pratap nayak

Others


3  

pratap nayak

Others


ଆତ୍ମାର ବିଳାପ

ଆତ୍ମାର ବିଳାପ

3 mins 7.4K 3 mins 7.4K

ଆତ୍ମାର ବିଳାପ ସେ ପୁଣି ଅତୃପ୍ତ ।ଜୀବନକୁ ଅଧାରେ ଛାଡି ଯାଇଥିବା ଆଧିଭୌତିକ ଚେତନା ସର୍ବସ୍ୱ ଏ ଆତ୍ମା ।କେତେକେତେ ମହାମନିସୀ ବ୍ୟାସ ପରାସର ଚିନ୍ତାର ବାହାର ଏ ଆତ୍ମା ।ଗୀତାରେ ଆତ୍ମାର ରହସ୍ୟ ବୁଝାଇବା ପାଇଁ ସ୍ଵୟଂ ନାରାୟଣଙ୍କ ସର୍ଜନା ଏ ମହାଭାରତ ।ଅଭିମନ୍ୟୁ ମୃତ୍ତ୍ୟୁ ବେଳର କିୟଦଂଶ ହେଉ ଅବା ରଥ ଚକ ଦବୁ କୀରଟ କୁଣ୍ଡଳ ଛିଡୁ କି ପିତାମହକୁ ଦେଖି ସମ୍ମୁଖେ ଅସ୍ତ୍ର ତ୍ୟାଗର ବିକାର ଆସୁ ,ସବୁ ସେହି ଆତ୍ମ ଚିନ୍ତନର ବେଳ । ଗୀତା ପାଇଁ ମହାଭାରତ ନା ମହାଭାରତ ପାଇଁ ଗୀତା ଜ୍ଞାନ ଉପାଖ୍ୟାନ ??

ବେଲାଳସେନ ଭାଷାରେ ସୁଦର୍ଶନ ହିଁ ଏକା ବିଜେତା... ।

ଗପିଯାଉଥିଲା ଚେଲା ମନିଆ ମଠ ପିଣ୍ଢାରେ ।ଘେରି ରହିଥିଲେ ଗାଁଟା ଯାକର ପିଲା ମାଇପେ ବୃଦ୍ଧ...।

ଦେହରେ ଚାରି ଦିନ ହେଲାଣି ଅମାପ ତାତି,ଆଖି ବାଳ ଯୋଡି ଯୋଡି ,ଶୁଖି କଳାକାଠ ପଡିଗଲାଣି ।ପାଟିକି କିଛି ନଉନି ।ମଠରେ କାମ କରୁଥିବା ବାରିକ ମାଳୀ ଥକି ଗଲେଣି କହିକହି ।ବଇଦ ପଥି ବି କାମ କରୁନି।

ଆଜି ସକାଳୁ ଗପୁଛି ଯେ ଗପୁଛି ପାଟିରେ ବାଟୁଳି ବାଜୁନି ।ବଡ ମହମହନ୍ତଙ୍କ ଆତ୍ମା ସବାର ହେଇଛନ୍ତି ସମସ୍ତେ କୁହାକୁହି ହଉଛନ୍ତି । ଅବିକଳ ମହନ୍ତଙ୍କ ପରି କଥାବାର୍ତ୍ତା,ଗାଁର ବୟସ୍କ ଲୋକମାନଙ୍କୁ ମହନ୍ତଙ୍କ ପରି ନାଁ ଧରି ଡାକୁଛି।

ଜ୍ଞାନ ଚର୍ଚ୍ଚା କରୁଛି ମଠ ପିଣ୍ଢାରେ ବଡମହନ୍ତଙ୍କ ସଦୃଶ।

ଏ ବର୍ଷ ଦୋଳ ବିମାନ ବାହାରିବାରେ ଯେଉଁ ବିଳମ୍ବ ଘଟିଥିଲା କାହା ପାଇଁ । କେଉଁମାନେ ମଠ ବାଡି ମାଡି ବସିଛନ୍ତି । ଗଉଣିଏ ଧାନ କି ମୁଗ ବିରି କୋଳଥ ମଠକୁ ଦଉନାହାଁନ୍ତି । ସବୁଦିନ କିଏ ମଠକୁ ଆସି ପ୍ରସାଦ ପାଇବା ନାଁରେ ତା ପାଇଁ ଯୋରଯବରଦସ୍ତ ଚାଉଳ ପକୋଉଛି,ମଠର ଅଭାବ କହିଲେ ମଦ ପିଇ ସୋଧୁଛି । କଳିଅକଳିରେ ଭାଂଗ ଗଞ୍ଜେଇ ମଦ ଖାଇବାକୁ ପଇସା ମାଗି ଜୁଲୁମ କରୁଛି । ସବୁ ବସି ବଖାଣୁଛି ଚେଲା ମନିଆଁ । ଆଁ କରି ଚାହିଁ ରହିଛନ୍ତି ଦେଖଣା ହାରୀ । କାହାରି ତୁଣ୍ଡରେ ଭାଷା ନାହିଁ।

ସମସ୍ତିଙ୍କ ଗୋହି ଖୋଳୁଛି ବଡମହନ୍ତଙ୍କ ଅତୃପ୍ତ ଆତ୍ମା ମନିଆ ଚେଲା ଦେହରେ ସବାର ହେଇ...।

ବାପା ସାଂଗରେ ମୁଁ ଯାଇଥିଲି ପ୍ରେତାତ୍ମା ଦେଖିବା ଲୋଭରେ....।ମତେ ଡାକିଲେ ମହନ୍ତ । ଡରିମରି ଛାନିଆଁ ।ବାପାଙ୍କୁ କୁଣ୍ଢେଇଧରି କାନ୍ଦିଲି।

ଆରେ ନାତିଆ ତତେ କଣ ମୁଁ ଡରେଇବି ଆ’ ତତେ ଟିକେ ଗେଲ କରିଦିଏ । କହିକି ବାପାଙ୍କ କୋଳରୁ ମତେ ନେଇ ତା କୋଳରେ ବସେଇ ଗେଲକଲା, କହିଲା ନାତିଆ ତୁ ବଡ ହେଇ ଏ ଗାଁର ନାଁ ରଖିବୁ । ମଠର ରାଧାକୃଷ୍ଣ ସେବା ତୁ ବି ଏ ଚେଲା ମନିଆ ଦ୍ୱାରା ସୁଚାରୁ ରୂପେ କରେଇବୁରେ...।

ଏତିକି ବେଳେ ଗୁଣିଆ ଆସି ପହଞ୍ଚିଲା ବାପାଙ୍କୁ ନମସ୍କାର କଲା ବଡମହନ୍ତଙ୍କୁ ଝଡାଫୁଙ୍କା କରି କଣ ନବୁ ପଚାରିଲା । ପିତ୍ତଳ ନୋଟାରେ ପାଣିନୋଟାଇ ମନ୍ତ୍ର କରି ଗୁଣିଆଁ ଦବାରୁ ଦାନ୍ତରେ ମନିଆ ସେ ନୋଟାପାଣିକି ଧରି ପଛ ବାରିପଟ ନଡିଆମୁଳେ ଦୁମକିନା କଚାଡି ହେଇ ପଡିଲା । ଦେହ ସାରା ପାଣି ସରସର । ଲୋକେ ଧରାଧରି କରିଆଣିଲେ ।ମନିଆ ଏକଦମ୍ ଠିକ୍ ।ଦେହରେ ଯୋର ନାହିଁ ଖନେଇ ଖନେଇ କଥା କହୁଛି । ବଡମହନ୍ତଙ୍କ ପ୍ରେତାତ୍ମା ଛାଡି ପଳେଇଲାଣି।

ବାପାଙ୍କ କାନ୍ଧରେ ବସି ଘରକୁ ଆସିଲି ।

ମନିଆଁ ଯା’ ସବୁ କହିଲା ସବୁ ସତ, ବପାଙ୍କୁ ପଚାରିଲି?

ସବୁ ସତ ବାପା କହିଲେ । ମଲା ପୁର୍ବରୁ ଯିଏ ତାର ଅଧୁରା କାମ ଛାଡି ଯାଇଥାଏ,ଯାର ମନରେ କିଛି ଅବଶୋଷ ଥାଏ । ସେ ଅନ୍ୟ ଯୋନିରେ ଜନ୍ମ ହେବା ପୁର୍ବରୁ ପ୍ରେତାତ୍ମା ହେଇ ବୁଲେ।

ବାପା ବୋଧହୁଏ ଏହି କଥା ମତେ ବୁଝେଇବାକୁ ଚାହୁଁଥିଲେ କିନ୍ତୁ ମୋ ଆଠ ନ ବର୍ଷର ମୁଣ୍ଡରେ ସେତେବେଳେ ସେ ଶକ୍ତି ନଥିଲା ବୁଝିବା ପାଇଁ ଏତେ କଥା।

ବାପାଙ୍କ କଥାରୁ ଅନୁମାନ କରୁଥିଲି ସେ ଯେମିତି ମନେମନେ ଅନୁତାପ କରୁଛନ୍ତି.....।

ଘରେ ପହଞ୍ଚି ବାପା ,ଆମ ଘରେ ଚାଷ ବାସ କରୁଥିବା ହଳିଆ ମକରାକୁ କହଲେ ।ମକରା କାଲି ଅହ୍ମାରରୁ ଅସି ଗଉଣି ଧାନ ଆଉ ଓଳିଆରୁ ଚଉଦ ଗଉଣୀ ମୁଗ ନେଇ ମଠରେ ଦେଇ ଆସିବୁ ।ହଁ ଏ ସନଠୁଁ ସେ ମାଧିଆ ବର ନାଳିରେ ଯୋଉ ପନ୍ଦର ଗୁଣ୍ଠିଆ ବିଲ ଅଛି ସେଥିରେ ଯାହା ଫଳିବ ସବୁ ନେଇ ମଠରେ ଦେଇ ଆସିବୁ।

ମୁଁ ତ କିଛି ସେତେବେଳେ ବୁଝି ପାରିଲିନି।

ବାପା ନାହାଁନ୍ତି ଏବେ । ଚକବନ୍ଦି ହଉଛି ଆମ ମଉଜା ,ସେ ପନ୍ଦର ଗୁଣ୍ଠିଆ ପାଇଁ ଚକବନ୍ଦି ଅଫିସର ମତେ ସହରରୁ ଡକାଇ କହଲେ ଏଇଟାତ ମଠନାଁରେ ସାବିକ ଖାତା ଅଛି ଅମିନ ରିପୋର୍ଟରେ ଧୂଳିଭାଗ ତୁମର ,କଣ କରିବା ତୁମ ନାମ ଦରଜ ରହୁ ଧୁଳିଭାଗ ସତ୍ତ୍ୱରେ.......।

ମୋ ମୁଣ୍ଡରେ ହାତ ବୁଲେଇ ଗେଲ କରି ବଡ ମହନ୍ତଙ୍କ ପ୍ରେତାତ୍ମା ମନିଆକୁ ଲାଗି କହିଥିବା କଥା ଆଉ ବାପା ମକରା ହଳିଆକୁ କହିଥିବା ମଠକୁ ଧାନ ମୁଗ ଦେବାକଥା ମୋର ମନେପଡିଗଲା ।ଏବେବି ସେ ପନ୍ଦର ଗୁଣ୍ଠିଆର ସବୁ ଫସଲ ମଠକୁ ଯାଉଛି ।ବାପାଙ୍କ ପାଇଁ କାହିଁକି କେଜାଣି ଦୁଇ ଟୋପା ଲୁହ ଚାଲି ଆସିଲା ଆଖିରୁ।

କହଲି ଚକବନ୍ଦି ଅଫିସରଙ୍କୁ ଆମ ଧୂଳିଭାଗ କାଟି ରାଧାକୃଷ୍ଣ ମଠ ନାମରେ ସମ୍ପୁର୍ଣ ସ୍ଥିତିବାନ ରେକର୍ଡ କରିଦିଅ।

ବାଟରେ ଆସିଲା ବେଳେ,ନିଜକୁ ଭାରି ଆତ୍ମ ସନ୍ତୋଷ ମିଳୁଥିଲା ଅନୁଭବ କଲି ।ମୁଣ୍ଡରୁ ମସ୍ତ ବଡ ବୋଝ ଓହ୍ଲେଇଲା ପରି ପ୍ରତୀୟମାନ ହେଲା । ବହୁତ ହାଲକା ହାଲକା ଲାଗୁଥିଲା ନିଜକୁ ।ରାଧାକୃଷ୍ଣଙ୍କ ପାଇଁ କିଛି ନକଲି ନାହିଁ ପଛେ ମଠ ଜମି ତ ଫେରେଇ କିଛିକାଂଶରେ ପିତୃରୁଣ ସୁଝିଛି । ବାପା ନିଶ୍ଚୟ ସେ ପୁରରେ ଖୁସି ହଉଥିବେ । ତାଙ୍କ ମନକଥାକୁ ସାକାର ରୁପ ଦେଇଛି ବୋଲି । ସେତିକି ମୋର ଆତ୍ମ ସନ୍ତୋଷ........।

ଆତ୍ମାର ବିଳାପ ...ହଉ ମଠ ବଡ ମହନ୍ତଙ୍କର ହଉ ବାପାଙ୍କର ବିଳପୁ ନଥିବେ ଏବେ ମୋ'ରି ଉପରେ...........।


Rate this content
Originality
Flow
Language
Cover Design