ଚାରୁହାସିନୀ
ଚାରୁହାସିନୀ
--------------------------
ଚାରୁହାସିନୀ
--------------------
ଘରେ ଥିବ.........
ପଦାକୁ ଗୋଡ଼ କାଢିବନି........
ଚାରୁହାସିନୀର ଲୁଗାକାନିକୁ ଖଟ ଗୋଡରେ ବାନ୍ଧୁ ବାନ୍ଧୁ କହେ ଆକାଶ।ତା'ପରେ ଅଫିସ୍ ବାହାରିଯାଏ।
ଶୁଣ, ବାହାର ପରିବେଶ ଆଦୌ ଭଲ ନୁହେଁ......
ସୁନ୍ଦରୀ ସ୍ତ୍ରୀ ଉପରେ ସମସ୍ତଙ୍କର ନଜର........
ବଳାତ୍କାର ଏବେ ନିତିଦିନିଆ ଘଟଣା........
ଘର ହିଁ ନିରାପଦ ଠିକଣା........
ଯିବା ଆଗରୁ ପୁଣି ଏମିତି କଥା ସବୁ ବୁଝାଇ କହିବାକୁ ଆଦୌ ଭୁଲି ନ ଥାଏ ସେ।
ଚାରୁହାସିନୀ ତର୍ଜମା କରେ ତା'ର ଏହି ସବୁ କଥାକୁ।ସବୁ ତାକୁ କେମିତି ମିଛ ମିଛ ଲାଗେ।
ଚାରୁହାସିନୀକୁ ଅଧିନରେ ରଖିବାକୁ ଚାହେଁ ଆକାଶ....
ସନ୍ଦେହ କରେ.......
ଦୁର୍ବଳା ଭାବେ.......
ପୁରୁଷପଣିଆ ଦେଖାଏ.......
ତେବେ ଏହି ସବୁ କଥା ତାକୁ ଖୁବ୍ ସତ ସତ ଲାଗେ।
ପରାଧୀନ ମଣିଷଟା ହିଁ ଦୁନିଆରେ ସବୁଠାରୁ ବେଶୀ ସ୍ବାଧୀନତାର ମୂଲ୍ୟ ବୁଝିଥାଏ।
ସନ୍ଦେହ ଘେରରେ ଥିବା ମଣିଷଟା ପ୍ରାୟ ବେଶୀ ବୁଝେ ବିଶ୍ୱାସ କ'ଣ।
ଦୁର୍ବଳା ମଣିଷଟା ବୋଧହୁଏ ସବୁଠାରୁ ବେଶୀ ସାହସ ରଖିଥାଏ ନିଜ ଭିତରେ।
ପୁରୁଷପଣିଆକୁ ଭୋଗୁଥିବା ମଣିଷଟା ସମୟ ସୁଯୋଗ ଆସିଲେ ତା' ବିରୋଧରେ ଯାଇଥାଏ।
ଆକାଶକୁ ଏହି ସବୁ କଥା ବୁଝାଇ କହିଦେବାକୁ ଭାରି ଚାହେଁ ଚାରୁହାସିନୀ,କିନ୍ତୁ ପାରେ ନାହିଁ।ସବୁକିଛି ମଥା ପାତି ସହିନିଏ।ଏମିତିରେ ବି ମଣିଷଟେ ଶାନ୍ତିରେ ରହିପାରେ ବୋଲି ବୁଝେ ସେ।
ଦିନକର ଦ୍ବିପହର.......
ଗୋଟିଏ ନାରୀର ଗଁ ଗଁ ଆଓ୍ବାଜ୍ ଶୁଭିଲା।ସତେ ଯେମିତି କେହି ତା'ର ହାତ,ମୁହଁ ବାନ୍ଧି ଗୋଟେ କାଠଫାଳିଆରେ ତାକୁ ଜୋରରେ ବାଡେଇବାରେ ଲାଗିଛି।
ବ୍ଯସ୍ତ,ବିବ୍ରତ ହେଲା ଚାରୁହାସିନୀ।ହେଲେ ଏହିଭଳି ପରିସ୍ଥିତିରେ ନିଜର କର୍ତ୍ତବ୍ୟ କ'ଣ ହେବ ତାହା ଜାଣି ପାରିଲାନି।
କିଛି ସମୟ ପରେ.......
ହଠାତ୍ ଜୀଅନ୍ତା ଜଳା ଯାଉଥିବା କୌଣସି ସ୍ତ୍ରୀ ଲୋକର ପୋଡା ଗନ୍ଧ ଭାସି ଆସିଲା ତା' ନାକ ପର୍ଯ୍ୟନ୍ତ।
ଇଏ କ'ଣ ! ଦିନ ଦ୍ବିପହରରେ ଏ ସହରରେ ଗୋଟିଏ ନାରୀକୁ ଏମିତି ଜୀଅନ୍ତା ପୋଡିଦେଉଛି କିଏ ! କେଉଁଠି !
ନିଜକୁ ଆଉ ରୋକିପାରିଲା ନାହିଁ ଚାରୁହାସିନୀ।ଦୌଡିଲା ସେଆଡକୁ।ଅଧା ଅଧା ପୋଡି ଯାଇଥିବା ସ୍ତ୍ରୀ ଲୋକଟିକୁ ସେହି ନୃଶଂସ, ଅସୁର ଓ ଜହ୍ଲାଦମାନଙ୍କ କବଳରୁ ବଞ୍ଚେଇଲା।କାମୁଡ଼ି କାମୁଡ଼ି ସେମାନଙ୍କର ଦେହର ଛାଲି ଉତାରିଦେଲା।ତା'ପରେ ଯାଇ ଘରକୁ ଫେରିଲା।
ଖଟ ଗୋଡରେ ବନ୍ଧା ହୋଇଥିବା ତା'ର ଲୁଗାଟି ସେଇଠି ପଡି ରହିଥିଲା।ଅଫିସରୁ ଫେରି ଘରେ ପହଞ୍ଚି ଆକାଶ ସେହି ଲୁଗାଟିକୁ ହିଁ ଦେଖୁଥିଲା।ଆଶ୍ଚର୍ଯ୍ୟ ହୋଇ ଖୋଜୁଥିଲା ଚାରୁହାସିନୀକୁ ଘର ଭିତରେ।ହଠାତ୍ ଦେଖିପାରିଲା ଅଦଭୁତ ଲଙ୍ଗଳା ହୋଇ ଘରେ ଠିଆ ହୋଇଛି ଚାରୁହାସିନୀ।
ଆଶ୍ଚର୍ଯ୍ୟ ଶଙ୍କିତ ହୋଇଗଲା ଆକାଶ।
ଚାରୁହାସିନୀ କହିଲା - ' କେତେ ଦୁଃସାହସ ଆଉ କିଭଳି କ୍ଷମତା ରଖି ମୁଁ ମୋ ଭିତରେ ବଞ୍ଚେ ତୁମେ ତାହା ଧାରଣା କରି ପାରିବନି।ଶାଢ଼ୀ ବନ୍ଧା ହୋଇଥାଉ ତୁମ ଖଟ ଗୋଡରେ ସେମିତି।ଗୋଟେ ସ୍ତ୍ରୀ ଲୋକର ହାତମୁହଁର ଗଣ୍ଠି ଫିଟେଇ ପାରିଛି ମୁଁ।ଅଧା ପୋଡ଼ି ଯାଇଥିବା ଗୋଟେ ସ୍ତ୍ରୀ ଲୋକକୁ ଉଦ୍ଧାର କରି ଫେରିଛି। '
ଚାରୁହାସିନୀ ନୁହେଁ, ସତେ ଯେମିତି ମା' ଦୁର୍ଗା ତା' ସାମ୍ନାରେ ଠିଆ ହୋଇଛନ୍ତି - ସେମିତି ମନେକଲା ଆକାଶ।ନିଃଶଦ୍ଦରେ ତା' ପାଟିରୁ ସେକ୍ଷଣି ବାହାରିଗଲା - ମା' ଦୁର୍ଗାଙ୍କର ଜୟ ହେଉ।
ଏହି ଘଟଣାଟି ପରେ ଆକାଶ ତାକୁ ଆକଟଭରା କଥା କହୁଥିବା ଆଉ କେବେ ଦେଖି ନ ଥିଲା ସେ।
ସେ..........ଚାରୁହାସିନୀ ! ! !