Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୂନ୍ ଶାନ ରାତି
ଶୂନ୍ ଶାନ ରାତି
★★★★★

© Satyaprakash Sethy

Horror

6 Minutes   56    4


Content Ranking

ବହୁ ବର୍ଷ ତଳର କଥା, ଓଡ଼ିଶାର କଟକ ସହର। ଯାହା ଏବେକାର ଏପରି ନଥିଲା, ଆଗ କାଳର ଅଳ୍ପ ଲାଇଟ୍ ପୋଷ୍ଟ, ଚାରିଆଡ଼େ ଝାଉଁ ବଣ। ବୃକ୍ଷାଦି ମଧ୍ୟ ଅନେକ। ୱାନ୍ ଵେ ଟ୍ରାଫିକ, ଅଳ୍ପ ଉନ୍ନତ। ଆଜିର ଗାଁ ଗହଳି ପରି ମଧ୍ୟ ଠାଏଁ ଠାଏଁ ଡରାବନ (ଭୟଙ୍କର) ଦୃଶ୍ୟ। ରାତି ହେଲେ ଡର ଲାଗେ, ଚୋର ତସ୍କରଙ୍କ ପ୍ରାଦୁର୍ଭାବ ବେଶୀ। ନଈ କୂଳ ଓ କାଠଯୋଡ଼ି ପଠା ଭାରି ଜଙ୍ଗଲିଆ, ଅନ୍ଧାରୁଆ ସ୍ଥାନମାନଙ୍କରେ ସାପ ବେଙ୍ଗ ମାନଙ୍କର ଭାରି ବସା। ଦିନ ଦ୍ଵିପ୍ରହରରେ ଡର ଲାଗୁଥିଲାଟି! ଠିକ୍ ସେଇ ସମୟର କଥା।


ଶିଶିର କୁମାର ଘୋଷ ବୋଲି ଜଣେ ଭଲ ଇଂରାଜୀ ଶିକ୍ଷକ ଥାଆନ୍ତି।ଭାରି ସାହସୀ। ପେଶା ତାଙ୍କର ଟ୍ୟୁସନ। ସରକାରୀ ଚାକିରୀ ନଥିଲେ କ’ଣ ହେଲା, ଟ୍ୟୁସନ୍ କରି ଭଲ ଦି’ ପଇସା କମାନ୍ତି। ସେଇ କମାସ୍ତୁକରେ ପରା ଘର ଚଳେ ।ଘରେ କ’ଣ କମ ପ୍ରାଣୀ କି? ମାଇକିନା ଛୁଆ ପିଲା କି ମିଶିକି ଦି /ଚାରି ପ୍ରାଣୀ କୁଟୁମ୍ବ ହେବେ। ଜଣଙ୍କ ରୋଜଗାରକୁ ସମସ୍ତେ ଚାହିଁଥାନ୍ତି। ତେଣୁ ସକାଳୁ ସଞ୍ଜ ଯାଏଁ ନ ଖଟିଲେ, କିଏ ଆଣି ଦେବ କହୁ ନାହିଁନ୍ତି? ଟ୍ୟୁସନ ବୋଲି କ’ଣ ଗୋଟେ କି? ବାର ଆଡ଼େ ତେର ଟ୍ୟୁସନ , ରାତି ପାହିଲାଠାରୁ ରାତି ହେଲା ଯାଏଁ। କେତେ ଆଡ଼େ କେତେ ରକମର ଟ୍ୟୁସନ। ଡବଲ, ସିଙ୍ଗଲ୍ ଓ ଗ୍ରୁପ ଟ୍ୟୁସନ ମଧ୍ୟ ଚାଲିଥାଏ । ପୁଣି ପିଲାଙ୍କ ସ୍କୁଲ ଟାଇମକୁ ଦେଖି ଟ୍ୟୁସନ ଟାଇମ ସ୍ଥିର କରାଯିବ ନା, ନହେଲେ କ’ଣ ଅଭିଭାବକମାନେ ସହଜରେ ରାଜି ହେବେ କି? ସକାଳୁ ସେ କ’ଣ ଗଣ୍ଡେ ଖାଇଦେଇ ସହରକୁ ଚାଲି ଆସନ୍ତି ଯେ, ଫେରିଲା ବେଳକୁ ରାତି। ଦିନରେ ହୋଟେଲରେ ଖାଇଲେ ଖାଇଲେ, ନ ଖାଇଲେ ନାହିଁ, ଟ୍ୟୁସନରେ ଯେଉଁ ଚା ଜଳଖିଆ ଟିକିଏ ମିଳିଯାଏ ସେତିକିରେ କାମ ଚଳିଯାଏ, କାରଣ ପୁଣି ଦୁଇ ପଇସା ଯୋଗାଡ଼ ଯନ୍ତ୍ର କରି ସଞ୍ଚୟ କରିବାକୁ ହେବ ନା, ନହେଲେ ଛୁଆ ପିଲାଙ୍କ ଭବିଷ୍ୟତ କ’ ଣ ହେବ?


ସେଦିନ ଗୋଟେ ବିଳମ୍ବିତ ରାତିରେ ପିଲାମାନଙ୍କୁ ପାଠ ପଢ଼େଇ ସାରି ସେ ଘରକୁ ଫେରୁଥାନ୍ତି। ଘର କଟକ ସହରର ଏକ ଉପାନ୍ତ ଅଞ୍ଚଳରେ। ତ୍ରିଶୁଳିଆ ଦେଇ ପୋଲ ପାରି ହୋଇ ଯିବାକୁ ହୁଏ ଏକ ମଫସଲ ଅଞ୍ଚଳକୁ। ବାଟର ବ୍ୟବଧାନ ପାଞ୍ଚ ମାଇଲ। କାଶ ତଣ୍ଡି ଘେରା ଜଙ୍ଗଲିଆ ରାସ୍ତା। ବୁଦି ବୁଦିକା ବୀଣା ମୂଳୀ ଓ କ୍ଷୀରି କୋଳି ଆଉ ବଇଁଚ କୋଳିର ଲଟାକୁଞ ମଧ୍ୟ ଥାଏ। ବାଟରେ ଆଉ କେତେଟା ବଡ଼ ବଡ଼ ଗଛ ସଣ୍ଢା ଟେକି ଉପରକୁ ମୁଣ୍ଡ ଟେକି ଆଁଟା କରି ଆକାଶକୁ ଚାହିଁଥାଏ। ପାହାଡ଼ ପରିକା କେଇଟା କୁଦ ମଧ୍ୟ ସେଇ ବାଟରେ ପଡେ। କେଉଁଠି କଦବାଏ କିଏ ଫସଲ ଗଣ୍ଡାଏ କରିଥାଏ, ଯେଉଁଠି ନଞୁରିଟେ ବା ପାଣି ନାଳଟିଏ ଥାଏ ପାଣି ମଡେବାକୁ।


ଗରୀବ ବୋଲି ତାଙ୍କର ସାଇକେଲ ଖଣ୍ଡେ ହାତରେ ଥାଏ। ପୁଣି ଟିକି ଟର୍ଚ୍ଚଟେ ପକେଟରେ ପଡିଥାଏ-ସୁବିଧା ଅସୁବିଧାକୁ ସାହାଯ୍ଯ ଓ ନେବା ଆଣିବାକୁ ବି ସୁବିଧା। ସାଇକେଲ ଖଣ୍ଡକ ହାତରେ ଥିଲେ ତାଙ୍କୁ ଯେମିତି ଲାଗେ ତ୍ରିଭୁବନଟା ତିନି ମିନିଟିର ବାଟ।। 9/9.30 ରେ କଟକ ଛାଡିଲେ ,ସେ 10 /10.30 ସୁଦ୍ଧା ଘରେ ପହଂଚିଯାନ୍ତି। ଘରେ ପହଁଞ୍ଚି ଗୋଡହାତ ଧୋଇ କ’ଣ ଦିଟା ଖାଇଦେଇ ଶୋଇ ପଡ଼ନ୍ତି। ରାତି ପାହିଲେ ପୁଣି ସେଇ ସମାନ କାମ। ଇଏ ତାଙ୍କର ଧରାବନ୍ଧା, ନିତି ଦିନିଆ ରୁଟିନିଅସ୍ ଜୀବନ ।

ସେଦିନ ପରୀକ୍ଷା ବେଳ ତ, ପିଲାଙ୍କୁ ପଢାଉ ପଢାଉ ଟିକିଏ ଡେରି ହୋଇଗଲା। ପୁଣି ବାଟରେ ଗୋଟେ ସାଙ୍ଗ ଦେଖା ହୋଇଯିବାରୁ ଅଯାଥା କଥାର ଖିଅ ଗୁନ୍ଥି ହୋଇଗଲା। ସମୟଟା ଅତିକ୍ରାନ୍ତ ହୋଇଯାଉଥାଏ, ଆଦୌ ଜାଣି ହେଉନଥାଏ। ପିଲାଟିକୁ ପଢେଇଥିବା କାହାଣୀଟା ତ ନିଶ୍ଚିତ ପକ୍ଷେ ମନ ଇଲାକାରେ ଜାଗ୍ରତ ଥାଏ। ରସ୍କିନ ବଣ୍ଡଙ୍କ ଗୋଟେ ହରର୍ କାହାଣୀ ସେ ପଢ଼ାଉଥିଲେ। ପିଲାଟି ଡରି ଯିବାରୁ ତା’ ମା’ ପଢ଼ା ଟେବୁଲ୍ ପାଖକୁ ଉଠି ଆସି ଭୂତପ୍ରେତ ଉପରେ କେତେ କ’ଣ ଭାଷଣ ଦେଉଥିଲେ। ସେ ଆହୁରି କହୁଥିଲେ କୋଉ ଗୋଟେ ହିନ୍ଦୀ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦେଖିଥିଲେ, ଯିଏ କି କେମିକାଲ ଲୋଚାର ଶୀକାର ହୋଇଥିଲେ। ଏଗୁଡାକ ସେ କ୍ଷଣେ ଭାବୁଥିଲେ ସିନା ହେଲେ ପରମୁହୂର୍ତ୍ତରେ ଭୁଲି ଯାଉଥାନ୍ତି, କାରଣ ଏଗୁଡାକ ସବୁ ଅନ୍ଧ ବିଶ୍ବାସ ବୋଲି ସେ କେବେଠୁଁ ଜାଣିଛନ୍ତି – ପିଲାଦିନୁ ବାପା ଯେଉଁଦିନଠୁଁ କହିଲେଣି।


ତରବର ହୋଇ ଘରକୁ ଫେରିଲେ। ତେଣୁ ବାଟରେ ବେଙ୍ଗ ସାପ କିଛି ଜଣାପଡ଼ୁ ନଥିଲା। ବାଟରେ ସହରର ଆଲୁଅ ରାସ୍ତା ଖାଲି ହୋଇଗଲେ, ଆହୁରି ଦୁଇ /ତିନି କିଲୋ ମିଟର ଅନ୍ଧାରୁଆ ରାସ୍ତା – ଆରମ୍ଭ ହୁଏ। ସେହି ରାସ୍ତାରେ ପହଞ୍ଚିଛନ୍ତି କି ନାହିଁ, ହଠାତ୍ ସାଇକେଲରୁ ଚେନ୍ଟା ଖସିଗଲା। ସେ ଓହ୍ଲାଇ ପଡି ପାଟିରେ ସରୁ ଟର୍ଚ୍ଚଟା ଭର୍ତ୍ତି କରି ଦେଇ ଦୁଇ ହାତରେ କାମରେ ଲାଗିଗଲେ। ଚେନ୍ ଟା ଆଦୌ ଦେଇ ହେଉନଥାଏ କଳଙ୍କି ଲଗା ଚେନ୍ ଟା। ଭାରି ଜାମ୍। ଚଳେଇଲା ବେଳେ ପରା କଁ କାଁ ଡାକେ। ହାତ ମୁହଁ କଳା ହୋଇଗଲାଣି ପଛେ ସଜଡୁ ନାହିଁ, ଓଲଟି ଚେନ୍ଟି ଏକା ବେଲକେ ଛିଡି ଗଲା। ଯା’.. ଏଣିକି ଦୁର୍ଦଶା ।ସାଇକେଲ ଖରାପ ହେଲେ ତାଙ୍କ ସାହସ କମି ଯାଏ।କ’ଣ ବା କରିଥାନ୍ତେ, ନିଜ ସାଇକେଲଟା ପରା ଶାଳକ ମହାଶୟ ନେଇ ସହର ବୁଲିଯିବାକୁ – ପତ୍ନୀ କହିଲେ। ତେଣୁ ତା’ ଭଙ୍ଗା ସାଇକେଲଟା ଧରି ସେ ଚକ୍କର କାଟିବେ ନାହିଁ ତ କିଏ କାଟିବ? ରାତି ବଢି ଯାଉଥିବାରୁ ରାସ୍ତା ନିରୋଳା ହେଉଥାଏ, ସାଇଁ ସାଇଁ ନିଶା ଗର୍ଜୁଥାଏ। ନଦୀପଠା ଅଞ୍ଚଳ, ଘାଇଁ ଘାଇଁ ପବନ ପିଟୁଥାଏ। ଅମାବାସ୍ୟା ପକ୍ଷର ରାତିଟା ଆହୁରି ଘନ ଅନ୍ଧାରିଆ ଦିଶୁଥାଏ। ଶୂନ୍ ଶାନ୍ ରାତି, ମନରେ ଟିକେ କାଳ ପଶୁଥାଏ। ହେଲେ ସେ ଡରୁନଥାନ୍ତି, କାହିଁକିନା ତାଙ୍କର ଭାରି ଦମ୍ଭ।


ଏତିକି ବେଳକୁ ଦୃଷ୍ଟି ପଡିଲା ଅନତି ଦୂରରେ ବୁଦା ମୂଳରେ ଗୋଟିଏ ପଥର ଢିପ ଉପରେ ସ୍ତ୍ରୀ ଲୋକଟିଏ ଉଁ… ଉଁ.. ହୋଇ କାନ୍ଦୁଛି। ସେ ତାଙ୍କ ପାଖକୁ ଯାଇ – “କିଏ ସେ ତୁମେ?କାହିଁକି କାନ୍ଦୁଛ”?? ପଚାରିବାକୁ ଲାଗିଲେ ।ସ୍ତ୍ରୀ ଲୋକଟି କିନ୍ତୁ ପାଟି ଖୋଲୁ ନଥାଏ, ମୁହଁ ତଳକୁ କରି ବସିଥାଏ । ହାତ ଦିଟା ମୁହଁ ଉପରେ ଅଧା ଢାଙ୍କି ରଖିଥାଏ। ସ୍ତ୍ରୀ ଲୋକଟା ତ କାଳିଆ ଦିଶୁଥାଏ, କିନ୍ତୁ ପାଗିଳୀ ହୋଇ ନଥିବ। ଅବଶ୍ୟ ଚିରାଫଟା ପିନ୍ଧି ଥାଇପାରେ କିନ୍ତୁ ବସ୍ତି ଅଞ୍ଚଳର କେହି ଗୋଟେ ନିଶ୍ଚୟ ହୋଇଥିବ। ଗରୀବ ଲୋକଙ୍କର ତ ଝଗଡ଼ା ବେଶୀ, ଘରେ ଝଗଡ଼ା ଲାଗି ଏଠିକି ଚାଲି ଆସିଥିବ। ହୁଏତ ଏକଲା ବସି ଆତ୍ମହତ୍ୟା କଥା ବି ଭାବିପାରେ, ନହେଲେ ଏତେ ରାତିରେ ଏକଲାଟା ଏଠି କାହିଁକି ବସିବ?

ଯାହାବି ହେଉ ପଚାରିବେ କି ନାହିଁ ଆଗ ଥୋଡେ ଖଣ୍ଡ ଭାବି ନେଲେ। ପୁଣି ପଚାରିଲେ – “ଏ! କିଏ ତୁମେ? କାହିଁକି ଏଠି ବସିଛ”?? ସେ କିଛି କହିଲା ନାହିଁ।ସେଇମିତି ନିରୁତ୍ତର ଯେମିତି ସେ ପୂର୍ବରୁ ବସିଥିଲା। ଏଥର ଟିକିଏ ଧମକେଇ ପଚାରିଲେ – “ପଚାରୁଛି ପରା! କ’ଣ କହୁ ନାହଁ! କାହିଁକି ଗୁମାନ ମାରି ବସିଛ “?

ଏବେ ମଳୁକୁ କୁନ୍ଥେଇବା କଷ୍ଟ ହେଲା ପରି ପାୱାର କଷ୍ଟିଆ ଟର୍ଚ୍ଚ ଆଲୁଅଟା ତା’ ମୁହଁକୁ ତେରଛା ପକେଇ ପଚାରି ଆସୁଥିଲେ -” ତୁମକୁ କ’ଣ ଶୁଭୁଛି ନା ନାହିଁ “? ହେଲେ ଦେଖିଲା ବେଳକୁ ମୁହଁଟା ପୁରା ଗୋଟା ମାଟି ହାଣ୍ଡି ପରିକା ଗୋଲ। ଆଖି, କାନ, ନାକ ନାହିଁ। ଖାଲି ପାଟିଟା ଟିକେ ପାକୁ ପାକୁ ଜଣା ପଡୁଥିଲା। ଭ୍ରୂଲତା ବି କାହିଁ ଦୃଷ୍ଟିରେ ଆସୁ ନଥିଲା। ସେ ହାଉଳି ଖାଇ ଉଠିଲେ – “ବୋଉଲୋ! “।ଛାନିଆରେ ପାଟି ଖନି ମାରି ଆସୁଥିଲା, ତେଣୁ ସାଇକେଲ, ଟର୍ଚ୍ଚ ଫର୍ଚ୍ଚ ସବୁ ଫିଙ୍ଗି ଦେଇ ବା ହାତରୁ ଖସେଇ ପକେଇ ଖାଲି ଏକ ମୁହାଁ ହୋଇ ଧାଇଁଲେ-ବାଟ ଘାଟ କିଛି ଦିଶୁ ନଥାଏ । ଏଣିକି ମନ ଭିତରେ ଡର ପଶି ଗଲାଣି କି କ’ଣ ବାଟ ସାରା ହାବୁଡି ହାବୁଡି ଦି /ତିନି କଚଡ଼ା ଖାଇଲେଣି। ପଡ଼ି ଉଠି, ଉଠି ପଡ଼ି ପୁଣି ଧାଉଁଥାନ୍ତି, ହେଲେ ପଛକୁ ଭୁଲରେ ଚାହୁଁ ନଥାନ୍ତି। ଖାଲି ଇଚ୍ଛା କେମିତି ଦୂରକୁ ଦୂରକୁ ଚାଲିଯିବେ।ଗୋଡ଼ ହାତ ସବୁ ଛିଡିଛାଡ଼ି ସେତେବେଳକୁ ରକ୍ତ ଲହୁଲୁହାଣ ହୋଇଗଲାଣି। ଏଥରକ ଏଇଠି ଗୋଟେ କ’ଣ ହାବୁଡ଼ି ପଡ଼ି କୁଣ୍ଢେଇ ପକେଇଲେ, ଦେଖିଲା ବେଳକୁ ମଣିଷଟେ, କିନ୍ତୁ ଭାରି ଡେଙ୍ଗା।


ସେ ତ ଦୌଡ଼ି ଦୌଡ଼ି ହାଲିଆ, ଖାଲି ଧଇଁସଇଁ ହେଉଥାନ୍ତି। ଲୋକଟିକୁ ଦେଖି ଆଶ୍ୱସନା- ମନରେ ଟିକେ ଆଶ୍ୱସ୍ତି ଭରୁଥିଲା। କହିଲେ – “ଟିକିଏ ଶୁଣିବ!”

ଲୋକଟି ହାତରେ ବାଡିଟିଏ ଥାଏ ଓ କାନ୍ଧରେ ମୋଟାଳିଆ ବଡ଼ କାଚ ଦିଆ ଫିତା ଲଗା ପ୍ଲାଷ୍ଟିକ ଟର୍ଚ୍ଚଟିଏ ଝୁଲୁଥାଏ। ଉଚ୍ଚାଳିଆ ଲୋକଟେ, ହୃଷ୍ଟପୃଷ୍ଟ ବି ଥାଏ। ମୁଣ୍ଡରେ ଟୋପିଟାଏ ।ମିଲିଟାରୀଆ ବା ପୋଲିସିଆ ଲୋକଟା ବୋଧେ , ନୋହିଲେ ରାତିରେ ପହନ୍ତରା ମାରିଲାବାଲା ନିଶ୍ଚୟ ହୋଇଥିବ।ହାତରେ ତ ହୁଇସିଲ୍ଟାଏ ବି ଥାଏ ।


ବର୍ଷା ପବନ ରାତି। ବିଜୁଳିଟେ ମାରି ଦେବାରୁ ଗଛପତ୍ର ଓ ରାସ୍ତାଘାଟ ଟିକିଏ ଚିକ୍ଚିକ୍ ହୋଇ ଦିଶିଲା। ହେଲେ ଛାନିଆରେ ଆଖି ଜଳକା ମାରି ନେଉଥାଏ। ଘଡ଼ଘଡ଼ି ଶବ୍ଦ ସହିତ ଛାତିରେ ବି ଘଡ଼ଘଡ଼ି ପଶି ଯାଉଥାଏ। ଏତିକି ବେଳକୁ ଘର ଚଟିଆଟେ ଚିଁ’କିନା ରାବି ଦେଇ ଉଡିଗଲା, ପେଚାଟିଏ ମଧ୍ଯ କେଉଁଠି ଥିଲା କେଜାଣି ହୁକା ଟାଣି ବୋବେଇ ଦେଲା। ପାଦମୁଣ୍ଡ ଶନିପାତ ହୋଇଯାଉଥାଏ। ଅଜଣା ଲୋକଟା ଆଡ଼ୁ ପ୍ରଶ୍ନଟିଏ ଆସିଲା – “କ’ ଣ ହେଲା… ” ? ଶିଶିର ସାର୍ କହିଲେ ଧଇଁସଇଁ ହୋଇ – “ହୋଉଛି.. କହିମିନା… ରାସ୍ତା କଡରେ.. ବୁଦା ମୂଳରେ…. ସ୍ତ୍ରୀ ଲୋକଟିଏ ବସିଥିଲା… ବସିଥିଲା.. ଖାଲି ଉଁ ଉଁ ହେଉଥିଲା.. ହେଲେ ନାକ, କାନ, ଆଖି ନାହିଁ.. ମୁହଁଟା ପୁରା ଗୋ.. ଲ..। ଲୋକଟା ନିଜ ମୁହଁକୁ ଲାଇଟଟା ବୋଧେ ପକେଇ କହିଲା -” ଦେଖିଲ! ମୋ ଭଳିଆ କି… “? ହଁ ତ ତା’.. ମୁହଁଟା ବି ପୁରା ଗୋଲ। ଆଖି, କାନ, ନାକ କିଛି ନାହିଁ।

ଶିଶିର ସାର୍ ଅବାକ୍ ହୋଇ ଖାଲି ଚିରାଡି ଛାଡିଛନ୍ତି – “ହେ…ହେ… ଏ.. !!!

ଶିଶିର ସାର୍ ସ୍ତ୍ରୀ ଲୋକଟିଏ ବସ୍ତି ଅଞ୍ଚଳ

Rate the content


Originality
Flow
Language
Cover design

Comments

Post

Some text some message..