Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଈଶ୍ୱର ଓ ଗଣିକା
ଈଶ୍ୱର ଓ ଗଣିକା
★★★★★

© Aravinda Das

Others

3 Minutes   7.4K    15


Content Ranking

କାହାର ଅନୁଚ୍ଚ ଫିସଫିସ ସ୍ୱର ଶୁଣି ବୁଲିପଡ଼ିଲା ଅମିୟ।

କିଛିଦୂରରେ ଝିଅଟେ ଠିଆ ହୋଇ ନୀରବରେ ହସି କିଛି ଇଙ୍ଗିତ କରୁଥିଲା।

ଇଙ୍ଗିତ ତାରି ପାଇଁ ଥିଲା ପରି ଲାଗିଲା ।ଏ ନୂଆ ଜାଗାରେ ଝିଅଟା ତାକୁ ଆଖି ଇସାରାରେ କାହିଁକି ଡାକୁଛି ? କିଛି ମନ୍ଦ ଉଦ୍ଦେଶ୍ୟ ଥାଇପାରେ । ତେବେ ଝିଅଟା ତାର କଣ ବିଗାଡି ପାରିବ ?

 ଟିକିଏ ଭାବିଲା ସେ।ବଦନାମ ଗଳିର ଅନାମଧେୟ ଝିଅ ହୋଇଥାଇପାରେ।

  ତେବେ ଏମିତି ଏକ ପ୍ରସିଦ୍ଧ ପବିତ୍ର ସ୍ଥାନରେ ,ଏମିତି ଝିଅ ?ହଜାର ହଜାର ଲୋକଙ୍କ ଭିଡ଼ ଏଠି ସବୁଦିନ ଭଗବାନଙ୍କ ଦର୍ଶନ ପାଇଁ।ଅଧିକ ଦାମ ଟିକେଟ ପାଇଁ ବି ଲାଇନ।ହଜାରେ କଟକଣା । ଆଜି ଅଧିକ ଯାତ୍ରୀ ଭିଡ଼ ଯୋଗୁଁ ଟିକେଟ ମିଳିବାର ଗ୍ୟାରେଣ୍ଟି ବି ନାହିଁ । ଦଲାଲ ଅଧିକ ଟଙ୍କା ନେଇ ଠକି ଦେଉଛନ୍ତି ବୋଲି ସେ ଶୁଣିଛି।

    ହାଠାତ୍ ଅମିୟ ମନକୁ ଏକ ଭାବନା ଆସିଲା। ଝିଅଟା ଟିକେଟ ଦଲାଲ ନୁହେଁ ତ ?କେଜାଣି ?ବନ୍ଧୁ ସୁଧୀର ଲାଇନରେ ଆଗରେ ଠିଆ ହୋଇଛି।

 ଧାଡିରୁ ବାହାରି ଆସି, ଅମିୟ ସେ ଝିଅ ଠିଆ ହୋଇଥିବା ଗଛ ପାଖକୁ ଆସିଲା । ତାକୁ ଡର ମାଡୁଥାଏ, କିଏ ଦେଖୁନଥିବ ତ ?

 ଝିଅଟାର ବୟସ ପଚିଶ ଭିତରେ ହେବ । ଶ୍ୟାମଳ ରଙ୍ଗ,ମଧ୍ୟମ ଉଚ୍ଚତା,ଗୋଲ ମୁହଁ ଏବଂ ଦୁଇଟି ସୁନ୍ଦର ଢଳ ଢଳ ଆଖି । ଗୋଲାପ ଫୁଲ ଗୋଟେ ମୁଣ୍ଡରେ ଖୋସିଛି।

   "ଦେବ ଦର୍ଶନ ପାଇଁ ଠିଆ ହେଇଛନ୍ତି?"

"ତମ ପାଖରେ ଟିକେଟ ଅଛି? ମାନେ ଯୋଗାଡ କରିପାରିବ ?"ପଚାରିଲା ଅମିୟ।

"ଠାକୁର ଦର୍ଶନ କରି, କ’ଣ ପାଇବେ ଆପଣ?"

 "ମନ ଓ ଆତ୍ମା କୁ ଶାନ୍ତି ମିଳିବ । କିଛି ଦିନ ହେଲାଣି ମୁଁ ଜମା ଆରାମରେ ଶୋଇ ପାରୁନି।"

"ଏଇ କଥା, ତେବେ ଆପଣ ଦେଵୀ ଦର୍ଶନ କରନ୍ତୁ । ପୁରା ଶାନ୍ତି ପାଇବେ । ଆରାମରେ ଶୋଇବେ। ଗ୍ୟାରେଣ୍ଟି ମୁଁ ଦେଉଛି । ଯେତିକି ଏଇ ଟିକେଟ ଦାମ, ସେତିକି ଲାଗିବ । ଯଦି ଶାନ୍ତି ନମିଳେ, ତେବେ ଟଙ୍କା ଫେରସ୍ତ।"

  ଅମିୟ ଆଶ୍ଚର୍ଯ୍ୟ ହୋଇଗଲା ଏମିତି ରୋକ୍ ଠୋକ କଥା ଶୁଣି।

  " ଜଲଦି ମୋ ପଛେ ପଛେ ଆସନ୍ତୁ । ଯଦି ଚାହିଁବେ, ଆପଣଙ୍କ ହୋଟେଲକୁ ବି ଯିବି। ତେବେ ଅଧିକ ଟଙ୍କା ଲାଗିବ।"

     କିଛି ଭାବି, ଅମିୟ ଟିକେଟ ଲାଇନରେ ଠିଆ ହୋଇଥିବା ବନ୍ଧୁ ସୁଧୀରକୁ ଫୋନ୍ କରି ନିଜ ଦେହ ଅସୁସ୍ଥତାର ବାହାନା କରି ଦର୍ଶନ କରିବ ନାହିଁ ବୋଲି କହିଲା।

  ଚାଲୁ ଚାଲୁ ଝିଅଟି ନିଜ ନାଁ କହିଲା । ଅମିୟ ମୁରୁକେଇ ହସିଲା । ସତରେ କ’ଣ ନାଁଟା ସତ ହୋଇଥିବ ? କି ବିଶ୍ଵାସ ଏମାନଙ୍କୁ ?ଆଗୁଆ ଟଙ୍କା ନେଇଗଲା ଝିଅଟା । ନିଶ୍ଚୟ ପେଶାଦାର ଖେଳାଳୀ।

"ଖାଇବା ଜିନିଷ କିଛି ପ୍ୟାକ କରିନେଇଯିବା । ଡେରି ହେଲେ ଚିନ୍ତା ନାହିଁ।

ଚୁପଚାପ ଅମିୟ ଦୁଇଟା ବିରିଆନି ପ୍ୟାକେଟ୍ କିଣିଲା।

   ଗୋଟେ ଛୋଟ ଚାଳିଆ ଘର ସାମ୍ନାରେ ପହଁଚିଲେ ସେମାନେ । ଭିତରକୁ ପଶି ଟିଣ କବାଟ ବନ୍ଦ କରି ଆଲୁଅ ଲଗାଇଲା ଝିଅଟା।

ଛୋଟମାଟି ଘରେ ଗୋଟାଏ ସପ ତଳେ ପଡ଼ିଥିଲା । ଗୋଟାଏ କଣକୁ ଚୁଲି,ଆର କ’ଣକୁ ଗୋଟାଏ ଟିଣ ବାକ୍ସ।ଅଳ୍ପ କିଛି ବାସନ ଓ ଲୁଗାପଟା । ଗଣିକାର ସଂସାର।

   " ଗୋଟାଏ କଥା କହିବି ସାର୍ । ଆପଣ ଖରାପ ଭାବିବେ ନାହିଁ । ଆମକୁ ସିନା ଦୁନିଆ ଖରାପ ଦୃଷ୍ଟିରେ ଦେଖେ । ହେଲେ ଆମେ ଗରାଖ ଠାରୁ କିଛି ପ୍ରତିଶ୍ରୁତି କିମ୍ବା ହକର ଆଶା କରୁନା । ରାତ ଗୟି ବାତ ଗୟି । ଆମେ ସ୍ତ୍ରୀ ବା ପ୍ରେମିକା ନୋହୁଁ। ସେଇଥିପାଇଁ ପୁରୁଣା ଗରାଖ ବାରମ୍ବାର ଆମ ଗଳି କୁ ଆସନ୍ତି।"

 ଝିଅଟା ଗପୁ ଥିଲା ।" ଯଦି ଠାକୁର ଦର୍ଶନରେ ,ମୁକ୍ତି,ମୋକ୍ଷ ମିଳନ୍ତା, ତେବେ ଆମେ ତ କେବେଠୁ ମୋକ୍ଷ ମୁକ୍ତି ପାଆନ୍ତୁଣି । ମନର ଶାନ୍ତି ହେଉଛି ବଡ଼ କଥା । ମୋ ମା’ କହିଥିଲା, ଯେଉଁଠି ଶାନ୍ତି ସେଇଠି ଈଶ୍ୱର । କିଛି ଖରାପ ମନେ କରିବେନି ଆପଣ, ବକବକ କରିବା ମୋ ଅଭ୍ୟାସ । ଏଥର ଆପଣ କିଛି କୁହନ୍ତୁ । କିଛି ବି କୁହନ୍ତୁ,ମୁଁ ଶୁଣିବି।"

  ଆଶ୍ଚର୍ଯ୍ୟ ହୋଇ ଅମିୟ ଭାବିଲା, ଟଙ୍କା ଦେଇ ସେ କ’ଣ ଗପିବାକୁ ଆସିଛି ଏଇଠିକୁ ?

"ଆସନ୍ତୁ ମୋ କୋଳରେ ମୁଣ୍ଡ ରଖନ୍ତୁ । ତେଲ ଲଗାଇ ଭଲକରି ମାଲିସ୍ କରିଦେବି।ବହୁତ ଆରାମ ଲାଗିବ । ଯେଉଁ କଥା ଚିନ୍ତା ଯୋଗୁଁ ଆପଣଙ୍କୁ ନିଦ ଆସୁନି, ସେଇ କଥା ମୋତେ କୁହନ୍ତୁ । ଆପଣଙ୍କମନ ହାଲକା ହୋଇଯିବ ।" ଆଶ୍ଚର୍ଯ୍ୟ ହେଲା ଅମିୟ । ତା ମନକଥା ଶୁଣିବାକୁ ତ କେହି ଆଗ୍ରହୀ ନୁହନ୍ତି। ଘରେ ସ୍ତ୍ରୀ ପିଲେ,ଅଫିସରେ ବସ୍ ,ସହକର୍ମୀ ସମସ୍ତେ ବ୍ୟସ୍ତ । କେହି ଆଗ୍ରହ ଦେଖାନ୍ତିନି। ନିଜ ମନ କଥା ସେ ଚାପି , କେତେ ଟେନ୍ସନ ! କିନ୍ତୁ ଏ ଅଶିକ୍ଷିତ ଗଣିକା ଆଗରେ ସେ କହିବ ସେସବୁ କଥା ?ଟିକେ ଭାବିଲା ଅମିୟ।କ୍ଷତି କଣ ?ଅମିୟ ଗପିଲା।କେତେ କଥା ସେ କହିପକାଇଲା !

ମୋତେ ଭୋକ ଲାଗିଲାଣି।ଆପଣ ଏଇନା ଖାଇବେ ?

ଝିଅଟା ଭୋକିଲା ଦିଶୁଥିଲା । ଦୁହେଁ ଖାଇବା କାମ ସାରିଦେଲେ । ତେଲ ଉଷୁମ କରି ସେ ଅମିୟ ଦେହରେ ମାଲିସ୍ କରିଦେଲା । ଅମିୟର ମନେ ପଡ଼ିଲା, ତା ଦେହହାତ ଦରଜ ହେଲେ ପିଲାବେଳେ ବୋଉ ଏମିତି ମାଲିସ୍ କରୁଥିଲା।ଏବେ କିଏ ଘଷା ମୋଡା କରିବ ?ସେଲୁନରେ ଟିକେ ଯାହା କରନ୍ତି।ବହୁତ ଆରାମ ଲାଗୁଥିଲା ଅମିୟକୁ । ଆଖିପତା ମୁଦି ହୋଇଯାଉଥିଲା ତାର।

     ହଠାତ୍ ଚମକି ପଡ଼ିଲା ଅମିୟ । ସମୟ କେତେ ହେଲାଣି ?ହେ ଭଗବାନ !ଯାହେଉ କିଛି ଚୋରୀ ହେଇନି । ପାଖରେ ଶୋଇପଡିଥିଲା ସେ ଝିଅ । ତରବରରେ ଉଠିପଡ଼ିଲା ଅମିୟ । ନିଜ ମୋବାଇଲରେ ସୁଧୀର ର ଅନେକ ମିସ୍ କଲ୍।

ଝିଅଟା ନିଦ ମଳମଳ ଆଖିରେ ପଚାରିଲା, "ଏମିତି ପଳେଇବେ ?ମୋର କିଛି ଦୋଷ ନାହିଁ। ଆପଣ ତ ଘୁଙ୍ଗୁଡ଼ି ମାରି ଆରାମରେ ଶୋଇପଡିଲେ । ଉଠାଇବାକୁ ମନ ବଳିଲାନାହିଁ।"

 ଟିକିଏ ରହିଗଲା ଅମିୟ । ସତେତ, ବିନା ନିଦ ବଟିକାରେ ସେ ଆରାମରେ ଶୋଇପଡିଛି । ଝିଅଟାକୁ ମନେମନେ ଧନ୍ୟବାଦ ଦେଲା । କିଛି ଟଙ୍କା ଝିଅ ହାତକୁ ବଢ଼ାଇଦେଲା।

 ଅମଙ୍ଗ ହେଲା ସେ।"ମୁଁ ଖୁସି ରେ ଦେଉଛି।"

 ଛୋଟିଆ ହସଟେ ଖେଳିଗଲା ସେ ଝିଅର ମୁହଁରେ।

"ମନ୍ଦିର ର ଅନେକ ପୂଜାରୀ ଓ କର୍ମକର୍ତ୍ତାଙ୍କୁ ମୁଁ ଜାଣେ । ଆଜି ଯେତେବେଳେ କହିବେ ମୁଁ ଦର୍ଶନ କରାଇଦେବାର ବ୍ୟବସ୍ଥା କରାଇଦେବି। ଏଇଟା ମୋ ଫୋନ୍ ନମ୍ବର।"

  ଅମିୟ ହୋଟେଲକୁ ଫେରିଆସିଲା ପରେ ସୁଧୀରର ଅନେକ ପ୍ରଶ୍ନ।

"କୁଆଡେ ଥିଲୁ? ବହୁତ ଠେଲା ପେଲାରେ ଦର୍ଶନ ମିଳିଲା ମୋତେ । ହେଲେ ତୁ ଏତେ ବାଟ ଆସି,ଠାକୁରଙ୍କ ଦର୍ଶନ ନକରି କଣ ପାଇଲୁ ?"

 "ଶାନ୍ତି"।ଅମିୟ ପାଟିରୁ ବାହାରି ପଡ଼ିଲା।

ମନେ ମନେ ଭାବିଲା ; ଝିଅଟା ନିଜ ନାଁ "ଶାନ୍ତି"ବୋଲି ତ'କହିଥିଲା........

*(ଅରବିନ୍ଦ ଦାସ)

ଅନୁଚ୍ଚ ବୁଲିପଡ଼ିଲା ଅମିୟ

Rate the content


Originality
Flow
Language
Cover design

Comments

Post

Some text some message..