ପଥର ଛାତିରେ ଏତେ ଦରଦ
ପଥର ଛାତିରେ ଏତେ ଦରଦ
ଅଫିସ କ୍ୟାଣ୍ଟିନ୍ ରେ ମଧ୍ୟାହ୍ନ ଭୋଜନ ଶେଷ କରି କ୍ୟାଣ୍ଟିନ୍ ଲନ୍ ଉପରେ ବସି ଟିକିଏ ବିଶ୍ରାମ ନେଉଥାଏ ।ମୋ ସାଥିରେ ମୋ ସହକର୍ମୀ ମୁଣ୍ଡା ବାବୁ ଆଉ ସିଂ ବାବୁ ବସି ଥାଆନ୍ତି ।ଅଫିସ ର ସେହି ସ୍ୱଳ୍ପ ଅବସର ସମୟରେ ଆମେ ବାଡି ଶାଗ କିଆରୀ ଠାରୁ ଆରମ୍ଭ କରି ପାର୍ଲାମେଣ୍ଟର ପ୍ରସ୍ତାବିତ ବଜେଟ୍ ଯାଏଁ ଆଲୋଚନା କରିଦେଉ ।ବେଳେବେଳେ ଆମ ଭିତରେ ଜନମଞ୍ଚ ର ତର୍କ ବିତର୍କ କାର୍ଯ୍ୟକ୍ରମ ବି ଆରମ୍ଭ ହେଇଯାଏ ।ହଠାତ୍ ମୋବାଇଲ ଫୋନ ରିଙ୍ଗ୍ ଟୋନ୍ ଧ୍ୱନୀ ରେ ଆମ ଆଲୋଚନା ର ପୂର୍ଣ୍ଣଚ୍ଛେଦ ଟଣା ହେଲା ।ଆମ ଗାଁ ଆନନ୍ଦ କାକା ଙ୍କ କଲିଂ ଦେଖି ମୁଁ ଫୋନ୍ ରିସିଭ୍ କଲି ।ମୋର ନମସ୍କାର ପର୍ବ ନସରୁଣୁ ସେପଟେ କାକା କହିଲେ-"ଜାଣିଛୁ ଶିବୁ,ଆଜି ଦିନା ଭାଇ ମାରା ପଡିଗଲେ ।"
ତାଙ୍କର ଏହି ପଦିଏ କଥାରେ ଯେମିତି ମୋ ପିଣ୍ଡ ରୁ ପ୍ରାଣ ଛାଡି ଚାଲିଗଲା ।ମୁଁ କିଛିକ୍ଷଣ ପାଇଁ ସ୍ତବ୍ଧ ହୋଇ ରହିଗଲି।କିଛି ସମୟ ପରେ ତାଙ୍କ କଥା ଶୁଣି ପ୍ରକୃତିସ୍ଥ ହେଇ ଫୋନ ରଖିଲି ।ଆଖି ଆଗରେ ନାଚି ଉଠିଲା ସେଇ କ୍ଷୀଣକାୟ ପତଳା ଶରୀର, ହସହସ ମୁହଁ ଏବଂ ଗମ୍ଭୀର ଚେହେରା ।ଆମ ଗାଁ ଛାତି ଚିରି ଯେଉଁ ହୁଣ୍ଡାଳ ହୁଡି ପାହାଡ ଯାଇଛି ତାହାରି ତଳେ ତାଙ୍କ ର ଛୋଟ କୁଡିଆ ଟିଏ ।ଦୀନା ମଉସା ଖୁବ୍ ସାହିତ୍ୟ ପ୍ରେମୀ ଲୋକ ଥିଲେ ।ଯେଉଁଠାରେ ବି ସାହିତ୍ୟ ଚର୍ଚ୍ଚା ,ଭାଗବତ ପାଠ ,ସଂକୀର୍ତ୍ତନ ,ପାଲା ଆଦି ହେଉଥିବ ସେ ନିଜ ସଂସାର ଛାଡି ଦେଇ ସେଇଠି ପଡି ରହିଥାଆନ୍ତି ।ସଂସାର କହିଲେ ଘରେ ଏକୁଟିଆ ସ୍ତ୍ରୀ ଟିଏ ଯିଏକି ଖୁବ୍ ଲାଜେଇ ।ଏତେ ଲାଜେଇ ଥିଲେ ଯେ ବିବାହ ର ଦଶ ବର୍ଷ ଯାଏଁ କୌଣସି ପିଲା ପିଲି ହେଇ ନଥିଲେ ।ଗାଁ ଲୋକଙ୍କ ଟାହି ଟାପରା ଶୁଣିଲେ ଦୀନା ବୁଢା ପାଖରେ ମାଉସୀ ଖୁବ୍ କାନ୍ଦେ ।ସେତେବେଳେ ମଉସା ବୁଝେଇ କହନ୍ତି -"ଆଲୋ ହୁଣ୍ଡି ,ମୁଁ ତୋତେ ବହୁତ ଭଲପାଏ ତ ସେଇଥିପାଇଁ ଭଗବାନ ଆମ କୋଳ କୁ କିଛି ପିଲା ପିଲି ଦେଉ ନାହାନ୍ତି ।ଯଦି ଆମର ପିଲା ହେଲା ତେବେ ମୋ ପେରେମ ତୋ ପାଇଁ ଉଣା ହେଇ ଯିବନି ..?"
ବୁଢୀ ବୁଝିଯାଏ କି ହୁଏତ ଠାକୁର ଙ୍କର ବୋଧେ ସେଇୟା ଇଛା ।ଏମିତି ଦିନ ଗଡି ଯାଉ ଯାଉ ଭଗବାନ ତାଙ୍କ ଦୁଃଖ ସହି ନପାରି ତାଙ୍କ କୁଳ କୁ ଏକ ପୁତ୍ର ସନ୍ତାନ ଦେଲେ ।ଏଣିକି ଦୀନା ବୁଢା ଘରେ କୁଆଁ କୁଆଁ ରାବ ର ଗୁଞ୍ଜରଣ ଖେଳି ଗଲା ।ଗଗନ ପବନ ମୁଖରିତ ହୋଇ ଉଠିଲା ।ଘରକୁ ସଂକୀର୍ତ୍ତନ ମଣ୍ଡଳୀ ନିମନ୍ତ୍ରିତ କରି ମେଳା ଆୟୋଜିତ କରାଗଲା ।ସେଦିନ ତାର ନାମକରଣ କରାଗଲା "ନକୁଳ ଚନ୍ଦ୍ର " ।ସେଦିନ ଏମିତି ନାମକରଣ କଣ ପାଇଁ କରାଗଲା ମୁଁ ବୁଝି ପାରି ନଥିଲି ।ଆଜି କିନ୍ତୁ ବୁଝିବାକୁ କିଛି ବାକି ନାହିଁ ।ଦ୍ୱିତୀୟାର ଚାନ୍ଦ ପରି ନକୁଳ ମଧ୍ୟ କ୍ରମେ ବଡ ହେଲା ।ଇତ୍ୟବସରେ ତା ମା ' ର ଦେହାନ୍ତ ହେଇଯାଇଥାଏ ।ବୁଢା ଆଉ ଆଗ ପରି କାମ କରି ପାରୁ ନଥିଲା ।ବୁଢୀ କୁ ଝୁରିଝୁରି ନିଜ ଦେହର ଯତ୍ନ ଠିକ୍ ରେ ନେଲାନି ।ଘରର ସମସ୍ୟା କୁ ଦେଖି ନକୁଳ ଅସହ୍ୟ ହୋଇ ଘର ଛାଡି ସୁରଟ ଚାଲିଗଲା ।ଦୀନା ମଉସା ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାର କୌଣସି ଖୋଜ୍ ଖବର ପାଇଲାନି ।ସେତେବେଳେ ତ ଏମିତି ଫୋନ୍ ର ବହୁଳ ପ୍ରଚାର , ପ୍ରସାର ନଥିଲା ତେଣୁ ପ୍ରତିଦିନ ଆମ ଗାଁ ପୋଷ୍ଟ ମାଷ୍ଟର ପାଖକୁ ଯାଇ ଦୀନା ମଉସା ପଚାରେ -"ବାବୁ ,ମୋ ନାଆଁ ରେ ଚିଠି ଆସିଛି କି ?"
ଆଉ ପ୍ରତ୍ୟୁତ୍ତରେ ସବୁଦିନ " ନା " ଶୁଣି ଫେରି ଆସି ତାର ଭଙ୍ଗା କୁଡିଆ କୁ ।ଏମିତି ଦୀର୍ଘ ସାତ ବର୍ଷ ପରେ ଗାଁ ରେ ଫୁସୁରୁ ଫାସର ଆରମ୍ଭ ହେଇଗଲା କି ନକୁଳ ଚନ୍ଦ୍ର ମରିଯାଇଛି ।ଏକଥା ଧିରେ ଧିରେ ଦୀନା ମଉସା କାନକୁ ଗଲା ସେ ଆହୁରି ଅସୁସ୍ଥ ହେଇ ପଡିଲା ।ସାହି ପଡିଶା ଲୋକ ଯିଏ ଯାହା ଦେଲେ ଖାଇ ଦିଏ ନହେଲେ ସେମିତି ସେ ବିଛଣା ରେ ପଡିଥାଏ ।ଏମିତି ବହୁତ ଦିନ ପରେ ହଠାତ୍ ଦିନେ ନକୁଳ ଚନ୍ଦ୍ର ଗାଁ କୁ ଫେରିଲା ।ତାକୁ ଦେଖି ସମସ୍ତେ ନାନା କଥା କହି ଗାଳିଗୁଲଜ କଲେ ।କେହି କେହି ତା ପୋଷାକ ପତ୍ର ଦେଖି ତାକୋ ବାବୁ ବୋଲି ସମ୍ବୋଧନ କଲେ ।ଗାଁ ରେ ବିଜୁଳି ପ୍ରାୟ କଥାଟି ପ୍ରଘଟ ହେଇଗଲା କି " ନକୁଳ ଗାଁ କୁ ଫେରିଛି ଆଉ ସେ ଓଡିଆ କଥା କହି ପାରୁନି " ।ମୋତେ କଥାଟି ଖୁବ୍ ଆଶ୍ଚର୍ଯ୍ୟ ଲାଗିଲା ,ଉତ୍କଣ୍ଠିତ ହେଇ ଧାଇଁ ଗଲି ଦୀନା ମଉସା ଘରକୁ ।ସେଠି ଯାଇ ଦେଖିଲି ସତରେ ତ ସେ ଜମା ଓଡିଆ କହୁନି ,ହିନ୍ଦୀ ଗୁଡା ଖାଲି ବିଳିବିଳେଇ ହେଇ ବାନ୍ତି କରିଯାଉଛି ।ତାର ଅତ୍ୟାଧୁନିକ ବେଶଭୂଷା ,ଚାଲିଚଳନ ,କଥାବାର୍ତ୍ତା ଆମ ଗାଁ ରେ ହାସ୍ୟମେଳି ର ଖୋରାକ ଯୋଗେଇ ଦେଲା ।କିଛି ଦିନ ଧରି ଗାଁ ର ସବୁ ଯାଗାରେ ତା'ରି ଚର୍ଚ୍ଚା ।ଧୋବି ଘାଟ ଠାରୁ ପୋଖରୀ ତୁଠ, ମଶାଣି ପେଣ୍ଠ ଠାରୁ ଆମ ଗାଁ ମଠ, ସବୁଠି ନକୁଳ ଚନ୍ଦ୍ର ର କଥା ।ଧିରେ ଧିରେ ଏକଥା ମଉଳି ଯିବାକୁ ବସିବା ସମୟରେ ଆଉ ଏକ ଘଟଣା ସମସ୍ତଙ୍କୁ ଝଟକା ଦେଇଦେଲା ।ନକୁଳ ଚନ୍ଦ୍ର ଆମ ଗାଁ ତଳସାହି ର ଗୋଟିଏ ଝିଅକୁ ନେଇ ଚାଲିଆସିଥିଲା ।ପୁନଶ୍ଚ ଚର୍ଚ୍ଚା ଜୋର ଧରିଲା ।
ଗୋଟିଏ ବଖରା ରେ ତିନି ପ୍ରାଣି କୁଟୁମ୍ବ ରହିବେ କିପରି ,ଚଳିବେ କେମିତି ?ଏକଥା ଚିନ୍ତା କରି ଦୀନା ବୁଢା ଘର ଛାଡି ଗାଁ କ୍ଲବ ଘରେ ଆସର ଜମେଇଲା ।ତାର ଅବସ୍ଥା ଦେଖି ଆମ କ୍ଲବ ପିଲା ମାନେ କବାଟ ଖୋଲି ଭିତରେ ରହିବାକୁ ଛାଡିଦେଲେ ।
ନକୁଳ ଚନ୍ଦ୍ର କିନ୍ତୁ ବାପା ର ଖାଇବା ବି ଠିକ୍ ରେ ବୁଝିଲାନି ।ଏସବୁ ଘଟଣା ଦେଖି ଦୀନା ମଉସା ସାମ୍ନାରେ ଅନ୍ନଦାତା ରୂପରେ ଉଭା ହେଇଥିଲେ ଏଇ ଆନନ୍ଦ କାକା ।ସବୁଦିନ ଚା ପିଠା ରୁ ଆରମ୍ଭ କରି ରାତ୍ରି ଭୋଜନ ଯାଏଁ ସବୁ ବୁଝନ୍ତି ।ମୁଁ ଦିନେ ଗାଁ କୁ ଯାଇଥାଏ । ଭୋର ସକାଳୁ ମୋ ମା କହିଲେ-"ଆରେ ଉଠୁ, ଯା ଏ ପିଠା ଆଉ ଚା ନକୁଳ ବାପାଙ୍କୁ ଦେଇ ଆସିବୁ " ।ଏତେ ସକାଳୁ ଉଠି ଯିବାପାଇଁ ଅନିଚ୍ଛା ସତ୍ତ୍ବେ ଯିବାକୁ ହେଲା ।ଯାଇ ଦେଖିଲି ଦୀନା ମଉସା ସେମିତି ଶୋଇ ରହିଛି ।ସେ ଘରକୁ ଝାଡୁ କରିଦେଇ ନଳକୂପ ରୁ ବାଲ୍ଟିଏ ପାଣି ଆଣିଦେଇ କହିଲି -"ମଉସା ଉଠ, ଏଇ ଦାନ୍ତ କାଠି ଆଉ ପାଣି ନେଇ ଦାନ୍ତ ଘଷି ନିଅ ।ମୁଁ ପିଠା ଆଉ ଚା ଆଣିଛି ତାକୁ ଖାଇଦେବ ।ଏଇ ବାଲଟି ରେ ପାଣି ଅଛି ଦିନରେ ପିଇବ ।"
ବୁଢା ଆଉ ଠିକ୍ ରେ ଶୁଣି ପାରୁ ନଥାଏ ।ସେ ମୋତେ ଚିହ୍ନି ନ ପାରି କହିଲା -"କିଏ ଆନନ୍ଦ କିରେ ,"
-"ନାଇଁ ମଉସା ମୁଁ ଶିବୁ ,ବିଶୁ ମହାପାତ୍ର ର ନାତି।
ବୁଢା ଟିକିଏ ମୁଣ୍ଡ ଉଠେଇ ଦେଖିଲା ଆଉ ଶୁଖିଲା ଓଠରେ ଟିକିଏ ମଉଳା ହସ ଲେପିଦେଇ କହିଲା -"ହଉ ,ଭଗବାନ ତୋର ମଙ୍ଗଳ କରନ୍ତୁ ବାପା "।
କେମିତି କେଜାଣି ମୋତେ ଲାଗିଲା ମୋ ଆଗରେ ଜୀବନ୍ତ ଭଗବାନ ଠିଆ ହୋଇ ଆଶୀର୍ବାଦ କରୁଛନ୍ତି କି ?
।ସତରେ ବିଚିତ୍ର ଏ ସମ୍ପର୍କ..।କିଛିକ୍ଷଣ ଆଗରୁ ଯାହା ଙ୍କ ପାଖକୁ ଆସିବାର ତିଳେ ମାତ୍ର ସଦିଛ୍ଛା ନଥିଲା ଏଇ ସଙ୍ଗେ ସଙ୍ଗେ ତାଙ୍କ ସହିତ ଏତେ ଆତ୍ମିୟତା କିପରି ସମ୍ଭବ ..?
ମଣିଷ ର ଏଇ ପଦିଏ କଥାରେ ପର ଆପଣାର ହେଇ ଯାଉଛି ଆଉ ଆପଣାର.. ହେଇଯାଉଛି ସାତ ପର ।
ବେଶି ଆଶ୍ଚର୍ଯ୍ୟ ଲାଗୁଥିଲା ଦୀନା ମଉସା ଙ୍କ ଚରିତ୍ର..ତାଙ୍କୁ ଦେଖିଲେ କେହି କହି ପାରିବିନି କି ସେ ଦୁଃଖ ରେ ଅଛନ୍ତି ।ନା କାହା ପାଖରେ ଅଭିମାନ, ନା କିଛି ଅଭିଯୋଗ ।କେବଳ ଜିଇଁ ଚାଲିଛନ୍ତି ହସି ହସି ।
ସତରେ ସେ କଣ ପଥର...?
ନା ଇଶ୍ୱର ..?
ସେ ଯିଏ ବି ହୁଅନ୍ତୁ ନା କାହିଁକି କିନ୍ତୁ ତାଙ୍କ ଭିତରେ କେଉଁଠି ନା କେଉଁଠି ତ ଲୁଚି ରହିଥିଲା ଅନେକ ଦରଦ..
ମୁଁ ସ୍ଥାଣୁ ପାଲଟି ଯାଇଥିଲି ତାଙ୍କ କଥା ଭାବି ଭାବି ।
ହଠାତ୍ ମୁଣ୍ଡା ବାବୁ କହିଲେ-"ଚାଲନ୍ତୁ ଯିବା ,ବହୁତ ସମୟ ହେଇ ଗଲାଣି " ।
ପୁନଶ୍ଚ ଆମେ ଚାଲିଗଲୁ ଆମ ଚାରିକାନ୍ଥ ଘେରା କୋଠରୀ ଭିତର କୁ ।