Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Inspirational Others Abstract

4  

Kamala Satpathy

Inspirational Others Abstract

ବାଉଁଶ ଫୋଟକା

ବାଉଁଶ ଫୋଟକା

11 mins
14.3K


“ଜେଜୀ, ତୁ ପରା କହିଥିଲୁ ଏଥର ଦିବାଲିରେ ମତେ ବାଣ କିଣିବାକୁ ପଚାଶ ଟଙ୍କା ଦେବୁ ବୋଲି ! କେବେ ଆଉ ଦେବୁ ? କ’ଣ ଦୋକାନରୁ ବାଣ ସବୁ ସରିଗଲା ପରେ ?”

ଘରକୁ ପଶୁ ପଶୁ ଦଶ ବର୍ଷର ନାତି ଟୋକାଟା ଧାଇଁ ଆସି ତା’ ଅଣ୍ଟାରେ ଓହଳି ପଡି ଟଙ୍କା ନବା ପାଇଁ ଯେତେବେଳେ ଜିଦି କଲା, ଜଟିଆ ମା’ର ଆଖିରୁ ଟପ୍ ଟପ୍ କରି ଦୁଇ ଧାର ଲୁହ ଗଡିଆସିଲା । ଆହା .. ହା .., କେତେ ମନ କରିଥିଲା ଟୋକାଟା, ହେଲେ ତା’ର ଏଇ ଛୋଟିଆ ଇଚ୍ଛାଟିକୁ ବି ସେ ପୂରା କରି ପାରୁନାହିଁ । ସେ ଜାଣିଛି, ଆଜି ଆଉ ତାକୁ - ‘ଦିବାଲି ଆସୁ, ଦେବି ..’ ବୋଲି କହି ଭୁଲେଇ ପାରିବ ନାହିଁ ।

ରାତି ପାହିଲେ ଦିପାବଳୀ । ସାହିପଡିଶାର ପିଲାଏ ବିଗତ କେତେ ଦିନରୁ ରାତିଦିନ ଢୋ ଢା କରି ବାଣ ଫୁଟେଇ ଚାଲିଛନ୍ତି । ସେ ଶବ୍ଦ ତା’ କାନକୁ ତାବଦା କରିବା ସାଥେ ସାଥେ ଛାତି ଭିତରେ ସୃଷ୍ଟି କରୁଛି କୋହର ସାଗର । ନାତିଟା କିନ୍ତୁ ବଡ ସନ୍ତୃପ୍ତ ନୟନରେ ସେଇ ଆଡକୁ ଚାହିଁ ଚାହିଁ ଖୁସି ହେବାରେ ଲାଗିଛି । ମଝିରେ ମଝିରେ ଖୁସିରେ ଆଖି ତା’ର ବୁଜି ହେଇଯାଉଛି ଏମିତି, ସତେ ଯେମିତି ବାସ୍ତବରେ ପାଇ ପାରୁନଥିବା ଖୁସିକୁ ସେ କଳ୍ପନାରେ ଦେଖି ପକେଇବାକୁ ଚାହୁଁଛି ! ବନ୍ଦ ଆଖିରେ ନିଶ୍ଚୟ ତାକୁ ଦେଖା ଯାଉଥିବ ଦୁଇ ହାତରେ ତା’ର ଭର୍ତ୍ତି ହୋଇଥିବା ବାଣର ମନୋରମ ଛବି ! ପରିତୃପ୍ତିର ହସଗୁଡା ତା’ପରେ ଝଲକିକି ଚାଲିଆସୁଛି ତା’ ଓଠ ଉପରକୁ । ଆଉ ସେଇ ମନୋରମ ହସ ହି ଜଟିଆ ମା’ର ସବୁ ଦୁଃଖର କାରଣ ହେଇ ତା’ ଆଗରେ ଠିଆ ହେଇଯାଉଛି ବାରମ୍ବାର ।

ଆଜି ଚତୁର୍ଦ୍ଦିଗରେ ଆଲୋକର ମାଳା । ଯେଉଁଆଡେ ଚାହିଁବ, ସେଇଆଡେ ହସ ଉଲ୍ଲାସ ଆଉ ବୈଭବର ଅଦ୍ଭୁତ ସଙ୍ଗମ । ମାତ୍ର ତା’ ଘରେ ଅମାବାସ୍ୟାର ସଂପୂର୍ଣ୍ଣ ରାଜତ୍ୱ । ନାତିର ଶୁଖିଲା ମୁହଁ ଛାତିରେ ହାହାକାର ସୃଷ୍ଟି କରୁଛି, ଆଖିରୁ ବହିଆସୁଛି ଶ୍ରାବଣର ଧାରା । କିନ୍ତୁ ସେ ଏମିତି ତ୍ରିଶଙ୍କୁ ଅବସ୍ଥା ଦେଇ ଗତି କରୁଛି ଯେ, ଚାହିଁକି ବି ତା’ ମୁହଁରେ ହସ ଖେଳେଇ ପାରିବ ନାହିଁ । ସତରେ କ’ଣ ପିଲାଟା ବୁଝିପାରିବ ତା’ ବିବଶତା !

ଆଜି ବି ସାଆନ୍ତାଣୀମାନେ ତା’ ଦରମା ଟଙ୍କା ଦେଲେ ନାହିଁ । କହିଲେ, “ଆମ ଘରକୁ ତ ଦରମା ଆସିନି, ଆଉ ଆମେ ତତେ ଦବୁ କ’ଣ ?”

ସେ ତାଙ୍କୁ ବୁଝେଇ ପାରିଲାନି ଯେ ବିନା ଦରମାରେ ସେମାନେ ସିନା ମାସ ମାସ ଚଳିଯାଇ ପାରିବେ, ହେଲେ ତା’ର ଗୋଟିଏ ଦିନ ବି ଚଳିବନି । ତେହିଁକି ପୁଣି ଜଟିଆର ବେଲ୍ ଯୋଗାଡ କଥା ! ଓଃ, ଠାକୁରେ ଏମିତି କଦର୍ଯ୍ୟ ଜୀବନ କାହିଁକି ଦିଅନ୍ତି ସତରେ !

ଏଇ ବେଳଟା ତା’ର ବୋନସ୍ ପାଇବାର ବେଳ, ଯାହାକୁ ବର୍ଷ ଆରମ୍ଭରୁ ସେ ଚାହିଁ ରହିଥାଏ । କିନ୍ତୁ ସେ ଚାହିଁବା ଆଉ ଆଜିର ଚାହିଁବାରେ ଅଛି ଆକାଶ ପାତାଳର ଫରକ । ପ୍ରତି ବର୍ଷ ପାଉଥିବା ଟଙ୍କା ତା’ର ଖର୍ଚ୍ଚ ହେଇଯାଏ ପିଲାଙ୍କ ପାଇଁ ଭଲମନ୍ଦ କିଣିବାରେ, ଅଥବା ଘର ପାଇଁ କିଛି ନୁଆ ଜିନିଷ କିଣିବାରେ । ହେଲେ ଏ ବର୍ଷ ସେସବୁ ପାଇଁ ନୁହେଁ, ବରଂ ତା’ ବୁଡି ଯାଉଥିବା ଜୀବନ ତରିକୁ ପାର୍ କରିବା ପାଇଁ ତାକୁ ଲୋଡା ପାଖାପାଖି କୋଡିଏ ହଜାର ଟଙ୍କା । ଆଉ ତା’ର ଦରମା ଓ ବୋନସକୁ ମିଶେଇଲା ପରେ ହେବ ସମୁଦାୟ ସାତରୁ ଆଠ ହଜାର ଟଙ୍କା । ସେଥିରୁ ପୁଣି ନାତିର ଦରକାର ପଚାଷ ଟଙ୍କା, ଯୋଉଥିରେ ସେ କିଣିବ ପଡିଶା ଘରର ପିଲାଙ୍କ ପରି ଚକ୍ରି, ଅନାର, ତାଳଫୋଟକା, ବମ୍‌, ହାବେଳି, ସାପ, ରକେଟ .. ଏମିତି ଏମିତି କେତେ କ’ଣ .. ତାହା ବି ମନଭରିକି ! ସେ କାହୁଁ ଜାଣିବ ପଚାଷ ଟଙ୍କା ଆଜିକା ଯୁଗରେ ତାକୁ ଏତେ ସବୁ ସ୍ୱପ୍ନକୁ ପୂରା କରିବାକୁ ସାହାଯ୍ୟ କରିପାରିବ ନାହିଁ !

ତା’ର ଇଚ୍ଛା ତ ବହୁତ ଅଛି, ଏତେ ନହେଲେ ବି ଟୋକାଟାର ଇଚ୍ଛା ମୁତାବକ କିଛିଟା ବାଣ କିଣିକି ତା’ ହାତରେ ଧରେଇ, ତା’ ମୁହଁରୁ କାହିଁ କୋଉ ଯୁଗରୁ ହଜି ଯାଇଥିବା ଖୁସିକୁ ସେ ଦେଖିବ ! ହେଲେ ସେସବୁ ପାଇଁ ଟଙ୍କା କୋଉଠୁ ଯୋଗାଡ କରିବ ! ସ୍ୱପ୍ନ ଆଉ ବାସ୍ତବତା ଭିତରେ ଲମ୍ୱିଥିବା ଖାଇଟା ତା’ର ସବୁ ଇଚ୍ଛାକୁ ଛାତି ଭିତରେ ଲୁଚେଇ ରଖିବାକୁ ବାରମ୍ବାର ଉପଦେଶ ଦେଉଛି ପରା ! ତାକୁ ନମାନିବାକୁ ସାହାସ କ’ଣ ସେ କରିପାରିବ !

ଝରକା ବାଟେ ଦିଶିଯାଉଛି ରକେଟ୍ ବାଣର ରଙ୍ଗବେରଙ୍ଗ ଆଲୋକ । କାନକୁ ଶୁଭିଯାଉଛି ଫୁଲଝରିର ଚିର୍ ଚିର୍ ଶବ୍ଦ ଆଉ ଅନାରର ସୁ .. ସୁ .. ଶବ୍ଦ । କାନ୍ଦ ବନ୍ଦ କରି ବିସ୍ମୟ ଦୃଷ୍ଟିରେ ଦେଖିଯାଉଛି ନାତି । ତା’ ଆଖିରେ ଭରି ରହିଥିବା ଚମକକୁ ଦେଖି ତା’ ଜିଭ ଲେଉଟିଲା ନାହିଁ କହିଦେବାକୁ ଯେ ଏ ବର୍ଷ ତା’ ପାଖରେ ଆଉ ଟଙ୍କା ନାହିଁ ତାକୁ ଦବାକୁ । ଯେତେ ଯୋଉଠୁ ଯୋଗାଡଯନ୍ତ୍ର କରି ଆଣିଲେ ବି ପୁଅକୁ ବେଲ୍ ରେ ଆଣିବା ପାଇଁ ଆବଶ୍ୟକ ଥିବା ଅର୍ଥର ଯୋଗାଡ ଏପର୍ଯ୍ୟନ୍ତ ବି ହେଇପାରୁନି । ୟା ଦୁଆରେ ତା ଦୁଆରେ ହାତ ପତେଇ ପତେଇ ନିରାଶ ହେଇ ସେ ଫେରିଛି । ଟଙ୍କା ଦବା ତ ଦୂରର କଥା, କେହି ମୁହଁ ଉପର୍ଦ୍ଧକୁ କହି ବି ନାହାନ୍ତି ଯେ କେମିତି ଚଳୁଛ ତୁମେ ଦୁଇ ଜଣ ଏତେ ଦିନରୁ ! ବରଂ ଆଖିରୁ ନିଆଁ ବର୍ଷେଇ ମୁହଁ ଛିଞ୍ଚାଡି ଯେତେକ ଗାଳି ଗୁଲଜ ଶୁଣେଇ ଦେଇଛନ୍ତି ତାକୁ ! ସେସବୁ ଶୁଣିଲା ପରେ ଛାତିକୁ ପଥର କରି ସେ ଖାଲି ଫେରିଆସିଛି ଯାହା, କିନ୍ତୁ ଅଣ୍ଟିରେ ଅଧଲାଟିଏ ବି ନାହିଁ ।

ହେଲେ ପିଲାଟା କ’ଣ ବୁଝିବ ସେସବୁ କଥା ! ତାକୁ ତ ବାଣ ଦରକାର .. ତାହା ବି ପଚାଷ ଟଙ୍କାର !

ବାଣ କଥା କହିଲା ବେଳେ ପିଲାଟାର ଆଖିରେ ଦିପାବଳୀର ଆଲୋକ ଠାରୁ ବି ଅଧିକ ଉଜ୍ଜଳତା ଚମକି ଉଠିଲା ବେଳେ, ଜଟିଆ ମା’ ଆଖିରୁ ଅମାନିଆ ଲୁହଗୁଡା ବାହାରି ଆସିବାକୁ ଉଦ୍ୟତ ହୁଅନ୍ତି । ତା’ ପାଖରେ କେମିତି କରି ଦଶ ବାର ହଜାର ଟଙ୍କା ହେଇଯାଆନ୍ତାନି ! କାହାରି ଦୟା ଭିକ୍ଷା ନକରି ପୁଅ ପାଇଁ ଭଲ ଓକିଲ ଯୋଗାଡ କରିପାରନ୍ତା ସେ, ମୁକୁଳେଇ ପାରନ୍ତା ମିଥ୍ୟା ଅଭିଯୋଗରୁ ।

ଅବଶ୍ୟ ଅଭିଯୋଗଟା ମିଥ୍ୟା ତ ନୁହେଁ । ନିଜ ଆଖିରେ ସୁଲକୁ ଟାଙ୍ଗିଆରେ ଦୁଇ ଖଣ୍ଡ କରି ହାଣିଦେବାର ସେ ଦେଖିଛି । ଅକସ୍ମାତ ଘଟି ଯାଇଥିବା ଘଟଣାଟିର କେବଳ ସେ ଏକା ନୁହେଁ, ନାତି ବି ସାକ୍ଷୀ ଅଛି ! ସେଇଥିପାଇଁ ତ ତା’ ମନରେ ବାପ ପ୍ରତି ଟିକିଏ ବି ସ୍ନେହ ଆଦର ନାହିଁ । ଏତେ ଦିନରୁ ବାପକୁ ଖୋଜିବାର ନାହିଁ, କି ଲୋଡିବାର ନାହିଁ । ଓଲଟି ଜିଦି ଧରି କାନ୍ଦୁଛି ଦିପାବଳୀରେ ତାକୁ ତା’ ବାପା ନୁହେଁ, ବାଣ ଦରକାର ।

ପୁଅ କଥା ମନେ ପଡିଲେ ଛାତି ଭିତରେ ଛୁରି ଚାଲିଯାଉଛି । ଦୁର୍ଭାଗାଟା, କାହାରି ସମବେଦନା ବି ତା’ ପାଇଁ ନାହିଁ । କାହିଁକି ରହିବ ଯେ ? ସେମାନେ କ’ଣ ତାକୁ ଜନ୍ମ ଦେଇଥିଲେ ନା ତା’ ପାଇଁ ରାତି ଉଜାଗର ରହି ପଥି ରାନ୍ଧିଥିଲେ ! ସେମାନେ ତ ଖାଲି ଜାଣନ୍ତି ଯେ ଜଟିଆ ତା’ ମାଇପକୁ ହାଣିଦେଇଛି । ଆଉ ମାଇପ ମାରି ଜେଲ୍ ଯାଇଥିବା ମଣିଷ ପ୍ରତି କାହାର ବା ସମବେଦନା ଆସିବ !

ଯୋଉମାନଙ୍କର ଘରଦ୍ୱାର, ବାଡିବଗିଚାରେ ନିଜର ବଳ ବୟସ ଲଗେଇ ଯତ୍ନ କରି ସଜେଇ ସାଜେଇ ରଖିଥିଲା, ସେମାନେ ବି ଏ ସମୟରେ ମୁହଁ ମୋଡି ଦେଇଛନ୍ତି । ଅନ୍ୟମାନଙ୍କ କଥା କ’ଣ ଆଉ କହିବ ! ଯେତେ ନେହୁରା ହେଇ କହିଲେ ବି ସେମାନଙ୍କ ହୃଦୟ ତରଳି ନାହିଁ । ଓଲଟି ମୁହଁ ମୋଡିଦେଇ କହିଛନ୍ତି – ଯାହାର ପୁଅ ମଣିଷ ମାରୁ, ତାକୁ ଘରେ ପୂରେଇବା କଥା ଆଉ ନୁହେଁ ।

ସବୁଆଡେ ଥୁ ଥୁ ଛି ଛି । ଅବିଶ୍ୱାସର ମେଞ୍ଚା ମେଞ୍ଚା ଅଳନ୍ଦୁର ଘେର ଭିତରେ ଜୀବନକୁ ନେଇ ରହିଥିବା ସବୁ ଆଶା ବିଶ୍ୱାସ ତୁଟି ସାରିଲାଣି । ତଥାପି ନାତିର ମୁହଁକୁ ଚାହିଁ ବଞ୍ଚି ରହିବାକୁ ସେ ଅଣ୍ଟା ଭିଡିଛି । ଟାଙ୍ଗରା ପାହାଡ ଦେହରେ ବି ଦିନେ ନା ଦିନେ ଘାସଫୁଲଟିଏ ପଛେ ହେଉ, ନିଶ୍ଚୟ କିଛି ନା କିଛି ଫୁଟି ଉଠିବାର ସମ୍ଭାବନା ଦେଖୁଛି । ସେତିକି ତାକୁ ସାହାସ ଯୋଗେଇ ଦେବାକୁ ଯଥେଷ୍ଟ । ଦୁନିଆ ଯାକର ସବୁ ଦୁଃଖକୁ ହାତପାଆନ୍ତାରେ ପାଇ ବି ସେ ହାରିନାହିଁ । ବରଂ ମନକୁ ବୁଝେଇଛି ବାରମ୍ବାର - ଲୋକମାନେ ତାକୁ ଯେତେ ଟାଇଁ ଟାଇଁ କଥା କୁହନ୍ତୁ ପଛେ, କାମରୁ ବାହାର କରିନାହାନ୍ତି ମାନେ ସେଇଟା ତାଙ୍କର ବଡପଣ । ସେ ସେତିକି ଦୟାକୁ ଆଶ୍ରା କରି ନାତିଟାକୁ ମଣିଷ କରିଦେଇ ପାରିବ !

ଯେତେ ଯିଏ ଯାହା କହିଲେ ବି କାହାରିକୁ ଦୋଷ ଦେଇପାରେନି ଜଟିଆ ମା’ । ଭାଗ୍ୟ ଦାଉ ସାଧିଲା ବେଳେ ଏସବୁ ତ ଶୁଣିବାକୁ ହିଁ ପଡେ । ସେ ଶୁଣିଲା ତ କ’ଣ ହେଇଗଲା । ସେକଥା ସେ ଜମା ଚିନ୍ତା କରୁନାହିଁ । ଏବେ ତା’ ମୁଣ୍ଡରେ କେବଳ ଗୋଟିଏ ଚିନ୍ତା, ନାତିର ମନ ଭିତରୁ ବାପା ପ୍ରତି ରହିଥିବା ଘୃଣାକୁ ସେ କେମିତି ବାହାର କରିବ । ନିଜ ଆଖିରେ ମା’ର ରକ୍ତ ଜୁଡୁବୁଡୁ ଦେହକୁ ସେ ଦେଖିଛି । ବାପାର ହାତରେ ରକ୍ତ ରଞ୍ଜିତ ଟାଙ୍ଗିଆ ଦେଖିଛି । ସେସବୁ କ’ଣ ସେ କେବେ ଭୁଲିପାରିବ?

ବସ୍ତି ସାରା ପିଲା ବୁଢା ସମସ୍ତେ ବାଣ ଫୁଟୋଉଛନ୍ତି, ମଉଜ କରୁଛନ୍ତି । ନୂଆ ଲୁଗାପଟା ପିନ୍ଧି ଖଜା ମିଠେଇ ଖାଉଛନ୍ତି, ବାଣ୍ଟୁଛନ୍ତି । ବନ୍ଧୁବାନ୍ଧବଙ୍କୁ ସଙ୍ଖୋଳି ଯାଉଛନ୍ତି । ତା’ ଘରେ କିନ୍ତୁ ଅନ୍ଧାରର ରାଜୁତି । କୋଉ ମୁହଁରେ ଦୀପ ଲଗେଇ ଆଲୋକିତ କରିବ ଘରକୁ ! ମା’ ଲକ୍ଷ୍ମୀ କ’ଣ ସତରେ ତା’ ଦରଜାକୁ ଖୋଜିବାକୁ ଆସିବେ ?

ଆଜି ବହୁତ ଦିନ ପରେ ସେପଟ ବସ୍ତି ବାଟ ଦେଇ ଘରକୁ ଫେରୁଥିଲା ସେ । ବାଟରେ ସୁଲର ବୋଉ ସହିତ ମୁହାଁମୁହିଁ ହେଇଗଲା । ଘୃଣା ଆଉ କ୍ରୋଧ ମିଶେଇ ଥୁଃ କରି ଲେଣ୍ଡାଏ ଛେପ ଥୁକିଦେଲା ତାକୁ ଦେଖୁ ଦେଖୁ । ଧପ୍ କରି ତା’ ହାତରୁ ଖସି ପଡିଥିଲା ନାତି ପାଇଁ ସରାଗରେ ଆଣିଥିବା ମିଠେଇ ଡବାଟା, ଯାହାକୁ ଉଠେଇ ଆଣିବାର ବଳ ବି ତା’ ଦେହରେ ଆଉ ନଥିଲା । ସୁଲବୋଉ ଗର୍ଜନ ତର୍ଜନ କରି ଖଣ୍ଡମଣ୍ଡଳ କମ୍ପୋଉଥିଲା । କେମିତି ଶୀଘ୍ର ସେଠୁ ବାହାରି ଆସିବ, ସେ ବାଟ ପାଇନଥିଲା । ମିଠେଇ ବାକ୍ସଟା ସେମିତି ପଡି ରହିଗଲା ରାସ୍ତା ଉପରେ । ସୁଲବୋଉର ସେ ରୁଦ୍ର ରୂପ ତା’ ମନରେ ଭୟ ନୁହେଁ, ଦୁଃଖ ଭରି ଦେଇଥିଲା । ମୁଣ୍ଡ ଲୁଆଁଇ ଚାଲିଆସିଥିଲା ତତକ୍ଷଣାତ୍ । ତା’ ଦୁଃଖ ସେ ହୃଦୟଙ୍ଗମ କରୁଛି । କିନ୍ତୁ କ’ଣ ବା କରିପାରିବ ! ପୁଅ କ’ଣ ତାକୁ କହିକି ଏମିତି କାଣ୍ଡ ଘଟେଇଥିଲା !

ସୁଲ ଥିଲା ତା’ର ଗୋଟିଏ ବୋଲି ଝିଅ । କେଡେ ଶରଧାରେ ବାହା ଦେଇଥିଲା । ଦେବା ନେବା, ବନ୍ଧୁ ଚର୍ଚ୍ଚା, କୋଉଥିରେ କିଛି ତ ଅଭାବ ରଖିନଥିଲା । ସୁଲଟା ବି ଭାରି ରୂପର ଗୁଣର । କୋଉଥିରେ ବି ଖୁଣିବାର ନାହିଁ । ଖୁସିରେ ଗୋଡ ତଳେ ଲାଗୁନଥିଲା ତା’ର । ଦିନଗୁଡା ପର ଲଗେଇ ଉଡି ଯାଉଥିଲେ ଆଗକୁ ଆଗକୁ । ବେଳ ଅବେଳରେ ଜଟିଆ ବାପାଟା ପାଇଁ ଭାରି ମନଦୁଃଖ ହୁଏ ତା’ର । ଏତେ ସୁଖ, ଏତେ ଐଶ୍ୱର୍ଯ୍ୟରୁ କାଣିଚାଏ ଭଲା ପାଇଥାନ୍ତା ସେ !

ଯାହା ଯେତିକି ଅଭାବ ଥିଲା, ନାତିର ଜନ୍ମ ପରେ ତ ସେତକ ବି ରହିଲାନି ଆଉ । ଧରାକୁ ସରା ମନେ କରିବାକୁ ଲାଗିଲା ସେ । ଆଉ ଏ ଜୀବନରେ କ’ଣ ଲୋଡା ତା’ର ! ଠାକୁରେ ଯଦି ଏମିତି ହସଖୁସିରେ ଆଉ କିଛିଟା ବର୍ଷ ବଞ୍ଚେଇ ରଖନ୍ତେ, ତେବେ ଜୀବନର ପ୍ରାରମ୍ଭିକ ଦିନରେ ପାଇଥିବା ସବୁ ଦୁଃଖକଷ୍ଟକୁ ସେ ଭୁଲିଯାଆନ୍ତା ।

କିନ୍ତୁ ଏ କ’ଣ ! ବର୍ଷ କେଇଟାରେ ସବୁ କେମିତି ଓଲଟ ପାଲଟ ହେଇଗଲା .. ସୁଖର ଡେଣା ଛିଡିପଡିଲା, ଆଉ ଦୁଃଖର ବାହୁ ତଣ୍ଟି ପାଖରେ ଗୁଡେଇ ହେଇ ତାକୁ ଆକ୍ତାମାକ୍ତା କରି ପକେଇଲା ! କି ଚକ୍ରାନ୍ତ ଖେଳିଲେ ଠାକୁର ତା’ ସାଙ୍ଗରେ ସତରେ ! କାହାର ପାପଦୃଷ୍ଟି ଲାଗିଗଲା ତା’ ସୁଖୀ ସଂସାରରେ ! ଛୋଟ ଛୋଟ କଥାକୁ ନେଇ ଜଟିଆ ଆଉ ସୁଲଙ୍କର ଆରମ୍ଭ ହେଇଗଲା କଥା କଟାକଟି, ମୁହଁ ଫଟାଫଟି ଆଉ ତା’ପରେ କଳି ତକରାଳ, ବାଡିଆବାଡି, ଯାହା ଦିନକୁ ଦିନ ବଢିଲା ପଛେ, କମିବାର ନାଁ ଧରିଲା ନାହିଁ । କଥାଟା ଶେଷରେ ପୁଲିସ୍ ଫାଣ୍ଡି ପର୍ଯ୍ୟନ୍ତ ବି ଗଲା ।

ଆଗ ଆଗ ତ ଏସବୁ ସ୍ୱାମୀ ସ୍ତ୍ରୀଙ୍କ ନିତିଦିନିଆ ବେପାର ଭାବି ସେ ଚୁପ୍ ରହୁଥିଲା । କେବେ ପୁଅ ସପକ୍ଷରେ ତ ଆଉ କେବେ ବୋହୂ ସପକ୍ଷରେ ଯୁକ୍ତି କରି ଝଗଡା ମେଣ୍ଟେଇ ଦଉଥିଲା, ହେଲେ ଦିନ କେଇଟା ପରେ ଆଉ ତା’ ଦ୍ୱାରା ଝଗଡା ମେଣ୍ଟେଇବା ସମ୍ଭବ ହେଲାନି । କିନ୍ତୁ ଏତେ ଝଗଡାର କାରଣ କ’ଣ, ତାହା ସେ ଜମା ବି ଜାଣି ପାରୁନଥିଲା ।

ସେଦିନ ରାତିରେ ତ ସବୁ ବନ୍ଧବାଡ ଟପିଗଲେ ସେମାନେ ! ଜଟିଆର ପାଟିରେ କମ୍ପିଉଠିଲା ତାଙ୍କ ଭଙ୍ଗାତୁଟା ଚାଳିଆ । ସେ ପାଟି ବନ୍ଦ ନହେଉଣୁ ଆରମ୍ଭ ହେଇଗଲା ସୁଲର କାନ୍ଦବୋବା । ଜମା ହେଇଗଲେ ସାହିପଡିଶା । ଥରିଗଲା ଜଟିଆ ମା’ । କ’ଣ ହେଇଗଲା ତାଙ୍କ ଭିତରେ ଏମିତି ଯେ ଜଟିଆ ପରିକା ଧିରସ୍ଥିର ପିଲାର ଆଖିରେ ରକ୍ତ ଚହଟି ଆସିଲା ! କାହାକୁ ପଚାରିବ ସେ ?

କିନ୍ତୁ ପଚାରିବାର, ବୁଝିବାର ସମୟ ଆଉ ସେତେବେଳକୁ ନଥିଲା .. ଜଟିଆର ଟାଙ୍ଗିଆ ଚୋଟରେ ଦୁଇ ଗଡ ହୋଇସାରିଥିଲା ସେତେବେଳକୁ ସୁଲ । ସ୍ତବ୍ଧ ହୋଇଗଲା ସାରା ପୃଥିବୀ । ଜଟିଆ ଆଖିରେ ଘୃଣା ଆଉ କ୍ରୋଧର ମିଳାମିଶା ଭାବ .. ଚିତ୍କାର କରି କହୁଥିଲା – “ଶଳା ମାଇକିନା .. ନାଟ ଲଗେଇଛି ଏଠି ! ଦିନରାତି ବାହାରକୁ ଯାଇ ଧେଇ ଧେଇ ହେଉଛି ଅଣ୍ଡିରା ମାନଙ୍କ ସାଙ୍ଗରେ .. କ’ଣ ବୋଲି ପାଇଛୁ କି ମତେ ! କିଛି କହୁନାହିଁ ବୋଲି ମୁହଁ ବଢି ବଢି ଯାଇ ରାସ୍ତା ଛୁଇଁଲାଣି ! ହୁଁ .. ଏବେ ମଜା ଚାଖେ ..”

ଦୁମ୍ ଦୁମ୍ ହୋଇ ବାହାରି ଚାଲିଗଲା ଘରୁ । ବରଡାପତ୍ର ପରି ଥରୁଥିଲା ଜଟିଆ ମା’। ସାମ୍ନାରେ ବୋହୂର ରକ୍ତ ରଞ୍ଜିତ ଅସାଡ ଦେହ .. କ’ଣ କରିବ ସେ? କିଛି ନାହିଁ । ଯାହା କରିବା କଥା ପୁଲିସ୍ କରିବ .. ସାହି ପଡିଶା କରିବେ .. ଅଥବା ଠାକୁରେ କରିବେ । ତା’ ହାତରେ ତ କିଛି ରହିଲା ନାହିଁ ଆଉ କରିବାକୁ ।

ପୁଲିସ୍ .. ଥାନା .. କଚିରି .. ଏଇଥିରେ ବିତିଗଲା କେତେ ଶୀତ ବସନ୍ତ ବୈଶାଖ । ସବୁଠି ଦରକାର ମୁଠା ଭର୍ତ୍ତି ପଇସା । ହେଲେ ସେ ଆଣିବ କୋଉଠୁ ? ଏ ବୁଢୀ ବୟସରେ ବି ସାତ ସାତଟା ଘରରେ କାମ କରି ସେ ପଇସା ଆଣୁଛି । ଜବାନ୍ ବୋହୂଟା ତ ଗଲା, ତା’ ସାଙ୍ଗକୁ ଚାଲିଗଲା ଭବିଷ୍ୟତର ସବୁ ଆଶା ଭରସା । ଜାଣିବା ଶୁଣିବା ଲୋକେ କହିଲେ – ‘ତୋ’ ପୁଅକୁ ଏ ସଂସାରରେ କେହି ବଞ୍ଚେଇ ପାରିବେ ନାହିଁ । କାହିଁ ତା’ ପଛରେ ନିଜର ଝାଳସିଞ୍ଚା ଟଙ୍କାକୁ ତୋର ଖର୍ଚ୍ଚ କରି କରି ଶେଷ କରିଦେବାକୁ ଚାହୁଁଛୁ?’

କିଛି ଉତ୍ତର ଦେଇନଥିଲା ସେ । ଠାକୁରଙ୍କ ପାଖରେ ଯାଇ କେବଳ ଅଧିଆ ପଡିଥିଲା । ମନେ ମନେ ଗୁହାରି କରିଥିଲା – ଜଟିଆକୁ ଦଣ୍ଡ ପଛେ ମିଳୁ, ହେଲେ ଫାସୀ ନହେଉ । ସାରା ଜୀବନ ହାଜତରେ ପଛେ ରହୁ, ହେଲେ ତା’ର କୋଳ ଶୂନ୍ୟ ନହେଉ ..!

“ଜେଜୀ .. ହେଇ ଦେଖ, ପଧାନ ଘର ବୁଢା କେମିତି ତାଳ ଫୋଟକା ଫୁଟୋଉଛି ! .. ଭାରି ମଜା ନା ବାଣ ଫୁଟେଇବା ! କେମିତି ଲାଗୁଥିବ ସତରେ ! .. ଆଚ୍ଛା ଜେଜୀ, ତୁ କେବେ ବାଣ ଫୁଟେଇଛୁ? ଢୋ କରି ଆବାଜ ହେଲେ ଚମକିକି ଡରି ଯାଇଛୁ ..? ରକେଟ୍ ବାଣ କେବେ ସୁ ସୁ କରି ଆକାଶକୁ ଉଡିଯିବାର ଦେଖିଛୁ ..? .. ଆଚ୍ଛା ଜେଜୀ, ଆମେ ଦୋକାନକୁ କେତେବେଳେ ଯିବା .. ତୁ ତ କିଛି କହିଲୁ ନାହିଁ !”

ଜକେଇ ଆସିଲା ଲୁହ ପୁଣି ଥରେ ତା’ ଆଖିକୁ । ପିଲାଟା କେତେ ଡହଳ ବିକଳ ହେଉଛି ! କ’ଣ କରିପାରିବ ସେ ତା’ ପାଇଁ ! ଦେଇ ଦେବ କି ପଇସା ! ଅଣ୍ଟାରେ ଖୋସା ହେଇଛି ଶହେ ଟଙ୍କା, ସାଆନ୍ତଙ୍କ ବାଡିରେ ଘାସ ବାଛିଥିବା ପଇସା । ସେଥିରୁ ପଚାଷଟା ଟଙ୍କା କାଢି ଦେଇଦେଲେ ଛୁଆଟାର ମନ ଖୁସି ହେଇଯିବ । ହତଭାଗାଟା ଦୁଇ ଚାରିଟା ବାଣ ଫୁଟେଇ ନିଜକୁ ଏ ସଂସାରର ସବୁଠାରୁ ଭାଗ୍ୟବାନ ବୋଲି ମନେ କରିବ । ଦେବ କି?

ହେଲେ ଜଟିଆ? ଓକିଲ ବାବୁଙ୍କୁ ଦେବ ବୋଲି ସାଆନ୍ତଙ୍କ ଗୋଡହାତ ଧରି ମାଗିକି ଆଣିଛି । ୟା’କୁ ଦେଇଦେଲେ ବିନା ପଇସାରେ ଓକିଲବାବୁ ତା’ କଥାକୁ କାନରେ ପୂରେଇବେ ବି ନାହିଁ । ତା’ପରେ ଜଟିଆକୁ କିଏ ଆଉ ସାହା ହେବ !

ନାହିଁ, ନାହିଁ, ସେ ଏ ପଇସାକୁ ମୋଟେ ଦେଇପାରିବ ନାହିଁ । ଗୋଟାଏ ଦିନ ଆଉ ମାଡି ମକଚିକି ରହିଗଲେ ଦିପାବଳୀ ସରିଯିବ ନାହିଁ ଯେ ଏତେ ଚିନ୍ତା କରୁଛି ସେ । ଆଉ ଟିକେ ଚେଷ୍ଟା କରି ବୁଝେଇଦେବ ସେ ତାକୁ । ଭାଗ୍ୟରେ ଥିଲେ ଆସନ୍ତା ବର୍ଷକୁ ବାପ ତା’ର କିଣିଦେବ ତା’ ପାଇଁ ମନଇଚ୍ଛା ବାଣ । ଏଇ ବର୍ଷଟା ଟିକିଏ ସବୁର କରିଯା ବୋଲି କହିବ । ନବୁଝିଲେ ଦି’ଟା ଥାପଡ ବସେଇଦେବ ଗାଲରେ ପଛେ, ହେଲେ ଏ ପଇସାକୁ ସେ ମୋଟେ ଦେଇପାରିବ ନାହିଁ । ସବୁ କଥାରେ ଜିଦି କଲେ କ’ଣ ଚଳିବ !

ବୁଲିକି ଚାହିଁଲା ତା’ ମୁହଁକୁ ! କେତେ ବିକଳ ଆଖିରେ ଚାହିଁ ରହିଛି ଆକାଶରେ ନାଲି ନେଳି ରଙ୍ଗ ବିଛାଡୁଥିବା ବାଣ ସବୁକୁ ! ଏଇ ଦିନରେ ନିଜ ପିଲାଙ୍କ ପାଇଁ କେତେ କ’ଣ କରୁଛନ୍ତି ବାପ ମା’ମାନେ । ସୁଲ ଆଉ ଜଟିଆ ଥିଲେ କ’ଣ ଛୁଆଟା ଏମିତି ହିନିମାନିଆ ହେଇଥାନ୍ତା !

ବହି ଆସୁଥିବା ଲୁହଧାରକୁ ଲୁଚେଇ ଦେବା ପାଇଁ ଉଠିଗଲା ସେ ଚୁଲି ଲଗେଇବାକୁ । ରାତି ପାଇଁ ରନ୍ଧାରନ୍ଧି ଆଜି କିଛି କରିନି । ଛୁଆଟାକୁ ଭୋକ ଲାଗିବଣି । ବାଣର ନିଶାରେ ଖାଇବା କଥା ପୂରା ଭୁଲି ଯାଇଛି, ନହେଲେ ଏତେବେଳକୁ କାନ୍ଦିକାଟି ଉଚ୍ଛନ୍ନ କରିସାରନ୍ତାଣି ।

ଚୁଲିରେ ବାଉଁଶ ପୂରେଇ ସେ ନିଆଁ ଧରେଇଲା । ଅନ୍ୟମନସ୍କତାରେ କେତେବେଳେ ବାଉଁଶର ଦୁଇ ଚାରିଟା ଗଣ୍ଠି ଭିତରକୁ ଠେଲି ହେଇଗଲା । ଠୋ ଠା ଶବ୍ଦରେ ସେ ଚମକି ପଡିଲା । ନିଆଁ ଲାଗି ଗଣ୍ଠି ଗୁଡାକ ପୂରା ତାଳଫୋଟକା ବାଣ ପରି ଶବ୍ଦ କରୁଛି । ହଠାତ୍ ତା’ ଶୁଖିଲା ଓଠରେ ହସର ଧାରଟିଏ ଉକୁଟି ଆସିଲା । ଡାକ ପକେଇଲା ନାତିକୁ, “ହେଇ ଦେଖ ରେ କୈଳାଶ, କେମିତି ବାଣ ଫୁଟୁଚି ଆମ ଚୁଲିରେ!”

ବାଣ ନାଁ ଶୁଣି ଧାଇଁ ଆସିଲା ନାତି । ଠୋ ଠା ଶବ୍ଦରେ କୁରୁଳି ଉଠିଲା । “ଏ ଗୁଡା କ’ଣ ଜେଜୀ ?” ବଡ ବିସ୍ମୟରେ ସେ ଆଡକୁ ଚାହିଁ ପଚାରିଲା ସେ ।

“ଇଏ ପରା ବାଉଁଶ ଫୋଟକା !” ନିଆଁକୁ ଆଉ ଟିକେ ଠେଲା ପେଲା କରି ଦଉ ଦଉ ଜଟିଆ ମା’ କହିଲା ନାତିକୁ । ଚଡ୍ ଚଡ୍ ହେଇ ପୁଣି ଫୁଟିଉଠିଲା ବାଉଁଶର ଗଣ୍ଠି ସବୁ । ଚିର୍ ଚିର୍ ହେଇ ଖେଳେଇ ହେଇଗଲା ନିଆଁ ଝୁଲ, ଏକଦମ୍ ଫୁଲଝରି ବାଣ ପରି । ତାଳି ମାରି ନାଚି ଉଠିଲା ନାତି । ‘ବାଉଁଶ ଫୋଟକା .. ବାଉଁଶ ଫୋଟକା .. ମୁଁ ଫୁଟେଇବି ବାଉଁଶ ଫୋଟକା । ଜେଜୀ ତୁ ଉଠୁ ଏଠୁ, ମତେ ବି ଫୁଟେଇବାକୁ ଦେ ..’

କହୁ କହୁ ଲମ୍ବା ବାଉଁଶଟାକୁ ନିଜ ହାତରେ ପେଲିଦେଲା ଚୁଲି ଭିତରକୁ । ଚଡ୍ ଚଡ୍ କରୁଥିବା ବାଉଁଶକୁ ଚାହିଁ ତା’ ଆଖିର ଚମକ ବଢି ଯାଉଥିଲା । “ଜେଜୀ, ଏ ବାଣ କ’ଣ ଖାଲି ଚୁଲି ଭିତରେ ଫୁଟିବ ! ବାହାରେ ଫୁଟିବ ନାହିଁ ସେମାନଙ୍କ ବାଣ ପରି ..”

“ନାହିଁ ରେ ବାବୁ, ଏଇଟା ଲୁଚେଇକି ଫୁଟାନ୍ତି ସମସ୍ତେ । କାଳେ କିଏ ନେଇଯିବ .. ତୁ ଏକା ଫୁଟେଇବୁ ବୋଲି ମୁଁ ପରା ଚୁଲି ଭିତରେ ପୂରେଇ ଦେଇଛି ..”

“ହଉ .. ହଉ .. ଭଲ କରିଛୁ । କାହାକୁ ଦେବିନି ମୋ ବାଣକୁ ମୁଁ । ଏଇଠି ହିଁ ଫୁଟେଇବି .. ଦେଖ୍ ତ କେତେ ମଜା ଲାଗୁଛି ! ବଢିଆ ବାଣଟେ ..” କହୁ କହୁ ଆଉ ଟିକେ ଭିତରକୁ କେଞ୍ଚିଦେଲା ବାଉଁଶକୁ । ଠୋ କରି ଫୁଟିଲା ଆଉ ଗୋଟାଏ ଗଣ୍ଠି । କିର୍ କିର୍ ହୋଇ ହସିଉଠିଲା କୈଳାଶ ।

ଆଶ୍ୱସ୍ତ ହେଇଗଲା ଜଟିଆ ମା’ । କେତେ ଦିନ ପରେ ନାତିର ମୁହଁରେ ହସର ଚେନାଏ ରେଖା, ତା ଭିତରର ଅଥୟ ପଣକୁ ଶାନ୍ତି କରିଦେଲା ବେଳେ ମନେ ମନେ ଭାବିଲା – ଯାହାହେଉ ଏ ବର୍ଷ ଦିପାବଳୀ ପାଇଁ ବାଣର କିଛିଟା ଆୟୋଜନ ହେଇଗଲା ! ଜଟିଆ ପାଇଁ ଆଣିଥିବା ପଇସାରେ ହାତ ମାରିବାକୁ ପଡିବ ନାହିଁ ଜାଣି ମନଟା ଶାନ୍ତ ହେଇଯାଉଥିଲା ସିନା, ହେଲେ ନାତି ଆଖିର ସେ ନିରୀହ ଖୁସି ଛାତି ଉପରେ କୁଢେଇ ହେଇପଡୁଥିଲା ଅସହାୟତାର ଲକ୍ଷେ ଦିପାଳୀ ହୋଇ।  

                                             


Rate this content
Log in

Similar oriya story from Inspirational