Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପଥର ମହକ
ପଥର ମହକ
★★★★★

© T.Durga Prasad Rao

Inspirational Others

4 Minutes   14.3K    22


Content Ranking

ସ୍ମିତାର କର୍ଣ୍ଣଗୁହରରେ ରହି ରହି ମାମୁଁଙ୍କର ସେଇ ଗୋଟିଏ କଥା ପ୍ରତିଧ୍ଵନିତ ହେଉଥିଲା “ଲକ୍ଷ୍ୟ ଅନେକ, ପଥ କିନ୍ତୁ ଏକ”।

ସାଧାରଣ ଭାବରେ ସମସ୍ତଙ୍କ ମୁଖରୁ ଯେଉଁ କଥା ବାହାରେ ତାହା ଅଟେ “ଲକ୍ଷ୍ୟ ଏକ, ପଥ ଅନେକ”। ମାମୁଁଙ୍କର କଥା ଥିଲା ଠିକ୍ ତାର ବ୍ୟତିକ୍ରମ। ପ୍ରଥମେ ପ୍ରଥମେ କିଛି ବୁଝି ପାରୁ ନ ଥିଲା ସ୍ମିତା। କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଜୀବନ ଧାରଣ ସହ କିଛି ସାମାଜିକ ପ୍ରତିଷ୍ଠା ପାଇଁ ସଂଘର୍ଷ କରୁ କରୁ ସ୍ମିତା ବୁଝି ସାରିଥିଲା ମାମୁଁଙ୍କ କଥାର ପ୍ରାସଙ୍ଗିକତା ଓ ତତ୍ ନିହିତ ସାରାର୍ଥ। ମାମୁଁ ଆଉ ଏ ଇହ ଧାମରେ ନ ଥିଲେ। କିନ୍ତୁ ପ୍ରତି ପଦକ୍ଷେପରେ ତାଙ୍କର ସେ ବାକ୍ୟଟି ବେଦ ମନ୍ତ୍ର ପରି ଝଙ୍କୃତ ହେଉଥିଲା ତାର କର୍ଣ୍ଣ ପଟ୍ଟରେ।

ସ୍ମିତା ଗୋଟିଏ ଆଡ୍ କମ୍ପାନୀରେ ସି.ଇ.ଓ.। କମ୍ପାନୀ ତରଫରୁ ତାକୁ ମିଳିଛି ଥ୍ରୀ ବି.ଏଚ୍.କେ ଫ୍ଳାଟ୍। ଯାତାୟତର ସୁବିଧା ପାଇଁ ଏକ ଦାମୀ କାର୍। ମୋଟା ଦରମା ସାଙ୍ଗକୁ ସେ ପାଏ ଢ଼େର ପ୍ରକାର ଆଲାନ୍ସ୍। ତେବେ ଏସବୁ ଏତେ ସହଜ ଲବ୍ଧ ନୁହେଁ। ଅନେକ ଘାତ ପ୍ରତିଘାତ ଓ କଠିନ ସଂଘର୍ଷର ଫଳସ୍ଵରୂପ ସେ ପହଞ୍ଚି ପାରିଛି ସେଇ ସ୍ଥାନରେ। ସ୍ମିତା ଜାଣେ ଯେ ସବୁ ଜିନିଷର ଗୋଟିଏ ସମୟ ସୀମା ଥାଏ। ଆଜି ସେ ଯେଉଁ ଜାଗାରେ ଅଛି କାଲିକି ଆଉ କିଏ ଥିବ। ଜୀବନରେ ସଂଘର୍ଷର ଅନ୍ତ ନାହିଁ। ସଂଘର୍ଷ ଯେ ମୃତ୍ୟୁ ଯାଏଁ ଜାରି ରହିବ ସେ କଥା ସ୍ମିତା ଭଲ ଭାବରେ ଜାଣେ।

ସ୍ମିତା ଏଇ କମ୍ପାନୀରେ ପ୍ରଥମେ ଏକ ଗ୍ରାଫିକ୍ ଡିଜାଇନର୍ ଭାବରେ ଯୋଗ ଦେଇଥିଲା। କେବଳ କର୍ମ କରି ଚାଲିଲେ ଫଳ ଯେ ଆପେ ଆପେ ହାତରେ ଆସି ଧରା ଦେବ, ଏଇ କଥାଟା ତା ପାଇଁ ପ୍ରଥମ କିଛି ବର୍ଷ ଭୁଲ୍ ପ୍ରମାଣିତ ହେଲା। ସ୍ମିତା ଦେଖିବାକୁ ଠିକ୍ ଠାକ୍। ଗୌର ତ୍ୱକ୍, ସୁନ୍ଦର ମୁହଁ, ଚେହେରା ଡଉଲଡାଉଲ୍। ତା ସହିତ ତାର ଆଚାର ବ୍ୟବହାର ବି ଖୁବ୍ ଆକୃଷ୍ଟ କରେ ଅନ୍ୟମାନଙ୍କୁ। କାମ ଅପେକ୍ଷା ତାର ସିନିୟର ଓ ଉପରିସ୍ଥ ଅଫିସରମାନେ ସ୍ମିତା ଠାରୁ କିଛି ଅଧିକା ଚାହୁଁଥିଲେ। ସ୍ମିତା ବୁଝିପାରୁଥିଲା ସେମାନଙ୍କର କଥାବାର୍ତ୍ତା, ପ୍ରତି କ୍ଷେତ୍ରରେ ତାଙ୍କର ଇସାରା ଇଙ୍ଗିତ। ତେବେ ସ୍ମିତା ଥିଲା ସମସ୍ତଙ୍କ ଠାରୁ ଅଲଗା। ପଦ ମର୍ଯ୍ୟାଦାର ଲୋଭ ତା ପାଖରେ କେବେ ବି ନ ଥିଲା। ସେ ଏତିକି ବୁଝୁଥିଲା ଯେ ସେ ଜଣେ କର୍ମୀ। ତା’ ଦ୍ୱାରା ଯାହା ସମ୍ଭବ ସେ କରିଚାଲିବ କୌଣସି ପ୍ରକାର ଲୋଭର ବଶବର୍ତ୍ତୀ ନ ହୋଇ। ତା ସହିତ ଯୋଗ ଦେଇଥିବା ଝିଅମାନେ କିନ୍ତୁ ଖୁବ୍ ଶୀଘ୍ର ତାକୁ ପାର ହୋଇ ଉଚ୍ଚ ଉଚ୍ଚ ଆସନ ଅଳଙ୍କୃତ କରି ସାରିଥିଲେ। କାରଣ ସେମାନେ ସିନିୟରମାନଙ୍କ ଇସାରା ଇଙ୍ଗିତରେ କାମ କରୁଥିଲେ, ତାହା ଯେତେ ଅନୁଚିତ ହେଲେ ମଧ୍ୟ।

ଏଇ ଯେମିତି ସେଦିନ ରାକେଶ ସାର୍ ତାକୁ ଓ ନିତୁକୁ ଦେଇଥିଲେ ଗୋଟିଏ ପାନୀୟର ଆଡ୍ ପାଇଁ ବ୍ଳୁ ପ୍ରିଣ୍ଟ୍ ଅଲଗା ଅଲଗା ପ୍ରସ୍ତୁତ କରିବା ଲାଗି। ତିନି ଦିନ ଲଗାତାର ରାତିଦିନ ପରିଶ୍ରମ କରି ସେ କମ୍ପ୍ୟୁଟରରେ ସଜାଡ଼ିଲା ତାର ବ୍ଳୁ ପ୍ରିଣ୍ଟ୍। ଏମିତି ହୁଏ। କୌଣସି ଗୋଟେ କାମ ହାତକୁ ଆସିଲେ ତାହା ଶେଷ ନ ହେବା ଯାଏଁ ସ୍ମିତାର ନିଦ ହୁଏ ନାହିଁ। ଯେତେ ଶୀଘ୍ର ଶେଷ ହେଲେ ସେତିକି ସେ ସହଜ ହୋଇପାରିବ, ଟେନ୍.ସନ୍ ଫ୍ରି ହୋଇପାରିବ। ହେଲେ ସେ ବ୍ଳୁ ପ୍ରିଣ୍ଟ୍ ରାକେଶ ସାର୍.ଙ୍କ ଟେବୁଲ୍ ଉପରେ ସେମିତି ପଡ଼ି ରହିଲା। କାରଣ ସେ ପ୍ରତ୍ୟାଖ୍ୟାନ କରିଥିଲା ତାଙ୍କ ସହିତ ଗୋଟିଏ ନାଇଟ୍ ପାର୍ଟିରେ ଯୋଗଦେବାର ଅନୁରୋଧ। ନିତୁ ତାର ବ୍ଳୁ ପ୍ରିଣ୍ଟ ଡେରିରେ ପ୍ରସ୍ତୁତ କଲା ତା ବି ଅତି ନିମ୍ନ ମାନର। ଆଉ ଯେତେବେଳେ ବ୍ଳୁ ପ୍ରିଣ୍ଟ୍ ଆପ୍ରୁଭ୍ ହେବାର ପାଳି ଆସିଲା, ସ୍ମିତା ଆକାଶରୁ ଖସି ପଡ଼ିଲା। ରାକେଶ୍ ସାର୍ କହିଲେ ଯେ ସେ କେବଳ ଗୋଟିଏ ହିଁ ବ୍ଳୁ ପ୍ରିଣ୍ଟ୍ ପାଇଛନ୍ତି ନିତୁ ଠାରୁ ଏବଂ ତାକୁ ହିଁ ଆପ୍ରୁଭ୍ କରିଛନ୍ତି। ପରେ ସ୍ମିତା ମିତାଲି ଠାରୁ ଜାଣିପାରିଲା ଯେ ନିତୁକୁ ସେ ଦୁଇଦିନ ତଳେ ରାକେଶ୍ ସାର୍.ଙ୍କ ସହିତ ହୋଟେଲ୍ ମୋନାର୍କରେ ଦେଖିଛି।

ଏମିତି ଅନେକ ଘଟଣା ସ୍ମିତାର ଦେହଘଷା ହୋଇଯାଇଛି। ଅନେକ ଶିଖିଛି ସ୍ମିତା ଏଇ ସବୁ ଛୋଟ ବଡ଼ ଅନୁଭୁତିରୁ। ଏଗୁଡ଼ିକୁ ସେ କେବେ ବି ତାର ବିଫଳତା ବୋଲି ମନେ କରିନାହିଁ କିମ୍ବା ତାକୁ ନେଇ ଦୁଃଖରେ ମ୍ରିୟମାଣ ହୋଇନାହିଁ। ହଁ ମନ ଅବଶ୍ୟ କିଛି କ୍ଷଣ ପାଇଁ ବିଷାଦଗ୍ରସ୍ତ ହୋଇଯାଏ। ହେଲେ ସେ ପଦୋନ୍ନତି ପାଇଁ ଅନୁଚିତ୍ ମାର୍ଗକୁ କେବେ ବି ଶିଡ଼ି କରିନାହିଁ। ସ୍ମିତା ଏସବୁକୁ ମୋଟେ ପସନ୍ଦ କରୁନଥିଲା, ପ୍ରଶ୍ରୟ ବି ଦେଉନଥିଲା। ଫଳସ୍ୱରୂପ ସ୍ମିତା ଯେଉଁଠୁ ଆରମ୍ଭ କରିଥିଲା ସେଇଠି ହିଁ ରହିଗଲା ଅନେକ ବର୍ଷ।

ମଣିଷକୁ ଏ ପୃଥିବୀ ପୃଷ୍ଠରେ ବଞ୍ଚି ରହିବା ପାଇଁ ଅନେକ ଉପାଦାନର ଆବଶ୍ୟକତା ରହିଥାଏ। ନିତି ଦିନିଆ ଆବଶ୍ୟକ ସାମଗ୍ରୀ ଠାରୁ ଆରମ୍ଭ କରି ସମ୍ମାନର ସହ ବଞ୍ଚିବା ପାଇଁ ଆବଶ୍ୟକତା ହୋଇଥାଏ କିଛି ସମ୍ମାନଜନକ ପଦବୀ, ପ୍ରତିଷ୍ଠା, ପ୍ରତିପତି। ତେବେ ତାକୁ ହିଁ ସର୍ବସ୍ୱ ଭାବି ନିଅନ୍ତି ଅନେକ ବ୍ୟକ୍ତି। କିଛି ବ୍ୟକ୍ତିବିଶେଷ ଧନଲୋଭରେ ଅନ୍ଧ। ଆବଶ୍ୟକତା ଠାରୁ ଅଧିକ ଠୁଳ କରିବା ତାଙ୍କର ଏକ ଦୂରାରୋଗ୍ୟ ବ୍ୟାଧୀ। ସେମାନେ ନିଜେ ଜାଣନ୍ତି ଯେତିକି ସେମାନେ ରୋଜଗାର କରିଛନ୍ତି ତାହା ସାତ ଜନ୍ମ ପୁରା ପରିବାର ବସି ଖାଇଲେ ବି ସାରି ପାରିବେ ନାହିଁ। ତେବେ ବି ଗରିବ ଲୋକଙ୍କୁ ସାହାଯ୍ୟ ଦିଗରେ ତାଙ୍କର ହାତ ସବୁବେଳେ କୁଣ୍ଠିତ। ଆଉ ଥୋକେ ପଦପଦବୀର ଲୋଭରେ ନିଶାଗ୍ରସ୍ତ। ସମ୍ମାନର ନିଶା, ପ୍ରତିଷ୍ଠା, ପ୍ରତିପତିର ନିଶା ତାଙ୍କର ପ୍ରବଳ। ସବୁବେଳେ ନିଜକୁ ଏକ ଉଚ୍ଚ ଆସନରେ ଦେଖିବାକୁ ଚେଷ୍ଟିତ। ଏ ନିଶା ଧନର ନିଶା ଠାରୁ ପ୍ରବଳ। ସେଥିପାଇଁ ଦରକାର ହେଲେ ସେମାନେ ଯାବତୀୟ ଅନୁଚିତ୍ ମାର୍ଗ ଆପଣାନ୍ତି। ଯାବତୀୟ କୁକର୍ମ, ଦୁର୍ନିତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହନ୍ତି। ଏ ସମସ୍ତ ଉର୍ଦ୍ଧ୍ୱରେ କ୍ଷମତାର ଲୋଭ। କ୍ଷମତାର ଲୋଭରେ ଥରେ ଯେ ବନ୍ଦୀ ହୋଇଯାଏ ତାକୁ ଭଗବାନ ବି ଉଚିତ୍ ରାସ୍ତା ଦେଖାଇବାରେ ଅସମର୍ଥ ହୋଇଉଠନ୍ତି। କ୍ଷମତା ପାଇଁ ମଣିଷ କଣ ନାଇଁ କଣ କରିବସେ। କ୍ଷମତା ପାଖରେ ତାର ବିବେକ ଓ ହୃଦୟ ବି କାମ କରିବା ବନ୍ଦ କରିଦିଏ। କାରଣ କ୍ଷମତା ଲୋଭର କବଳରେ ପଡ଼ି ସେ ଆତ୍ମାନ୍ଧ ହୋଇଯାଏ। ଅହଂର ବଶବର୍ତ୍ତୀ ହୋଇଯାଏ। ଆପଣାର ଲୋକ ବି ତାର କ୍ଷମତାରେ ଆଞ୍ଚ ଆସିଲା ପରି କିଛି ଭୁଲ୍ କରିବସିଲେ ମୃତ୍ୟୁଦଣ୍ଡ ସୁନିଶ୍ଚିତ।

ତେବେ ଯାହା କଲେ ବି ମଣିଷ ଏ ଛୋଟ କଥାଟିକୁ କାହିଁକି ବୁଝିବାରେ ଅସମର୍ଥ ହୁଏ ଯେ ସବୁକଥାରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଥାଏ। ଏ ବିଶ୍ୱର ପ୍ରତିଟି ଜିନିଷ କ୍ଷଣଭଙ୍ଗୁର। ତାହା ଛୋଟ ହେଉ କିମ୍ବା ବଡ଼। ତାରାଟିଏ ବି କିଛି ଅୟୁତ ବର୍ଷ ପରେ ଆଲୋକ ପ୍ରଦାନ କରିବା ବନ୍ଦ କରିଦିଏ। ଏ ବିଶ୍ୱ ସର୍ବଦା ପରିବର୍ତ୍ତନଶୀଳ ଏବଂ ପରିବର୍ତ୍ତନ ହିଁ ଏ ସୃଷ୍ଟିର ନିୟମ। ଯାହା ଆଜି ଜଣକର, ତାହା କାଲି ଆଉ କାହାର ଥିଲା ଏବଂ ଆସନ୍ତା କାଲି ଅନ୍ୟ କାହାର ହୋଇଯିବ। ସେମିତି ମଣିଷ ଜୀବନର ଲକ୍ଷ୍ୟ ବି ପରିବର୍ତ୍ତନଶୀଳ। ଶୈଶବରେ ଯଦି ତାର ଲକ୍ଷ୍ୟ ଖେଳାଖେଳି ପ୍ରତି ଆକର୍ଷିତ, କୈଶୋରରେ ଲକ୍ଷ୍ୟ ତାର ପଢ଼ାପଢ଼ି ପ୍ରତି, ଯୌବନରେ ହୁଏତ କିଛି କର୍ମଜୀବନ ଓ କନ୍ୟା ପ୍ରତି। ଏମିତି ମଣିଷ ଜୀବନରେ ତାର ଲକ୍ଷ୍ୟ ପ୍ରତି ପଦକ୍ଷେପରେ ବଦଳିଥାଏ। ମଣିଷର ଜୀବନଧାରଣର ସଂଘର୍ଷରେ ଏଇ କ୍ଷୁଦ୍ରାତିକ୍ଷୁଦ୍ର ଲକ୍ଷ୍ୟ କିନ୍ତୁ ମଣିଷକୁ ତାର ପ୍ରକୃତ ପଥରୁ ବିଚ୍ୟୁତ କରିବା ଉଚିତ୍ ନୁହେଁ। ତାହା ହେଲା ସତ୍ୟର ପଥ। କେହି ଜଣେ ମନିଷୀଙ୍କ ମତରେ “ଜୀବନରେ ଲକ୍ଷ୍ୟ ଠାରୁ ପଥ ହିଁ ମହତ୍ୱପୂର୍ଣ୍ଣ ଅଟେ”। ଲକ୍ଷ୍ୟ ସାଧନ ନିମନ୍ତେ ପଥବିଚ୍ୟୁତି ସର୍ବଦା ବର୍ଜନୀୟ। ତେଣୁ ଜୀବନ ସର୍ବଦା ପଥ ସର୍ବସ୍ୱ ହୋଇ ରହିବା ଦରକାର।

ସ୍ମିତା ମାମୁଁଙ୍କର ସେଇ ଗୋଟିଏ ଆଦର୍ଶକୁ ଆଜି ପର୍ଯ୍ୟନ୍ତ ଜୀବନର ଏକମାତ୍ର ପୁଞ୍ଜି କରି ଆସିଛି। ଯାହା ତାର ବିବେକ ଅବା ହୃଦୟକୁ କୌଣସି ପରିପ୍ରେକ୍ଷୀରେ ନତ ମସ୍ତକ ହେବାକୁ ଦେଇନାହିଁ। ସି.ଇ.ଓ ପଦବୀ ପର୍ଯ୍ୟନ୍ତ ପହଞ୍ଚୁ ପହଞ୍ଚୁ କେତେ ବେଳେ ସେ ଯେ ବୟସର ଅର୍ଦ୍ଧାଧିକ ଜୀବନ ଅତିବାହିତ କରିସାରିଛି ସେଥିପ୍ରତି ସ୍ମିତାର ତିଳେ ହେଁ ଅବଶୋଷ ନାହିଁ। ବରଂ ସେ ଖୁସି ଯେ ଜୀବନ କାଳରେ ଏ ଯାବତ୍ ତାର ସତ୍ ମାର୍ଗରେ ପାଦେ ପାଦେ କରି ଆଗକୁ ବଢ଼ିବା ତାକୁ ଅନେକ ଚିନ୍ତା ବିଷାଦରୁ ମୁକ୍ତ କରିପାରିଛି।

କ୍ରମଶଃ...

ସ୍ମିତା ଜିନିଷ ରାକେଶ

Rate the content


Originality
Flow
Language
Cover design

Comments

Post

Some text some message..