Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Soumya Shubhadarshinee

Tragedy

2  

Soumya Shubhadarshinee

Tragedy

ଡଙ୍ଗା

ଡଙ୍ଗା

10 mins
4.0K


ଅଳିକ ଜୀବନର କିଛି ନଥାଏ ଭରଷା । ଥାଏ ଯଦି କିଛି ସେତକ କେବଳ ମିଛ ପ୍ରତିଶ୍ରୁତି ଆଉ ପ୍ରତୀକ୍ଷା !......

★★★★★★

---'' ତୁ ସବୁଦିନ ଚକଲେଟ୍ କାହିଁକି ଆଣୁଛୁ , ତୋ ମାମା ପାଟି କରୁନି ତୋତେ ?''

---'' ତୋ ପାଇଁ ପା' , ଆଣୁଛି ତୋତେ ଭଲ ଲାଗେ । ଆଉ ମା' କଥା ଛାଡ , ସେ ରାଗିପାରେନି । ''

---'' କାହିଁକି ? ମୋ ମାମା ତ' ଭାରି ରାଗି!''

---'' ଆରେ ତୁ ଚକଲେଟ୍ ଖା ଆଉ ମୋ ସହ ଖେଳ ବେକାର କଥା କାହିଁକି କରୁଛୁ କହିଲୁ ! ''

ସବୁଦିନ ସେ ଆସେ ଖରାବେଳେ ବଡ଼ ବଜାର ପାଖ ପଡିଆକୁ । ସେଇଠି କାଠ ଗୋଲା ଆଉ ଅଳ୍ପ ଦୂରରେ ହାଟ । ଦିନ ଯାକ ଲୋକ ହାଉ ଯାଉ କିନ୍ତୁ ଖରାବେଳେ ଶୁନ୍ ଶାନ୍।

ବ୍ଲକ ଅଫିସର କ୍ଵାଟର ସେଇ କାଠ ଗୋଲା ପାଖକୁ । ଲିକିି ରୁହେ ସେଇଠି ମମି, ପାପା, ବୁବୁ ନନା ଆଉ ଲଳିତା ଅପା ସହ। ସବୁ ଛୁଆ ସ୍କୁଲ ଯାଆନ୍ତି ବୁବୁ ନନା ବି, କିନ୍ତୁ ଲିକି ଯାଏନି । ଆରେ ତା'ର ଏଯାଏଁ ନାଁ ଲେଖା ହେଇନି ସେଥିପାଇଁ। ଜମା ଚାରି ବର୍ଷ ତାକୁ , ଏବେ କେବଳ ପ୍ଲେ' ସ୍କୁଲ । ସେ ଦିନ ଏଗାରଟାରେ ଆସି ଘରେ।

ପାପା ଅଫିସ ଆଉ ମାମା ତା ' ସ୍କୁଲ ପଳେଇ ଯାଆନ୍ତି । ଲଳିତା ଅପା ତାର ଘରେ ଦେଖାଶୁଣା କରେ । ପାନ ଖାଇ ପାଟି ନାଲି ବୁଢ଼ୀର , ଦେଖିଲେ ଡ଼ର ଲାଗେ

ଲିକିକୁ । ବୁଢ଼ୀ କିନ୍ତୁ ଭାରି ଜଣେ ମାମା ଗଲା ପରେ ଆରମ୍ଭ କରିଦିଏ ତା' ପାଲା । ହୁଁ ପାନ ଗୋଟେ ଖାଇ ସାଇଡ୍ ଘର ଜେଜୀ ସହ ଗପ ଯୋଡ଼େ । ସେଇଠି ଦୁଃଖ ସୁଖ ହେଉ ହେଉ ଲିକିକୁ ଭୁଲି ଯାଏ । ଆଉ ଲିକି ଏଇ ମୌକାରେ ମାରେ ଛୁ , ସିଧା ଯାଇ ପଡ଼ିଆରେ ।

ପାଖରେ ଇଲେକ୍ଟ୍ରି ଅଫିସ କମ୍ପାଉଣ୍ଡ ଭିତରେ କମଳା , ଆଉ କଇଁଆ ଗଛରୁ କିଛି କିଛି ହାତେଇବା , କାଠ ଗୋଲା ବୁଢା ଅଜାଙ୍କ ସହ ଗପ କରିବା , ହାଟ ଭିତରେ ବୁଲି ବୁଲି ରଙ୍ଗ ବେରଙ୍ଗ ଚୁଡି ଗୋଟେଇବା ( ଚୁଡି ବେପାରୀ ଭଙ୍ଗା ଚୁଡି ଗଦେଇ ଦେଇଥାଏ , ସେଥିରେ ବଢିଆ ଚୁଡି ହାର ଗୁଂଥେ ଲଳିତା ଅପା) , ବଡ଼ ବର ଗଛ ଓହଳରେ ଝୁଲିବା ଆଉ ବୁଲୁ ସାଙ୍ଗେ ଖେଳିବା ଏମିତି ସବୁ ବଡ଼ ବଡ଼ କାମରେ ବ୍ୟସ୍ତ ରୁହେ ଲିକି।

ସବୁଠୁ ମଜା ଲାଗେ କାଠ ଗୋଲା ଅଜା , ଯିଏ ତା' ଖଟ ତଳେ ପଖାଳ କଂସା ଆଉ ଆଳୁ ଭରତା ରଖିଥାଏ ଖାଇବ ବୋଲି । ଯଦି ସୁବିଧା ମିଳେ ବୁଲୁ ପୁରା କଂସା ଉଠେଇ ଆଣେ ଆଉ ସେ ଦୁହେଁ ହାତ ସାଫ କରି ଦିଅନ୍ତି । ଅଜା ଜାଣିଲେ ତା' ବାଙ୍କୁଲି ବାଡ଼ି ଧରି ଗୋଡ଼ାଏ , ସେ ଦୁହେଁ ଭାଗନ୍ତି ବଢିଆ ବାଗରେ । ଆରେ କୁଆଡେ ଯାଆନ୍ତି ନାହିଁ ମ, ଚୁପ କି ନୂଆ ତିଆରି କାଠ ଆଲମାରୀ ଭିତରେ ଲୁଚି ପଡ଼ନ୍ତି । ହଁ ସେ କାଠ ଗୋଲାରେ ବଡ଼ ବଡ଼ କାଠ ଆଉ ପ୍ଲାଇ ଲଗା ଆଲମାରୀ ତିଆରି ହୁଏ । ସେଇଠି ଲୁଚା ପୂରା ବଢିଆ ।

ଆଉ ଗୋଟେ ମଜା କାମ କରେ ବୁଲୁ , ଗୋଟେ ବଣି ଚଢେଇ ପୋଷିଛି ସେ ଯାହାକୁ ଧରିଆସେ ଲିକି ପାଇଁ। ବଣିର ଗୋଡ଼ରେ ରଶି ବନ୍ଧା ହେଇଥାଏ । ଲିକି ରଶି ଧରି ଉଡାଏ ବଣିକୁ । ସେ କିଜିର ମିଜିର ହୁଏ , ଫଡ ଫଡ ହୁଏ ହେଲେ ଉଡେନା କୁଆଡେ । ବୁଲୁ ସହ ଲିଲିର ପୂରା ଖରାବେଳେ ଏମିତି ବଡ଼ ମଜାରେ ବିତେ ।

*************

ବୁଲୁ କୁଆଡୁ ଆସେ , କେଉଁଠି ରୁହେ , କାହିଁକି ଆସେ , କୁଆଡେ ଯାଏ ଏମିତି ବେକାର କଥା ଲିଲି କେବେ ଭାବିନି । ଲିକି ବୁଲୁକୁ ତା' ଫ୍ରେଣ୍ଡ ବନେଇଛି । ବାସ୍ ସେତକହିଁ ବୁଲୁର ପରିଚୟ । ହଁ ଆଉ ଗୋଟେ ସିକ୍ରେଟ୍ ବି ଅଛି ସେଇଟା ବୁଲୁ ଆଉ ତା' ଭିତରେ । ସିକ୍ରେଟ୍ କଥା ହେଲା ବୁଲୁ ନିଜେ , ମାନେ ବୁଲୁ ଅଛି ବୋଲି କେହି ଜାଣିନି , ଓଃ ସେ କାହାକୁ କୁହେନି ଯେ ବୁଲୁ ତା' ସହ ଖେଳେ । ବୁଲୁ ନିଜେ ମନା କରିଛି । ବୁଲୁର ଗୋଟେ କଣ୍ଡିସନ୍ , ତା ସହ ଖେଳିବାର ଅଛି ଯଦି କାହାକୁ କହିବ ନାହିଁ ଲିକି ବୁଲୁ କଥା। କାହିଁକି ଏମିତି କହୁଛି ବୁଲୁ ଅନେକ ଥର ପଚାରେ ଲିକି ହେଲେ ସେ କିଛି କୁହେନି । କୁହେ ଗୋଟାଏ କଥା ,

" ସିକ୍ରେଟ୍ ଏଇଟା ପଚାରିଲେ ସେ ଆଉ ଆସିବିନି । ''

ବାସ ଆଉ କ'ଣ ଲିକି ତା' ବେଷ୍ଟ ଫ୍ରେଣ୍ଡକୁ ହରେଇବାକୁ ଚାହେଁନି ତେଣୁ ଆଉ ପଚାରେନି , ଖାଲି ଖେଳେ ଆଉ ମଜା କରେ । ବୁଲୁ ଅଛି ତା' ସହ ଏତକ ସଭିଙ୍କୁ କିଆଁ କହିବ , କିଛି ଦରକାରନାହିଁ । ଏଇୟା ଭାବି ମନକୁ ବୁଝେଇ ଦିଏ !

ଲିକି ଗୋଟେ କଥା କିନ୍ତୁ ଲୁଚେଇ ପାରେନି ସେଇଟା ହେଲା ବୁଲୁର ଚକଲେଟ୍ ।ମିଠା କମଳା ଚକଲେଟ୍ ତା' ପସନ୍ଦର ରୋଜ ଆଣେ ବୁଲୁ । ବେଳେ ବେଳେ ସେ ବହୁତ ଗୁଡିଏ ଆଣିଦିଏ ତ' ଲିକି ସେଗୁଡା ବୁବୁନନାକୁ ଦିଏ । ନନା ଯେବେ ପଚାରେ କୁଆଡୁ ଆଣିଲୁ ସେ ବୁଲୁର ଷ୍ଟାଇଲ୍ ରେ କୁହେ ,

'' ସିକ୍ରେଟ୍ ହେଲା ଖାଇବୁ ଯଦି ଖା' ନହେଲେ ଦେଇଦେ । ଏତେ କଥା ପଚାରିଲେ ଆଉ ମିଳିବନି । ''

ବୁବୁ ନନା ବି ବୁଦ୍ଧିଆଟେ ଚୁପ କି ଚକଲେଟ୍ ଧରି ପାର ହେଇଯାଏ ।

*************

ଆସିଲା ସହରକୁ ଗୋଟେ ସର୍କସ ବହୁତ ନାଁ କରା , ସଭିଏଁ କହୁଥିଲେ ରଶିଆନ୍ ପାର୍ଟି । ସବୁ କଣ୍ଢେଇ ଭଳିଆ ଝିଅ ଆଉ ପୁଅ , ଗୋରା ତକ ତକ ଆଉ ମୁଣ୍ଡରେ ସୁନା ପରି କେଶ । ସେମାନେ ସବୁ କୁଆଡେ ପବନରେ ଝୁଲା ଖେଳନ୍ତି ଆଉ ଉଡ଼ିବୁଲନ୍ତି ଚଢେଇ ହେଇ ଏ ଝୁଲାରୁ ସେ ଝୁଲା । ଆହୁରି ରଙ୍ଗ ବେରଙ୍ଗ ଜୋକର୍ , ନିଆଁ ଡିଆଁ ମଣିଷ , ଫୁଟବଲ ଖେଳା ହାତୀ , ଝିଅ ସହ ବାଘ, ନାଚୁଥିବା ଭାଲୁ , ଏମିତି ଅନେକ । ସାରା

ସହରରେ ଭାରି ଚର୍ଚ୍ଚା ।

ଲିକିବି ଶୁଣିଲା ଖବର ସର୍କସର ଆଉ ମନେ ମନେ ଭାବିଲା କେତେ କ'ଣ ! ସର୍କସ ଦେଖିବାର ଲୋଭ ତାକୁବି , ହେଲେ ପାପା କିନ୍ତୁ ନେଲେ ସିନା ଯିବ !

--'' ତୁ ଯିବୁ ସର୍କସ ଦେଖି ?''

--'' ହଁ ଯିବି ହେଲେ ପାପା ନେଉନାହାନ୍ତି ପା' ।

--" ଆରେ ତୋର ମୋର ଯିବା ହେଲା , ତୁ ମୋ ସାଙ୍ଗରେ ଯିବୁ ଟି ? "

-'' ସତ ତୁ ନବୁ , କିନ୍ତୁ ବହୁତ ପଇସା ଦରକାର ଟିକଟ

ପାଇଁ ?''

--'' ହେ ତୁ ଯିବୁ ବାସ ଏତେ କଥାରେ ମୁଣ୍ଡ ପୂରାନି ।''

--'' ହଁ ଯିବି ପକ୍କା ।"

--''ଆଛା ତୁ କାହାକୁ କିନ୍ତୁ କହିବୁନି , ବୁଲୁ ସହ ଯିବୁ ବୋଲି , ଏଇଟାବି ସିକ୍ରେଟ୍ !"

ହସିଦେଲା ଲିକି ଆଉ ଚୁପି ଚୁପି କହିଲା , '' ହୁଁ ସିକ୍ରେଟ୍ !''

*************

ସବୁଦିନ ସେଇ ସର୍କସ ପାଖ ପଡ଼ିଆରେ ନାଚନ୍ତି ଲିକି ଆଉ ବୁଲୁ । କେଡେ ବଢିଆ ଗୀତ ସେଠି ବାପରେ । ଆଉ ସର୍କସ ଦେଖାର ପ୍ଲାନ କରନ୍ତି । ବୁଲୁ ଯେ ନିଶ୍ଚିତ ନେଇକି ଯିବ ଲିକି ପୂରା ବିଶ୍ୱାସରେ ରୁହେ ।

ସେଦିନ ବୁଲୁ କହିଲା ''ଚାଲ ଆଜି ଯିବା ହେଲେ ତୁ ଗୋଟେ ଭଲ ଡ୍ରେସ୍ ପିନ୍ଧି ଆସ , ଏଇଟା ଭଲ ଲାଗୁନି ।''

ତୀର ବେଗରେ ଧାଇଁ ଗଲା ଲିକି ଘରକୁ ଆଉ ବଢିଆ ଥାକ ଥାକିଆ ଗୋଲାପୀ ଡ୍ରେସ୍ ଗୋଟେ ପିନ୍ଧି ଆସିଲା। ଏକଦମ ଦଉଡି ଦଉଡି ହାଲିଆ ହେଇ ପହଞ୍ଚି ଗଲା ବୁଲୁ ପାଖେ । ମୁହଁରେ ହସ ମାଖୀ ବୁଲୁ ଜଣେଇଲା ,

'' ବଢିଆ ବଢିଆ !''

ଗଲେ ଦୁଇଜଣ କିନ୍ତୁ ସମ୍ନା ଗେଟ ଦେଇ ନୁହେଁ , ବିରାଟ ତମ୍ଭୁ ଘେରା ସର୍କସ ପଡିଆର ଗୋଟେ କଣରେ ଗଳିକି ,ଚୁପ ଚାପ । ଲିକି ଡ଼ରିଲା , ''ଇସ୍ ଏମିତି ଲୁଚିକି ଯିବା ?''

ବୁଲୁ ଚୁପ ଚୁପ କହିଲା ଇଶାରାରେ ଆଉ ତା ପଛେ ପଛେ ଆସିବାକୁ ଜଣେଇ ଚାଲିଲା । ଲିକି ତ ଆସିସରିଛି ଆଉ କ'ଣ କରିବ । ଚୁପ ଚାପ ଚାଲିଲା , ମନେ ମନେ କିନ୍ତୁ ପାପା ଆଉ ମାମା କଥା ଭାବୁଥିଲା । ଯଦି ଜାଣିବେ ତେବେ ରକ୍ଷା ନାହିଁ !.....

ପହଞ୍ଚି ଗଲେ ଦୁହେଁ ବାଘ , ଭାଲୁ ଥିବା ପିଞ୍ଜରା ପାଖରେ । ଇସ୍ କେଡେ ବଡ଼ ବାଘ , ବାପରେ ! ଲିକି ଡରିଗଲା , ହେଣ୍ଟାଳ ଶୁଣି । ଭାଲୁ ଥିଲେ ଛଅଟା, ବଡ଼ ଛୋଟ ମିଶି । ଦୁଇଟା ହାତୀ ଏମିତି ଖୋଲାରେ ବନ୍ଧା ହେଇଥିଲେ ଯେମିତି ତାଙ୍କ ଅଜା ଘର ଗାଈ ବନ୍ଧାହୁଅନ୍ତି । ଛୋଟ ଛୋଟ ଚଢେଇ , ମୟୁର, ଶୁଆ , ଏମିତି ଜାତି ଜାତିକା ଚଢେଇ ବି ଥିଲେ ପିଞ୍ଜରା ଭିତରେ । ସେସବୁ ଦେଖି ଲିକି ପୂରା ଖୁସ । ବୁଲୁର ହାତ ଧରି ଧୁମ୍ ବୁଲିଲା ଆଉ ପଶୁ ପକ୍ଷୀ ଦେଖି ଦେଖି ଗପ ଯୋଡ଼ିଲା ।

ଏତିକି ବେଳେ କିନ୍ତୁ ହେଲା ଦୁର୍ଘଟଣା । ଗୋଟେ ନିଶୁଆ, ମୋଟା , କାଳିଆ ଲୋକଟେ ତାଙ୍କୁ ଦେଖିକି ଘାଗଡା ସ୍ୱରରେ ଚିଲ୍ଲେଇଲା ,'' ଆରେ କିଏ ତମେ ଦିଇଟା ? ଭିତରକୁ କେମିତି ଆସିଲ ?''

ତା' ଚିଲ୍ଲା ଶୁଣି ଡରିଗଲା ଲିକି ଆଉ ବୁଲୁ ହାତକୁ ଜାବୁଡି ଧରିଲା । ବୁଲୁ କିନ୍ତୁ କିଛି କଥା ବାର୍ତ୍ତା ନକରି ଦୌଡ଼ିଲା ଜୋରରେ ଲିକି ହାତ ଧରି । ଦୁହେଁ ଧାଇଁଲେ ସେଇ ଗଳା ରାସ୍ତା ଆଡ଼କୁ । ଲୋକଟାବି ତାଙ୍କ ପଛରେ ଗୋଡେଇଲା ଶେଷ ଯାଏଁ । ଯାହା ହେଉ ଦୁହେଁ ସେଇଠି ପହଞ୍ଚି ଗଲେ ଆଉ ବହାରିକି ପଳେଇଲେ ।

ଧଇଁ ସଇଁ ହେଇଗଲା ଲିକି ବିଲକୁଲ ! କି ଦୌଡା ବାବାରେ , ଅଲମ୍ପିକରେ ବି ଧୀର ଦଉଡୁଥିବେ । ଜୀବନ ବିକଳରେ , ବାଟ ଘାଟ ଭୁଲି , ଏକମୁହାଁ ଓଃ !

କାନ୍ଦି ପକେଇଲା ଲିକି ଆଉ ଦେଲା ବୁଲୁକୁ ଗୋଟେ ବିଧା ।

--'' ତୁ ଏମିତି ଦେଖେଇବୁ ସର୍କସ ହାଁ ?''

---'' ଆରେ ନା' ସେ ଲୋକକୁ ଦେଖି ଡରି ଗଲି ମୁଁ , ସେଥିପାଇଁ ଏମିତି ଦଉଡ଼ିଲି ପା' ସତ ଆଖି ଛୁଉଁଚି । "

--'' ମିଛୁଆ , ଆମେ ଟିକେଟ ନକରି ଚୋର ଭଳିଆ ଗଲେ ବୋଲି ଏମିତି ହେଲା , ମୁଁ ଭଲକି ଜାଣେ !''

ସକେଇ ସକେଇ କାନ୍ଦିଲା ଲିକି । ରାଗିକି ଲାଲ ହେଇ ଯାଇଥିଲା ତା' ମୁହଁ । ଆଉ ଖେଳ ନାହିଁ ବୁଲୁ ସହ , ବଦମାସ ପିଲାଟା , ମନେ ମନେ ଭାବିଲା । ବୁଲୁ କିନ୍ତୁ କିଛି କହୁ ନଥାଏ । ଚୁପ ଚାପ ଦେଖୁଥାଏ ସର୍କସର ସେ ତମ୍ବୁ ଆଉ ସଜା ହେଇଥିବା ଲାଇଟ । ଦୋଳି ବି ଥିଲା ବିରାଟ ଚକ୍ରି ଦୋଳି ।

ଟିକେ କାନ୍ଦୁରା ସ୍ୱରରେ କହିଲା , '' ତୁ ରାଗନି ଆମେ ଯିବା ଟିକେଟ କରି , ମୁଁ ନେବି ତୋତେ ଶୀଘ୍ର ।''

--" ସତରେ , ପ୍ରମିସ୍ କର ।"

--'' ହୁଁ ପ୍ରମିସ୍ !".............

***********

ଛୋଟ ହେଉ କି ବଡ଼ ପୁଅଟେ କଥା ଦେଲେ ନିଭାଏ ଏତକ ଥୟ ।

ପଇସା କୁଆଡୁ ଆସିବ ଏତେ , ହଁ ପୂରା ଶହେଟଙ୍କା , ଗୋଟେ ଟିକଟର ଦାମ । ବୁଲୁ ତା' ଘଡି ଭାଙ୍ଗିଲା , ଷାଠିଏ ଟଙ୍କା ଥିଲା ସେଥିରେ । ବୋଉର ଟଙ୍କା ଲୁଚା ଠଣା ଦରାଣ୍ଡିଲା , ଜମା ତିରିଶ ଟଙ୍କା ସେଥିରେ । ହଁ ବୋଉର ସବୁ ଘର ଖର୍ଚ୍ଚରେ ସାରିଯାଉଛି ଆଉ କୁଆଡୁ ଆସିବ ।

ବୁଲୁ କୁହେନି କେବେ ସେ ସିକ୍ରେଟ୍ କାହିଁକି । ଲିକି ସଭିଙ୍କୁ ତା' କଥା କହିବ ନାହିଁ କାହିଁକି । କାରଣ ସଭିଏଁ ଜାଣିଲେ ଲିକି ଆଉ ସାଙ୍ଗ ହେବନି । ବ୍ଲକ ଅଫିସ ଅଫିସର ଝିଅ କି ଭିକାରୀ ପିଲା ସହ ସାଙ୍ଗ ହୁଏ ?.......

ବଡ଼ ବଜାର ବସ୍ ଷ୍ଟାଣ୍ଡରେ ବୋଉ ସହ ଭିକ ମାଗେ ବୁଲୁ । ଅନ୍ଧୁଣୀ ବୋଉକୁ କିଛି ଦିଶେନି , ତା' ହାତ ଧରି ବୁଲି ବୁଲି ଭିକ ମାଗେ ସେ । କେତେ ଆଉ ମିଳେ , ତଥାପି ଯେଉଁଦିନ ସାଇ ମନ୍ଦିରରେ କାଙ୍ଗାଳୀ ଭୋଜ ହୁଏ , କି ଶିବ ମନ୍ଦିରରେ ବାହା ବ୍ରତ , ନହେଲେ ନେତା ଗୋତାଙ୍କ ମାଗଣା ଭୋଜନ ସେଦିନ ପଇସା ସଞ୍ଚୟ ହେଇଯାଏ । ଆହାର କେନ୍ଦ୍ରରେ ପାଞ୍ଚ ଟଙ୍କିଆ ଡାଲମା ଭାତ ଖିଆ ରୋଜ ହୁଏ । ହେଲେ ବେଳେ ବେଳେ ଅଣ୍ଡା କି କୁକୁଡ଼ା ଝୋଳ ଟିକେ ପାଇଁ ମନ ହାଇଁ ପାଇଁ ହେଲେ ସରିଯାଏ ପଇସା। ଦୁଃଖି ଲୋକ ଗୁଡା ଏମିତି ଢୋକେ ପିଇ ଦଣ୍ଡେ ଜୀଅନ୍ତି ।। ହେଲେ ଘାସ ଗୁଡା ମରନ୍ତି ନାହିଁ କେବେ ଶୁଖି ଶୁଖି ବଞ୍ଚି ରୁହନ୍ତି ।

ଲିକି ସହ ଭେଟ ପରେ ଭାରି ଖୁସି ହେଇଗଲା ବୁଲୁ । କେଡେ ସୁନ୍ଦର ଗୁଲୁ ଗୁଲିଆ ଟିକି ଝିଅଟି , କେଡେ ମିଠା କଥା , ଖିଲି ଖିଲି ହସ , ଆଉ ସବୁଠୁ ବଢିଆ ତା କୁନି କୁନି ହାତରେ ବୁଲୁ ଦେଇଥିବା କମଳା ଚକଲେଟ୍ । ବୁଲୁକୁ ଭଲ ଲାଗେ , ବହୁତ ଖୁସି ଲାଗେ , ଲିକି ସହଖେଳ କୁଦ , ହସଖୁସି , ରାଗରୁଷା ସବୁକିଛି ।

ସେ ସର୍କସ ଦେଖିଲେ କେତେ ଖୁସି ହେବ ସତେ !

ଜୋକର୍ ତାକୁ ହସେଇ ହସେଇ ବେଦମ କରିଦେବ । ହାତୀ ଖେଳ ଦେଖି ଖୁସିରେ ତାଳି ମାରିବ ସେ । ଚକ୍ରି ଦୋଳିରେ ବସି ହସିବ ଆଉ ଚିଲ୍ଲେଇବ ଆହା..........., ନାଇଁ ନାଇଁ , ହୋ ହୋ ....

**************

ଭଲ ଦିନ ଆଜି କାର୍ତ୍ତିକ ପୁନେଇ । ସାରା ଦିନ ମନ୍ଦିର ସବୁ ମାଗଣା ଖାଇବା ଦେବେ । ଲୋକ ପୂଣ୍ୟ କରିବେ , ପୂଜା ପାଠ , ଦାନ ଧର୍ମ ହବ ଆଉ ବୁଲୁର ରୋଜଗାର । ଏ ପୂଣ୍ୟ ଜିନିଷ ଟା ବୁଲୁ ବୁଝେନି , କେବଳ ଏତିକି ଜାଣେ ବଡ଼ବଡ଼ିଆ ଲୋକ ସବୁ କରନ୍ତି । ବୋଉ କୁହେ ସେମାନେ ବଡ଼ ପାପୀ ସେଥିପାଇଁ ପୂଣ୍ୟ ଲୋଡ଼ନ୍ତି । ଗରିବୀ ଗୁଡା ପାପ କେବେ ଆଉ କରିବେ ପେଟ କଥା ବୁଝୁ ବୁଝୁ ଜୀବନ ସାରି ଯାଏ ! ...

ଆଜି କିନ୍ତୁ ମଉକା ଅଛି ବହୁତ ପଇସା

ଯୋଗାଡିବାର । ବୋଉକୁ ବସେଇ ଦେବ ମନ୍ଦିର ବାହାରେ ଆଉ ସେ ଯିବ ଗୋଟେ ସିକ୍ରେଟ୍ କାମରେ । ସେଇଟା ବହୁତ ପଇସା ମିଳିବାର ବଢିଆ ଉପାୟ । ସବୁ ବର୍ଷ ଚନ୍ଦୁ ଭାଇ ଆଉ ତା' ସାଙ୍ଗ ସବୁ ଯାଆନ୍ତି । ବୋଉ ଡ଼ରେ ବୋଲି ସେ ଯାଏନି । କୁହେ ବିପଦ ଅଛି , କିନ୍ତୁ ଲିକି ପାଇଁ ଥରେ ଏମିତି ବିପଦକୁ ଯିବାକୁହିଁ ହେବ । ସର୍କସ ଆଉ ଦୋଳି ଖେଳ ପାଇଁ ପଇସା ଦରକାର ଯେ !.......

ହଜାର ହଜାର ଡଙ୍ଗା ନଈ ପାଣିରେ । ଫୁଲ , ଭୋଗ , ଦୀପ , ପାନ ଗୁଆ , ଆଉ ପଇସା ସଜା ଡଙ୍ଗାଟି ମାନ ।

'' ଆ ,କା , ମା ବୈ .......

ଗୀତ ଭିତରେ ଭସେଇ ଦିଅନ୍ତି ପାପୀ ମାନେ । କୁଆଡେ ନଈରେ ଭସେଇ ପୂଣ୍ୟ ଫଳ ମିଳେ । ବୁଲୁ କେବେ ଭସେଇନି , ଟଙ୍କାକୁ

ପାଣିରେ । କେଡେ କଷ୍ଟରେ ମିଳେ ସେହିଁ ବୁଝେ , କେମିତି ପାଣିକୁ ଫିଙ୍ଗିବ ?......

ହେଲେ ସେଇ ଡଙ୍ଗା ଭିତରୁ ଆଜି ଟଙ୍କା ଛାଣିବ ସେ । ପାଣିରେ ପଶି ଭାସମାନ ଡ଼ଙ୍ଗା ଭିତରୁ ଟଙ୍କା ଗୋଟେଇ ଆଣି ଜମେଇବ । ସର୍କସର ପୁରା ବନ୍ଦୋବସ୍ତ ହେଇଯିବ।

ଡଙ୍ଗା ପଛରେ ପାଣିରେ ଗୋଡେଇବାକୁ ପଡୁଛି ବୁଲୁକୁ । ସିଏ କ'ଣ ଏକା କି , ଆହୁରି ପୁଳେ ବୁଲୁ ବି ଅଛନ୍ତି । ନ ଜଗିଲେ ଆଉ କିଏ ଝାମ୍ପି ନେବ । ସେଇ ଦଉଡା ଧାପଡା , ଠେଲା ପେଲା , ଆଉ ପାଣି ଗଭୀର ।

************

ଲିକି ମମିକୁ କହି ତା କମଳା ରଙ୍ଗ ମସ୍ତାନୀ ଡ୍ରେସଟା ବାହାର କରିଦେଇଛି ଆଲମାରୀ ଭିତରୁ । ମମି ପଚାରିଲା '' କୁଆଡେ ଯିବୁ କି ?''

ଲିକି ହସିଲା ଆଉ କହିଲା , '' ନାଁ ମମି ଆମେ କୁଇନ୍ କୁଇନ୍ ଖେଳିବୁ , ଆଉ ମୁଁ ଏଇଟା ପିନ୍ଧି କୁଇନ୍ ହେବିତ ସେଥିପାଇଁ ।"

ବଡ଼ ବାଗରେ ବୁଝେଇ ଦେଲା ମମିକୁ ଆଉ ସିକ୍ରେଟ୍ ରଖିଲା ସର୍କସ । ଆଜି ବୁଲୁ ଯିବାକୁ କହିଛି , ଦେଖିବେ ସେମାନେ ଟିକେଟ କାଟି ।

ଠିକ ଚାରିଟା ବେଳକୁ ବାହାରି ଗଲା ଲିକି କୁଇନ୍ ହେଇକି । ଦୌଡ଼ି ଗଲା ସର୍କସ ପଡିଆ ପାଖକୁ । ପହଞ୍ଚି କି ଖୋଜିଲା ବୁଲୁକୁ ସବୁଆଡେ । ହେଲେ ଦିଶିଲାନି ବୁଲୁ କେଉଁଠି । ଭାବିଲା ଅସୁଥିବ ଟିକେ ରୁହେ ଅପେକ୍ଷାରେ।

ମାଳ ମାଳ ପିଲା ସବୁ ମମି ପାପାଙ୍କ ସହ ଆସି ଟିକେଟ କାଟି ସର୍କସ ଯାଉଥିବାର ଦେଖିଲା ଲିକି । ସର୍କସ ଠିକ ସାଢ଼େ ଚାରିଟାରେ ହବ ବୋଲି ବୁଝିଲା । ମନ ତା'ର ବ୍ୟସ୍ତ ହେଲା ଖୁବ୍ । ବୁଲୁ କିନ୍ତୁ ଆସିଲା ନାହିଁ। ସେଇଠି ସଞ୍ଜ ହେଲା ଆଉ ଲିକି ଫେରିଲା ଉଦାସ ।

ତା ପର ଦିନ ବି ଗଲା ଲିକି ସର୍କସ ପଡିଆ , କାଳେ ଆସିବ ବୁଲୁ ସେଇକଥା ଭାବି । ସବୁଠି ଖୋଜିଲା , ବଡ଼ ପାଟିରେ ବୁଲୁ , ବୁଲୁ ଡାକିଲା । କିନ୍ତୁ କେହି ଉତ୍ତର ଦେଲେନି। କମଳା ଚକଲେଟ୍ ଠିକ ଥିଲା , ବୁଲୁ ଦେଇ ପାରୁଥିଲା କିନ୍ତୁ ସର୍କସ ପାଇଁ ବୋଧେ ବେଶି ପଇସା ଦରକାର , ସେଇଥିପାଇଁ ସେ ଆସୁନି । ଭାବିଲା ଲିକି ମନେ ମନେ । --'' ମୁଁ ଦେଖିବିନି କେବେ ସର୍କସ ବୁଲୁ । ମୋର ତୁ ଦରକାର , ମୋ ଫ୍ରେଣ୍ଡ । ତୁ ଆସିଯା ପ୍ଲିଜ !''

କାନ୍ଦି କାନ୍ଦି କହିଲା ଲିକି ଚିଲ୍ଲେଇକି । କିନ୍ତୁ ସ୍ୱର ତା'ର ପବନରେ ମିଶିଗଲା ।

ବୁଲୁ କେଉଁଠି ରୁହେ ଜାଣି ଥାନ୍ତା ଭଲା ସେ ଯାଇ ଖୋଜି ନିଅନ୍ତା । କୁହନ୍ତା ଆସ ଖେଳିବା , ତୁ ମୋ ଘୋଡା ହବୁ , ହାତୀ ହବୁ , ଜୋକର୍ ହବୁ ପୂରା ସର୍କସ ହବୁ । ମୋର ଆଉ କିଛି ଲୋଡ଼ା ନାହିଁ । ଦେ ମୋ ଚକଲେଟ୍ , ଆ ମୋ ସହ ଖେଳ !!........

ହେଲେ ସେ ସିକ୍ରେଟ୍ , କେମିତି ଖୋଜିବ ଲିକି ବୁଝିପାରୁନଥିଲା । ଖାଲି କାନ୍ଦିଲା ଆଉ କାନ୍ଦିଲା କିନ୍ତୁ ବୁଲୁ ନଥିଲା କେଉଁଠି ।

ରବିବାର ଦିନ ମମି ସର୍କସ ଦେଖିବାକୁ ଯିବାକୁ କହିଲା । ବୁବୁ ନନା ଖିସିରେ କୁଦା ମାରି ନାଚିଲା କିନ୍ତୁ ଲିକି ଯିବନି କହି ଚୁପ ଚାପ ଶୋଇପଡ଼ିଲା । ଯିବ ଯଦି କେବଳ ବୁଲୁ ସହ ନହେଲେ ନାହିଁ । ବୁଲୁ ପ୍ରମିସ୍ କରିଛି ଯେ !.......

***************

ଡଙ୍ଗାରୁ ପଇସା ଗୋଟେଇବାକୁ ଯାଇ ପିଲାଟେ ପାଣିରେ ବୁଡି ଯିବାର ଖବର ପଢି ପାରୁ ନଥିଲା ଲିକି । ସେ ଛୋଟଟେ ପା ' ଜମା ଚାରି ବର୍ଷ !........

ସୌମ୍ୟା


Rate this content
Log in

Similar oriya story from Tragedy