Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TAPASWINI BEHERA

Others

4.5  

TAPASWINI BEHERA

Others

ଠିକା ଚାକିରୀ

ଠିକା ଚାକିରୀ

5 mins
567


ଆଜି ମନୋଜକୁ ଭାରି ବ୍ୟସ୍ତ ଲାଗୁଥିଲା।ଘରର ନିବୁଜ କୋଠରୀ ଖୋଲି ଆଉ ଇଚ୍ଛା ହଉ ନ ଥିଲା ବାହାରକୁ ଆସିବାକୁ।ପଙ୍ଖା ସାଇଁ ସାଇଁ ଘୁରୁଛି,ହେଲେ ମନୋଜ ଗୋଟାପଣ ଝାଳରେ ଓଦା।ଏବେ ବାହାର ଓଦା ଠାରୁ ଭିତର ଓଦା ତାକୁ ବେଶି ବିବ୍ରତ କରୁଥାଏ।କେମିତି ଗୋଟେ ଅଜଣା ଯନ୍ତ୍ରଣା ଯେମିତି ତାକୁ ସ୍ଥାଣୁ କରିଦେଇଛି।କଣ କରିବ..?କାହାକୁ କହିବ..?କିଛି ତା ମୁଣ୍ଡରେ ପଶୁନି।ଅନେକ ସମୟରେ ନିଜର ଲୋକମାନେ ବି ଏମିତି କିଛି ଭୟଙ୍କର ବିପତ୍ତି ଆଗରେ ଛିଡା କରେଇ ଦିଅନ୍ତି ଯେ, ଯୋଉଟା କାହାକୁ କହି ହୁଏନି। ଦୁଃଖ ଆସିଲେ ମଣିଷ ଆପଣା ଲୋକ ସାମ୍ନାରେ ବଖାଣି ଦେଇ ହାଲକା ହେଇଯାଏ କିନ୍ତୁ ସେ ଦୁଃଖ ସୃଷ୍ଟିର କାରଣ ଯଦି ଆପଣା ଲୋକ ହୁଏ,ତେବେ କେତେବେଳେ ଝାଞ୍ଜି ଆଉ କେତେବେଳେ ଉତ୍ତରା ବହେ କିଛି ବୁଝି ହୁଏନି।ସେ ଯନ୍ତ୍ରଣାକୁ ନିଜ ଭିତରେ ମିଳେଇଦବାକୁ ପଡେ,ଆଉ ସେ କଷ୍ଟରୁ ବାହାରିବାର ବାଟ ନିଜକୁ ହିଁ ବାହାର କରିବାକୁ ପଡେ।ଏବେ ଠିକ୍ ସେଇ ଅବସ୍ଥା ମନୋଜର।ଘର ଆଉ ଚାକିରୀ ଭିତରେ ସେ ଆଜି ବନ୍ଦୀ ହେଲା ପରି ଲାଗୁଛି, ୟା ପରେ ବି ନିଜେ ଆଉ ନିଜର ବି ଗୋଟେ ଦୁନିଆ ଅଛି ସେ ଭୁଲିଗଲାଣି,ଯେବେଠାରୁ ତା ବାପା ହାତ ଛାଡିକି ଗଲେ।ଏବେ ବୁଝୁଛି ମୁରବି ହେବା କେତେ କଷ୍ଟ!ଆଗରୁ ଏମିତି କେବେ ନ ଥିଲା ମନୋଜ।୨୮ ବର୍ଷିଆ ଯୁବ ଉଦ୍ଦାମତାରେ ଭରପୁର ବଳିଷ୍ଠ ଚେହେରାକୁ ଏବେ ଆଇନା ଆଗରେ ଛିଡା କଲେ ସେ ନିଜକୁ ଚିହ୍ନି ପାରୁନି।କଣ ସେ ସେଇ ମନୋଜ,ଯାହା ପାଇଁ ଦୁନିଆ ଖାଲି ଗୋଟେ ରଙ୍ଗୀନ ବାସ୍ତବତାର ଛିଟ ପ୍ରଜାପତି।ସକାଳର ପଖାଳ କଂସାରୁ ମୁହଁ କାଢ଼ିସାରିଲା ପରେ,ମନୋଜ ଫୁର୍ କିନା ଉଡିଯାଏ ପବନ ବେଗରେ ହରିଣ ଶିଙ୍ଗିଆ ପଲସର ବାଇକ ଧରି ବୁଲିବାକୁ ତାଙ୍କ ଗାଁ ପାଖକୁ ଲାଗି ଅଝଟିଆ ପ୍ରାଚୀ ନଈ କୂଳକୁ,ବୁଲି ବୁଲି ଅରଣା ମଇଁଷି ଭଳିଆ ଘର ଧରେ ନିତି ସଞ୍ଜରେ।ତା ଭଳି ପିଲାଙ୍କ ପାଇଁ ଜୀବନ ମାନେ ଖାଲି ଅନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ବଞ୍ଚିବା।କାହାର କଣ ଗଲା,କେତେ ଗଲା,ଘରେ କଣ ଅଛି ,ନାହିଁ କିଛିର ହିସାବ ନ ଥାଏ ତା ପାଖରେ।ପୁରା ହସ ଖୁସିଆ ମିଜାଜର ୫ଫୁଟ ୮ଇଞ୍ଚର ମଣିଷ ଥିଲା ମନୋଜ।

ତିନି ଝିଅ ପରେ ମନୋଜର ବାପା, ମାଙ୍କ ପାଇଁ ଯୋଉଦିନ ମନୋଜ କୁଳର ପ୍ରଦୀପ ହେଇ ଆସିଲା,ମା'ର ଛାତି କୁଣ୍ଢେ ମୋଟ ହେଇଯାଇଥିଲା ସେଦିନ।ନିମ୍ନ ମଧ୍ୟବିତ୍ତ ପରିବାରରେ ଟଙ୍କା ପଇସାର ଅଭାବ ତ ସବୁବେଳେ ଲାଗିରହେ।ହେଲେ, ମନୋଜ କେବେ ଅନୁଭବ କରି ନ ଥିଲା ଅଭାବର ଯନ୍ତ୍ରଣା କଣ ଆଉ କେତେ..?ବୋଧହୁଏ ସେଇଥିପାଇଁ ଏବେ ଛୋଟ ଛୋଟ କଷ୍ଟରେ ବି ଭାରି ବାଧୁଛି ମନୋଜକୁ।ପାଞ୍ଚ ପ୍ରାଣୀଙ୍କ ପାଟିରେ ଦାନା ଦେବାକୁ ଦେହକୁ ପଥର କରି ମନୋଜର ବାପା ସବୁ ଅଭାବ ଅସୁବିଧାକୁ ମନୋଜ ସମ୍ନାରୁ ପୋଛି ନେଇ ନିଜ ଦେହରେ ଲେସି ଦଉଥିଲେ।ତେଲ,ଲୁଣର ଯାଇ ତାଇ ସଂସାର ଭିତରେ ନେଣ ଦେଣ କରି ନିଜର ଶେଷ ସାହା ଭରସାର ବାପ,ଅଜା ପୈତୃକ ସମ୍ପତ୍ତି ବିକ୍ରି କରି ମନୋଜର ବାପା ଦୁଇ ଭଉଣୀଙ୍କ ବାହାଘର କାମ ସାରି ଦେଇ ଆରପାରିକୁ ଗଲେ ।ସେବେଠାରୁ ମନୋଜର ଚେତା ପଶିଲା।ବାପ ପରେ ତ ପୁଅ ଘରର ହର୍ତ୍ତା, କର୍ତ୍ତା,ଦଇବ,ବିଧାତା ହେଇଯାଏ।ପରିବାରର ଏବେ ଇଟା,ଗୋଡି ବି ଯେମିତି ମନୋଜ ଉପରେ ନିର୍ଭରଶୀଳ, ଯାହା ନ କରେ ତାହା ନ ହୁଏ।ସାନ ଭଉଣୀ ଆଉ ମା ର ସବୁ ଦାୟିତ୍ୱ ସାଥିରେ ନବ ବିବାହିତା ଦୁଇ ଭଉଣୀଙ୍କ ବାହାଘର ପରର ଅଗଡୁ ବଗୁଡୁ ପ୍ରଥା,ପରମ୍ପରାକୁ ବି ମନୋଜକୁ ହିଁ ବୁଝିବାକୁ ପଡ଼ିବ,ଯେମିତି ବାପା ବୁଝୁଥିଲେ।ମନୋଜକୁ ଆଉ ରାତି ସାରା ନିଦ ହଉନି,ଏକା ଏକା କେତେ କଣ ଗୁଣୁ ଗୁଣଉଛି।ଦାୟିତ୍ୱହୀନ ଓଲେଇ ଗାଈ ବେକରେ ଯେମିତି କାଠ ଫାଳିଆ ବନ୍ଧା ହେଇଯାଇଛି ତାକୁ ଦାୟିତ୍ୱ ଶିଖେଇବା ପାଇଁ।ଏବେ ତା ପାଇଁ ଜୀବନର ସଂଜ୍ଞା ପୁରା ଭିନ୍ନ।ଜୀବନର ଆଉ ଗୋଟେ ନାଁ ବୋଧେ ସଂଘର୍ଷ ,ସେକଥା ବୁଝିବାକୁ ଆଉ ବାକି ନ ଥିଲା ମନୋଜର।ଏଥର ସେ ପୁରା ଜୋର୍ ଲଗେଇ ଧାଇଁଲା।ଚାକିରୀ ଦରକାର ତାକୁ।ପେଟ ପୋଡିଲେ ହିଁ ମଣିଷ ଦାନା ଖୋଜିବାରେ ଲାଗିପଡ଼େ।ମନୋଜ ବି ସେମିତି ଗୁଡ଼ାଏ ସାର୍ଟିଫିକେଟ ଧରି ଏବେ ସହର ତଳି ଆଡେ ଧାଉଁଥିଲା ବେକାରର ତଣ୍ଟି ଚିପିବାକୁ।କେତେବେଳେ ଦିନ ଯାଇ ରାତି ହଉଥିଲା ଆଉ ସେ କେତେ ଦିନ ଯାଏ ଅଧ ରାତିରେ ଘରେ ପହଞ୍ଚୁ ଥିଲା ଖାଲି ହାତରେ ବେକାରି ପାଖରେ ହାର ମାନି,ଗଣି ନ ଥିଲା।ଏମିତି କେତେଟା ରାତି ବି ତାର କଟିଥିଲା ଅବଶ ଆଖି ଆଉ ଭୋକିଲା ପେଟର ପ୍ରତିଦ୍ବନ୍ଦିତା ଭିତରେ,ଠିକ୍ ସେତିକିବେଳେ ସେ ଅବଶ ଆଖିର ପକ୍ଷ ନେଇ ଶୋଇପଡୁଥିଲା ନିଦ କୋଳରେ।କିନ୍ତୁ,ବୋଉ ଡାକିଲେ କହୁଥିଲା,ସେ ବାହାରେ ଖାଇ ଦେଇଛି।ଯୋଉବର୍ଷ ଇଣ୍ଟରଭ୍ୟୁରେ ସିଲେକ୍ଟ ହେଇ ବର୍ଷିକିଆ ଠିକା ଚାକିରୀ ପାଇଲା ବୋଲି କହିଲା,ବୋଉ ତାର ଶହେ ମୁଣ୍ଡିଆ ମାରି କହୁଥିଲା ତାଙ୍କ ଗ୍ରାମ ଦେବତୀଙ୍କୁ,"ମା ଲୋ ,ମୋ ପୁଅକୁ ସାହା ହଉଥା,ମୋ ଆୟୁଷ ସବୁ ତାକୁ ଲାଗିଯାଉ,ମୋ ପୁଅ ଚାକିରି କଲା, ଏବେ ମୋ ଦୁଃଖ ଯିବ।"ସେ ଜାଣେନି ପୁଅ କି ଚାକିରୀ କରିଛି?କେତେ ଦରମା ପାଉଛି?କି କାମ,କଣ...?

ସେ ଏତିକି ଜାଣେ,ତା ପୁଅ ଚାକିରୀ କରିଛି,ବାସ୍।ତା ପରେ ବୋଝ ପରେ ବୋଝ ଏତେ ଜୋରରେ ମନୋଜ ଉପରେ ଲଦି ହେଇ ଯାଇଥିଲା, ସେ ବୁଝିପାରୁ ନ ଥିଲା,କୋଉ ବୋଝକୁ ପ୍ରଥମେ କାଢ଼ିବ ଆଉ କୋଉଟା ପରେ।ଏମିତି ତ ମନୋଜ ବି ଜାଣି ସାରିଥିଲା,ତା ଭଳି ଆର୍ଥିକ ସ୍ଥିତିର ଅବସ୍ଥାରେ ତିଆରି ହେଇଥିବା ପରିବାରର ପୁଅ ,ଝିଅଙ୍କ ଭାଗ୍ୟ।ଝିଅ ପାଠ ପଢୁ କି ନ ପଢୁ,ପ୍ରାପ୍ତ ବୟସରେ ବାପା,ମାଆଙ୍କ ପାଇଁ ବାହା ନ ହେଲେ ବୋଝ ଆଉ ପୁଅ ସେ ବୟସରେ ଉପନୀତ ହେଇ ବେରୋଜଗାର ହେଲେ କୁଳାଙ୍ଗାର।ଯଦିଓ ମନୋଜକୁ ସେ ଶବ୍ଦ ଶୁଣିବାକୁ ପଡିବା ଆରମ୍ଭ ସମୟରେ ସେ ଧାଇଁ ସାରିଥିଲା କୋଉ ଗୋଟେ ଚାକିରୀ ସନ୍ଧାନରେ।ହେଲେ ତା ସାନ ଭଉଣୀ ଏବେ ସେ ସ୍ଥାନରେ।ମା ପାଇଁ କେତେ କେଜାଣି ହେଇଥିବ,କିନ୍ତୁ ମନୋଜ ପାଇଁ ସେ ସତରେ ବୋଝ ହେଇ ସାରିଲାଣି।ଦୁଇ ଦୁଇ ଥର ପ୍ରସ୍ତାବ ଆସି ହଁ,କହିଦେଇ ଯାଉଛନ୍ତି ଯେ ଆଉ ଫେରୁ ନାହାଁନ୍ତି।ଏଣେ ବର୍ଷକୁ ବର୍ଷ ଠିକା ଚାକିରୀ ଉପରେ ମନୋଜର ଆର୍ଥିକ ମାନଦଣ୍ଡ ବି ଅଣ୍ଟା ସଳଖି ଛିଡା ହେଇ ପାରୁନି।

ଆଜି ଗୋଟେ ପ୍ରସ୍ତାବ ଆସିଛି, ଭଲ ଘର,ଭଲ ବର,ପୁଅ ବି ଗୋଟେ ବେସରକାରୀ ସଂସ୍ଥାରେ ସହକାରୀ ଅଫିସର ଭାବେ କାର୍ଯ୍ୟରତ।ଏତେ ସୁନ୍ଦର ପ୍ରସ୍ତବଟା ଯଦି ହାତ ଛଡା ହେବ,ସେ କଥା ଭାବି ଭାବି କାଲି ରାତିଠୁ ଠିକରେ ଶୋଇନି ମନୋଜ।ଏସନ ନ ହେଲେ, ଭାବିବି ମୋ ଭଉଣୀର ଭାଗ୍ୟରେ ବୋଧେ ବାହା ରେଖା ନାହିଁ।ଯା ହଉ ,ଯେମିତି ହଉ ,ଯେତେ ଯା ମାଗିଲେ ଦେଇକି ଭଉଣୀର ବାହା କରିଦେବି।ଏମିତି କେତେ କଣ ଗୁଣୁ ଗୁଣୁ ହଉଥାଏ ମନୋଜ।ମନୋଜର ମନ କଥା କେହି ଶୁଣିଲା ଭଳିଆ,ପୁଅ ଘର ରାଜି ହେଇଗଲେ,କିନ୍ତୁ,ଅତି କମରେ ଲକ୍ଷେ ଟଙ୍କା,ଆଉ ସବୁ ଆସବାବପତ୍ର ତା ସହ ମଣ୍ଡପରେ ବରଯାତ୍ରୀଙ୍କ ପାଇଁ ଖାନ୍ ଦାନିଆ ଭୋଜି।ଏତକ ଶୁଣି ମନୋଜ ମୁଣ୍ଡ ଘୁରେଇ ଦେଲାଣି,ହେଲେ ବଡ଼ ଜୋରରେ ହଁ ଭରି ଦେଇଛି ସମସ୍ତଙ୍କ ଆଗରେ।ଏବେ ବାହାଘର ପାଇଁ ଶେଷ ନିଷ୍ପତ୍ତି ଶୁଣା ସରିଛି।ତିନି ଗ୍ଲାସ ପାଣି ଏକାଥରେ ଢକ ଢକ ପିଇ ସାରିଲା ପରେ ବି ମନୋଜର ତଣ୍ଟି ଅଠା ହେଲା ଭଳିଆ ଲାଗୁଛି,ପୁଣି ଭାବୁଛି,ବାପା ଥିଲେ ବି ତ ମନା କରି ନ ଥାନ୍ତେ,ଆଉ ବୋଉ କେତେ ଖୁସି।ସାଇ ପଡିଶା ସାରା କହି ବୁଲୁଛି,"ମୋର କଣ ଯାଇ ତାଇ ଜୋଇଁ କି,ପୁରା ଖାନ୍ ଦାନିଆ ଜୋଇଁ,ରାଜକୁମାରଟେ ପୁରା,ମୋ ପୁଅ ବାଛିଚି,ତା ଭଉଣୀ ପାଇଁ।"ଏବେ ଗୋଟେ ପ୍ରଶ୍ନ ମନୋଜ ପାଇଁ, ଟଙ୍କା ଯୋଗାଡ଼ କେମିତି କରିବ..?ସେମିତି ଜମି,ବାଡ଼ି ଆଉ କିଛି ନାହିଁ,କେବଳ ତାର ଏଇ ୮ ବିଶୁଆ ନୁଆଁଣିଆ ଚାଳ ଖଣ୍ଡକ ଛଡା।ଚାକିରୀ ଏମିତିଆ କରିଛି ଯେ ,ନା ନିଜକୁ ପୁରା ଚାକିରିଆ କହି ପାରୁଛି ନା ବେକରିଆ।ଠିକା ଚାକିରିଆଙ୍କୁ ପୁଣି ଲମ୍ବା ଲୋନ ନା କୋଉ ବ୍ୟାଙ୍କ ଦେବ ନା କେହି ପୁଞ୍ଜିପତି।ଶେଷକୁ ମନୋଜର ଏବେ ଗୋଟେ ସାହା ଅଫିସର ଷ୍ଟାଫ।ଯାହା ହଉ ଯେମିତି ସେମିତି ମାଗି,ଗୁଡାଏ ଧାର କରଜ ପରେ ବାହାଘର କାମ ସରେଇ ଦେଇ, ଗୋଟେ ବୋଝ ସିନା ଓହ୍ଲେଇଲା,ହେଲେ,ଦିନ ରାତି ଏବେ ବି ଏକ କରି ଋଣ ଶୁଝିବାରେ ଦୌଡୁଥିଲା।ଠିକା ଚାକିରୀରେ ପୁଣି ଋଣ ଭାରଟା ଶୁଝିବା ମନୋଜକୁ ଏବେ ଲାଗୁଥିଲା, ସେତେବେଳର ସେ ନିଷ୍ପତ୍ତିରେ ବେକାରୀକୁ ସେ ଅଣନିଶ୍ୱାସୀ କରିଥିଲା ସତ ହେଲେ,ସମ୍ପୂର୍ଣ୍ଣ ମାରି ପାରିଲାନି।ଏମିତି ଚାକିରୀ ଠାରୁ ଢେର ଭଲ ବେକାରି,କାହାର ତୁମ ଉପରେ ଆଶା ନ ଥିବ କି କୋଉ ଆଶାକୁ ପୂରଣ କରିବାକୁ ଅଣହେଜ ହେଇ ଧାଉଁ ନ ଥିବ।



ତପସ୍ୱିନୀ

ବ୍ରହ୍ମେଶ୍ୱର ପାଟଣା, ଭୁବନେଶ୍ୱର

ମୋ-୯୫୫୬୧୯୭୩୨୭


Rate this content
Log in