Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁକ୍ତିର ଆନନ୍ଦ
ମୁକ୍ତିର ଆନନ୍ଦ
★★★★★

© Rajabala Tripathy

Others

12 Minutes   380    4


Content Ranking

କାହିଁକି କେଜାଣି ସକାଳ ପହରୁ ମିଟୁ ପିଞ୍ଜରାରେ ଡେଣା ଫଡ ଫଡ କରୁଛି। ଭାରି ଅସ୍ତବ୍ୟସ୍ତ ହେଉଛି। ପିଞ୍ଜରା ପାଖକୁ ଧାଇଁ ଗଲା ମଧୁମିତା।

"କଣ ଲୋ ମିଟୁ କାହିଁକି ଫଡ ଫଡ ହେଉଛୁ। ତୋତେ ଭୋକ ହେଉଛି ନା।" ପିଞ୍ଜରା ଖୋଲି କିଛି ବୁଟ ଦାନା ଆଉ ପାଣି ରଖିଦେଲା ସେ । "ନେ..ଖା.." ତା ପୋଷା ସାରୀ ମିଟୁ ଭାରି ଅସ୍ତବ୍ୟସ୍ତ ହେଉଛି। କାହାକୁ ଡରୁଚିକି। ମାଙ୍କଡ଼ ନା କଣ ଯେ। ଆଖପାଖକୁ ଚାହିଁ ଦେଖିଲା ମଧୁମିତା।ଠିକ ପିଞ୍ଜରାକୁ ଲାଗିଥିବା ଗଛ ଡାଳରେ ବସିଛି ଆଉ ଏକ ସାରୀ। ତା ପାଖକୁ ଯିବା ପାଇଁ ଅସ୍ଥିର ହେଉଛି କି ମିଟୁ। ସେ କଣ ମୁକ୍ତି ଚାହୁଁଛି ତା ପିଞ୍ଜରାବଦ୍ଧ ଜୀବନରୁ।ତା ପାଳିତ ପରିବାରର ସ୍ନେହ ପ୍ରେମର ବନ୍ଧନରୁ। ନା..ଛାତି ଧକ ଧକ କଲା ମଧୁମିତାର। ତା ଗେଲ ବସରର ମିଟୁକୁ ଛାଡି ସେ ରହିବ କେମିତି। ମମି ମିଟୁକୁ ଦିନେ ନ ଦେଖିଲେ ଖାଇବା ପିଇବା ଛାଡି ଦିଏ। ତା ଥଂଟରେ ମିଠା ଫଳର ଦାନାଟିଏ ନ ଖୋଇଲେ ଡାଡି ଶୋଇବାକୁ ଯାଆନ୍ତି ନି।

ନାଁ... ମିଟୁକୁ ତାର ଜମା ଡିସଷ୍ଟ୍ରାକ୍ଟ ହେବାକୁ ଦେବନି। "ହୁସ.. ଯା" ପାଟି କରି ଘଉଡେଇବାକୁ ଚେଷ୍ଟା କଲା ସେ ଟିକେ ଦୂରରେ ଗଛର ନୁଆଁଣିଆ ଡାଳରେ ବସିଥିବା ଚଢ଼େଇଟିକୁ। ମଧୁମିତାର ର ପାଟି ଶୁଣି କି କଣ ଫୁର କିନା ଉଡ଼ିଗଲା ଚଢେଇଟି। ଆଶ୍ୱସ୍ତ ହେଇ ପୁଣି ତା ରୁମକୁ ଚାଲିଗଲା ମଧୁମିତା। ମିଟୁ ଅସ୍ତବ୍ୟସ୍ତ ହେଇ ପିଞ୍ଜରା ସାରା ଘୁରିବୁଲୁଥିଲା ।

"ମିତା ଏ ମିତା ଦେଖିବୁ ଆସେ " ମମିର ଡାକ ଶୁଣି ୟୁନିଭରସିଟିରୁ ଫେରି ଲଞ୍ଚ କରିସାରି ବେଡ଼ରେ ପଡୁ ପଡୁ ଜଷ୍ଟ ଲାଗି ଆସିଥିବା ମଧୁମିତାର ନିଦ ଚାଉଁ କିନା ଭାଙ୍ଗିଗଲା। ଧାଇଁଲା ପରି ମମି ପାଖକୁ ଚାଲିଗଲା। "କଣ ହେଲା ମମି" ମମି ଚୁପ ରହିବାର ଇସାରା କରି ଆଙ୍ଗୁଠି ବଢ଼େଇ ଦେଖେଇ ଦେଲେ ମିଟୁର ପିଞ୍ଜରା ଆଡ଼କୁ। ପିଞ୍ଜରା ଉପରେ ବସିଛି ଆଉ ଏକ ସାରୀ। ପିଞ୍ଜରା ଭିତରେ ମିଟୁ ଛଟ ପଟ ହେଇ ଘୁରୁଥାଏ। ନିଦୁଆ ଆଖିରୁ ସବୁ ତକ ନିଦ ଚାଲି ଗଲା ମଧୁମିତାର, " ମମି ଦେଖୁଛ କଣ ଘଉଡାଓ ତାକୁ। ମୋ ମିଟୁକୁ ନେଇଯିବାକୁ ଆସିଛି ସେ" ପାଟି କରି ପୁଣି ଥରେ ଘଉଦେଇଦେଲା ମଧୁମିତା। ପିଞ୍ଜରା ସହ ଅସ୍ତବ୍ୟସ୍ତ ମିଟୁକୁ ଧରି ଘର ଭିତରକୁ ନେଇ ଆସିଲା ସେ।

***********

"ସରି ଟିକେ ଲେଟ ହେଇଗଲା।" ପାର୍କର ସିମେଂଟ ବେଞ୍ଚରେ ବସି ପଡୁ ପଡୁ କହିଲା ମଧୁମିତା।

"ତୁମେ କେବେ ଶୀଘ୍ର ଆସ କି।ସବୁ ମନେ ରଖୁଛି। ଗୋଟେ ଦିନରେ ସୁଝେଇ ଦେବି ଯେ"ହସି ହସି କହିଲେ ଅସିତ।

"ମାନେ"

"ମାନେ,ତୁମେ ଯେବେ ବୋହୁ ବେଶରେ ମୋତେ ଅପେକ୍ଷା କରି ବସିଥିବ ମୁଁ ଜମା ଜଲ୍ଦି ଆସିବିନି। ତୁମ ସବୁ ଡେରିର ଗଣି ଗଣି ପ୍ରତିଶୋଧ ନେବି ସେଦିନ।" ମିଛି ମିଛିକା ରାଗ ଦେଖେଇଲେ ଅସିତ।

"ନାହିଁ। ତୁମେ ସେଦିନ ଜମା ଡେରି କରିବନି ପ୍ଲଜ଼ । କାନ ଧରୁଛି ଆଉ ଜମା ଡେରି କରିବିନି" ମୁହଁ ଶୁଖେଇ କାନ ଧରିଲା ମଧୁମିତା।

"ହଉ। ଆଉ ଡ୍ରାମା କରନି ମୋ ଡ୍ରାମା କୁଇନ। ସେଇ ଦିନଟି କେବେ ଆସୁଛି କି । ଟିକେ ଜଲ୍ଦି ଆସିଲେ ଭଲ ହୁଅନ୍ତା ନି"

"ମୋ ପିଜି ସରୁ ତ । ଟିକେ ରୁହ। ଏବେ ଘରେ କହିଲେ ଭାରି ଅସୁବିଧା ହେଇଯିବ।ଜାଣିଛ ତ ଡାଡି କେତେ ରାଗି। ଆଉ ଭାଇ ଜାଣିଲେ ତ ପ୍ରଳୟ କରିଦେଵ। ମୋତେ ଭାରି ଡର ଲାଗୁଛି"

"ଜାଣେ ସବୁ, ହେଲେ ଏବେଠୁ ଟିକେ କାନରେ ପଡ଼ିଥିଲେ ଧୀରେ ଧୀରେ ମାନି ନେଇଥାନ୍ତେ। ତୁମେ ତ ଜାଣିଛ ମୋର କେହି ନାହିଁ ଯାହାକୁ ମୁଁ ପଚାରିବି ବା କହିବି। ସବୁ କିଛି ତୁମ ଉପରେ "

"ମୋତେ ଭାରି ଡର ଲାଗୁଛି" ଅସିତର କାନ୍ଧରେ ମୁଣ୍ଡ ଥୋଇ କହିଲା ମଧୁମିତା।

" ଡରନି...ସବୁ ଠିକ ହେଇଯିବ। ମୁଁ ଅଛି ପା । ଦର୍କାର ପଡିଲେ ତୁମ ଘର ଲୋକଙ୍କୁ ବୁଝେଇବି" ମଧୁମିତାର ପାପୁଲିକୁ ମୁଠେଇଧରି ଆଶ୍ୱାସନା ଦେଲା ଅସିତ।

"ହେଲେ......" "ଶୁଣ"

ଭବିଷ୍ୟତ ଜୀବନର ଯୋଜନାରେ ବ୍ୟସ୍ତ ହୋଇଗଲେ ଦୁଇ ପ୍ରେମପକ୍ଷୀ। ରେଭେନ୍ସାରେ ଶେଷ ବର୍ଷ ଇଂଲିଶରେ ପିଜି କରୁଥିବା ମଧୁମିତା ନିଜର ଜଣେ ବନ୍ଧୁଙ୍କ ଜରିଆରେ ଭେଟି ଥିଲା ଅସିତକୁ। ଭୁବନେଶ୍ୱରରେ ଆଇ ଡି ବି ଆଇ ବ୍ୟାଙ୍କରେ ପିଓ ଭାବରେ ଚାକିରୀ କରେ ଅସିତ । ଭାରି ସଂଘର୍ଷ ପୂର୍ଣ୍ଣ ଜୀବନ ତାର। ପିଲାଟି ଦିନୁ ଅନାଥ। ବାପା ମାଆ ଦୁହିଁଙ୍କର ଠିକଣା ନାହିଁ। ଅନଥାଶ୍ରମରେ ବଢ଼ିଛି। ଅଠର ବର୍ଷ ବୟସ ପରେ ନିଜ ଠିକଣା ନିଜେ ଖୋଜି ବଡ଼ କଷ୍ଟରେ ପାଠ ପଢ଼ିଛି। କଷ୍ଟର ଫଳ ଭାବରେ ମିଳିଛି ଏକ ସୁରକ୍ଷିତ ଚାକିରୀ। ଜୀବନରେ ସମ୍ପର୍କର ମଧୁରତା ଓ ସ୍ନେହ,ପ୍ରେମରୁ ବଂଚିତ ଅସିତକୁ ମିଳିଯାଇଥିଲା ମଧୁମିତାର ସହଚାର୍ୟ । କିଛି ଦିନର ବନ୍ଧୁତା ଓ ତା ପରେ ପ୍ରେମ । ପାଖାପାଖି ଦେଢ଼ ବର୍ଷର ସମ୍ପର୍କ । ଦେଖୁ ଦେଖୁ କେତେ ବେଳେ ଯେ ଦୁହେଁ ଦୁହିଁଙ୍କର ଆଵଶ୍ୟକତାରେ ପରିଣତ ହୋଇଯାଇଥିଲେ ଜଣା ପଡିନଥିଲା। ଅସିତ ପାଇଁ ମଧୁମିତା ଥିଲା ଏକ ମାତ୍ର ସମ୍ପର୍କ ଓ ସୁଖର ଉତ୍ସ। ତାର ବ୍ୟସ୍ତ ବହୁଳ ଅଫିସ ଜୀବନରୁ କେବେ କେବେ ସମୟ ମିଳେ ଦୁହିଁଙ୍କୁ ମିଶିବା ପାଇଁ। ପାର୍କର ସିମେଣ୍ଟ ବ୍ୟାଞ୍ଚରେ ବସି ଖୋଲା ଆଖିରେ ଦୁହେଁ ବୁଣି ବସନ୍ତି କେତେ କେତେ ଭବିଷ୍ୟତ ଜୀବନର ସ୍ବପ୍ନ।

************

"କୁଆଡେ ଯାଇଥିଲୁ" ଘରୁ ପଶୁ ପଶୁ ଭାଇର ପ୍ରଶ୍ନ।

ଡ୍ରଇଂ ରୁମର ଦୁଆର ମୁହଁରେ ତା ଅପେକ୍ଷାରେ ଜଗିକି ଥିଲା ଯେମିତି ଭାଇ ।

"ସାଙ୍ଗ ଘରକୁ "

"ତୋ ସାଙ୍ଗ ଘରଟା କଣ ପାର୍କରେ। ଆଉ ସାଙ୍ଗଟା ଵୋଧେ ପୁଅ।"

"ମୁଁ...." କଣ କହିବ ବୁଝିପାରିଲାନି ମଧୁମିତା। ତା ପାଦ ତଳ ମାଟି ଖସି ଗଲା ପରି ଲାଗୁଥିଲା।

"ମମି, ଦେଖ ତୁମ ଝିଅ କେମିତି ଘରର ନାଁ ଉଜ୍ଜ୍ୱଳ କରୁଛି।" ପାଟି କରି ଉଠିଲା ମଧୁମିତାର ଭାଇ ବୁଲୁ।

"ଭାଇ , ଶୁଣୁ ତ । କାହିଁକି ଏମିତି କହୁଛୁ"

"କଣ ହେଲା ବୁଲୁ ।"

"ମମି ଦେଖ ତୁମ ଝିଅ କୁଆଡେ ଯାଇଥିଲା।" ମୋବାଇଲରୁ ବାହାର କରି ଫୋଟଟେ ଦେଖେଇଲା ବୁଲୁ। " ମୋ ସାଙ୍ଗ ଫୋଟ ଉଠେଇକି ପଠେଇଲା। ଆଉ ମୁଁ ଯାଉ ଯାଉ ଏମାନେ ଫେରାର। ସେ ଟୋକା ଆଜି ମିଳିଥିଲେ ତାର ହାତ ଗୋଡ଼ ଭାଙ୍ଗି ଦେଇଥାନ୍ତି" ରାଗରେ ଦାନ୍ତ କଡ଼ ମଡ଼ କରି କହିଲା ବୁଲୁ।

ଇସ ତାର ଆଉ ଅସିତର ପାର୍କର ବେଞ୍ଚରେ ବସିଥିବା ଫୋଟୋ। ମୁଣ୍ଡ ବୁଲି ଯାଉଥିଲା ମଧୁମିତାର। କଣ କରିବ ସେ ଏବେ।

"ୟିଏ କିଏ ମିତା"

"ମମି..ୟେ.."ଡରରେ ଶେତା ପଡିଯାଇଥିବା ମଧୁମିତା ବଡ଼ କଷ୍ଟରେ ପାଟିରୁ କଥା ବାହାର କଲା। "ଏ ଅସିତ..ଆମେ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁ" ତଳକୁ ମୁହଁ ପୋତି କହିଲା।

"ନାଁ କଣ ତାର । କଉ ଜାତିର ସେ କଣ କରେ କଉଠିକା ପିଲା ଘରେ କିଏ କିଏ ସବୁ ଅଛନ୍ତି।"ମେଞ୍ଚାଏ ପ୍ରଶ୍ନରେ ପୋତି ପକେଇଲେ ମଧୁମିତାର ମମି।

"ଅସିତ ବ୍ୟଙ୍କରେ ପୋଓ ଅଛନ୍ତି।"

"ଅସିତ କଣ ଆଗକୁ କଣ କିଛି ନାହିଁ" ବ୍ୟସ୍ତ ହୋଇପଚାରିଲେ ମାଆ।

"ଅସିତ କୁମାର ମମି ସେ ପିଲାବେଳୁ ଅନାଥ। ତେଣୁ ତାଙ୍କ ଜାତି ଧର୍ମ ଜାଣନ୍ତି ନାହିଁ। ଅନଥାଶ୍ରମରେ ବଢ଼ିଛନ୍ତି। ଆଶ୍ରମରେ ତାଙ୍କ ନାଁ ସହ ଯୋଡ଼ା ଯାଇଥିବା ସାଙ୍ଗିଆ କୁ ସେ ବାହାର କରି ଦେଇଛନ୍ତି।"ଡରି ଡରି କହିଲା ମଧୁମିତା।

"କଣ ଗୋଟେ ଜାତି ଧର୍ମ ନଥିବା ଅଜାତିଆ କୁ ତୁ ବାହା ହେବୁ କହୁଛୁ। ଛି ଛି ତୋତେ ଆଉ କେହି ମିଳିଲେନି। ଏତେ ପାଠ ପଢ଼ାର ଏହି ମୂଲ୍ୟ। "

"ମମି, ସେ ବହୁତ ଭଲ । ଥରେ ତାଙ୍କ ସହ ଦେଖା କରିକି ତ ଦେଖ। ସେ ଜାତି...." "ଚୁପ" ମଧୁମିତାର କାନ୍ଦୁରା କଥା ଅଧାରୁ ବନ୍ଦ କରି ଗର୍ଜି ଉଠିଲା ବୁଲୁ।

"ଅଲାଜୁକି..ତୋର ତ ବଡ଼ ସାହସ। ମମି ଆଗରେ ଏଭଳି କଥା ହେଉଛୁ।" ମାରିବାକୁ ହାତ ଉଠେଲା ବୁଲୁ। "କହ ସେ ଟୋକା ରହୁଛି କଉଠି । ଏମିତି ଅବସ୍ଥା କରିବି ଯେ ଆଉ ଦିନେ କଉ ଝିଅ କୁ ଆଖି ଟେକି ଦେଖିବନି ।

"ରହ ...ବୁଲୁ ବଢ଼ିଲା ଝିଅ ଦେହରେ ହାତ ଦେ ନା"

ଡରରେ ମମି ଆଡ଼କୁ ଘୁଂଚି ଯାଉଥିଲା ମଧୁମିତା। ଭାଇର ଏ ରୂପ ଦେଖି ଆଶ୍ଚର୍ଯ୍ୟ ହେଉଥିଲା ସେ। ଏ ସେଇ ଭାଇ ନା କିଛି ଦିନ ପୂର୍ବେ ତା କ୍ଲାସର ରୁବିକୁ ପଟେଇବା ପାଇଁ ଯିଏ ମଧୁମିତାକୁ କହିଥିଲା। ବିନା ଦ୍ବିଧାରେ ରାଜି ହେଇଯାଇଥିଲା ସେ। ରୁବି ଯଦି ତା ଭାଇକୁ ପସନ୍ଦ ଆଉ ଭାଇକୁ ବି ରୁବି ପସନ୍ଦ କରେ ତେବେ ତାକୁ ତା ଭାଉଜ କରିବାର ତାର କୌଣସି ଆପତ୍ତି ନାହିଁ। ରୁବି ସହ କଥା ବି ହେଇଥିଲା। ତା ଫୋନ ନମ୍ବର ଆଣି ଭାଇକୁ ଦେଇଥିଲା। ମଜାରେ ଭାଉଜ ଭାଉଜ ବି ଡାକିବା ଆରମ୍ଭ କରିଦେଇଥିଲା ସେ। ହେଲେ କିଛି ଦିନ ପରେ ରୁବି ହିଁ ଆମ ଭିତରରେ ଆଉ କିଛି ନାହିଁ ବୋଲି କହିଥିଲା। ଯେତେ ପଚାରିଲେ ବି କାରଣ କହି ନ ଥିଲା ସେ । ଭାଇକୁ ପଚାରିଲେ ବି ସେ କଥାଟିକୁ ଆଡେଇ ଯାଉଥିଲା। ରୁବି ଆଗ ଭଳି ତା ସହ ଏତେ ମିଶୁନଥିଲା। ନିଜ ତରଫରୁ ବହୁତ ଚେଷ୍ଟା ପରେ, ସେ ନିଜେ ବି ଖୁବ ବ୍ୟସ୍ତ ହେଇ ଯାଇଥିଲା। ଯେଉଁ ଭାଇର ପ୍ରେମକୁ ସଫଳ କରିବା ପାଇଁ ସେ ଯଥେଷ୍ଟ ପରିଶ୍ରମ କରିଥିଲା ସେହି ଭାଇ ଆଜି ତାର ତାକୁ ମାରିବାକୁ ଉଦ୍ୟତ।

"ଯା ଘର ଭିତରକୁ ଯା । ଏ ସବୁ ବିଷୟରେ ତୋ ଡାଡି ଆସନ୍ତୁ କଥା ହେବା" ପରିବେଶକୁ ଶାନ୍ତ କରିବା ପାଇଁ ମମି କହିଲେ।

"ହଁ ଯା ଆଜିଠୁ ତୋର ଘରୁ ବାହାରିବା ମନା। ଦେ ତୋ ମୋବାଇଲ ଦେ। ମମି ବହୁତ ପାଠ ହେଇଗଲା। ମାସେ ଭିତରେ ୟାର ମେରେଜ କରିଦେବାକୁ ପଡିବ"

ଯନ୍ତ୍ରଟେ ପରି ବିନା ବାକ୍ୟରେ ବ୍ୟାଗରୁ ମୋବାଇଲ କାଢି ବଢ଼େଇ ଦେଇନିଜ ରୁମକୁ ଚାଲିଗଲା ମଧୁମିତା।

*******

କବାଟ ଆଉଜେଇ ଦେଇ କୋହ ଲୁହରେ ଫାଟି ପଡିଲା ସେ । କାନ୍ଦି କାନ୍ଦି ବିଛଣାରେ ଲୋଟି ପଡିଲା।

ବେଜାଏ ଲୁହ ବୋହି କିଛି ଦୁଃଖ କମିଗଲା ପରେ ମନେ ପଡ଼ିଲା ମୋବାଇଲ ଏବେ ଭାଇ ପାଖରେ। ଘରେ ପହଁଚିଲା ପରେ ଅସିତ ନିଶ୍ଚୟ କଲ କରିଥିବେ। ଭାଇ ଯଦି ଅପମାନ କରିଥିବ ତାଙ୍କୁ। ଡରରେ ଛାତି ଧଡ଼ ଧଡ଼ ହେଲା ତାର। କଣ କରିବ ସେ ଏବେ। ଅସିତଙ୍କୁ କେମିତି ବଞ୍ଚେଇବ ଭାଇର ରାଗରୁ। ମମି ସହ କଥା ହେବକି। ହଁ ଥରେ ଚେଷ୍ଟା କରିବାର କଣ ଅସୁବିଧା ଅଛି। କବାଟ ଖୋଲିଲା ବାହାରକୁ ଆସିଲା ସେ।

ୟା ଭିତରେ କେତେବେଳେ ରାତି ହେଇଗଲାଣି। ଘର ଭିତରର ଆଜି ମଶାଣୀର ନୀରବତା। ଆଜି ଡାଡି ନିଉଜ ଦେଖୁନାହାଁନ୍ତି କି ମମିର ଶାଶୁ ବୋହୁ ସିରିୟଲ ବି ନାହିଁ। ଭାଇର ବି ଦେଖା ନାହିଁ।

ପାଦ ଚିପି ଚିପି ଶୋଇବା ଘର ଆଡ଼କୁ ଚାଲି ଗଲା ସେ। ବେଡ଼ର ଗୋଟିଏ ମୁଣ୍ଡରେ ତକିଆକୁ ଡେରି ଅଧା ଶୁଆ ହୋଇ ଥାଆନ୍ତି ଡାଡି । ମୁଣ୍ଡ ପାଖରେ ବସି ଥାଏ ମମି। ଏକ ଗମ୍ଭୀର ଆଲୋଚନା ଚାଲିଥାଏ ଦୁହିଁଙ୍କ ମଧ୍ୟରେ । ନିଶ୍ଚିତ ଭାବରେ ତାର ହିଁ କଥା। "ମିତା ଶୁଣିଲୁ"ଲେଉଟି ଆସିଲା ବେଳକୁ ପଛରୁ ଡାକିଦେଲେ ଡାଡି।"ଏଇଠି ବସ" ଖଟକୁ ଆଙ୍ଗୁଠି ଦେଖେଇ କହିଲେ ଡାଡି। ଦୋଷୀଙ୍କ ପରି ମୁହଁ ତଳକୁ କରି ବସିରହିଲା ମଧୁମିତା । ଡାଡିଙ୍କ ରାଗ ସହ ପିଲାବେଳୁ ଖୁବ ପରିଚିତ। ରାଗିଲେ ନିଜକୁ ସମ୍ପୂର୍ଣ୍ଣ ଭୁଲି ଯାଆନ୍ତି ସେ। ତାଙ୍କର ହାଇ ବିପି ପାଇଁ ସେ କ୍ଷୀଣ କୋପି। କଣ ଯେ ହେବ ଆଜି ଡରରେ ଗୋଡ଼ ହାତ ଥଣ୍ଡା ପଡିଯାଉଥାଏ ତାର।

"ଏ କଣ ଶୁଣୁଛି ମୁଁ । ତୋ ଭଳି ବୁଝିଲା ସୁଝିଲା ପଢୁଆ ପିଲା ଏ ଭଳି କାମ କେମିତି କଲା। ଥରେ ହେଲେ ଆମ କଥା ଭାବିଲୁନି କି। ହଉ ପସନ୍ଦ କଲୁ ତ କଲୁ ଜାତିର ପିଲାଟିଏ ହେଇଥିଲେ ହୁଏତ ଆମେ କିଛି ଭାବିଥାନ୍ତୁ। ଏ ତ ଜାତି କି ଧର୍ମ କିଛି ଠିକଣା ନାହିଁ। ଏ ଭଳି ପୁଅ ଆମ ବଂଶର ଜ୍ୟୋଇଁ ହେବ ବୋଲି ତୁ ଭାବି ପାରିଲୁ କେମିତି"

"ଡାଡି, ଥରେ ତ କଥା ହେଇ ଦେଖ। ଅସିତ ଖୁବ ଭ... ଅ."

" ରହ ତ ଭଲ ଭଲ...ମୋର କାହା ସହ କଥା ହେବାର ଆବଶ୍ୟକତା ନାହିଁ। ନିଜ ପାଇଁ କଲମଟେ ବି ବାଛିପାରିବାର ଯୋଗ୍ୟତା ନାହିଁ, ଆସିଲା ବାହାଘର ଠିକ କରିବାକୁ।" ମଧୁମିତାର କଥାକୁ କାଟି ଦେଇ ପାଟି କରି ଉଠିଲେ ଡାଡି।

"ଯାହା ହେଲା ହେଲା ଛାଡ଼ିଦେ । ଭୁଲି ଯା ସବୁ । ଗୋଟେ ଭଲ ପ୍ରସ୍ତାବ ଅଛି। ସେମାନେ ଏଇ ସପ୍ତାହରେ ଦେଖିବାକୁ ଆସିପାରନ୍ତି। ମେଣ୍ଟାଲି ପ୍ରିପେୟର ହେଇଯା "

"ଡାଡି ଅସିତ ଅନାଥ। ଏଥରେ ତାଙ୍କର ବା ଭୁଲ କଣ"

"ଭୁଲ ଠିକ ଆଉ ମୋତେ ଜମା ବୁଝାନା । କହିଲିନା ତାକୁ ଭୁଲିଯା ବୋଲି। ଯା..." ପାଟି କରି ଉଠିଲେ ଡାଡି। ଚମକି ପଡିଲା ମଧୁମିତା। "ତାକୁ ଭୁଲିଯା"ବାକ୍ୟଟି ତା ଛାତି କୋରି ଦେଉଥିଲା। ଲୁହ ଛଳ ଛଳ ଆଖିରେ ମମିକୁ ଥରୁଟେ ଚାହିଁଦେଇ ରୁମରୁ ବାହାରକୁ ଚାଲି ଆସିଲା ସେ।

**********

ଏ ଘଟଣାକୁ ସପ୍ତାହେ ବିତିଯାଇଥିଲା। ପୁରା ସପ୍ତାହଟା ବନ୍ଦୀ ପରି ଘର ଭିତରେ କଟି ଯାଇଥିଲା ତାର। ଏ ବିଷୟରେ ଆଉ କିଛି କଥା ବାର୍ତା ହେଇ ନଥିଲା। ମମି କ୍ଷଣେ ବି ତାକୁ ଏକୁଟିଆ ଛାଡୁନଥିଲା। ରାତିରେ ତା ରୁମରେ ତା ସହ ଶୋଉଥିଲା ମମି। ବାହାର ଗେଟର ଚାବି ତା ପୂର୍ବ ଜାଗାରେ ରହୁନଥିଲା। ଅନ୍ୟ ଆଡେ ତାର ବାହାଘର ପାଇଁ ଜୋର ସୋରରେ ଲାଗିଥିଲେ ମମି ଡାଡି। କଣ କରୁଥିବେ ଅସିତ। କେତେ ଯେ ବ୍ୟସ୍ତ ହେଉଥିବେ। କାନ୍ଦ କାନ୍ଦ ଲାଗୁଥିଲା ମିତାକୁ। କେତେ ଥର ଯେ ତା ଘର ରାସ୍ତାରେ ବୁଲି କରି ଯାଇସାରିବେଣି । ହେଲେ କଥା ପଦେ ହେବାର ଉପାୟ କାହିଁ।

"ଆଣ୍ଟି, ମଧୁମିତାର ଦେହ ଭଲ ନାହିଁକି।" ଦିନେ ସକାଳୁ ସକାଳୁ ରୋଶନୀ ତା ଘରେ ଆସି ହଜାର। ରୋଶନି ଅସିତ ଆଉ ତା ବିଷୟରେ ଜାଣିଥବା ତାର ଏକ ମାତ୍ର କ୍ଲୋଜ ଫ୍ରେଣ୍ଡ। ରୋଶନିର ସ୍ୱର ଶୁଣି ରୁମରୁ ବାହାରି ଆସିଲା ମଧୁମିତା।

"ହଁ ଟିକେ ଭଲ ନଥିଲା। "

"ସପ୍ତାହେ ହେଲା ଦେଖା ନାହିଁ ତ। କ୍ଲାସ ପାଇଁ ବି ଆସୁନି,ମୋବାଇଲ ବି ସ୍ୱିଚଅଫ। ମୁଁ ଭାବିଲି କଣ ଗୋଟେ ବଡ଼ ରକମର ହେଇଚି ବୋଲି"

"ଆରେ ନାହିଁ ନାହିଁ। ତା ମୋବାଇଲ ଟା କଣ ଖରାପ ହେଇଯାଇଛି ତ। "'ଏଇତ ମିତା ଆସିଲାଣି" ମଧୁମିତା କୁ ଦେଖି ମାଆ କହିଲେ।

ରୋଶନି କୁ ଧରି ରୁମ ଭିତକୁ ଚାଲି ଗଲା ମଧୁମିତା । ପଶୁ ପଶୁ ଆଗପଛକୁ ଚାହିଁ ରୋଶନିର ମୋବାଇଲରୁ ଅସିତଙ୍କ ଫୋନ ନମ୍ବର ଡାଏଲ କଲା ସେ। ରିଂ ହେଲା " ଜଲ୍ଦି ଉଠାଅ ଅସିତ.. ପ୍ଲିଜ" ମନେ ମନେ କହୁଥାଏ ସେ।

ରିଂ ହେଇ ହେଇ କଟିଗଲା।

ବ୍ୟସ୍ତ ହେଇ ପୁଣି ଥରେ ଡାଏଲ କଲା ସେ।

"ହେଲୋ " ସେପଟରୁ ଶୁଣା ଗଲା ଚିର ପରିଚିତତ ସ୍ୱରଟି।

"ଅସିତ..." କୋହରେ ଆଉ କିଛି କହିପାରିଲାନି ମଧୁମିତା।।

"ମିତୁ ତୁମେ କେମିତି ଅଛ। କଣ ହେଇଛି ଭଲରେ ଅଛ ନା ତୁମେ" ବ୍ୟସ୍ତରେ କହି ଉଠିଲେ ଅସିତ।

ଲୁହ ସମ୍ଭାଳି ପାରିଲାନି ସେ । ଏବେ ଏଇ ସଂଗେ ସଂଗେ ଧାଇଁ ପଳେଇ ତାଙ୍କୁ ଜାବୁଡି ଧରିବାକୁ ଭୀଷଣ ଇଛା ହେଉଥିଲା ମଧୁମିତାର। " ମିତୁ ...ଏ ମିତୁ ଘରେ କିଛି ଅସୁବିଧା ହେଇନି ତ। କୁହ କିଛି।ମୋତେ ଭାରି ବ୍ୟସ୍ତ ଲାଗୁଚି। "

ବଡ଼ କଷ୍ଟରେ ନିଜ ଲୁହ ଚାପି ନିଜ ଅବସ୍ଥା କଥା କହିଲା ମଧୁ ମିତା। ଜାଣିଲା ବି, ଫୋନରୁ ଭାଇର ଟୋନ ଶୁଣି କିଛି ଅସୁବିଧା ହେବାର ଆଶଙ୍କାରେ ଅସିତବି ଆଉ କେବେ କଲ କରି ନାହାନ୍ତି ଅସିତ।

" ମୁଁ କଣ କରିବି କୁହ। ଘରକୁ ଯିବି କି ମମି ଡାଡିଙ୍କ ସହ କଥା ହେବାକୁ।କୁହ। ପୋଲିସ ନେଇକି ଯିବି କି। କଣ କରିବି କୁହ। " ବ୍ୟସ୍ତ ହେଇ ପଡୁଥିଲେ ଅସିତ।

"ମୁଁ ପରେ ଜଣେଇବି ତୁମେ ବ୍ୟସ୍ତ ହୁଅନି" ମମିକୁ ଚା ନେଇ ଆସୁଥିବାର ଦେଖି କହି ଫୋନ କାଟି ଦେଇଥିଲେ ମିତା।

ମମି ପୁରା ସମୟ ତାଙ୍କ ଦୁହିଁଙ୍କ ସହ ରହିଥିଲା। ପୁଣି ଥରେ କଲ କରିବାକୁ ସୁଯୋଗ ପାଇ ନଥିଲା ମଧୁମିତା।

*****

"ଦେଖ ଯଦି କିଛି ବି ଏପଟ ସେପଟ କରୁ ତେବେ ତୋ ଡାଡିଙ୍କୁ ତ ଜାଣୁ ତାଙ୍କ ରାଗକୁ ବି। ହାଇ ବିପି ହେଇ କେତେବେଳେ ଷ୍ଟ୍ରୋକ ହେଇଯିବ। ତା ପରେ ମୋର ଆଉ ବଂଚି ଲାଭ କଣ। ତୁ ଖାଲି ନିଜ କଥା ଭାବୁ ଥା। ରକ୍ତର ବାପା ମା ଙ୍କ କଥା ଟିକେ ଚିନ୍ତା ଅଛି କି ତୋର" ପୁଅ ଘର ଦେଖି ଆସିବା ପୂର୍ବଦିନ ନାକ ସୁଡୁ ସୁଡୁ କରି ଆଖି ଲୁହ ପୋଛି ମମି ଡରେଇଥିଲେ ମଧୁମିତା କୁ। ନିଃସହାୟର ଶେଷ ପର୍ଯ୍ୟାୟରେ ଥିଲା ସେ । ତାର ସବୁ ଯାକ କାକୁତି ମିନତି ବିଫଳ ହେଇଯାଇଥିଲା। କେମିତି ବା ସେ ବୁଝେଇବ ବାହାଘର ଭାତ ଖୁଏଇଲା ଭଳି ଗୋଟେ ଯାନ୍ତ୍ରିକ କଥା ନୁହେଁ ଯେ ଜୋର ଜବରଦସ୍ତି କରି ହେବ। ଜଣଙ୍କୁ ନିଜର ବୋଲି ଭାବି ଦେଲା ପରେ ଗୋଟିଏ ଅପରଚିତ ବ୍ୟକ୍ତିକୁ ବାଧ୍ୟ ବାଧ୍ୟକତା ରେ କଣ ନିଜର ଭାବି ହୁଏ।

ଡାଡିଙ୍କର ନାଲି ଆଖି ମମିର ଲୁହକୁ ଆଖିରେ ରଖି ଅସହାୟର ପଥର ମୂର୍ତ୍ତିଟେ ଭଳି ସାମନା କରିଥିଲା ସେମାନଙ୍କୁ। ଅନିଚ୍ଛା ସତ୍ତ୍ୱେ ଇନଟରଭିୟୁ ପରି ଉତ୍ତର ଦେଇଥିଲା ପ୍ରଶ୍ନଗୁଡିକର। କିଏ ବର, କିଏ ଆଉ କଣ କିଛି ଜାଣିବାକୁ ଇଛା ବି କରିନଥିଲା ସେ।

ଏମିତି ଅଜବ ସ୍ଥିତିରେ ଦିନେ ରବିବାର ସକାଳେ ଘରର କଲିଂ ବେଲ ବାଜିଥିଲା।

"କାହାକୁ ଖୋଜୁଛନ୍ତି" ଡାଡିଙ୍କ ପ୍ରଶ୍ନର ଉତ୍ତରରେ ଉତ୍ତର କର୍ତାଙ୍କ ସ୍ୱର ଶୁଣି ଚମକି ପଡିଲା ମଧୁମିତା, ଅସିତ।

ମମି ତାକୁ ଜମା ବି ବାହାରକୁ ଯିବାକୁ ଦେଇନଥିଲା।

ଅସିତଙ୍କର କୌଣସି କଥା ନ ଶୁଣି ଯଥେଷ୍ଟ ଅପମାନିତ କରି ବାହାର କରିଦେଇଥିଲେ ଡାଡି । ରକ୍ଷା ଭାଇ ନଥିଲା ନହେଲେ କଥା ହୁଏତ ଆହୁରି ଖରାପ ହେଇ ଯାଇଥାନ୍ତା।

କିଛି ଦିନ ପରେ ଝିଅ ଆମ ପସନ୍ଦ ବୋଲି ଖବର ଆସିଥିଲା। ମଧୁମିତାର ହଁ କି ନାହିଁ ପଚାରେ କିଏ। ନିର୍ବନ୍ଧ ଦିନ ଠିକ ପାଇଁ ଚାଲିଥିଲା ପ୍ରେପରସନ । ଧୀରେ ଧୀରେ ଧିର୍ଯ୍ୟ ହାନି ଘଟୁଥିଲେ ମଧୁମିତାର। ତାକୁ ଲାଗୁଥିଲା ଯେମିତି ତା ଗୋଡ଼ ହାତ ବାନ୍ଧି ତାକୁ ପକେଇ ଦେବାକୁ ପ୍ଲାନ କରାଯାଉଛି ବିବାହ ନାମକ ଯଜ୍ଞକୁଣ୍ଡରେ। କଣ କରିବ କିଛି ବୁଝିପାରୁନଥିଲା ସେ। ଅସିତଙ୍କ ନିରୀହ ମୁହଁ ମନେ ପଡି ଯାଉଥିଲା ବାରମ୍ବାର। ତାଙ୍କର କଥା ସବୁ ବେଳେ ତା କାନରେ ବାଜୁଥିଲା,"ମିତୁ କୌଣସି ପରିସ୍ଥିତିରେ ବି ଭୁଲିବନି। ତୁମ ବ୍ୟତୀତ ମୋ ଜୀବନରେ ନିଜର ବୋଲି ଆଉ କେହି ବି ନାହାନ୍ତି। ତୁମେ ଯଦି ବାଟ ଭାଙ୍ଗି ଚାଲି ଯାଅ, ମୋ ବଞ୍ଚିବାର ଆଶା ଟିକକ ନଷ୍ଟ ହେଇଯିବ" ଲୁହ ଲୁହ ଧାର ଧାର ବୋହି ଯାଉଥିଲା ତା ଆଖିରୁ ।

କଣ କରିବ । ସମୟ ଧୀରେ ଧୀରେ ତାର ହାତ ମୁଠାରୁ ଖସି ଯାଉଛି। ସେ କଣ ଘର ଛାଡ଼ି ଅସିତଙ୍କ ପାଖକୁ ପଳେଇବ। ଏ କଥା ଭାବିଲେ, ମମି ଡାଡିଙ୍କ ମୁହଁ ସାମ୍ନାକୁ ଆସିଯାଏ। ନାଁ, ଏ ତ ତା ପାଇଁ ଅସମ୍ଭବ। ହେଲେ କେଉଁ ଭୁଲ ପାଇଁ ଅସିତଙ୍କୁ ସେ ଏତେ ବଡ଼ ଦଣ୍ଡ ଦେବ। କଣ ଅପରାଧ ତାଙ୍କର। ଭାବି ଭାବି ମୁଣ୍ଡ ଗୋଳ ମାଳ ହେଇଯାଏ ମଧୁମିତାର। ହେଲେ ଏ ବନ୍ଦୀ ଜୀବନରୁ ମୁକ୍ତିର ଉପାୟ କିଛି ମିଳେନା।

"ମିତା ଏ ମୁଦିଟା ପିନ୍ଧିଲୁ । ମାପ ଠିକ ହେଉଛିକି। ସେମାନେ ନିର୍ବନ୍ଧ ମୁଦି ପାଇଁ ମାପ ମଗେଇ ପଠେଇଛନ୍ତି।"

ବଡ଼ ଉତ୍ସାହିତ ହେଇ ମମି ସୁନାମୁଦିଟିଏ ତା ଆଡ଼କୁ ବଢେଇଲେ। ଜମା ବି ଉତ୍ସାହ ଦେଖିଲାନି ମିତା। ସେମିତି ମୁହଁ ଶୁଖିଇ ବସି ରହିଲା।

" ଏବେ ଯାଏଁ ବି ତୋ ନିଶା ଯାଇନି। ତୁ ଯାହା ବି କରୁଛୁ କର ବାହାଘର ତୋର ସେଇଠି ହିଁ ହେବ। "ରାଗରେ ତମ ତମ ହେଇ ମମି ଚାଲି ଗଲେ।

" ମିତୁ ଏ ମିତୁ ତୁମେ ଭଲ ଅଛନା।" ସେଦିନ ରାତିରେ ଅସିତ ବ୍ୟସ୍ତ ବିବ୍ରତ ହୋଇ ତା କାନ ପାଖରେ କହି ଉଠିଲା ପରି ଲାଗିଲା। ନିଦ ଭାଙ୍ଗି ଗଲା ମିତାର। ଛାତି ଭିତରେ ଯେମିତି ଏକ ଭୂମିକମ୍ପ । ଅସିତ ତାକୁ ଖୁବ ମନେ ପକେଉଛନ୍ତି ନିଶ୍ଚୟ। ପାଖରେ ମମି ନିଘୋଡ଼ ନିଦରେ । ବାହାରକୁ ଆସି ଦେଖିଲା ରାତି ସାଢ଼େ ଚାରି। ହୁଏତ ଆଜି ହିଁ ନେବାକୁ ହେବ ତାକୁ ଏକ ଚରମ ନିଷ୍ପତ୍ତି। ଏ ପାର ନହେଲେ ସେପାର। ଆଉ ଡେରି ହେଇଗଲେ ଅସୁବିଧା ହେଇଯିବ। କେବେ ହେଲେ ପାଇବନି ସେ ତା ଅସିତଙ୍କୁ। ନାଇଟ ସୁଟ ବାହାର କରି ସଲ୍ୱାରଟେ ପିନ୍ଧି ପକେଇଲା। ପାଦ ଚିପି ଚିପି ଡାଡିଙ୍କ ରୁମରୁ ଗେଟ ଚାବି ଆଣିଲା ତା ସହ ଡାଡିଙ୍କ ମନୀ ପର୍ସରୁ କିଛି ଟଙ୍କା। ବସରେ ଭୁବନେଶ୍ୱର ଯାଏଁ ଯିବା ପାଇଁ କିଛି ଟଙ୍କା ତ ଦର୍କାର ହେବ ନିଶ୍ଚୟ। ଟଙ୍କା ତକ ତା ପର୍ସରେ ରଖି ଡ୍ରଇଂ ରୁମରେ ନୋଟ ପେଡରେ ଲେଖିବାକୁ ବସିଲା ଛୋଟ ଚିଠିଟେ ।



ଡାଡି,

ମୁଁ ଯାଉଛି। ଜାଣେ କେବେ ତୁମେମାନେ ମୋତେ କ୍ଷମା କରିବନି। କିନ୍ତୁ ମୁଁ ଅସିତଙ୍କୁ ପ୍ରତାରଣାର ଦୁଃଖ ଦେବାର କରିବାର କୌଣସି କାରଣ ଖୋଜି ପାଇଲି ନାହିଁ। ସେ ଅନାଥ ଏଥିରେ ତାଙ୍କର କୌଣସି ଭୁଲ ନାହିଁ । ତୁମ୍ଭମାନଙ୍କୁ ବୁଝେଇବାକୁ ବହୁତ ଚେଷ୍ଟା କଲି। ହେଲେ ପାରିଲିନି। ତୁମମାନଂକର ହାତ ଛାଡିଲେ ଜୀବନରେ କେବେ ନା କେବେ ହୁଏତ ଧରିବାକୁ ସୁଯୋଗ ମିଳିପାରେ କିନ୍ତୁ ଅସିତଙ୍କ ହାତ ଥରେ ଛାଡିଦେଲେ ଆଉ କେବେ ଧରିବାକୁ ମିଳିବ ନାହିଁ। ତେଣୁ ଯାଉଛି। ଯଦି ପାରିବ ମୋତେ କ୍ଷମା କରିଦେବ।

। ଇତି ।

ମିତା

ଡାଡିଙ୍କ ପର୍ସ ତଳେ ଚିଠିଟିକୁ ଚଉତି ରଖିଦେଲା ସେ । ବହୁତ ଧୀରେ ଟିକେ ବି ଶବ୍ଦ ନହେଲା ପରି ବାହାର କବାଟ ଖୋଲିଲା। ବାହାରର ଥଣ୍ଡା ଥଣ୍ଡା ପବନରେ ଭାରି ହଲୁକା ଲାଗୁଥିଲା ତାକୁ। ଗେଟ ତାଲା ଖୋଲି ବାହାରକୁ ପାଦ ବଢ଼େଇବା ପୂର୍ବରୁ କିଛି ମନେ ପଡିଗଲା ତାର। ଟିକେ ପଛକୁ ଫେରି ଆସିଲା। ପିଞ୍ଜରାରେ ମିଟୁ ଆଖି ବୁଜି ଘୁମଉଛି। ଠିକ ତା ପରି ବନ୍ଦୀ ଜୀବନରୁ ମୁକ୍ତି ପାଈଁ ଛଟ ପଟ ହୋଇ ଥକି ଯାଇଚି ବୋଧେ। ସାଥି ବିନା ନିସଙ୍ଗ ଜୀବନ। ତାର ବି ତ ସାଥିଟିଏ ଦର୍କାର । ପିଞ୍ଜରା ବଦ୍ଧ ଜୀବନରୁ ମୁକ୍ତ ହେଇ ନୀଳ ଆକାଶରେ ଉଡି ବୁଲିବାକୁ ତାର ମଧ୍ୟ ଇଛା ହେଉଥିବ । ମିଟୁର ଛଟ ପଟକୁ ନିଜ ଭିତରେ ପ୍ରଥମ ଥର ପାଇଁ ଅନୁଭବ କରିପାରିଲା ମଧୁମିତା । ପିଞ୍ଜରା ଖୋଲିଲା ସେ। ତରକି ଛାଟି ପିଟି ହେବା ପୂର୍ବରୁ ମିଟୁକୁ ମୁଠେଇ ଧରି ବାହାରକୁ ଆଣିଲା । "ଯା ପଳା ତୋ ସାଥି ପାଖକୁ। ଉଡି ଯା" ମିଟୁକୁ ଉଡେଇ ଦେଲା ସେ।ଖଣ୍ଡି ଉଡା ଦେଇ ଯାଇ ଭୂଇଁରେ ବସି ପଡିଲା ମିଟୁ। ଆଖି ଖୋଲି ଚାରି ଦିଗ ଦେଖିଲା। ଡେଣା ଝଡ଼ିଲା। ଉଡ଼ିଗଲା ପାଖ ଗଛର ଡାଳକୁ। କିଛି ସମୟ ବସିଲା ସେ, ତା ପରେ ଉଡି ଗଲା ଦୂରକୁ ଦୂରକୁ। ମିଟୁ ପରି ସାଥି ସହ ଉଡିଯିବାର ପ୍ରବଳ ଇଛା ଭିଡି ମୋଡି ହେଲା ମଧୁମିତା ଭିତରେ। "ଚନ୍ଦ୍ରଶେଖରପୁର, ୟୁନିଟ ଟେନ ଲେନ ଇଲେଭେନ ହାଉସ ନମ୍ବର ତିରିଶ/ଏ" ଭଲରେ ମନେ ପକେଇଲା । ହଁ ଆଜିଠୁ ଏଇଟା ତାର ନୂଆ ନୀଡ଼ର ଠିକଣା । ହସର କିରଣଟିଏ ଖେଳି ଗଲା ଓଠରେ। ମୁକ୍ତିର ଆନନ୍ଦରେ ଝଲ ମଲ କରୁଥିଲା ମଧୁମିତାର ମୁହଁ। ଗେଟ ବାହାରକୁ ପାଦ ବଢ଼େଇଲା ସେ । ଏକ ନୂତନ ଦିନର ପ୍ରତିଶ୍ରୁତି ଦେଇ ପୁର୍ବ ଦିଗର ଆକାଶ ନାଲି ପଡି ଆସୁଥିଲା।

ରାଜବାଳା..

ମଧୁମିତା ମିଟୁ ଅସିତ

Rate the content


Originality
Flow
Language
Cover design

Comments

Post

Some text some message..