Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଲାଜ କଥା
ଲାଜ କଥା
★★★★★

© Prakash Ranjan Parida

Romance Others

13 Minutes   7.2K    10


Content Ranking

ରାଗରେ ଫେରିଆସି ନୂଆ ସାହି କଦମ୍ବ ଗଛ ମୂଳେ ପଡ଼ିଥିବା ଗୋଲଗାଲ୍‌ ଚିକ୍କଣ ପଥର ଉପରେ ବସି ଦେଖିବା ବେଳକୁ ଢଳିଢଳି ଆସୁଛି ମିତା । ହଁ ମିତା ହିଁ ଆସୁଥିଲା, ମୁଁ ନିଶ୍ଚିତ ଥିଲି । କାରଣ ତା’ପରି ରାଜହଂସୀ ଚାଲି ମୋ ଗାଁରେ ଆଉ କୌଣସି ଝିଅ ଚାଲୁଥିବା ମୁଁ ଦେଖିନଥିଲି । ତା ପାଦ ପଡ଼ୁଥିଲା ଗୋଟିଏ ସରଳରେଖାରେ ଆଗକୁ ଆଗକୁ ଆଉ ତା ଅଣ୍ଟା ସାମାନ୍ୟ ଢଳିଯାଉଥିଲା ବାଁ’କୁ ପୁଣି ଡାହାଣକୁ । 

ମିତାକୁ ଦେଖୁ ଦେଖୁ ମୋର ମନେ ପଡ଼ିଲା 20 ବର୍ଷ ତଳର ସେ ଲାଜ କଥା । ଶିହରଣ ଖେଳିଗଲା ମୋ ଶିରାରେ ଶିରାରେ । ଅନୁଭବ କଲି ମୋ ବୟସ ଫେରିଯାଉଛି 20 ବର୍ଷ ତଳକୁ, ପଛକୁ ପଛ । ମୁଁ ହେଉଛି ଯୁବକରୁ ଆହୁରି ଯୁବକ । ଓଃ ...ମିତା ଦେହରେ ଏବେବି ସେଇ ଲହ ଲହ ନିଆଁ, ସେଇ ମାଦକତା । ତା’ ଦେହର ଦୋଳାୟମାନ ଗତିର ଚୁମ୍ବକୀୟ ଆକର୍ଷଣରେ ମୁଁ ଠିଆ ହୋଇପଡ଼ିଲି ଛାଁ କୁ ଛାଁ ।

ତା ଆଖିରେ ମୋ ଆଖି ମିଶିଲେ 20 ବର୍ଷ ତଳେ ମୋ ମନର ଗୁପ୍ତ ମହଲରେ ଯେଉଁ ରିମଝିମ୍‌ ରିୱାଜ ମତେ ପାଗଳ ପ୍ରାୟ କରିଦେଉଥିଲା ଆଜି ବି ସେଇ ସମାନ ଅନୁଭବର ତାଡ଼ନାରେ ମୋ ପାଦ ଦୁଇଟି ଥରିଉଠିଲା । ଯଥା ସମ୍ଭବ ସହଜ ହେବାକୁ ଚେଷ୍ଟା କଲି ମୁଁ । ଓଠରେ ଫୁଟାଇଲି ହସର ଫୁଲ । ଆଖିରେ ଭରିଲି ମହକ । କାରଣ ଦୀର୍ଘ ପ୍ରତୀକ୍ଷା ପରେ ଆଖି ସାମ୍ନାରେ ଯାହାକୁ ପାଇଛି ସିଏ ମୋ ହୃଦୟର ରାଣୀ... ପହିଲି ପ୍ରେମର ପୁଲକ... ପ୍ରଥମ ସ୍ପର୍ଶ ରୋମାଞ୍ଚର ।

ହାତ ମିଳାଇଲା ମିତା, ହସିହସି । ମୁଁ କିନ୍ତୁ ସନ୍ତୁଷ୍ଟ ନଥିଲି, ଚାହୁଁଥିଲି ଦୃଢ଼ ଆଲିଙ୍ଗନ । ଯେମିତି ତା’ ବେକ ମୂଳକୁ ଛୁଇଁ ପାରିବ ମୋ ଓଠ । ମୋ ପୁରା ମୁହଁକୁ ଘୋଡେଇ ପାରିବ ତା ରେଶମୀ କେଶ । ନାଁ ସେମିତି କିଛି ହେଲାନି । କେମିତି ହବ ? ଇଏ କଣ ପ୍ୟାରିସ ନାଁ ବ୍ୟାଙ୍କକ୍‌ ।

ବଦଳେ ଋତୁ । ମଉଳି ଯାଏ ପଳାଶ ଫୁଲର ମଖମଲି ପାଖୁଡ଼ା । ମିତାର ସ୍ମୃତି କିନ୍ତୁ କାଲି ପରି ଆଜି ବି ମତେ କରୁଥାଏ ଆନମନା । ଯେତେ ପୁରୁଣା ହେଉଥାଏ ଦିନ, ସେତେ ବେଶୀ ସତେଜ ହେଉଥାଏ ସ୍ମୃତି । ମୋର ପରମ ସୌଭାଗ୍ୟ, ସେ ପ୍ରେମନିଆଁର ଧାସ ବାଜିନି ମୋ ସଂସାର ଉପରେ । ମାନେ ଏ ବିଷୟରେ ଟିକେ ବି ସୁରାକ୍‌ ପାଇନି ଜୁଲି । ଜୁଲିକୁ ଆପଣ ଜାଣି ନାହାଁନ୍ତି ସିଏ ମୋ ସ୍ତ୍ରୀ ଜୁବ୍‌ଲି । ବଡ଼ ଚୁଲ୍‌ବୁଲି । ଉଡିଗଲା ଚଢ଼େଇର ଡେଣା ଗଣିପାରେ । ପୁରୁଷଙ୍କୁ କାଣି ଆଙ୍ଗୁଠି ଟିପରେ ନାଲି କୋଠାରୁ ଅନ୍ଧାରକୋଠି ଦେଖାଇ ପାରେ । ତାକୁ ଜାଣିଲି ବାହଘର ପରେ । ପୂର୍ବରୁ କେବଳ ଦେଖିଥିଲି ତା ମଖ୍‌ମଲି ଚେହେରା । ତା’ କଅଁଳ ମୁହଁକୁ ଚାହିଁ ଏ ବିଶ୍ବ ବ୍ରହ୍ମାଣ୍ଡରେ କେହି ଭାବିପାରିବନି ସେ ପବ୍‌ରେ ଛୋଟ ଚିପା ଡ୍ରେସ୍‌ ପିନ୍ଧି ନାଚିପାରେ, ଗୋଟେ ରାତିରେ ଗୋଟେ ରେଡ ୱାଇନ ବୋତଲ ଖାଲି କରି ଗଡେଇ ଦେଇପାରେ, ଟୋକାଙ୍କୁ ନିର୍ଦ୍ଦୁମ ପିଟିପାରେ, ନଚାଇ ନଚାଇ ଲୁଟିପାରେ । ତା ଚକ୍କରରେ ଏତେ ଟୋକା ଯେ କେବଳ ଗିପ୍ଟ୍‌ ଆଇଟମରେ ପୁରିଲା ପୁରିଲା ଦେଖାଯାଏ ତା ରାଜଧାନୀ ଭଡ଼ାଘର । ତାକୁ I love you କହିଲେ ସେ ବୁଝେ- ଭୋକ ଲାଗିଲାଣି । ଏମିତି କେତେ କଣ । ହେ...କହୁ କହୁ କେତେ କଥା କହିଦେଲି । ଯା...ଗଲା ସବୁ । ଯାହା ହେଲେ ବି ଘର କଥା ନାଁ । ସେତିକି ଥାଉ ।

ଆପଣ ଯେମିତି ଭାବୁଛନ୍ତି ମୋ ଜୁଲି ସେମିତି ବିଲକୁଲ ନୁହେଁ । ମାନେ ସେ ପୂର୍ବରୁ ଏମିତି ଥିଲା । ତା’ କହିବା ଅନୁସାରେ ମୋ ହାତ ଧରିବା ପରେ ସେ ପୁରା ବଦଳିଗଲା । ସିଏ ମତେ ବୁଝାଏ ‘Learn from yesterday and live for today’ର ଅର୍ଥ । ସତରେ ଜୁଲିକୁ ସ୍ତ୍ରୀ ରୂପରେ ପାଇ ମୁଁ ସନ୍ତୁଷ୍ଟ, ଗର୍ବିତ । ଆଉ କାହା ପାଇଁ ଜୁଲି ଯେମିତି ହୋଇଥାଉ ପଛେ ମୋ ପାଇଁ ସେ ଦେବୀଟିଏ । ସିକ୍ସଥ ସେନ୍ସରେ ବୁଝିପାରେ ମୋ ମନକଥା । ଏପରିକି ବଜାରରେ ମୁଁ କହିବା ପୂର୍ବରୁ ମୋ ପସନ୍ଦର ଜିନିଷକୁ ଧରାଇ ଦିଏ ମୋ ହାତରେ । ସବୁଠାରୁ ବଡ଼ କଥା ତା’ ସହ ମୋର କେବେ ଝଗଡ଼ା ହୁଏନି । ହଁ ତା’ର ଆଉ କିଛି ଅବିଗୁଣ ନକହିଲେ ଆପଣ ସମସ୍ୟାରେ ପଡ଼ିବେ । ସେ ଭାରି ଗପୁଡ଼ି ଆଉ ବୁଲୁରୀ । ସେ ସବୁବେଳେ କହୁଥାଏ ମୁଁ ଶୁଣୁଥାଏ । ଚାଲୁଥାଏ, ମୁଁ ତାକୁ ଅନୁସରଣ କରୁଥାଏ । ହୁଁ ମାରେ କି ନମାରେ ସେ କହିଚାଲିଥାଏ । ତା କଥା ସରେନାହିଁ । ‘ଏବେ ତମ କଥା କୁହ’ ଏପରି କେବେ ସେ ମତେ କହିନାହିଁ । ବାସ୍‌ … ।

ବାଟରେ ହେଉକି ଘାଟରେ ଜଣଙ୍କ ମୁହଁକୁ ଚାହିଁ ହସିଦେଲେ ଆପେ ଆପେ ଯୋଡ଼ି ହୋଇଯାଏ ସଂପର୍କଟିଏ । ବର୍ତ୍ତୁଳ ପୃଥିବୀରେ ପୁଣି ଥରେ ଯଦି ତା ସହିତ ଭେଟ ହୋଇଯାଏ, ଆଉ ସେ ଅପରିଚିତ ଲାଗେନି । ସେ ସମ୍ପର୍କର କିଛି ନାଁ ହୁଏତ ଆପଣଙ୍କୁ ମିଳି ନପାରେ । ସେମିତି ସେମିତି କଞ୍ଚା ବୟସରେ ମିତାକୁ ଚାହୁଁ ଚାହୁଁ ମୋ ଓଠ ପ୍ରସାରିତ ହୋଇଯାଇଥିଲା, ହାଇ ସ୍କୁଲରେ ପାଦ ଦେବାର ପ୍ରଥମ ଦିନରେ । ମତେ ଭଲ ଲାଗିଥିଲା ମିତାର ଚଞ୍ଚଳ ଆଖି ଆଉ ରାଜହଂସୀ ଚାଲି । ମୁଁ କିଛି ଜାଣି ପାରୁ ନଥିଲି କିନ୍ତୁ ଗୋଟାଏ ଅଜବ ଆକର୍ଷଣରେ ତା ପାଖକୁ ଯିବା ପାଇଁ ବାହାନା ଖୋଜୁଥିଲି ।

ମିତାର ଅଧା ଅଧି କାମ ମୁଁ କରୁଥିଲି । ତା ବହି ପତ୍ର, ସ୍ନୋ, ପାଉଡର ସବୁ ମୁଁ କିଣୁଥିଲି । ତାକୁ ଏସବୁ ଦେବା ବେଳେ ଯେମିତି ହେଲେ ତା ହାତକୁ ଟିକେ ଛୁଇଁ ଦେଉଥିଲି । ତାକୁ ଛୁଇଁ ପାରି ନଥିବା ଦିନ ଗୁଡ଼ାକ ଯେ କି କଷ୍ଟକର ...। ବିଜ୍ଞାନ ପିରିଅଡରେ ପାତ୍ର ସାର୍‌ କ୍ଲାସ୍‌ରେ ପଶୁ ପଶୁ ଆଗ ଅନଉଥିଲେ ତାକୁ ତା’ପରେ ଦାଢ଼ୁଆ ଚାହାଁଣିରେ ମତେ । ଭାରି ରାଗ ଲାଗୁଥିଲା । ମିତାକୁ ସବୁବେଳେ ପଠଉଥିଲେ ଅଫିସକୁ । ମିତା ଗଲୁ ମୋ ରୁମାଲଟା ଆଣିବୁ, ପାଣି ଟିକେ ଆଣିଦେବୁ ମିତା । ବହି ଦେ, ପିଲାଙ୍କଠୁ ଖାତା ଆଦାୟ କର, ଆଜି କଣ ଖାଇଛୁ, କାଲି ଛୁଟି ପରେ କୁଆଡେ ଯାଇଥିଲୁ, ଆଜି କଣ ପଢ଼ିବା, କାଲି କେଉଁଠି ଛାଡ଼ିଥିଲେ ….ଏମିତି ଏମିତି ହଜାର କଥା ସବୁ କହିବେ ତାକୁ, ତାକୁ ଚାହିଁବେ ବଲ୍‌ବଲ୍‌ କରି ।  ତମେ କୁହ- ମତେ ରାଗ ଲାଗିବକି ନାଇଁ । ମୋ ହାତ ମୁଠା ମୁଠା ହୋଇଯାଏ । ଶୁଳେଇ ହୋଇଯାଏ ଗୋଡ଼ ।

ନବମ ଶ୍ରେଣୀରେ ମୋର ପ୍ରଥମ ଶତ୍ରୁକୁ ମୁଁ ଖୋଜି ପାଇଲି । ତା ନାଁ’କୁ ସ୍କୁଲ ପାଇଖାନା କାନ୍ଥରେ ଅଙ୍ଗାରରେ ଲେଖିଲି । ଗୋଟେ ମଣିଷର ଯେତେ କଦର୍ଯ୍ୟ ଚିତ୍ର ହୋଇପାରିବ, ସେମିତି କରି ତୀର ଚିହ୍ନ ଦେଇ ତା’ ନାଁ ଲେଖିଲି । ମୁଁ ସିନା ଜାଣିଛି, ଅନ୍ୟମାନେ ବି ଜାଣିବା ଦରକାର କି ନାଁ… ।

ପରାଗ ସଙ୍ଗମ କଣ ? ମୁଁ ପ୍ରଥମେ ଆଗ ପଛ ସବୁଆଡେ ଥରେ ଚାହିଲି । ଦେଖିଲି କେହି ପୁଅ ପିଲା ହାତ ଟେକି ନାହାଁନ୍ତି । ମୁଁ ଅଧା ଟେକି ଥିବା ହାତ ଖସାଇ ନେଲି । ଟେବୁଲଟାକୁ ଠେଲି ଦେଇ ମୋ ଆଡେ ମାଡି ଆସିଲେ ପାତ୍ର ସାର୍‌ । ମୁଁ ବିଜ୍ଞାନ ବହିର କଭର ପେଜ୍‌କୁ ଚାହିଁ ବସିଥାଏ । ଗୋଟେ ମନ୍ଦାର ଫୁଲ ଉପରେ ବସି ରସ ଶୋଷିବା ପରେ ଆଉ ଗୋଟେ ଫୁଲ ଉପରେ ପେଟେଇ ପଡ଼ୁଥିବା ଗୋଟେ ଦୁଷ୍ଟ ପ୍ରଜାପତି ମତେ ଭିତରେ ଭିତରେ କଲବଲ କରୁଥାଏ । ଏ ଏ...ଚୁପ ସଇତାନ, ତତେ ଜଣା ନାହିଁ ପରାଗ ସଙ୍ଗମ କଣ । ଜଣା ନାଇଁ ତ ହାତ ଟେକିଥିଲୁ କଣ ପାଇଁ । ….ଓ ଯୋଉ ମାଡ । ସେଇ ଦିନରୁ ଜାଣ ପାତ୍ର ସାର ହେଲେ ମୋର ପ୍ରଥମ ଶତ୍ରୁ ।

ପାତ୍ର ସାର ଆଉ ମହାନ୍ତି ସାରଙ୍କ କଥା ନମାନିବା ପାଇଁ ମିତାକୁ ଯେତେ କହିଲେବି ସେ ମାନିଲାନି । ମହାନ୍ତି ମାଷ୍ଟ୍ର ତ ମିତାକୁ ଅଫିସକୁ ପଠାଇବେ, ସେ କ୍ଲାସ ରୁମରୁ ବାହାରି ଅଫିସକୁ ଯାଉଥିବା ବେଳେ ବଡ କାମଟିଏ ଥିବା ପରି ବାହାରକୁ ଆସି ପଛରୁ ଡାକିବେ, ପୁଣି କହିବେ ‘ନା କିଛି ନାଇଁ ତୁ ଯା’ । ତୁଛା ମିଛ । ମୂଳ କଥା ହେଲା ଆଗରୁ ପଛରୁ ମିତାକୁ ଦେଖିବେ ବୋଲି ଏମିତି ବାହାନା କରନ୍ତି ମହାନ୍ତି ସାର୍‌ । ମୁଁ ବୁଝିପାରେ । ମତେ ଏସବୁ କଥା ବୁଝାଏ ବିପିନା, ମୋ ସାଙ୍ଗ । ଆମ କ୍ଲାସର ଭୁଷ୍‌ପଣ୍ଡିତ । ସଂସ୍କୃତ ସାରଙ୍କ ପ୍ରିୟ ଛାତ୍ର । ମତେ ଆଗରୁ ବିପିନା ବୁଝାଇ କହିଥାଏ । ମିତା ସାଙ୍ଗରେ ପାତ୍ର ଆଉ ମହାନ୍ତି ମାଷ୍ଟ୍ର କଥା ହେବା ବେଳେ ତାଙ୍କ ଆଖିକୁ ଭଲକି ଚାହିଁବୁ । ପୋତା ମୁହିଁ ମିତା ଯେତେବେଳେ ତଳକୁ ଚାହିଁଥିବ, ସେତିକି ବେଳେ ଦେଖିବୁ ଏ ଭୋକୁଆ ମାଷ୍ଟ୍ରଙ୍କ ଆଖି କେମିତି ଘୁରୁଛି ବାଁ’ରୁ ଡାହାଣ ପୁଣି ଡାହାଣରୁ ବାଁ । ମୋର ସତରେ କିଛି ଜ୍ଞାନ ନଥାଏ ସେତେବେଳେ । ଭୁଷ୍‌ପଣ୍ଡିତ କହେ- ‘‘ମିତାକୁ କହୁନୁ ଆଗ ଧାଡିରେ ଏମିତି ଡେସ୍କରେ ଭରା ଦେଇ ଆଗକୁ ଝୁଙ୍କି ନବସିବା ପାଇଁ, ତୋ କଥା ସିଏ ମାନିବ । ଦି’ ବୁଢ଼ାଙ୍କ ଆଖି ବୃତ୍ତ ଆଉ ତ୍ରିଭୂଜ ଉପରେ, ଜଣେ PCMକୁ ଆଉ ଜଣେ CBZ । ମିତାକୁ ବୁଝା । ତୁ ଶାଲା କି ପ୍ରେମିକ ବେ । ତୋ’ ଦେଇ ଶାଗ ସିଝିବନି ।’’ ବିପିନା ରାଗେ ମୋ ଉପରେ । ମୁଁ ଜାଣି ପାରେ ନାହିଁ ମୋ ଉପରେ ବିପିନା ଏମିତି ରାଗୁଛି କାହିଁକି । ସେ ଯେମିତି ବୁଝାଏ ମୁଁ କିଛି କିଛି ବୁଝେ, କିଛି ବୁଝେନା । ତ’ ପାଇଖାନା ଭିତର ପଟ କାନ୍ଥରେ ପାତ୍ର ମାଷ୍ଟ୍ରର ଅଙ୍ଗାର ଚିତ୍ର ପାଖରେ ଆଉ ଗୋଟେ ଧୁକୁଡା ମଣିଷର ଚିତ୍ର ଆଙ୍କି, ତୀର ଚିହ୍ନ ଦେଇ ନାଁ ଲେଖେ - ମହାନ୍ତି ମାଷ୍ଟ୍ର । ଶତ୍ରୁ ନମ୍ବର ଦୁଇ ।

ମଲା ମଣିଷ... । ଯୋଉ କଥାକୁ ଡରୁଥିବୁ, ସେଇଆ ହିଁ ଘଟିବ । ଦି’ପହର ଛୁଟିରେ କମନ ରୁମ ଭିତରେ ମିତାକୁ ପିଠା ଖୁଆଇ ଦେବାବେଳେ ଦେଖିଦେଲେ ପାତ୍ର ସାର୍‌ । ମିତା ଯଦି ସେଦିନ ମୁହିଁ ପୋତି ବସିଥାଆନ୍ତା ମୋ ଅବସ୍ଥାରେ ବାର୍‌ ବାଜିଥାଆନ୍ତା ପରା । ମିତା ସାର୍‌ଙ୍କ ମୁହଁକୁ ଚାହିଁ ସିଧା ସିଧା ହାଙ୍କିଲା- ମୋ ହାତ ମଇଳା ହେଇଛି, ମୁଁ ଅଂଶୁକୁ କହଲି ଖୁଆଇଦେବା ପାଇଁ । ଉତ୍ତର ଶୁଣି ସିଂହ ପରି ଆସି ବାଘ ପରି ଲେଉଟି ଗଲେ ପାତ୍ର ସାଆରେ । ମୋ ଛାତି ଖାଲି ଉଠୁଥାଏ, ପଡ଼ୁଥାଏ । ଗୋଡ ଦୁଇଟା ଥରୁଥାଏ, ଯେମିତି ପୁବେଇ ପବନ ଆଗରେ ବରଡ଼ା ପତ୍ର । ମୁଁ ନିଶ୍ଚିତ ଥାଏ ଆଜି ନହେଲେ କାଲି ବିଜ୍ଞାନ କ୍ଲାସରେ ଦି’ ଦିଟା ଅମରି ଡାଙ୍ଗ ଛିଣ୍ଡିବ ମୋ ପିଠିରେ ।

ଥରେ କମନ ରୁମ୍‌ ଦୁଆର ପାଖକୁ ଆସି ବାହାରକୁ ଚାହିଁବା ପରେ ମିତା ଆସି ହାତ ମାରିଲା ମୋ ଛାତିରେ, ମୁଣ୍ଡରେ । ହେ ତୁ କେତେ ଡରୁଆ । ତତେ ଯଦି ଆଉ କେବେ ପାତ୍ର ସାର୍‌ ବାଡାନ୍ତି, ଦେଖିବୁ ମୋ ରୂପ ସେଦିନ । ମୁଁ ତାଙ୍କୁ ଠିକ୍‌ ଚିହ୍ନିଛି । ସେଦିନ...ଛାଡ ସେକଥା, ଚାଲ୍‌ ଯିବା କ୍ଲାସକୁ ।.ଏକ ପ୍ରକାର ଆଦେଶ ଦେଲା ମିତା । ମୋର ଚାଲିବାକୁ ବଳ ପାଉ ନଥିଲା । ସେଇ ଦିନରୁ ମୋ ସହିତ ଖୁଲମ ଖୁଲା ମିଶିଲା ମିତା । ଦେହକୁ ଦେହ ଲାଗିବା ପରି ପାଖରେ ବସିଲା, ହସିଲା । ମୋ ଲାଜ ଛଡ଼ାଇବା ପାଇଁ ମୋ ନାକ ଧରିଲା, ହାତ ଚିମୁଟିଲା, ବଡ଼ ପାଟିରେ ମୋ ନାଁ ଧରି ଡାକିଲା । ମୁଁ କିନ୍ତୁ ଆଉ ଟିକେ ବେଶୀ ଚାହୁଁଥିଲି, ଆଶା କରୁଥିଲି । ସିଏ ସେମିତି କରୁନଥିଲା । ଏତେ ମିଳାମିଶା ପରେ ବି ହାତ ପାପୁଲି ଛଡା ତା ଦେହର ଅନ୍ୟ କୌଣସି ଅଂଶକୁ ମୁଁ ଛୁଇଁ ନଥିଲି ।

ମିତା କାହାକୁ ଡରୁନି । ଆଶ୍ଚର୍ଯ୍ୟ ହେଲି ମୁଁ । ଆଶ୍ଚର୍ଯ୍ୟ ହେଲେ ସମସ୍ତେ ।  ଭୁଷ୍‌ପଣ୍ଡିତ ପୁରା ସ୍କୁଲରେ ଜ୍ଞାନ ବାଣ୍ଟିଲା । ମିତା ବଡ଼ ହୋଇଗଲାଣି । ସିଏ ଅଂଶୁକୁ ଭଲ ପାଉଛି । ଏଇ ଦେଖୁନ ଚିଠି । ଦେଖ ଏଇଟା ଅଂଶୁ ଅକ୍ଷର କି ନାଁ । ନୂଆ ବର୍ଷରେ ମିତା ଯୋଉ ଗ୍ରିଟିଙ୍ଗ୍ସ କାର୍ଡ ଅଂଶୁକୁ ଦେଇଛି ଦେଖିଲେ ଆଖି ଟେରା ହୋଇଯିବ । ପବନରେ ବୁଲିଲା କଥା । ରାସ୍ତାରୁ ଘର, ଘରୁ ବାପା-ବୋଉଙ୍କ କାନ । ମୋର ସଫା ଉତ୍ତର- ମୁଁ କିଛି ଜାଣିନି । ବୋଉ କହିଲା ହଁ ତୁ ଛୋଟ ପିଲା, ସେ ଫାଲତୁ କଥାରେ ମୁଣ୍ଡ ପୁରାଇବୁନି । ମୁଁ ମୁଣ୍ଡ ଟୁଙ୍ଗାରିଲି ଖାଲି । ସେପଟେ ଭୁଷପଣ୍ଡିତ ମତେ ତତେଇଲା । ତୁ ଗୋଟେ ଡରୁଛୁ କଣ, ହାତ ଆଗକୁ ବଢ଼ା । ମଜା ନେ..ରେ ଅଂଶୁଆ ନେ । ନହେଲେ ମୋ ପରି ଖୋଜିଲା ବେଳେ ପାଇବୁନି, ପେଟରେ ଓଦା କନା ଜାକି ଶୋଇବୁ । 

ନବମ ବାର୍ଷିକ ପରୀକ୍ଷା ସରିବା ଦିନ ମତେ ବ୍ରହ୍ମ ଜ୍ଞାନ ଦେଲା ବିପିନା । ଇସ୍‌ ସେ ବହିରେ ଯୋଉ ଚିତ୍ର । ମୋ ମୁଣ୍ଡ ଭିତରଟା ଟିନ୍‌ଟିନ୍‌ ହୋଇଗଲା । ପୂର୍ବଦିନ ମୋ’ଠୁ ଦି’ଟଙ୍କା ମାଗି ନେଇଥିଲା ବିପିନା । କହିଥିଲା ମୁଁ ତତେ ଗୋଟେ ବଢ଼ିଆ ଜିନିଷ ଦେବି, କାଲି ନଈ କୂଳରେ । ମତେ ଅମରି ଲଟା ଆଢୁଆଳକୁ ନେଇ ଦେଖାଇଥିଲା ସେ ବହି । ମୋ ଠିକିରିଆ ଆଖି ସେଦିନ ଗୋଲ୍‌ ଗୋଲ୍‌ ହୋଇଗଲା । ମୋ ଆଖି ଏମିତି ନିର୍ବସ୍ତ୍ର ବାଳିକାଙ୍କୁ ଦେଖିନଥିଲା ଆଜିଯାଏ । ମୋ ଦେହ ତ ଖାଲି କସ୍‌ମସ୍‌ ହେଲା, ତଳିପା ରକ୍ତ ତାଳୁ ଛୁଁଇଲା । ବିପିନା ଧମକ୍‌ ଦେବା ସ୍ବରରେ କହିଲା- ଆବେ ଆଗ ପୃଷ୍ଠାକୁ ଚାଲ୍‌, ଦେଖୁବୁ ଆହୁରି ବଢ଼ିଆ ଫଟ । ମାଗିଅଣା ତିଅଣ ସୁଡୁକାଏ ବୁଝିଲୁ.. ନିଜେ କିଛି କର । ଖାଲି ଫଟ ଦେଖିବୁ ନା କଣ, ଏଇ ଗପ ବି ପଢ଼, ତାହେଲେ ଜାଣିବୁ ମଜା । ପେଣ୍ଟ୍ ବକ୍‌ଲିସ୍‌ ଖୋଲ, ଏମିତି ଏମିତି କର୍‌ । ପରୀକ୍ଷା ମୂଳକ ପ୍ରମାଣ ପରି ମତେ ଯାହା କହୁଥାଏ, ସିଏ ସେମିତି କରି ମତେ ଦେଖାଉଥାଏ । ମୋ ଜ୍ଞାନ ଘରେ ସେଦିନ ଚଡ଼କ । ମୁଁ କଣ କରୁଥାଏ, କିଛି ଜାଣି ପାରୁ ନଥାଏ । ମୋ ଆଖିକୁ ଓହ୍ଲେଇ ଆସୁଥାଏ ମହଣ ମହଣ ନିଦ । ସେଦିନ ସେଇ ନଈ କୂଳରେ, ସାହାଡା ଗଛ ମୂଳେ ମୁଁ ଆଉ ପିଲା ନୁହଁ ପୁରୁଷ ହେଲିଣି ବୋଲି ପ୍ରମାଣ ପାଇଲି । ଏମିତି ହୁଏ...ଜମା ଡର୍‌ ନି...ବୁଝାଇଲା ଭୁଷ୍‌ପଣ୍ଡିତ ।

ଏବେ ଏବେ ମିତା ଢେର ଥର ମତେ କହିଲାଣି, ତୁ ଏମିତି କଣ ଚାହୁଁଛୁ । ଆଶ୍ଚର୍ଯ୍ୟ ମୁଁ ଆଉ ଆଗ ପରି ତାକୁ ଚାହିଁ ହସି ପାରୁନି । ସିଏ ପାଖରେ ଥିଲେ ଗୋଟେ ମିଠା ବାସ୍ନାରେ ରୁଦ୍ଧି ହୋଇଯାଉଛି ନାକ । ସିଏ ମୋ ଦେହକୁ ଛୁଇଁ ଦେଲେ ଇଲେକ୍ଟ୍ରି କରେଣ୍ଟ ପରି ମୋ ପୁରା ଦେହରେ ଖେଳେଇ ହୋଇଯାଉଛି ରିମ୍‌ଝିମ୍‌ ଝଙ୍କାର । ‘ମିତା ମୁଁ ତତେ ଭଲ ପାଉଛି’- ଯେତେ ଚେଷ୍ଟା କଲେବି ଏଇ ଧାଡିଟିକୁ ମୁଁ କହି ପାରୁନି । ଏମିତି ହେଲେ ତ ଭୁଷ୍‌ପଣ୍ଡିତ ପରି ମୁଁ ଦଶମରେ ଫେଲ୍‌ ହୋଇଯିବି । ଡର ଲାଗିଲା । ହେଲେ ମିତା ଭୂତ ମୁଣ୍ଡରୁ ଓହ୍ଲେଇବାକୁ ନାରାଜ ।

ଭାବିଲି ଏବେ ପାଇଖାନା କାନ୍ଥରେ ଶତ୍ରୁ ନମ୍ବର ତିନିରେ ଭୁଷ୍‌ପଣ୍ଡିତର ଚିତ୍ର ଆଙ୍କିବି । ରାଗ ପଞ୍ଚମରେ ପହଞ୍ଚିଲାଣି । କେତେ ଆଉ ସହିବି । ସବୁବେଳେ ଭୁଷପଣ୍ଡିତର ଆଖି ମିତା ଉପରେ । ଭି କଟ୍‌, ୟୁ କଟ, ଏମ କଟ୍‌ ଟପ୍ସ ଉପରେ ଭୁଷ୍‌ପଣ୍ଡିତର ନଜର । ଯାହା କହ ମିତାକୁ ପଛରୁ ଦେଖିଲେ ନାଁ….. । ଶୁଣି ଶୁଣି ଚିଡା ଲାଗିଲାଣି । କୋଉ ଦିନ ଗୋଟେ ଦମେ ଚଢେଇବି, ଯା... ଏକାଥରେ ସମ୍ପର୍କ ସ୍ବାହା...

ସ୍ବାହା … । ମାଟ୍ରିକ ବୋର୍ଡ ପରୀକ୍ଷା ସରିବା ପରେ ମିତାର ଠିକଣା ଏଇ ମୋର ଛାତି । ତା’ପରଠୁ ଯେତେ ଚାହିଁଲେବି ତାକୁ ଆଉ ପାଇଲିନି । ଭୁବନେଶ୍ବରକୁ ଚାଲିଗଲା ମିତା । ମୋ ସାଇକଲର ଏତେ ଦମ୍ଭ ନଥିଲା ଯେ ଆନନ୍ଦପୁରରୁ ଗଡ଼ିଯିବ ଭୁବନେଶ୍ବର । ମନକୁ ବୁଝାଇଲି ଚିଲିକାରେ ବାରମାସୀ ରହନ୍ତିନି ପରଦେଶୀ ଚଢେଇ । ….

‘ଯେତେ ଦୂରରେ ରହିଲେ ବି ମନର ମଣିଷ ମନରେ ଥାଏ । ତାକୁ ଭୁଲି ହୁଏନା । ବାହାଘର, ସଂସାର, ପରକୀୟା ପ୍ରୀତି ପରେ ବି ପ୍ରଥମ ପ୍ରେମକୁ ଭୁଲିହୁଏନି । ଆଉ ଗୋଟେ କଥା ଜାଣିଛନା- ଝିଅମାନେ ଯାହାକୁ ଥରେ ମନ ଦିଅନ୍ତି, ତା’ପାଇଁ ସର୍ବସ୍ବ ହାରି ଦେବାକୁ ବି ପଛ ଘୁଞ୍ଚା ଦିଅନ୍ତିନି ।’ ଜୁଲିର ଏମିତି କଥା ଶୁଣି ମୋର ସନ୍ଦେହ ହୁଏ । ମୋ ମନ ଭିତର କଥାକୁ କେମିତି ପଢ଼ିପାରେ ଜୁଲି । ତା’ର ସିକ୍ସଥ ସେନ୍ସ କାମ କରୁଛି ବୋଧେ । ମୋ ବିଷୟରେ କିଏ ଗୋଟେ ୟାକୁ କହିଦେଉଛି କି ? ସନ୍ଦେହ ହୁଏ । କେବଳ ମୋ ସ୍ତ୍ରୀ ଏମିତି ନାଁ ସଂସାରର ସବୁ ସ୍ତ୍ରୀମାନେ ପଢ଼ିପାରନ୍ତି ସ୍ବାମୀ ମନର କଥା ।

20 ବର୍ଷ ପରେ ଫୋନରେ ଶୁଣିଲି ମିତାର କଣ୍ଠସ୍ବର । ତା’ ସହ କଥା ହେବା ବେଳେ ଭୁଲିଗଲି କେମିତି ରେକର୍ଡ କରାଯାଏ କଲ । ଧେତ୍‌ କଥା ହେବା ବେଳେ ମନେ ପଡ଼ିଲାନି ତ..ଅ... । କେଉଁଠୁ ମୋ ନମ୍ବର ପାଇଲା କେଜାଣି ମିତା । ତା ମିଠା ହସର ଯୋଛନା ବିଛାଡି ହୋଇ ପଡ଼ିଲା ମୋ ଦେହ ସାରା । ଭୁଲିଗଲି ନିଜକୁ, ଭୁଲିଗଲି ସଂସାରକୁ, ଭୁଲିଗଲି ଜୁଲିକୁ । ଫୋନରେ ଗୋଟିଏ ଛୋଟ ପିଲାର କାନ୍ଦଣା ଶୁଣିଲି । ଶୁଣିଲି ମିତାର ସଂସାର ଓ ସୁଖ କଥା । କୋରି ହୋଇଗଲା ଛାତି । ସ୍ମୃତିର ଘା ଆଞ୍ଚୁଡି ହୋଇ ଥପ୍‌ ଥପ୍‌ ଝରିଲା ରକ୍ତ । ଡହଳ ବିକଳ ହେଲି ମୁଁ ।

‘ତତେ ଥରେ ଦେଖିବା ପାଇଁ ଇଚ୍ଛା ହେଉଛି ।’ କହୁ କହୁ ମୋ ପାଟିରୁ ଖସିଗଲା ଏଇ ଧାଡ଼ିକ । ହସିଲା ମିତା । କହିଲା ଆର ମାସରେ ମୁଁ ପହଞ୍ଚିବି ତୋ ଘରେ, ନିଶ୍ଚୟ । ଏତେ ଡେରି ? ପୁଣି ଖସିଗଲା ପାଟିରୁ । …‘ତୁ ପରା ଭାଇଜାକ୍‌ ଯାଉଛୁ ଏଇ ମାସରେ ଅଫିସ କାମରେ । ଟୁର୍‌ରୁ ଫେର, ଦେଖା ହେବ ।’ ପାଗଳ ହୋଇଯିବି ମୁଁ । ନୁହେଁ ତ ଆଉ କଣ । ମିତା କେମିତି ଜାଣିଲା ମୁଁ ମାସକ ପାଇଁ ଭାଇଜାକ୍‌ ଯାଉଛି ବୋଲି । ଝିଅମାନେ ଦୃଦୟ ଦର୍ପଣରେ ସବୁ ଦେଖିପାରୁଛନ୍ତି ନାଁ କଣ । ଜୁଲି କହୁଥିଲା...ତୁମେ...ଜୁଲି କହୁଥିଲା…ଜୁଲି କହୁଥିଲା….

ସନ୍ଦେହ ଦୂର ହେବା ପାଇଁ ଲାଗିଗଲା ବର୍ଷ ବର୍ଷ । ଜୁଲି- ମିତାର ଇଣ୍ଟର ଲିଙ୍କ୍‌ ବିଷୟରେ ଜାଣିନପାରି ମୁଁ ଭାବୁଥିଲି ସିକ୍ସଥ ସେନ୍ସର କାରନାମା ବିଷୟରେ । ଛିଣ୍ଡି ଗଲା ବୁଢୀଆଣୀ ଜାଲ । ମାନେ ଜୁଲି ମିତାକୁ ଜାଣିଥିଲା ଅନେକ ଦିନ ପୂର୍ବରୁ । ଦୁଇ ଜଣ ଯାକ ଭୁବନେଶ୍ବରେ ଗୋଟିଏ ଇନଷ୍ଟିଚ୍ୟୁଟରେ କରୁଥିଲେ ଫ୍ୟାସନ ଡିଜାଏନିଂ କୋର୍ସ । ରହୁଥିଲେ ସାମନ୍ତ ବିହାର ଅମ୍ବିକା ମେସ୍‌ରେ । ରସୁଲଗଡ଼ ଶିଳ୍ପାଞ୍ଚଳରେ ଦୁଇଟି ଫ୍ୟାକ୍ଟ୍ରି ଚାଲୁଥିଲା ମିତା ସ୍ବାମୀଙ୍କର । ଜୁଲି ସହିତ ମୋ ବାହାଘର ପ୍ରସ୍ତାବ ପଛରେ ଥିଲା ମିତାର ପ୍ରଚ୍ଛନ୍ନ ହାତ ।  

ଦି’ବର୍ଷ ପୂର୍ବରୁ ଥରେ ଜୁଲି ମତେ ଫେସବୁକରେ ଦେଖାଇଥିଲା ଗୋଟିଏ ଝିଅର ଫଟୋ । ପ୍ରୋଫାଇଲରେ ନାଁ ଥିଲା ଅଂଶିକା ରଥ । ମୁଁ ଏତେ ଗୁରୁତ୍ବ ଦେଇନଥିଲି । କିଏ ହୋଇଥିବ… । ପ୍ରକୃତରେ ଅଂଶିକା ରଥ ହିଁ ଥିଲା ମିତା । ହୁଏତ ମୋ ନାଁ ଲିଙ୍କ୍‌ରେ ସେ ନିଜ ଅାକାଉଣ୍ଟରେ ତା ନାଁ ବଦଳାଇଦେଇଥିଲା । ଅନେକ ବର୍ଷ ପରେ ଫେସବୁକ ମାଧ୍ୟମରେ ଜୁଲି-ମିତାଙ୍କ ବନ୍ଧୁତାର ଡୋରି ପୁଣି ବାନ୍ଧି ହୋଇଯାଇଥିଲା । କେବଳ ଯାହା ଅନ୍ଧାରରେ ବାଡ଼ି ବୁଲାଉଥିଲି ମୁଁ ।…

ଗାଁ ପାଖ ନୂଆ ସାହି ଛକରୁ ବାଇକ୍‌ରେ ଆସିବାବେଳେ ଗାଁର ସବୁ ଲୋକ ମତେ କଟମଟ କରି ଚାହୁଁଥିଲେ । କେଜାଣି... ମତେ ସେମିତି ସେମିତି ଲାଗୁଥିଲା । ଲାଗୁଥିଲା ବାଇକ ନୁହେଁ, ମୁଁ ଚଲାଉଛି ଗୋଟେ ମସ୍ତବଡ଼ ଜାହାଜ । ମୋ ପଛରେ ବସିଛି ଅମରାବତୀର ଅପ୍‌ସରୀ । ତା ପୁରା ଦେହ ଲଦି ହୋଇଛି ମୋ ପିଠିରେ । ଅଥଚ୍‌ ଲୋକେ ଚାହୁଁଛନ୍ତି ମତେ । ମୋ କାନ୍ଧ ଉପରେ ଥିଲା ମିତାର ବାଁ ହାତ, ଡାହାଣ ହାତ ପଡିଥିଲା ଜଙ୍ଘ ଉପରେ । ଅଗଷ୍ଟ ମାସରେ ଶୀତ ଦିନ ସକାଳ ପରି ମୋ ହାତ ଥରି ଯାଉଥିଲା ବାଇକ ହେଣ୍ଡଲ ଉପରେ । ରଙ୍ଗ୍‌ ରୁଟ୍‌ ଆଡକୁ ମାଡି ଯାଉଥିଲା ଚକ । ହେ... ପ୍ରଭୁ । ଶକ୍ତି ଦିଅ । ହାତ ନଉଠାଇ ଯେତେ ଦେବୀ ଦେବତାଙ୍କୁ ପ୍ରଣାମ କରୁଥିଲି ମନେମନେ ।

ଘରେ ପହଞ୍ଚିବା ପରେ ମତେ ଆଉ ପଚାରେ କିଏ ? ଚାଲିଲା ଗପ, କାହାଣୀ, କଥା, ନଥା । ବୃଥା ଗଲା ମୋର ସବୁ ଚେଷ୍ଟା । ଟିଭି ଦେଖୁଥାଏ ସିନା, ମୋ କାନ ଦି’ଟା ଠିଆ ହେଇ ଥାଏ, ସେପଟକୁ । ନାଁ ଶୁଣି ହବନି ଆଉ । ବାରି ପଟରୁ ଘେରାଏ ବୁଲି ଆସିବା ବେଳକୁ ମୋ କାନରେ ଠା ଠା ବାଜିଗଲା- ‘ଇଲୋ ଇଏ ବି ସେମିତି । ରାତିରେ ପା ହଜାର ଥର ମିତା, ମିତା ହେଇ ବାଉଳି ହଉଛନ୍ତି । ଜାଣିଛୁନା ତତେ ଭାବିକି ମତେ … ।’ ମୋ ମୁଣ୍ଡ ଝାଁ ଝାଁ କଲା । ରୋଷେଇ ଘରକୁ ଯାଇ ଫ୍ରିଜ୍‌ରୁ ଆଣି ଢକ ଢକ୍‌ କରି ପିଇଲି ପୁରା ଗୋଟେ ଲିଟର ପାଣି । ପାଣିରେ ବି ଏତେ ନିଶା ଆଜି ଜାଣିଲି । ସେଇଠି ବସିଲି, କାନ୍ଥକୁ ଡେରି ହୋଇ, ଗୋଡ଼ ଲମ୍ବେଇ । କେତେ ସମୟ ବିତିଗଲା ମୁ ଜାଣିନି । 20 ବର୍ଷ ପୂର୍ବର ଗୋଟେ ଅଧାଦେଖା ସ୍ବପ୍ନ ମତେ ଆଚ୍ଛନ୍ନ କଲା ନିବିଡ ଭାବରେ ।...

-ମିତା ବାହାରିଲାଣି । ଶୁଣୁଛ କି ନାଇଁ । କୁଆଡେ ଗଲ । ଜୁଲି ଡାକୁଥିଲା ଏତେ ବଡ଼ ପାଟିରେ । ମୁଁ ଶୁଣୁଥିଲି ପୁଣି ଶୁଣି ପାରୁନଥିଲି । ମୋ ଛାତି ଭିତରର ପଞ୍ଜରା ହାଡ ଭାଙ୍ଗୁଥିଲା କଡ..କଡ.. କଡ..କଡ ।

ଦଶମ ଶ୍ରେଣୀ ଟେଷ୍ଟ ପରୀକ୍ଷା ପୂର୍ବଦିନ । ସ୍କୁଲରୁ ଏକପ୍ରକାର ତଡ଼ା ଖାଇଲା ଭୁଷପଣ୍ଡିତ । ମୋ ମ୍ୟାଥ୍‌ ବହି ଭିତରେ ସେଦିନ ସେ ଛପେଇ ରଖିଥିଲା ସେଇ କାମସୁତ୍ର ଜ୍ଞାନ ନାମକ ଚଟି ବହି ଖଣ୍ଡକ । ସେଇଟି ପୁଣି ପଡ଼ିଥିଲା ମିତା ହାତରେ । ପ୍ରଥମ ଧାଡିର ବାଁ ପଟେ ମୁଁ ବସୁଥିଲି ତ ମିତା ବସୁଥିଲା ଝିଅ ପିଲାଙ୍କ ପ୍ରଥମ ଧାଡିର ଡାହାଣପଟେ । ଆମ ଦୁଇ ଜଣଙ୍କ ମଝିରେ ଥାଏ ବାଟ । ଦୁହିଁଙ୍କ ସାମ୍ନାରେ ଥାଏ ସାରଙ୍କ ଟେବୁଲ । ସେତେବେଳେ ମୋ ବହିପତ୍ର ଉପରେ ମିତାର ଥାଏ ଅଗ୍ରାଧିକାର । ଗଣିତ ବହି ଆଣିନଥିବାରୁ ମୋ ବହିଟି ନେବା ବେଳେ ତଳକୁ ଗଳି ପଡ଼ିଥିଲା ସେଇ ଚଟି ବହି । କଭର ପେଜରେ ଥିବା ଶୃଙ୍ଗାର ଦୃଶ୍ୟ ଦେଖି ହଡ଼ବଡେଇ ଯାଇଥିଲା ମିତା । ଗଣିତ ସାର୍‌ ଜେରା କରିବା ପରେ ସତ ମାନିଥିଲା ଭୁଷପଣ୍ଡିତ । କ୍ଲାସ ବାହାରେ ଆଣ୍ଠେଇଥିଲା ପୁରା 45 ମିନିଟ ।

ସେଇ ରାତିରେ ବହି ଫେରାଇବା ବାହାନାରେ ମିତା ଆସିଥିଲା ଆମ ଘରକୁ । ବୋଉକୁ ଦେଖା କରି ମୋ ପଢା ଘରକୁ ପଶୁ ପଶୁ କଟିଯାଇଥିଲା ଲାଇନ । ନିବିଡ ଅନ୍ଧାରର ରଙ୍ଗ ବୋଳିହୋଇଯାଇଥିଲା ପୁରା ଘର ସାରା । ଅନ୍ଧାରରେ ସେଲଫ ଉପରୁ ଟର୍ଚ୍ଚ ଖୋଜିବାକୁ ଉଠିବାବେଳକୁ ଲାଗିଲା ମୋ ହାତ ଲଟକି ଯାଇଛି ଦୁଇ ଲୁତ୍‌ପୁତ୍‌ ମାର୍ବଲ ପାହାଡର ମଝାମଝିରେ । କିଛି ବୁଝିବା ପୂର୍ବରୁ ମିତାର ହାତ ଦୁଇଟିରେ ବନ୍ଦୀ ହୋଇଯାଇଥିଲା ମୋ ବେକ । ଓଠରେ ଚିପି ହୋଇଯାଇଥିଲା ଓଠ । ଗୋଟେ ଉଷ୍ଣ ତଡିତ୍‌ ପ୍ରବାହରେ ପାପୁଲି ଘୁରି ଆସୁଥିଲା ଦିଗ ବିଦିଗ । ଭୁଷ୍‌ପଣ୍ଡିତଠୁ ବ୍ରହ୍ମଜ୍ଞାନ ପ୍ରାପ୍ତି ପରେ ପରେ ପୁଣି ଥରେ ମୋ ଜ୍ଞାନ ଘର ନିଶୂନ ହୋଇଯାଇଥିଲା ସେଦିନ । ...ହଠାତ୍‌ ବାହାରୁ ଟର୍ଚ୍ଚ ଲାଇଟର ତୀର୍ଯ୍ୟକ ଆଲୋକ ଅନ୍ଧାର କରିଦେଲା ମୋ ଆଖି । ଗମ ଗମ୍‌ ଝାଳ ବହିଗଲା ଦେହରୁ । ମୋ ପିଠିରେ କିଛି ଆଞ୍ଚୁଡ଼ା ଦାଗ ଛାଡି ନିଶବ୍ଦରେ ଘରୁ ଉଭାନ ହୋଇଯାଇଥିଲା ମିତା ।

କିଏ ଆସିଥିଲା ? ବୋଉ କି... ନାଁ ଆଉ କିଏ ? କିଏ ସାକ୍ଷୀ ହୋଇ ରହିଗଲା ମୋ ଲାଜ କଥାର ? ଜାଣିନି…ଜାଣିପାରିଲିନି ଆଜି ଯାଏ । ମିତା ଜାଣିଥିବ ତ ? ……

……...

ପ୍ରକାଶ ରଂଜନ ପରିଡ଼ା

‘ନିଶିପ୍ରଦୀପ’, କଏଳପାଳ, ବାତୋ, କେନ୍ଦୁଝର-୪୩

ମୋ: 9438080583

E.mail- litp.ranjan@gmail.com

ମିତା ଜୁଲି ଜାଲ

Rate the content


Originality
Flow
Language
Cover design

Comments

Post

Some text some message..