Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅସ୍ତିତ୍ଵ
ଅସ୍ତିତ୍ଵ
★★★★★

© Kulamani Sarangi

Tragedy

4 Minutes   10.2K    11


Content Ranking

ମାଣ୍ଡବୀ ନଦୀ କୂଳରେ, ଏକ ନିର୍ଜନ ପାର୍କ୍ ର ସିମେଣ୍ଟ ବେଞ୍ଚ ଉପରେ ବସିଥିଲା 'ଅସ୍ମିତା'।ଶୂନ୍ୟ ଦୃଷ୍ଟିରେ ପଶ୍ଚିମ ଦିଗ୍ବଳୟକୁ

ଚାହିଁରହିଥିଲା ସେ।ସୂର୍ଯ୍ୟ ବୁଡିଯାଉଥିଲେ ଏବଂ ନଦୀ ଜଳରେ ଅସ୍ତମିତ ସୂର୍ଯ୍ୟଙ୍କର ରକ୍ତିମ କିରଣର ଆଭା ଝଲସି ଉଠୁଥିଲା ।ସେହି ନୃତ୍ୟରତା ଢେଉର ତାଳେ ତାଳେ ଅସ୍ମିତାର ସୀମାହୀନ ଭାବନାର ଢେଉମାନେ ମଧ୍ୟ ଦୋଳାୟମାନ ହେଉଥିଲେ।

ପନ୍ଦର ଦିନ ତଳେ ଗୋଆ ଆସି 'ଇଣ୍ଟର ନାସନାଲ୍ ଫ୍ୟାଶନ୍ ଡିଜାଇନିଂ ' କଲେଜରେ ନାଁ ଲେଖାଇବା ପରେ ,ଏଇ ପ୍ରଥମଥରପାଇଁ ସେ ମାଣ୍ଡବୀ କୂଳକୁ ଆସିଛି । ଆସିଛି, ନଦୀଜଳ ସ୍ପର୍ଶକରି ଆସୁଥିବା ମନ୍ଦ ପବନରେ ଭାରାକ୍ରାନ୍ତ ମନକୁ ଟିକିଏ ହାଲୁକା କରିବାପାଇଁ।

ମାଣ୍ଡବୀର ଶୀତଳ ସମୀରଣ ସତରେ କଣ ତାର ଭାରାକ୍ରାନ୍ତ ମନକୁ ଶୀତଳ କରିପାରିବ ?କିଏ ସତରେ ସଜାଡି ପାରିବ ତାର ଭାବନାକୁ ଅସ୍ତବ୍ଯସ୍ତ କରୁଥିବା ମେଞ୍ଚାଏ ଅଡୁଆ ସୁତାଖିଅକୁ ! ଧୂଆଁଳିଆ ହୋଇଥିବା ଚଷମାକୁ ଆଖିରୁ କାଢି ଓଢଣୀ କାନିରେ ପୋଛିଲା ଅସ୍ମିତା।ଚଷମା କାଚପରି କାହିଁକି ଧୂଆଁଳିଆ ହୋଇଗଲା ତା ଜୀବନ,ସେ ବୁଝିପାରୁନଥିଲା।ମାତ୍ର ଅଠର ବର୍ଷ ବୟସରେ କାହିଁକି ତାକୁ ସୀମାହୀନ ପ୍ରଶ୍ନବାଚୀର ବହୁଛକୀ ଉପରେ ଅସହାୟ ହୋଇ ଠିଆ ହେବାକୁ ପଡିଲା ! ଏ ବୟସରେ ତାର ସାଙ୍ଗଝିଅମାନେ ଜୀବନର ଅମୃତ ଆସ୍ୱାଦନ କରୁଥିବାବେଳେ କାହିଁକି ଏ ସମାଜ ତା ହାତରେ ଧରାଇଦେଲା ଅସରନ୍ତି ଯନ୍ତ୍ରଣାର ବିଷ ପାତ୍ର ?କିଏ ଏଥିପାଇଁ ଦାୟୀ ,ମାମା ନା ଡାଡା ?

ମାମା କଥା ମନେପଡି ଆଖିରେ ଲୁହ ଜକେଇ ଆସିଲା ଅସ୍ମିତାର।ପନ୍ଦର ଦିନ ତଳେ ଯେତେବେଳେ ତାକୁ କଲେଜ ହଷ୍ଟେଲରେ ଛାଡିଦେଇ ମାମା ମୁମ୍ବାଇ ଫେରିଗଲା,ବହୁ ଚେଷ୍ଟା କରି ମଧ୍ୟ ବିଦାୟ କାଳୀନ ଅଶ୍ରୁକୁ ଅଟକାଇ ପାରିନଥିଲା ଅସ୍ମିତା।ମାମାକୁ ଯାବୁଡିଧରି ଛୋଟ ପିଲାଟିଏ ଭଳି କଇଁ କଇଁ ହୋଇ ସେ କାନ୍ଦିଉଠିଥିଲା।ପିଲାଦିନୁ ଆଜିଯାଏ କେବେହେଲେ ସେ ମାମା ପାଖରୁ ଦୂରେଇ ରହିନଥିଲା ।ସୁଖରେ ମାମା ସହିତ ହସିଛି,ଦୁଃଖରେ ସାଙ୍ଗହୋଇ କାନ୍ଦିଛନ୍ତି ଏବଂ ଆପଦ ବିପଦରେ ପରସ୍ପରର ହାତକୁ ଦୃଢତାର ସହିତ ଧରି ଦୁନିଆଁକୁ ସାମନା କରିଛନ୍ତି ସେ ଦୁହେଁ।କେହି କାହାକୁ ଦଣ୍ଡେହେଲେ ଛାଡି ନାହାଁନ୍ତି।ମାମା ତାର ସବୁକିଛି।

ଡାଡା ସହିତ ମାମାର ଝଗଡା ହୋଇ, ମାମା ମୁମ୍ବାଇ ଚାଲି ଆସିବାପରେ ସେ ଓ ମାମା ପରସ୍ପରର ସାହାରା ହୋଇ ଆଜିଯାଏ ରହିଛନ୍ତି।ଆଜି ମାମାଠାରୁ ଦୂରରେ ରହି କେମିତି ଏକ ନିର୍ଜନତା ଯାବୁଡି ଧରିଛି ତା ମନକୁ। ଭାବୁଥିଲା 'କେମିତି ଏକା ଏକା ରହିଥିବ ମାମା,କଣ କରୁଥିବ,କେଡେ ଅସହାୟ ତାକୁ ଲାଗୁନଥିବ ସତେ !'

ଆଜି ମନେପଡେ ଦୀର୍ଘ ଦଶବର୍ଷ ତଳର କଥା।'ପୁନେ'ରେ କେତେ ଆନନ୍ଦରେ ରହୁଥିଲେ ସେମାନେ ! ଅସ୍ମିତା ସେତେବେଳେ ଆଠ ବର୍ଷର ଛୁଆ।ଡାଡା ଓ ମାମାଙ୍କର ଆଖିର ପିତୁଳା ଥିଲା ସେ।ଗେଲରେ ଡାଡା ତାକୁ 'ଆସୁ' ବୋଲି ଡାକୁଥିଲେ।ପିଲାଦିନେ ଡାଡା ହିଁ ତାର ବେଷ୍ଟ ଫ୍ରେଣ୍ଡ୍ ଥିଲେ।ମାମା ଶୀଘ୍ର ଅଫିସ୍ ଚାଲିଯାଏବୋଲି ଡାଡା ତାର ଦାନ୍ତଘଷା,ଗାଧୁଆ ଠୁଁ ଆରମ୍ଭକରି ସ୍କୁଲ୍ ଡ୍ରେସ୍ ଆଇରନ କରି ପିନ୍ଧେଇବା,ଯୋତା ପଲିସି କରି ପିନ୍ଧେଇବା ,ଖୁଆଇବା ଓ ସ୍କୁଲରେ ଛାଡିବା ଇତ୍ୟାଦି ସବୁ କାମ କରୁଥିଲେ।ଡାଡା ବିନା ତା ଜୀବନ ଏକଦମ୍ ଅସମ୍ଭବ ଥିଲା।ଦେହ ଖରାପ ହେଲେ ଡାଡା ତା'ପାଖରେ ରାତି ରାତି ଅନିଦ୍ରା ହୋଇ ଜଗି ବସୁଥିଲେ।ଥରେ ଟାଇଫଏଡ୍ ଜରରେ ପନ୍ଦରଦିନ ପଡିଲା ସେ।ଡାଡା ନିଜର ଖାଇବା ପିଇବା ଭୁଲିଯାଇ ,ଶେଜପାଖରେ ବସି ଭଲ ହେବାଯାଏ ସେବାକରିଥିଲେ ତାର।

ଝିଅକଥା ବୁଝିବାକୁ ସୁବିଧା ହେବବୋଲି ଡାଡା ଅଫିସ୍ ରୁ ପରମିଶନ୍ ନେଇ ଘରୁ କାମ କରିବା ଆରମ୍ଭକଲେ। ତାହାହିଁ ତାଙ୍କପାଇଁ ହେଲା ଦୁର୍ଦ୍ଦିନ।ଅଫିସ୍ କାମ ଶେଷ କରିବାପରେ ଘରେ ରହି ଏକା ଏକା ବୋର୍ ହେଉଥିଲେ ବୋଧହୁଏ;ପିଇବା ଆରମ୍ଭ କରିଦେଲେ।କ୍ରମେ କ୍ରମେ ପିଇବା ଅଭ୍ୟାସରେ ପରିଣତ ହୋଇଗଲା।ମାମା ସହିତ ଆରମ୍ଭହେଲା ଭୀଷଣ ଝଗଡା।ସୁଖୀ ପରିବାର ଉପରେ କାହାର ନଜର ପଡିଗଲା।ମାମା ଡାଡାଙ୍କ ଝଗଡାରେ ଅତିଷ୍ଟ ହୋଇ ଉଠିଲା ଅସ୍ମିତାର କୋମଳ ମନ।ମାମା, ଡାଡାକୁ ବଡ ପାଟିରେ ଗାଳିଦେଲାବେଳେ ଅସ୍ମିତା ମାମାକୁ ଯାବୁଡିଧରି କାନ୍ଦି କାନ୍ଦି କହେ "ପ୍ଳିଜ୍ ମାମା,ଡାଡାଙ୍କୁ ଏମିତି ଗାଳିଦିଅନି।ସେ ଭଲ ହେଇଯିବେ।ଆଉ ପିଇବେନି,ମୁଁ ତାଙ୍କୁ ବୁଝେଇବି।"

ଡାଡା କିନ୍ତୁ ଆଉ ଭଲ ବାଟକୁ ଆସିଲେନି।ଅଫିସ୍ କାମ ନିୟମିତ ନକରିବାରୁ ଚାକିରୀ ମଧ୍ୟ ଚାଲିଗଲା।ଶେଷରେ ଡାଡା ପାଖରେ ରହିବାପାଇଁ ମାମା ଚାହିଁଲାନି।ଯେଉଁ କମ୍ପାନୀରେ ମାମା ଚାକିରୀ କରୁଥିଲା, ତାର ମୁମ୍ବାଇ ଅଫିସକୁ ଟ୍ରାନ୍ସଫର ନେଇ ମାମା ଚାଲିଆସିଲା।ଡାଡାଙ୍କୁ ପୁନେରେ ଏକା ଛାଡି ମାମା ସହିତ ମୁମ୍ବାଇ ଚାଲିଯିବାପାଇଁ ବାଧ୍ୟହେଲା ଅସ୍ମିତା।

ପୁନେ ଛାଡିବା ସମୟରେ ଡାଡାକୁ ଭିଡିଧରି କେତେ କାନ୍ଦିଚି ଅସ୍ମିତା।ମାମା ପାଖରେ ଅଳି କରିଛି "ପ୍ଳିଜ୍ ମାମା,ଡାଡାକୁ କ୍ଷମା କରିଦିଅ।ଡାଡାବିନା ମୁଁ ରହିପାରିବିନି।"

କିନ୍ତୁ ତାର ଅନୁନୟ ବିନୟର କିଛି ଫଳ ହେଲାନାହିଁ।ଡାଡା ମଧ୍ୟ ଅସହାୟ ପିଲାଟିଏ ପରି କାନ୍ଦିଛନ୍ତି ତାକୁ ବିଦାୟଦେଲାବେଳେ।ଡାଡାଙ୍କର ସେ ଅଶ୍ରୁଳ ମୁହଁ କେବେବି ଭୁଲିପାରିବନି ଅସ୍ମିତା।

ମାମା ଆଉ ଡାଡା କୁଆଡେ ବାହାଘର ପୂର୍ବରୁ ପରସ୍ପରକୁ ଖୁବ୍ ଭଲ ପାଉଥିଲେ।ନିଜ ନିଜର ବାପା ମାଆଙ୍କର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ ସେମାନେ।ମାମା ଓ ଡାଡାଙ୍କର ପରିବାରର କେହି ସେ ବାହାଘରରେ ଯୋଗ ଦେଇନଥିଲେ।କେତେଜଣ ସାଙ୍ଗଙ୍କ ଉପସ୍ଥିତିରେ ଆର୍ଯ୍ୟସମାଜରେ ଅନୁଷ୍ଠିତ ହୋଇ ଯାଇଥିଲା ସେମାନଙ୍କର ବାହାଘର।

ହେଲେ ଭଲପାଇବାର କେମିଷ୍ଟ୍ରି ସେମାନଙ୍କର କେଉଁଠି ବିଗିଡିଗଲା।ଭୁଲିଗଲେ ସେମାନେ ସାଂସାରିକ ଜୀବନର ସର୍ବୋତ୍ତମ ଉପପାଦ୍ୟ, ଯାହାର ନାମ 'ବିଶ୍ଵାସ'।ଡାଡାଙ୍କ ପାଖରୁ ମନ ଛାଡିଯିବାପରେ ମାମା ତାର ଜଣେ ସହକର୍ମୀ ସହିତ ବଂଧୁତା ବଢେଇ ଚାଲିଲା।ଡାଡା ସେ କଥା ଜାଣିବାପରେ ମାମା-ଡାଡାଙ୍କ ଭିତରେ ଥିବା ବିଶ୍ଵାସର ଶେଷ ସୁତାଖିଅଟି ଅନାୟାସରେ ଛିଣ୍ଡିଗଲା।ସମାନ୍ତରାଳ ହୋଇଗଲା ଦୁଇଜଣଙ୍କର ଜୀବନରେଖା,ମାଣ୍ଡବୀର ଦୁଇ କିନାରାଭଳି,ଯାହାର ଯୋଡିହେବାର ସମ୍ଭାବନା ଆଉ ନଥିଲା।

ଡାଡା ଏବେ ବି ତାକୁ ଦେଖିବାକୁ ମୁମ୍ବାଇ ଆସନ୍ତି।ବାହାରେ ହୋଟେଲରେ ରହି ତାକୁ ଦେଖିବାକୁ ସ୍କୁଲକୁ ଯାଆନ୍ତି।ଭାବପ୍ରବଣ ମୁହୁର୍ତ୍ତରେ କେତେ ଅଶ୍ରୁ ବହିଯାଏ ବାପ-ଝିଅଙ୍କ ଆଖିରୁ।ଅନୁନୟ ବିନୟ ହୋଇ ଅସ୍ମିତା କହେ " ଡାଡା,ମୋ ସୁନା ଡାଡା,ପ୍ଳିଜ୍ ଫେରିଆସ।ତମେ ଫେରିଆସିଲେ ଆମ ସଂସାର ପୂର୍ଣ୍ଣ ହୋଇଯିବ।ମୋ ଜୀବନର ଅପୂର୍ଣ୍ଣତା ପୂରଣ ହୋଇଯିବ ଡାଡା।ମୁଁ ନା ତୁମକୁ ,ନା ମାମାକୁ ଛାଡି ରହିପାରିବି।ତମେ ଦୁଇଜଣ ମୋପାଇଁ ଦର୍କାର।ପ୍ଳିଜ୍ ଫେରିଆସ।"

ଡାଡା କିନ୍ତୁ କିଛି କହନ୍ତିନାହିଁ।ଶୂନ୍ୟ ଆଖିରେ ଆକାଶକୁ ଚାହିଁ ରହନ୍ତି।ଓଠ ଥରିଉଠେ।ଆଖି କଣରେ ଲୁହ ଜକେଇ ଆସେ।ଆଉ ଅଧିକ କିଛି କହିବାକୁ ସାହସ କରେନାହିଁ ଅସ୍ମିତା।

ମାମାକୁ ମଧ୍ୟ କେତେଥର ଅଳିକରି କହିଚି ଅସ୍ମିତା ଡାଡା ସହିତ ଏ ଝଗଡା ଖତମ୍ କରିବାକୁ।କିନ୍ତୁ ମାମା ତା'ଯିଦ୍ ରେ ଅଟଳ।ଅସ୍ମିତାର ମନର ଖାଲିପଣକୁ କେହି ବୁଝିବାକୁ ଚେଷ୍ଟା କରିନାହାନ୍ତି।

ଡାଡା-ମାମାଙ୍କର ଝଗଡା ଯୋଗୁଁ ଅସ୍ମିତାର ଜେଜେବାପା-ଜେଜେ'ମା ଏବଂ ଅଜା-ଆଈ ନିଜ ନିଜକୁ ଦୂରେଇ ରଖିଛନ୍ତି।ସେ ସମସ୍ତଙ୍କର ସ୍ନେହରୁ ବଂଚିତା ହୋଇଛି ଅସ୍ମିତା।କି ଅଭିଶପ୍ତ ସତେ ତା ଜୀବନ!

ଏବେ ଶୁଣୁଛି ଅସ୍ମିତା ଯେ ମାମା ଡାଡା କୁଆଡେ ଡିଭୋର୍ସ ନେବେ।ମାମା ବାହାହବ ତାର ଅଫିସ୍ ର ସହକର୍ମୀକୁ,ଡାଡା କଥା କିଏ ଜାଣେ ?ବୋଧହୁଏ ଏକ ଅଣନିଶ୍ବାସୀ ବଂଧନରୁ ମୁକ୍ତ ହେବାପାଇଁ ଚାହୁଁଛନ୍ତି ସେମାନେ।କିନ୍ତୁ କଣ ହେବ ଅସ୍ମିତାର ଅବସ୍ଥା ?ମାମାର ନୂଆ ପତିକୁ କେମିତି ସେ 'ଡାଡା'ର ସ୍ଥାନ ଦେଇପାରିବ?ଡିଭୋର୍ସ ପରେ ଡାଡା ହୁଏତ ତାଙ୍କ ଅଲିଅଳ 'ଆସୁ'କୁ ଭୁଲିଯାଇ,ଆଉ କେଉଁଠି ବାହାହେଇ ଭଲରେ ରହିବେ।ବୃନ୍ତଚ୍ୟୁତ ହୋଇଯିବ ଅସ୍ମିତାର ଜୀବନ।କାହିଁକି ଏ ସଂସାରକୁ ମାମା-ଡାଡା ତାକୁ ଆଣିଲେ?କି ପରିଚୟ ନେଇ ସେ ବଂଚିବ?

ମାମା-ଡାଡାଙ୍କର ସମ୍ପର୍କର ଶୁଷ୍କ ଡାଳରେ ସେ ନିଜକୁ ଏକ ନିର୍ମୂଳୀ ଲତାପରି ମନେକଲା ।ଯେଉଁ ସମ୍ପର୍କରେ ଜୀବନ ନାହିଁ,

ସେଠାରେ ତାର ଅସ୍ତିତ୍ଵ କାହିଁ?

ସଂଜ ଗଡିଗଲାଣି ମାଣ୍ଡବୀ କୂଳରେ।ଆକାଶରେ ମିଟିମିଟି କରୁଛି ଏକୁଟିଆ ତାରାଟିଏ।ଅସ୍ମିତାର ବେଦନା ବୋଧହୁଏ ବୁଝିପାରିଛି ସେ ତାରାଟି।ତା ଆଖିରୁ ଲୁହ ଦିଟୋପା ଝରିପଡିଲା ସତେ ମାଣ୍ଡବୀ ଜଳରେ !

ଦୀର୍ଘ ନିଶ୍ୱାସ ପକାଇ ଉଠିଲା ଅସ୍ମିତା।

ମାଣ୍ଡବୀ ନଦୀ ପାର୍କ୍ ଅଫିସ୍

Rate the content


Originality
Flow
Language
Cover design

Comments

Post

Some text some message..