Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Tragedy

3  

Lopamudra Mishra

Tragedy

ବ୍ୟଥା

ବ୍ୟଥା

5 mins
435


◾ବ୍ୟଥା◾

ଲୋପାମୁଦ୍ରା ମିଶ୍ର

ଝିଅ ବାପଘର କୁ ଆସିଛି l ଅନେକ ଦିନ ପରେ ଆସିଛି l ମାଆର କୋଳରେ ମୁଣ୍ଡ ରଖି ଶୋଇଛି l ମାଆ ଆସ୍ତେ କରି ଝିଅର ମୁଣ୍ଡ ଆଉଁଷି ଦେଉଛନ୍ତି l ଝିଅର ଆଖିରୁ ଟପ୍ ଟାପ୍ ଉତପ୍ତ ଲୁହ କେଇବୁନ୍ଦା ଖସି ପଡ଼ିଲା ମାଆଙ୍କ ସୂତା ଲୁଗା ଉପରେ l ଓଦା ଓଦା ଲାଗିଲା ମାଆଙ୍କର ଡାହାଣ ଜଙ୍ଘଟା l

--ବାୟାଣୀ, ତୁ କାନ୍ଦୁଛୁ ?

--ମାଆ, ତୁ କେମିତି ଆମ ସମସ୍ତଙ୍କ କଥା,ଘର କଥା ବୁଝିସାରିଲା ପରେ ବି ଥକ୍କି ନଯାଉ ? ତୋ ଶରୀରରେ କଣ ସାମାନ୍ୟ ଟିକେ ବ୍ୟଥା ହୁଏନି ? ରାତିରେ ଏତେ ବିଳମ୍ବରେ ବେଡ୍ କୁ ଯାଇ ମଧ୍ୟ ପୁଣି କେମିତି ଏତେ ଶୀଘ୍ର କାଉ ର ପ୍ରଥମ 'କାଆ' ସହ ପ୍ରତିଯୋଗୀତା କରି ବିଛଣା ଛାଡ଼ି ଉଠିପାରୁ ?

--ଅଭ୍ୟାସ ହେଇଯାଇଛି ଲୋ ବୁଢ଼ୀ l

--କାହିଁକି ମାଆ ? କାହିଁକି ଅଭ୍ୟାସ କଲୁ ? ତୁ ମିଛ କହୁଛୁ, ତତେ ବି କଷ୍ଟ ହେଉଥିବ l ପ୍ରତ୍ୟେକ ଦିନ ହେଉଥିବ l

"ତୋ ଦେହ ଭଲ ଲାଗୁନି ନାଁରେ ମାନି ? "- ମାନିର ପ୍ରଶ୍ନ କୁ ଆଡେଇ ଯିବାପାଇଁ ମାଆ ତାକୁ ଆଉଁଷି ଦେଉ ଦେଉ କଅଁଳେଇ କରି ତାର ଦେହ ଓ ମନର ଅବସ୍ଥା ବିଷୟରେ ପଚାରିଦେଲେ l ସେତିକିରେ ଝିଅର ବ୍ୟଥାଟା ବେଶି ବଢ଼ିଗଲା l ମନ ଭିତରେ ଜମାଟ ବନ୍ଧା ସେହି ମେଞ୍ଚା ମେଞ୍ଚା ବ୍ୟଥା ମାଆର ଉଷ୍ମତାର ସ୍ପର୍ଶ ପାଇ ତରଳି ଗଲା l ଝର ଝର ହେଇ ଗଡ଼ି ଆସି ମାଆର ପଣତକୁ ଓଦା ଜଡ଼ ସଡ଼ କରିଦେଲା l

ଉଷୁମ ତେଲ ଟିକେ ଆଣି ପ୍ରଭାତୀ ଝିଅର ସାରା ଶରୀରରେ ମାଲିସ କରିଚାଲିଲେ l ମାନି ହାଲ୍କା ହାଲ୍କା ଅନୁଭବ କରୁଥିଲା l ଦରଜ ସବୁ ଉଡ଼ି ଯାଉଥିଲେ ତା ଦେହ ଛାଡ଼ି l ସେ ପରମ ଶାନ୍ତିରେ ଆଖି ମୁଦି ପକାଉଥିଲା ଆଉ ମନେ ମନେ ଭାବୁଥିଲା, "ସତେତ ! ମାଆର ହାତରେ ଯାଦୁ ଓ କୋଳରେ ସ୍ୱର୍ଗ ଅଛି " l ହଠାତ ବାପାଙ୍କ କର୍କଶ କଣ୍ଠରୁ ବିରକ୍ତିକର ଶବ୍ଦ କେତେଟା ବାହାରି ଆସି ମାନିର କାନରେ ପିଟିହେଲା l ଚା' ପିଇବାର ବେଳ ହେଇଗଲାଣି ବାପାଙ୍କର l

"ହଁ ଯାଉଛି, ପାଞ୍ଚ ମିନିଟରେ ", ମାଆ ସେହିପରି ନରମ ଓ ଅପେକ୍ଷାକୃତ ବଡ଼ ପାଟିରେ ବାପାଙ୍କୁ ଉଦେଶ୍ୟ କରି କହିଲେ l

--ମାଆ ମୁଁ ଆଜି ଚା' ବନେଇ ଦେବି l ତୁ ବସ ଏଇଠି l

--ନାଇଁରେ ତୋ ଦେହ ଭଲ ନାହିଁ l ତୁ ଗଡ଼ପଡ଼ ହୋ l ମୁଁ ତୋ ପାଇଁ ଗରମ ଗରମ ଚା' ଆଣିଦେଉଛି, ପିଇଲେ ମୁଣ୍ଡ ବ୍ୟଥା ବି କମିଯିବ l

ମାନି ଦେଖୁଥିଲା ତା ମାଆ ସକାଳୁ ଉଠି ଘର କାମରେ ଲାଗିଛନ୍ତି l ଗୋଡ଼, ହାତ, ମନ, ମସ୍ତିସ୍କ କୁ ସାମାନ୍ୟ ଟିକେ ଫୁରସତ ନାହିଁ l ନିଜ ପାଇଁ ଯଦି କିଛି ସମୟ ଅପଚୟ କରିଛନ୍ତି ସେଇଟା କେଵଳ ଦାନ୍ତଘଷା, ଗାଧୁଆ, ଲୁଗା ଧୁଆ ଓ ଦିନ ଦୁଇଟା ବେଳକୁ ଦୁଇମୁଠା ଭାତ ଖାଇବାରେ ଯାହା ସାରିଛନ୍ତି l ଡାଲି, ତରକାରୀ ଗୋଳା ଥଣ୍ଡା ଭାତକୁ ଖୁବ ତରବରରେ ପାଟିରେ ପୁରେଇ ବଡ଼ କଷ୍ଟରେ ଗଳା ବାଟେ ପେଟ ଭିତରକୁ ଠେଲିଦେବାରେ ସେ ଛବିଶ ବର୍ଷ ହେବ ଅଭ୍ୟସ୍ତ l

ସ୍ୱାମୀଙ୍କୁ ଚା' ଦେଇ ସାରି ହାତରେ ଦୁଇକପ ଚା' ଧରି ପ୍ରଭାତୀ ଫେରିଲେ ଝିଅ ପାଖକୁ l ଝିଅର ବ୍ୟଥାକୁ ମାଆ ଅନୁଭବ କରିପାରୁଛନ୍ତି, ମାଆକୁ ବି ଯନ୍ତ୍ରଣା ହେଇପାରେ ଏଇମାତ୍ର କିଛି ସମୟ ଆଗରୁ ଝିଅ ବୁଝିପାରିଛି l ଦୁହେଁ ସମଦୁଃଖୀ l ଜଣେ କିନ୍ତୁ ବ୍ୟଥା ସହ ସାଲିସ କରିନେଇଥିବା ବେଳେ ଆରଜଣକ ସ୍ୱର ଉଠେଇ ବେଶି ବେଶି କ୍ଷତାକ୍ତ ହେଉଛି l

"ମାଆ ମୋତେ ତୁମେମାନେ ଏତେଗୁଡାଏ ପଢେଇଲ କାହିଁକି, ଯଦି ଜଣଙ୍କ ପାଖରେ କେଵଳ ଦାସତ୍ୱ ହିଁ କରିବାରେ ଥିଲା ? ",ଚା'ରୁ ଗୋଟାଏ ଛୋଟିଆ ଢ଼ୋକ ନେଉ ନେଉ ମାନି କହିଲା l

--ନାଇଁରେ ମାଆ, ସେମିତି କହନ୍ତିନି l ଦାସତ୍ୱ ନୁହେଁ, ସେଇଟାକୁ ତ କହନ୍ତି ଦାମ୍ପତ୍ୟ ପ୍ରେମ l

--ଇଏ କେମିତିକା ଦାମ୍ପତ୍ୟ ମାଆ, ଯୋଉଠି ଦମ୍ପତି କହିଲେ ଦୁଇଜଣଙ୍କୁ ନୁହେଁ କେଵଳ ଜଣଙ୍କୁ ବୁଝାଏ ? ମୁଁ ସେ ଦାମ୍ପତ୍ୟ ରେ ନାହିଁ ମାଆ, କୋଉଠି ବି ନାହିଁ l ଠିକ ଯେମିତି ତୁ ଏଠି ବାପାଙ୍କ ସାମ୍ରାଜ୍ୟ ରେ କୋଉଠି ନଥାଉ l ତୋର ପରିଚୟ ଏଇ ଘର ଚାରିକାନ୍ଥ ଡେଇଁ ଯାଇପାରିନି, ମୋର ବି ଯିବନି l

--ନଯାଉ ରେ ମାଆ l ମୋ ସୁନା ଟା ପରା ଏତେ ଦୁଃଖୀ ହୋଅନି l ତାଙ୍କରି ପରିଚୟ ରେ ଆମର ପରିଚୟ l ଆମର ଖୁସି l ଏୟା ଭାବିନେ l ତୁ ଫେରିଯାଆ ଝିଅ l ଆମ ଭଳି ନାରୀମାନଙ୍କୁ ଏଠି ଏକ୍ଲା ଚାଲିବା ଦେଖିଲେ ସାରା ସଂସାରଟା ଭୟ ଦେଖେଇ ପଛରେ ଗୋଡ଼ାଇବ l

--ନାଇଁ ମାଆ, ମୁଁ ଖୁସି ହେଇପାରିବିନି l ମୋତେ ଯେତେ କଷ୍ଟ ହେଉପଛେ ମୋ ଶରୀରଟା କେଵଳ ଦେଇପାରେ ପ୍ରତିବାଦ ନକରି କିନ୍ତୁ ମୁଣ୍ଡ ଟା କେବେ ନୁହେଁ l ସେ ଆଜି କହିଲେ, "ଘରେ ବସ" l ବାହାରେ କାମ କରିବାକୁ ସେ କୁଆଡେ ଖୁବ ବେଶି ସକ୍ଷମ l କାଲି କହୁଥିଲେ,ମୁଁ କାଳେ ସାମାନ୍ୟ ଜଣେ ନାରୀ l ତାଙ୍କ ଦୃଷ୍ଟିରେ, ମୋ ଆଉ ତାଙ୍କ ଭିତରେ ଅନେକ ପ୍ରଭେଦ ଅଛି l ଏସବୁ ମୁଁ କେମିତି ମାନିନେବି ମାଆ ? କେମିତି ? ମୁଁ ଅଣନିଶ୍ୱାସୀ ହେଇଯାଏ l ମୋ ମୁଣ୍ଡ ଖୁବ ଜୋର ରେ ଘୁରାଏ l ବ୍ୟଥା ଅସହ୍ୟ ହୋଇପଡ଼େ l ଦେହର କଷ୍ଟ ଠୁ ମନର ବ୍ୟଥାଟା ବଳିଯାଏ l ତୁ କେମିତି ପାରୁଥିଲୁ ମାଆ ? ବାପାଙ୍କ ସବୁ କଥାରେ ହଁ ଭରିବାକୁ କେମିତି ସାହସ କରିପାରୁ ତୁ ? ତୋର କଣ ସତରେ ନିଜର ବୋଲି କାଣିଚାଏଟେ ବି ଚିନ୍ତା, ଚେତନା, ଇଚ୍ଛା, ଅନିଚ୍ଛା, ସ୍ୱପ୍ନ, ଆଙ୍କାକ୍ଷା କିଛି ହେଲେ ନାହିଁ ?

ମାନି ନିଜ ଯନ୍ତ୍ରଣାକୁ ଶବ୍ଦର ରୂପ ଦେଇ ବାଖ୍ୟା କରୁଥିଲା ଆଉ ତା ଆଖିରୁ, ପାଟିରୁ ଲାଲ ନିଆଁ ବାହାରି ଆସି ପରିବେଷ କୁ ଉତ୍ତପ୍ତ କରିପକାଉଥିଲା l ପ୍ରତିଭା ତଥାପି ସ୍ଥିର l ତାଙ୍କ କପ୍ ର ଚା' ଟା ଅନେକ ବେଳୁ ଥଣ୍ଡା ହେଇଗଲାଣି l ଝିଅର କ୍ରୋଧାଗ୍ନୀ ବି ଚା' ଟାକୁ ତାଙ୍କର ଗରମ ରଖିପାରିବାରେ ସକ୍ଷମ ହେଇପାରିନି l ମାନି ଦେଖିଲା ମାଆ ର ସଦାପ୍ରସନ୍ନ ମୁହଁ ଧୀରେ ଧୀରେ ବିଷାଦରେ ମଳିନ ପଡ଼ିଯାଉଛି l

ମାଆ, ଝିଅଙ୍କ ଚା' ପିଆ କଥାବାର୍ତ୍ତା ସରିନାହିଁ ବୈଠକ ଘରୁ ପୁଣି ଆଉ ଥରେ ସେହି ଆଦେଶାତ୍ମକ କର୍କଶ ସ୍ୱରଟା ବାହାରି ଆସି ଯନ୍ତ୍ରଣାଜର୍ଜରିତ ଚାରୋଟି କାନ ରେ ଢାଏଁ ଢାଏଁ ପିଟି ହେଲା l "ସେତେବେଳୁ କି ମନ୍ତ୍ରଣା ଚାଲିଛି ମାଆ ଝିଅଙ୍କର ? ଆଜି କଣ ଘରେ ରୋଷେଇ ହେବନାହିଁ ? ମୋ ବ୍ଲୁ ଶାର୍ଟ୍ ଟା କୁଆଡ଼େ ଗଲା ପ୍ରତିଭା ? ଜଲଦି ଦେଇଯାଅ ଆସି l ମୁଁ ଟିକେ ମାର୍କେଟ୍ ଆଡ଼େ ଯିବି l" ସ୍ୱାମୀଙ୍କ ଆଦେଶ ପାଇ ପ୍ରତିଭା ଯନ୍ତ୍ରବତ୍ ଉଠିଯାଉଥିଲେ ମାନି ମାଆର ହାତ ଧରି ନିଜ ଆଡ଼କୁ ଟାଣିଆଣି କହିଲା, "ମାଆ ରହ ଆଉ ଟିକେ l ତୁ ଆଜି ବହୁତ ଖଟିଲୁଣି , ତୋ ମୁଣ୍ଡ ବିନ୍ଧୁଥିବ l ଆସେ ମୋ କୋଳରେ ମୁଣ୍ଡ ରଖି ଏଇଠି ଟିକେ ଗଡ଼ିପଡ l ମୁଁ ତୋ ମୁଣ୍ଡରେ ବାମ୍ ଲଗେଇ ଘଷି ଦେବି l ବ୍ୟଥା କମିଯିବ l"

ଏତେ ବେଳେକେ ମାଆର ମୁକ୍ତା ପରି ଢଳ ଢଳ ଲୁହଗୁଡ଼ା ଦୁଇଆଖିର ଗହିରୀ ଅତିକ୍ରମ କରି ଗାଲ ବାଟେ ଗଡିଆସିଲା l ପ୍ରତିଭା କାନ୍ଦ କାନ୍ଦ ସ୍ୱରରେ କହିଲେ, "ନାଇଁ ସୁନା l ମୋତେ ଯିବାକୁ ହେବ ସଙ୍ଗେ ସଙ୍ଗେ l ଦାସତ୍ୱର ବେଡୀ ଯେତେଦିନ ଯାଏଁ ମୋ ଦେହରେ ବନ୍ଧା ହେଇଥିବ ସେତେଦିନ ଯାଏଁ ମୋର ବୋଲି ଆଉ କିଛି ନାହିଁ l ଏ ବ୍ୟଥା ବି ମୋର ନୁହେଁ ଲୋ ଧନ l ତୋର ମୁଣ୍ଡ ଅଛି, ବିନ୍ଧୁଛି l ତୁ ସେଥିପାଇଁ ଛାଡ଼ିଆସିପାରିଲୁ ତୋ ମୁଣ୍ଡ ବ୍ୟଥା କୁ l ମୋର ପରା ମୁଣ୍ଡଟା ବି ଆଉ ମୋର ହେଇ ନାହିଁ l ବିନ୍ଧିବ କଣ ? ମୁଁ ଯାଉଛି ରେ ମାଆ l ତୁ ବିଶ୍ରାମ କର l

ମାନି ଅନେଇ ରହିଥିଲା ନିଜ ସମାନୁଭବୀ କୁ l ସେ ଦେଖୁଥିଲା ସେହି କୋମଳ ନାରୀଟିର କବାଟ ଆଡେଇ କ୍ଷୀପ୍ର ପାଦରେ ଆଗକୁ ଚାଲିଯାଉଥିବାର ଦୃଶ୍ୟ କୁ l ମାନି ନାମ୍ନୀ ଝିଅଟା ଆହୁରି ବି ଦେଖୁଥିଲା ଗୋଟେ ରକ୍ତ ଓ ମାଂସ ରେ ତିଆରି ମେସିନ୍ କୁ, ଗୋଟେ ମୁଣ୍ଡ ବୀହିନା,ସ୍ୱପ୍ନ ଆକାଂକ୍ଷାହୀନା ନାରୀ କୁ l ସେହି ନାରୀଟି ତାର ମାଆ l ସେହି ନାରୀଟି ସମଗ୍ର ନାରୀଜାତିର ପ୍ରତୀକ ରୂପେ ତାକୁ ଦୃଶ୍ୟମାନ ହେଲା, ଯାହାର ଦେହରେ ବଡ଼ ବଡ଼ ଠାଏ ଠାଏ ଚିହ୍ନ ଥାଇ ବି ନଥିଲା ମୁହଁରେ ବ୍ୟଥା ପାଇବାର ଲେସ ମାତ୍ର ବିଷାଦଗ୍ରସ୍ଥତା l

ଲୋପାମୁଦ୍ରା ମିଶ୍ର


Rate this content
Log in

Similar oriya story from Tragedy