Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିଲେଇ ଛୁଆ
ବିଲେଇ ଛୁଆ
★★★★★

© Rajabala Tripathy

Others

2 Minutes   2.7K    12


Content Ranking

ବାଡ଼ିପଟ ନଡ଼ିଆ ଗଛ ତଳେ ମିଆଁଉ ମିଆଁଉ କରୁଥିବା ଛୁଆ ବିଲେଇଟିକୁ ଧୀରେ କିନା ହାତରେ ଟେକି ଧରିଲା ମିନି। ଛାତିରେ ଜାକି ଶାଗ ପଟାଳିରେ ପାଣି ଢାଳୁଥିବା ମା ପାଖକୁ ଧାଇଁ ଗଲା। "ମା ଦେଖିଲୁ କେଡେ ଗୁଳୁଗୁଲିଆଟେ ହେଇଛି, ଆମର ଆକୁ ରଖିବା ନା। ମୁଁ ମୋ ଭାଗର କ୍ଷୀର ଆଉ ମାଛ ଦେବି ଯେ ଜମା ତା ମା ବାପା କୁ ଖୋଜିବନି।" ସ୍ନେହରେ ବିଲେଇଟିର କୁନି ମୁହଁରେ ମୁହଁ ଘଷିଦେଲା ମିନି। ଶାଗ ପଟାଳିରେ ପାଣି ତକ ଅଜାଡ଼ି ଦେଇ ମିନି ଆଡ଼କୁ ଫେରି ଚାହିଁଲା ସବିତା। ମଣିଷ ଦେହ ର ଉଷୁମ ପାଇ କୁଙ୍କୁରି କାଙ୍କୁରି ମିନିର ଦୁଇ କୁନି କୁନି ପାପୁଲି ଭିତରେ ଶୋଇ ଆଖି ବୁଜିଦେଇଥାଏ କୁନି ବିଲେଇଟି।ପୁରା ଧଳା ଫରଫର ନରମ ତୁଳାର ଗୋଲାଟି ପରି ଦେଖାଯାଉଛି। ଘରେ ବିଲେଇମାନଙ୍କ ସଂଖ୍ୟା ବଢିବା ଦେଖି କେହି ବୋଧେ ଛାଡ଼ିଦେଇ ଯାଇଛି ଏଇ ନିରୀହ ପ୍ରାଣଟିକୁ। "ଆହା ବିଚାରୀ, ମାର ଉଷୁମ କୋଳକୁ ଝୁରି ହେଉଥିବ" ବାଲ୍ଟି ଟିକୁ ତଳେ ରଖିଦେଇ ଶାଗ ପଟାଳି ପାଖ ଘାସ କେରାକରେ ବସିପଡ଼ିଲା ସବିତା। ବିଲେଇଟିକୁ ଛାତିରେ ଚାପିରଖି ଧାଇଁ ଯାଇ ମାପାଖରେ ବସି ପଡ଼ିଲା ମିନି। "ମା ବିଲେଇ ଛୁଆର ମା ବାପା କଣ ତାକୁ ଏଇଠି ଛାଡି ଗଲେ କି?କାହିଁକି ଛାଡ଼ିଗଲେ ଯେ? ମନଦୁଃଖରେ ରେ ପଚାରିଲା ମିନି। "ହଁ, ସେ ଦୁଷ୍ଟ ହେଉଥିଲା ତ ସେପାଇଁ ତାକୁ ତା ମା ଏଇଠି ଛାଡ଼ିଗଲା' ପଶ୍ଚିମ ଦିଗରେ ଧୀରେ ଧୀରେ ଢଳି ଯାଉ ଥିବା ସୂର୍ଯ୍ୟ କୁ ଚାହିଁ ଚାହିଁ ଅନ୍ୟମନସ୍କ ଭାବେ ଉତ୍ତର ଦେଲା ସବିତା। "ମଣିଷ ମାନେ ବି କଣ ଏମିତି କରନ୍ତି କି? ତୁ ବି କଣ ମୋତେ କଉଠି ନେଇ ଛାଡିଦବୁ" ମୁହଁ ଥମ ଥମ କରି ପଚାରିଲା ମିନି। ଛାତି ଭିତରଟା କେମିତି ଗୋଟେ ମନ୍ଥି ହେଇଗଲା ସବିତାର। ସତେ ଯେପରି କିଛି ଗୋଟେ ଅଟକି ଯାଇଛି। ତାର ଆଖି ଆଗରେ ଭାସିଉଠିଲା ହସ୍ପିଟାଲର 13 ନମ୍ବର ରୁମର ଦୋଳିରେ ଶୋଇଥିବା ଫୁଲ ପରି ମୁହଁ ଟିଏ। ତାର ପ୍ରଥମ ର ପ୍ରେମର ସନ୍ତକ। ଯାହାକୁ ଛାଡି ଆସିବାକୁ ହେଇଥିଲା ପାପ ଗର୍ଭ ର ଦ୍ୱାହି ଦେଇ। ଦୁଇ ବର୍ଷର ପ୍ରେମ, ବିବାହର ପ୍ରତିଶୃତି, ଦୈହିକ ସମ୍ପର୍କ ଆଉ ପ୍ରତାରଣା। ପ୍ରେମିକ ଗାଁ ଛାଡି ଫେରାର ହୋଇଗଲା ପରେ ତା ଆଗରେ ଏହି ଗୋଟିଏ ମାତ୍ର ବିକଳ୍ପ ବ୍ୟବସ୍ଥା ରଖିଦିଆଯାଇଥିଲା । ବାପା ଙ୍କ ନାଲି ଆଖି ବୋଉ ର ର ଚୁପି ଚୁପି କାନ୍ଦ କୁ ଆଖିରେ ରଖି, କୋହ ଚାପି ଛାତିକୁ ପଥର କରି ସେଦିନ ରାତିରେ ଉଠି ଆସିଥିଲା ହସ୍ପିଟାଲ ବେଡ଼ ରୁ। ତା ପରଦିନ ଖବରକାଗଜରେ, 'ହସ୍ପିଟାଲରେ ପିଲା ଛାଡି ମା ଫେରାର' ବୋଲି ପଢିଥିଲା ଯାହା। ଆଉ ଆଗକୁ କିଛି ପଢିବାକୁ ସାହସ ହେଇନଥିଲା। ସିନ୍ଦୁର, ସ୍ୱାମୀ, ଘର, ପରିବାର, ମିନି ପରି କଣ୍ଢେଇଟେ ସବୁ ମିଳିଛି ତଥାପି ବି ସରିଯାଇନି ତା ମନରେ ଥିବା ସେ ରୁନ୍ଧିଲା ଭାବ। ସତେ ଯେମିତି କଣ୍ଟା ଟିଏ ଅଟକି ଯାଇଛି ଛାତି ଭିତରେ। ଯେତେ ଚାହିଁଲେ ବି ବାହାର କରିପାରୁନି ସେ। ଥପ ଥପ ହେଇ ଆଖିରୁ ଲୁହଧାର ଝରିଗଲା ସବିତା ର। "ଏ ମା, ତୋର କଣ ହେଲା ଯେ, କାନ୍ଦୁଛୁ କାହିଁକି।'"ମାକୁ ହଲେଇଦେଲା ମିନି। "କିଛି ନାହିଁରେ ଧନ, ଆଖିରେ କଣ ଗୋଟେ ପଡିଗଲା" ଆଖି ପୋଛି ଖୁବ ଜୋରରେ ମିନିକୁ ଛାତିରେ ଭିଡି ଧରିଲା ସବିତା, "ମଣିଷମାନେ ବିଲେଇଠୁବି ବେଶି ନିଷ୍ଠୁର ଆଉ ସ୍ୱାର୍ଥପରରେ ଧନ" ମିନି ନ ଶୁଣିଲା ପରି ଉଚାରଣ କଲା ସବିତା। ସବିତାର ଶେଷ କଥା ପଦକ ଶୁଣି ଦେଇଥିଲା ପରି ସେଦିନର ଶେଷ କିରଣତକ ଫିଙ୍ଗିଦେଇ ତରତର ହୋଇ ମା କୋଳକୁ ଡେଉଁ ପଡୁଥିଲେ ସୁର୍ଯ୍ୟ ଦେବତା।

ବିଲେଇ ଫେରାର ସ୍ୱାମୀ

Rate the content


Originality
Flow
Language
Cover design

Comments

Post

Some text some message..