଲି ଆସିଲି।

ସହରଠୁ ଦୂର ଏ ଗାଁ ରେ ପ୍ରଥମ ଲୋକ ସହ ମୋର ସାକ୍ଷାତ। ଅତି ପରିଚିତ ପରି ସେ ମୋ ସହ କଥାବାର୍ତ୍ତା ଆରମ୍ଭ କରିଦେଲା। ମୁଁ ନିଜେ ବି ଜାଣି ପାରୁ ନ ଥାଏ, ମୁଁ ତ ଆସିବା କଥା କେହି ବି ଜାଣି ନାହାନ୍ତି ତେବେ ଏ କେମିତି ଜାଣିଲା। ମୁଁ ସହାସ୍ଯ ବଦନରେ ତାକୁ ପଚାରିଲି-

--- ମୁଁ ଯେତେ ମନେ ପକେଇଲେ ବି ଜାଣି ପାରୁନି। ନିଜ ପରିଚୟ ଟିକେ ଦେଲେ କାଳେ ଜାଣି ହୁଅନ୍ତା।

ବୁଢା ଲୋକଟି ହସିଲା।

--- କହିଲା ହଁ ବାବୁ ସତ କହୁଛ। ମୁଁ ନିଜ ପରିଚୟ ନ ଦେଇ କେତେ କଣ ଗପି ଗଲିଣି। ମୋ ନାମ ସୁଦାମ। ଆପଣଙ୍କ ବାପା ଯେତେ ବେଳେ ଏଇ ଯାଗାରେ ହାକିମ ଥିଲେ ମୁଁ ତାଙ୍କରି ପାଖରେ ଥିଲି। ତୁମେ ବହୁତ ସାନ ହୋଇଥିଲ। କିଛି ବି ମନେ ନ ଥିବ।

ମୋର ସେ ଲୋକର କଥାରେ ବିଶ୍ବାସ କରିବା ଛଡା ଅନ୍ଯ ଗତି ନଥିଲା। କାରଣ ମୋ ବାପା ଆଜିକୁ ୩୦ ବର୍ଷ ତଳେ ଏ ଜାଗାରେ ଥିଲେ। ସେତେ ବେଳର ଲୋକ କିଏ କୁଆଡେ ମରି ହଜି ଗଲେଣି। ନୂଆ ଜାଗାକୁ ଆସି ଏ ଲୋକ ବିଷୟରେ ବେଶି ଖୋଳତାଡ କଲେ ଲୋକେ ହସିବେ। ସେମିତି ବି ଏ ଜାଗାଟି ଆଦିବାସୀ ଅଧ୍ଯୁଷିତ। ବଣ ଜଙ୍ଗଲ ଘେରା ଜାଗାଟିର ଲୋକ ସଂଖ୍ଯା ବି କମ। ସବୁଠାରୁ ବଡ କଥା ହେଲା ମୋ ଚାକିରି କାଳରେ ମୁଁ କେବେ ବିି ଏମିତି ଯାଗାରେ ପୋଷ୍ଟିଙ୍ଗ ପାଇନି। ମନରେ ଶଙ୍କା ହେବା ସ୍ବାଭାବିକ। ବାପା ମାଆ ଚାଲି ଗଲେଣି ବହୁତ ଦିନରୁ। ଘରେ ମୋର ସ୍ତ୍ରୀ ଓ ପୁଅ ଝିଅ। ଏମିତି ଯାଗାକୁ ବଦଳି ହେଲା ଯେ ସେମାନଙ୍କୁ ଆଣି ଆସିବା ବି ସମ୍ଭବ ନୁହଁ। ନା ସ୍କୁଲ ଅଛି ନା ଡାକ୍ତରଖାନା। ଏମିତି ଭାବନାର ସୁଅରେ ଭାସି ଗଲା ବେଳେ କାହାର ଡାକରେ ପ୍ରକୃତିସ୍ଥ ହେଲି।

ପଛକୁ ବୁଲି ଦେଖିଲି ୨ ଜଣ ଲୋକ ମୋତେ ନମସ୍କାର କରୁଛନ୍ତି। ସେମାନେ କହିଲେ--

--- ସାର୍ ଆସିବାରେ ଟିକେ ଡେରି ହେଇଗଲା।

ତୁମେ କିଏ ବୋଲି ପଚାରିବାରୁ ଉତ୍ତର ଦେଲେ--

---ଆମେ ଅଫିସର କର୍ମଚାରୀ ଆଜ୍ଞା। ମୋ ଆଖି ସେ ଲୋକଟିକୁ ଖୋଜୁଥିଲା। ମାତ୍ର ସେ ଜାଗାରେ ଆମ ତିନି ଜଣଙ୍କ ଛଡା ଆଉ କେହି ନ ଥିଲେ।

ମୁଁ ବି ଆସିଥିବା କର୍ମଚାରୀଙ୍କୁ କିଛି ପଚାରିଲିନି। ମନେମନେ ଭାବିଲି କାଳେ ସେମାନେ କଣ ଭାବିବେ।

କ୍ବାର୍ଟରର ବ୍ଯବସ୍ଥା ନାହିଁ। ତେଣୁ ଡାକବଙ୍ଗଳାରେ ରହିବାର ବ୍ଯବସ୍ଥା କରାଯାଇଛି। ଏ ଯାଗାରେ କାମର ବୋଝ ଅପେକ୍ଷାକୃତ କମ। ତେଣୁ ବିଶେଷ ଅସୁବିଧା ହବନି ବୋଲି ମନେମନେ ଭାବିଲି।

ସଞ୍ଜ ନଇଁ ଆସୁଥିଲା। କଣଟିକେ ରୋଷେଇ କରିଦେଇ ଲୋକ ଦୁଇଟି ଯିବାକୁ ବାହାରିଲେ। ମନେମନେ ଭାବିଲି ଅଜବ ଲୋକ ତ। ମୁଁ ନୂଆ ଆସିଛି ଏ ଯାଗାକୁ। ମୋ ମନରେ ଭୟ ଥିବ ବା କଣ ଥିବ ସେ ବିଷୟରେ କିଛି ନ ପଚାରି ଲୋକ ଦିଟା ଯିବାକୁ ବାହାରିଲେଣି। ମୋ ମନର ପ୍ରଶ୍ନକୁ ଠିକ ବୁଝିପାରି ସେମାନେ କହିଲେ--

---ଆଜ୍ଞା ସଞ୍ଜ ନଇଁଲେ ଏ ଜାଗାରେ କାଉ କୋଇଲିର ରାବ ନାହିଁ। ଘରେ ଆମର ସ୍ତ୍ରୀ ପିଲା ଛୁଆ ବ୍ଯସ୍ତ ହୋଇଯିବେ। ଜଙ୍ଗଲ ଜାଗା ତ। ତେଣୁ ବେଳ ହୁଁ ଯିବାକୁ ହବ। କାଲି ସକାଳେ ଆମେ ପହଞ୍ଚି ଯିବୁ। ରୋଷେଇ କରିଦେଲେ ଖାଇ ଆପଣ ଅଫିସ ଯିବେ। ମୋ ମନରେ ଭୀଷଣ ବିରକ୍ତି ଥିଲା। ମାତ୍ର କୌଣସି ମତେ ନିଜକୁ ସଞ୍ଜତ କରିନେଲି। ଗମ୍ଭୀର ଗଳାରେ କହିଲି -

---ହଉ ତୁମେ ଆସିପାର।

ମୋ କଥା ସରିଛି କି ନାହିଁ ଲୋକ ଦୁଇଟି ସେ ଜାଗା ଛାଡି ପଳାଇଲେ। ମୋ ମନରେ ପାପ ଛୁଇଁଲା। କଣ ପାଇଁ ଲୋକ ଦି ଟି ଏମିତି ପଳେଇଲେ ତରତର ହୋଇ।

ଡାକ ବଙ୍ଗଳାଟି କୌଣସି ଭୁତ ସିନେମାର କୋଠରୀ ପରି ଦିଶୁଥାଏ। ଛାତରୁ ଠାଏଠାଏ ସିମେଣ୍ଟ ଛାଡି ବଡ ବିକୃତ ଦିଶୁଥାଏ। ମିଞ୍ଜିମିଞ୍ଜି ଆଲୁଅରେ ନିଜ ମୁହଁ ଦେଖିବା ବି ମୁସ୍କିଲ। ଏ ଜାଗାରେ ଲାଇନ ଅଛି ବଡ କଥା। ମୁଁ ତ ଶୁଣି ଥିଲି ଯେ ଏଠି ଦିନଦିନ ଧରି ଲାଇନ ରୁହେନି ବୋଲି। ଘଣ୍ଟା ଦେଖିଲି ସମୟ ଜମା ସାତ ଟା। ଏତେ ଶୀଘ୍ର ଖାଇବା ମୋ ଜାତକରେ ନାହିଁ। ମୋବାଇଲ ସିଗନାଲ ବି ନାହିଁ। ତେଣୁ କାହା ସହ କଥା ହେବାର ପ୍ରଶ୍ନ ବି ନାହିଁ। ଘରେ କେମିତି ଗୋଟେ ଅଣନିଶ୍ବାସୀ ହେବାର ଅନୁଭୁତି ମୋତେ ଗ୍ରାସ କରି ଚାଲିଥିଲା। ମନେମନେ ଭାବିଲି ସୁଦାମ କଥା। ସେ ଲୋକ ଟି ମୋ ବାପାଙ୍କ ପ୍ରତି ଥିବା ଆନୁଗତ୍ଯ ଦେଖାଇବାକୁ ମୋ ପାଖକୁ ଚାଲି ଆସିଲା, ମାତ୍ର ମୋର କର୍ମଚାରୀମାନେ ମୋତେ ଛାଡି ଚାଲିଗଲେ। ମୁଁ କିନ୍ତୁ ନିରୁପାୟ। ଚାକିରି କରିଛି ଯେତେବେଳେ ଦୁଃଖ ସହିବାକୁ ହବ। ବହୁତ କଥା ମନକୁ ଆସିବା ସହ ମୁଁ ଦେଖୁଥାଏ ସେ ଡାକ ବଙ୍ଗଳାଟିକୁ। ଘରର ଅବସ୍ଥା ନାହିଁ। କାହିଁ କେତେ ଦିନରୁ କିଛି ମରାମତି କାମ ନ ହେବା ପରି ଜଣା ପଡୁଛି। ଘର ଭିତରେ କେମିତି ଏକ ପଚା ଗନ୍ଧ ମୋତେ ବ୍ଯତିବ୍ଯସ୍ତ କରି ପକାଉଥାଏ। ଯଦି ଏ ଜାଗାରୁ ବାହାରି ଅନ୍ଯ କେଉଁ ଠାରେ ରହି ହୁଅନ୍ତା ମୁଁ ଅବିଳମ୍ବେ ଚାଲିଯାଆନ୍ତି। କିନ୍ତୁ ସେମିତି ଚମତ୍କାର ହେବାର କିଛି ବି ଆଶା ନାହିଁ। ଏ ଯାଗାରେ ହୋଟେଲ କଣ ଲୋକ ଜାଣି ନାହାଁନ୍ତି। ଏଠାରୁ ପଚାଶ କିଲୋମିଟର ଦୂରରେ ଏକ ଛୋଟ ସହର। ସେ ଯାଗାର ବି ଅବସ୍ଥା ଭଲ ନାହିଁ। ତେଣୁ ବେଶୀ ଚିନ୍ତା ନ କରି ମନସ୍ଥ କଲି ଯାହା ବି ହେଉ ଏଠି ରହିବାକୁ ହବ। ନିଜ ପ୍ଯାଣ୍ଟସାର୍ଟ ସଜାଡି ରଖିଲି। ଟେବୁଲ ଉପରେ ବାପାମାଆଙ୍କର ଫଟୋ ଥୋଇ ମୁଣ୍ଡିଆ ମାରି କହିଲି--

---- ଏ ଜାଗାରେ ମୋତେ ଡର ଲାଗୁଛି ମୋ ପାଖେପାଖେ ରୁହ ସଦାବେଳେ।

ପିଲା ଦିନେ କାଳେ ମୁଁ ଡରିବି ବୋଲି ସଦାବେଳେ ମୁଁ ବାପାଙ୍କ ପାଖରେ ଗୁଞ୍ଜି ହୋଇ ବସିଥାଏ। ଅନ୍ଧାରକୁ ମୋର ଭୀଷଣ ଡର। ଭୂତପ୍ରେତଙ୍କ ନାମ ଶୁଣିଲେ ମୋ ଅବସ୍ଥା ଖରାପ ହୋଇଯାଏ। ବୟସ ବଢିବା ସାଙ୍ଗରେ ମୁଁ ଭୂତ ଗପ ପଢେ ଓ ସିନେମା ବି ଦେଖେ। ମାତ୍ର ମନ ଭିତରେ ଲୁଚି ରହି ଥିବା ପିଲା ଦିନର ସେ ଡର ଏବେ ବିି ମୋତେ ଗ୍ରାସ କରି ରଖିଛି। ପ୍ରାୟ ସବୁ ଗପ ବା ସିନେମାରେ ଡାକବଙ୍ଗଳା ଗୁଡିକ ଅଭିଶପ୍ତ। ଆତ୍ମା ମାନେ ଆଉ କିଛି ଯାଗା ନ ପାଇଲା ପରି ଡାକବଙ୍ଗଳାକୁ ନିଜର ଆଡ୍ଡା କରି ରଖିଥାଆନ୍ତି।

ହଠାତ୍ କବାଟରେ ଠକ୍ ଠକ୍ ଆଓ୍ବାଜ୍ ଶୁଭିଲା। ମୋ ତଣ୍ଟି ଶୁଖିଗଲା ପରି ଲାଗିଲା। ଏତେ ରାତିରେ କିଏ ହେଇପାରେ। ଏ ବଙ୍ଗଳାରେ ତ ଚୌକିଦାର ନାହିଁ। ମୋ ଷ୍ଟାଫ୍ ମାନେ ତ କେତେ ବେଳୁ ଚାଲି ଗଲେଣି। ତେବେ କିଏ ସେ ଆଗନ୍ତୁକ ?

ଭୟ ମିଶ୍ରିତ ଗଳାରେ ପଚାରିଲି କିଏ ସେ। କାହାକୁ ଖୋଜୁଛ।

---- ବାବୁ ମୁଁ ସୁଦାମ। ସବୁ ସୁବିଧା ହେଲା କି ନାହିଁ ଦେଖିବାକୁ ଚାଲି ଆସିଲି।

ମୋ ଜୀବନ ରହିଗଲା ପରି ଲାଗିଲା। ଆସିଲା ବେଳକୁ ଯାହାକୁ ମୁଁ ନ ଚିହ୍ନିବା ପରି ଅଭିନୟ କରୁଥିଲି, ସେ ମୋର ତ୍ରାଣକର୍ତ୍ତା ହୋଇ ଆସିଗଲା।

----ଆରେ ସୁଦାମ ଆସ ଆସ। ମନେ ମନେ ତୁମକୁ ଖୋଜୁଥିଲି। ମୋ ପାଟିରୁ ଏତିକି କଥା ମୋ ଅଜାଣତରେ ବାହାରି ଗଲା।

– ଥାଉ ବାବୁ ମୁଁ ଏଇଠି ଅଛି। ସବୁ ସୁବିଧା ହେଲା ତ ?

ମୁଁ ହସି କହିଲି ତୁମେ ଆସିଗଲ ଆଉ କଣ ସୁବିଧା ଦରକାର। ଏ ଜାଗାଟା ମୋତେ ବଡ ଅବାଗିଆ ଲାଗୁଛି। ଜମା ରହିବାକୁ ମନ ହଉନି। କେମିତି ମୁଁ ଏ ଯାଗାରୁ ବଦଳି ହୋଇ ଯିବି ଖାଲି ସେଇ କଥା ଭାବୁଛି।

ମୁଣ୍ଡ ଉଠେଇ ଦେଖିଲି ସୁଦାମ ମୋ ବାପା ମାଆଙ୍କର ଫଟୋକୁ ମୁଣ୍ଡିଆ ମାରୁଛି। ମୁଁ କହିଲି ତୁମେ ସେମାନଙ୍କୁ ଚିହ୍ନିଗଲ।

----- ସେମାନେ ମୋ ଭଗବାନ ବାବୁ। ପିଲା ଦିନେ ବଡବାବୁ ମୋତେ କୁହନ୍ତି--

---ସୁଦାମ, ମୋ ପୁଅର ଦାୟିତ୍ବ ତୁମକୁ ଲାଗିଲା। ବଡ ଦୁଷ୍ଟ ସିଏ। ତାକୁ ଯତ୍ନରେ ରଖିବ। ଆଉ ସେ ଟିକେ ଡରୁଆ। ତାକୁୁ ଟିକେ ସାହାସୀ କରିବା ତୁମର କାମ।

----ବାବୁ, ତୁମକୁ ସାହସୀ କରିବାକୁ ମୁଁ କେତେ ବାଟ କରିଛି। ଜଙ୍ଗଲରେ ନେଇ ଜନ୍ତୁ ଦେଖେଇଛି। ଅସରନ୍ତି କାହାଣୀ ବି କହିଛି। ତୁମେ ବହୁତ ସାନ ଥିଲ। ଅଧିକାଂଶ ସମୟ ମୋ ପାଖରେ ହିଁ ବିତଉଥିଲ।

ସୁଦାମର କଥାରେ ଆତ୍ମୀୟତା ଥିଲା। ସେ ନିଜର ଘର ଲୋକ ପରି ଲାଗିବାକୁ ଲାଗିଲା। ବଡ ସଙ୍କୋଚରେ କହିଲି--

---- ସତ କଥା କହିଲେ ମୋତେ ଏ ଘରେ ଡର ଲାଗୁଛି। ପିଲା ଦିନେ ଯେମିତି ସାହାସୀ କରେଇଥିଲ ସେଇ କଥା ମନେ ପକେଇ ଆଉଥରେ ସାହାସୀ କରିଦିଅ।

ସୁଦାମ ହସିଲା। କହିଲା ବାବୁ, ମୁଁ ତୁମ ପାଖେ ଅଛି ସଦା ବେଳେ। ତୁମେ ମନେ ପକେଇଲେ ମୁଁ ହାଜର ହୋଇଯିବି। ଏଇ ପାଖରେ ମୁଁ ରହୁଛି। ଜମା ଡରନି। ତୁମେ ଡାକିଲେ ମୁଁ ପଳେଇ ଆସିବି। କିନ୍ତୁ ଗୋଟେ ଅନୁରୋଧ ରଖିବ ମୋର।

ମୁଁ ଆସିବା କଥା କାହାକୁ କହିବନି। ନ ହେଲେ ମୋର ବଡ ଅସୁବିଧା ହୋଇଯିବ।

ମୁଁ କହିଲି ଆରେ ନାଁ, ମୁଁ କଣ ପାଇଁ କହିବାକୁ ଯିବି। ଏଠିକାର ଷ୍ଟାଫ୍ ମାନଙ୍କର ପ୍ରକୃତି ମୁଁ ଜାଣି ସାରିଲିଣି। ତୁମେ ବରଂ ମୋ ନିଜର। ତୁମେ ଆଶ୍ବସ୍ତ ରୁହ। ମୁଁ କାହାକୁ କିଛି କହିବିନି।

ସୁଦାମ କହିଲା , ବାବୁ ତୁମ ପ୍ରତି ମୋର ଦାୟିତ୍ବ ଅଛି। ତୁମର ସୁରକ୍ଷା ମୁଁ କରିବି। ବଡବାବୁଙ୍କୁ ଦେଇଥିବା କଥା ମୁଁ କଣ ଭୁଲି ପାରିବି?

ତେବେ ମୁଁ ଆସୁଛି ବାବୁ। ଖାଇପିଇ ଶୋଇଯିବ। ଏତିକି କହି ସୁଦାମ ଅନ୍ତର୍ଦ୍ଧ୍ଯାନ ହୋଇଗଲା। ମୁଁ ତାକୁ ବିଦାୟ ଜଣାଇବାର ବି ଅବକାଶ ଦେଲାନି।

ମନରେ ଟିକେ ଦମ୍ଭ ଆସିଲା। ସୁଦାମ କହିଛି ଡାକିଲା ମାତ୍ରେ ପହଞ୍ଚିଯିବ। ତେଣୁ ମନରେ ଥିବା ଡର କମିଗଲା। ଖାଇପିଇ ଶୋଇବାକୁ ଆସିଲି। ଆଖିରେ ନିଦ ନାହିଁ। ସମୟ ରାତି ଏଗାରଟା। ଶୋଇବାର ସମୟ ପାଖାପାଖି ହୋଇ ଗଲାଣି। ବାପାମାଆଙ୍କ ଫଟୋକୁ ପ୍ରଣାମ କରି ମୁଁ ଶୋଇବାକୁ ସଜବାଜ ହେଲି।

ବାହାରୁ ଝିଙ୍କାରିର ଶବ୍ଦ ଅନବରତ ଚାଲିଥାଏ। ତା ସାଙ୍ଗକୁ ପୁରୁଣା କାଳିଆ ଫ୍ଯାନ୍ ର ଘଡଘଡ ଆଓ୍ବାଜ। ଆଖି ବନ୍ଦ କରିଛି କି ନାହିଁ, କାହାର ପାଦ ଶବ୍ଦ ମୋତେ ଶୁଭିଲା। ଯେମିତି କିଏ ଜଣେ ବ୍ଯସ୍ତ ହୋଇ ଚାଲୁଛି। ଆଖି ଖୋଲିବାର ସାହାସ ହେଲାନି। ମନର ଭ୍ରମ ବୋଲି ଭାବି ଚୁପଚାପ୍ ପଡି ରହିଲି। ପୁଣି ଶୁଭିଲା ଆସ୍ତେଆସ୍ତେ କଥା ହେବାର ଶବ୍ଦ। ତା ସାଙ୍ଗକୁ ପାଉଁଜି ର ରୁଣଝୁଣ୍ ବି ଶୁଭିଲା। ମୁଁ କିଛି ବୁଝି ପାରିଲିନି। ଫ୍ଯାନ୍ ଟି ଅଚାନକ ଭୀଷଣ ଶବ୍ଦ କରିବାରେ ଲାଗିଲା। ଯେମିତି କିଏ ଜଣେ ଝୁଲି ପଡିଛି ତା ଉପରେ। ଆଖି ଖୋଲି ଦେଖିଲି। ଫ୍ଯାନ୍ ଦୋଳାୟମାନ ଅବସ୍ଥାରେ ଅଛି।

---କିଏ ସେ ??? କିଏ ଅଛି ଘର ଭିତରେ। ଚିତ୍କାର କରି ଉଠିଲି ମୁଁ।

ସବୁ ଆଡ ନିସ୍ତବ୍ଧ। କେବଳ ଝିଙ୍କାରୀର ଶବ୍ଦ। ଘର ଭିତର ସାରା ପଚା ମାଂସର ଗନ୍ଧ ତୀବ୍ରତର ହେବାରେ ଲାଗିଛି।

ଭାବିଲି ବୋଧେ ଜଖମି ବିଲେଇ ବା ଅନ୍ଯ କିଛି ପଶୁ ଘର ଭିତରକୁ ପଶି ଆସିଛି। ଦୁଇ ଥର ହିସ୍ ହିସ୍ କରି ଅପେକ୍ଷା କଲି। ପୁଣି ଚାରିଆଡେ ମଶାଣିର ନିସ୍ତବ୍ଧତା। ପୁଣି ଶୋଇବାକୁ ଚେଷ୍ଟା କଲି। ଏଥର ଗାଧୁଆ ଘରୁ କାହାର କାନ୍ଦିବାର ଧ୍ବନି ଶୁଭିଲା। ଭଲରେ କାନେଇଲି। ଏକ ନାରୀ କଣ୍ଠ ବାରି ହୋଇ ପଡୁୁଛି। ହଠାତ୍ ଶୁଭିଲା ଗାଧୁଆ ଘରୁ ବାଲଟି ଫିଙ୍ଗିବାର ଶବ୍ଦ। ମୁଁ ଏଥର ସତରେ ଡରିଗଲି।

ଏତେ ରାତି ରେ କିଏ ହେଇପାରେ। କଣ ସବୁ ଚାଲିଛି ଏ ଘରେ। ମୋ ଚିନ୍ତାଶକ୍ତି ବାହାରେ ଥିଲା ସବୁ ବ୍ଯାପାର।

ଏ କଣ? ନାରୀଟିର କାନ୍ଦିବା ବଢିବାରେ ଲାଗିଛି। ଏଥର ମୁଁ ଉଠିଲି। ସବୁ ସାହାସ ସଞ୍ଚୟ କରି ଗାଧୁଆଘର ଆଡକୁ ପାଦ ବଢାଇଲି। ମୋତେ ଲାଗିଲା ଯେମିତି ମୋତେ କିଏ ତା ଆଡକୁ ଟାଣି ନେଉଛି। ପାଦ ମୋର ମନକୁ ମନ ଆଗେଇ ଚାଲିଥିଲା ସେ ଦିଗରେ। ଗାଧୁଆଘରେ ବିଜୁଳିବତୀ ବି ନାହିଁ। ପାଖରେ ଥିବା ଟର୍ଚ୍ଚ ଲାଇଟ୍ ମାରି ଦେଖିଲି। କେହି କୁଆଡେ ନାହାନ୍ତି। ମାତ୍ର ବାଲଟିଟି ଓଲଟି ପଡି ହଲୁଛି। ଯେମିତି ସାଙ୍ଗସାଙ୍ଗେ କିଏ ପକେଇ ଦେଇଛି। ଅନୁଭବ କଲି କିଏ ଜଣେ ମୋ ପଛରେ ଠିଆ ହୋଇ ମୋତେ ଦେଖୁଛି। ଭୟରେ ମୋ ଦେହରେ ଶିହରଣ ଖେଳିଗଲା। ପଛକୁ ବୁଲି ଚାହଁବାର ସାହାସ ବି ନାହିଁ। ଆଖି ତଳକୁ କରି ଖଟ ପାଖକୁ ଆସିଲି। ବସିବି ନା ଶୋଇବି ଭାବିଲା ବେଳକୁ ଲାଗିଲା ମୋ ପାଖରେ କିଏ ଜଣେ ଶୋଇଛି। ଜଣେ ଶୋଇଲେ ଗଦି ଯେପରି ଚାପି ହୋଇଯାଏ ଠିକ ସେମିତି ମୋ ଶୋଇବା ଯାଗାର ପାଖରେ ଗଦି ଚାପି ହୋଇ ରହିଛି। ଘର ଭିତରେ କିଏ ଜଣେ ରହିବାର ଅନୁଭବ ବେଳକୁ ବେଳ ବଢିଚାଲିଲା। ଆଖି ବନ୍ଦ କରି ପଡିବା ଛଡା କିଛି ଅନ୍ଯ ଉପାୟ ନ ଥିଲା। ମୋତେ ଲାଗିଲା କିଏ ଜଣେ ମୋ ମୁଣ୍ଡରେ ହାତ ବୁଲାଇବାରେ ଲାଗିଛି। କେମିତି ଏକ କର୍କଶ ସେ ସ୍ପର୍ଶ। ମୁଁ ଜାଣି ପାରୁଥାଏ ବରଫ ପରି ଥଣ୍ଡା ଏକ ହାତ ମୋ କେଶ ଗୁଡିକୁ ତରଙ୍ଗାୟିତ କରିବାରେ ବ୍ଯସ୍ତ। ହଠାତ୍ ଲାଗିଲା କିଏ ଜଣେ ମୋ ତଣ୍ଟି ପାଖରେ ହାତ ରଖି ଚାପ ପ୍ରୟୋଗ କରିବାରେ ଲାଗିଛି। ଅନ୍ଯ ଉପାୟ ନ ପାଇ ଆଖି ଖୋଲି ଯାହା ଦେଖିଲି ତାହା ବର୍ଣ୍ଣନନୀୟ। ମୋ ଆଗରେ ଏକ ନାରୀ ମୂର୍ତ୍ତି ଯାହାର ଦେହ କହିଲେ କେବଳ ହାଡର ସମାହାର। ଆଖି ଦୁଇଟି ନିଆଁ ରଡ ପରି ଜଳୁଛି। ଖପୁରୀ ଉପରେ କିଛି କେଶ ସେ ମୁହଁକୁ ଆହୁରି ବିଭତ୍ସ କରିଦେଇଥାଏ। ବେକରେ ପଡିଥାଏ ଏକ କଳା ମାଳି ଯାହା ସେ ନାରୀ ମୂର୍ତ୍ତିଟି ବିବାହିତ ବୋଲି ସୂଚିତ କରୁଥାଏ।

ମୋ ଆଖି ସେ ଜ୍ବଳନ୍ତ ଅଗ୍ନିପିଣ୍ଡୁଳା ପରି ଆଖି ଯୋଡିକ ସହ ମୁହାଁମୁହିଁ ହେବାପରେ ଶରୀରରେ ନିଥରତା ଅନୁଭବ କରିବାରେ ଲାଗିଲି। ମୋ ବେକ ଉପରେ ଚାପର ମାତ୍ରା ବଢି ଚାଲିଥିଲା। ଗଁ ଗଁ ହୋଇ ବଡ କଷ୍ଟରେ କହିଲି ସୁଦାମ........... ଆସ.......

ନିଜେ ମୁଁ ଦେଖିଛି ରେ ହାଡ କଙ୍କାଳର ସମାହାର ମୂର୍ତ୍ତିଟି ଏକ ପ୍ରକାର ଫିଙ୍ଗି ହୋଇପଡିଲା କାହାର ପ୍ରହାରରେ। କେବଳ ଏତିକି ଶୁଣି ପାରିଲି ମୁଁ “ ସମସ୍ତଙ୍କୁ ମାରିଦେବି କାହାକୁ ଛାଡିବିନି। ଏ ସହରି ବାବୁମାନଙ୍କ ପ୍ରାଣ ମୋ ହାତରେ ଯିବ। ହାଃ ହାଃ ହାଃ …....ବଡ ବିକଟାଳ ଓ କର୍କଶ ଥିଲା ସେ ସ୍ବର। ଏବେ ବି ମନେ ପଡିଲେ ଦେହରେ ଶୀହରଣ ଖେଳି ଯାଏ। ତା ସାଙ୍ଗକୁ ସୁଦାମର ଗମ୍ଭୀର ସ୍ବର ବି ଶୁଭୁଥିଲା।

ସେ କହୁଥିଲା

–--କେତେ ଜଣଙ୍କ ଜୀବନ ନେବୁ। ଏମାନେ ତୋର କଣ କ୍ଷତି କଲେ। ତୋର ଯିଏ ଦୋଷୀ ତା ଜୀବନ ନେଲା ପରେ ବି ତୋ ମନ ଶାନ୍ତ ହୋଇନି ଯେ ସମସ୍ତଙ୍କ ଜୀବନ ନେବାରେ ଲାଗିଛୁ। ମୋ ସାନ ବାବୁ ଦେହରେ ହାତ ମାରିଦେଲୁ। ତୋର ଏତେ ସାହାସ୍ । ଚାଲିଯା ଏ ଜାଗାରୁ। ନୋହିଲେ ଅବସ୍ଥା ଖରାପ କରିଦେବି।

ଗୁରୁ ଗମ୍ଭୀର ସ୍ବରରେ ପ୍ରକୃତିସ୍ଥ ହୋଇ ଦେଖିଲି ମୋ ଆଗରେ ସୁଦାମ ଠିଆ ହୋଇଛି। ମୁହଁରେ କୌଣସି ପ୍ରତିକ୍ରିୟାର ଚିହ୍ନବର୍ଣ୍ଣ ନାହିଁ। ମୋ ହାତ ଧରି ଏକ ପ୍ରକାର ଘୋଷାଡି ନେଲା ସେ। କହିଲା ଚାଲ ବାବୁ ଜଲଦି ପଳେଇବା ଏ ଯାଗାରୁ। ସେ ପୁଣି ଆସିବ। ଏଥର ଆସିଲେ ଆଉ ଛାଡିବନି। ବହୁତ ଶକ୍ତିଶାଳୀ ସେ। ମୋତେ ଘର ଭିତରୁ ଘୋଷାଡି ବାହାରକୁ ନେଇଗଲା।

ନିଜକୁ ଆବିଷ୍କାର କରି ଏକ ଭଙ୍ଗା କୁଡିଆରେ । ଚାରିଆଡେ ବୁଢିଆଣି ଜାଲର ସମାହାର। କୁଡିଆରେ ଜଳୁଛି ଏକ ଡିବିରି ବତୀ ଓ ଏକ ଦଦରା ମସିଣା ପଡିଛି। ସୁଦାମ କହିଲା

--- ବାବୁ କଷ୍ଟ ହବ ନିହାତି, ମାତ୍ର ଆଜି ରାତିରେ ଏଇ ଯାଗାରେ ରହି ଯା। ନୋହିଲେ ସେ ପିଶାଚୀ ଜମା ବି ଛାଡିବନି । ସେ ଏ ଯାଗାରେ ପଶି ପାରିବନି , ତୁମର ଡରିବାର କାରଣ ନାହିଁ।

ମୁଁ ପଚାରିଲି କିଏ ସେ ନାରୀ। କଣ ପାଇଁ ମୋତେ ମାରିବାକୁ ଚାହୁଁଥିଲା। କଣ ସବୁ ଚାଲିଛି।

କର୍କଶ ଗଳାରେ କହିଲା ସୁଦାମ ବାବୁ ସେ ପିଶାଚି ଆଉ କେହି ମୁହଁ ମୋ ଝିଅ ସୁମି।

ମୁଁ ତଟସ୍ଥ ହୋଇଗଲି। ମୋ କାନକୁ ବିଶ୍ବାସ ହେଉ ନ ଥିଲା।

---କଣ ତୁମ ଝିଅ????

ମୁଁ ବଡ ବ୍ଯସ୍ତ ହୋଇପଚାରିଲି।

-----ହଁ ବାବୁ ସେ ମୋ ଝିଅ। ତାରି ଜୀବନ ତୁମ ବାପା ବଞ୍ଚେଇ ଥିଲେ ଯେତେ ବେଳେ ସେ ଜନ୍ମ ହେଲା। ଜନ୍ମ ହେଲା ପରେ ତା ମାଆ ମରିଗଲା। ଝିଅର ଅବସ୍ଥା ଏପରି ଥିଲା ଯେ ତାକୁ ବଞ୍ଚେଇବା କଷ୍ଟ ଥିଲା। ସହରର ଡାକ୍ତର କହିଲେ ପଅପରେସନ ନ କଲେ ମୋ ଝିଅ ବଞ୍ଚିବନି। ସେତେ ବେଳେ ଅପରେସନ ପାଇଁ ଦରକାର ଥିଲେ କୋଡିଏ ହଜାର ଟଙ୍କା। ଯାହା ଯୋଗାଡ କରିବା ମୋ ପକ୍ଷରେ ନିହାତି ଅସମ୍ଭବ ଥିଲା। ମାତ୍ର ମୋ ଦେବତା ମାନେ ତୁମ ବାପା ସେତିକି ଟଙ୍କା ନିଜେ ଦେଇ ମୋ ଝିଅର ଅପରେସନ କରାଇଥିଲେ। ସେ ସମୟରେ କୋଡିଏ ହଜାର ଟଙ୍କା ଆଜିର ଲକ୍ଷ ଲକ୍ଷ ଟଙ୍କା ସହ ସମାନ। ମାତ୍ର କିଛି ବି ନ ଭାବି ମାଆ ନିଜ ଗହଣାକୁ ଭଙ୍ଗାଇ ସେତିକି ଟଙ୍କା ମୋ ହାତକୁ ବଢାଇ ଦେଇଥିଲେ। ସେମାନେ ଜଣିଥିଲେ ଯେ ମୋର ଯେତିକି ଦରମା, ଜୀବନ ସାରା ଲାଗିଲେ ବି ସେ ରୂଣ ଶୁଝିପାରି ନ ଥାନ୍ତି। ତଥାପି ମୋ ପରି ଜଣେ ନିହାତି ସାଧାରଣ ଲୋକ ପାଇଁ ସେମାନେ ଏତେ ବଡ କାମ କଲେ। କେବଳ ସେତିକି ନୁହଁ, ମୋ ଝିଅ ବଢିବା ଯାଏ ତାରି ପାଇଁ ପ୍ରତି ମାସରେ ମୋ ହାତକୁ ବଢାଇ ଦେଉଥିଲେ କିଛି ପଇସା। ମୁଁ ଯେତେ ବେଳେ କୁହେ ବାବୁ କଣ ପାଇଁ ମୋ ପାଇଁ ଏତେ ଦୟା। ବାବୁ କୁହନ୍ତି

---- ସୁଦାମ ତୁମ ସ୍ତ୍ରୀ ଚାଲିଗଲା ପରେ ତୁମ ଅବସ୍ଥା କଣ ମୁଁ ଜାଣି ପାରୁଛି। ତୁମେ ସେଥି ପାଇଁ ବ୍ଯସ୍ତ ହୁଅନି। ସେ ଆମର ବି ଝିଅ, ତା ଦାୟିତ୍ବ ଆମର। ତୁମେ ନିଶ୍ଚିନ୍ତ ରୁହ।

ଦିନ ଗଡି ଚାଲିଲା। ବାବୁ ବଦଳି ହୋଇ ଏ ଯାଗାରୁ ଚାଲିଗଲେ। ତା ପରେ ବି ସେ ମୋ ଭଲମନ୍ଦ କଥା ବୁଝୁଥିଲେ, ପ୍ରତି ମାସରେ ଚିଠି ଦେଉଥିଲେ ମୋ ପାଖକୁ। ମୋ କପାଳରେ ସୁଖ ଯୋଗ ନାହିଁ ବାବୁ। ମୋ ଝିଅ ବଡ ହେବା ସହ ଅବାଟକୁ ଗଲା। ଜଣେ ସହରୀ ବାବୁ ସହ ସମ୍ପର୍କ ବଢାଇ ଗର୍ଭବତୀ ହେଲା। ସମସ୍ତଙ୍କ ନଜରକୁ ଧୋକା ଦେଇ ଏଇ ବଙ୍ଗଳାରେ ନାନା ଅନୀତି କାମରେ ମାତି ରହିଲା ଓ ଶେଷରେ ମୋ ମାନ ଇଜ୍ଜତ ତଳେ ପକାଇ ଦେଲା। ସେ ସହରୀ ବାବୁ ମୋ ଝିଅକୁ ବାହା ହେବ ବୋଲି କହି ତାର ମାନ ଇଜ୍ଜତ ଲୁଟିଲା ପରେ ନିଜ କଥାରୁ ଓହରି ଗଲା। ସେଇ ଡାକ ବଙ୍ଗଳାରେ ରହୁଥଲା ସେ, ବାବୁ।

ସେଦିନ ମୁଁ ସହରକୁ ଯାଇ ଥାଏ। ଝିଅ ବାବୁ ପାଖକୁ ଯାଇ ବାହା ହେବା ପାଇଁ ଜିଦ୍ ଧରି ବସିଲା। ସେ ଲୋକ ମୋ ଝିଅକୁ ବହୁତ୍ ଅତ୍ଯାଚାର କଲା। ମାଡ ମାରି ବେହାଲ କାରିବା ପରେ ତାକୁ ସେଇ ଗାଧୁଆ ଘର ଭିତରେ ତଣ୍ଟି ଚିପି ମାରିଦେଲା। ଗୋଟେ କାଠ ଆଲମାରୀ ଭିତରେ ତା ଶବକୁ ଲୁଚାଇ ଫେରାର ହୋଇଗଲା। ମୁଁ ସହରରୁ ଆସି ଝିଅକୁ ବହୁତ ଖୋଜିଲି। ପାଇଲି ନାହିଁ। ଭାବିଲି ସେ ବାବୁ ସହ ମୋ ଝିଅ କୁଆଡେ ପଳେଇଲା ବୋଲି। ମାତ୍ର କିଛି ଦିନ ପରେ ସେ ବଙ୍ଗଳାରୁ ପଚା ଗନ୍ଧ ବାହାରିଲା ପରେ ସବୁ ଘଟଣା ପଦାକୁ ଆସିଲା। ମୋ ଝିଅର ସଢାପଚା ଶବ ବାହାରିଲା ବଙ୍ଗଳାର ଆଲମାରୀ ଭିତରୁ। ଲୋକ ମାନେ ନାନା କଥା କହିଲେ। ପୋଲିସ୍ ପାଖରେ ହାଜର ହୋଇ ମୋ ଦିନ ଗଲା। ବହୁତ ହନ୍ତସନ୍ତ କରିଦେଲା ମୋ ଝିଅ। ଜୀବନ ଥିଲା ବେଳେ ଯେତିକି ହଇରାଣ କରିଥିଲା ମରିବା ପରେ ତା ଠାରୁ ଅଧିକ ହଇରାଣ ହେଲି ମୁଁ। ସେଇ ଡାକ ବଙ୍ଗଳାରେ ପିଶାଚୀ ହୋଇ ରହିଲା। ଯିଏ ଆସିଲା ତାକୁ ଡରାଇଲା। ଦିନେ ସମସ୍ତଙ୍କଠାରୁ ଲୁଚି ସେ ସହରି ବାବୁ ଏ ଜାଗାକୁ ଆସିଥିଲା। ସେଇ ବଙ୍ଗଳାରେ ରାତି ବିତାଇବା ପାଇଁ। ସାଙ୍ଗରେ ଥିଲା ଆଉ ଏକ ଝିଅ। ତା ପର ଦିନ ସକାଳୁ ଦୁଇ ଜଣଙ୍କର ଶବ ବାହାରିଲା ସେଇ ଡାକବଙ୍ଗଳାରୁ। ବଡ ବୀଭତ୍ସ କରି ମାରିଥିଲା ସେମାନଙ୍କୁ । କିନ୍ତୁ ସମସ୍ତେ ଭାବିଲେ ପ୍ରତିଶୋଧ ନେବା ପାଇଁ ମୁଁ ସେମାନଙ୍କୁ ମାରି ଦେଇଛି ବୋଲି। ପୋଲିସ କିଛି ନ ବୁଝି ମୋତେ ନେଇ ଥାନାରେ ରଖିଲା। ବହୁତ୍ ଜୁଲୁମ କଲା। କିନ୍ତୁ ସତକୁ କିଏ ଲୁଚାଇ ପାରିବ। ଖୋଳତାଡ ପରେ ପୋଲିସ ବି ଜାଣିଲା ଯେ ସେଦିନ ରାତିରେ ମୁଁ ହାକିମଙ୍କ ଘରେ ଡ୍ଯୁଟି କରୁଥିଲି। ତେଣୁ ମୋତେ କେଶ୍ ରୁ ମୁକ୍ତି ମିଳିଗଲା। ମୋ ନିଜ ଝିଅ ପାଉଁ ଏତେ ଲଜ୍ଜା ଅପମାନ ସହିବି ସେକଥା ସ୍ବପ୍ନରେ ବି ଭାବି ନଥିଲି।

ମୁଁ ସବୁ କଥା ଧୈର୍ଯ୍ଯର ସହ ଶୁଣୁଥିଲି। ସୁଦାମ ପାଇଁ ମୋତେ ଯେତିକି ଦୟା ଆସୁଥିଲା ତା ଠାରୁ ଅଧିକ ରାଗ ଆସୁଥିଲା ତା ଝିଅ ଉପରେ। କିଛି ନ କହି ଗୁମ୍ ହୋଇ ବସି ରହିଲି। ସୁଦାମ କହିଲା--

– ବହୁତ ରାତି ହେଲାଣି ବାବୁ। ଶୋଇପଡ। କିଛି ବି ଡରିବାର ନାହିଁ। ତୁମକୁ ଜଗି ମୁଁ ଏଇଠି ବସି ରହିଛି। ତୁମ ସୁରକ୍ଷାର ଦାୟିତ୍ବ ମୋ ଉପରେ । ଏତେ ସବୁ ଘଟଣା ମୋ ମୁଣ୍ଡ ଗୋଳମାଳ କରି ଦେଇଥିଲା। ମୁଁ କିଛି ନ କହି ସେଇ ବିଛଣା ଉପରେ ଶୋଇଗଲି।

ଲୋକମାନଙ୍କରେ କୋଳାହଳରେ ମୋ ଆଖି ଫିଟିଲା। ନିଜକୁ ଆବିଷ୍କାର କଲି ଏକ ଅପନ୍ତରିଆ ଜାଗାରେ। ମୁଣ୍ଡ ଉପରେ ଛାତ ନ ଥିଲା କେବଳ ଏକ ମସିଣାରେ ମୁଁ ଶୋଇଥିଲି। ସେଇ ଲୋକ ମାନଙ୍କ ଗହଣରେ ମୋ ଷ୍ଟାଫ୍ ମାନେ ମଧ୍ଯ ଥିଲେ। ସମସ୍ତଙ୍କର ସେଇ ଗୋଟିଏ ପ୍ରଶ୍ନ।

– ବାବୁ ଏ ଜାଗାକୁ କେମିତି ଆସିଲେ।

–---ମୁଁ କହିଲି ସବୁ ଘଟଣା , ଶେଷରେ କହିଲି ଆରେ ସୁଦାମ କାଲି ରାତିରେ ମୋତେ ଉଦ୍ଧାର କରି ନିଜ ଘରେ ଆଣିି ରଖିଥିଲା। କୁଆଡେ ଗଲା ସୁଦାମ କାହିଁ ଦିଶୁନାହିଁ ତ ….......

ସବୁ ଲୋକ ବଡ ଆଶ୍ଚର୍ଯ୍ଯ ହୋଇ ମୋତେ ଦେଖୁ ଥାଆନ୍ତି।

ମୋ ଷ୍ଟାଫ୍ କହିଲା

----- ଆଜ୍ଞା କଉ ସୁଦାମ କଥା କହୁଛନ୍ତି। ସେ ମରିବାର ୧୦ ବର୍ଷ ବିତ ଗଲାଣି। ସେ ଏଇ ଘରେ ରହୁଥିଲା। ଝିଅ ପାଇଁ ସବୁ ମାନ ଇଜ୍ଜତ ହରାଇଲା ପରେ ବିଷପିଇ ଆତ୍ମହତ୍ଯା କଲା ।

ଚଳଚିତ୍ରର ଦୃଶ୍ଯପରି ମୋତେ ସବୁ ଲାଗୁଥିଲା। ଗୋଟିଏ ରାତିରେ ମୋ ଜୀବନରେ କେତେ ସବୁ ଘଟଣା ଘଟି ଯାଇଥିଲା, ଯାହା ବିଶ୍ବାସର ବାହାରେ ଥିଲା।

ମୋ ଷ୍ଟାଫ୍ କୁ କେବଳ ଏତିକି କହିଲି ଯେ

--- ମୁଁ ଏବେ କିଛି ଦିନ ଛୁଟିରେ ରହିବି। ମୋ ଜିନିଷପତ୍ର ନେଇ ବସଷ୍ଟାଣ୍ଡକୁ ଆସ। ଏ ଜାଗାରେ ମୋର ଗୋଟିଏ ସେକେଣ୍ଡ ବି ରହିବାର ନାହିଁ।

****************************************

ଡାକବଙ୍ଗଳା ଚାକିରି ଆଦିବାସୀ

Rate the content


Originality
Flow
Language
Cover design

Comments

Post

Some text some message..