ରାକ୍ଷୀ
ରାକ୍ଷୀ
ରାକ୍ଷୀ(୧)
……
କୋରିଅର ବାଲା ଠାରୁ ରାକ୍ଷୀ ନେଲାବେଳେ ମୌସୁମୀ ଆଖି ବୁଲାଇ ଆଣିଲେ ପ୍ରେରକର ନାଁ ଉପରେ।
ମୁହଁରେ ତାଙ୍କର ଫୁଟି ଉଠିଲା ହସର କ୍ଷୀଣ ଧାର ।
ସୋଫା ଉପରେ ବସି ପେପର ପଢୁଥିଲେ ସୁଧୀର । ମୌସୁମୀଙ୍କ ହାତରେ ପ୍ୟାକେଟ ଦେଖି ପଚାରିଲେ, "କଣ ଆସିଛି ?କେଉଁଠୁ ଆସିଛି ?"
ପ୍ୟାକେଟଟା ସ୍ଵାମୀଙ୍କ ହାତକୁ ଦେଉ ଦେଉ ମୌସୁମୀ କହିଲେ,"ନେହା ରାକ୍ଷୀ ପଠାଇଛନ୍ତି । ନିଜ ବନ୍ଧୁ ତଥା ସହକର୍ମୀ ଅଜାତି ପିଲାଟାକୁ ପ୍ରେମ ବିବାହ କଲା ବୋଲି ତୁମ ପରିବାର, ଝିଅଟା ସହ ସମ୍ପର୍କ ତୁଟେଇ ଦେଲ ! ନିଜ ସାନ ଭଉଣୀକୁ କଣ ତମେ କେବେ କ୍ଷମା କରିବନି ? ବିଚାରୀ ଆଜି ବି ତୁମର ଶୁଭ ମନାସୁଛନ୍ତି । ଭଉଣୀମାନେ କେବେ ନିଜ ଭାଇ ମାନଙ୍କୁ ଭୁଲନ୍ତି ନାହିଁ।"
"ସବୁ କଥା କଣ ତା ଇଛାରେ ହେବ ? କାହିଁକି ସେ ଏ ଫାର୍ସ କରି ରାକ୍ଷୀ ପଠୋଉଛି ?"
"ତୁମ ଇଛା; ବାନ୍ଧିଲେ ବାନ୍ଧ, ନହେଲେ ଫେରାଇ ଦିଅ । ରାକ୍ଷୀ ବାନ୍ଧିଲେ ଭାଇର ଆୟୁଷ ବଢେ,ମଙ୍ଗଳ ହୁଏ ଓ ଭଉଣୀ ଖୁସି ହୁଏ ଯେ ସୁଖଦୁଃଖରେ ଭାଇ ତା ପଟରେ ଅଛି ବୋଲି ।ମୁଁ ମନ୍ଦିର ଯାଉଛି ,ତମେ ଜଳଖିଆ ଖାଇଦେଵ।"
ପର୍ସ ଭୁଲି ଯାଇଥିବାରୁ,ଅଧା ବାଟରୁ ଫେରିଆସିଲେ ମୌସୁମୀ । ଦର ଆଉଜା କବାଟକୁ ନିଃଶବ୍ଦରେ ଠେଲି,ବେଡ଼ରୁମକୁ ପଶିଗଲା ବେଳେ ଦେଖିଲେ, ଡ୍ରେସିଂ ଟେବୁଲ ଆଗରେ ଠିଆ ହୋଇ ,ସୁଧୀର ନିଜ ବାଁ ହାତ ଓ ମୁହଁ ସାହାଯ୍ୟରେ ରାକ୍ଷୀଟାକୁ ଡାହାଣ ହାତରେ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି। ମୌସୁମୀକୁ ଦେଖି ନିଜ ହାତକୁ ଲୁଚାଇବାକୁ ଚେଷ୍ଟାକରୁଥିଲେ ସୁଧୀର, ଛୋଟ ପିଲାଙ୍କ ଭଳି।
……
ରାକ୍ଷୀ (୨)
……
"ମିନୁ କିଏ "?
ପ୍ରଶ୍ନଟା ପଚାରି ସୁଦୀପ୍ତା ଅନାଉଥିଲା ସ୍ଵାମୀଙ୍କ ମୁହଁକୁ।
ସେଦିନ ଅଜୟ'ଙ୍କ କପ ବୋର୍ଡର ପ୍ୟାଣ୍ଟ ଥାକ ଭିତରେ ଲୁଚାଇ ରଖା ହୋଇଥିବା ଛୋଟ ପ୍ୟାକେଟ୍ ଟା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ସୁଦୀପ୍ତା।
ପ୍ୟାକେଟଟା ସିଲ୍ ହୋଇନଥିଲା କିମ୍ବା ଡାକଘର ମୋହର ବି ବାଜିନଥିଲା ଓ ଭିତରେ ଗୋଟେ ରାକ୍ଷୀ ଥିଲା ।ତା ମାନେ ଏ ରାକ୍ଷୀଟା କାହା ପାଖକୁ ପଠାଇବା ପାଇଁ ରଖିଛନ୍ତି ଅଜୟ ?
ଫ୍ରମ୍ ଜାଗାରେ "ମିନୁ" ଓ ପ୍ୟାକେଟ ଉପରେ ଅଜୟଙ୍କର ଠିକଣା ଦେଖି ପୁଣି ଆଶ୍ଚର୍ଯ୍ୟ ହୋଇଗଲା ।ହୁଏତ କିଏ ହାତରେ ଦେଇଥିବ ।ତେବେ ଅଜୟଙ୍କର ତ କେହି ଭଉଣୀ ନାହାନ୍ତି !ଏ ଘରକୁ ବୋହୁ ହୋଇ ଆସିବାର ଦୁଇ ମାସ ହୋଇଛି ସୁଦୀପ୍ତାର।
କପ ବୋର୍ଡ ବନ୍ଦ କଲା ସେ।
ଚାରିଦିନ ପରେ ସେଇ ପ୍ୟାକେଟ ଟିକୁ ପୋଷ୍ଟ ପିଅନ ହାତରୁ ନେଲାବେଳେ ଚମକି ପଡ଼ିଲା ସୁଦୀପ୍ତା । ଅଜୟ ନିଜକୁ କାହିଁକି ରାକ୍ଷୀ ପୋଷ୍ଟ କରିଛନ୍ତି ?କିଏ ଏ ମିନୁ ?ରାତିରେ ସେଇ ପ୍ରଶ୍ନ ଟି ପଚାରିଥିଲା ସୁଦୀପ୍ତା।
"ମିନୁ ଅପା ହେଉଛି ମୋ ମାଉସୀ ଝିଅ ଭଉଣୀ, ଯାହାକୁ ବୋଉ ଝିଅ କରି ଆଣିଥିଲା ପାଳିବାକୁ। ପିଲାବେଳେ ଆମେ ସମସ୍ତେ ପ୍ରୟାଗ କୁମ୍ଭ ମେଳା ଯାଇଥିଲା ବେଳେ,ମିନୁ ଅପା ହଜିଯାଇଥିଲା । ତିନି ବର୍ଷ ର ହୋଇଥିଲା ମିନୁ ଅପା । ସେତେବେଳେ ମୋତେ ଏକ ବର୍ଷ । ବହୁତ ଖୋଜାହୋଇଥିଲା, ପୋଲିସ୍ ରେ ଖବର ବି ଦିଆଯାଇଥିଲା । ହେଲେ କିଛି ଖୋଜ ଖବର ମିଳିଲାନି। କିଏ ତାକୁ ନିଶ୍ଚୟ ନେଇଯାଇଥିବ । ବିଚାରୀ ଏବେ କେଉଁଠି ଥିବ କେଜାଣି ?ସେ କାଳେ ମୋତେ ବହୁତ ଭଲ ପାଉଥିଲା । ଆଜି ଯଦି ସେ ଥାଆନ୍ତା,ମୋତେ ନିଶ୍ଚୟ ରାକ୍ଷୀ ବାନ୍ଧୁଥାନ୍ତା । ତାକୁ ମନେପକାଇ, ତା’ରି ନାଁରେ ରାକ୍ଷୀ ପୋଷ୍ଟ କରି ନିଜେ ପିନ୍ଧେ ଓ ଭଗବାନଙ୍କ ପାଖରେ ପ୍ରାର୍ଥନା କରେ, ମିନୁ ଅପା ଯେଉଁଠି ବି ଥାଉ, ଭଲରେ ଥାଉ । ଖୁସିରେ ଥାଉ।"
ଅଜୟଙ୍କ ହାତକୁ ଧରି ପକାଇ ,ସୁଦୀପ୍ତା କହିଲା,"ତୁମ ପରି ସ୍ନେହୀ ଭାଇ ଥିଲେ,ଭଉଣୀର କଣ କେବେ ଅମଙ୍ଗଳ ହେବ ?ମିନୁ ଅପା ନିଶ୍ଚେ ଭଲରେ ଥିବେ।"
ରାକ୍ଷୀଟାକୁ ଧରି ଅଜୟ ଆଖି ପୋଛୁଥିଲେ।
(ଅରବିନ୍ଦ ଦାସ)