Soumya Shubhadarshinee

Inspirational Romance Tragedy


3  

Soumya Shubhadarshinee

Inspirational Romance Tragedy


ଅସମାହିତ

ଅସମାହିତ

5 mins 3.7K 5 mins 3.7K

ଆଇସିୟୁ ବାହାରେ ପ୍ରବଳ ଉତ୍ତେଜନା ଭିତରେ ଆୟୁଷ। ବାହାରେ ବର୍ଷାର ତାଣ୍ଡବ ଆଉ ଭିତରେ ଭୟର

ଭୁକମ୍ପ।

********

ବର୍ଷା ସହ ଆସେ ଅସ୍ମିର ଉଷ୍ମତା ଖୁବ୍ ଜୀବନ୍ତ ଭାବେ। ଆବୋରି ନିଏ ସମଗ୍ର ସତ୍ତା ଆଉ ଭରିଦିଏ ସ୍ପନ୍ଦନ ରେ ତୀବ୍ରତା। ପ୍ରତି ବର୍ଷଣ ମୁଖର ରାତି ସହ ଅସ୍ମିର ଥାଏ ଗୋଟେ ଭାଗବତ ସମ୍ପର୍କ। ଦୁହେଁ ଏକ ଓ ଅଭିନ୍ନ ଭାବେ ସମ୍ମୋହିତ କରନ୍ତି ତାକୁ। ସେ ଯେତେ ଚେଷ୍ଟା କରି ମଧ୍ୟ ସେଇ ଚେତନାର ଆକର୍ଷଣ କୁ ପ୍ରତିରୋଧ କରି ପାରେନି।

ବର୍ଷାର ଝର ଝର ଜଳ ବିନ୍ଦୁ ମିଶି ଅସ୍ମିର ସମ୍ପୂର୍ଣ୍ଣ ଅବୟବ ତିଆରି କରନ୍ତି ଖୁବ୍ ଚମତ୍କାର ଭାବେ । ଧୀରେ ଧୀରେ ସେଇ ଜଳ ଛବି ରେ ରଙ୍ଗ ମାଖି ହେଇଯାଏ । ଶରୀର ଟା ଗଢିହେଇଯାଏ ହଳଦୀ ଗୋରୀ ଭାବେ ଆଉ ସେଇ ଦେହ ରେ ଜଡେଇ ହେଇଯାଏ ଉଜ୍ଜ୍ୱଳ ଅଙ୍ଗ ବସ୍ତ୍ର।

ସେଇ ଜଳଛବିର ସବୁଠୁ ଆକର୍ଷଣୀୟ ଲାଗେ ମୁଠେ ଲାଲ ଚୁଡି ପିନ୍ଧା ଦୁଇ ହାତ ।ସେଇ ହାତ ପ୍ରସାରିତ ହେଇ ଆଚ୍ଛାଦିତ କରିଦିଏ ତା ସମଗ୍ର ସତ୍ତା। ସେଇ ଚୁଡି ଗୁଡିକ ଶୁଭନ୍ତି ଜଳ ତରଙ୍ଗ ପରି ମଧୁର। ଲାଲ କେବଳ ଲାଲ ଛଡା ଆଉ କୌଣସି ରଙ୍ଗର ଚୁଡି ପିନ୍ଧୁନଥିଲା ଅସ୍ମି। କହୁଥିଲା ," ମୋତେ କେବଳ ଏଇ ରଙ୍ଗ ହିଁ ସାଜେ , ମୁଁ ଜାଣେ ହେଲା।".....

ସେଇ କାଳ୍ପନିକ ମୂର୍ତ୍ତି ଜଡେଇ ନିଏ ତାକୁ ନିଜ ବାହୁ ବନ୍ଧନରେ । ଏତେ ସତେଜ ଲାଗେ ସେ ଅନୁଭବ ଯେ ସେ ସମ୍ପୂର୍ଣ୍ଣ ବିସ୍ମୃତ ହେଇଯାଏ ବର୍ତ୍ତମାନର ପରିବେଶ କୁ ଆଉ ଏକଦମ ନିରୁଦ୍ଧିଷ୍ଟ ହେଇଯାଏ ସେଇ ମୁହୂର୍ତ୍ତ ଭିତରେ। ପ୍ରାଣ ଭରି ଅନୁଭବ କରେ ସେ ଅସ୍ମି ର ସାନ୍ନିଧ୍ୟ। ସେଇ ବାସ୍ନା , ସେଇ ସ୍ପର୍ଶ ଆଉ ସେଇ ଚପଳତା। ଗୋଟେ ଅତିନ୍ଦ୍ରିୟ ଅନୁଭବ।

କିନ୍ତୁ ସେଇ ଅନୁଭବ ଯେତିକି ଉଲ୍ଲାସ ଭରେ ତା'ଠାରୁ ବହୁ ଅଧିକ ଯନ୍ତ୍ରଣା ଦିଏ। ଅସ୍ମିର ଅନୁପସ୍ଥିତି ଯେଉଁ ଗଭୀର କ୍ଷତ ସୃଷ୍ଟି କରିଛି ହୃଦୟରେ ବର୍ଷା ସେଇ କ୍ଷତକୁ ପୁଣି ଉଖାରି ଦେଇ ଲହୁଲୁହାଣ କରିପକାଏ ତାକୁ। ଗୋଟେ ବିକଳ ଶୂନ୍ୟତାର ତରଙ୍ଗ ଖେଳିଯାଏ ତା' ସମଗ୍ର ପୃଥିବୀରେ। ଅସ୍ତ ବ୍ୟସ୍ତ ହେଇ ସେ ଖୋଜେ ଅସ୍ମିକୁ ଭୂମିରୁ ଭୁମା ଯାଏଁ ।

ନିଜକୁ ବାରମ୍ବାର ନିନ୍ଦେ,ଧିକ୍କାର କରେ, ଦଣ୍ଡ ଦିଏ , କାନ୍ଦେ ଆଉ ଗୋଟେ ଅସମ୍ଭବ ନିରାଶା ଭିତରେ ହଜି ଯାଏ।

ଆତ୍ମାରେ ଲାଗିଯାଏ କଳଙ୍କ। ତା' ନିପାରିଲା ପଣ ର ତାଡନାରେ , ତା' ବିକୃତ ମାନସିକତାର ପ୍ରଭାବରେ, ତା' ଅସମର୍ଥ ପ୍ରେମର ଯନ୍ତ୍ରଣା ରେ। କିନ୍ତୁ ସବୁବେଳେ ସେ ଭୀଷଣ ଭାବେ ବର୍ଷାର ବ୍ୟସ୍ତତା କୁ ଭୋଗେ ଆଉ ଅସ୍ମିକୁ ଖୋଜେ ନିଜ ବିକ୍ଷିପ୍ତ ଭାବନା ଭିତରେ।

ଅସ୍ମି ଚାଲିଗଲା କାହିଁକି ? ସେଥିପାଇଁ ଦାୟୀ କିଏ ? ସେ କାହିଁକି ନିଜ ହାତ ଗଢା

ଅମରାବତୀ କୁ ସାଇତି ପାରିଲା ନାହିଁ ? ହାତ ପାହାନ୍ତା ପ୍ରଜାପତି କୁ ଧରି ବି ହାତଛଡା କରିଦେଲା ?.....

ଏମିତି ଅଗଣିତ ପ୍ରଶ୍ନର ସମ୍ମିଳିତ ଆକ୍ରମଣରେ ସେ ଅଭିମନ୍ୟୁ ପରି ଚକ୍ରବ୍ୟୁହରେ ଘେରି ହେଇଯାଏ। ଭାରି ଅସହାୟ ଲାଗେ ତାକୁ ।ଆଉ ଠିକ ସେଇ ଅବସ୍ଥାରେ ଅସ୍ମି ଆସି ତାକୁ ଜଡେଇ ଧରି ଖୁବ୍ ଗୋପନରେ କୁହେ ,

" ମୋତେ ଫେରେଇ ଆଣ ପ୍ଲିଜ , ମୁଁ ଏମିତି ତୁମକୁ ଛାଡି ରହିପାରୁନି।".......

ବାରମ୍ବାର ସେଇ ଶବ୍ଦ ପ୍ରତିଧ୍ବନିତ ହୁଅନ୍ତି। ଘରର ସବୁ ନିର୍ଜୀବ ବସ୍ତୁ ବି ସମ ସ୍ୱର ରେ ଅସ୍ମି କୁ ଫେରେଇ ଆଣିବାକୁ ଅନୁରୋଧ କରନ୍ତି। ଲାଗେ ଯେମିତି ଅସ୍ମି ଲାଗି ଝୁରୁଛନ୍ତି ସଭିଏଁ ତା' ଠାରୁ ଅଧିକ । ସେ ସେହି ବସ୍ତୁ ମାନଙ୍କ ତୁଳନାରେ କିଛି ନୁହେଁ କାରଣ ସବୁଠାରୁ ଅଧିକ ସେଇମାନେ ହିଁ ଅସ୍ମି ସହ ସମୟ ଅତିବାହିତ କରୁଥିଲେ , ସେତ ଅଫିସ, ଟୁର, ମୀଟିଂ ଭିତରେ ଧନ୍ଦି ହେଉଥିଲା । .....

ଅସ୍ମି ସୁନ୍ଦରୀ ଆଉ ସୁଗୁଣା ବୋଲି ସଭିଏଁ କହୁଥିଲେ ଅଚୀରେ। ନୀହାରିକା ଡାନ୍ସ ସ୍କୁଲରେ ଟିଚର ଥିବା ସମୟ ରେ ହିଁ ସେ ଅସ୍ମିକୁ ପସନ୍ଦ କରିଥିଲା। ସେଇଠି ତା' ସାନ ଭାଣିଜୀ ଶିଖୁଥିଲା ନାଚ। ବଡ଼ ଶ୍ରଦ୍ଧା ଥିଲା ତା'ର ନାଚ ଗୀତ ପ୍ରତି । ତେଣୁ ସେ ସ୍ୱଇଛା ରେ ସାଜିଥିଲା ତା' ଭାଣିଜୀର ବାହକ। ସବୁ ରବିବାର ନୃତ୍ୟ ଅଭିସାର । ଭାଣିଜୀ ନାଚ କୁ ଆଉ ସିଏ ନାଚ ଦିଦି ଙ୍କୁ ମନଦେଇ ଦେଖୁଥିଲେ ଆଉ ଉଭୟ ନିଜ ଇପ୍ସିତ ବସ୍ତୁକୁ ହାତେଇ ନେଇଥିଲେ ଖୁବ୍ ସଫଳତା ସହ। ଭାଣିଜୀ ଭଲ ନାଚ କରି ଗୁଡ଼ାଏ ଉପହାର ଆଉ ସମ୍ମାନର ଅଧିକାରିଣୀ ହେଇଥିଲା। ଆଉ ସେ ପୁରା ନାଚ ଦିଦି ଙ୍କୁ ଅଧିକାର କରିନେଇଥିଲା।

ଅସାଧାରଣ ଥିଲା ଅସ୍ମିର ଆକର୍ଷଣ। ସେ ନୃତ୍ୟାଙ୍ଗନା ଥିଲା କିନ୍ତୁ ପ୍ରକୃତରେ ତା' ପାଦର ତାଳ ସହ ପ୍ରତିଟି ଦର୍ଶକ ନିଜେ ଗୋଟେ ଗୋଟେ କଳାକାରରେ ରୂପାନ୍ତରିତ ହେଇଯାଉଥିଲେ।ସେଇ ନାଚ ରୁ ହିଁ ଥିଲା ସେ ଦୁହିଁଙ୍କର ସମ୍ପର୍କ।ଆଉ ପରବର୍ତ୍ତୀ କାଳ ରେ ସେଇଥିରୁ ଉପୁଜି ଥିଲା ବିତର୍କ।......

ଠିକ ସ୍ୱପ୍ନର ଘର ପରି ଘରଟେ ଗଢି ଥିଲା ସେ ମୋଟା ଅଙ୍କର ଦରମା ଆଉ ସର୍ବଗୁଣ ସଂପନ୍ନା ସ୍ତ୍ରୀ କୁ ନେଇ।ଭୀଷଣ ଭାବେ ପ୍ରେମ କରୁଥଲା ଅସ୍ମିକୁ ଆଉ ନିଜ କାମକୁ। ଗୋଟେ ସଫଳ ଇଞ୍ଜିନିୟର ଭାବେ ଦିଲ୍ଲୀରେ ଅବସ୍ଥାପିତ ହେଇଥିଲା ସେ।ଆଉ ଅସ୍ମି ସେଠି ନିଜର ଡ୍ୟାନ୍ସ ସ୍କୁଲ ଆରମ୍ଭ କରିଥିଲା। ଓଡିଶୀ ପ୍ରତି ଆକର୍ଷଣ ସବୁଠି ଆଉ ସେଥିରେ ଆତ୍ମପ୍ରସିଦ୍ଧି ଖୁବ୍।

ହେଲେ ଜୀବନର କାହାଣୀ ସବୁବେଳେ ସୁଖଦ ନୁହେଁ। ରିସେସନ୍ ଗୋଟେ ଅନ୍ଧଗଳି ସାଜି ହଜେଇନେଲା ବହୁ ସଫଳ ମଣିଷର ପରିଚୟ। କମ୍ପାନୀ ଗୁଡିକ କର୍ମଚାରୀ ମାନଙ୍କୁ ଛଟେଇ କରିବା ପର୍ଵ ଆରମ୍ଭ କରିଦେଲେ । ସେଇ ସମସ୍ୟାର ଶିକାର ହେଲା ଆୟୁଷ। ତା' ପ୍ରିୟ କର୍ମସଂସ୍ଥାନ ରୁ ବିଦାୟ ନେଲା ସେ ।

ସେଇ ମୁହୂର୍ତ୍ତରେ ଅସ୍ମି ଖୁବ୍ ସମ୍ଭାଳି ନେଲା ଘର । ନିଜ ଡ୍ୟାନ୍ସ ସ୍କୁଲର ସହାୟତାରେ କାଠି କୁଟା ଯୋଗାଡ଼ କରିନେଲା । କୃତାର୍ଥ ଥିଲା ସେ ଅସ୍ମି ପାଖରେ। ସେ ଥିଲା ପ୍ରକୃତରେ ସମ୍ପୂର୍ଣ୍ଣା ।

**********

" ଆୟୁଷ କିଛି ସମସ୍ୟା ନାହିଁ। ମୁଁ ସମ୍ଭାଳି ନେବି। ତୁମେ ନିଜ ପାଇଁ ଉପଯୁକ୍ତ କାମଟେ ଖୋଜିନେବ ନିଶ୍ଚିତ, ବିଶ୍ୱାସ ଅଛି ମୋର।"

ଅସ୍ମି ସବୁବେଳେ ଏମିତି ସପୋର୍ଟ କରୁଥିଲା ହେଲେ ଭିତରେ ଭିତରେ ଇଚ୍ଛା ଥିଲା ପୁରୁଷ ସ୍ୱାବଲମ୍ବୀ ହେଉ। ତା' ସ୍ବାମୀ ଘରେ ରୁହନ୍ତୁ ଆଉ ସେ ଚାକିରୀ କରୁ ଏତକ ଗ୍ରହଣ କରି ପାରୁନଥିଲା । ବନ୍ଧୁ ମହଲରେ ଟିକ୍କା ଟିପ୍ପଣୀ ଶୁଣିବା କଷ୍ଟ କର ଥିଲା ।

" କଣ ମିଷ୍ଟ୍ର ଆଜି ରୋଷେଇ କରିଥିଲେ କି ?" ଏମିତି ଗୋଟେ କମେଣ୍ଟ ଅସହ୍ୟ ଲାଗୁଥିଲା। ପ୍ରକୃତରେ ଅର୍ଥର ସମସ୍ୟା ନଥିଲା କିଛି କିନ୍ତୁ ଥିଲା ଗୋଟେ ସାମାଜିକ

ଅଵରୁଦ୍ଧତା । ଯାହା ଅସ୍ମିକୁ ଭଲ ଲାଗନୁଥିଲା । କିନ୍ତୁ, ଆୟୁଷ କଣ କରିବ? ସେ ଚେଷ୍ଟା କରୁଥିଲା ହେଲେ ସମାଧାନ ନଥିଲା ତା' ପାଖରେ।

ଗୋଟେ ଲୋୟର୍ ପୋଷ୍ଟ ଲାଗି ମନ ମାନୁ ନଥିଲା ଆଉ ଭଲ ପ୍ୟାକେଜରେ ଜବ୍ ନଥିଲା। କିନ୍ତୁ ଅସ୍ମି ପ୍ୟାକେଜ୍ ପଛରେ ନୁହେଁ କେବଳ ଗୋଟେ ଜବ୍ ରେ ଏନଗେଜ ହେବା ଉପରେ ଅଧିକ ଗୁରୁତ୍ୱ ଦେଉଥିଲା। ତା'ର ଏଇ ଚିନ୍ତାଧାରା କୁ କିନ୍ତୁ ଭିନ୍ନ ଅର୍ଥ ରେ ନେଉଥିଲା ଆୟୁଷ। ଲାଗୁଥିଲା ସ୍ତ୍ରୀ ଯେମିତି ଅପମାନିତ କରୁଛି। ଧୀରେ ଧୀରେ ଅସ୍ମିର ସହାୟତା ଭଲ ଲାଗିଲା ନାହିଁ ,କେମିତି ଗୋଟେ ଅହଂକୁ ବାଧିଲା।ପ୍ରଚୁର୍ଯ୍ୟ ଭିତରୁ ହଠାତ୍ ଗୋଟେ ଶୁନ୍ୟତାକୁ ପହଞ୍ଚି ଯିବା ସତରେ ଅସହ୍ୟ ଥିଲା।

********

ଏଇ ପରିସ୍ଥିତି ଆୟୁଷର ଧର୍ଯ୍ୟ ଭଙ୍ଗ କରିବାକୁ ଲାଗିଲା। ସେ ବିକ୍ଷିପ୍ତ ହେଲା , ଅସ୍ମି ପ୍ରତି ଦୁର୍ବ୍ୟବହାର କଲା। ଡ୍ରିଂକ୍ସ କଲା, ନିଜକୁ କଷ୍ଟ ଦେଲା। ସମୟ ଅତିକ୍ରାନ୍ତ ହେବା ସହ ଅସହାୟତା ବଢୁ ଥିଲା । ଗୋଟେ ବେକାର୍ ଇଞ୍ଜିନିୟର ର ସ୍ଥିତିଥିଲା ଖୁଵ ଖରାପ।

ସେଦିନ ଥିଲା ଅସ୍ମି ସ୍କୁଲରେ ଆନୁଆଲ୍ ଫଙ୍କସନ୍।ଖୁବ୍ ଭଲ ବନ୍ଦୋବସ୍ତ କରିଥିଲା ଅସ୍ମି । ଗୋଟେ ସଫଳ ଅନୁଷ୍ଠାନର ମୁଖ୍ୟ ଭାବେ ଥିଲା ତାର ସବୁଠି ପ୍ରଶଂସା। ସ୍ତ୍ରୀର ସଫଳତା ଭଲ ଲାଗିଲା ନାହିଁ ତାକୁ, ଅହଂକୁ କଷ୍ଟ ହେଲା ଖୁବ୍। ନିଶାଶକ୍ତ ଭାବେ ସେ ଅସ୍ମିକୁ ଅପମାନିତ କଲା ସେଦିନ। ହିତାହିତ ଜ୍ଞାନଶୂନ୍ୟ ହେଇ ସେ ଯେଉଁ କାଣ୍ଡ କଲା ତା'ର ପରିଣାମ ଥିଲା ଅପ୍ରତ୍ୟାଶିତ। ଅସ୍ମି ଚାଲିଗଲା ତାକୁ ଛାଡି ଦେଇ। ଛୋଟ ଚିଠି ଟେ ଲେଖି ,"ଯଦି ଆବଶ୍ୟକ ମନେ କର ମୋତେ ଫେରେଇ ଆଣିବ , ମୁଁ କିନ୍ତୁ ନିଜେ ଆଉ ଆସିବି ନାହିଁ।''.......

ଚାଲି ଯିବା କଣ ଠିକ ହେଲା ଅସ୍ମି ର? ଏଇଟା ଗୋଟାଏ ଅସମାହିତ ପ୍ରଶ୍ନ । ଆଉ ନିଜ ଅହଙ୍କାରର ପ୍ରରୋଚନା ରେ ଅସ୍ମି ଫେରେଇ ନଆଣିବାର ସିଦ୍ଧାନ୍ତ ବି ଯୁକ୍ତି ର ବାହାରେ !!!......

**********

ଆଜି ଅସ୍ମିର ଅସୁସ୍ଥତାର ଖବର କିନ୍ତୁ ଭାଙ୍ଗି ଦେଇଛି ଅହଙ୍କାରର ପ୍ରାଚୀର। ତରଳି ଯାଇଛି ହୃଦୟରେ ଜମାଟ ବାନ୍ଧି ଥିବା ଅଭିମାନର ବରଫ। ଦେଇଛି ନୂଆ ସମ୍ଭାବନାର ଠିକଣା।

*ସୌମ୍ୟା*


Rate this content
Originality
Flow
Language
Cover Design