Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rakesh Mishra

Comedy

5.0  

Rakesh Mishra

Comedy

ମନୁଆର କୀର୍ତ୍ତି - ମୋବାଇଲ

ମନୁଆର କୀର୍ତ୍ତି - ମୋବାଇଲ

4 mins
14.6K


ସକାଳୁ ଉଠି ମନୁଆ ବଡ ବ୍ୟସ୍ତ ହୋଇ ନିଜ ମୋବାଇଲ୍ ଟା ଖୋଜି ଚାଲିଛି । ସବୁ ଆଡେ ତନ୍ନ ତନ୍ନ କରି ଖୋଜି ସାରିଲାଣି । କେଉଁଠି ବି ମିଳୁନି । ସୁଜାତାକୁ ପଚାରିଲେ ଏଇନେ ଖିଙ୍କାରି ଉଠିବ । ଏତିକି ବେଳେ ରୋଷେଇ ଘରୁ ଘରଣୀ ସୁଜାତାଙ୍କ କିଳିକିଳା ରଡି ଶୁଭିଲା ।

- ମୋର କିନ୍ତୁ ବ୍ରେକଫାଷ୍ଟ ରେଡି, ଥଣ୍ଡା ହୋଇଗଲେ ମୁଁ ଆଉ ଗରମ କରି ଦେଇ ପାରିବିନି । ସକାଳୁ ଉଠି ନ ଗାଧେଇ ଏପଟ ସେପଟ ହେଉଛ । ତୁମର ପରା ଆଜି ସକାଳୁ ସକାଳୁ ଅଫିସ ଯିବାର ଥିଲା କହୁଥିଲ । ସାଢେ ୮'ଟା ବାଜିଲାଣି କିନ୍ତୁ ! ବାପା ବୋଉ ଏବେ ଆସି ପହଂଚି ଯିବେ । ଆଉ ଶୁଣ, ଆଜି ମୁଁ ସୋନୁକୁ ସ୍କୁଲ ଛାଡିବାକୁ ଯାଇ ପାରିବିନି। ତୁମେ ଗଲା ବେଳେ ଡ୍ରପ୍ କରି ଦେଇ ଯିବ ।

ଏତକ କହୁ କହୁ ଡୋର୍ ବେଲ୍ ବାଜିଲା। ବୋଧେ ଆସିଗଲେ ! ମନେ ମନେ ଭାବିଲା ମନୁଆ । ଏକା ସହରରେ ଭଲ ପାଇ ବାହା ହେବାର ମଜା ହାଡ଼େ ହାଡ଼େ ଟେର୍ ପାଉଛି ଏବେ । ଶଶୁର ଅବସର ପ୍ରାପ୍ତ ଆୟକର ବିଭାଗର ଉଚ୍ଚ ପଦାଧିକାରୀ । ଅବସର ନେଇଛନ୍ତି ସିନା, ଟାଣୁଆ ଦାପଟ ଭାବଟା ରହି ଯାଇଛି । କର୍ପୁର ଉଡି ଯାଇଛି ସିନା କନା ଅଛି। ମନୁଆର କିଛି ଭୁଲ୍ ଭଟକା ପାଇଲେ ତ କଥା ସରିଲା । ଅସଲ କଥା ହେଲା ଶାଶୁ ଶଶୁର ଜାଣି ଥିଲେ ନିଜ ଉଚ୍ଚ ଶିକ୍ଷିତା ସୁନ୍ଦରୀ ଝିଅ ପାଇଁ ମନୁଆ ଠାରୁ ଯଥେଷ୍ଟ ଭଲ ପାତ୍ର ମିଳିଥା'ନ୍ତା । କିନ୍ତୁ କେବଳ ସୁଜାତାର ଜିଦ୍ ପାଇଁ ତା ସହ ବାହା ଦେଲେ ସିନା ମନେ ମନେ ତା ଉପରେ ସେତେଟା ଖୁସି ନୁହନ୍ତି ଦୁହେଁ । ସେଇଥି ପାଇଁ କଥାରେ କଥାରେ ଖୁଞ୍ଚିଲା ପରି କଥା କହିବାର କୌଣସି ସୁଯୋଗ ହାତ ଛଡ଼ା କରନ୍ତିନି ଶାଶୁ ଶଶୁର ଦୁହେଁ ।

ମନୁଆ ଚାହିଁ ବି କହିପାରିଲାନି ଯେ ମୋର କିଛି ସଉକ୍ ହୋଇନି ସହଳ ଅଫିସ ଯିବାରେ । କେବଳ ତୁମ ବାପା ବୋଉଙ୍କ ପିନ୍ ମରା କଥା ନ ଶୁଣିବାକୁ ଅଫିସ୍ ପଳଉଛି ।

ସୁଜାତା ଯାଇ ଦରଜା ଖୋଲିଲା । ନମସ୍କାରଟେ ପକେଇ ମନୁଆ ପୁଣି ଖୋଜିବା ଆରମ୍ଭ କଲା।

- ସକାଳୁ ସକାଳୁ ଏମିତି ବ୍ୟସ୍ତ ହୋଇ କଣ ଖୋଜୁଛ ?? ସୋଫା ଉପରେ ବସୁ ବସୁ ପଚାରିଲେ ଶଶୁର

- ନା ମାନେ ୟେ, ମୋବାଇଲ ଟା ପାଉନି, କୋଉଠି ଯେ ରଖି ଦେଲି।

- ମୋବାଇଲ କଣ ସାଇଲେଣ୍ଟ ମୋଡ୍ ରେ ଅଛି ??

- ନା ବୋଧେ ।

- ଅନ୍ୟ ମୋବାଇଲରୁ କଲ୍ କରି ଦେଖୁନ ଯଦି ରିଂ ହୁଏ ଜାଣି ପାରିବ କେଉଁଠି ଅଛି । ଏତକ ବି ଉପସ୍ଥିତ ବୁଦ୍ଧି ନାହିଁ । କଣ ଦେଖି ଯେ ସୁଜାତା.. ଆଉ କଣ କହିବାକୁ ଯାଇ ଅଟକି ଗଲେ ପୂଜ୍ୟ ଶଶୁର ।

- ହଉ ହେଲା ତୁମେ ଯାଅ, ଫ୍ରେସ୍ ହୋଇ ଆସ, ମୁଁ ବାପାଙ୍କ ମୋବାଇଲରୁ ଫୋନ କରି ଖୋଜି ଦେଖୁଛି- ରୋଷେଇ ଘରୁ ଆସୁ ଆସୁ କହିଲା ସୁଜାତା ।

ହଉ, କହି ମନୁଆ ଗାଧୁଆ ଘରେ ଆଡକୁ ଯିବା ପୂର୍ବରୁ ଲକ୍ଷ୍ୟ କଲା ଶଶୁର ସୋଫା ଉପରେ ସମ୍ରାଟ ଆକବରଙ୍କ ଷ୍ଟାଇଲରେ ବସି ନିଜ ସ୍ମାର୍ଟ ଫୋନ୍ ବାହାର କରି କଣ୍ଟାକ୍ଟ ଲିଷ୍ଟ ଖେଳାଉଛନ୍ତି ଆଉ ପାଖରେ ଶାଶୁ ଲିମ୍ବ ଖାଇଲା ପରି ବିକୃତିଆ ମୁହଁ କରି ବସିଛନ୍ତି । ମନୁଆ ବେଳେ ବେଳେ ଭାବେ ତା ଶାଶୁ ଜନ୍ମ ହେଲା ବେଳେ, ଧାଇ ମହୁ ବଦଳରେ ବୋଧେ ଲିମ୍ବ ତେଲ ପାଟିରେ ମାରି ଦେଇ ଥିଲା । କେତେବେଳେ ଦେଖିବନି ମୁହଁରେ ଟିକେ ହସ ଅଛି ।

ଗାଧୁଆ ଘରୁ ତା ଫୋନର ରିଂଟୋନ୍ ଶୁଣି ମନେ ମନେ ଆଶ୍ୱସ୍ତ ହେଲା ମନୁଆ, ଯା ହଉ ଶେଷରେ ମିଳିଲା। ସକାଳୁ ତା ମୁଣ୍ଡକୁ କାହିଁ ବୁଦ୍ଧିଟା ଜୁଟିଲାନି, ତା'ହେଲେ ଏତେ କଥା ଶୁଣିବାକୁ ପଡି ନଥାନ୍ତା । ଛାଡ଼, ମିଳି ତ ଗଲା ଆଉ'କଣ !

ଗାଧୁଆ ଘରୁ ବାହାରି ଦେଖେ ଘରଣୀ ସୋଫା ଉପରେ ତା ଫୋନ୍ ଟା ହାତରେ ନେଇ ବସିଛନ୍ତି । କିନ୍ତୁ ଘରଣୀଙ୍କ ମୁହଁ ଦେଖି ଯାହା ଜଣା ପଡୁଛି ଚାହା କପ୍ ରେ ଝଡ ଉଠିବାର ପ୍ରବଳ ସମ୍ଭାବନା। କଣ କିଛି ଅଘଟଣ ଘଟି ଗଲା କି ! ବୁଢାବୁଢ଼ୀବି ଆଖ ପାଖରେ ଦିଶୁ ନାହାନ୍ତି !

- ତୁମ ବାପା ବୋଉ କୁଆଡେ ଗଲେ କି ? କୋଉଠି ଥିଲା ଫୋନ୍..

କହି ସୁଜାତା ହାତରୁ ଫୋନ ନେବାକୁ ହାତ ବଢେଇଛି କି ନାହିଁ, ସୁଜାତା ଆହତ ବାଘୁଣୀ ପରି ଚିତ୍କାର କରି ଉଠିଲେ ।

- ତୁମେ ଯାହା ଅପମାନ କଲ, ସେ ଆଉ କେବେ ଏ ଦୁଆର ମାଟି ମାଡ଼ିବେ ?

- ମୁଁ କଣ ଅପମାନ କଲି ?? ଆଛା ଫୋନଟା କୋଉଠୁ ମିଳିଲା। ମୁଁ ତ ଡରି ଯାଇଥିଲି ।

ଦାନ୍ତ ନିକୁଟି ପରିସ୍ଥତି ହାଲୁକା କରିବାକୁ ନରମ ଗଳାରେ ଗେଲ୍ହେଇ କହିଲା ମନୁଆ।

- ସେ ଇନୋସେଣ୍ଟ ମୁହଁ ଆଉ କାହାକୁ ଦେଖେଇବ । ତୁମ ଅସଲ ଚେହେରା ଜଣା ଅଛି ମୋର । କଣ ଅପମାନ କଲ ତୁମେ ଜାଣିନ ?? ତୁମେ ଏତେ ଅଭଦ୍ର ବୋଲି ମୁଁ ଜାଣି ନଥିଲି । ଯାହା ହେଲେ ବି ସେ ତୁମ ଶଶୁର ।

- ଆରେ ମୁଁ କଣ କଲି ଖୋଲି କହିବ ତ, ମୁଁ ତ କିଛି ବୁଝି ପାରୁନି।

- ବାପା ନିଜ ଫୋନରୁ ରିଂ କରି ଦେଖିଲେ ତୁମ ଫୋନଟା ସିଏ ବସିଥିବା ସୋଫା ଫାଙ୍କରେ ପଶି ରହିଛି । ମୁଁ ମୋବାଇଲଟା କାଢ଼ିବା ଆଗରୁ ବାପା ଫୋନଟା କାଢି ଆଣିଲେ, ସେତେ ବେଳକୁ ରିଂ ହେଉଥିଲା । ଫୋନଟା ଡିସକନେକ୍ଟ କରିବାକୁ ଯାଇ.. ଛି ଛି..।

- ଡିସକନେକ୍ଟ କରିବାକୁ ଯାଇ..? କଣ ??

- କଣ ଆଉ ? ତୁମେ ମୋ ବାପାଙ୍କ ନମ୍ବର କି ନାଁ ରେ ସେଭ୍ କରିଛ ? "ବିଶ୍ୱ ଟାଉଟର", ସେ ବି ବିଶୁଦ୍ଧ ଓଡ଼ିଆରେ ?? ଛି ଛି..

ମନୁଆ ବୁଝି ପାରିଲା ପାଣିପାଗ ସାଙ୍ଘାତିକ ଖରାପ। ତେଣୁ ଆଉ କଥା ନ ବଢ଼େଇ ଫୋନ୍ ଟା ସୁଜାତା ହାତରୁ ନେଇ ଚଟାପଟ୍ ଶୋଇବା ଘରକୁ ପଶି ଜଗା କାଳିଆକୁ ଦଣ୍ଡବତଟେ ପକେଇ ଅଫିସ୍ ଯିବା ପାଇଁ ଧିରେ ଧିରେ ରେଡି ହେବାରେ ଲାଗିଲା । ମନେ ମନେ ଭାବିଲା ଯାହା ହେଉ ଈଶ୍ୱର ରକ୍ଷା କରି ଦେଇଛନ୍ତି ଶଶୁର ନିଜ ମୋବାଇଲରୁ କଲ୍ କରିଥିଲେ, ଶାଶୁ କଲ୍ କରି "ଚରା ଡାହାଣୀ" ନାଁ ଟା ଦେଖିଥିଲେ କଣ ଯେ ହୋଇ ଥାନ୍ତା ।

© ରାକେଶ ମିଶ୍ର


Rate this content
Log in

Similar oriya story from Comedy