Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅପଦାର୍ଥ ରାଜାଙ୍କର କାଠକଣ୍ଢେଇଶିଶୁ
ଅପଦାର୍ଥ ରାଜାଙ୍କର କାଠକଣ୍ଢେଇଶିଶୁ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

12 Minutes   270    6


Content Ranking
#1137 in Story (Oriya)

ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ବହୁ ଶତାବ୍ଦୀ ପୂର୍ବେ ଜଣେ ରାଜା ଥିଲେ । ସେ ଭାରି ଦୟାଳୁ । ସେ ତାଙ୍କର ସବୁ ପ୍ରଜାଙ୍କୁ ଭାରି ଭଲ ପାଉଥିଲେ । ଏପରିକି ସେ ଶତ୍ରୁ ମାନଙ୍କୁ ସଧ୍ୟ ଦୟା ପ୍ରଦର୍ଶନ କରନ୍ତି , ଫଳରେ ତାଙ୍କର ଶତ୍ରୁମାନେ ମଧ୍ୟ ତାଙ୍କର ମିତ୍ରରେ ପରିଣତ ହୋଇଯାଇଥିଲେ । ତାଙ୍କର ରାଜତ୍ୱ ସମୟରେ ଲୋକମାନଙ୍କର ଦୁଃଖ, ଦୁର୍ଦ୍ଦଶା ଓ ଅନାହାର ନଥିଲା । ସମସ୍ତେ ଖୁସିରେ ଥିଲେ । କିନ୍ତୁ ନିଜେ ରାଜା ଏହାର ବ୍ୟତିକ୍ରମ ।

ରାଣୀ ଥିଲେ ସୁନ୍ଦରୀ ଓ ରୂପବତୀ । ତାଙ୍କ ବିବାହର ଛଅ ବର୍ଷ ବିତି ଯାଇଥିଲା । କିନ୍ତୁ ସେ ମାଆ ହୋଇ ପାରିଲେ ନାହିଁ । ରାଜ୍ୟ ଚଳାଇବାକୁ ତାଙ୍କ ଅନ୍ତେ ତାଙ୍କର ଉତ୍ତରାଧିକାରୀ ଦରକାର । ସେଥିପାଇଁ ମନ୍ତ୍ରୀପରିଷଦ ଓ ଜ୍ଞାତିଜନଙ୍କର ଅନୁରୋଧରେ ରାଜା, ରାଣୀଙ୍କର ସାନ ଭଉଣୀକୁ ଦ୍ୱିତୀୟ ବିବାହ କଲେ । ତାଙ୍କର ମଧ୍ୟ କୌଣସି ସନ୍ତାନ ହେଲା ନାହିଁ । ତେଣୁ ସାରା ରାଜ୍ୟର ଲୋକେ ଯେତେବେଳେ ସନ୍ତାନର ଜନକ ହୋଇ ସୁଖରେ ରହୁଥିଲେ , ରାଜା ସନ୍ତାନ ଶୂନ୍ୟ ହୋଇ ଥିବାରୁ ଦୁଃଖରେ ଦିନ କାଟୁଥିଲେ ।

ତାଙ୍କ ଅନ୍ତେ ତାଙ୍କ ବଂଶ ଲୋପ ପାଇଯିବ , ତେଣୁ ରାଜ କର୍ମଚାରୀମାନେ ତାଙ୍କୁ ଆଉଥରେ ବିବାହ କରିବାକୁ ବାକୁ ବାଧ୍ୟ କଲେ । ରାଜା ନିଜେ ଭାବିଲେ - “ତୃତୀୟ ରାଣୀ ଯେ,ତାଙ୍କର ଭାଗ୍ୟ ପରିବର୍ତ୍ତନ କରି ପାରିବେ , ଏ ପ୍ରତିଶ୍ରୁତି କିଏ ଦେବ ? ସେଥିପାଇଁ ସେ ବିବାହ କରିବାକୁ ନାରାଜ ।”

ସମୟ ଗଡି ଚାଲି ଥାଏ । ରାଜା ଦିନକୁ ଦିନ ନିଜ ଦୁଃଖରେ ଅଭିଭୂତ ହୋଇ ପଡୁଥିଲେ । ସବୁବେଳେ ମନରେ ଯନ୍ତ୍ରଣା । ସେଥିରୁ ମୁକ୍ତି ପାଇବା ତାଙ୍କର ଲକ୍ଷ୍ୟ । ସେଥିପାଇଁ ସେ ସବୁବେଳେ ଜଙ୍ଗଲକୁ ଗଲେ । ବନ୍ୟ ପଶୁ ସବୁ ଶିକାର କରିବା ସମୟରେ ସେ ତାଙ୍କର ଦୁଃଖ ଭୁଲି ଯାଉଥଲେ ।

ଦିନେ ସନ୍ଧ୍ୟାରେ ରାଜା ଶିକାରରୁ ଫେରୁଥାନ୍ତି । ତାଙ୍କୁ ଗରୀବ କୁଡିଆ ଅତିକ୍ରମ କରିବାକୁ ପଡିଲା । ସେତିକି ବେଳେ କୁଡିଆ ଭିତରୁ ହଠାତ୍ ଗୋଟିଏ କରୁଣ କ୍ରନ୍ଦନ ଭାସି ଆସିଲା । ତାହା ହେଲା ତାଙ୍କର ଅଟକିବାର କାରଣ ।

ସେ ଦେଖିଲେ ଜଣେ ଯୁବତୀ ତା’ର ତଳିପେଟକୁ ଦୁଇ ହାତରେ ଟାଣି ଧରିଛି । ସେ ଉଚ୍ଚ ସ୍ୱରରେ କାନ୍ଦୁଛି ଏବଂ କାନ୍ଦି କାନ୍ଦି କହୁଛି - “ତୁ ବଦମାସ୍ ଠକ । ଯେଉଁ ପେଟ ସାହସୀ ସୁନ୍ଦର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ଜନ୍ମ ହୋଇଥାନ୍ତା, ତୁ ତା’ର ତଳି ପେଟକୁ ମାରିବାକୁ କିପରି ସାହସ କରି ପାରିଲୁ ? ମୁଁ ବୋଲି ତୋ ସହିତ ପରିହାସ କରୁଥିଲି । ତୁ ଶୀଘ୍ର ଏଠାରୁ ଚାଲିଯା । ନହେଲେ ମୁଁ ତୋର ତଣ୍ଟି ଚିପିଦେବି ।”

ଯେଉଁ ଦୁଷ୍ଟ ଲୋକଟି ଛିଟିକିଣିରେ ଯୁବତୀଙ୍କୁ ଯୋରରେ ମାରିଥିଲା, ସେ ଛିଟିକିଣିକୁ ଫୋପାଡି ଦେଲା । ତାପରେ ଦୌଡି କରି ପଳାଇଲା । ରାଜା ସେଇ ଯୁବତୀକୁ ଦେଖିଲେ । ଯୁବତୀଟି ରାଗରେ ଥରୁଥାଏ । ତଥାପି ସେ ଦେଖିବାକୁ ଖୁବ୍ ସୁନ୍ଦରୀ । ତା’ର ବୟସ ଷୋହଳରୁ ଅଧିକ ହେବନାହିଁ ।

ରାଜା ସେଦିନ ରାତିରେ ଶୋଇ ପାରିଲେ ନାହିଁ । ଝିଅଟି ରାଗରେ ଯାହା କହୁଥିଲା - “ଯେଉଁ ଗର୍ଭ ସାହସୀ ସୁନ୍ଦର ଦୁଇଟି ପୁଅ ଏବଂ ଗୋଟିଏ ସୁନ୍ଦରୀ ଝିଅ ଜନ୍ମ ଦେଇଥାନ୍ତା ।।।।।।” ତାହା ରାଜାଙ୍କ କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥାଏ । ସେ ଧୀରସ୍ଥିର ଭାବେ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲେ ।

ସକାଳ ହେଲା । ସୈନ୍ୟମାନଙ୍କୁ ତାଙ୍କର ଆଦେଶ, “ତୁମେମାନେ ସେଇ କୁଡିଆକୁ ଯାଅ । ସେ ଝିଅଟି କିଏ ଏବଂ ତା’ର ବିଷୟରେ ସବିଶେଷ ବିବରଣୀ ସଂଗ୍ରହ କର ।”

ସେଇ ସପ୍ତାହର ଗୋଟିଏ ଶୁଭ ଦିନରେ ରାଜା କୁଡିଆକୁ ଗଲେ । ସାଥିରେ ତାଙ୍କର ବହୁତ ଦାସୀ । ସେମାନଙ୍କ ହାତରେ ବହୁତ ବଡ ବଡ ଥାଳୀ । ସେଥିରେ ସୁସ୍ୱାଦୁ ଫଳ, ଦାମୀ ଶାଢୀ ଓ ସୁନ୍ଦର ସୁନ୍ଦର ହୀରାଖଚିତ ଅଳଙ୍କାର ରଖା ଯାଇଥାଏ ।

ସେଇ କୁଡିଆର ମାଲିକ ଜଣେ ମୋଚି । ସେମାନଙ୍କୁ ଦେଖି ମୋଚି ଅବାକ୍ । ସେ ହଠାତ୍ ରାଜାଙ୍କ ଗୋଡତଳେ ପଡି ଗୋଡ ଦୁଇଟିକୁ ଧରି କହିଲା - “ମହାରାଜ, କେଉଁ କାରଣରୁ ଆପଣ ମୋ ଦ୍ୱାରକୁ ଆଗମନ, ତାହା ପ୍ରକାଶ କରନ୍ତୁ । ନହେଲେ ମୁଁ ଆପଣଙ୍କର ଗୋଡ ଛାଡିବି ନାହିଁ ।” ରାଜାଙ୍କ ମୁହଁରେ ହସ । ସେ କହିଲେ “ମୁଁ ତମର କନ୍ୟାକୁ ବିବାହ କରିବାକୁ ଚାହେଁ । ଅନୁଗ୍ରହ କରି ମତେ ହଁ କରନ୍ତୁ ।”

ମୋଚି ରାଜାଙ୍କ ପାଦ ତଳୁ ଉଠି ଠିଆ ହେଲା । ସେତେବେଳକୁ ଛାତି ତା’ର ଧଡଧଡ ହେଉଥାଏ । ସେ ତା’ର ହାତ ଦୁଇଟିକୁ ଛାତି ଉପରେ ରଖିଲା । ରାଜାଙ୍କୁ ସେ ଗୋଟିଏ ଲୟରେ ଚାହିଁ ରହିଲା । ଜାଗ୍ରତ କି ସୁପ୍ତ, ତାହା ଜାଣିବା ପାଇଁ ସେ ତାର ହାତକୁ ଟିକିଏ ଚିମୁଟିଲା ତା’ର କହିବାକୁ ଆଗ୍ରହ ବହୁତ । କିନ୍ତୁ ତା’ ପାଟିରୁ କଥା ବାହାରୁ ନଥାଏ ।

ମୋଚିର ଝିଅ ରାଜାଙ୍କର ତୃତୀୟ ରାଣୀ ହେଲା । ତା’ର ଭବିଷ୍ୟତ ବାଣୀ ସତ୍ୟ । କାରଣ କିଛିଦିନ ପରେ ସେ ଗର୍ଭବତୀ ହୋଇଗଲା । ରାଜାଙ୍କର ଆନନ୍ଦ ସୀମାତୀତ । ଏଥିରେ ଆତ୍ମୀୟମାନେ ମଧ୍ୟ ଭାରି ଖୁସି । ବ୍ୟତିକ୍ରମ କେବଳ ଆଗ ଦୁଇ ରାଣୀ । ଗର୍ଭବତୀ ରାଣୀଙ୍କ ପ୍ରତି ସେମାନଙ୍କର ଈର୍ଷା ବହୁତ । ସେମାନେ ସାନ ରାଣୀଙ୍କର ପିଲାକୁ ଗର୍ଭରେ ନଷ୍ଟ କରିଦେବାକୁ ବଦ୍ଧ ପରିକର । କିନ୍ତୁ ତାଙ୍କର ସବୁ ପ୍ରକାର ଉଦ୍ୟମ ବୃଥା । ସାନରାଣୀ ସୌଭାଗ୍ୟଶାଳୀ । ସେଥିରୁ ସେ ରକ୍ଷା ପାଇ ଯାଉଥିଲେ ।

ମାସ ଗଡିଚାଲିଲା । ଗର୍ଭବତୀ ରାଣୀଙ୍କର ଯତ୍ନ ନେବା ଏକାନ୍ତ ଆବଶ୍ୟକ । ରାଜା ସେଥିପାଇଁ ଜଣେ ସୁଦକ୍ଷା ଧାଈକୁ ନିଯୁକ୍ତ କଲେ । ସେ ସାନ ରାଣୀଙ୍କ ପାଖରେ ସବୁବେଳେ ରହେ । ରାଣୀ ତିନୋଟି ପିଲାଙ୍କୁ ଜନ୍ମ ଦେବେ । ସେଥିରୁ ଦୁଇଟି ପୁଅ ଓ ଗୋଟିଏ ଝିଅ । ଏହା ଥିଲା ଜ୍ୟୋତିଷ୍କ ଓ ବୈଦ୍ୟଙ୍କର ଗଣନା ।

ରାଣୀଙ୍କର ଗର୍ଭବେଦନା ଆରମ୍ଭ ହୋଇଗଲା । ଧାଈଟି ରାଣୀଙ୍କୁ କହିଲା - “ଏ ସମୟରେ କଥା କହିବା ଅନୁଚିତ୍ । ରାଣୀଙ୍କର କଥା ବନ୍ଦ ପାଇଁ ସେ କିଛି ସବୁଜ ପତ୍ର ଆଣି ରାଣୀଙ୍କ ମୁଣ୍ଡ ପାଖରେ ରଖିଦେଲା । ତେଣୁ ରାଣୀ ଜନ୍ମିତ ଛୁଆଙ୍କର ଲିଙ୍ଗ ଜାଣିବା ପୂର୍ବରୁ ଚେତା ଶୂନ୍ୟ ହୋଇଗଲେ ।”

ପୂର୍ବରୁ ଦୁଇ ରାଣୀଙ୍କର ଧାଈକୁ ଯାହା ପରାମର୍ଶ ଥିଲା, ସେହି ଅନୁସାରେ ଧାଈଟି ରୁଦ୍ଧ ଦ୍ୱାର ଖୋଲିଦେଲା । ରାଣୀ ପିଲାମାନଙ୍କୁ ମାଆ ପାଖରୁ ନେଇଗଲେ । ତା ବଦଳରେ ତିନୋଟି କାଠ କଣ୍ଢେଇ ସେଠାରେ ରଖିଦେଲେ । ଧାଈକୁ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ପୂର୍ଣ୍ଣ ମୁଣି ଉପହାର

ଦେଲେ । ତା’ପରେ ଛୁଆମାନଙ୍କୁ ହିଂସ୍ର ଜନ୍ତୁ ଖାଇବାପାଇଁ ଜଙ୍ଗଲରେ ଛାଡି ଆସିବା ପାଇଁ ପଠେଇ ଦେଲେ ।

ସାନରାଣୀ ତାଙ୍କର ଚେତା ଫେରି ପାଇଲେ । ଧାଈଟି ତାଙ୍କୁ ତିନୋଟି କାଠ କଣ୍ଢେଇ ଦେଖାଇଲା ।

ସେ କହିଲା - “ଭଗବାନ ତୁମକୁ କି ଅଭିଶାପ ଦେଲେ କେଜାଣି ? ଏଇ କାଠକଣ୍ଢେଇ ତିନୋଟିକୁ ତମେ କିଛି ସମୟ ପୂର୍ବରୁ ଜନ୍ମ ଦେଇଛ । ପିଲା ଜନ୍ମର ଖବରପାଇବା ପାଇଁ ରାଜା ଖୁବ୍ ଆଗ୍ରହୀ । ସେଥିପାଇଁ ସେ ଅପେକ୍ଷାକରି ବସିଛନ୍ତି । ମୁଁ ତାଙ୍କୁ କ ଣ କହିବି ? ”

ସାନରାଣୀ ସେଇ କାଠ କଣ୍ଢେଇ ତିନୋଟିକୁ ଦେଖିଲେ । ଏହା ତାଙ୍କର ସନ୍ତାନ, ଏହା ସେ ବିଶ୍ୱାସ କରିପାରୁ ନଥିଲେ । ତେଣୁ ସେ କାନ୍ଦିବାକୁ ଲଗିଲେ । ରାଜା ଏ ଦୁଃସମ୍ବାଦରେ ମ୍ରିୟମାଣ । ତାଙ୍କର ଦୁଃଖ ଅସୀମ । ବଡରାଣୀ ଦୁହେଁ ଜାଣିଥିଲେ ଯେ, ଏ ସମ୍ପର୍କରେ ରାଜା ଜ୍ୟୋତିଷଙ୍କର ପରାମର୍ଶ ନେବେ । ତେଣୁ ସେମାନେ ଜ୍ୟୋତିଷଙ୍କୁ ଅନେକ ପରିମାଣରେ ଲାଞ୍ଚଦେଇ ନିଜ ଅକ୍ତିଆରକୁ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ । ତେଣୁ ଜ୍ୟୋତିଷ ଜଣଙ୍କ ରାଜାଙ୍କୁ କହିଲେ - “ହଜୁର, ବୋଧହୁଏ ରାଣୀଙ୍କ ଉପରେ କିଛି ଅଭିଶାପ ପଡିଛି । ମୁଁ ନିଶ୍ଚିନ୍ତ ଯେ, ସେ ତିନୋଟି କାଠ କଣ୍ଢେଇ ଜନ୍ମ ଦେଇଛନ୍ତି । ହଜୁର ଓ ହଜୁରଙ୍କର ରାଜ୍ୟ ପ୍ରତି କିଛିଦିନ ପାଇଁ ସାନରାଣୀଙ୍କୁ ବନ୍ଦୀଶାଳାରେ ରଖିଦେବେ, ତେବେ ଆପଣଙ୍କର ରିଷ୍ଟ କଟିଯିବ । ଆପଣଙ୍କର ମଙ୍ଗଳ ହେବ ।”

ରାଜା ଅତି ସରଳ । ଜ୍ୟୋତିଷ୍କଙ୍କ କଥାକୁ ସେ ଗ୍ରହଣ କରିନେଲେ । ସେ ରାଣୀଙ୍କୁ ବନ୍ଦୀକରି ବନ୍ଦୀଶାଳାରେ ପକାଇ ଦେଲେ । ପୁନର୍ବାର ତାଙ୍କର ଦୁଃଖ ଚାଲିଆସିଲା । ସେ ସେଥିରେ ଅତିଷ୍ଠ । ଦୁଃଖକୁ ଭୁଲିବା ପାଇଁ ସେ ପୁଣି ଶୀକାର କରିବା ପାଇଁ ଜଙ୍ଗଲକୁ ଗଲେ ।

ସେଇ ଜଙ୍ଗଲରେ ଗୋଟିଏ ଗୁମ୍ଫା । ସେଠାରେ ଜଣେ ତାନ୍ତ୍ରିକ ସ୍ତ୍ରୀଲୋକ ରହେ । ସେ ତା’ର ଫଳମୂଳ ସଂଗ୍ରହ କରିବା ପାଇଁ ଦିନକୁ ଥରେ ସେଇ ଗୁମ୍ଫାରୁ ପଦାକୁ ବାହାରେ । ଏଇ ସଦ୍ୟ ଜନ୍ମିତ ତିନୋଟି ଶିଶୁ ଉପରେ ତାର ନଜର ପଡିଲା । ସେ ସେମାନଙ୍କୁ ଦେଖି ଭାରି ଖୁସି । ସେ ଛୁଆ ତିନୋଟିକୁ ତା’ର ନିଜ ଗୁମ୍ଫାକୁ ନେଇଗଲା । ସ୍ତ୍ରୀଲୋକଟିର ଗୋଟିଏ ଯାଦୁ ଆଇନା ଥାଏ । ତା ସାହାଯ୍ୟରେ ସେ ପୃଥିବୀର ଯେ କୌଣସି ପ୍ରାଣୀର ଅତୀତ ଭବିଷ୍ୟତ ଜାଣିପାରେ । ତେଣୁ ସେ ତା’ର ଆଇନା ସାହାଯ୍ୟରେ ଛୁଆ ତିନୋଟିର ଅତୀତ କଥା ସହ ସେମାନେ କିପରି ଜଙ୍ଗଲକୁ ଆସିଲେ, ସେ ସବୁ କଥା ଜାଣି ପାରିଲା । ସେ ଚିନ୍ତାକଲା - ଶିଶୁଙ୍କ ବିଷୟରେ ଖବର ଦେଲେ, ରାଜା ଆସି ସେମାନଙ୍କୁ ନେଇଯିବେ । କିନ୍ତୁ ତାଙ୍କ ଜୀବନ ନିରାପଦ ରହିବ ନାହିଁ । ତେଣୁ ଉଚିତ୍ ହେବ ଯେ ଠିକ୍ ସମୟରେ ରାଜାଙ୍କୁ ଏକଥା ଜଣାଇବେ ।

ସେହି ଦିନଠାରୁ ତାନ୍ତ୍ରିକ ସ୍ତ୍ରୀ ଲୋକଟି ସେମାନଙ୍କୁ ପାଳେ । ସେ ସେମାନଙ୍କୁ ନିଜର ଶିଶୁ ଭଳି ଦେଖେ । ଏହା ଭିତରେ ପାଞ୍ଚବର୍ଷ ବିତି ଗଲାଣି । ଛୁଆ ତିନୋଟି ଟିକିଏ ବଡ ହୋଇଗଲେ ।

ତାଙ୍କ ମା କିନ୍ତୁ ସେ ପର୍ଯ୍ୟନ୍ତ ବନ୍ଦୀଶାଳାରେ ଆବଦ୍ଧ । ସେ ଦୟନୀୟ ଭାବରେ ରହିଥାନ୍ତି । ଏପରିକି ରାଜା ମଧ୍ୟ ତାଙ୍କୁ ଭୁଲିଗଲେଣି । ଦିନେ ମଧ୍ୟାହ୍ନ ସମୟ । ରାଜା ଶିକାର ପାଇଁ ହରିଣମାନଙ୍କ ପଛରେ ଦୌଡି ଦୌଡି କ୍ଳାନ୍ତ । ତେଣୁ ସେ ଜଙ୍ଗଲ ମଝିରେ ଥିବା ଝରଣା ପାଖକୁ ଆସିଲେ । ନିଜର ତୃଷା ନିବାରଣ କଲେ । କ୍ଳାନ୍ତି ନିବାରଣ ପାଇଁ ଝରଣା କୂଳରେ କିଛି ସମୟ ବିଶ୍ରାମ କଲେ । ସେଠାରେ ସେ ଦେଖିଲେ ଯେ , ଝରଣା କୂଳରେ ତିନୋଟି ପିଲା ଖେଳୁଛନ୍ତି । ନିଘଞ୍ଚ ଜଙ୍ଗଲ ଅରଣ୍ୟ ମଝିରେ ତିନୋଟି ପିଲାଙ୍କର ଉପସ୍ଥିତି ତାଙ୍କୁ ଆଶ୍ଚର୍ଯ୍ୟ କଲା । ତେଣୁ ସେ ତାଙ୍କ ପାଖକୁ ଆସିଲେ । ସେଥିରୁ ଦୁଇଟି ପୁଅ ଓ ଗୋଟିଏ ଝିଅ । ସେମାନେ ଦେଖିବାକୁ ଏକାଭଳି ।

ସୁନ୍ଦର ଛୁଆଗୁଡିକୁ ଦେଖି ରାଜା ଆନନ୍ଦିତ । ତାହା ପୁଣି ଅନେକ ବର୍ଷ ପରେ । ରାଜାଙ୍କର ମୁହଁରେ ହସ । କିନ୍ତୁ ଛୁଆମାନେ ମାଆ ଛଡା ଅରଣ୍ୟରେ ଆଉ କାହାକୁ ଦେଖି ନଥିଲେ । ରାଜା ତାଙ୍କ ପାଇଁ ଅପରିଚିତ । ଫଳରେ ତାଙ୍କର ଭୟ ହେଲା । ସେମାନେ ତାଙ୍କର ଗୁମ୍ଫାକୁ ଦୌଡି ଚାଲିଗଲେ । ଝରଣା କୂଳରେ ଜଣେ ଅପରିଚିତ ବ୍ୟକ୍ତିଙ୍କର ଉପସ୍ଥିତି ବିଷୟରେ ସେମାନେ ମା’ଙ୍କୁ ତାଙ୍କର ଜଣାଇଲେ ।

ତାନ୍ତ୍ରିକ ସ୍ତ୍ରୀ ଲୋକ ତାର ଆଇନା ସାହାଯ୍ୟରେ ସେ ଦେଶର ରାଜା ଜଙ୍ଗଲରେ ବୁଲୁଥିବାର ଦେଖିଲା । ସେ ପିଲାମାନଙ୍କୁ କହିଲା - “ଓହୋ, ସେ ହେଉଛନ୍ତି ଏହି ଦେଶର ରାଜା । ସେ ଆମରି ଭଳି ଜଣେ ମଣିଷ । ତାଙ୍କୁ ଭୟକର ନାହିଁ ।”

ତା’ ପରଦିନ ସ୍ତ୍ରୀ ଲୋକଟି ତିନୋଟି କାଠ କଣ୍ଢେଇ ତିଆର କଲା । ସେସବୁ ତିନୋଟି ଛୁଆଙ୍କୁ ଦେଇ କହିଲା - “ସେଇ ରାଜା ଆଜି ମଧ୍ୟ ଶିକାର ପାଇଁ ଆସିବେ । ତମେମାନେ ଯାଅ ଝରଣା କୂଳରେ ଖେଳିବ । ଯେତେବେଳେ ଦେଖିବ ଯେ ରାଜା ତମ ପାଖକୁ ଆସୁଛନ୍ତି , ତମେ କଣ୍ଢେଈକୁ କୋଳରେ ଧରି ଗୀତ ଗାଇବ - ଅପଦାର୍ଥ ରାଜାର

କାଠ କଣ୍ଢେଇ ସନ୍ତାନ

ଉଠିପଡ,ଉଠିପଡ,ଉଠିପଡ

ଆଉ ରାଜା ଯଦି ତମକୁ କିଛି ପ୍ରଶ୍ନ ପଚାରନ୍ତି, ତମେ ଏହି କଣ୍ଢେଇଗୁଡିକ ତାଙ୍କ ପାଦତଳେ ରଖିଦେଇ ଚାଲିଆସିବ । ସେ ନିଶ୍ଚିନ୍ତ ଭବରେ ତମକୁ ଅନୁସରଣ କରିବେ ।”

ସ୍ତ୍ରୀ ଲୋକଟିର ଅନୁମାନ ଠିକ୍ । ପିଲାମାନଙ୍କୁ ଦେଖି ରାଜାଙ୍କ ମନ ଉଦବେଳିତ । ସେ ପୁନର୍ବାର ଝରଣା କୂଳକୁ ଆସିଲେ ସେ ଛୁଆ ମାନଙ୍କୁ ଦେଖି ତାଙ୍କର ମୁହଁ ଉଜ୍ୱଳିଉଠିଲା । ଗଛ ମୂଳରେ ଠିଆ ହୋଇ ଛୂଆଙ୍କ ଖେଳ ଦେଖି ସେ ତନ୍ମୟ ହୋଇଗଲେ ଛୁଆମାନେ ମଧ୍ୟ ରାଜାଙ୍କୁ ଦେଖିଲେ । ତେଣୁ ମା ,କହିବା ଅନୁସାରେ ନିଜ କୋଳରେ କଣ୍ଢେଇକୁ ଧରି ସେମାନେ ଗାଇବାକୁ ଲାଗିଲେ - ଅପଦାର୍ଥ ରାଜାର କାଠ କଣ୍ଢେଇ ସନ୍ତାନ ଉଠିପଡ ଉଠିପଡ ଉଠିପଡ ।

ରାଜା ଏହି ଗୀତର ଅର୍ଥ ବୁଝିପାରିଲେ ନାହିଁ । ସେଥିପାଇଁ ପିଲାମାନେ କଅଣ କହୁଛନ୍ତି, ଜାଣିବାକୁ ତାଙ୍କର ପ୍ରବଳ ଇଚ୍ଛା । ସେ ଛୁଆମାନଙ୍କ ପାଖକୁ ଆସିଲେ । ଛୁଆମାନେ ସେହି ଗୀତକୁ ଆବୃତ୍ତି କରୁଥାନ୍ତି ।

ରାଜା ତାଙ୍କୁ ପଚାରିଲେ - “ଛୁଆମାନେ, ତମର ବାପ ମାଆ କାହାନ୍ତି ? ତମେ ଏହି ଘଞ୍ଚ ଅରଣ୍ୟ ଭିତରେ କାହିଁକି ଖେଳୁଛ ? ”

କିନ୍ତୁ ରାଜାଙ୍କ ପାଟିରୁ କଥା ସରିନାହିଁ, ଛୁଆମାନେ ତାଙ୍କର ଗୁମ୍ଫା ଆଡକୁ ଦୌଡିଲେ । କଣ୍ଢେଇଗୁଡିକ ସେହିଠାରେ ପଡି ରହିଲା ।

ରାଜା ସେମାନଙ୍କୁ ପଛରୁ ଡାକି କହିଲେ - “ରୁହ । ମୁଁ ତମର କୌଣସି କ୍ଷତି କରିବି ନାହିଁ । ତମେ କଣ୍ଢେଇଗୁଡିକ ନେଇଯାଅ । ସେମାନେ କିନ୍ତୁ ରାଜାଙ୍କ କଥାରେ ଅଟକିଲେ ନାହିଁ । ଦୌଡି ଦୌଡି ଯାଇ ଗୁମ୍ଫାରେ ପଶିଗଲେ । ତାଙ୍କର ପଛେ ପଛେ ରାଜା । ସ୍ତ୍ରୀଲୋକଟିଏ ଗୁମ୍ଫା ସମ୍ମୁଖରେ ଠିଆ ହୋଇଥିଲା । ସେ ରାଜାଙ୍କୁ ଦେଖି କହିଲା - “ଆସନ୍ତୁ ହଜୁର୍, ଆପଣଙ୍କ ପାଦ ମୋ ଦ୍ୱାରରେ ପଡିଛି । ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ।”

“ତମେ କିଏ ? ତମେ ଏହି ଘଞ୍ଚ ଅରଣ୍ୟ ଭିତରେ କାହିଁକି ଏକୁଟିଆ ରହିଛ ?” ରାଜା ପଚାରିଲେ ।

“ମୁଁ ଜଣେ ତାନ୍ତ୍ରିକ । ବହୁ ବର୍ଷ ତଳେ ଆପଣଙ୍କ ମନ୍ତ୍ରୀଙ୍କୁ କହିଥିଲି - ଆପଣଙ୍କ ପ୍ରଥମ ଦୁଇ ସ୍ତ୍ରୀ ବନ୍ଧ୍ୟା ହେବେ । ଏହା ଥିଲା ମୋର ଭବିଷ୍ୟତ ବାଣୀ । ସେଥିପାଇଁ ମନ୍ତ୍ରୀ ମୋ ଉପରେ ବିରକ୍ତ ହୋଇଥିଲେ । ସେ ମୋତେ ରାଜ୍ୟରୁ ନିର୍ବାସନ ଦଣ୍ଡ ଦେଇଥିଲେ ।”

ରାଜା କହିଲେ - “ତୁମର ଭବିଷ୍ୟତ ବାଣୀ ପୁରା ଠିକ୍ । ତେବେ ମତେ କୁହ ଏହି ସୁନ୍ଦର ପିଲା ତିନୋଟି କାହାର ?”

“ମୁଁ ଏହି ଦୁଗଧପୋଷ୍ୟ ଶିଶୁମାନଙ୍କୁ ଜଙ୍ଗଲରୁ ପାଞ୍ଚ ବର୍ଷ ତଳେ ପାଇଥିଲି ।”

“ମୁଁ ଦେଖୁଛି ଏହି ନିରୀହ ପିଲାମାନେ ସୁନ୍ଦର ଗୀତ ଆବୃତ୍ତି କରୁଛନ୍ତି । ତମେ ନିଶ୍ଚୟ ତାଙ୍କୁଏହି ଗୀତ ଶିଖାଇ ଥିବ । ଏହାର ଅର୍ଥ କଅଣ ?”

ହଜୁର ଅପଦାର୍ଥ ରାଜା । ହଜୁରଙ୍କର ବିଶ୍ୱାସ ଯେ, ରାଣୀ କାଠ କଣ୍ଢେଇ ପ୍ରସବ କରିଛନ୍ତି । ହଜୁର ଏତେ ନିର୍ବୁଦ୍ଧିଆ ଯେ, ଏହା ସତ କି ନୁହେଁ ତାହା ବିଚାର ମଧ୍ୟ କଲେ ନାହିଁ । ଅସମ୍ଭବ କଥାକୁ ସତ ବୋଲି ମନେ କଲେ । ତା’ଛଡା ପ୍ରିୟ ରାଣୀଙ୍କୁ କାଠ କଣ୍ଢେଇ ଜନ୍ମ ଦେଇଥିବା ଅପରାଧରେ ବନ୍ଦୀଶାଳାରେ ରଖିଛନ୍ତି ।”

ଏହା ତ ମୋ ଜୀବନ କାହାଣୀ ସହିତ ମିଶି ଯାଉଛି - ରାଜା ମନେ ମନେ ଗୁଣି ହେଲେ । ରାଜା ମୁହୂର୍ତ୍ତକ ପାଇଁ ଦମ୍ ନେଲେ । ତାପରେ କହିଲେ - “ମୋର ତୃତୀୟ ସ୍ତ୍ରୀ ତିନୋଟି କାଠକଣ୍ଢେଇକୁ ଜନ୍ମ ଦେଇଥିଲେ । ସେଥିପାଇଁ ସେ ବନ୍ଦୀଶାଳାରେ ଆବଦ୍ଧ । କିନ୍ତୁ ଯେହେତୁ ତମେ ଜଣେ ତାନ୍ତ୍ରିକ, ତମେ ସବୁ ସତ କଥା କହି ପାରିବ । ମୋ ଉପରେ ଦୟାକର । ମୋତେ ସତ କଥା କୁହ ।”

ନୂଆ ରାଣୀ ଗର୍ଭବତୀ ହେବାରୁ, ତମର ବନ୍ଧ୍ୟା ସ୍ତ୍ରୀମାନଙ୍କର ଈର୍ଷା ହେଲା । ସେମାନେ ତମ଼ର ଧାଇ ଓ ଜୌତିଷକୁ ଲାଞ୍ଚ ଦେଲେ । ତାଙ୍କ ମାଧ୍ୟମରେ ସେମାନେ ଆପଣଙ୍କୁ ପ୍ରତାରଣା କରିଛନ୍ତି । ସେମାନେ ତମର ଜନ୍ମିତ ତିନୋଟି ସନ୍ତାନଙ୍କୁ ଜଙ୍ଗଲରେ ଫୋପାଡି ଦେଇଥିଲେ ।

ରାଜାଙ୍କ ଆଖିରେ ଲୁହ । ତାଙ୍କର ପ୍ରଶ୍ନ - “ଏମାନେ କ’ଣ ମୋର ସନ୍ତାନ ?”

“ତମର ସନ୍ଦେହ ହେଉଛି ?”

“କିନ୍ତୁ ମୁଁ ତମକୁ କେମିତି ବିଶ୍ୱାସ କରିବି ।”

ରାଜାଙ୍କ କଥା ଶୁଣି ସ୍ତ୍ରୀ ଲୋକ ହସିଲେ । ସେ କହିଲେ - “ଏଇ ଛୁଆଗୁଡିକୁ ଆପଣଙ୍କ ସାଥିରେ ରାଜପ୍ରାସାଦକୁ ନେଇ ଯାଆନ୍ତୁ । ତାପରେ ଗୋଟିଏ ବଡ ଭୋଜିର ଆୟୋଜନ କରିବେ । ଏଇ ଛୁଆମାନଙ୍କୁ ଆପଣଙ୍କ ରାଜପ୍ରାସାଦର ଗୋଟିଏ ପ୍ରଶସ୍ତ ଜାଗାରେ ଚୌକିରେ ବସାଇ ଦେବେ । ତାପରେ ଆପଣଙ୍କର ତିନି ସ୍ତ୍ରୀଙ୍କୁ ଜଣେ ପରେ ଜଣେ ସେଇ ଛୁଆଙ୍କୁ ଖାଦ୍ୟ ପରିବେଷଣ କରିବାକୁ କହିବେ । ଦେଖିବେ କଅଣ ହେଉଛି । ଆପଣ ଟିକିଏ ବୁଦ୍ଧି ପ୍ରୟୋଗ କଲେ ଜାଣି ପାରିବେ ଯେ ଏଇ ଛୁଆଗୁଡିକ ପ୍ରକୃତରେ କାହାର ।

ମୁଁ ପରୀକ୍ଷା କରିବି । ମୁଁ ରାଜପ୍ରାସାଦରେ ଗୋଟିଏ ବିରାଟ ଭୋଜିର ଆୟୋଜନ କରି ସମସ୍ତଙ୍କୁ ନିମନ୍ତ୍ରଣ କରିବି । ଏତକ କହି ରାଜା ସେ ସ୍ଥାନ ପରିତ୍ୟାଗ କଲେ ।

ତା’ପର ଦିନ ସକାଳ । ରାଜା ପୁଣି ଗୋଟିଏ ପାଲିଙ୍କି ଧରି ଗୁମ୍ଫା ପାଖକୁ ଆସିଲେ । ତିନି ଛୁଆ ଏବଂ ତାନ୍ତ୍ରିକ ସ୍ତ୍ରୀ ଲୋକକୁ ପାଲିଙ୍କିରେ ବସାଇ ରାଜପ୍ରାସାଦକୁ ନେଇଗଲେ । ପ୍ରାସାଦର ଗୋଟିଏ କକ୍ଷ । ତାହା ବେଶ୍ ବଡ । ସେଥିରେ ବହୁ ଲୋକଙ୍କର ସମାବେଶ । ରାଜା ସେଥିରେ ପ୍ରବେଶ କଲେ । ସାଥିରେ ତାଙ୍କର ତିନୋଟି ପିଲା । ପିଲା ମାନଙ୍କୁ ଦେଖି ତାଙ୍କର ଦୁଇ ରାଣୀ ଆଶ୍ଚର୍ଯ୍ୟ । ମଞ୍ଚ ଉପରେ ପିଲାଙ୍କର ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥାଏ । ସେମାନଙ୍କୁ ନେଇ ରାଜା ତିନୋଟି ଚୌକିରେ ବସାଇଲେ । ଏ କଥା ଦେଖି ତାଙ୍କ ସ୍ତ୍ରୀ ଦୁଇ ଜଣଙ୍କର ସନ୍ଦେହ ବଢିଗଲା । ପାଖରେ ତାଙ୍କର ଜ୍ୟୋତିଷ ଠିଆ ହୋଇଥିଲେ । ସେମାନେ ତାଙ୍କ ସହିତ ପରାମର୍ଶ କଲେ। ଜ୍ୟୋତିଷ ଅତି ଚାପା କଣ୍ଠରେ ଉତ୍ତର ଦେଲେ - “ପାଞ୍ଚବର୍ଷ ତଳେ ଆପଣମାନେ ତୃତୀୟ ରାଣୀଙ୍କର ପିଲା ତିନୋଟିକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏମାନେ ସେଇ ପିଲା । ରାଣୀ ଏବେ କ’ଣ କରିବେ ଏକଥା ମୋର ଗଣନାର ବାହାରେ ।”

ପିଲାମାନେ ନିଜ ନିଜର ଆସନ ଗ୍ରହଣ କଲେ । ଓ ଭୃତ୍ୟମାନେ ବାଉଁଶ ଟୋକେଇରେ ମିଠା ଏବଂ ଅନ୍ୟ ଖାଦ୍ୟଧରି ଅତିଥି ମାନଙ୍କୁ ଖାଦ୍ୟ ପରିବେଷଣ କରିବାକୁ ଆସିଲେ । ରାଜାଙ୍କର ଆଦେଶ - “ପ୍ରଥମେ ମୋର ଦୁଇ ରାଣୀଙ୍କୁ କୁହ ସେମାନେ ତାଙ୍କୁ ଖାଦ୍ୟ ପରିବେଷଣ କରିବେ ।” ସେଇ ଦୁଇ ରାଣୀ ତ ମା’ର ସ୍ନେହ ମମତା କ’ଣ ଜାଣିନଥିଲେ । ତେଣୁ ସେମାନଙ୍କର ଶ୍ରଦ୍ଧା ବିରହିତ । ଅତି ରୁକ୍ଷ । ଛୁଆମାନଙ୍କର ଉପସ୍ଥିତି ସେମାନଙ୍କୁ ଭଲ ଲାଗୁ ନଥାଏ ।

ଦୁଇ ରାଣୀଙ୍କର ଗତିବିଧି ଉପରେ ରାଜାଙ୍କର ଲକ୍ଷ୍ୟ । ଏଣେ ରାଣୀମାନଙ୍କର ଉପସ୍ଥିତିରେ ପିଲାମାନେ ତ୍ରସ୍ଥ । ଭୟଭୀତ । ସେମାନେ ନୀରବ । ସେମାନେ ପରିବେଷିତ ଖାଦ୍ୟକୁ ସ୍ପର୍ଶ କଲେ ନାହିଁ । ଏପରିକି ମନା କରିଦେଲେ ।

ରାଜା ଛୁଆମାନଙ୍କୁ ଗେହ୍ଲା କରି ଫୁସୁଲାଇଲେ - “ପିଲାମାନେ, ତମରି ପାଇଁ ଏ ଆୟୋଜନ । ଏସବୁ ଖାଇଦିଅ । କିନ୍ତୁ ଛୁଆଗୁଡିକ ତଳକୁ ମୁହଁ ପୋତି ବସିଥାନ୍ତି । ସେମାନେ ମୁଣ୍ଡ ହଲାଇ ଖାଇବାକୁ ମନା କରିଦେଲେ । ରାଜା ମୁଖ୍ୟମନ୍ତ୍ରୀଙ୍କୁ ଆଦେଶ ଦେଲେ - “ଯାଅ ! ବନ୍ଦୀଶାଳାରେ ତିନୋଟି କାଠକଣ୍ଢେଇର ଜନ୍ମଦାତ୍ରୀଙ୍କୁ ସେଠାରୁ ନେଇଆସ । ରାଜାଙ୍କ ଆଦେଶ ତୁରନ୍ତ ପାଳନ କରାଗଲା । ବନ୍ଦୀଶାଳାରୁ ଜଣେ କ୍ଷୀଣ, ମାନସିକ ଚିନ୍ତାଗ୍ରସ୍ଥ ଯୁବତୀ ଆସିଲେ ।

ଏଠାରେ ନିଶ୍ଚୟ କିଛି ଅଘଟଣ ଘଟିବ । ଏହା ହେଲା ଦୁଇ ରାଣୀ ଓ ଜ୍ୟୋତିଷ୍କଙ୍କର ଆଶଙ୍କା । ସେମାନଙ୍କର ଜୀବନ ବିପଦପୂର୍ଣ୍ଣ । ଏଥିପାଇଁ ସେମାନଙ୍କର ମାନସିକ ଦୁଃଶ୍ଚିନ୍ତା ବଢିଗଲା ।

ତୃତୀୟ ରାଣୀଙ୍କର ଦୂରାବସ୍ଥା ଦେଖି ରାଜା ବିଚଳିତ । ଆଖି ଦୁଇଟି ତାଙ୍କର ଲୁହରେ ପୂର୍ଣ୍ଣ ।

ସାନରାଣୀ ମଞ୍ଚ ଉପରେ ଉପସ୍ଥିତ ହେଲେ । ତା’ପରେ ରାଜା ତାଙ୍କୁ ପିଲା ତିନୋଟିକୁ ଦେଖାଇ ଅତି ନମ୍ର ଭାବରେ କହିଲେ - “ତମେ ପିଲାମାନଙ୍କ ଖାଦ୍ୟ ପରିବେଷଣ କର ।”

ସାନରାଣୀ ସେମାନଙ୍କୁ ଚାହିଁଲେ । ପିଲାମାନେ ମଧ୍ୟ ତାଙ୍କୁ ଚାହିଁଥାନ୍ତି । ତାଙ୍କୁ ଦେଖି ସାନ ରାଣୀ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ଆଖି ବିସ୍ତାରିତ ହୋଇଗଲା । ତାଙ୍କ ମୁହଁ ଉଜ୍ଜଳ ହୋଇ ଉଠିଲା । ପିଲାମାନେ ମଧ୍ୟ ଆନନ୍ଦିତ । ଏହା ତାଙ୍କ ଚେହେରାରେ ପ୍ରତିଫଳିତ ସେ ଛୁଆମାନଙ୍କ ପାଖକୁ ଆସିଲେ । ପିଲାମାନେ ତାଙ୍କ ମୁହଁରେ ସେହି ଶ୍ରଦ୍ଧା ପ୍ରେମର ଆଭାସ ଦେଖିବାକୁ

ପାଇଲେ । ସେମାନେ ହସି ଉଠିଲେ । ରାଣୀ ଟୋକେଇରୁ ମିଠା ନେଲେ ପିଲାମାନଙ୍କୁ ଖୁଆଇଲେ । ପିଲାମାନେ ଆନନ୍ଦ ମନରେ ଖାଇବାକୁ ଲାଗିଲେ । ଏକ ଅଦ୍ଭୁତ ଘଟଣା ଘଟିବ । ଏହା ଥିଲା ତାନ୍ତ୍ରିକ ସ୍ତ୍ରୀର ଭବିଷ୍ୟତ ବାଣୀ । ଠିକ୍ ତାହା ହିଁ ଘଟିଲା । ରାଣୀଙ୍କ ସ୍ତନରୁ କ୍ଷୀର ପିଲାମାନଙ୍କ ଆଡକୁ ତୀର୍ଯକ୍ ହୋଇ ପଡିଲା । ପିଲାମାନେ ତାକୁ ପାନ କଲେ । ପେଟ ପୁରିବା ପର୍ଯ୍ୟନ୍ତ ।

ରାଜାଙ୍କୁ ତାନ୍ତ୍ରିକ ସ୍ତ୍ରୀ ଲୋକର ପ୍ରଶ୍ନ - “ଏହି ପର୍ଯ୍ୟାୟ କିଛି ବୁଝିପାରିଲେ ?”

ହଁ ଏହି ସତ୍ୟଟି ଜାଣିବା ପାଇଁ ମତେ ପାଞ୍ଚବର୍ଷ ଲାଗିଗଲା । ଏହା ଥିଲା ରାଜାଙ୍କର

ଉତ୍ତର । ଆଖିପତା ସବୁ ଉପରକୁ ଟେକି ଏହି ଅଭିନବ ଦୃଶ୍ୟ ସେ ଦେଖିଲେ ।

ରାଜାଙ୍କ ମୁହଁ ରାଗରେ ଲାଲ ପଡିଗଲା । ସେ ଚିତ୍କାର କରି ଉଠିଲେ - “ଏହି ଦୁଇ ବନ୍ଧ୍ୟା ରାଣୀଙ୍କୁ କାରାଗାରକୁ ନେଇଯାଅ । ଏମାନଙ୍କ ଅବଶିଷ୍ଟ ଜୀବନ କାରାଗାର ଭିତରେ କଟିବ ।”

ଧାଈର ଦୁଇ ହାତକୁ କାଟିଦିଅ । ଏହି ଜ୍ୟୋତିଷ୍କ ମୋତେ ପ୍ରତାରିତ କରିଛି ତା’ର ଜିଭ ଛେଦନ କରିଦିଅ ।

କିଛି ମୁହୂର୍ତ୍ତ ପରେ ପୁଣି ରାଜାଙ୍କର ରାଗ ଶାନ୍ତ ହୋଇଗଲା । କଣ୍ଠ ତାଙ୍କର ସ୍ନେହ ପୂର୍ଣ୍ଣ ଦରଦ । ସେ ତାଙ୍କ ତୃତୀୟ ରାଣୀଙ୍କୁ କହିଲେ - ତମେ ହେଉଛ ମୋର ଏକମାତ୍ର ରାଣୀ ।

ଶେଷରେ ଅପଦାର୍ଥ ରାଜାଙ୍କର କାଠକଣ୍ଢେଇ ସନ୍ତାନ ଜୀବନ୍ତ ହେଲେ ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି

ପୃଥି୍ବୀ କଣ୍ଢେଇ ସୁନ୍ଦରୀ

Rate the content


Originality
Flow
Language
Cover design

Comments

Post

Some text some message..