Kulamani Sarangi

Others


2  

Kulamani Sarangi

Others


ଆସ୍ତିକ ନାସ୍ତିକ

ଆସ୍ତିକ ନାସ୍ତିକ

3 mins 7.4K 3 mins 7.4K

ଆଜିକାଲିର ବସ୍ତୁବାଦୀ ଦୁନିଆଁରେ ଈଶ୍ବରଙ୍କ ଉପସ୍ଥିତିକୁ ନେଇ ଅଧିକାଂଶଙ୍କ ମନରେ ସନ୍ଦେହ।ଏହାର ଫଳ ସ୍ୱରୂପ ଅନୈତିକ କାର୍ଯ୍ଯ,ହିଂସା,ପରଶ୍ରୀକାତରତା,ଲୋଭ,ମୋହ,ଚୋରି ଡକାୟତି ଏବଂ ଅସାମାଜିକ କାର୍ଯ୍ଯର ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି।ଈଶ୍ବରଙ୍କପ୍ରତି ଘୋର ଅବଜ୍ଞା ସବୁଠାରେ ପରିଲକ୍ଷିତ ।ଏମାନଙ୍କର ଯୁକ୍ତି ଯେ ନାରୀତତ୍ତ୍ୱ ଓ ପୁରୁଷତତ୍ତ୍ୱ ସଂଗମରେ ଯେଉଁ ସୃଷ୍ଟି, ସେଥିରେ ଈଶ୍ବରଙ୍କର କଣ ହାତ ଅଛି?ଏପରି ଜଣେ ବସ୍ତୁବାଦୀ ବଂଧୁ ମତେ କହିଲେ କଥାରେ ଅଛି "ଯାହା ନଦେଖିବ ବେନି ନୟନେ,ପରତେ ନଯିବ ଗୁରୁ ବଚନେ। ତେଣୁ ଈଶ୍ବର ଅଛନ୍ତି ବୋଲି ଯେବେ କହୁଛ,ତାଙ୍କ ସହିତ ଟିକିଏ ସାକ୍ଷାତ କରାଇଦିଅ।" ମୁଁ କହିଲି "ଆହେ ବଂଧୁ ! ମୋର ତାଙ୍କ ସହିତ ସବୁଦିନ ଭେଟ ହେଉଛି,ତୁମେ କେମିତି ଦେଖି ପାରୁନାହଁ? " ବଂଧୁ କହିଲେ ସତ ନାଁ କଣ?କେଉଁଠି କେଉଁଠି?"କହିଲି 'କାଲି ସକାଳେ ଆସ,ଆମ ବଗିଚାରେ ତାଙ୍କସହିତ ଭେଟ ହେବା।'

ପରଦିନ ସକାଳୁ ସକାଳୁ ବଂଧୁ ଆସି ହାଜର।ଦୁଇଜଣ ବଗିଚାର ସିମେଣ୍ଟ ବେଞ୍ଚରେ ବସିଲୁ।ସକାଳ ସୂର୍ଯ୍ୟଙ୍କର ସୁନେଲି କିରଣରେ ବୃକ୍ଷଲତା ଉଦ୍ଭାସିତ ହୋଇଉଠିଲେ।ପତ୍ରରେ ପଡିଥିବା କାକରରେ ସୂର୍ଯ୍ୟକିରଣ ପ୍ରତିବିମ୍ବିତ ହୋଇ ବଗିଚାରେ ସୌନ୍ଦର୍ଯ୍ୟର ରେଣୁ ବୁଣିହୋଇଗଲା।ସେ ଦିଗକୁ ହାତ ଦେଖାଇ ମୁଁ ବଂଧୁଙ୍କୁ କହିଲି "ଈଶ୍ବରଙ୍କୁ ଏବେ ଦେଖିପାରିଲ?"

ବଧୁ କହିଲେ "ଏ କାକର ବିନ୍ଦୁ ଉପରେ ପଡିଥିବା ସୂର୍ଯ୍ୟକିରଣ ତାହେଲେ ତୁମ ଈଶ୍ବର? ଏହାଠାରୁ ବଳି ଚରମ ଗାଲୁଆମି ଆଉ କଣ ଥାଇପାରେ?"

ବଗିଚାରେ ଫୁଟିଥିବା ସୁଗନ୍ଧରାଜ ଫୁଲ ଆଡକୁ ହାତ ଦେଖାଇ ମୁଁ କହିଲି "ଏ ଫୁଲର ସୌନ୍ଦର୍ଯ୍ୟରେ ଓ ସୁଗନ୍ଧରେ ମଧ୍ୟ ଈଶ୍ବରଙ୍କୁ ତମେ ଦେଖିପାରିବ।ଏଠି ଯେତେ ଫୁଲ ଫୁଟିଛି ଏବଂ ଯେତେ ରଙ୍ଗବେରଙ୍ଗ ପ୍ରଜାପତି ଫୁଲରୁ ଫୁଲକୁ ଉଡି ବୁଲୁଛନ୍ତି ସେମାନଙ୍କ ଭିତରେ ମୁଁ ଈଶ୍ବରଙ୍କୁ ଦେଖିପାରୁଛି।ତମେ ଦେଖି ପାରୁନ?"

ବଂଧୁ ରାଗିଗଲେ ।କହିଲେ "ତମେ ଜଣେ ଡିହ ଗାଲୁଆ।ଏସବୁ ପ୍ରକୃତିର ଦାନ।ବିଜ୍ଞାନ ଭାଷାରେ ଏହା ପ୍ରାଣୀଜଗତ ଓ ଉଦ୍ଭିଦ ଜଗତର ଅଂଶ।ଏଠାକୁ ତୁମେ ଈଶ୍ବରଙ୍କୁ କାହିଁକି ଆଣୁଚ?"

କହିଲି "ଏହା ଯେବେ ଈଶ୍ବର ସତ୍ତା ନୁହେଁ ତାହେଲେ ବିଜ୍ଞାନ ପରୀକ୍ଷାଗାରରେ ଗୋଟିଏ ସୁଗନ୍ଧରାଜ ଫୁଲ ତିଆରକରି ସେଥିରେ ସୁବାସ କଣ ଦେଇ ପାରିବ ବିଜ୍ଞାନ? ତୁମେ ହୁଏତ କ୍ଳୋନିଂ କଥା କହିପାର।କିନ୍ତୁ କ୍ଳୋନିଂ କଣ ଈଶ୍ବର ସୃଷ୍ଟ ପ୍ରାଣୀ ଓ ଉଦ୍ଭିଦର ଅଭାବରେ ସମ୍ଭବ?ତୁମର ବୈଜ୍ଞାନିକମାନେ ମଧ୍ୟ ଈଶ୍ବରସୃଷ୍ଟ ।ଏଠାରେ ଈଶ୍ବରଙ୍କୁ ମୁଁ ଖାଲି ଯେ ଦେଖୁଛି ତାନୁହେଁ।ମୁଁ ତାଙ୍କୁ ଅନୁଭବ କରିପାରୁଛି ମଧ୍ୟ ।ବଗିଚାରେ ବହୁଥିବା ମନ୍ଦ ସମୀରଣର ସ୍ପର୍ଶରେ ମୁଁ ଈଶ୍ବରଙ୍କୁ ଅନୁଭବ କରିପାରୁଛି।ତେଣୁ ଏହି ବଗିଚା ଭିତରେ ମୁଁ ଯେତିକି ସମୟ ଈଶ୍ବରଙ୍କ ସହିତ ରହୁଛି,ସେ ସମୟରେ ମୁଁ ନିଜକୁ ସାଂସାରିକ ମାୟାରୁ ନିଜକୁ ଦୂରେଇ ରଖିପାରୁଚି।"

ବଂଧୁ କହିଲେ "ଈଶ୍ବରଙ୍କ ସହିତ କଥାହେବାବୋଲି ପରା କହୁଥିଲ?ଟିକିଏ ଡାକ ତାଙ୍କୁ,କଥାହେବା।" କହିଲି "ବଂଧୁ ଏ ପକ୍ଷୀ କାକଳୀ ଶୁଣିପାରୁଚ?ସେମାନଙ୍କ ମାଧ୍ୟମରେ ଈଶ୍ବର ଆମ ସହିତ କଥୋପକଥନ କରୁଛନ୍ତି ।ଏହି ବ୍ରାହ୍ମ ମୁହୁର୍ତ୍ତରେ, ଏକାଗ୍ର ଚିତ୍ତରେ କାନଡେରି ଶୁଣ।ଶୁଣିପାରିବ ତୁମେ ଅନନ୍ତ ମହାକାଶର ଶବ୍ଦ ।ଏହା ମଧ୍ୟ ତୁମେ ନିଶାର୍ଦ୍ଧରେ ଶୁଣିପାରିବ ନିର୍ଜନ ବେଳାରେ।ଶୁଣିପାରିବ ନିର୍ଜନ ଉପତ୍ୟକାର ପ୍ରତିଧ୍ବନିରେ,ଶୁଣି ପାରିବ ଜଳପ୍ରପାତର ଭୀମ ଭୈରବ ନିର୍ଘୋଷରେ।ଏହାହିଁ ଈଶ୍ବରଙ୍କର ସୃଷ୍ଟି ସହିତ କଥୋପକଥନ।"

ବଂଧୁ ମୋକଥାରେ ସନ୍ତୁଷ୍ଟ ହେବାପରି ଜଣାପଡିଲାନି।ତେଣୁ ଉଦାହରଣ ଦେଇ କହିଲି "ଆମେ ରାତିରେ ଆକାଶରେ ଅସଂଖ୍ୟ ତାରା ଦେଖିବାକୁ ପାଉ।କିନ୍ତୁ ସୂର୍ଯ୍ୟ ଉଦୟପରେ ସେମାନେ ଉଭେଇ ଯାଆନ୍ତି ।ତେଣୁ ଆମେ କଣ କହିବା ଯେ ତାରା ଆକାଶରେ ନାହାଁନ୍ତି? ସେହିପରି ଈଶ୍ବରଙ୍କୁ ଆମେ ନିଜର ଅଜ୍ଞତା ଯୋଗୁଁ ଦେଖିପାରୁନାହୁଁ।

ଦୁଧ ଭିତରର ଲହୁଣୀକୁ ଆମେ ଦେଖିପାରୁନାହୁଁ।ତା'ଅର୍ଥ କଣ ଲହୁଣୀର ସ୍ଥିତି ନାହିଁ? ଦୁଧକୁ ଦହିରେ ପରିଣତ କରି ମୋହିଁଲେ ଲହୁଣୀ ମିଳିବ।ସେହିପରି, ଆଧ୍ୟାତ୍ମିକ ସାଧନାକଲେ ଈଶ୍ବରସତ୍ତା ର ଅନୁଭବ ହେବ।

ଧରାଯାଉ ତୁମେ ଓ ମୁଁ ଅତି ପାଖାପାଖି ଠିଆହୋଇଛେ।ଆମ ଦୁଇଜଣଙ୍କ ମଝିରେ ଗୋଟିଏ ପରଦା ଟାଣିଦେଲେ ଆମେ ପରସ୍ପରକୁ ଦେଖି ପାରିବା ନାହିଁ ।ସେହିପରି ଈଶ୍ବର ଆମ୍ଭ ମାନଙ୍କର ପାଖରେ ଥିଲେ ମଧ୍ୟ ଅଜ୍ଞାନ ପରଦାର ସ୍ଥିତି ଯୋଗୁଁ ଆମ୍ଭେମାନେ ଈଶ୍ବରଙ୍କୁ ଦେଖିପାରୁନାହାନ୍ତି।ଆଧ୍ୟାତ୍ମିକ ସାଧନା ସେ ପରଦାକୁ ଅପସାରିତ କରିଦେଲେ ଆମ୍ଭେମାନେ ଈଶ୍ବରଙ୍କ ସତ୍ତା ଅନୁଭବ କରିପାରିବା।

'ପରମେଶ୍ଵରଙ୍କଇଚ୍ଛା ଦ୍ୱାରା ସବୁକାର୍ଯ୍ୟ ସାଧିତ ହେଉଛି ଓ ଫଳାଫଳ ନିୟନ୍ତ୍ରିତ ହେଉଛି' ଏହି ବିଶ୍ବାସ ମନଭିତରେ ଦୃଢିଭୂତହେଲେ ମନୁଷ୍ୟ ଈଶ୍ବରଙ୍କ ହାତରେ ଯନ୍ତ୍ରବତ୍ ହୋଇଥାଏ ଏବଂ ଜୀବିତାବସ୍ଥାରେ ସେ ମାୟାମୁକ୍ତ ହୋଇ ରହିଥାଏ।

ଓଦା କାଠକୁ ଚୁଲିଉପରେ ରଖିଲେ ତାର ଆଦ୍ରତା ଯେପରି ଆସ୍ତେ ଆସ୍ତେ ନଷ୍ଟ ହୋଇଯାଏ,ସେହିପରି ଯେଉଁ ଲୋକ ଈଶ୍ବର ଆଶ୍ରିତ ଏବଂ ଭଗବତ୍ ଚିନ୍ତାରେ ଉଦ୍ବୁଦ୍ଧ ,ସଂସାରର କାମନା,ବାସନା ତାକୁ ସ୍ପର୍ଶ କରିପାରେନାହିଁ।ପଦ୍ମପତ୍ରରେ ଢଳଢଳ ଜଳ ପରି ତାର ଜୀବନ କାମନା ବାସନା ଠାରୁ ଦୂରରେ ରହେ।କିନ୍ତୁ ବିଷୟାନୁରକ୍ତ ମନୁଷ୍ୟ ପାଇଁ ଏପରି ଜୀବନଧାରା ଅସମ୍ଭବ ନହେଲେ ମଧ୍ୟ ସହଜସାଧ୍ୟ ନୁହେଁ ।"

ମୋର ଦୀର୍ଘ ପ୍ରବଚନର ପ୍ରଭାବ ବଂଧୁଙ୍କ ଉପରେ କେତେ ପଡିଲା ଜାଣିପାରିଲି ନାହିଁ ।କିନ୍ତୁ ବଂଧୁ ମତେ ଗୋଟିଏ ଅଦ୍ଭୁତ ପ୍ରଶ୍ନ ପଚାରିଲେ।"ତୁମେ ଯଦି ଏତେ ଈଶ୍ବରବାଦୀ ବା ଆସ୍ତିକ ତାହେଲେ ମୋଭଳି ତୁମେ ମନ୍ଦିରକୁ ଯାଉନାହଁ କାହିଁକି? "

କହିଲି "ତୁମ ମନ୍ଦିରକୁ ନଯିବା ଭିତରେ ପ୍ରବଳ ନାସ୍ତିକତା ଅଛି କିନ୍ତୁ ମୋ ମନ୍ଦିର ନଯିବା ଭିତରେ ପ୍ରଗାଢ ଆସ୍ତିକତା ଅଛି।ଭଗବାନଙ୍କୁ ମୁଁ ଯେବେ ସବୁଠାରେ ଦର୍ଶନ କରିପାରୁଛି ତାହେଲେ ମନ୍ଦିରକୁ ଯିବା କଣ ଦର୍କାର ?ଆଜି ପୃଥିବୀ ମଣିଷ ମାନଙ୍କ ଦ୍ୱାରା ପରିଚାଳିତ,ତେଣୁ ସବୁଠାରେ ଆକାରବାଦୀଙ୍କ ଦ୍ୱାରା ଭଗବାନଙ୍କୁ ମୂଖ୍ୟତଃ ମଣିଷ ରୂପରେ ପୂଜାକରାଯାଉଛି ।ଯଦି ପୃଥିବୀ ଘୋଡା ମାନଙ୍କଦ୍ୱାରା ଶାସିତ ବା ପରିଚାଳିତ ହେବ ତାହେଲେ ଆକାରବାଦୀଙ୍କ ଦ୍ୱାରା ଈଶ୍ଵର ମୂଖ୍ୟତଃ ଘୋଡାରୂପରେ ପୂଜା ପାଇବେ।"

ବଂଧୁ ପଚାରିଲେ "ତୁମେ ତାହେଲେ ନିରାକାରବାଦୀ?"ମୁଁ କହିଲି "ମୁଁ କୋଣସି 'ବାଦୀ' ନୁହେଁ ,ମୁଁ ଈଶ୍ବରଙ୍କ ଉପରେ ଆସ୍ଥା ରଖିଥିବା ସାଧାରଣ ମଣିଷଟିଏ।"


Rate this content
Originality
Flow
Language
Cover Design