Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aniruddha Samantara

Tragedy

3  

Aniruddha Samantara

Tragedy

ଭାରରାଲ୍ ଭିଡ଼ିଓ

ଭାରରାଲ୍ ଭିଡ଼ିଓ

13 mins
7.1K


ଗାଆଁ ମଝି ଦେଇ ଲମ୍ବିଯାଇଥିବା କଂକ୍ରିଟ ରାସ୍ତାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଛି କଳ୍ପନା।ଆଜି ଯେମିତି ହେଲେ ତା' ନନା ଆସିଲା ମାତ୍ରେ ସିଧାସିଧା କହିଦେବ। ନନା ଯା' କୁହନ୍ତୁ ପଛେ ଏଥର ସହର ଯିବ ହିଁ ଯିବ। ନନା ମନା କଲେ ବି ଏଥର ଜିଦ୍ ଧରିବ। ସମ୍ଭାବନା ଥିବା ସତ୍ବେ ସ୍ବପ୍ନକୁ ହାତମୁଠାରେ ଧରି ଆଉ ଅଧିକ ଦିନ ସେ ଅପେକ୍ଷା କରିପାରିବନି। ପିଲାଟି ବେଳରୁ ସ୍ବପ୍ନ ଦେଖିଆସିଛି ସହର ଯିବାକୁ ନେଇ। ତା' ଜୀବନ କାଳରେ ବହୁତ ଅଳ୍ପ ଥର ଯାଇଛି। ହେଲେ ପ୍ରତିଥର ଭଳି ଆଉ ବୁଲିବାକୁ କି ଦେଖିବାକୁ ନୁହଁ , ସେ ଚାହେଁ ସବୁଦିନ ପାଇଁ ସେଇଠି ରହିବ।

ସହର ଠାରୁ ବହୁଦୂର। ମଫସଲ ଗାଆଁରେ ଘର। ଗାଆଁ କହିଲେ ୧୬/ ୧୮ ଖଣ୍ଡ ଘର। ସବୁ ପୁରୁଣାକାଳିଆ ଛପର ଘର। ଏବେଏବେ ବିଜୁଳିର ବାସ୍ନା ବାଜିଛି। ରାସ୍ତାଘାଟ, ଶିକ୍ଷା କଥା କହିଲେ ନସରେ। ରବୀନ୍ଦ୍ରବାବୁଙ୍କ ଏକମାତ୍ର ଝିଅ କଳ୍ପନା। ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ନିଜେ ବାପା ଆଉ ମାଆହୋଇ ପାଳନ କରି ଆସିଛନ୍ତି। ପଞ୍ଚାୟତ ହାଇସ୍କୁଲରେ ଦଶମ ପରେ ଗାଆଁ

ପାଖ ସରକାରୀ କଲେଜରେ ୨ ପଢି ଥାର୍ଡ ଡିଭିଜନରେ ପାସ୍ କରିଛି। ଆର୍ଥିକ ଅଭାବ କାରଣରୁ ଆଉ ଆଗକୁ ପଢିନି, କି ପଢିବାକୁ ଇଚ୍ଛା ବି କରିନି। ପାଠ ଛାଡି ୪ ବର୍ଷ ଖଣ୍ଡେ ହେଲାଣି ଘରେ ହିଁ କାମଦାମ କରି ରହିଛି।

ପିଲାଟି ବେଳରୁ ଅନେକ ଶୁଣିଛି ସହର ବିଷୟରେ। ତା ପିଲାବେଳର ବହୁ ସାଙ୍ଗସାଥି ବି ସହରରେ ରୁହନ୍ତି, ସେ ବି ସହର ଯିବ, ସେଠି ରହିବ । ସେଠିଯାଇ କିଛି କାମ କରିବ। ଆଉ ସହରୀ ଜୀବନ ବିତାଇବ। ହେଲେ ଘରେ ନନାକୁ ଏକୁଟିଆ ଦେଖି ତା ସ୍ବପ୍ନକୁ ବହୁଦିନ ଧରି ସାଇତି ରଖିଛି।

କାନ୍ଧରେ ଲଙ୍ଗଳ ଧରି ନନା ଆସି ପହଞ୍ଚିଲେ। ଭିତରକୁ ଯାଇ ନନା ପାଇଁ ଖାଇବା ନେଇ ଆସିଲା। କିଛି ନ କହି ସବୁଦିନ ଭଳି ନିରାଶ ହୋଇ ମୁହଁ ଶୁଖାଇ ନନା ପାଖେ ବସି ରହିଲା। କଳ୍ପନାର ଆବେଗକୁ ବେଶ୍ ଭଲ ବୁଝିପାରୁଥିଲେ

ନନା। ତା'ର ଉଦାସ ମୁହଁକୁ ଚାହିଁ ପଚାରିଲେ,

- ' ପୁଣି ସେଇ କଥା ନା?'

- ' ନାଇ ନନା..'

- ' କହିଲୁ ? ସହର ସହର ହେଉଚୁ , ସେଠି ତୁ ଏକଲା ମଣିଷ କଣ କରିବୁ? କୋଉଠି ରହିବୁ? କଣ ଖାଈବୁ? ହଁ....

- ' ନାଇ ନନା, ମିକି କହୁଥିଲା ସେ ଯୋଉ ପାର୍ଲରରେ କାମ କରୁଛି ସେଇ ମ୍ୟାଡାମ୍କୁ କହିଛି ମୋ କଥା। ମୁ ଗଲେ ସେଇଠି କାମ କରିବି। ଆଉ ମୋ ରହିବା ପାଇଁ ତା ଫ୍ଲାଟ ପାଖାପାଖି ରୁମ୍ ବି କଥା ହେଇଛି।'

' ହଁ ରେ ମା, ହେଲେ ଏକଲା ଝିଅଟେ ପୁଣି.....'

- ' ନନା ତୁମେ ବି ଆସିଯାଅନା, ସେଠି ଆମେ ମିଶି ରହନ୍ତେ । ଭଲ ହୁଅନ୍ତା।'

- ' ନା ରେ ମା ନା.....। ଏମିତି ଶସ୍ତାରେ କଣ ସେଠି ବଞ୍ଚିହେବ? ଏଠି ପଖାଳ ମୁଠାରେ ମୋ କାମ ଚଳୁଛି, ଗାଁ ଟା ଛୋଟ ହେଲେ ବି ଲୋକଙ୍କ ଭିତରେ ସ୍ନେହ ଶ୍ରଦ୍ଧା ଅଛି, ହେଲେ ସହରରେ କିଏ କାହାର। '

- ' ଆମ ଗାଁ ସନା ଦାଦା ତ' ତାଙ୍କ ପୁରା ପରିବାର ସଙ୍ଗେ ଘର ଛାଡି ସହର ଚାଲିଗଲେ, ହେଲେ ତୁମେ କାଇଁ ମନା କରୁଚ ଯେ....`

- ' ସେ ଯାଉରେ ମା, ମୁଁ ଏ କୁଡିଆ, ଜମି ଟିକକୁ ଛାଡି ସହର ଯାଇପାରିବିନି। ପୁଣି ଜାଣିଛୁ କେତେ ଟଙ୍କା ଗାଁରେ ବାକି ପଡିଛି, ଏମିତି ଅବସ୍ଥାରେ ଗାଁ ଛାଡି ଗଲେ ଭୁଲ୍ ହେବ।'

- ' ତା ହେଲେ ଥାଉ ନନା, ମୋର ବି ଆଉ ସହର ଯିବାର ନାଇ। ମୁ ବି ଯିବିନି।'

- ' ନାଇରେ ମା ତୁ ଯିବୁ। ତୋ ଯିବା ପାଇଁ ମହାଜନ ବାବୁଙ୍କୁ ଟଙ୍କା କଥା କହିଥିଲି, ସେ ଡକାଇଥିଲେ, ମୁଁ ଯାଉଛି ଟଙ୍କା ନେଇ ଆସିବି। ତୁ କାଲି ବାହାରିବୁ।

ନନା ମୁହଁରୁ ଏତକ ଶୁଣିବା ପରେ ଚିନ୍ତାରେ ପଡିଗଲା କଳ୍ପନା। ଖୁସିହେବ ନା ଦୁଃଖ କରିବ।ଗୋଟିଏ ପାର୍ଶ୍ବରେ ସ୍ବାଧିନତାର ସହ ସୁନେଲି ସହରରେ ବଞ୍ଚିବାର ସ୍ବପ୍ନ ଆରପଟେ ପରାଧିସ୍ତ ମଫସଲର ସୀମିତ ଜୀବନ ଆଉ ତା ନନା। ହେଲେ "କୁଛ୍ ପାନେ କେ ଲିଏ, କୁଛ୍ ଛଡନା ପଡତା ହୈ।" କିଛି ନ ବିଚାରି ନିଜ ସ୍ବପ୍ନ ସହର ଅଭିମୁଖେ ପାଦ ବଢାଇଲା କଳ୍ପନା।

ପରଦିନ ସକାଳୁ ଝିଅକୁ ସହରରେ ଛାଡି ଆସିବା ପାଇଁ ନନା ସାଙ୍ଗରେ ବାହାରିଲେ।ଝରକା ପାଖରେ ବସି ବୁଲାଇ ବୁଲାଇ ଦେଖି ନେଉଥିଲା ତା ଗାଆଁ, ଘର, ବିଲବାଡ ସବୁ।ପିଲାଟି ବେଳରୁ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ଆଜି ଆହୁରି ସନ୍ଦିହାନ ଲାଗୁଥିଲା। ବସ୍ ଭିତରେ ସେ ସତରେ ଆଗକୁ ବଢୁଛି , ନା ଗଛଲତା, ଗାଁ, ଆକାଶ, ପାହାଡ, ନଇ ସବୁ ତାକୁ ବିଦାୟ ଦେଇ ପଛକୁ ଫେରୁଛନ୍ତି। ସମୟ ପାଖେଇ ପାଖେଇ ଆସେ, ଗାଁ ସରି ସରି ଯାଏ। ଧିରେଧିର ସବୁଜ ବନାନୀ ହୁଏ, କଂକ୍ରିଟ ବଣର ନଜିର ଆସେ। ପଶୁପକ୍ଷୀଙ୍କ ରାବ ବଦଳରେ ଟ୍ରାଫିକର କୋଳାହଳ ଶବ୍ଦରେ କାନ ଫାଟିପଡୁଥାଏ । ଏ ସବୁ ମଧ୍ୟରେ ଶେଷରେ ଠିକଣା ସହରରେ। ମିକି ଅପେକ୍ଷା କରିଥାଏ। ବୁଝାସୁଝା କରି ଝିଅର ଦେଖାରଖା ଦାୟିତ୍ବ ମିକି ହାତରେ ଦେଇ, ସେଇ ବସ୍ ରେ ହିଁ ଫେରିଗଲେ ନନା।

ସୁଉଚ୍ଚ ଅଟ୍ଟାଳିକା, ଅସ୍ତବ୍ୟସ୍ତ ଜୀବନ, ଯୁଆଡେ ଚାହିଁଲେ ଗହଳି, ପେଁ...ପାଁ..... ଶବ୍ଦ। ସବୁ ଦୌଡୁଛନ୍ତି। ନିଶ୍ବାସ ପ୍ରଶ୍ବାସ ନେବାକୁ କାହା ପାଖେ ଫୁରୁସତ୍ ନାଇ। ଏ ସବୁ ଦେଖି ଭୟ ସହ ଉତ୍ସାହ ବି ବଢୁଥିଲା । ସେ ବି ଆଙ୍କିବାକୁ ଯାଉଥିଲା ସେମିତି ଏକ ଭବିଷ୍ୟତ।

ମିକି କଳ୍ପନାକୁ ନେଇ ନିଜ ଘରକୁ ଚାଲିଗଲା। ତହିଁ ଆରଦିନ ଦୁହେଁ ମିଶି ବାହାରିଲେ।ପୁର୍ବରୁ ମିକି ରାଜଧାନୀ ପାର୍ଲରର ମ୍ୟାଡାମ୍ଙ୍କୁ କଳ୍ପନା କଥା କହିଥିଲା, କଥା ମୁତାବକ ସେଇଠି ଜଏନ୍ କଲା। ଦିନକୁ ୮ଘଣ୍ଟା କାମ , ମାସକୁ ୮୦୦୦ଟଙ୍କା। ପାର୍ଲର ରୁ ଫେରିବା ରାସ୍ତାରେ ରେ ସେଇ ପାଖାପାଖି ଘର ଭଡାରେ ନେଲା। ଭଡା ୪୦୦୦ ଟଙ୍କା। ନୂଆ ନୂଆରେ ନନା କଥା ମନେ ପକାଇ ବହୁତ କାନ୍ଦିଲା। ପରେ ନିଜକୁ କହିଲା ନା, ତା ନନାର କଛି ହେବନି। ସେ ପରିଶ୍ରମ କରି ନନାର ସବୁ ଋଣ ସୁଝିଦେବ। ନନାକୁ ସହର ନେଇ ଆସିବ। ଏଠି ସେମାନେ ଖୁସିରେ ରହିବେ।

ପ୍ରତିଦିନ ଅନେକ କଷ୍ଟମର ଆସନ୍ତି। ଫେସିଆଲ କରନ୍ତି, ଆଇ ବ୍ରୋ ସାଇଜ୍ କରନ୍ତି।ସେମାନଙ୍କ ସହ ଭଲରେ ମିଶିଯାଏ କଳ୍ପନା। ଧିରେଧିରେ ସବୁ କାମ ବି ସହଜରେ ଶିଖିନିଏ। ସହରର ଚାଲିଚଳଣି, କଥାବାତ୍ତା ସହ ଭାରି ଅଭ୍ୟସ୍ତ ହୋଇସାରିଥାଏ। ଇଛା କରିଥିଲା ପ୍ରଥମ ଦରମା ପାଇବା ସଙ୍ଗେ ନନାକୁ ପଠାଇବ ହେଲେ ଘରଭଡା,ଖାଇବା,ପର୍ସନାଲ ଖର୍ଚ୍ଚରେ ସବୁ ଶେଷ। ଆଠଶ ଖଣ୍ଡେ ଟଙ୍କା ହାତରେ ରଖିଛି। ମିକିଠୁ ପୁଣି କିଛି କରଜ କରିଥିଲା। ଏଇଟା କଣ ଗାଁ ହେଇଛି ଯେ ଅଳପ ଟଙ୍କାରେ ଚଳି ହେଇଯିବ। ବୁଝିଛି କଳ୍ପନା, ନିରାଶ ପାଲଟିଛି।

କଷ୍ଟେମଷ୍ଟେ ବିତାଇ ଚାଲିଛି ସହରୀ ଜୀବନ, ହେଲେ ସ୍ବପ୍ନରେ ସେ ଦେଖିଥିବା ସୁଖ ନାଇ। ମାସକ ପରେ ଝିଅକୁ ଦେଖା କରିବାକୁ ନନା ସହର ଆସନ୍ତି। ପଚାରି ପଚାରି ରାଜଧାନୀ ପାର୍ଲରରେ ପହଞ୍ଚି ବାହାରେ ଅପେକ୍ଷା କଲେ।କିଛି ସମୟ ପରେ ପଦାକୁ ଆସିଛି କଳ୍ପନା। ଝିଅକୁ ଦେଖି ନିର୍ବାକ୍ ହୋଇ ମୁଣ୍ଡଗୁଡ ଚାହିଁଛନ୍ତି ନନା। ନନାକୁ ମୁଣ୍ଡିଆ ହୋଇ ଭଲମନ୍ଦ ପଚାରୁଛି, ହେଲେ ସେ ନୀରବ। ବୁଝିପାରିଛି ନୀରବତାର କାରଣ।ନନାକ ବୁଝାଇ କହୁଛି ଆଜିକାଲି ସହରରେ ଏ ସବୁ କମନ୍। ଚୁଡିଦାର ଏଠି କେହି ପିନ୍ଧନ୍ତିନି। ତା ପିନ୍ଧିବା ଭଳି ପୋଷାକ ହିଁ ଧାରଣ କରନ୍ତି। ମଫସଲ ଲୋକ ସେତିକି ସାହସ କି ଶକ୍ତି ନାଇ ସହରୀ ସଂସ୍କୃତିକୁ ସହଜେ ଆଦରି ନେବେ।

ଘରୁ ନେଇ ଆସିଥିବା ପରିବା ବ୍ୟାଗ୍ଟିକୁ ଝିଅ ହାତକୁ ବଢାଇ, ନିଜ ଯତ୍ନ ନେବାକୁ କହି ଫେରନ୍ତି। ସେଇ ଏକା କଥା ତାଙ୍କ ମୁହଁରେ ଖେଳେଇ ହେଉଥାଏ।

''ଏ କି ସଂସ୍କୃତି!!! ମଥାରେ ଟିକଲି ନାଇ କି ହାତରେ କାଚ ଖଣ୍ଡେ। ଭିଡ୍ଡ ପେଣ୍ଟବାନେନ।''

ଶେଷରେ କଳ୍ପନା ବି ସେ ସବୁର କବ୍ଜାରେ ରହିବ ନନାର ଅନୁମାନ ବାହାରେ।

ଅନ୍ବେଷ୍ , ଘର ମାଲିକର ପୁଅ। ବହୁଦିନ ଧରି ନଜରରେ ରଖିଛି କଳ୍ପନାକୁ। ଅନେକ ଥର ସୁଯୋଗ ଖୋଜିଛି ତା ସହ ସଂପର୍କ ଲଗାଇବାକୁ। ପ୍ରୟାସ ବି କରିଛି। ସେଥିପାଇଁ କଳ୍ପନା ବାହାରିବା ଟାଇମରେ ଜାଣିଜାଣି ସେଣ୍ଟ ପକାଇ, ଷ୍ଟାଇଲ୍ ମାରି ରେଡି ହେଇଛି। ଧିରେଧିରେ ନିଜ ବାଇକରେ ପାର୍ଲରକୁ ନେବା ଆଣିବା କରିଛି। ଶେଷରେ ତା ମିଠା କଥାରେ ଫସାଇଛି କଳ୍ପନାକୁ। ଲଭ୍ ର ଲାଳସା ଦେଇ କଳ୍ପନାକୁ ନିଜର କରିଛି।

ଧିରେଧିରେ ବହୁତ ଆଗେଇଛି ସଂପର୍କ। ଅନ୍ବେଷ୍ ପ୍ରତିଦିନ ତା ବାଇକ ରେ ବୁଲାଇନିଏ।ସଂଧ୍ୟାରେ ଗୁପ୍ଚୁପ୍ ଖୁଆଏ। ଦୁହେଁ ମିଶି କ୍ୟାଣ୍ଡଲ୍ ଲାଇଟ୍ ଡିନର କରନ୍ତି, ସେକେଣ୍ଡ ସୋ ଦେଖି ଘରକୁ ଫେରନ୍ତି। ସହର ଆସିବା ନୂଆରେ ମିକି ବାରମ୍ବାର ବୁଝାଇଥିଲା। ଅଜଣା ଲୋକ ସହ ମିଶିବୁନି, କାହା ବାଇକ୍ ରେ ବସିବୁନି। ସେ ସବୁ ପାସୋରି ସାରିଛି। ଅନ୍ବେଷକୁ ଭଲ ପାଇ ବସିଛି। ତା ପ୍ରତି ବହୁତ ବିଶ୍ବାସ ଅଛି କଳ୍ପନାର।

ଏକୁଟିଆ ଲୋକ। ଭଲ ଲାଗୁନି। ଝିଅ କଥା ଭାରି ମନେ ପଡିଛି। ଚାରିପାଞ୍ଚ ମାସ ପରେ ସହର ଆସିଛନ୍ତି ନନା। ହେଲେ କଳ୍ପନା ଆଜି ଛୁଟିରେ। ପାର୍ଲର ଆସିନି। ମିକି ପାଖରେ ବି ତା' ଖବର ନାଇ ଆଜି। କିଛି କହିନି। ଘରକୁ ଯାଇ ଦେଖିଲେ। ତାଲା ଝୁଲିଛି। ସକାଳଠୁ ଫୋନ୍ ବି ଅଫ୍। ଅନେକ କଥା ଭାବି ଭାବି ପିଣ୍ଡାରେ ଅପେକ୍ଷା କଲେ। ପାଖପଡୋଶୀ ସବୁଠି ଏକା ଉତ୍ତର ପାର୍ଲର ଯାଇଥିବ। ଚିନ୍ତାରେ ବସିଥିବା ବେଳେ ଗେଟ୍ ପାଖରେ ଡିସ୍କ ବ୍ରେକ୍ ଲଗାଇ ଅଟକିଲା ବାଇକଟେ। ବିକ୍ରମାଦିତ୍ୟ ଉପରେ ବେତାଳ ଓହଳିବା ପୋଜରେ କଳ୍ପନା।

ଓହ୍ଲାଇ ଗେଟ୍ ଖୋଲି ଦେଖେ, ନନା ଘର ଆଗରେ। ଆଖିରେ ଲୁହ।

ଘରକୁ ଡାକିନେଲା କଳ୍ପନା। ନନା ନିଜ ମଳିନ ଚକ୍ଷୁରେ ଝିଅର ଅବତାରକୁ ଦେଖୁଥାନ୍ତି। ପୁର୍ବରୁ ଯା' ପିନ୍ଧିଥିଲା ଛାଡ। ହେଲେ ୟେ କି ଡ୍ରେସ୍ ଉପରୁ କାନ୍ଧ ଛାତି ଦରମେଲା ତଳକୁ ଆଣ୍ଠୁ ଲୁଚିନି। ଏମିତି ବେଶରେ ଦେଖି ହୃଦୟ ଭାଙ୍ଗିଗଲା। ଆଉ କଳ୍ପନାର ସହରେ ରହିବା ପସନ୍ଦ କଲେନି। ସାଙ୍ଗରେ ଫେରିଆସିବାକୁ କହିଲେ।

କଳ୍ପନା ରୋକ୍ଠକ୍ ଶୁଣାଇଦେଲା, '' ତୁମେ ଚାଲିଯାଅ ନନା, ମୋର ଗାଁକୁ ଯିବାର ନାଇ କି ସେଇଠି ରହିବାର ନାଇ। ଏଠି ମୋତେ ଠିକ୍ ଲାଗୁଛି। ମୁଁ ଏଠି ଠିକ୍ ଅଛି। ତୁମେ ଆଉ ଏଠିକି ବାରବାର୍ ଆସିବା ଦରକାର ନାଇ।''

- ' ନା... ତୁ ଏଠି ଆଉ ରହିବୁନି।

- ' ନନା.........( ଚିଲେଇ )

- ' ହଁ.....

- ' ନା....ମୁ ଯାଉନି। ତୁମେ ଯାଇପାର।

- ' ଜବାବ୍ ଦେଉଛୁ ମୁହଁରେ? କିଏ ସେ ଟୋକା?

- ' କିଏ?'

- ' ଯୋଉ ବାଇକରେ ତୋ ସହ.....'

- ' ଓଃ...ସେଇ

- ' ଅନ୍ବେଷ। ଏ ଘର ମାଲିକର ପୁଅ। ଆମେ ପରସ୍ପରକୁ ଭଲ ପାଉ। ମୁଁ ତାକୁ ବିବାହ କରିବାକୁ ବି ଚାହେଁ। '

- ' ତୋର ଏତେ ସାହସ! ' ( ହାତ ଉଠାଇ )

- ' ନନା......, ହାତ ଟେକିବନି କହିଦେଉଛି। ମୁଁ ଏବେ ମାଇନର ନୁହଁ। ମୋତେ ମାରିବାର ଅଧିକାର ତୁମର ଏବେ ନାଇ। ମୁଁ ଏଥର ମୋ ନିଷ୍ପତ୍ତି ନେଇପାରିବି। ଯଦି ପୁଣି ହାତ ଉଠାଅ ନା ଦେଖ ଭଲ ହେବନି କହିଦେଉଛି.... '

- ' କଣ କେସ୍ ଦେବୁ?? `

- ' ହଁ.....ଦେବି..'

- ' ଯା'ରେ ମା ଦେଇଯା' , ଏଇଥି ପାଇଁତ ଜନ୍ମ ଦେଇଥିଲି ତୋତେ, ଏଇଥି ପାଇଁତ ପାଠ ପଢାଇଥିଲି, ଏଇଥି ପାଇଁତ ସହରକୁ ଛାଡିଲି ତୋତେ? ଦେବୁନି କାଇଁ ଦେବୁ...ତୁ ଦେବୁ । ଠିକ୍ ଅଛିରେ ମା ଏଣିକି ତୋ ଇଛା। '

ନନା ଏଥର ସବୁଦିନ ପାଇଁ ସହରରୁ ବିଦାୟ ନେଇ ଫେରିଲେ ଗାଁକୁ। ପ୍ରତି ମୁହୂତ୍ତରେ ପ୍ରତିଧ୍ବନିତ୍ବ ହେଉଥିଲା କଳ୍ପନାର ପ୍ରତିବାଦର ସ୍ବର। ପେଟକୁ ଭୋକ ନାଇ। ଆଖିକୁ ନିଦ ଆସେନି। ଏକମାତ୍ର ଝିଅ ମାଆ ନ ଥିବା ସତ୍ବେ କୋଣସି ଅଭାବ ନକରି ପାଠ ପଢାଇ ଏତେ ବଡ କରିଛନ୍ତି। ସ୍ବପ୍ନ ବି ଗଢିଥିଲେି ସୁନ୍ଦର ବରଟିଏ ଖୋଜି ବାହାଦେବେ। ହେଲବେ ଆଜି ସବୁ ସ୍ବପ୍ନ ଚୁରମାର୍। ପ୍ରତି ମୁହୂତ୍ତରେ ଆଖିରୁ ଧାରଧାର ଲୁହ ବୋହି ତାଙ୍କ ମୁହଁକୁ ଧୋଇ ଦେଉଥାଏ। ଅସରାଏ କୋହ ଦୁଲକାଇଦିଏ ଦିହକୁ।

କଳ୍ପନା ଧିରେଧିରେ ନିଜ ଇଜ୍ଜତ ହରାଇବସେ। ସହରୀ ନିଶାରେ ଶ୍ରୀହୀନା ସାଜେ। ଆଉ ଏପରି ଲୋକନିନ୍ଦା ଘେନି ଏପରି ଏକା ବଞ୍ଚିବାକୁ ଚାହେଁନା। ଯେମିତି ହେଲେ ଏଥର ଜଣାଇବ ଅନ୍ବେଷକୁ । ବାହା ହେବାକୁ କହିବ। ରାତିକ ବିତିଯାଉ । ସକାଳକୁ ଅପେକ୍ଷା...

ପ୍ରତିଦିନ ଭଳି ଠିକଣା ଟାଇମରେ ହାଜର । କଳ୍ପନା ବି ରେଡି। ବହୁ ଦିନ ଧରି ବୁଲିଛି ତା'ସହ । ବହୁତ ବିଶ୍ବାସ ବି ରଖିଛି। କଥାବାର୍ତା ହୋଇ ହୋଇ ଶେଷର କିଙ୍ଗସ୍ ହୋଟେଲରେ ପହଞ୍ଚିଲେ। ଦୁଇ ଜଣଙ୍କର ଫେଭ୍ରେଟ୍ । ଅନେକ ଥର ଏଇଠି ଲଞ୍ଚ ଡିନର କରିଛନ୍ତି। ଲଞ୍ଚ ମଗାଇ ଖାଇବା ଆରମ୍ଭ କରିଛନ୍ତି।

- ' ଅନ୍ବେଷ...'

- ' ହଁ..'

- ' ତୁମକୁ କିଛି କହିବାର ଥିଲ।'

- ' କୁହ, ଏମିତି କି କଥା ରଖିଛ? '

- ' ଅଛି। ତୁମେ କଥା ଦିଅ ମୋତେ ସତ କହିବ।

- ' ଆରେ.... ଏ କି କଥା କହୁଛ। ମୁ କାଇଁ ତୁମକୁ ମିଛ କହିବି। '

- ତଥାପି..

- ଠିକ୍ ଅଛି ବାବା ଠିକ୍ ଅଛି। କଥାଟା ତ କଣ କୁହ ଆଗେ।

- ଆମେ କେବେ ସାଦି କରିବା?

- ବାହାଘର!!!(ଅଧା ବାଟରେ ଭାତମୁଠା ଧରି)

- ହଁ।

- ଏ କଣ କହୁଛ। ତୁମେ ମୋ ଫ୍ରେଣ୍ଡ୍।

- କଣ କହୁଛ? ମୁଁ ତୁମ ଫ୍ରେଣ୍ଡ? ଥରେ ମୁହଁକୁ ଚାହିଁ କୁହତ?

- ହଁ..ହଁ.. ତୁମେ ମୋ ସାଙ୍ଗ।

- ଓଃ...ତା' ମାନେ ଆମ ମଧ୍ୟରେ ଯା'ସବୁ ଘଟିଯାଇଛି...

- ଫ୍ରେଣ୍ଡଲି.....

- ୟୁ... ଚିଟର (ସାର୍ଟ କଲର୍ ଧରି )

- ଛାଡ କଳ୍ପନା, ଭଲ ହେବନି କହୁଛି, ଏମିତି ସଭିଙ୍କ ଆଗରେ କରିବା। ଇଟିଜ୍ ଭେରି କେଜୁଆଲ।

- କ'ଣ କେଜୁଆଲ!!

- ହଁ ହଁ କେଜୁଆଲ। ଭେରି କେଜୁଆଲ। ତୁମ ପରି ମୋର ଅନେକ ଫ୍ରେଣ୍ଡ ଅଛନ୍ତି। ତୁମ ଭଲି ମୁଁ ସେମାନଙ୍କ ସହ ବି ବିତାଇଛି , ଏମିତି କେତେ କଣ....

- କେତେ କଣ ମାନେ?

- ହଁ..ଯା' ତୁମ ସହ

- ଛିଃ....ଧକ୍କେବାଜ୍

- ମୁଁ ନୁହଁ କଳ୍ପନା। ସହରର ସବୁ ସେମିତି।

- ହେଲେ ତୁମେ ତ କହିଥିଲ ମୋତେ ଭାରି ଭଲପାଅ। ତୁମେ ବି ଜାଣ ମୁଁ ତୁମକୁ କେତେ ଭଲପାଏ।

- ତ? କଣ ହେଲା?

- କିଛି ନୁହଁ କିନ୍ତୁ, ତୁମେ ମୋତେ ବାହା ହେବ। ନଚେତ୍ ମୁଁ କଣ କରିବି ଦେଖିବ?

( ଏଥର ହାଉଳି ଖାଇଲା ଅନ୍ବେଷ। ଅନେକ ଝିଅ ଗଲେଣି ହେଲେ ଏମିତି କେହି ପ୍ରତିବାଦ କରିନଥିଲେ। କାଳେ କଳ୍ପନା କଛି ଅଘଟଣ ଘଟାଇବ ସେ ଭୟରେ ପୁଣି ଛଳନା କରି..)

- ଠିକ୍ ଅଛି ଡାର୍ଲିଂ...ଠିକ୍ ଅଛି।

- ନାଇ ସତ କୁହ?

- ସତ ହିଁ କହୁଛି ଆମେ ବାହା ହେବା।

- ଆଉ ଯା'ସବୁ କହିଲ?

- ଆରେ ବୋକୀ ମଜା କରୁଥିଲି। ଜାଣିପାରିଲୁନି?

- ନା...ଆଉ ଦିନେ ସେମିତି କହିବନି। ଜାଣିଛ କଣ ଲାଗିଲା ମୋତେ?

- କଣ?

- କିଛି ମୋମେଣ୍ଟ ପାଇଁ ମୋ ହାର୍ଟବିଟ୍ ରହିଗଲା।

- sorry..କାନ ଧରୁଛି।

- THANK GOD,ତୁମେ ରାଜିହେଲ।

- ଚାଲ ଯିବା ଏଥର।

- କୁଆଡେ?

- ତୁମ ରୁମ୍କୁ।

- ହଁ.... (ଲାଜେଇ ଲାଜେଇ)

ବାହାରିପଡିଲେ ନିଜ ରୁମ୍ ଅଭିମୁଖେ। ଯିବା ରାସ୍ତାରେ ମେଡିକାଲ୍ ଷ୍ଟୋରଠାରେ ଗାଡି ଅଟକାଇଲା ଅନ୍ବେଷ। ଅଳ୍ପ ସମୟ ଅପେକ୍ଷା କରିବାକୁ କହି ଦୌଡିଦୌଡି ଯାଇଥିଲା। ବୁଝିସାରିଥିଲା କଳ୍ପନା। ଲାଜରେ ହସୁଥିଲା। କିଛି ସମୟ ଭିତରେ ଦୁହେଁ ପହଞ୍ଚିଲେ ରୁମରେ।

ଫ୍ରେସ୍ ହେବାକୁ ଗଲା କଳ୍ପନା। ଏଣେ ହରଡଘଣାରେ ଅନ୍ବେଷ। କଳ୍ପନା ଯେ ଶେଷରେ ଏମିତି ରିଆକ୍ଟ ହେବ ସେ ଜାଣିନଥିଲା। ଯେମିତି ହେଲେ ଏ କାହାଣୀକୁ ଏଠି ବନ୍ଦ କରିବାକୁ ହେବ। ନଚେତ୍ ସେ ଫସିବ। ତେଣୁ ଡେରି ନ କରି ମେଡିକାଲ୍ ଷ୍ଟୋରରୁ ନେଇଆସିଥିବା ନିଦ ବଟିକା ଗୁଡିକୁ ବୋତଲରେ ମିଶାଇଦେଲା। ଅପେକ୍ଷା କଲା। କଳ୍ପନା ଫେରିବା ପୂର୍ବରୁ ନିଜ ମୋବାଇଲର ଭିଡିଓଟିକୁ ଅନ୍ କରି କପବୋର୍ଡରେ ଥୋଇଦେଲା। କଳ୍ପନା ବାହାରକୁ ଆସିବା ପରେ, ଅଧା ଢାଳି ବଢାଇ ଦେଇ କହିଲା ନିଅ ମୁଁ ଅଧା ପିଇ ନେଇଛି , ଏତକ ପିଇନିଅ।

ଅଚେତ ଅବସ୍ଥାରେ ବେଡ୍ ରେ କଳ୍ପନା। ପୁଣି ଶିକାରୀ ସାମ୍ନାରେ ବିରାଟ ଶିକାର। ମୁକୁଳିବାର ପ୍ରଶ୍ନ ହିଁ ନାଇ। ତା' ପାଟି ବନ୍ଦ କରିବାକୁ ଅନ୍ବେଷ ପାଖରେ ଏଇ ଏକମାତ୍ର ରାସ୍ତା। ଦୁହିଁଙ୍କ ଡ୍ରେସ୍ ବେଡ ତଳେ, ଆଉ ଦୁଈଜଣ ବେଡ୍ ଉପରେ । ବେଡ୍ ଉପରର ସମସ୍ତ ଲୀଳାଖେଳକୁ ନିଶବ୍ଦରେ କଏଦ କରୁଥିଲା ମୋବାଇଲ। କିଛି ମୁହୂର୍ତ୍ତର କଳଙ୍କ ବୋଳିସାରିବା ପରେ ଶେଯ ଛାଡିଲା ଅନ୍ବେଷ। ଭିଡିଓଟିକୁ ଅଫ୍ କଲା। ନିଦ ଭାଙ୍ଗିନି। ସେମିତି ପଡିଛି କଳ୍ପନା। ତା' ନିଦ ଭାଙ୍ଗିବା ପୂର୍ବରୁ ରେକର୍ଡ କରିଥିବା ଭିଡିଓସହ ମେସେଜ୍ ଟେ ସେଣ୍ଡ କରି ଚାଲିଗଲା।

କିଛି ସମୟ ପରେ ଚେତା ଫିଟିଲା। ସମୟ ଦିନ ଦିପହରୁ ଯାଇ ସିଧା ରାତି ବାର। ମୂର୍ମୁର୍ଷ ସ୍ଥିତିରେ କଳ୍ପନା। ଦେହସାରା ଅଜଣା ବ୍ୟଥା। ଦିହରେ ପୋଷାକ ନାଇ। ପାଦତଳୁ ଚାଦରଟି ଘୋଡିନେଲା ଦେହଟାକୁ। ଅନ୍ବେଷ ...ଅନ୍ବେଷ.... ଡାକ ଦେଲା ହେଲେ ପ୍ରତିଉତ୍ତର ନାଇ। ନିବୁଜ କୋଠରୀର ନିଃଶବ୍ଦତା ଭିତରେ ଉପହାସ କରି ପ୍ରତିଧ୍ବନିତ୍ବ ହେଉଥିଲା ତା ଡାକ। ଅନ୍ବେଷ ତାକୁ ଏଭଳି ଅବସ୍ଥାରେ ଛାଡିଯିବ ତା' ବିଶ୍ବାସ ହେଉନଥିଲା। ପଚାରିବା ପାଇଁ ଫୋନ ଖୋଲିଲା। ଦେଖେ ତ ଅନ୍ବେଷର ନମ୍ବରରୁ ମେସେଜ୍ ଆାଉ ଭିଡିଓଟେ। ଭିଡିଓ ଡାଉନଲୋଡ୍ ବେଳକୁ ପଢିନେଲା ମେସେଜଟିକୁ।

- ' ଦେଖିନିଅ କଳ୍ପନା, ଭଲରେ ଟିକେ ଦେଖିନିଅ। ଆମ ଭିଡିଓ ହିଁ। ଆଉ ଦିନେ ମୋ ଆଗରେ ବାହାଘର କଥା ଟେକିବନି। ଯଦି ବାଧ୍ୟ କର ନା, ମୁଁ ଏବେ କଣ କରିବି ଭଲରେ ଜାଣିଚ। ମୁଁ ଯଦି ଏ ଭିଡିଓଟିକୁ ମାର୍କେଟରେ ଛାଡେ ତ ମୁଣ୍ଡ ଉଠାଇ ପାରିବ ନାହିଁ, ଆଉ ତୁମ ନନା ଏହା ଦେଖିବା ପରେ ଲୋକଲଜ୍ଜାର ଆତ୍ମହତ୍ୟା କରିବେ। ଭଲରେ ଭଲରେ କହୁଛି ପାଟି ବନ୍ଦକରି ସିଧା ସିଧା ଗାଁକୁ ଚାଲିଯାଅ, ନଚେତ୍...। ଏଥର ତୁମ ଇଛା। ଗୁଡ୍ ବାଏ.... 'ହୃଦୟ ଫାଟିଗଲା। ଅନ୍ବେଷ ଏମିତି ବ୍ଲାକମେଲିଂ କରିବ। ତା ଭଲପାଇକୁ ଏମିତି ଠିକଣା ଦେବ। ବିଶ୍ବାସର ପ୍ରତିଉତ୍ତରରେ ଏଭଳି ବିଶ୍ବାସଘାତକତା କରିବ ସ୍ବପ୍ନରେ ସୁଧା ଭାବିନଥିଲା। ଏଥର ଚିହ୍ନିସାରିଥିଲା ଅନ୍ବେଷକୁ। ଚିହ୍ନିସାରିଥିଲା ସହରୀ ରାକ୍ଷସଙ୍କୁ। ତା ସହର ନିଶା ଏକା ବେଳକୁ ଭାଙ୍ଗିଗଲା।

ସଙ୍ଗେସଙ୍ଗେ ମିକିକୁ ଫୋନ୍ କରି ସମସ୍ତ ଘଟଣା ଜଣାଇଲା। ସେ ବି ଝିଅ। ବହୁତ ଦିନ ଧରି ସହରରେ ରହିଆସିଛି। ଭଲରେ ଚିହ୍ନିଛି ସହରକୁ। କେତେ ସତର୍କତାର ସହିତ ବଞ୍ଚିବାକୁ ପଡେ। ଆଜିକାଲି ସହର ମାନଙ୍କରେ ଏ ଘଟଣା ସବୁ ଅତି ସାଧାରଣ ହୋଇପଡିଲାଣି। ଅଫିସ୍, ପାର୍କ, ମନ୍ଦିର, ଥିଏଟର କୋଉଠି ଖାଲି ନାଇ। ଏମିତି ଏ ସହରର ନର ରୂପଧରୀ ଶିକରୀ ମାନଙ୍କ ପଞ୍ଝାରେ ଅନେକ ଶିକାର ହୁଅନ୍ତି।

ତହିଁ ଆରଦିନ ସକାଳୁ ସକାଳୁ ମିକି ଆସି ପହଞ୍ଚିଲା। କଳ୍ପନକୁା ବୁଝାଇ କହିଲା

- ' ଭଲ ହେବ ଗାଁକୁ ଫେରିଯାଆ। ଗାଁରେ ରହି ନନାର ସେବାକରେ। ତୋତେ ଏଠି ଆଉ ଭଲରେ ରଖେଇ ଦେବନି, ଭଲ ହେବ ତାକୁ ପଦେ ବି ଜବାବ୍ ନ ଦେଇ ଚାଲିଯାଆ।

- ନା, ମୁଁ ଆଉ ବଞ୍ଚିବିନି ମିକି।

- ଚୁପ୍ କର।

- ଏ ଲାଜରେ କେମିତି ମୁହଁ ଉଠାଇବି? କାହାପାଇଁ ବଞ୍ଚିବି?

- ବଞ୍ଚିବାକୁ ହେବ ତୋତେ। ଥରେ ଭାବେ ତୋ ନନାର କଥା। ତାଙ୍କୁ ଏକା କରି କଣ ଏମିତି ଚାଲିଯିବୁ?

- ହେଲେ ନନା ଜାଣିଲେ........

- କାନ୍ଦେନା ରହ! ଏବେ କାନ୍ଦି କିଛି ଲାଭ ହେବନି। ଯାହା ସବୁ ଘଟିଗଲା ମନରୁ କାଢିନେ। ତୋର କଛି ହେବନି।

- ମୁଁ ଏଇକ୍ଷଣି ଚାଲିଯିବି ଗାଁକୁ। ନନା କଥା ଭାରି ମନେ ପଡୁଛି।

- ହଁ ଠିକ୍ ଅଛି। ଆଜି ହିଁ ବାହାରିପଡ। କହିଦେଉଛି ଆଉ କିଛି ବି ପାଗଳାମି କରିବୁନି। ତୋ ନନା ଲାଗି ତୋତେ ବଞ୍ଚିବାକୁ ହିଁ ପଡିବ।

ହୁତ୍ହୁତ୍ ହୋଇ ଜଳୁଥିଲା ତା ଅନ୍ତର। ନିଜର ବୋଲି ଇଜ୍ଜତ୍ କୁ ହରାଇ ବସିଲା। ଏଥର ଏଇ ସହରରେ ଆଉ ରହିବାର ନାହିଁ। କିଛି ସ୍ବପ୍ନ ନାହିଁ। ପୁଣି ଫେରିଆସିବ ସେଇ ମଫସଲକୁ ଘରକାମ କରିବ। ରାନ୍ଧିବାଢି ନନାକୁ ମୁଠେ ଖାଇବାକୁ ଦେବ। ସେମିତି ପଡିରହିବ ଗାଁରେ। ତା'ର ଆଉ ସହର ଲୋଡାନାହିଁ। ଶେଷରେ ପୁଣି ଫେରିଲା ଗାଆଁ ଅଭିମୁଖେ।

ଦିନେ ଝରକା ଫାଙ୍କରୁ ଯେଉଁ ବଡ ବଡ କୋଠାକୁ ଦେଖି ଆନନ୍ଦରେ ଡେଉଁଥିଲା ଆଜି ସେ ସବୁ ପଛର କଳା ଚେହେରା ଗୁଡିକୁ ମନେ ପକାଇ ନିଜକୁ ଧିକ୍କାର କରୁଥିଲା। ଏଠି ହଜାର ହଜାର ଅନ୍ବେଷ। ତା ଭଳି ଲୋକ ହାତରେ ପ୍ରତିଦିନ ଏଠି ହଜାର ହଜାର ନୀରିହ କଳ୍ପନା ଶିକାର ହୁଅନ୍ତି। ଧିରେଧିରେ ସେଇ କଂକ୍ରିଟ ଜଙ୍ଗଲରୁ ମୁକ୍ତି ମିଳୁଥିଲା। ଏତକ ସମୟ ମଧ୍ୟରେ ସବୁଜ ବନନୀକୁ ମଧ୍ୟ ସହର ଗ୍ରାସ କରିସାରିଥିଲା। ଦେଖୁଦେଖୁ ସହର ଡେଇଁ ମଫସଲ ଆଡକୁ ବଢେ ବସ୍। ତା ଆସିବା ଖବର ଜାଣି ରାସ୍ତାକଡ ବୃକ୍ଷଲତା ସବୁ ନିଦାଘର ତେଜସମ ଜଳିବାକୁ ଲାଗେ। ସୂର୍ଯମୁଖୀ ସବୁ ଦିଗ ବଦଳାଇ ବିମୁଖୀ ହୁଏ।

ଗାଁରେ କାହାକୁ ଖବର ନାହିଁ। କଳ୍ପନା ଆଜି ଫେରୁଛି। ଗାଁ ମୁଣ୍ଡରେ ଓହ୍ଲାଇଲା। ଶେଷ ମୁଣ୍ଡରେ ଘର। ଧିରେଧିରେ ପାଦ ପକାଇ ଆଗକୁ ବଢେ। ଗାଁ, ଟି ପୂରା ଖାଁ ଖାଁ। ଶେଷ ମୁଣ୍ଡରେ ଗହଳି। ଗହଳି ଭିତରୁ କାନ୍ଦ ବୋବାଳି ଶବ୍ଦ। ଭୟରେ ପାଦର ଗତି ଧିମେଇଯାଏ। ଗହଳି ମଧ୍ୟରୁ ସମସ୍ତଙ୍କ ନଜର ଫେରେ କଳ୍ପନା ଦିଗକୁ। କର୍କଶ ଚେହେରା ସବୁ। ଗହଳି ଭାଙ୍ଗି ଭିତରକୁ ପଶି ଦେଖେ ତ କାଠ ପାଲଟିଯାଏ ଦିହ । ଓଠପାଟି ଶୁଖିଯାଏ। ପାଦତଳୁ ମାଟି ଖସିଯାଏ। ମହମ ପରି ମିଳେଇଯାଏ ତା ହୃଦୟ। ବଂଶ ମର୍ଯ୍ୟାଦା ହରାଇ ବାଉଁଶ କୋକେଇ ଉପରେ ଚିରନିଦ୍ରାରେ ତା ନନା।

ଆଜି ସକାଳୁ ବିଲ ହିଡ ଉପରୁ ତାକୁ ମୃତ ଅବସ୍ଥାରେ ପାଇ ଟୋକାମାନେ ଗାଁକୁ ଉଠାଇ ଆଣିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଲାଗୁଥିଲେ ବି ସେଇ। ଭିଡିଓ ଦୁଇଦିନ ହେବ ସମସ୍ତଙ୍କ ହାତରେ ବୁଲିଲାଣି। ଗାଆଁଟା ସାରା ଲୋକ ଜାଣିଲେ। ଗତକାଲି ରାତିରେ ଏହି ଘଟଣାକୁ ନେଇ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ଝିଅର କର୍ମ ପାଇଁ ଅନେକ ଲୋକଲଜ୍ଜା ସହିବାକୁ ପଡିଲା। ଶେଷରେ ପଞ୍ଚାୟତରେ ରାୟ ମିଳିଥିଲା ନିର୍ବାସନ ଦଣ୍ଡ !!

ରାତିସାରା ଆଖିରେ ନିଦ ନାଇ। କେତେ ସେବା କରିଥିଲା। କେତେ ଗେହ୍ଲା କରୁଥିଲା କଳ୍ପନାକୁ। ମାଆର ଉଣାପଣିଆ କେବେବି ଅନୁଭବ କରାଇନଥିଲା। ଏ ପୁତ୍ର ମାନସିକଧାରୀ ଦୁନିଆରେ ବି କଳ୍ପନାକୁ କୋଳରେ ପାଇ ବେଶ୍ ଗର୍ବ କରୁଥିଲା। ବଂଶ ବୃଦ୍ଧି ନୁହଁ ବଂଶ ମଯ୍ୟାଦା ହିଁ ଶ୍ରେୟ ଭାବି ବଞ୍ଚିଥିଲା। ଶେଷରେ ତା' ଝିଅ ଏମିତି କରିବ କଳ୍ପନା ବାହାରେ ଥିଲା। ଏମିତି ଚିନ୍ତାରେ ଚିନ୍ତାରେ ରାତି ପାହିଗଲା। ଶେଷରେ ଲୋକଲଜ୍ଜା ଭୟରେ ଗାଁ ଉଠିବା ପୂର୍ବରୁ କୀଟନାଶକ ଔଷଧ କାଚଟିକୁ ଧରି ଚାଲିଗଲା। ଶେଷରେ ଯାହା ଘଟିଗଲା।

ନନାକୁ ଏଭଳି ଅବସ୍ଥାରେ ଦେଖି ନିର୍ବାକ। ସେଇ ଗହଳି ମଧ୍ୟରେ ବି କିଛି ଏମିତି କଥା କାନରେ ପଡୁଥିଲା-

- 'ହେଇଟି ଆଇଲା ଅଲାଜୁକୀ, ଛତରଖାଇ , ସୁନାଭଳି ବାପଟାକୁ ମାରିଦେଲା।'

- ' ସହର ଯାଇଥିଲା, ସହର ଇଜ୍ଜତ ବିକିଆଇଲା।'

- ' ଛି...ଛି..... କି ପାପ କରିଥିଲା କେଜାଣି ରବି, ଏମିତି ଝିଅକୁ ଜନ୍ମ ଦେଲା।

- 'ଖବର ଜାଣି ମରିଗଲାନି କାଇଁ, ବାପମୁହଁ ଦେଖି ଆଇଛି। ଡାଆଣୀଖାଇ ....'

ଏଇ ସବୁ ଶୁଣି ଜୀବନ ଥାଇ ବି ମୃତ ସମ ଅନୁଭବ କରୁଥିଲା ନିଜକୁ। ଲୋକଲଜ୍ଜାର ଭାଙ୍ଗିପଡିଲା। ଶେଷରେ ହାର ମାନିଯିବା ପରେ ବି ଅନ୍ବେଷ ଏଭଳି କରିବ ଜାଣିନଥିଲା। ବୋଧେ ସହରରେ ପ୍ରାୟ ଏମିତି। ଆଉ କାହାପାଇଁ ବଞ୍ଚିବ। ଯଦି ବଞ୍ଚିବ ଏ ସମାଜ ତାକୁ ସମ୍ମାନର ସହ ବଞ୍ଚିବାକୁ ଦେବନି। ଗୋଟିଏ ଭୁଲ୍ ପାଇଁ ଜୀବନ ତମାମ୍ ଶାସ୍ତି ଭୋଗିବାକୁ ପଡିବ। ଆତ୍ମାକୁ ନୁହଁ, ଶରୀରକୁ ମାପକାଠି କରି ବିଚାର କରେ ଏ ଦୁନିଆ। ନା ଏମିତିକା ଜୀବନ ତାର ବଞ୍ଚିବାର ନାଇ। ଜୀବନର ଏକ ମାତ୍ର ସାହାରା ବୋଲି କେବଳ ନନା ମାତ୍ର ଥିଲେ। ସେ ବି ଚାଲିଗଲେ। ନିଷ୍ପତ୍ତି ନେଲା ଭିଡିଓଟି ଭାଇରାଲ୍ ହେବା ପୂର୍ବରୁ ନିଜେ ଏ ଦୁନିଆରୁ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ।

ସନ୍ଧ୍ୟାବେଳ। ଗାଆଁ ମଶାଣି ଭୂଇଁରେ ପାଖାପାଖି ଜଳୁଥିଲା ଦୁଇଟି ଚିତା। ଗୋଟିଏ ପାର୍ଶ୍ବରେ ବଂଶ ମର୍ଯ୍ୟାଦା ହରାଇ ବାପା, ଆରପାର୍ଶ୍ବରେ ନୂତନତାର ବୁଢିଆଣି ଜାଲରେ ଛନ୍ଦି, ପ୍ରତାରଣା କୁ ପ୍ରତିହତ କରିନପାରି ପରାସ୍ତ ହୋଇଥିବା କଳ୍ପନା। ଶେଷରେ ଜଳିବାର ପ୍ରୟାସରେ ଜାଳୁଥିଲା ତା' ସ୍ବପ୍ନକୁ, ତା' ଇଜ୍ଜତକୁ। ଶାନ୍ତ ହେଲା। ମୁଠାଏ ପାଉଁଶରେ ସୀମିତ ରହିଲା ସବୁକିଛି।

-- ସମାପ୍ତ --

ଅନିରୁଦ୍ଧ ସାମନ୍ତରା

କଲ୍ୟାଣ ସିଂହପୁର, ରାୟଗଡ

ମୋବାଇଲ- ୯୪୩୮୬୮୫୮୬୫

©®aNIRUDDHA/08/09/2018


Rate this content
Log in

Similar oriya story from Tragedy