Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Subas Chandra Rout

Inspirational Others

3  

Dr Subas Chandra Rout

Inspirational Others

ସୁନ୍ଦର ଅସୁନ୍ଦର

ସୁନ୍ଦର ଅସୁନ୍ଦର

7 mins
14.6K


ନିର୍ମଳା ଦର୍ପଣରେ ନିଜ ମୁହଁ ଦେଖିଲା ବେଳେ ମନକୁ ମନ ଭାବେ, ‘ମୋ ମୁହଁ ତ ଅସୁନ୍ଦର ଦେଖାଯାଉନି । କାହିଁକି ମୋତେ ସମସ୍ତେ ଅସୁନ୍ଦରୀ କହୁଛନ୍ତି ।’ ନିଜ ମୁହଁ କେବେ ହେଲେ ନିଜକୁ ଅସୁନ୍ଦର ଦେଖାଯାଏନି । ଏଇ ଛୋଟ କଥାଟା ତା ମୁଣ୍ଡରେ ପଶିନଥିଲା । ସେ ଭାବେ, ମୋ ଓଠଟା ଆଉ ଟିକେ କମ ମୋଟା ହେଇଥିଲେ ଭଲ ହୋଇଥାନ୍ତା । ମୋ ରଙ୍ଗଟା ସୁମିତ୍ରା ଭଳି ହେଇଥିଲେ ଆଉ ଟିକିଏ ସୁନ୍ଦର ଦେଖାଯାଇଥାନ୍ତି । ରୀତା, ମିତା ଓ ଅନିତା ଭଳି ମୋର ବି ଅନେକ ପୁଅ ସାଙ୍ଗ ହୁଅନ୍ତେ । ସେମାନେ କେଡ଼େ ମଜାରେ ପୁଅ ସାଙ୍ଗ ଧରି ବୁଲୁଛନ୍ତି । ତାଙ୍କଠୁ ଝଡ଼େଇ ଆରାମରେ ହୋଟେଲରେ ପିଜା ଖାଉଛନ୍ତି । ସେମାନଙ୍କୁ ଦେଖିଲେ କେମିତି ଫୁଲେଇ ହଉଛନ୍ତି । ଆଉ ମୁଁ ଏଠି ସଙ୍ଗହୀନ ହୋଇ ମାଛି ମାରୁଛି । ବେଳେବେଳେ ବଡ଼ ଅବସାଦ ହୁଏ । ଇଂରାଜୀ ଭାଷାରେ ଗୋଟିଏ କଥା ଅଛି, ଯୋଉ ଝିଅର କେହି ପୁଅ ସାଙ୍ଗ ନାହିଁ ସିଏ କି ଝିଅ ! ତାଙ୍କ ଦେଶରେ କୌଣସି ଝିଅର ପୁଅ ସାଙ୍ଗ ନଥିବାଟା ବଡ଼ ଦୁଃଖଦ ବାର୍ତ୍ତା କାରଣ ସେଠାରେ ପୁଅ ଝିଅ ଏକାଠି ବୁଲିବା ପରମ୍ପରା ଅଛି । ଯଦି କୌଣସି ଝିଅର କେହି ପୁଅ ସାଙ୍ଗ ନାହିଁ, ତାହେଲେ ଧରି ନିଆଯାଏ ସେ ଝିଅ ଅତି ଅସାମାଜିକ ।

ନିର୍ମଳା ଭାବେ, ହଁ ମୁଁ ଟିକିଏ କଳା ଦେଖିବାକୁ, କିନ୍ତୁ ମୁହଁ ତ ଏକେବାରେ ଅସୁନ୍ଦର ନୁହେଁ । ଦର୍ପଣରେ ମୁହଁକୁ ୩୦° ବଙ୍କେଇ ଦେଖିଲେ ତ ସୁନ୍ଦର ଦେଖାଯାଉଛି । ଫେର ଭାବେ, ମୋ ଭଳି ଅସୁନ୍ଦର ଝିଅକୁ କିଏ ବାହା ହବ ! ମୋ ସାଥିରେ ଟିକିଏ କଥା କହିବାକୁ କି ଗପ କରିବାକୁ କେହି ଆସୁନାହାନ୍ତି । ମୋତେ ସମସ୍ତେ ଆଡ଼େଇ ହୋଇ ଯାଉଛନ୍ତି ।

ସାଙ୍ଗମାନେ ପଛରେ କମେଣ୍ଟ୍ ମାରନ୍ତି, “ଇହି, ଏଇଟା କି ଅସୁନ୍ଦର ହୋଇଛି । ଏଇଟା କେମିତି ବାହା ହବ କେଜାଣି ?” ଶ୍ରେଣୀର ପୁଅ ସାଥିମାନଙ୍କ ମଧ୍ୟରୁ ଜଣେ ବଡ଼ ପାଟିରେ କହେ, “ଭାଇମାନେ, ସୁଶ୍ରୀର ବିପରୀତ କଅଣ ।” ଏକାବେଳେକେ ଅନେକ କଣ୍ଠରେ ପ୍ରତିଧ୍ଵନିତ ହୁଏ – “ବିଶ୍ରୀ, ବିଶ୍ରୀ ବିଶ୍ରୀ ।” ନିର୍ମଳା ଭାବେ ଦୌଡ଼ି ଯାଇ କହିବି, “ନିଜେ ଟିକିଏ ସୁନ୍ଦର ବୋଲି ଏତେ ଗର୍ବ କରନି । ଏ ଚମ ତଳେ ସମସ୍ତେ ଏକା ଭଳି ଦେଖିବାକୁ, ସମସ୍ତଙ୍କ ଦେହର ଏକାଭଳି ହାଡ଼ ମାଂସ ଅଛି । ବାହ୍ୟ ସୌନ୍ଦର୍ଯ୍ୟ ଦୁଇ ଦିନର, ଗୋଟିଏ ରୋଗ ହେଲେ କେତେବେଳେ କଳା ପଡ଼ିଯିବ, ଜାଣିପାରିବନି ।” ହେଲେ କହିବାକୁ ସାହସ ପାଏନି । କାଳେ ଅଧିକ କମେଣ୍ଟ୍ ମାରିବେ ଓ ଚିଡ଼େଇବେ !

ଦିନେ ନିର୍ମଳା ଏକାକୀ କଲେଜରୁ ଚାଲି ଚାଲି ଘରକୁ ଫେରିବା ସମୟରେ ସଞ୍ଜ ହୋଇଆସୁଥିଲା । ବାଟରେ ଗୋଟିଏ ଛୋଟ ନିଛାଟିଆ ରାସ୍ତା ପଡ଼େ । ସେହି ରାସ୍ତା ପାଖରେ ଗୋଟିଏ ବିରାଟ ବର ଗଛରେ ଗୋଟିଏ ଭୂତ ରହୁଥିବା କଥା ସମସ୍ତେ କହନ୍ତି । ଡରି ଡରି ସେହି ରାସ୍ତାରେ ନିର୍ମଳା ଗଲାବେଳେ ହଠାତ ପଛରୁ କେହି କହିଲା, “ଆରେ ଏକୁଟିଆ ଝିଅ ଯାଉଛି, ଚାଲ ଟେକିନେବା” । ଏହା ଶୁଣି ନିର୍ମଳା ପ୍ରାଣ ବିକଳରେ ଦୌଡ଼ିଲା । ପଛରୁ ଗୋଟିଏ ମଟର ସାଇକେଲ ଆସି ତା ଆଗରେ ବ୍ରେକ ମାରି ରହିଗଲା । ଦୁଇ ଜଣ ଲୋକ ବସିଥିଲେ ଓ ହେଲମେଟ ପିନ୍ଧିଥିଲେ । ନିର୍ମଳାକୁ ଯେମିତି ଦେଖିଛନ୍ତି, କହିଲେ, “ଇ ଲୋ ମାଆ ଲୋ, ଏଇଟା ଭୂତୁଣୀଟା ! “ବଞ୍ଚାଅ, ବଞ୍ଚାଅ”, କହି ମଟର ସାଇକେଲରେ ବସି ଚାଲିଗଲେ ।

ନିର୍ମଳା ଦୌଡ଼ି ଦୌଡ଼ି ଘରକୁ ଗଲା । ଭୟ ଓ ଉତ୍ତେଜନାରେ ଲମ୍ବା ଲମ୍ବା ନିଶ୍ଵାସ ପ୍ରଶ୍ଵାସ ଚାଲୁଥାଏ । ନିଜ ରୁମରେ ତକିଆରେ ମୁହଁ ଗେଞ୍ଜି କାନ୍ଦିବାକୁ ଲାଗିଲା । ତା ପଛେ ପଛେ ମାଆ ଜଳଖିଆ ଧରି ତା’ ରୁମକୁ ଗଲେ । ତା ପାଖରେ ମାଆ ବସି ତା ପିଠିକୁ ଥାପୁଡ଼େଇଦେଲେ । କହିଲେ, “କାନ୍ଦନା ମାଆ । ଧୈର୍ଯ୍ୟ ଧର । ସବୁ ଠିକ ହୋଇଯିବ । ଏ ଦୁନିଆରେ ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ଆସେ । ଆମ ଦୁଃଖ ଚିରସ୍ଥାୟୀ କେବେ ହେବନି । ଏମିତି ଦିନ ଆସିବ, ତୁ ଏ ଦୁନିଆରେ ମୁଣ୍ଡ ଟେକି ଗର୍ବରେ ଚାଲିବୁ । ମୋ କଥା ମନରେ ଗଣ୍ଠି କରି ରଖିଥା । ଆମେ ୫୦ ବର୍ଷ ଧରି ଏ ଦୁନିଆ ଦେଖିଲୁଣି । ଏଠାରେ ସବୁ ଅସ୍ଥିର, ଆଜି କଥା କାଲିକି ନାହିଁ । କହ, ଆଜି କଅଣ ଅସୁବିଧା ହେଲା ।”

ନିର୍ମଳା କହିଲା, “ଆଜି ଯାହା ହେଲା ତାହା ଅତି ଲଜ୍ଜା ଜନକ ଓ ମୋ ପାଇଁ ଅତି ଅପମାନର କଥା, କିନ୍ତୁ ସେଥିଯୋଗୁ ଆଜି ମୁଁ ପ୍ରାଣ ପାଇଲି, ମୋ ଇଜ୍ଜତ ବଞ୍ଚିଗଲା ।” ବିସ୍ତାର ପୂର୍ବକ ସବୁ କଥା କହିଲା ।

କଲେଜ ପରୀକ୍ଷା ସରିଗଲା । ଶ୍ରେଣୀ ସାଥିମାନେ ବିଭିନ୍ନ ସ୍ଥାନରେ ଥିବା ନିଜ ନିଜ ଘରକୁ ଚାଲିଗଲେ । ନିର୍ମଳାର ବିଶେଷ କେହି ସାଙ୍ଗ ନଥିବାରୁ ପାଠ ପଢ଼ାରେ ଅଧିକ ସମୟ ଅତିବାହିତ ହେଉଥିଲା । ଓଡ଼ିଆ ଓ ଇଂରାଜୀ ଭାଷାର ଖବରକାଗଜ, ଖେଳ ମଗାଜିନ, ସିନେମା ମାଗାଜିନ ଆଦି ମନଦେଇ ପଢ଼ିବସେ । ମାଆ ସାଥିରେ ବସି କଥା ହୁଏ, ଯାହା ପଢ଼ିଥାଏ, ସେ ସବୁ ମାଆକୁ କହେ । ମାଆ କେବେ ବିରକ୍ତ ହୁଅନ୍ତିନି । ଅନେକ ସମୟରେ ମା ବିଭିନ୍ନ ପୁରାଣ ଗପ କହନ୍ତି । ଆମ ଦେଶ ଓ ପ୍ରଦେଶର ଗାରିମା କଥା କହନ୍ତି । ବହୁତ ଭଲ ଲାଗେ ନିର୍ମଳାକୁ । ଠାକୁରଙ୍କୁ ଡାକେ, “ପ୍ରଭୁ, ମୋତେ ନିଜ ଗୋଡ଼ରେ ଠିଆ କରେଇ ଦିଅ । ମୋତେ ଏତେ ଅସୁନ୍ଦରୀ କଲ କାହିଁକି ପ୍ରଭୂ । କି ପାପ ପୂର୍ବଜନ୍ମରେ କରିଥିଲି ?”

ଚାକିରି କରିବା ନିମନ୍ତେ ନିର୍ମଳା ଅନେକ ଦରଖାସ୍ତ ଦେଲା । ବିଭିନ୍ନ ପରୀକ୍ଷା ଦେବାକୁ ଯାଏ । ପରୀକ୍ଷା ଫଳ କିଛି ଆସିନଥାଏ । ଶେଷରେ ଅଳ୍ପ ଦରମାରେ ସ୍ଥାନୀୟ କଲେଜରେ ଗୋଟିଏ ଚାକିରି ପାଇଲା । ଦରମା ନେଲା ବେଳେ ୩୦,୦୦୦/- ନେଲି ବୋଲି ଦସ୍ତଖତ କରିବେ କିନ୍ତୁ ଆଣିବେ ୧୨,୦୦୦/- । ଆଉ କୌଣସି ଚାକିରି ମିଳିଲାନି । ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲା । ପ୍ରିଲିମିନାରି ଓ ମୁଖ୍ୟ ପରୀକ୍ଷାରେ ପାସ ହୋଇଗଲା । ଅନେକ ମାସ ଅପେକ୍ଷା କରିବା ପରେ ମୌଖିକ ପରୀକ୍ଷା ପାଇଁ କଲ ଆସିଲା । ନିର୍ମଳା ଭାବିଲା, କାହିଁକି ଏତେ ପଇସା ଖର୍ଚ୍ଚ କରି ଦିଲ୍ଲୀ ଯିବି ! ପ୍ରଥମ ଥରରେ ପାସ କରିବା ମୁସ୍କିଲ୍ ଓ ପାଇବାର ଆଶା ନାହିଁ । ମା’ ବାପା କିନ୍ତୁ ଯିବା ନିମନ୍ତେ ବାଧ୍ୟ କଲେ । ବାପାଙ୍କୁ ସାଥିରେ ଧରି ନିର୍ମଳା ଦିଲ୍ଲୀ ଚାଲିଲା ।

ମୌଖିକ ପରୀକ୍ଷା ପାଇଁ ତା ନାମ ଡକା ହେଲା । ଅତି ସନ୍ତର୍ପଣରେ ନିର୍ମଳା ରୁମ ଭିତରକୁ ପଶିଲା । ଦୁଇ ହାତ ଯୋଡ଼ି ‘ନମସ୍ତେ’ କହିଲା । ଇଂରାଜୀ ଭାଷାରେ କଥାବାର୍ତ୍ତା ଚାଲିଲା ।

ପରୀକ୍ଷକ କହିଲେ, "ବସନ୍ତୁ" ।

-- "ଧନ୍ୟବାଦ, ସାର୍ ।"

-- "ନାମ ନିର୍ମଳା ହୋତା । ଠିକ ତ?"

-- "ହଁ ସାର୍ ।"

-- "ନିର୍ମଳା ଶବ୍ଦର ଅର୍ଥ କଅଣ?"

-- "ଅନାବିଳ, ସ୍ଵଚ୍ଛ ।"

-- "ନିର୍ମଳା କେମିତି ଅସ୍ଵଚ୍ଛ ହୋଇପାରିବ?"

-- "ନିଜର କୃତ କର୍ମ ଯୋଗୁ ହୋଇପାରିବ ।"

-- "ଅନ୍ୟ କେହି ଅସ୍ଵଚ୍ଛ କରି ପାରିବେନି?"

-- "ନା ସାର । ଦୁନିଆ ନଜରରେ ଦେହ ଅସ୍ଵଚ୍ଛ ହୋଇପାରେ, ମନ ନୁହେଁ । ଆତ୍ମା ପବିତ୍ର ଥିଲେ ଦେହ ଆପେ ପବିତ୍ର ହୋଇଯିବ । ସିଦ୍ଧାର୍ଥଙ୍କର ସ୍ପର୍ଶରେ ପଚା ଖାଦ୍ୟ ମଧ୍ୟ ସୁବାସିତ ହୋଇଯାଇଥିଲା । ନିଜ ମନ ନିର୍ମଳ ଥିଲେ ଗଡ଼ିଆ ବି ଗଙ୍ଗା ହୋଇଯିବ ।"

-- "ସିଦ୍ଧାର୍ଥ କିଏ?"

-- "ବୁଦ୍ଧ ଦେବଙ୍କର ଅନ୍ୟ ନାମ ସିଦ୍ଧାର୍ଥ । ଭଗବାନ ବିଷ୍ଣୁଙ୍କର ସେ ନବମ ଅବତାର ।"

-- “ତୁମ ଘର କେଉଁ ପ୍ରଦେଶରେ?”

-- “ଓଡ଼ିଶାରେ, ସାର୍ ।”

-- “ବୁଦ୍ଧ ଦେବ ଓଡ଼ିଶାକୁ କେବେ ଆସିଥିଲେ?”

-- “କେବେବି ଆସିନଥିଲେ ସାର୍ ।”

-- "ଓଡିଶାରେ ବୁଦ୍ଧଙ୍କର କିଛି ସ୍ମାରକୀ ଅଛି କି?"

-- "ବହୁତ ସ୍ଥାନରେ ଅଛି ସାର । ସେ ସ୍ଥାନମାନଙ୍କର ନାମ ଲଳିତ ଗିରି, ରତ୍ନ ଗିରି ଓ ଉଦୟ ଗିରି ।"

-- “ଓଡ଼ିଶାର ଅନ୍ୟ ଦର୍ଶନୀୟ ସ୍ଥାନ କଅଣ ଅଛି, ଯାହା ଦେଖିବାକୁ ପରିଭ୍ରମଣକାରୀ ଆସିବେ?”

-- “ସାର, ଏମତି ବହୁତ କିଛି ଦେଖିବାକୁ ଅଛି, କିନ୍ତୁ କୋଣାର୍କ ଗାତ୍ରରେ ଥିବା ଅନୁପମ ପ୍ରସ୍ତର କାରୁକାର୍ଯ୍ୟ ପୃଥିବୀ ପ୍ରସିଦ୍ଧ ଓ ସୋ ଷ୍ଟପର ।”

-- “ଏମ.ଏ. ପାସ କରିଛନ୍ତି ତ, ସ୍ପେଶିଆଲ ପେପର କଅଣ ଥିଲା ?”

-- “ୟୁରୋପ ଇତିହାସ”

-- “ବିସମାର୍କ କିଏ?

-- “ସେ ଆଧୁନିକ ଜର୍ମାନୀ ଦେଶର ସ୍ରଷ୍ଟା ଓ ପ୍ରଥମ ଚେୟାରମ୍ୟାନ । ୧୮୬୦ ରୁ ୧୮୯୦ ପର୍ଯ୍ୟନ୍ତ ସେ ୟୁରୋପ ଓ ଜର୍ମାନୀର ସମସ୍ତ କ୍ରିୟା କଳାପରେ ଭାଗ ନେଉଥିଲେ । ତାଙ୍କର ପ୍ରକୃତ ନାମ ଅଟ୍ଟୋ ଏଡୁଆଡ଼ ଲିୟପୋଲ୍ଡ ଥିଲା ଓ ସେ ପୃସିଆ ଦେଶର ଚେୟାରମ୍ୟାନ ଥିଲେ । ତାଙ୍କରି ଯୋଗୁ ଜର୍ମାନୀର ଏକତ୍ରିକରଣ ସମ୍ଭବ ହୋଇପାରିଥିଲା । ପରେ ଲୋକମାନେ ତାଙ୍କୁ ଅଟ୍ଟୋ ଭାନ ବିସମାର୍କ ନାମରେ ଡାକିଲେ ।”

-- “ଏମ.ଏ. ରେ କେଉଁ କ୍ଳାସରେ ପାସ କରିଥିଲେ ?”

-- “ଫାଷ୍ଟ କ୍ଳାସ୍ ପାଇଥିଲି, ଉତ୍କଳ ୟୁନିଭରସିଟିରେ ।”

-- “ଶେଷ ପ୍ରଶ୍ନ – ଜଣେ ଲୋକ ଡାକ୍ତରଖାନାର ରାସ୍ତାରେ ଚାଲୁ ଚାଲୁ ଜଣେ ବ୍ୟକ୍ତିଙ୍କୁ ପ୍ରଶ୍ନ କଲା, “ଆଜ୍ଞା, ମୁଁ କୁଆଡେ ଯିବି?” ଆପଣ ସେ ବ୍ୟକ୍ତି ହୋଇଥିଲେ କଅଣ ଉତ୍ତର ଦେଇଥାନ୍ତେ ?” ଅଳ୍ପ ସମୟ ଭାବିବା ପରେ ନିର୍ମଳା ଉତ୍ତର ଦେଲା, “ମୁଁ କହିଥାଆନ୍ତି, ଏଇ ଆଗରେ ମାନସିକ ଚିକିତ୍ସା ଆଉଟ ଡୋର ଅଛି, ଆସନ୍ତୁ ମୁଁ ସେଠାକୁ ନେଇଯିବି ।”

-- “ମାନସିକ ଚିକିତ୍ସା ଆଉଟ ଡୋର କାହିଁକି ।”

-- “ମନୋଦଶା ବିପନ୍ନ ନହୋଇଥିଲେ ନିଜର ଗନ୍ତବ୍ୟ ସ୍ଥଳ ଜଣେ କେମିତି ଭୁଲିବ? ସେ ନିଶ୍ଚୟ ଜଣେ ମାନସିକ ରୋଗୀ ।”

-- “ଭେରି ଗୁଡ । ଆପଣ ବହୁତ ବହୁତ ବୁଦ୍ଧିମତୀ । ବର୍ତ୍ତମାନ ଆପଣ ଯାଇପାରନ୍ତି ।”

-- “ଧନ୍ୟବାଦ ସାର୍ ।”

“ନମସ୍କାର, ମୁଁ ମ୍ୟୁନିସିପାଲିଟି ଚେୟାରମ୍ୟାନ କହୁଛି । ଆପଣ ନିର୍ମଳା ହୋତା କହୁଛନ୍ତି ତ? ଧୀର ସ୍ଵରରେ ହଁ ଭରିଲା ନିର୍ମଳା । ଆପଣ ଆଇଏଏସ ପାଇ ଆମ ସହର, ଜିଲ୍ଲା ତଥା ପ୍ରଦେଶର ମର୍ଯ୍ୟାଦା ବୃଦ୍ଧି କଲେ । ଆମେ ସହରବାସୀ ଆପଣଙ୍କୁ ସମ୍ବର୍ଦ୍ଧନା ଦେବାକୁ ଇଚ୍ଛା କରୁଛୁ । ଆସନ୍ତା ୨୦ ତାରିଖ ଦିନ ଦୟାକରି ଟାଉନ ହଲକୁ ଆସିବେ ଓ ସେଠାରେ ଆପଣଙ୍କୁ ସମ୍ବର୍ଦ୍ଧନା ଦେବୁ । ଆମ ମଧ୍ୟରୁ ଜଣେ ଆପଣଙ୍କ ପାଖକୁ ଯାଇ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ କରିବ । ଆପଣ ଆସିପାରିବେ କି ସେଦିନ ?” ପରେ ପରେ ଅନେକ ସମ୍ବାଦ ପତ୍ରର ସାମ୍ବାଦିକମାନେ ଫୋନ କରି ସମ୍ବର୍ଦ୍ଧନା ଜଣେଇଥିଲେ ଓ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିଛି ସମୟ ପରେ ନିର୍ମଳାର ସାଥିମାନେ, ଯେଉଁମାନେ ତାକୁ ସବୁ ଦିନ ପରିହାସ କରୁଥିଲେ ଓ ଆଡ଼େଇ ଯାଉଥିଲେ, ସେଇମାନେ ତାକୁ ଅଭିବାଦନ କରିବାକୁ ଲାଗିଲେ ।

ଗୋଟିଏ ତିମିରାଚ୍ଛନ୍ନ ଅନ୍ଧ ଗଳି ଭିତରେ ଯାଉ ଯାଉ ହଠାତ ଯେପରି ଦିବ୍ୟ ଆଲୋକର ଜ୍ୟୋତିମୟ ପ୍ରକାଶରେ ନିର୍ମଳା ଆଚ୍ଛନ୍ନ ହୋଇଗଲା । ସେଇ ସର୍ବନିୟନ୍ତା ଭଗବାନଙ୍କ ଉଦ୍ଦେଶ୍ୟରେ ନିର୍ମଳାର ଦୁଇ ହାତ ସ୍ଵତଃ ଯୋଡ଼ିହୋଇଗଲା ।

କୋଡ଼ିଏ ତାରିଖ ଦିନ ସନ୍ଧ୍ୟା ୫ଟା ବେଳେ ଗୋଟିଏ ଟୟୋଟା କାର ଆସି ଘର ଆଗରେ ରହିଲା । ନିର୍ମଳା ତା ବାପା ମାଆଙ୍କ ସହିତ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ । କାରରୁ ଚେୟାରମ୍ୟାନଙ୍କ ପିଏ ଆସି ନିର୍ମଳାଙ୍କୁ କାର ପାଖକୁ ନେଇଗଲେ । ସଭା ଟାଉନ ହଲରେ ହେବାର ଥିଲା । କାର ଯାଇ ସେଠାରେ ପହଞ୍ଚିବା ପରେ ନିଜେ ଚେୟାରମ୍ୟାନ ଆସି ତାଙ୍କୁ ପାଛୋଟି ନେଇ ଦର୍ଶକ ଗ୍ୟାଲେରୀର ଆଗ ଧାଡ଼ିରେ ବସେଇଦେଲେ ।

କିଛି ସମୟ ପରେ ସେ ମଞ୍ଚ ଉପରକୁ ଉଠି ମାଇକ ଆଗରେ ଠିଆ ହୋଇ କହିଲେ, “ମୁଁ ବର୍ତ୍ତମାନ ଆଜିର ଅତିଥି ସମ୍ମାନନୀୟ ସୁଶ୍ରୀ ନିର୍ମଳା ହୋତାଙ୍କୁ ମଞ୍ଚ ଉପରକୁ ଆସି ଆସନ ଗ୍ରହଣ କରିବାକୁ ଅନୁରୋଧ କରୁଛି ।” ‘ସୁଶ୍ରୀ’ ଶବ୍ଦ ଶୁଣି ଗୋଟିଏ ମୁହୁର୍ତ୍ତ ପାଇଁ ନିର୍ମଳା ବିସ୍ମିତ ହୋଇଗଲା । ଭାବିଲା, ମୋତେ ‘ସୁଶ୍ରୀ’ କହିଲେ, ମୁଁ ଠିକ ଶୁଣୁଛି ତ ! ନା ସେ ଆଉ କିଛି କହିଲେ, ମୁଁ ଅନ୍ୟ କିଛି ଶୁଣୁଛି ! ଅସୁନ୍ଦର, ବିଶ୍ରୀ ଶବ୍ଦ ଶୁଣି ଶୁଣି ତା କାନ ବଧିର ହୋଇଯାଇଥିଲା । ଆଜି ସେଇ ‘ବିଶ୍ରୀ’ ସ୍ଥାନରେ ‘ସୁଶ୍ରୀ’ ଶୁଣି ଏକ ଅପୂର୍ବ ରୋମାଞ୍ଚ ଦେହରେ ଜାତ ହୋଇଗଲା । ସତେ ଯେମିତି କାନରେ କେହି ଅମୃତ ଢାଳିଦେଲା । ତା କାନରେ ‘ସୁଶ୍ରୀ’, ‘ସୁଶ୍ରୀ’ ଶବ୍ଦ ବାରମ୍ବାର ପ୍ରତିଧ୍ଵନିତ ହେବାକୁ ଲାଗିଲା ।

ମାଆ କଥା ମନେ ପଡ଼ିଗଲା – ‘ଏମିତି ଦିନ ଆସିବ, ତୁ ଏ ଦୁନିଆରେ ମୁଣ୍ଡ ଟେକି ଗର୍ବରେ ଚାଲିବୁ ।’ କେତେ ସତ କଥା କହିଥିଲା । ସେ ମଞ୍ଚ ଉପରକୁ ଉଠିଲା ବେଳକୁ ହଲର ସମସ୍ତ ଲୋକ ଠିଆ ହୋଇ ତାଳି ମାରିବାକୁ ଲାଗିଲେ । ଗୋଟିଏ ଅନାମଧେୟ ଝିଅ ହଠାତ ଏକ ସ୍ଵନାମ ଧନ୍ୟ ବ୍ୟକ୍ତିତ୍ଵରେ ପରିଣତ ହୋଇଗଲା ।

ଅବଶେଷରେ ନିର୍ମଳା ଅନୁଭବ କଲା, ସୁଶ୍ରୀ ଓ ବିଶ୍ରୀ ପ୍ରଭୃତି ବିଶେଷଣ ମାନ ଶରୀରର ଚର୍ମ ଅନୁସାରେ ମିଳେ, କିନ୍ତୁ କର୍ମ ଅନୁସାରେ ଯାହା ମିଳେ, ତାହାହିଁ ଯଥାର୍ଥ । ଠାକୁରଙ୍କ ଉପରେ ଅଭିମାନ କରିଥବାରୁ ଗଭୀର କ୍ଷୋଭ ଅନୁଭବ କଲା । ମନେ ମନେ କହିଲା, “ପ୍ରଭୁ, ଅଯଥାରେ ଏତେ ଦିନ ଧରି ଆପଣଙ୍କୁ ନିନ୍ଦା କରୁଥିଲି । ଅକିଞ୍ଚନ, ଜ୍ଞାନହୀନ ଝିଅଟିଏ ମୁଁ, ମୋତେ କ୍ଷମା କରିଦିଅ । ମହିଳାମାନଙ୍କ ସଶକ୍ତିକରଣ, ଗରିବମାନଙ୍କର ଓ ଦେଶର ସେବା କରିବାକୁ ମୋତେ ଶକ୍ତି ଦିଅ ପ୍ରଭୁ ।”

ଡା ସୁବାସ ଚନ୍ଦ୍ର ରାଉତ

ଫୋନ – ୭୯୭୮୦୫୯୮୫୧


Rate this content
Log in

Similar oriya story from Inspirational