Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

4.8  

T.Durga Prasad Rao

ବିଶ୍ୱ ଲାଞ୍ଚ ଦିବସ

ବିଶ୍ୱ ଲାଞ୍ଚ ଦିବସ

4 mins
695



ଆଜି ବିନାୟକ ମନ୍ଦିରରେ ଅସମ୍ଭବ ଭିଡ଼। ବେଢ଼ା ବାହାରେ ଚପଲ ରଖିବାକୁ ଜାଗା ନାହିଁ। ଅନେକ ନାମୀ ଦାମୀ କାର ଓ ଜିପ୍ ଧାଡ଼ି ଧାଡ଼ି ଠିଆ ହୋଇଛି। କିଛି ଦୂରରେ ପ୍ରାଇଭେଟ୍ ହେଲିକପ୍ଟର ଓ ପ୍ଳେନ୍। ଶୂନ୍ୟ ସ୍ଥାନଗୁଡ଼ିକରେ ଖୁନ୍ଦି ହୋଇ ରହିଛି ବାଇକ୍। ଆଜି ଦିନର ବିଶେଷତ୍ୱ କଣ, ମୁଁ ଠଉରେଇ ପାରିଲି ନାହିଁ। ମୁଁ ଅନେକ ଦୂରରୁ ହିଁ ବାଧ୍ୟ ହେଲି ମୋ ସାଇକଲ୍ ଟିକୁ ଗୋଟିଏ ଗଛକୁ ଆଉଜେଇ ଦେବାକୁ। ଆଉ ଚପଲ୍ ଟିକୁ ଥୋଇଦେଲି ସାଇକଲ୍ ପାଖରେ। କୌଣସି ମତେ ଗଳି, ଘୋଷାରି, ଠେଲି ପେଲି ପଶିଲି ବେଢ଼ା ଭିତରେ। ବିନାୟକଙ୍କୁ ଅନ୍ତତଃ ଦିନରେ ଥରେ ଦର୍ଶନ ନ କଲେ, ତାଙ୍କ ଶ୍ରୀମୁଖରୁ କିଛି ନ ଶୁଣିଲେ ମୋର ଦିନଟା ଭଲ ଯାଏ ନାହିଁ। ଆଜିକାଲି ଏତକ କ୍ରିୟା ଭାରି ଅଭ୍ୟାସରେ ପଡ଼ିଯାଇଛି। ବେଢ଼ା ଭିତରେ କିନ୍ତୁ ଷୋରିସ ପକାଇବାକୁ ଜାଗା ନାହିଁ। ଏତେ ଲୋକଙ୍କୁ ଶୃଙ୍ଖଳିତ ଭାବରେ ଦର୍ଶନ କରାଇବା ପାଇଁ ନିଯୁକ୍ତ ସେବା ଦଳ କମ୍ ପଡ଼ୁଛନ୍ତି। ମୋର ଦୁର୍ବଳ ଶରୀରରେ ଆଉ ଠେଲା ପେଲା ମୋ ଦ୍ୱାରା ସମ୍ଭବ ହେଲା ନାହିଁ। ମୁଁ ବିନାୟକ ମୂର୍ତ୍ତିର ଅନେକ ଦୂରରୁ ହିଁ ତାଙ୍କୁ ମୁଣ୍ଡିଆଟିଏ ମାରି ଫେରିବାକୁ ବାଧ୍ୟ ହେଲି। ପ୍ରଭୁ ବି ମୋତେ ସତେକି ହାତ ହଲାଇ କହୁଥିଲେ ସଞ୍ଜ ସମୟରେ ଆସିବାକୁ ଏକାନ୍ତରେ କଥା ହେବା ଲାଗି।

ସନ୍ଧ୍ୟା ସମୟରେ ମଧ୍ୟ ମନ୍ଦିର ଭିତରେ ଜନ ଗହଳି କିଛିଟା ଲାଗିଥିଲା। ମୁଁ ବିନାୟକଙ୍କ ସାମ୍ନାରେ ଯୋଡ଼ ହସ୍ତରେ ବସିଗଲି ଅନେକ ସମୟ। ଗହଳି କମି ଆସିଲା। ବିନାୟକ ବିଜୟର ହସ ହସୁଥିଲେ। ମୁଁ ନିରବତା ଭାଙ୍ଗି ପଚାରିଲି,

- ପ୍ରଭୁ, ଆଜି ତ ଅଦ୍ଭୁତ, ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଲା। ଏତେ ଦିନ ଭିତରେ ମୁଁ ଏମିତି ଜନଗହଳି ଆଗରୁ କେବେ ଦେଖିନଥିଲି ତୁମ ମନ୍ଦିରରେ। କିଛି ବିଶେଷତ୍ୱ ପ୍ରଭୁ?

- ବତ୍ସ, ଆଜି ପରା ବିଶ୍ୱ ଲାଞ୍ଚ ଦିବସ। ଆଜିର ଦିନରେ ପ୍ରଥମ କରି ଲାଞ୍ଚର ଆଦାନପ୍ରଦାନ ହୋଇ ଅନୈତିକ ଉପାୟରେ କାର୍ଯ୍ୟ ହାସଲ ହୋଇଥିଲା। ଅନେକ ବର୍ଷରୁ ଏଇ ଦିବସଟିକୁ ରାଜ୍ୟର ଅନେକ ବରିଷ୍ଠ ଲାଞ୍ଚୁଆ ସଂଘ, ଜାତୀୟ ଲାଞ୍ଚ ପ୍ରୋତ୍ସାହନ ସଂସ୍ଥା, ଆନ୍ତର୍ଜାତୀୟ ଲାଞ୍ଚ ପରିଚାଳନା ଓ ସମୃଦ୍ଧି ନିଗମ, ଏପରିକି ଆନ୍ତର୍ଜାତୀୟ ସୁରୁଖୁରୁ ଲାଞ୍ଚ ଆଦାନପ୍ରଦାନ କୌଶଳ ତାଲିମ ସଂସ୍ଥା ମଧ୍ୟ ବିଧିବଦ୍ଧ ଭାବରେ ବିଶ୍ୱ ଲାଞ୍ଚ ଦିବସ ରୂପେ ଘୋଷଣା କରିବାକୁ ଦାବୀ କରି ଆସୁଥିଲେ। ଆଜି ପ୍ରଥମ ବିଶ୍ୱ ଲାଞ୍ଚ ଦିବସ।

ମୁଁ ହାଁ କରି ବିନାୟକଙ୍କ ମୁହଁକୁ ଚାହିଁଥିଲି। ଲାଞ୍ଚ ଉପରେ ଆମ ବିଶ୍ୱ ଏତେ ଅଗ୍ରଗତି କଲାଣି, ଅଥଚ ସାଧାରଣ ଜନତାଙ୍କ ନିକଟରେ ସଚେତନତାର ଅଭାବରୁ ସେମାନେ ବିଶ୍ୱ ଲାଞ୍ଚ ଦିବସର କିଛି ମଧ୍ୟ ଫାଇଦା ଉଠାଇ ପାରୁନାହାନ୍ତି। ପଚାରିଲି,

- ପ୍ରଭୁ, ଏଇଟା କିନ୍ତୁ ଠିକ୍ ହେଲା ନାହିଁ। ଆଜି ମୁଁ ତୁମ ହତା ମଧ୍ୟରେ ସବୁ ବଡ଼ ବଡ଼ିଆ ନେତା, ଅଫିସର୍, ଇଞ୍ଜିନିୟର୍, କମ୍ପାନୀ ମାଲିକ ଆଦିଙ୍କୁ ଦେଖିଲି। ଗରିବ ଗୁରୁବା ମାନଙ୍କର କଣ କୌଣସି ଅଧିକାର ନାହିଁ ଏ ବିଶ୍ୱ ଲାଞ୍ଚ ଦିବସକୁ ପାଳିବା ନିମନ୍ତେ?

- କାହିଁକି ନାହିଁ? ଏ ଦିବସ ସମସ୍ତଙ୍କ ପାଇଁ। ଆଜିର ଦିନରେ କିଏ ଲାଞ୍ଚ ଦେଇ ଖୁସି ହେବ ତ କିଏ ଲାଞ୍ଚ ନେଇ ଖୁସି ହେବ। କେବଳ ଆମ ରାଜ୍ୟରେ ଆଜିର ରେକର୍ଡ୍ ପରିମାଣ ଲାଞ୍ଚ ଦିଆନିଆ କଥା ଶୁଣିଲେ ତୁମେ ଆଶ୍ଚର୍ଯ୍ୟ ହେବ।

- ଶୁଣାଅନା ପ୍ରଭୁ।

- ରାଜଧାନୀରେ ଦୁଇଟି ଆପାର୍ଟମେଣ୍ଟ୍ ର ବିଲ୍ଡିଙ୍ଗ୍ ପ୍ଳାନ୍ ଆପ୍ରୁଭାଲ୍ ରେ ଶ୍ରୀରାଧା ରିଏଲ୍ ଇଷ୍ଟେଟ୍ ଇଣ୍ଟର୍ ନେସ୍ ନାଲ୍, ସମ୍ପର୍କିତ ମନ୍ତ୍ରୀଙ୍କୁ ଦେଇଛନ୍ତି ପାଞ୍ଚ କୋଟି ଟଙ୍କା। ସେକ୍ରେଟେରିଏଟ୍ ରୁ ସ୍ମାର୍ଟ ସିଟି ସମ୍ବନ୍ଧୀୟ ତଥ୍ଯ ଲିକ୍ କରି ଜଣେ କମ୍ପାନୀ ମାଲିକଙ୍କ ଠାରୁ ସେକ୍ରେଟେରିଏଟ୍ ର କର୍ମଚାରୀ ପାଇଛନ୍ତି ତିନି କୋଟି ଟଙ୍କା। ଜଣେ ପୋଲିସ୍ ଇନ୍ ସ୍ ପେକ୍ଟର ଜମି ମାଲିକଙ୍କ ଜମିକୁ ଜବର ଦଖଲକାରୀଙ୍କ ଠାରୁ ଉଚ୍ଛେଦ କରାଇ ପ୍ରତିବଦଳରେ ରିଭଲ୍ ଭର୍ ପଏଣ୍ଟ୍ ରେ ପାଇଛନ୍ତି ଦଶ କୋଟି ମୂଲ୍ୟର ଅର୍ଦ୍ଧେକ ଜମି। ଆହୁରି ଅନେକ। ଇଏ ହେଲା ନମୁନା।

- ପ୍ରଭୁ, ଏସବୁ ଶୁଣିଲେ ଉତ୍ସାହିତ ହେବା ଅପେକ୍ଷା ଭୟ ଲାଗୁଛି କାହିଁକି?

- ହା, ହା, ଏସବୁ ବିଶ୍ୱର ଅନେକ ଲୋକଙ୍କ ଜିନ୍ ରେ ପ୍ରବେଶ କରି ସାରିଲାଣି। ସେଇ ପିଢ଼ିର ପିଲାମାନଙ୍କୁ ଲାଞ୍ଚ ଭୟ ଅବା ଉଦ୍ ବେଗର ବିଷୟ ନାହିଁ। ତୁମକୁ ଟିକିଏ ସମୟ ଲାଗିବ। କାରଣ ତୁମ ପୂର୍ବ ପିଢ଼ି ସତ୍ୟ ଓ ସଚ୍ଚୋଟ ରାସ୍ତାରେ ପରିଚାଳିତ ଥିଲେ। ତାଙ୍କ ଉପରେ ନ୍ୟସ୍ତ ପ୍ରତିଟି କାର୍ଯ୍ୟ ସେ ଆନ୍ତରିକତା, ଅଖଣ୍ଡତା ଓ ସାଧୁତାର ସହ ନିର୍ବାହ କରୁଥିଲେ। ତୁମ ଭିତରେ ଜିନ୍ ର ସେଇ ଅଂଶ ବଦଳିବାକୁ ସମୟ ଲାଗିବ ନିଶ୍ଚୟ। ହେଲେ ବିଶ୍ୱାସ କର, ତୁମେ ଖୁବ୍ ଶୀଘ୍ର ବଦଳିଯିବ। କାରଣ ତୁମେ ଲାଞ୍ଚ ଦେବା ଶିଖି ସାରିଛ ମାନେ ଲାଞ୍ଚ ନେବା ବି ଶିଖିଯିବ।

- ପ୍ରଭୁ!

- ହଁ, ଆଉ ଗୋଟିଏ କଥା। ଆଜି ବିଶ୍ୱ ଲାଞ୍ଚ ଦିବସରେ ଆମ ଦେଶର ସବୁଠାରୁ ବଡ଼ ଲାଞ୍ଚୁଆକୁ ସମ୍ମାନୀତ କରିବା ପାଇଁ ରାତି ଦଶଟାରେ ଗୋଆର ଅର୍ଜୁନା ବିଚ୍ ରେ ଏକ ଭବ୍ୟ ଆୟୋଜନ ରଖାଯାଇଛି। ବଡ଼ ବଡ଼ କମ୍ପାନୀର ଚେୟାରପର୍ସନ୍, ନେତା, ପ୍ରଶାସକ ଆଦିଙ୍କ ଗହଣରେ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ତାଙ୍କୁ ସମ୍ବର୍ଦ୍ଧନା ଓ ମାନପତ୍ର ଦିଆଯିବ। ତା ସହିତ କିଛି ପୁରସ୍କାର ରାଶି ଟଙ୍କା ଆକାରରେ ମଧ୍ୟ ଦିଆଯିବ। ଆମ ଦେଶ ପ୍ରଥମ କରି ଏ ପ୍ରକାରର ସମ୍ମାନର ବ୍ୟବସ୍ଥା କରିଥିବାରୁ ଗିନିସ୍ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ପ୍ରଥମ ସମ୍ମାନୀତ ଲାଞ୍ଚୁଆ ହିସାବରେ ଯୁଗ ଯୁଗ ପାଇଁ ରହିଯିବ। ଆଗାମୀ ପିଢ଼ି ପାଇଁ ସେ ହେବେ ଜଣେ ଉଦାହରଣ। ତୁମେ ଜାଣ କେଉଁମାନେ ବର୍ତ୍ତମାନ ଅଗ୍ରଣୀରେ ଅଛନ୍ତି?

ମୁଁ ମୁଣ୍ଡ ହଲାଇଲି। ପ୍ରଭୁ ସତେ କି ମୁରୁକି ହସିଲେ। କହିଲେ,

- ଜଣେ ହେଲେ ପୂର୍ବତନ ମନ୍ତ୍ରୀ, ଆଉ ଆର ଜଣକ ହେଲେ...

- ଆର ଜଣକ ପ୍ରଭୁ?

- ଆର ଜଣକ ହେଲେ ତିରୁମାଲା ତିରୁପତି ଦେବସ୍ଥାନମ୍ ର ଶ୍ରୀ ଶ୍ରୀ ଶ୍ରୀ ଭେଙ୍କେଟଶ୍ୱର ମହାପ୍ରଭୁ। ବିନାୟକ ମୁହଁ ଲୁଚାଇ ହସିଲେ।

ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି ତାଙ୍କ ମୁହଁକୁ।

- ପ୍ରଭୁ! ଶେଷରେ ତୁମେ ବି ବଳିଗଲ ମଣିଷ ମାନଙ୍କୁ!


ଜୟ ବିନାୟକ

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in