ବାପ
ବାପ
- କୁଆଡେ ଗଲା ?
- ସଞ୍ଜବେଳୁ ଗଲାଣି ଯେ' ଫେରିନି ଏଯାଏଁ !
- ଦେଖୁନୁ , ତା' ଖୁଡିଘରେ ଟିଭି ଦେଖୁଥିବ ?
- ସବୁଆଡେ ଅଣ୍ଡାଳିସାରିଲିଣି । ନାହିଁ। ପୋଡାମୁହିଁ ମହତ ସାରିଦେଲା ।
- ଆଁଆଁ ???
★★★
ଢେର୍ ଦିନୁ ତା' ହାବଭାବରେ ଅଡୁଆ ଦିଶୁଥିଲା। ମା' ସିଏ । ଜାଣିପାରିବନି କେମିତି ? ଗଣ୍ଠିଧନ କରି ରଖିଛି ବାପ । ସେଇ ଡରରେ କିଛି ଆକଟି ପଦେ କହିହେଉନଥିଲା ।
ବଢିଲା କନିଆଁର ଲକ୍ଷଣ ଖରାପ ଦେଖି,ପଚାରିଲେ ବାଆଁରେଇ ଦେବ । ସତଟା କଣ କହିବ କେବେ ? ଓଲେଇ ଗାଈକୁ ସୁତୁରାଫୁସୁଲା ଆଉଁସା କାଟୁ କରେନି । ପାଞ୍ଚଣ ନବାଜିଲେ , ବାଡ ଡେଇଁବାଟା ଥୟ ।
ସେଦିନ ପାଣିକଳ ପାଖେ , ରମାବୋଉ ବୁଲେଇ ବଙ୍କେଇ କହିଲା -
- ଲତା ବା'ଘରଟା କରିଦିଅ ନୂଆଉ' ! ଝିଅ ଘିଅ । ସାଇତିରଖିଲେ ଗନ୍ଧେଇବ !!
- ବାପଭାଗ ତ କହୁଛି , ମୋର ଏଡୁଟିକେନାକୁ ବକଟେ ବୋଲି ଝିଅ । ଘର ସମ୍ଭାଳିବ କେମିତି ? ତୁମେ ଭାଉଜମାନେ କୁଆଡେ ବରଟେ ଠିକ୍ କରିଆଣଲୋ ।
- ନାଇଁଲୋ ନୂଆଉ ! ଆଜିକାଲି ବଡ଼, ଛୁଆଙ୍କ ପରି , ଛୁଏ ,ବଡ଼ଙ୍କ ପରି ସାଜିଲେଣି । ଦିହ ଭାରି ହେଉହେଉ ବିଦା କରିଦେଲେ ଭଲ । ମାନ ରହିବ ।
ଗରାରେ ପାଣି ଭରି ଉଛୁଳିବାରୁ , ଲତାଉ' ଚାଲିଆସିଲା କଳ ପାଖରୁ । ଆସିଲା ସିନା , ମନରେ କିନ୍ତୁ ସନ୍ଦେହଟେ ପୁରେଇ ଦେଇଥିଲା ରମାବୋଉ।
★★★
ତାଳଗଛ ପରି ବଢୁଥିଲା 'ଲତା' ! ସାଙ୍ଗକୁ ବଢୁଥିଲା ବେଢଙ୍ଗ ସବୁ । କଥାକଥାକେ , ଝିଙ୍ଗାରି ଛିଞ୍ଚାଡି ହେବା , ଜିଦ୍ଦିକରି ମୁହଁ ଫୁଲେଇବା ଆଦିରେ ଅଭ୍ୟସ୍ତ ହୋଇଯାଇଥିଲା । ପଦେ କହିଦେଲେ, କବାଟ କିଳି ପଶିବ ଯେ' , ବାପ ଆସି ଖୋଲିବାକୁ ନେହୁରା ନହେଲା ଯାଏଁ ।
ଯୁଗେଯୁଗେ ପୁଅ ମା'ର , ବାପର ଝିଅ ।
ସେଇ ବାପସୁଆଗ ପାଇଁ , ଆଜି ବାଡ଼ ଡେଇଁଛି 'ଲତା' !!
ଭାଡିଘରୁ , ପୁରୁଣା ଫାର୍ସାଟା କାଢି , ଧାଇଁଲା 'ମାନୁ' ମୁଣ୍ଡ କାଟି ଆଣିବ ଭଉଣୀର । 'ମାନୁ'ଟା ଏକଶିଙ୍ଘା । ଭାରି ଭଲପାଏ ବି ସାନଭଉଣୀକୁ । ହେଲେ ବାପର ରକ୍ତ ଅଲଗା , ଭାଈର ଭିନ୍ନେ । ଛତରଖାଈ ରଖିଲାକି ସେଇ ଶରଧା ଟିକକ ????
★★★
ରାତି ବଢୁବଢୁ , କାନକାନ ହେଇ , ଦୁଆରେ ଠୁଳ ହେଲେଣି ଗାଁ ସାରା ।
- ଘରଟାରେ ବସି ମୁଣ୍ଡ ବାଡେଇଲେ କଣହେବ ? ଖୋଜ ଏ ରାତିଅଧାରେ କେଉ ଭେଣ୍ଡିଆ ଘରେ ନାହିଁ ?
ମୁରବିଆ ସ୍ୱରରେ ପଚାରିଲେ ରଘୁପଣ୍ଡିତେ ।
- କିଏ ଜଣାନାହିଁ ନା କ'ଣ ? କଥା ଦାଣ୍ଡରେ ପଡି ହାଟରେ ଗଡୁଥିଲା । ନାଥୁ ନାଈକ ପୁଅ ସତୀଶ୍ ସାଙ୍ଗରେ ଏ ଟୋକୀ ଲସରପସର ହେଉଥିଲା କେ' ନଜାଣେ ଏକଥା ମଁ ? ଦେଖୁନ ସଂଜଟାରୁ କବାଟ କିଳି ରହିଛନ୍ତି କେମିତି ନାଇକ ବଅଂଶ ???
ଫିଟୁଥିଲା ଗୁମର । ଏକାସାଙ୍ଗରେ କଲେଜ ଯା'ଆସ ।
- ଶଃ! ଦିନଥିଲା ବାଜିଗଲେ ଟିକେ ଗୋବରପାଣି ପିଇ ଶୁଦ୍ଧି ହେବାକୁ ପଡୁଥିଲା। କାଇଁ ଆଉ ସେ ସମୟ ? ଆଜିକାଲି ଏଇ ପଢାଲେଖାଏ , କୋଳଝୁଲଣା କରି ବୁଲିଲେଣି !! କଳିକାଳ ।
ମୁଣ୍ଡ କାନରେ ହାତଦେଇ ମୂରଲୀ ମିଶ୍ରେ ଶୁଣୁଥିଲେ ସବୁ । ପାଟିରୁ ଉଁଚୁଁ ବାହାରୁନଥିଲା । ବେଳ ପଡିଛି ଏବେ । ଲୋକେ ମହତ ସାରିବେ । ଯେ' ଯା' ପାରିବ କହିବ ।
ଛାତିକୁ ଚଟାଣ ନକଲେ ସହିହୁଏନି ଝିଅକଷ୍ଟ !!!!
ଲତାବୋଉ ହାଉଳିଖାଇ , ପ୍ରଚାର କରୁଥିଲା -
- ବେକକଣ୍ଠିଟାକୁ ବି ଛାଡିନି ଅଲକ୍ଷଣି । ଯେତେ ଘରଧାତୁ ଥିଲା , ସବୁ ଗୋଟେଇନେଇ ପଳେଇଛି ।
କେ' ଗୋଟେ କହିଲା -
- କୁଆଡେ ଯାଇଥିବେ ? ପୁରୀ , ବିରଜା , ନୋଇଲେ ତାରେଣୀ ???
- ସେୟା ନାହିଁ ତ କ'ଣ ? ରଙ୍କି ମାନଙ୍କୁ ତ ଦଇବ ସାହା । ଦୁଃଖୀ ମାନଙ୍କ ପାଇଁ,କେଉଁ ଠାକୁରପଣ ଥାଏ ଯେ ?
ବନ୍ଧୁବାନ୍ଧବ , ଚିହ୍ନାପରିଚ ମାନଙ୍କୁ ରାତାରାତି ଖବର କରାଗଲା , ସବୁଯାକ ମନ୍ଦିର ଦୁଆରେ ସକାଳୁ ଯାଇ ଲକ୍ଷ୍ୟରଖ । ପାଇଲେ ବାନ୍ଧି ପକେଇବ ।
ମିଶ୍ରେଙ୍କ ବଦନାମୀ ନୁହେଁ ତ ସାରା ଗାଁର ସମ୍ମାନର ପ୍ରଶ୍ନ । ହାଟବଜାରରେ ପାଖ ଗାଁ ଲୋକେ ଛିଗୁଲାଇବେ ।ଏଇ ଗାଁର ଆଉ ଝିଅ ମାନଙ୍କ ସତୀପଣକୁ ବି ଅଯଥାରେ ସନ୍ଦେହ କରାଯିବ ।
ଗାଁଟା ସାରା ଯେମିତି ରାତାରାତି ଭେଦଭାବ ଭୁଲି ଏକଜୁଟ୍ ହୋଇଯାଇଥିଲେ ।
★★★
ଗାଁ ମୁଣ୍ଡରେ ଅଛି ରାଉଳ ଘରର ଭଙ୍ଗାକୋଠା ।କେଉଁ ଦିନୁ ଘର ଭାଙ୍ଗିରୁଜି ବଅଁଶଯାକ ଚାଲିଯାଇଛନ୍ତି ସହର । ଘର କାନ୍ଥ, ପାଚେରୀରେ ମଣିଷ ଉଞ୍ଚାଁ ବରଗଛ ଉଠି ଆଁ କଲାଣି । ସେଇଠି ଭୁତପିଶାଚ ରହିବେନି ତ ଆଉକଣ ?
ସବୁ ସଂକ୍ରାନ୍ତି ଅମେଇସାରେ , ନାଲି ଶାଢ଼ୀ ପିନ୍ଧି , ରାଉଳ ଘରର ସାନବୋହୁ , ସେ ଘର ଚାରିପଟେ ବୁଲିବାର ଅନେକ ଦେଖିଛନ୍ତି। ସେଇବାଟ ଦେଇ ଯେକେହିବି ଗଲେ , ଶୁଣିପାରିବ ସେ ଘର ଭିତରଟାରେ , କେଉ ମାଇପିର ସୁଁ ସୁଁ କାନ୍ଦ । ସେଇ କାନ୍ଦ ହେଲା ରାଉଳଘରର ପାପର ପ୍ରମାଣ । ପଇସାପତ୍ର ଦେଇ କଚେରୀ ମାମଲାରୁ ଖସିଗଲେ ସିନା , କିନ୍ତୁ ଯୌତୁକ ପାଇଁ ନୂଆ ଭୁଆସୁଣୀଟାକୁ ଜାଳିଦେବା କଥା କିଏ ନଯାଣେ ? ତାରି ଆତ୍ମାଟା ବୁଲେ ଘର ଚାରିପଟେ। ଖୋଜେ ସେ ମଣିଷମରା ଲୋକଗୁଡାଙ୍କୁ । ଭୁତହୋଇ ଏମିତି ହରକତ କଲାଯେ , ଘରଛାଡି ଚାଲିଗଲେ ବଅଁଶ । ଏବେ ସେଇଘର ପାଲଟିଛି , ଭୂତକୋଠୀ । ଗାଁ ବାଲାଙ୍କ ସେପଟେ ଯିବାଆସିବା ବି ଅମଡା ହେଇଗଲାଣି ।
ପରଦିନ ସକାଳୁ , ହଳନେଇ ମଦନା ଯାଉଥିଲା ନାଳକୂଳକୁ । ଭାରି ଝଣଝାଣ , ଫୁସୁରୁଫାସର ଶୁଭିଲା ତା' କାନକୁ । ବଳଦ ଦି'ଟାକୁ ରାଉଳଘର କୋଠା ପାଖରେ ଛାଡିଦେଇ ଅତର୍ଛା ଧାଇଁଲା ଗାଁ ମଝିଦାଣ୍ଡକୁ ।
- ହଁ ହଁ ମୁଁ ଶୁଣିଛି । ଏଇ କାନରେ । କିଏ ଗୋଟେ ତ ଭିତରେ ଅଛି । ଜଣେନୁହେଁ , ଅଧିକା ।
- ଶଳାକୁ ରାଉଳଘର ସାନବୋହୂ ଲାଗିଲାଣି । ଡାକ ସନେଇଦା'କୁ । ଟିକେ ଝାଡିଫୁଙ୍କି ଦେବ ।
- ନାଇଁରେ ଭାଇ । ମୋ' କଥାକୁଟିକେ ହେଜ ।
★★★
ଗତରାତିରୁ ଗାଁରୁ ହଳେ ଟୋକାଟୋକୀ ଫେରାର୍ । ଆଜି ଭୂତଘରୁ ଶୁଭୁଛି ଟୁପୁରୁଟାପୁରୁ ? ଶଳାଙ୍କ ପ୍ଲାନ୍ ପକ୍କା ଫେଲ୍ ମାରିଛି । ଯାଇପାରିନାହାଁନ୍ତି । ଲୁଚିଛନ୍ତି ।
ଖାଲି ପାଠ ପଢିଦେଲେ କ'ଣ ହେବ ? ପ୍ରେମ କରିବାକୁ କଲିଜାଟେ ଦର୍କାର । ଶଃ! ମାହିଆ ଗୁଡା ।
ଈଜ୍ଜତ୍ ରହିଗଲା ଗାଁର । ବ୍ରାହ୍ମଣ ଜାତିର ଟେକଟା ବଞ୍ଚିଗଲା । ଶାସନୀ ଝିଅଙ୍କୁ , ପାଣକଣ୍ଡରା ବି ଟେକି ନେବ ନା କ'ଣ ? ଶଳାଟାକୁ ମାରି ଟାଙ୍ଗିଦିଅ ସେ ରାଉଳଘର ଅଗଣାରେ ।
ଧାଇଁଲେ ଭେଣ୍ଡିଆ ସବୁ ହୋହୋ ହୋଇ । ଗାଁର ପ୍ରସଙ୍ଗ । ସମ୍ମାନର ପ୍ରସଙ୍ଗ । ଜାତିର ପ୍ରସଙ୍ଗ ।
'ମାନୁ' ବି ଏକମୁହାଁ ଧାଇଁଲା ଫାର୍ସାଟାକୁ କାନ୍ଧରେ ବୋହି ।
★★★
କି ତିର୍ଲା , କି ବୁଢା , ଛୁଆବଚ୍ଚା , ଆଦିରୁ ଘେରିଗଲେଣି ଭୂତକୋଠୀ । ଚାରିଆଡେ ହୋହାଲ୍ଲା । ମଣିଷ ଏକାଠି ହୋଇଗଲେ , ଭୂତ କ'ଣ , ଭଗବାନ୍ ବି ହାରିଯାଏ ।
ଆଖି ଫାଡି ସବୁ ଚାହିଁଛନ୍ତି , ନାଟକର ଯବନିକା ଦେଖିବାକୁ । ବନ୍ଦୀ ହେଇଯାଇଛି ପ୍ରେମ ! ଏବେଖାଲି ବିଚାର ହେବାକୁ ବାକି ।
'ମାନୁ' କୁ ଭିଡିଧରିଛନ୍ତି ପଞ୍ଝାଏ । ଭାଇ ହାତରେ ଥରେ ହତିଆର ଆସିଗଲେ , ଧ୍ୱଂସ ହେବାଟା ଥୟ । ରଡିକଲେ ରଘୁପଣ୍ଡିତେ -
- ପିଲାମାନେ ପଦାକୁ ଆସ । ତୁମ ପାପଖେଳ ଧରାପଡିଲାଣି ।
ଏ କ'ଣ ??
କୋଠା ଭିତରୁ ବାହାରୁଛନ୍ତି ମୂରଲୀ ମିଶ୍ରେ । ହାତରେ ପାଞ୍ଚ ଫୁଟିଆ ଠେଙ୍ଗା !!!! କୋଳାହଳ ଏବେ ସ୍ତବ୍ଧ । ମିଶ୍ରେଙ୍କ ଆଖିରେ ନିଆଁହୁଳା ।
- ଖବରଦାର୍ ! ଯଦିକେ ହାତଦେବ । ଯାଅ ଫେରିଯାଅ ସବୁ ନିଜ ଘରକୁ । ମୁଁ କନ୍ୟାଦାନ କରିସାରିଛି ।
★★★
ଭିଡ ବାଟକାଢି ଦେଇଥିଲା । ଆଗେଆଗେ ମିଶ୍ରେ । ପଛେପଛେ ପ୍ରେମ । ତା ପଛକୁ ଅଶାନ୍ତିର ପଟୁଆର ।
ନାଲି ଶାଢ଼ୀ ପିନ୍ଧି , ଠିକ୍ ରାଉଳଘର ସାନବୋହୁ ପରି ଦିଶୁଥିଲା 'ଲତା' !
କୌଣସି ସମାଧାନରେ ଖୁସିହୋଇପାରେନି ମଣିଷ !! ଅଡୁଆ ସୂତାର ଜାଲରେ ଛନ୍ଦିହୋଇ , ଧନ୍ଦି ହେବାରେ ସୁଖଖୋଜେ ସବୁବେଳେ !!!
ବେଶ୍ କିଛିଦିନ ପରେ , କୌଣସି ଏକ କଥାକୁ ନେଇ , ଗାଁ ତୋଟାରେ , ମୂରଲୀ ମିଶ୍ରେ ଆତ୍ମହତ୍ୟା କରିଦେଇଥିଲେ । ଲୋକେ ପୁଣି କୁହାକୁହି ହେଲେ , ୟେ' ଆତ୍ମଦହନର ଫଳ ।
ତେବେ ଶୁଭକାମଟା ସାରିଦେଇ ଯାଇଥିଲା ଗୋଟେ "ବାପ" !!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର■
।