Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Sarangi

Drama Others

2  

Paramita Sarangi

Drama Others

ବିନୁ, ବର୍ଷା ଆଉ ବିଲେଇ

ବିନୁ, ବର୍ଷା ଆଉ ବିଲେଇ

9 mins
1.5K


ଅଚାନକ ବର୍ଷାଟା ଆରମ୍ଭ ହୋଇଗଲା, ଘୁ ଘୁ ପବନ ଆଉ ପ୍ରଚଣ୍ଡ ଶବ୍ଦର ଘଡଘଡ଼ି ସହ। ବର୍ଷାଟା ଆସିବାର ସଙ୍କେତ ଯେ ନଥିଲା ତା ନୁହେଁ, ବେଶ୍ କିଛି ସମୟ ପୂର୍ବରୁ ବାଦଲ ଗୁଡିକ ଗୁମ୍ ମାରିକି ବସିଥିଲେ। ବୋଧହୁଏ ଏକାଠି ଗର୍ଜିବାର ପ୍ଲାନିଙ୍ଗ ଥିଲା। ବିନୁ ଭାବୁଥିଲା ଆଉ ଦଶ ପନ୍ଦର ମିନିଟ୍ ଟିକେ ଖଟିରେ ବସି ତା'ର ପିଉ ପିଉ ଦଦେଇଙ୍କ ଉଡା କଥାରେ‌ ହେଁ ହେଁ ହେବ। ଏମିତି ଅନେକ ଥର ହୋଇଛି ଏହି ମେଘଟା ଗୁମ ମାରିବ ହେଲେ ବର୍ଷିବ ନାହିଁ। କିନ୍ତୁ ବିନୁର ଗଣନାଟା ଭୁଲ ହୋଇଗଲା। କେଉଁଠି ଥିଲା ପବନ‌ଟା ସୁ..ମୁଁ କରି ପ୍ରବଳ ବେଗରେ ବର୍ଷାକୁ ନେଇ ଆସିଲା। ଖଟିରୁ ଉଠିବାକୁ ଇଛା ନଥିଲା ତାର ହେଲେ ଘରକୁ ତ ଯିବାକୁ ପଡ଼ିବ। ଏ ମେଘଟା ତ ପୂର୍ବରୁ ରାତିକୁ ହିଁ ନିମନ୍ତ୍ରଣ କରିସାରିଲାଣି। ତାପରେ ବିନୁର ଏ ଦମାରୋଗ , ବର୍ଷାରେ ଭିଜିଲେ ବାହାରି ପଡ଼ିବ।

ଦମା ରୋଗରେ ବିନୁକୁ କଷ୍ଟ ହୁଏ ଯେତିକି,ତା ଠୁଁ ଅଧିକ ଡର ଲାଗେ। ନିଃଶ୍ବାସ ପ୍ରଶ୍ବାସ ରୋକି ହୋଇଯାଏ,ପେଟ ଟାଣି ହୋଇ ପିଠିରେ ଲାଗିଯାଏ। ଛଟପଟ ହୁଏ ବିନୁ କାହା କୋଳର ଉଷ୍ମତା ପାଇଁ। ଜେଜେ ମା ତା'ର ହାଡୁଆ ହାତରେ ମୁଣ୍ଡକୁ ଆଉଁସି ଦେଲା ବେଳେ ସେ ଆଙ୍ଗୁଠି ମଝିର ଫାଙ୍କରେ ପଶିଯାଏ କିଛିଟା ଦୁଃଖ। ଶାରୀରିକ କଷ୍ଟ ଠାରୁ ମାନସିକ କଷ୍ଟ ମାଡ଼ି ବସେ ତା ଉପରେ। ଡରିଯାଏ ସେ...କ୍ଷତବିକ୍ଷତ ହୃଦୟରୁ ଦି ଧାର ଲୁହ ବୋହିଯାଏ...ଶିରା ପ୍ରଶିରା ଗୁଡିକ ମୁଣ୍ଡ ଉଠାଇ ଆଖିକୁ ଫାଡ଼ି ନିରିଖେଇ ଥାନ୍ତି ତା' ନିଃସ୍ଵତାକୁ।

ଡଗଡଗ ହୋଇ ଚାଲୁଥିଲା ବିନୁ କି ବର୍ଷାଟା ଆରମ୍ଭ ହୋଇଗଲା। ବଡ଼ ବେକାରିଆ ଏ ବର୍ଷାଟା। ଚିଡିଗଲା ବିନୁ। ତା ଖୁସିକୁ କେହି ବି ସହିପାରନ୍ତିନି। ନା ତା ଭାଗ୍ୟ, ତା ପରିସ୍ଥିତି, ତା ବାପା ଆଉ ଏ ବର୍ଷାଟା।

ବିନୁକୁ ଭଲ ଲାଗେ ଏଇ ଖଟିଟା। ଏଠି କେହି ମା'ଙ୍କ କଥା ପଚାରନ୍ତିନି। ଦଦେଇ କଥା କୁହନ୍ତି, ତାଙ୍କ ସମୟର ମଜେଇ କରି। ସମସ୍ତେ ହସନ୍ତି .. ବିନୁ ବି। କିଛି ସମୟ ପାଇଁ ଭୁଲିଯାଏ ତା ଖାଲି ପଣକୁ। ତା ରିକ୍ତ ପାପୁଲିରେ ଭରିନିଏ କିଛିଟା ଖୁସି ,ଆଉ ଖୋଲି ଦିଏ ଜେଜେମା ପାଖରେ। ଜେଜେମାର ବୁଢ଼ୀ ଆଖି ଚମକି ଯାଏ ବିନୁର ଖୁସିରେ।

ମୋଟାମୋଟି ବିନୁ ହସେ ସେ ଖଟିରେ। ଖାଲି ହସେ...ହସି ହସି ଘରକୁ ଫେରେ। କବାଟ ଖୋଲିଲେ ମା' ଦେଖାଯାଏ...ମା'‌ପଖାଳ ବାଢ଼ିଦିଏ.…ହାତ ଧୋଇବା ବେଳେ ପାଣି ଗଡ଼ାଇ ଦିଏ... ସବୁଠି ମା' ଥାଏ। ହେଲେ ଖଟ ଉପରେ ଗଡ଼ି ପଡ଼ିଲା ବେଳେ ମା'ଙ୍କ କୋଳ ନଥାଏ। ଏକଡ଼ ସେକଡ ହୁଏ, ଅଭିମାନରେ ମନ ଭରିଯାଏ। ମା' କେମିତି ମୋତେ ଛାଡ଼ି ଦେଇଯାଇ ପାରିଲେ। ଜମାରୁ ପାଞ୍ଚ ବର୍ଷର ହୋଇଥିଲା ବିନୁ। ସେଦିନର ସବୁ କଥା‌‌ ମନେ ଅଛି ତାର। ମା'ଙ୍କର କୁଆଡେ ଲୁଚାଛପା ପୀରତି ଥିଲା ଗାଁକୁ ଆସି ଥିବା ଯାତ୍ରାପାଟିରେ ଦଶରଥ ରୋଲ୍ କରୁଥିବା ଘନ ସହିତ। ସେଦିନ ରାତିରେ ସୁଯୋଗ ପାଇ ଚାଲି ଗଲେ ତା ସହିତ,.. ବାପା ଆଉ ତାକୁ ଛାଡ଼ି।

ବାପାଙ୍କ ମୁହଁରେ କେହି କିଛି କୁହନ୍ତିନି ସେ କାଳେ ଦୁର୍ବାସାଙ୍କ ଦ୍ବିତୀୟ ରୂପ। ହେଲେ ମା'ଙ୍କ ବିଷୟକୁ ନେଇ ଶୁଣାଇ ଦିଅନ୍ତି ଜେଜେମାକୁ ଗାଁର ସ୍ତ୍ରୀ ଲୋକମାନେ। ସମସ୍ତେ ଭାବନ୍ତି ଛୋଟ ବିନୁ କିଛି ଜାଣି ପାରୁ ନଥିବ। ହେଲେ ସେ ଦେଖିନିଏ ଜେଜେମାର ଲୁଚେଇ ଲୁଚେଇ ପଣତ କାନିରେ ଲୁହ ପୋଛା ଆଉ ସେ ସ୍ତ୍ରୀଲୋକ ମାନଙ୍କର ଚୁପଚାପ୍ ଟାହିଟାପରାର ହସ। ବିନୁ ପରି ଜେଜେମା ଛାଡ଼ିଦେଇ ଥିଲେ କାହା ସହ ମିଶିବା। ଛାଡି ଦେଇ ଥିଲେ ନଈକୁ ଗାଧୋଇ ଯିବା , ମନ୍ଦିରରେ ଦୀପ ଦେବା ଆଉ ଭାଗବତ ଶୁଣିବା। ଲୁଚେଇ ଲୁଚେଇ କାନ୍ଦେ ସିନା, ହେଲେ ମା'ଙ୍କ ବିଷୟରେ ଉଠି ଥିବା କଥାକୁ ବିଶ୍ବାସ କରେନା। କେତେ ଥର ବାପାଙ୍କୁ କହିବାର ଶୁଣିଛି ବିନୁ"ଯା ବୁଝ ସତ କ'ଣ! ଲୋକଙ୍କ କଥାରେ ଭଳି ଯା ନା , ତାଳୁ ମୋର ସାକ୍ଷାତ ଲକ୍ଷ୍ମୀ।ଇର୍ଷା କରନ୍ତି ତାଂକୁ ଏ ଲୋକ ଗୁଡ଼ାକ।"ଜେଜେମାର କଥା ଗୁଡିକ କାନ୍ଥରେ ପିଟିହୋଇ ତାରି‌ ପାଖକୁ ପୁଣି ଫେରି ଆସେ।

ଯାତ୍ରାର ଶେଷ ଦିନ।'ସୀତା ହରଣ' ସିନ୍ ମା'ଙ୍କର ଅତି ପ୍ରିୟ। ଦେଖିବାକୁ ଯିବା ପାଇଁ ମିକିଖୁଡି ବାଧ୍ୟ କରୁଥିଲେ ମା'ଙ୍କୁ।" କିଲୋ ଯାଉନୁ, ଏତେ ଡାକୁଛି ମିକି। ଯେମିତି ତୁ ହିଁ ଘରଟାକୁ ଏକୁଟିଆ ମୁଣ୍ଡେଇ ଧରିଛୁ। ଯା ଏତେ ଆଉ ଗୋଡ ଲମ୍ବାନା , ମୁଁ ବିନୁକୁ ରଖି ଦେବିନି କି! ଯା...ଯା।" ଜେଜେମା ମା'ଙ୍କୁ ଭଲପାଏ ହେଲେ ସବୁବେଳେ ତା ଉପରେ ଗାରୁ ଗାରୁ ହେଉଥାଏ। ଅଗତ୍ୟା ମା'ଙ୍କ ମିକି ଖୁଡ଼ିଙ୍କ ସହ ବାହାରି ଥିଲେ ଯାତ୍ରାଦେଖିବା ପାଇଁ।

ଯାତ୍ରା ଆରମ୍ଭ ହୋଇଥଲା କି ଦଶରଥ ରୋଲ୍ କରୁଥିବା ଘନ ଘରୁ ଖବର ଆସିଲା,ତା ବାପାଙ୍କ ଦେହାନ୍ତ ହେଇଯାଇଛି ବୋଲି। ଭାଙ୍ଗି ପଡ଼ିଲା ଘନ। କାନ୍ଦୁଥିଲା ରାମଙ୍କ ବନବାସ ଦୃଶ୍ୟରେ,କି ଜିବନ୍ତ ଦୃଶ୍ୟ। ଶେଷ ହେଲା ସେ ଦୃଶ୍ୟ ,ପରଦା ପଡ଼ିଲା , ଘନ ତରତର ହୋଇ ଗାଁକୁ ବାହାରିଲା। ଠିକ୍ ସେତିକି ବେଳେ ମା' କହିଲେ ଖୁଡୀଙ୍କୁ", କେତେ ସୁନ୍ଦର ହେଇଚି ଖେଳେନାଟା ଖୁଡ଼ି, ତମେ ଏଠି ବସିଥାଅ। ମୁଁ ବିନୁ ପାଇଁ ସେ ଖେଳନାଟା ନେଇ ଆସୁଛି" ମା' ରାସ୍ତା ପାର ହେଲେ। ବାସ୍ ତା'ପର ଠାରୁ ଘନ ଆଉ ମା' ନଥିଲେ ସେ ଗାଁରେ। ଚାରି ଆଡେ଼ ଖବର ଖେଳି ଗଲା ଦୁହେଁଙ୍କ ଭିତରେ ଚୋରା ପିରତି ଥିଲା। ମଉକା ପାଇ ଦୁଇଜଣ ମାଗିଥିଲେ। ବାପା ସତ ମାନିନେଲେ। ଜେଜେମା ଆଉ ବିନୁକୁ ଚାହିଁଲେନି ସେ ଦିନୁ, କେବଳ ନିଜ ଭିତରେ ହିଁ ସୀମିତ ହୋଇ ରହିଗଲେ।

ବର୍ଷ ପରେ ବର୍ଷ ହୋଇ ଦଶବର୍ଷ ବିତିଗଲାଣି। ଧୀରେ ଧୀରେ ମା'ଙ୍କ କଥା ଯେ ସତ, ବିନୁ ମନରେ ବି ଘର କରି ନେଉଥିଲା କି,ତରତର ହୋଇ ଘରେ ପହଞ୍ଚିଲା ବେଳକୁ ହଠାତ୍ ବାପାଙ୍କ ବଖରାରୁ ସିତୁ କାକାଙ୍କ କଥା ଗୁଡିକ ତା କାନ‌ରେ ପଡ଼ିଲା।"ଦେଖ ବାପା , ମାଳତୀକୁ ଅବିଶ୍ବାସ କରନା, ତାକୁ ଖୋଜ। କଟକରେ ହଠାତ୍ ସେ ଘନକୁ ଦେଖିଲି, ତାକୁ ଅନୂସରଣ କରି ତା ଘରଯାଏଁ। ବିଚରା ଏକୁଟିଆ ରହୁଥିଲେ। ବାହା ହୋଇନି। ତାକୁ ନ ଜାଣିଲା ପରି ପଚାରିଲି ମାଳୁ କେମିତି ଅଛି, ଭଲରେ ତ! ସେ ଆଶ୍ଚର୍ଯ୍ୟରେ ଚାହିଁଲା ,ତାଳୁ କିଏ ବୋଲି ପଚାରିଲା। ମୁଁ ଭୁଲ ହୋଇ ଗଲା କ‌ହି କ୍ଷମା ମାଗି ଚାଲି ଆସିଲି। ଆମ ତାଳୁ ସେମିତି ନୁହେଁ। ସେ ଯାଇନାହିଁ ତା ସହ। ଆଜି ବି ମିକି ନିଜକୁ ଦୋଷୀ ମାନୁଛି, ସେଦିନ କାହିଁକି ତାଳୁକୁ ଏକୁଟିଆ ଯିବାକୁ ଦେଲା ବୋଲି। ତାଳୁ ଗଲା କୁଆଡେ,ତାର କ'ଣ ହେଲା , ଟିକିଏ ଖୋଜ ତାକୁ।" ସିତୁ କାକା ଲୁହ ପୋଛିଲେ। ବାପା ହଠାତ୍ ଠିଆ ହୋଇ ଗଲେ ହାତ ଯୋଡ଼ି ତାପରେ ଚାଲି ଗଲେ ଠିକ୍ ଗୋଟିଏ ଝଡ଼ପରି।ସିତୁକାକା କିଛି କ୍ଷଣ ଚାହିଁରହିଲେ ବାପାଙ୍କ ଯିବା ବାଟକୁ। ତାପରେ ଓହ୍ଲାଇଲେ ଗୋଟେ ପାହଚରୁ ଆଉ ଗୋଟେ ପାହାଚକୁ। ମା'ଙ୍କ କଥା ପୁଣି ଥରେ ରହସ୍ୟମୟ ହୋଇଗଲା ବିନୁ ପାଖରେ।

ଜେଜେମା ବାହୁନି ଉଠିଲା।" ସେଦିନ ବି ମୋ କଥା ଶୁଣି ନଥିଲା, ଆଜି ବି ସିତୁ କଥା ଶୁଣିଲାନି। ମୋ ମାଳୁ ସାକ୍ଷାତ ଲକ୍ଷ୍ମୀ। ତାକୁ ବାଘ ନେଲା କି ଭାଲୁ , ଚୋର ନେଲା କି ଖଣ୍ଟ। ଶୀଘ୍ର ଶୀଘ୍ର ବଡ଼ ହୋଇଯାରେ ବିନୁ ଖୋଜିବୁ ତୋ ମା'କୁ। ଆଉ କ'ଣ ସେ ବଞ୍ଚିଥିବ, ବଞ୍ଚିଥିଲେ ଏତେ ବର୍ଷ ଏଠି ଘର ଠାରୁ ଦୂରେଇ ରହିଥାନ୍ତା। ସେ ଆଉ ନାହିଁ,ଏ ଘରେ ନାଇଁ ତ ଏ ଦୁନିଆରେ ନାହିଁ। ମୋ ତାଳୁ ଲୋ..." ଜେଜେମା କାନ୍ଦୁଥିଲା, ବିନୁ ବି କାନ୍ଦିଲା, ମା'ଙ୍କ ନିଖୋଜ ହେବାରେ, ବାପାଙ୍କ ଉଦାସୀନତାରେ , ତା ଅପାରଗ ପଣରେ,... ଖୁବ୍ କାନ୍ଦିଲା, ଏମିତି କାନ୍ଦିଲା ଯେ,ଆକାଶଟା ବି ତା କାନ୍ଦରେ କାନ୍ଦିଲା.... ଏତେ କାନ୍ଦିଲା... ଘୂର୍ଣ୍ଣିବାତ୍ୟା ଆସିଗଲା।

ଘର ଭିତରକୁ ଗଲାନି, ଫେରୁଥିଲା ତା ଖଟିକୁ। ସାମ୍ନାରେ ପଡିଆଟେ। ଚାଲୁ ଚାଲୁ ବିନୁ ବସିପଡ଼ିଲା ସେ ପଡ଼ିଆରେ। ଆଖିର ଲୁହ ବର୍ଷା ପାଣିରେ ମିଶି ଭିଜାଇ ଦେଉଥିଲେ ତା ଦେହ ଆଉ ଆତ୍ମାକୁ। ଦାନ୍ତକୁ ଚିପି ଦେଇ କଣ୍ଠ ଭିତରେ ଶବ୍ଦକୁ ରୋକି ଦେଉଥିଲା। ଏତେ ବଡ଼ ପିଲାଟା ପାଟି କରି କାନ୍ଦିବ କିପରି? ଲୁହଟା ଆଖିରୁ ଝରୁ କି ହୃଦୟରୁ ବର୍ଷା ପାଣିରେ କେହି ଜାଣି ପାରିବେ ନାହିଁ। ଯେମିତି ମା'ଙ୍କ ଦୁଃଖ କେହି ଜାଣିପାରି ନଥିଲେ।

ଷ୍ଟ୍ରିଟ ଲାଇଟ୍ ର ଡିମ୍ ଆଲୁଅ ତା ସହ ବର୍ଷା ପୁଣି ଓଦା ଆଖି, ସବୁ ଝାପସା ଦେଖାଯାଉ ଥିଲା। ଘଡଘଡି ସହ ବର୍ଷା ଶବ୍ଦଟା.. ଯେମିତି କାନ୍ଦୁଛି ସେ... କାନ୍ଦୁଛି ସେ ଷ୍ଟ୍ରିଟ ଲାଇଟ୍.... କାନ୍ଦୁଛି ସେ ପଡ଼ିଆ,... କାନ୍ଦୁଛି ବିନୁ... କାନ୍ଦୁଛନ୍ତି ସମସ୍ତେ... ସମସ୍ତେ...।ଆଉ ଗୋଟେ ସକେଇବା ଶବ୍ଦ...ବୁଦାମୂଳରୁ..... ଉଠି ପଡ଼ିଲା ବିନୁ। କିଏ...କାହାର ଏ ବିକଳ ସ୍ଵର.…ମା' ନୁହେଁ ତ।

ବୁଦା ମୂଳେ ଶୋଇଛି ମା'। ବର୍ଷାରେ ‌‌‌‌‌‌‌‌‌‌ ଭିଜି ଯାଇଛି ତା ଶରୀର। ବିବଶ ଆଖି, କ'ଣ ଭାଵି‌ ଟିକିଏ ଘୁଞ୍ଚିଗଲା। ତା କୋଳ‌ରେ ଛୋଟ ବିନୁ। କାଳେ ଓଦା ହୋଇ ଯିବ। ମା'ର ଅଦ୍ୟମ ଚେଷ୍ଟା ଛୁଆଟିକୁ ବଞ୍ଚାଇବ। ବସି ପଡ଼ିଲା ବିନୁ। ମା' ମଥାରେ ହାତ ରଖି କହିଲା," ବ୍ୟସ୍ତ ହୁଅନି,ତୋ ବିନୁକୁ ନେଇ ଯାଉଛି। ଶୁଖିଲା କରି ପୋଛି ଦେବି, ଗରମ ଖିର ଦେବି,ମୋ କୋଳରେ ଶୁଆଇବି। ଯେମିତି ବର୍ଷା ଛାଡ଼ିବ , ଆକାଶ ଟିକେ ଫରଚା ହେବ ତାକୁ ଏଠିକି ନେଇ ଆସିବି। ତୁ ଏଇଠି ଅପେକ୍ଷା କରି ଥିବୁ, କୁଆଡେ ଯିବୁନି,ତୋତେ ତୋ ବିନୁ ରାଣ।" ମା'ଟି ଘୁଞ୍ଚି ଗଲା। ବିଶ୍ବାସ କରି ଥିଲା ବିନୁ ଉପରେ। ହୁଏତ ସେଦିନ ମା' ବି କରି ଥିବ କାହା ଉପରେ।

ବିନୁ ତା ସାର୍ଟଟିକୁ ଖୋଲି ଚାରି ଚାଉତ କଲା , ଛୋଟ ବିନୁକୁ ସେଥିରେ ଗୁଡ଼ାଇ କ୍ଷୀପ୍ର ଗତିରେ ଘରକୁ ମୁହାଁଇଲା। ଟିକେ ପରେ ପଛକୁ ବୁଲିକି ଦେଖିଲା ମା'ଟି ସେମିତି ଠିଆ ହୋଇଥିଲା। ତା ପାଟିରୁ ଶବ୍ଦ ବାହାରୁ ନଥିଲା କିନ୍ତୁ ବିନୁ ଶୁଣି ପାରୁଥିଲା," ମୁଁ ଏଇଠି ଅପେକ୍ଷା କରି ଥିବି। ମୋ ବିନୁକୁ ନେଇ କି ଆସିବୁ, ଡେରି କରିବୁନି।"

ବିନୁ ଚିଲ୍ଲେଇଲା, " ତୋ ବିନୁର ଯତ୍ନ ନେବି। ଠିକ୍ ସମୟରେ ନେଇ ଆସିବି। ଜମା ଡେରି କରିବିନି। କଥା ଦେଲି।"

ଛୁଆଟିକୁ ଜାକି ଧରି ଘରେ ପହଞ୍ଚିଲା ବେଳକୁ, ଲୋକଟିଏ ବାପାଙ୍କ ଗୋଡ଼ ଧରି କିଛି କହିଚାଲିଛି। "ମୋତେ କ୍ଷମା କରନ୍ତୁ ଆଜ୍ଞା, ବର୍ଷ ବର୍ଷ ଧରି ଶୋଇ ପାରିନି। ଆଜି ପ୍ରାୟଶ୍ଚିତ କରିବି। ଯାହା ଦଣ୍ଡ ଦେବେ ଦିଅନ୍ତୁ। ଆପଣଙ୍କ ଦୋଷୀ ମୁଁ। ମୋରି ଟ୍ରକ୍ ରେ ମାଳତୀ ଦେବୀଙ୍କର ଧକ୍କା ହୋଇଥିଲା। ସେ ଖେଳନାଟେ ଧରି ତରତର ହୋଇ ରାସ୍ତା ପାର କରୁଥିଲେ। ହଠାତ୍ ଏସବୁ ଘଟିଥିଲା। ମାଳତୀ ଦେବୀଙ୍କର ଅବସ୍ଥା ଗୁରୁତର ଥିଲା। ମୁଁ ଆଉ ମୋ ସାଥୀ ଖୁବ୍ ଡରି ଯାଇଥିଲୁ। ତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରୁଥିଲା। କା‌ହାକୁ କିଛି ନକହି ତାଙ୍କୁ ଡାକ୍ତରଖାନା ନେଇଯାଉଥିଲୁ କି ରାସ୍ତାରେ...। ଶେଷ ଅବସ୍ଥାରେ ସେ ବିନୁ ବିନୁ ବୋଲି କହୁଥିଲେ ଅସ୍ପଷ୍ଟ ପାଟିରେ। ତାଙ୍କ ଶବକୁ ନେଇ ଗାଁକୁ ଫେରିବାର ସାହସ ନଥିଲା। ଏଣୁ ନଦୀରେ ପକାଇ ଦେଇ.....। ବାପା ଚୁପଚାପ୍ ଶୁଣୁଥିଲେ, ତାଙ୍କ ଆଖିରୁ ଲୁହ ନୁହେଁ ନିଆଁ ବାହାରୁଥିଲା। ସେ ଡ୍ରାଇଭରକୁ ବାହାରି ଯିବାକୁ ଈଶାରା କଲେ , ତା ପରେ ନିଜକୁ ତାଙ୍କ ବଖରାରେ ବନ୍ଦ କରିଦେଲେ।

ବିନୁର କାନରେ ସେ କଥା ଗୁଡିକ ପିଟି ହୋଇ ଫେରି ଯାଉଥିଲା। ବୋଧହୁଏ ସେ ଶୁଣି ବାକୁ ଚାହୁଁ ନଥିଲା। ମା'ଙ୍କ ଫେରି ଆସିବାର ଛୋଟ ଆଶାଟା ତା ବଞ୍ଚି ବାର ବାହାନା ଥିଲା।

ଚଉତି କରି ରଖିଥିବା ସାର୍ଟ ଭିତରୁ ଛୁଆଟିକୁ ବାହାର କଲା। ତାକୁ ପୋଛି ଦେଇ ଷ୍ଟୋଭ ଲଗାଇଲା। ଖିର ଗରମ କରି ତାକୁ ପିଇବାକୁ ଦେଲା। ସବୁ କାମ ନିଜ ହାତରେ କରୁଥିଲା, ଜେଜେମାକୁ ହଇରାଣ କଲାନି। ସେ ତ ମାଳୁ ମାଳୁ କରି ବାହୁନିବା ଆରମ୍ଭ କରି ଦେଇଥିଲା। କାନ୍ଦି କାନ୍ଦି ଥକି ଯାଇ, ଧକେଉ ଥିଲା। ଆଉ ବିନୁ ତାଙ୍କୁ କହିଵ କ'ଣ?

ପିଣ୍ଡା ତଳକୁ ଓହ୍ଲାଇଲା .... ପୁଣି ଓଦା ହେଲା। ଟୋକେଇଟିଏ ମୁଣ୍ଡ ଉପରେ ରଖି ନେଇ ଆସିଲା। ଓଦା ଟୋକେଇରେ ଲାଗିଥିବା ଶୁଖିଲା ଗୋବର ତକ ଭିଜି ଯାଇ ଥପ୍ କରି ତା ମୁହଁରେ ପଡି ଲେସି ହୋଇ ଗଲା। ଅନ୍ୟ କୌଣସି ଦିନ ହୋଇଥିଲେ ବିନୁ ନାକ ଟେକିଥାନ୍ତା, ଚିଡି ଯାଇ ଥାଆନ୍ତା, ସଦ୍ୟ ଜନ୍ମ ହୋଇଥିବା ବାଛୁରୀଟେ ପରି ଫୁରୁକୁଟା ଡିଆଁ ମାରି କୁଆଡେ ବି ପଳାଇ ଯାଇଥାନ୍ତା। କିନ୍ତୁ ଆଜି ସେମିତି କିଛି ହେଲାନି। ଟୋକେଇଟି ଆଣି ପୋଛି , ତା ଉପରେ ଅଖା ଦିଟା ପକାଇ ତା ଭିତରେ ଛୁଆଟିକୁ ରଖିଲା। ନିଜ ପାଇଁ ଭାତ , ଡାଲି ,କୋଶଳା ଶାଗ ବାଢ଼ି ଆଣି ଖାଇ ନେଲା।

ଖାଇସାରି ଟୋକେଇଟିକୁ ନିଜ ଶେଜ ପାଖରେ ରଖିଦେଲା। ମୁଣ୍ଡଟା ଭାରି ଭାରି ଲାଗୁଥିଲା। ରହି ରହି ମନରେ ଶଙ୍କା ଆସୁଥିଲା, ମା'ଟି ଠିକ୍ ଥିବଟି!

ନିଦ ଭାଙ୍ଗିଲା ବିନୁର। ବୋଧହୁଏ ସକାଳ ହୋଇ ଗଲାଣି। ଓହୋ! ଜେଜେମା ବି ଝରକା କବାଟ ବନ୍ଦ କରିଦେଇଛି। ସେ ଝରକା ଖୋଲିଦେଇ ବାହରକୁ ଚାହିଁଲା।" ହେ, ଭଗବାନ! ଏ ତ ପୁରା ସକାଳ ହୋଇଗଲାଣି। ଛନ ଛନ କରି ବିଛାଇ ହୋଇ ଖରାଟି ପଡ଼ିଛି। ଧଳା ବାଦଲ ଗୁଡିକ ଆକାଶର ବକ୍ଷରେ କେତେ ସୁନ୍ଦର ସୁନ୍ଦର ଚିତ୍ର ତିଆରି କରି ସାରିଛନ୍ତି।ଚମକି ପଡ଼ି ଉଠିବସିଲା ବିନୁ, ଟୋକେଇ ଧରି ଦୋଉଡୁ ଥିଲା... ଅଗଣା ପାରି ହେଲା.…ଦୁଆର ପାରି ହେଲା.…ମନ୍ଦିର... ରାସ୍ତା.. ଜୋରରେ ଦୋଉଡିଲା ଅଣନିଃଶ୍ବାସୀ ହେଲା... ନିଃଶ୍ବାସ ନେବାକୁ ଚେଷ୍ଟା କଲା ହେଲେ ପାରୁ ନଥିଲା, ଆରମ୍ଭ ହୋଇଗଲା ପେଲାଟା। ଦମା ତାକୁ ରୋକୁଥିଲା ... ହେଲେ ସେ ଚାଲୁଥିଲା... ନିଜକୁ ଭିଡ଼ି ନେଉଥିଲା। ସେପଟେ ମା'ଚାହିଁଥିବ, କଥା ଦେଇଛି, ତା ବିଶ୍ବାସକୁ‌ ଭାଙ୍ଗିବନି।

ଏଇତ ଦେଖାଯାଉଛି ବୁଦାଟା। ପଡ଼ିଆ ମଝିରେ ଟୋକେଇଟିକୁ ରଖିଦେଲା,"ମା' ଦେଖ ତୋ ବିନୁକୁ ନେଇ ଆସିଛି। କେଉଁଠି ଅଛୁ , ଆସେ ଶୀଘ୍ର,ଦେଖ କେତେ ବିକଳ ହୋଇ ଚାହିଁଛି ତୋ ଆସିବା ରାସ୍ତାକୁ।" ମା' ଟି ବୁଦା ଭିତରୁ ବାହାରି ଆସିଲା, ଖୁବ୍ ଚାଟିଲା ତା ଛୁଆକୁ। ଦାନ୍ତରେ ଧରି ‌‌‌‌‌‌‌‌‌‌‌‌‌‌‌‌‌ନେଇ ଗଲା ବୁଦା ଭିତରକୁ।

ଦମାରେ ପେଟଟି ଖାଙ୍କି ହୋଇ ପିଠିରେ ଲାଗି ଯାଉଥିଲା। ନିଃଶ୍ବାସ ନେଇ ପାରୁ ନଥିଲା। ତଥାପି ଚିଲ୍ଲେଇବାକୁ ଲାଗିଲା,"ଜେଜେମା ଦେଖ ମା' ତା ବିନୁ ପାଖକୁ ଆସିଗଲା। ମୁଁ ଖୋଜିଦେଲି। ବିନୁ ତା ମା' ପାଖରେ। ଦେଖ ଜେଜେମା ଦେଖ। ମୁଁ ହିଁ ଖୋଜି ଦେଲି। ଥକି ଗଲା ବିନୁ ,ଚିତ୍ ହୋଇ ଶୋଇଗଲା ସେଇ ପଡ଼ିଆରେ। ଆକାଶକୁ ଚାହିଁଲା, ବାଦଲ ଭିତରେ ମା'ଙ୍କ ରୂପ। ମଥାରେ ବାଦଲର ଓଢଣା, ବାଦଲର ସିନ୍ଦୂର ବିନ୍ଦୁ, ବାଦଲର ମୁଠେ ଚୁଡି,ରୁଣ ଝୁଣା ଶବ୍ଦ... ଓଃ, କେତେ ଦିନପରେ ଏ ଶବ୍ଦ ଶୁଣିଲା। ମା'ବାଦଲରେ ଭାସିଭାସି ଯାଉଥିଲେ ଦୂରକୁ ଦୂରକୁ .... ଡରିଗଲା ସେ। ବିକଳ ହୋଇ ଡାକିଲା,"ମା'.....ମା'...,ତୁମ ପାଖକୁ ଯିବି। ମୋତେ ଛାଡ଼ି ଦେଇ ଯାଆନି। ନେଇ ଯାଅ ତୁମ ପାଖକୁ"।

ମା' ହାତ ବଢ଼େଇ ଦେଲେ। ବିନୁ ବି ହାତ ଉଠାଇ ଦେଲା। ମା' କୋଳକୁ ଭିଡ଼ି ନେଲେ। ଓହୋ,! ସେ କୋଳରେ କି ଉଷ୍ମତା, ଜୋରରେ ନିଦ ଲାଗି ଆସୁଥିଲା, ଯେମିତି କେତେ ବର୍ଷରୁ ଶୋଇନି ... ଆଜି ଶୋଇବ ନିଶ୍ଚିତରେ... ଶାନ୍ତିରେ। ଆଖି ବୁଜିଲା ବିନୁ।

********* **†**** ******

ପାରମିତା ଷଡ଼ଙ୍ଗୀ


Rate this content
Log in

Similar oriya story from Drama