ଟୁନାର ଗଣେଶ ପୂଜା
ଟୁନାର ଗଣେଶ ପୂଜା
ଟୁନାର ମନ ଆଜି ଭାରି ଖୁସି । କଥା କ'ଣ କି,ଏଥର ସ୍କୁଲରେ ଗଣେଶ ପୂଜାରେ ସାଜସଜ୍ଜା ଲାଗି ତାକୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ମିଳିଛି । ରଙ୍ଗିନ୍ କାଗଜ କାଟି ଫାଟକ ପାଖରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ତୋରଣ ବାନ୍ଧିବା ଠାରୁ ମେଢ଼ ସଜେଇବା ଯାଏ, ସବୁ କାମକୁ ସାଙ୍ଗମାନଙ୍କ ସହ ମିଶି ଶେଷ କରିଛି । ଅନ୍ୟ ବର୍ଷ ଅପେକ୍ଷା, ପୂଜା ମଣ୍ଡପ ଢେର ସୁନ୍ଦର ଦେଖାଯାଉଛି ବୋଲି କେତେଜଣ ମତ ବି ଦେଲେଣି । ଦୁଇଦିନର ପରିଶ୍ରମ ସଫଳ ହୋଇଥିବାରୁ ସେ ଏବେ ଆଶ୍ଵସ୍ତ ।
ଏଥର ସ୍କୁଲରୁ ଘରକୁ ଫେରିଲା ଟୁନା । ଗାଧୋଇ ପାଧୋଇ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ପ୍ରସ୍ତୁତ ହେଲା । ପୂଜା ସାମଗ୍ରୀ ସହ ଅନୁ ଅପା ଗୁନ୍ଥି ଦେଇଥିବା ଫୁଲହାର ନେଇ ସେ ବାହାରି ପଡ଼ିଲା ସ୍କୁଲ ।
ଉଭୟ ପାଖକୁ ଭଲଭାବେ ଦେଖି, ରାସ୍ତାର ବାମ ପାଖରେ ସାଇକେଲ ଚଳାଇ ଯାଉଥାଏ ଟୁନା । ସେ ଦେଖିଲା, ତଳ ଶ୍ରେଣୀର ପବନା ତରତର ହୋଇ ଧାଉଁଛି । ପୂଜା ସମୟ ହୋଇଗଲାଣି ବୋଲି ସେ ଏମିତି ଦୌଡ଼ି ଦୌଡ଼ି ଯାଉଛି ବୋଧହୁଏ !
ଟୁନା ପବନାକୁ ସାଥିରେ ଯିବାକୁ ଡାକିଲା । କିନ୍ତୁ ପବନା କିଛି ନ କହି ସେମିତି ଆଗକୁ ଧାଉଁଥାଏ । ସେ ଲକ୍ଷ୍ୟ କଲା; ପବନା ଦେହରେ ମଇଳା ପୋଷାକ, ମୁଣ୍ଡରେ ଆଲୁରା ବାଲୁରା ଚୁଟି । ମଝିରେ ମଝିରେ ସେ ତା' ଆଖି ଆଉ ମୁହଁରେ ହାତ ବି ମାରୁଛି । ଟୁନା ଆଡ଼କୁ ଥରେ ଚାହିଁଦେଇ ସେ ଏଥର ରାସ୍ତା ଛାଡ଼ି ବିଲ ଆଡ଼କୁ ଦୌଡ଼ିଲା ।
ଘଟଣା କ'ଣ !ଆଜି ପୂଜା ଦିନଟାରେ ପବନା ଏମିତି ନସର ପସର ହୋଇ କୁଆଡ଼େ ଧାଉଁଛି ?ଡାକିଲେ ବି ଶୁଣୁନି !
ଟୁନା ଜାଣେ,ପବନା ସାଧାରଣ ପିଲାଙ୍କ ଭଳି ନୁହେଁ । ବିଚାର ଶକ୍ତି ଟିକିଏ କମ। ଦୁଷ୍ଟ ପିଲାମାନେ ତାକୁ ବେଡ଼ା ବା ବୋକା ବୋଲି ବି ଚିଡ଼ାନ୍ତି । ତେବେ, ଆଜି ନିଶ୍ଚିତ ଭାବରେ କିଛି ଗୋଟାଏ ଘଟିଛି । ତେଣୁ ସେ ରାସ୍ତା କଡ଼ରେ ସାଇକେଲକୁ ରଖି, ପବନାକୁ ଅଟକାଇ ପଚାରିଲା,
"ପବନା, କ'ଣ ହୋଇଛି ? ତୁ ଆଜି କ'ଣ ପୂଜା କରିବାକୁ ସ୍କୁଲ ଯିବୁନି ?"
" ନା, ମୁଁ ସ୍କୁଲକୁ ଯିବିନି,ଆମ ଘରକୁ ଯିବି । "
" ଆରେ,ପୂଜା ନ କରି ଘରକୁ ଯିବୁ, କାହିଁକି ?" ଟୁନା ପଚାରିଲା ।
"ମୋର ମାଆ କଥା ଭାରି ମନେ ପଡ଼ୁଛି । ମାଉସୀକୁ କେତେଥର କହିଲି, ସେ ଶୁଣିଲାନି । ପଇସା ବି ଦେଲାନି । ସେଥିଲାଗି ମୁଁ ଏକୁଟିଆ ଚାଲି ଚାଲି ଆମ ଗାଆଁକୁ ଯାଉଛି । " ଆଖିରୁ ଲୁହ ପୋଛୁ ପୋଛୁ ଥଙ୍ଗେଇ ଥଙ୍ଗେଇ କହିଲା ପବନା ।
ପବନା ତା' ମାଉସୀ ଘରେ ରହି ପାଠ ପଢ଼େ । ଅନେକ ଦୂରରେ ତାଙ୍କ ଗାଆଁ । ପିଚୁ ସଡ଼କରେ କିଛି ବାଟ ଗଲାପରେ ,ବଣୁଆ ପାଦଚଲା ରାସ୍ତାରେ ଯିବାକୁ ହୁଏ - ଏକଥା ଟୁନା ଜାଣିଛି। ଏତେ ଦୂର ବାଟ ପବନା ଚାଲି ଚାଲି କେମିତି ଯିବ ! ଯଦି ରାସ୍ତା ଭୁଲି ଅନ୍ୟ କୁଆଡ଼େ ଚାଲିଯାଏ !
ହାତ ଖର୍ଚ୍ଚ ପାଇଁ ମାଆ ଦେଇଥିବା କିଛି ଟଙ୍କା ତା ପାଖରେ ଥାଏ । ସେଇ ପଇସାରେ ସେ ପବନାକୁ ତାଙ୍କ ଗାଆଁକୁ ଯିବାଲାଗି ବସରେ ବସେଇ ଦେଇ ପାରନ୍ତା ; କିନ୍ତୁ ସେ କ'ଣ ବସରୁ ଓହ୍ଲେଇଲା ପରେ ଠିକ ରାସ୍ତାରେ ଯାଇ ତାଙ୍କ ଘରେ ପହଞ୍ଚି ପାରିବ ? ପୁଣି ଏଠି ତା' ମାଉସୀଙ୍କୁ ନ ଜଣେଇ ତାକୁ ସେମିତି ପଠେଇ ଦେବାଟା ଆଦୌ ଉଚିତ ହେବନାହିଁ ।
"ଆଛା, ତୁ ଗାଆଁକୁ ଯାଉଛୁ ବୋଲି ତୋ ମାଉସୀକୁ କହିଛୁଟି ?"
" ନାହିଁ, ମୁଁ କହିଲେ ପା' ସେ ମୋତେ ଜମା ଆମ ଘରକୁ ଛାଡ଼ୁନି । ଖାଲି ସ୍କୁଲ ଛୁଟିହେଲେ ଯିବା କହି ଠକି ଦଉଛି । ସବୁ ପିଲା ନିଜ ଘରେ ରହି ପାଠ ପଢ଼ିବାକୁ ସ୍କୁଲକୁ ଯାଉଛନ୍ତି । ମୁଁ କାହିଁକି ମାଉସୀ ଘରେ ରହିବି ଯେ !ଆଜି ମୋ ମାଆ ପାଖକୁ ଯିବି । ସେଇଥିପାଇଁ ନା, ମାଉସୀକୁ ନ କହି ମୁଁ ଲୁଚିକି ଚାଲି ଆସିଛି । ତୋ ସାଙ୍ଗରେ କଥା କହି ମୋର ଡେରି ହୋଇ ଗଲାଣି । ବାଟଛାଡ଼ ,ମୁଁ ଶୀଘ୍ର ଆମ ଘରକୁ ଯାଏ । " ପବନା ଥଙ୍ଗ ଥଙ୍ଗ ହୋଇ କହିଲା ।
"ତୋ ମାଉସୀ ଯଦି ତୋତେ ନ ପାଇ ଖୋଜନ୍ତି ?"
"ଖୋଜୁଥାଉ । "
"ଏକୁଟିଆ ଦେଖି, ବାଟରୁ ଯଦି ପିଲା ଚୋର ତୋତେ ଉଠେଇ ନିଅନ୍ତି... "
"ନେଇଯାଆନ୍ତୁ । " ଅଭିମାନ ଭରା କଣ୍ଠରେ ପବନା ଉତ୍ତର ଦେଲା ।
ତେଣେ ସ୍କୁଲରେ ପୂଜା ଆରମ୍ଭ ହୋଇଯିବଣି । ପବନାକୁ ଏଇଠି ଏମିତି ଛାଡ଼ିଯିବାଟା ଠିକ ହେବନାହିଁ ; ତେବେ ତାକୁ ବାଧ୍ୟ କରି ସାଥିରେ ବି ନେଇ ପାରିବନି । ତେଣୁ ସେ ଟିକିଏ ଚିନ୍ତା କରି କହିଲା,
"ଠିକ ଅଛି, ତୁ ତମ ଘରକୁ ଯିବାକୁ ଚାହୁଁଛୁ ଟି ?
ତୋ ମାଉସୀ ତୋତେ କାହିଁକି ଛାଡ଼ିବେନି ?ମୋ ସାଥିରେ ଚାଲିଲୁ,ମୁଁ ତାଙ୍କୁ ଏ କଥା ପଚାରିବି । ଆଉ ଆଜି ଭିତରେ ତୋତେ ତୁମ ଘରକୁ ପଠେଇବି । "
ଏଥର ଟୁନା ,ପବନାକୁ ନେଇ ତା' ମାଉସୀ ଘରକୁ ଗଲା । ପୁତୁରାକୁ ନ ଦେଖି ଘରେ ବ୍ୟସ୍ତ ହୋଇ ଖୋଜୁଥା'ନ୍ତି । ଟୁନା ମାଉସୀଙ୍କ ପାଖରେ ପବନାକୁ ପହଞ୍ଚେଇ ସବୁ ଘଟଣା ବର୍ଣ୍ଣନା କଲା ।
ମାଉସୀ ପବନାକୁ କୋଳକୁ ନେଉ ନେଉ ଟୁନାକୁ ଚାହିଁ କହିଲେ ,
" ନାନୀଘର ଗାଆଁରେ ନଈପାରି ହୋଇ ସ୍କୁଲ ଯିବାକୁ ପଡ଼େ ବୋଲି ପାଠ ପଢ଼ିବା ଲାଗି ସେ ପୁଅକୁ ଆମ ଘରେ ଛାଡ଼ି ଦେଇଛି । ପୁଅରେ, ତୁ ସ୍କୁଲ ପୂଜା ଛାଡ଼ି ମୋ ପବନାକୁ ପାଖରେ ଆଣି ପହଞ୍ଚେଇ ବଡ଼ ଉପକାର କରିଛୁ । ଠାକୁରେ ତୋର ମଙ୍ଗଳ କରନ୍ତୁ । "
ସ୍କୁଲପୂଜା ଛାଡ଼ି !- ସତକଥା ତ,ସେ ଗଣେଶ ପୂଜା କଥା ଏଇ କିଛି ସମୟ ଲାଗି ପାସୋରି ଯାଇଥିଲା । ତୁରନ୍ତ ବିଦାୟ ମାଗି ଟୁନା ସାଇକେଲରେ ପେଡାଲ ମାରିଲା ।
ସେ ସାଜସଜ୍ଜା କରିଥିବା ପୂଜା ମଣ୍ଡପରେ ବସି ଆଜି କେମିତି ଦେଖାଯାଉଥିବେ ଶ୍ରୀଗଣେଶ? ଅନ୍ୟ ସାଙ୍ଗମାନେ କଣ ସବୁ ମତାମତ ଦେଉଥିବେ ତୋରଣ ଆଉ ମଣ୍ଡପ ସମ୍ପର୍କରେ? ଭଲ ହୋଇଛି ବୋଲି କହୁଥିବେ କି ତ୍ରୁଟି ଦର୍ଶାଇ ପରିହାସ କରୁଥିବେ? ସେ ପହଞ୍ଚିଲା ବେଳକୁ ପୂଜା ସରି ଯାଇଥିବ କି? ଏଥର କଣ ପୁଷ୍ପାଞ୍ଜଳି ବି ଦେଇ ହେବନି ? ଟୁନାର ମନରେ ଉଙ୍କି ମାରୁଥାଏ ଏମିତି ଅନେକ ପ୍ରଶ୍ନ ।
ସ୍କୁଲରେ ପହଞ୍ଚିଲା ବେଳକୁ ପୂଜା ସରି ଗଲାଣି । ପିଲାମାନେ ପ୍ରସାଦ ସେବନ କରୁଥା'ନ୍ତି । ଟୁନାର ମୁହଁ ଶୁଖିଗଲା । ମନ ଦୁଃଖରେ ଘରକୁ ଫେରି ଆସିବାକୁ ସେ ଚିନ୍ତା କରୁଛି, ପଛରୁ ପ୍ରଶାନ୍ତ ସାରଙ୍କ ପାଟି ଶୁଭିଲା ।
" କିରେ ଟୁନା, ପୂଜାକୁ ଆସିବାରେ ଏତେ ବିଳମ୍ବ ହେଲା କାହିଁକି ? କିଛି ଅସୁବିଧା ହୋଇନି ତ ! ଇଆଡ଼େ ଚାହିଁଲୁ ! ଆରେ, ମୁହଁଟା ଏମିତି ଶୁଖିଲା ଦିଶୁଛି କାହିଁକି? ତୁ ସଜେଇଥିବା ପୂଜା ମଣ୍ଡପ ଆଉ ତୋରଣ ଖୁବ ସୁନ୍ଦର ହୋଇଛି । ଅନ୍ୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ତୋତେ ଭାରି ପ୍ରଶଂସା କରୁଥିଲେ ;କିନ୍ତୁ ତୁ କୋଉଠି ରହିଗଲୁ ଯେ..ଘଟଣା କ'ଣ ? "
ଟୁନା ପାଖକୁ ଆସି ସବୁ କଥା ଜଣେଇଲା । ସାର ତ ପବନାକୁ ଆଗରୁ ଜାଣିଛନ୍ତି; ଶୁଣି ସାରି, ଟୁନା ପିଠିକୁ ଥାପୁଡ଼େଇ କହିଲେ ,
"ତୁ ଆଜି ଗଣେଶ ପୂଜାକୁ ପଛରେ ପକେଇ, ଜଣକୁ ସାହାଯ୍ୟ କରି ବହୁତ ଭଲ ଆଉ ବଡ଼ କାମ କରିଛୁ । ପ୍ରକୃତରେ ଭଗବାନ ତାଙ୍କ ପୂଜା ଅର୍ଚ୍ଚନା ଅପେକ୍ଷା , ପରୋପକାର ଦ୍ୱାରା ଅଧିକ ସନ୍ତୋଷ ହୁଅନ୍ତି । ସଂସ୍କୃତରେ କୁହାଯାଏ- ପରୋପକାରାୟ ସ୍ୱର୍ଗାୟ । ଆଉ ଓଡ଼ିଆରେ ଆମେ କହୁ- ମାନବ ସେବା ହିଁ ମାଧବ ସେବା । ଗୋପବନ୍ଧୁ, ମଧୁବାବୁ, ମାଳତୀ ଚୌଧୁରୀ ଆଦି ଏମିତି ଜନସେବା କରି ହିଁ ଚୀର ସ୍ମରଣୀୟ ହୋଇଛନ୍ତି । "
ପ୍ରଶାନ୍ତ ସାରଙ୍କ କଥା ଶୁଣିବାକୁ ଅନ୍ୟ ଛାତ୍ରମାନେ ଜମା ହୋଇ ସାରି ଥାଆନ୍ତି । ସାର କହିଲେ,
"ପିଲାମାନେ, ପୂଜା ତ ସବୁବର୍ଷ ଆସୁଛି ,ପୁଣି ଆଗକୁ ମଧ୍ୟ ଆସିବ । ହେଲେ, ଅସୁବିଧା କି ବିପଦରେ ପଡ଼ିଥିବା ମଣିଷକୁ, ଆମେ ଟୁନା ଭଳି ତୁରନ୍ତ ସାହାଯ୍ୟ କରିବା ଆବଶ୍ୟକ । "
ବର୍ତ୍ତାଳାପର ଦିଗ ବଦଳେଇ ସାର କହିଲେ, "ତେବେ ସୁନାପିଲାଙ୍କ ହାତରୁ ପୂଜା ପାଇବାକୁ ଭଗବାନ ଗଣପତି ବେଶି ସମୟ ଅପେକ୍ଷା କରାନ୍ତି ନାହିଁ । ଆଜି ଟୁନା ଆଣିଥିବା ଭୋଗ ଗଣପତିଙ୍କ ପୂଜାରେ ଆଉଥରେ ବ୍ୟବହାର କରାଯିବ । "
ସେ ପୂଜକଙ୍କୁ ଡକାଇ ଟୁନାର ପୂଜା ସାମଗ୍ରୀକୁ ଭୋଗ ଲଗାଇବା ସହ ଆଉଥରେ ପୁଷ୍ପାଞ୍ଜଳି ନିମନ୍ତେ ବ୍ୟବସ୍ଥା କରାଇଲେ।
ବି. ନିରୁପମା
ମାମୁରିଆ ଛେଣ୍ଡିପଦା,ଅନୁଗୋଳ ।
ପିନ କୋଡ଼- ୭୫୯୧୨୪