ଆତଙ୍କିତ ଅଶ୍ରୁ
ଆତଙ୍କିତ ଅଶ୍ରୁ
ଛଅ ବର୍ଷର ଝିଅ ଅହଲ୍ୟା ଆଖିରେ ସେଦିନ ବାନ୍ଧିଥିଲା ଅସୁମାରୀ ଅଶ୍ରୁ । ଜୀବନକୁ ଠିକ୍ ଭାବରେ ବୁଝିନଥିଲେ ବି ଖାଲି ଏତିକି ବୁଝିଥିଲା ସେ ଯାହା ପାଇଁ ପ୍ରଥମ ଶବ୍ଦ ଉଚ୍ଚାରଣ କରିଥିଲା, ଯିଏ ତାକୁ ସମସ୍ତଙ୍କ ସହ ପରିଚୟ କରାଇଦେଇଥିଲା, ସିଏ ଯାହାକୁ ମା’ ବୋଲି ଡାକୁଥିଲା, ଲୋକଙ୍କ କହିବା ମୁତାବକ ଯିଏ ତାକୁ ଦଶ ମାସ ଦଶଦିନ ଗର୍ଭ ଯନ୍ତ୍ରଣା ସହି ଜନ୍ମ ଦେଇଥିଲା ସିଏ ଆଜି ସବୁଦିନ ପାଇଁ ଶୋଇଯାଇଛି । ବାପା ଏବଂ ଘରର ଅନ୍ୟାନ୍ୟ ସଦସ୍ୟ ମାନେ କାମରେ ବ୍ୟସ୍ତ କିନ୍ତୁ ସମସ୍ତଙ୍କ ନଜର ଆଢୁଆଳରେ ଘରର ଗୋଟିଏ କୋଣରେ ବସିଥିଲା ଅହଲ୍ୟା । ଅଦିନିଆ ବର୍ଷା ପରି ତା’ ଆଖିରୁ ବହିଚାଲିଥିବା ଲୋତକ ବିନ୍ଦୁଗୁଡିକ ସେଦିନ ଯେକୌଣସି ଲୌହମାନବକୁ ବି ଭିଜାଇ ଦେଇଥାନ୍ତା ।
ଏମିତି କିଛି ଦିନ ବିତିଗଲା ସମସ୍ତେ ଭୁଲିଗଲେ ତା ମା’କୁ ଏପରିକି ତା ବାପା ବି ମଧ୍ୟ । ତା’ ମାଆଙ୍କ ଜାଗାରେ ଘରକୁ ଆସିଲେ ଜଣେ ନୂଆ ସଦସ୍ୟ । ବାପା ତା’ ସହ ତାଙ୍କର ପରିଚୟ କରାଇ ଦେଇ କହିଲେ ଏ ହେଉଛନ୍ତି ତୋର ନୂଆ ମାଆ । ଆଜିଠୁ ତୁ ୟାଙ୍କୁ ମା’ ବୋଲି ଡାକିବୁ । ଏତକ କହି ହାତରେ ଗୋଟେ ଚକ୍ଲେଟ୍ ଧରାଇଦେଇ ବାପା ଚାଲିଗଲେ ସିନା ମାତ୍ର ଅହଲ୍ୟାର କଅଁଳ ମନଟା ତା ମା’ ଜାଗାରେ ଏ ନୂଆ ସଦସ୍ୟା ଜଣଙ୍କୁ ଗ୍ରହଣ କରିପାରୁନଥିଲା । ତାଙ୍କୁ ମା’ବୋଲି ସମ୍ବୋଧନ କରିବା ତ ଦୂରର କଥା ସେ ତାଙ୍କ ମୁହଁକୁ ବି ଅନାଇବାକୁ ଚାହୁଁ ନଥିଲା । ବାପାଙ୍କ ଭୟରେ ସେ ତାଙ୍କୁ ମା’ ବୋଲି ଡାକିଲା ମାତ୍ର ପଡିଶା ଘରର ଲୋକମାନେ କୁହନ୍ତି ସେ କାଳେ ତାର ମା’ ନୁହେଁ ସାବତ ମାଆ । ଆଉ ସେହି ସାବତ ମାଆ ଜଣଙ୍କ ବାପାଙ୍କ ଅନୁପସ୍ଥିତିରେ ତାକୁ ଖୁବ୍ ମାଡ ମାରନ୍ତି, ଘରର ସବୁତକ କାମ କରାନ୍ତି ହେଲେ ସେ ଏ ସବୁ କିଛି ବାପାଙ୍କୁ କହିପାରେନି । ସାବତ ମାଆ କହିଛି ସିଏ ଯଦି ବାପାଙ୍କୁ ଏ ସବୁ କଥା କୁହେ ତେବେ ବାପାଙ୍କୁ ସେ କାଳେ ଜୀବନରୁ ମାରିଦେବ । ସବୁଦିନେ ସେ ଅନେକ ମାଡ ଗାଳି ଖାଇଲେ ବି ତା’ ବାପାଙ୍କ ମଙ୍ଗଳ ପାଇଁ ମଉନ ପାଲଟିଯାଏ । ଦିନର ମାଡକୁ ଭୁଲିବାକୁ ଯାଇ ରାତିରେ ସମସ୍ତେ ଶୋଇଗଲାପରେ ବି ସେ ଏକୁଟିଆ ତା ରୁମରେ ବସି ପଂଚମ ଜନ୍ମଦିନରେ ମାଆ ଦେଇଥିବା କଣ୍ଢେଇକୁ ହାତରେ ଧରି ଝରକା କଡର ଜହ୍ନକୁ ଦେଖୁଥାଏ । ଦେଖୁଥାଏ ପୁଣି ଜହ୍ନ ପାଖରେ ଥିବା ସବୁ ତାରାମାନଙ୍କ ଅପେକ୍ଷା ଉଜ୍ଜ୍ୱଳ ତାରାଟିକୁ । ମାଆ ମଲାପରେ ଦିନେ ଏମିତି ନିଛାଟିଆ ନିଃସଙ୍ଗ ରାତିଟାରେ ବାପା କହିଥିଲେ ଦେଖ୍ ଜହ୍ନ ପାଖରେ ଥିବା ସେ ଉଜ୍ଜ୍ୱଳ ତାରାଟି ହେଉଛି ତୋ ମାଆ । ସେ ଉପରେ ଥାଇ ତୋତେ ନିତି ଦେଖୁଛି ।
ଏହାରି ଭିତରେ ତାକୁ ସତର ପୁରି ଅଠର ଚାଲିଲାଣି । ପୁଣି ତା’ର ଏ ବଢୁଥିବା ବୟସକୁ ନେଇ ଘରେ ନିତି ନୂଆ ନୂଆ ପାଲା । ସାବତ ମାଆ ସଦା ବାପାଙ୍କୁ କୁହେ ଝିଅ ଘିଅ, କେତେବେଳେ କେଉଁ କଥା ତା’ର ଶୀଘ୍ର ବାହାଘର କରାଇଦିଅ । ଗୋଟେ ବଡ ଚିନ୍ତା ମୁଣ୍ଡରୁ ଯିବ । ମାତ୍ର ତା’ ସାବତ ମାଆର ଏପରି କହିବାର ତାତ୍ପର୍ଯ୍ୟକୁ ସେ ଠିକ୍ ବୁଝିପାରେ । ତାକୁ ବାପାଙ୍କଠୁ ଶୀଘ୍ର ଦୂରେଇ ଦେଇ ତା ବାପାଙ୍କ ସବୁ ସମ୍ପତି ହଡପ କରିବାର ଯୋଜନାକୁ ସେ ବେଶ୍ ଭଲ ଭାବରେ ଜାଣେ । ଶେଷରେ ସାବତ ମାଆର କଥା ଅନୁଯାୟୀ ତା’ର ବାହାଘର ହୋଇଗଲା ଗୋଟେ ମଦ୍ୟପ ମଣିଷ ସହିତ । ଯିଏ ମଦର ନିଶାରେ ଚବିଶ ଘଂଟା ବୁଡିରୁହେ ।
ବାହା ହୋଇ ଶାଶୁ ଘରକୁ ଗଲାପରେ ପ୍ରତ୍ୟେକ ରାତିରେ ସେ ମଦ୍ୟପ ମଣିଷଟି ପାଲଟିଯାଏ ଗୋଟେ ମହାଦାନବ । ରାତିର ଅନ୍ଧକାର ଭିତରେ ତା ଶରୀରଟାକୁ ଖିନଭିନ କରି ଖାଇଯାଏ । ରକ୍ତ ପିଉଥିବା ପିଶାଚ ଭଳି ସେ ତାର ଦାନ୍ତର ଦାଗରେ ଶରୀରରୁ ଯେପରି ସବୁତକ ରକ୍ତ ଶୋଷିନିଏ । ତାକୁ ଅନେକ କଷ୍ଟ ହୁଏ ସେ ଭିତରେ ବହୁତ ଚିତ୍କାର କରେ ମାତ୍ର କେବେ ତା’ର ବିରୋଧ କରିପାରେନି । କାରଣ ସିଏ ଯଦି ଏହାର ବିରୋଧ କରିବ ତେବେ ସେ ମଦ୍ୟପ ମଣିଷଟି ତାକୁ ନେଇ ବିକିଦେବ କେଉଁ ବେଶ୍ୟାଳୟରେ ।
ବାହାଘରର ଚାରିବର୍ଷ ପରେ ଲୁହର ନଈରେ ଆନନ୍ଦର ଚାରଟେ ବାନ୍ଧି ତା କୋଳରେ ଜନ୍ମ ନେଲା ଗୋଟେ ପୁତ୍ର ସନ୍ତାନ । ସେ ତା ମୁହଁକୁ ଚାହିଁ ବଂଚିବାକୁ ଲାଗିଲା ମାତ୍ର ଏହାରି ଭିତରେ ଏକ ଦୂରା ରୋଗ୍ୟରେ ମରିଗଲା ତାର ମଦ୍ୟପ ସ୍ୱାମୀ । ଘୋଡା ମଦୁଆ ହେଉ ପଛେ, ନିତି ମାରଧର କରୁପଛେ ସେ ହିଁ ତ ଆଜି ପର୍ଯ୍ୟନ୍ତ ତାକୁ ଚଳାଇ ଆସିଥିଲା । ସେ ମରିଗଲା ପରେ କିପରି ଚଳିବ ସେଥିପାଇଁ ତାକୁ କିଛି ବୁଦ୍ଧିବାଟ ଦିଶିଲାନି । ତା ଆଖିରେ ସେଦିନ ଅଜସ୍ର ଅଶ୍ରୁ ବଦଳରେ ଭରିଗଲା ଅମାପ ଅନ୍ଧକାର । ତା’ ଉପରେ ଆକାଶ ଛିଡି ପରିଲା ପରି ମନେହେଲା, ତା’ ପାଦ ତଳୁ ମାଟି ଅତଡାଟା ଧସିଯିବା ଭଳି ତା’କୁ ଲାଗିଲା ।
ଯାହା ହେଉ ଶେଷରେ ପର ଘରେ କାମଧନ୍ଧା କରି ବାସନକୁସନ ମାଜି ପୁଅକୁ ତା’ର ଗୋଟେ ବଡ ମଣିଷ କଲା ଓ ଗୋଟେ ବଡଘରେ ବାହାଦେଲା । କିନ୍ତୁ ବାହାଘରର ଚାରିମାସ ପରେ ସେ କାଳେ ପୁଅ ବୋହୁଙ୍କ ପାଇଁ ଅଡୁଆ ହୋଇଗଲା । ଗାଉଁଲି ଅପାଠୁଆ ବୁଢ଼ି ଲୋକଟା କାଳେ ତାଙ୍କ ମାନସମ୍ମାନକୁ ତଳେ ପକାଇଲା । ସେଥିପାଇଁ ପୁଅ ତାକୁ ଛାଡି ଦେଇଯାଇଛି ଗୋଟେ ମନ୍ଦିରରେ । ଜୀବନର ସବୁ ସମୟରେ ଅହଲ୍ୟା ଆଖିରେ ଆତଙ୍କ ଖେଳାଉଥିବା ଅଶ୍ରୁ ବଦଳରେ ଥିଲା ଆଜି କିପରି ଏକ ଆନନ୍ଦ ଓ ଆତ୍ମସନ୍ତୋଷର ଅଶ୍ରୁ । କାରଣ ଜୀବନର ଶେଷ ସମୟରେ ସେ ଭଗବାନଙ୍କ ସେବା କରି ବଂଚୁଛି । ମଲାବେଳେ ବି ଭଗବାନଙ୍କ ଦୂଆରେ ହିଁ ମରିବ । ଯେଉଁଠି ନଥିବ ଆଉ କିଛି ମୋହ ମାୟାର ସମ୍ପର୍କ, ଥିବ କେବଳ ଭକ୍ତ ଓ ଭଗବାନର ସମ୍ପର୍କ ।
ଦିବ୍ୟଜ୍ୟୋତି ମହାନ୍ତି
ph.no-7377510254
Email-mikunmohanty63@gmail.com