Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗନ୍ଧିଆ ଗନ୍ଧର୍ବ
ଗନ୍ଧିଆ ଗନ୍ଧର୍ବ
★★★★★

© Prasanna Kumar Madala

Inspirational Tragedy

2 Minutes   7.6K    9


Content Ranking

ଆଜି କୁଆଡେ ଚିଠି ଆସିଛି କଟକ ଡାକ୍ତର ବାବୁଙ୍କଠାରୁ, ଅଳ୍ପ ଦିନରେ ଗନ୍ଧିଆ ଭଲ ହୋଇଯିବ ଆଉ ଗନ୍ଧର୍ବ ସାଜିଯିବ ।

ତା' ମାଆ ମରିଗଲାଠୁ ଗନ୍ଧିଆ ମୁହଁରୁ ହସ ଟିକେ ନିଖେ ବୋଲି ଯାହା ଥିଲା ସବୁ ଲିଭିଗଲା । ଅନବରତ ଭିଜା ଭିଜା ଲାଗୁଥିବା ତା ପଶିଯାଇଥିବା ଆଖିକୁ ଦେଖିଲେ ଯେ କେହି ବୁଝିଯାଇପାରିବ କଥା କହିପାରୁ ନଥିବା ସତ୍ତ୍ୱେ କେତେ ଯେ କୋହ ଆଉ ଦୁଃଖ ତା ଉଦାସ ମୁହଁରେ ଭରିରହିଛି । ଆଗ ଭଳି ଠିକ୍ ଭାବେ ଖିଆପିଆ ବି କରୁନି ବୋଲି ଦେହଟା କଙ୍କାଳସାର ହେଲାଣି । ଏକୁଟିଆ ତା ବାପା କେତେ ଜଣ କରିବ? ଚାକିରିଟା ଛାଡ଼ିଦେଇ ଘର ମୁହଁରେ ଦୋକାନଟିଏ କରିଛି ଖାସ୍ ଏହି ଗନ୍ଧିଆ ପାଇଁ, ତା ଦେଖାଶୁଣା କରିପାରିବ ବୋଲି । ହେଲେ ଚବିଶ ଘଣ୍ଟା ତା ମାଆ ପରି ପଛେ ପଛେ ରହିପାରୁନି। ଘର ଚଳାଇବାକୁ ଦୋକାନ ବି ତ ଦେଖିବାକୁ ପଡୁଛି । କୋଉ ଦିଗର ରହିଲାନି ଘନଶ୍ଯାମ । ପୂର୍ବାର୍ଜିତ କୋଉ ଦୁଷ୍କୃତର ଫଳ ଯେ ଭୋଗୁଛି ଏ ଗନ୍ଧିଆ ପାଇଁ ଘାଣ୍ଟି ଚକଟି ହେଉଛି, ସେତକ ଭାବିବାକୁ ବି ସମୟ ନାହିଁ । ମଣିଷ ଜନ୍ମରେ ଭଗବାନ ରାମଚନ୍ଦ୍ର ବି କେତେ ଦୁଃଖ ସହିଥିଲେ ... ସବୁ ନିୟତିର ବିଧାନ ବୋଲି ।

ଗନ୍ଧିଆ, ଜନ୍ମରୁ ଏମିତି ନଥିଲା । ଗୁଲଗାଲିଆ ସୁନ୍ଦର ଚେହେରାରେ ମୋହିତ ହେଇ ଗନ୍ଧର୍ବ ବୋଲି ନାଁ ଦେଇଥିଲା ଘନଶ୍ୟାମ । କେଜାଣି କାହିଁକି ଦେଢ ବରଷର ହେଲା ବେଳକୁ କୋଉଠୁ ଗୋଟେ ଅପନ୍ତରା ରୋଗ ଆସି ମାଡି ବସିଲା ଯେ ସବୁ ସରିଗଲା, ଦୁର୍ବଳ କରିଦେଲା ପିଲାଟାକୁ । ଆଉ ତା ହାତ ଗୋଡ଼ ଓ ମୁହଁ ବଙ୍କା ହେଇଗଲା - ପୋଲିଓ ରୋଗ ଭଳି । ଅକର୍ମଣ୍ୟ କରିଦେଲା ପୂରାପୂରି, ଡାକ୍ତର ଦେଖେଇ ଦେଖେଇ ନୟାନ୍ତ ତଥା ସର୍ବସ୍ବାନ୍ତ ହୋଇଗଲା ଘନଶ୍ୟାମ । ଆଶା ସିନା ମଉଳି ଗଲା, ହେଲେ ଅବହେଳା କେବେ କରିନାହାନ୍ତି ପତିପତ୍ନୀ ପିଲାଟିର ଯତ୍ନ ନେବାରେ। ଗନ୍ଧର୍ବ ବାପାମାଆଙ୍କ କୋଳଛଡା ହେଲା ବେଳକୁ କେମିତି କେଜାଣି ଗନ୍ଧିଆ ହେଇଗଲା ଅଳ୍ପ କେଇ ବର୍ଷରେ । ନା ପାଦ ପକାଇ ଠିକ୍ ଚାଲି ପାରୁଥିଲା ନା ମୁହଁକୁ ହାତ ବଢାଇ ନିଜେ କିଛି ଖାଇ ପାରୁଥିଲା । ଶେଯରେ ମୁତିବାଠୁ ଆରମ୍ଭ କରି ଘର ଅଗଣାରେ ହଗିବା ତ ସବୁଦିନିଆ କଥା, ମାଆ ତାର ହାତରେ ଖୁଆଇ ପିଆଇ, ଶୌଚ କରାଇ ଲୁଗାପଟା ଧୋଇଧାଇ ଅଠର ବର୍ଷ କାଳ ପାଳିନେଲା । କେବେ ଗୀତ ଗାଇ ଶୁଆଇ ଦିଏ ତ କେବେ ଗପ କହି ଖୁଆଇ ଦିଏ ହସାଇ ଦିଏ । ଏ ଜଞ୍ଜାଳ ଆଉ ଚିନ୍ତାରେ ସିଏ ନିଜେ ବି ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲିଗଲା ଚିକିତ୍ସା ଅଭାବରୁ । ଥରେ କଟକ ଯାଇଥିଲେ ସପରିବାର ମାଆର ଚିକିତ୍ସା ପାଇଁ, ଡାକ୍ତର ଗନ୍ଧର୍ବକୁ ବି ଦେଖିଲେ ଆଉ ତାହାର ଏକ୍ସରେ ଆଦି ପରୀକ୍ଷା ନିରୀକ୍ଷା କରିଥିଲେ ।

ଏବେ ଦୁଇବର୍ଷ ହେଲା ଘନଶ୍ୟାମ ଥକିଗଲାଣି ଏକୁଟିଆ ଏତେ ବୋଝ ଉଠାଇ ।ଭାବିଥିଲା ଦ୍ବିତୀୟ ବିବାହ କରି ଚଳିଯିବାକୁ । ହେଲେ ଗନ୍ଧର୍ବ କାଳେ ସ୍ବୀକାର କରିବ କି ନାହିଁ ଭାବି ସାହସ କଲାନି । ହନ୍ତସନ୍ତ ହୋଇ ଥରେ ତାକୁ ମୁକ୍ତି ଦେଇଦେବା ପାଇଁ କୃତ୍ରିମ ଦୁର୍ଘଟଣାର ଉପାୟ ବି ଭାବିଥିଲା, ହେଲେ ଏତେ ବଡ଼ ପାପ କରିପାରିଲାନି । ନିଜେ ବି ବିଷ ଖାଇ ପାରିଲାନି.... ଜୀବନର ଦର୍ଶନ ଖୋଜୁ ଖୋଜୁ ପୁତ୍ର ମମତା ମୋହରେ ଅଧିକରୁ ଅଧିକ ଛନ୍ଦି ହୋଇଯାଉଥିଲା ।

ଆଜି କଟକର ସେହି ଡାକ୍ତରଙ୍କ ଠାରୁ ଚିଠି ଆସିଛି । ଘନଶ୍ୟାମର ପାଦ ତଳେ ଲାଗୁନି, ପୁଅକୁ ନେଇ କାଲି ସକାଳେ କଟକ ଚାଲିଯିବ ବୋଲି ସଜବାଜ ହେଉଛି । ବେଶି କୁଆଡେ ଖର୍ଚ୍ଚ ବି ହେବନି, କଲିକତାର ଏକ NGO ସହାୟତାରେ ଗନ୍ଧର୍ବର ଉନ୍ନତମାନର ଚିକିତ୍ସା ଥାଇଲାଣ୍ଡର ଡାକ୍ତର କରିବେ, ଆଉ ଗନ୍ଧର୍ବ କୁଆଡେ ଭଲ ହୋଇଯିବ ବୋଲି ଲେଖିଛନ୍ତି । ମାଆ ତାର ଥାଆନ୍ତା କି ଆଖିରେ ଟିକେ ଏସବୁ ଦେଖିବାକୁ ।

ପ୍ରସନ୍ନ କୁମାର ମାଦଳା

ଗନ୍ଧର୍ବ ଦୁଃଖ ରୋଗ

Rate the content


Originality
Flow
Language
Cover design

Comments

Post

Some text some message..