Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବୈଦେହୀ
ବୈଦେହୀ
★★★★★

© Ranjit Sahu

Tragedy

6 Minutes   7.4K    19


Content Ranking

ମୋ ସାମ୍ନାରେ ବସିଛନ୍ତି ସହରର ନାମଧାରୀ ବାରିଷ୍ଟର ଚନ୍ଦନ ନାୟକ, ମୋର ବାଲ୍ୟ ବନ୍ଧୁ ।

ଅବିବାହିତ ହୋଇ ସାରା ଜୀବନ ସମାଜ ସେବାରେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି ସିଏ I ଅନେକ କିଛି ମୋ ସହିତ ଆଲୋଚନା କରନ୍ତି, ବ୍ୟବସାୟିକ ଜୀବନ ଠାରୁ ନେଇ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ, ରାଜନୀତି ଠାରୁ ନେଇ ଧର୍ମ ପର୍ଯ୍ୟନ୍ତ, ବିଜ୍ଞାନ ଠାରୁ ନେଇ ଚିତ୍ରକଳା ପର୍ଯ୍ୟନ୍ତ I ଏତଦବ୍ୟତୀତ ଅନେକ ପଢ଼ା ପଢି କରନ୍ତି ଅବକାଶ ସମୟରେ I ଆଜି ମେଘର ଗର୍ଜନ ଶୁଣି ନିଜ ଘରକୁ ଯିବା ବଦଳରେ ଆମ ଘରକୁ ମୁହାଁଇଛନ୍ତି I ଅନେକ ସମୟରେ ମିଛିମିଛିକା ନାଟକ କରି କଚେରୀର ଘଟଣାବଳୀର ପୁନରୁପସ୍ଥାପନା କରନ୍ତି ମୋ ଆଗରେ ସମୟ କାଟିବା ପାଇଁ ।

"ଛତା ଆଣିବାକୁ ଭୁଲିଗଲି I ମେଘର ରୂପ ଦେଖି ଓ ଝଡର ଆଶଙ୍କାରେ ତୋର ଘରେ ଆଡେ ମୁହାଁଇ ଗଲି,ପ୍ରକୃତି ସାମ୍ନାରେ ମଣିଷ ଅସହାୟ ହେଇଯାଏ" କହିଥିଲେ ସିଏ ଘରେ ପଶୁ ପଶୁ ।

"କିନ୍ତୁ ଆଗରୁ ସଚେତନ ଥିଲେ ସବୁ ପ୍ରକାର ପରିସ୍ଥିତିକୁ ସମ୍ଭାଳି ହୁଏ, ପାଣିପାଗ ସମାଚାର ଦେଖିକି ଯାଇଥିଲେ ଛତା ଟି ଧରିଥାଆନ୍ତୁ, ଭଲ ହେଲା ଏକ ରକମ କିନ୍ତୁ," ମୁଁ ମନ୍ତବ୍ୟ ଦେଲି, “ମୁଁ ମଧ୍ୟ ଛୁଟି ନେଇକି ବସିଛି । ଘରେ ସମସ୍ତେ ଗାଁକୁ ଯାଇଛନ୍ତି ରଜ ପାଇଁ I ଏଇ ଅଧା ଘଣ୍ଟା ଆଗରୁ ଫେରିଲି ସେମାନଙ୍କୁ ଛାଡିକି । ତୋ’ ଭାଉଜ ମଧ୍ୟ ରହିଗଲା ଗାଁରେ ଏଥର । ରୋଷେଇ କରିକି ଥୋଇ ଦେଇ ଯାଇଛି ଚାରି ଦିନ ପାଇଁ. ତଟକା ନ ମିଳିଲେ ଏକା ଖାଇବାକୁ ଭଲ ଲାଗେ ନାହିଁ । ତୁ ଆସିଲୁ ଭଲ ହେଲା ବାସିରେ ସାଥି ହେବୁ । ଏଠାରେ ରହିଯା", ମୁଁ କହିଥିଲି ।

ମୋ ନିମନ୍ତ୍ରଣକୁ ଅଗ୍ରାହ୍ୟ କରିବାର କୌଣସି କାରଣ ନଥିଲା ଚନ୍ଦନ ପାଖରେ. କଳା କୋଟଟିକୁ ବାହାର କରି ଥୋଇ ବସି ଗଲା । ଅଳ୍ପ ସମୟ ମଧ୍ୟରେ ବେଶ ଜମିଥିଲା ଖଟି ।

"ହୁଁ I ସବୁ ଜାଣିଥିଲେ ମଧ୍ୟ ବେଳେ ବେଳେ ପରିସ୍ଥିତି ଏମିତି ପ୍ରତିକୂଳ ହୋଇଯାଏ, ମଣିଷ ନିଜକୁ ଅସହାୟ ମନେ କରେ," ଚନ୍ଦନ କହିଲା I

"ମାନେ ମୁଁ ବୁଝି ପାରିଲିନି," ମୁଁ କହିଲି I

"ଏ ଯେଉଁ ଝଡବର୍ଷା ଦେଖୁଛୁ ସୌମ୍ୟ, ଏହାକୁ ଦେଖିଲେ ବହୁତ ଭୟ ଲାଗେ ମୋତେ ଓ ମୁଁ ଅସ୍ବସ୍ତି ଅନୁଭବ କରେ ", ଚନ୍ଦନ କହିଲା ।

“କାହିଁକି? ଏହି ଋତୁରେ ଉପକୂଳବର୍ତ୍ତି ଓଡ଼ିଶାରେ ରହିକି ତୋହର ଅଭ୍ୟସ୍ତ ହୋଇଯିବା କଥା ! ପ୍ରକୃତିର ଏହି ବିପର୍ଯ୍ୟା ଓଡ଼ିଆଙ୍କର ଦେହସୁହା," ମୁଁ କହିଲି ।

"ଆଛା କହିଲୁ ତୁ କଣ ଏହି ବରଦାନ ଅଭିଶାପ ଏହି ସବୁରେ ଵିଶ୍ଵାସ କରୁ," ଚନ୍ଦନ ପଚାରିଲା ।

" ନା, ମୋଟେ ନୁହଁ I ଏତେ ସବୁ ପାଠଶାଠ ପଢି କଣ ମଣିଷ ପୁଣି ଏହି ସବୁରେ ବିଶ୍ଵାସ କରିବ?" ମୁଁ କହିଲି ।

" ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକ ଘଟଣା ଘଟେ ଯାହାର କୌଣସି ସଠିକ କାରଣ ଦର୍ଶାଇ ହୁଏନା," ଚନ୍ଦନ କହିଲା ।

" ଯେମିତି?" ମୁଁ ପଚାରିଲି ।

"ତୋହର ମନେ ଅଛି ଆଜି ଠାରୁ ପ୍ରାୟ ତିରିଶ ବର୍ଷ ତଳେ ମୁଁ ଯେତେବେଳେ ମୋର ପ୍ରଥମ କେସ ଲଢିଥିଲି?" ଚନ୍ଦନ ପଚାରିଲା ।

“ହଁ, ତୁ ସେ କେସ ହାରି ଯାଇଥିଲୁ । କୌଣସି ଗୋଟିଏ ସ୍ତ୍ରୀ ଲୋକର ତାହାର ଶ୍ୱଶୁର ଘର ସହିତ ହୋଇଥିବା ନିର୍ଯାତନା କେସ । ସଠିକ ମନେ ପଡୁନି । ଗାଁର ଜଣେ ମଣିଷ ମଧ୍ୟ ସେହି ସ୍ତ୍ରୀର ସପକ୍ଷରେ ସାକ୍ଷୀ ଦେବାକୁ ରାଜି ନାହିଁ ।

ଆଉ ତୁ ତୋହର ପ୍ରଥମ କେସଟିକୁ ହାତରେ ନେଲୁ,” ମୁଁ କହିଲି ।

" ହଁ ସେହି କେସଟି, ବୈଦେହୀର ସ୍ଵାମୀ ତାହା ଉପରେ ମିଛ ଲାଞ୍ଚନା ଲଗେଇଥିଲା ଯେ ସିଏ ଆଉ କାହାର ସନ୍ତାନର ମା ।

ବହୁତ ଅନୁରୋଧ କରିଥିଲି ନ୍ୟାୟାଧୀଶଙ୍କୁ କି ମୋର ହାରିବା ଜିତିବାର ପ୍ରଶ୍ନ ନୁହେଁ, ଦୁଇଟି ଜୀବନର ପ୍ରଶ୍ନ ।

କିନ୍ତୁ ନ୍ୟାୟାଧୀଶ କଣ କରିଥାନ୍ତେ । ସମଗ୍ର ଶଶୁର ଘର ତାହାର ଲକ୍ଷଣ ଉପରେ ସନ୍ଦେହ ପ୍ରକଟ କଲେ ।

ତାହାର ନିଜର ପରିବାର ବର୍ଗ ମଧ୍ୟ ତାହାର ସପକ୍ଷରେ ସାକ୍ଷୀ ଦେବାକୁ ଉପସ୍ଥିତ ହେଲେ ନାହିଁ ।

ଉତ୍ୟେଜିତ୍ତ ହୋଇ ମୁଁ ପଚାରି ଥିଲି ତାହାର ସ୍ଵାମୀକୁ ସେଦିନ କଚେରୀରେ, "ଯଦି ଏହା ତୁମ ସନ୍ତାନ ନୁହେଁ, ତାହା ହେଲେ, ସେ କାହାର ସନ୍ତାନ? ତୁମ ବାପାଙ୍କର ନା ତୁମ ଭାଇର! ତୁମ ଘରେ ଆଉ କେହି ପୁରୁଷ ନାହାନ୍ତି?", ଚନ୍ଦନ ପୁଣି କହିଲା, "ମୋତେ କଣ୍ଟେମ୍ପଟ ଅଫ କୋର୍ଟର ସାମ୍ନା କରିବାକୁ ପଡିଥିଲା ସେହି ବାକ୍ୟ ପାଇଁ ।"

"ହଁ କିଛି କିଛି ମନେ ପଡୁଛି । ତାହା ପରେ ହେଲା କଣ? ମୋର ମନେ ଅଛି ଗାଁରେ ପ୍ରଚାର ହୋଇ ଯାଇଥିଲା ସିଏ ନିଜର ପୁରୁଣା ପ୍ରେମିକ ସହ ଫେରାର ହୋଇ ଯାଇଛି", ମୁଁ କହିଲି ।

" ହଁ ସେମିତି କିଛି ଗୁଜବ ପ୍ରଚାର ହୋଇଥିଲା ।

କିନ୍ତୁ ସତ୍ୟତା ଜଣା ପଡି ନଥିଲା, ଆତ୍ମହତ୍ୟା କେସ ବୋଲି କିଛି ଲୋକେ କହୁଥିଲେ " ଚନ୍ଦନ କହିଲା ।

" ମୁଁ ସେ ବିଷୟରେ ପଢିଲା ଭଳି ମନେ ହଉନି", ମୁଁ କହିଲି ।

" ନା ତାକୁ ଦବେଇ ଦିଆ ଯାଇଥିଲା । ଅସଲରେ ତାହାର ସ୍ଵାମୀର ଆଉ ଗୋଟିଏ ସ୍ତ୍ରୀ ସହିତ ଅବୈଧ ସମ୍ବନ୍ଧ ଥିଲା ।

ତାକୁ ଲୁଚେଇବାକୁ ଏହି ସବୁ ପ୍ରୟାସ କରା ଯାଇଥିଲା ।ଯାହା ଦ୍ଵାରା ଛାଡପତ୍ରଟିର ମିଳିଲାପରେ ସିଏ ପୁନର୍ବିବାହ କରିବାର ଥିଲା ।”

"ଓଃ ଏମିତି କଥା । ମୁଁ ଏ ସବୁ ଆଉ ଜାଣିନି । ତେବେ ତୁ ତାହା ପରେ ଆଉ ଥରେ କେସ ରିଓପେନ କଲୁନି କାହିଁକି?" ମୁଁ ପଚାରିଲି ।

" ଭାବିଥିଲି କରିବି I କିନ୍ତୁ ଜାଣିବାକୁ ପାଇଲି ବୈଦେହୀ ଉଭାନ ହୋଇ ସାରିଥିଲା । ତାହାର ପରିବାର ବର୍ଗ ତାହାର ଅନ୍ୟ ଭଉଣୀ ମାନଙ୍କର ବିବାହ ଅଟକି ଯିବା ଭୟରେ ଆଉ ତାହାର ତଲାସ କଲେ ନାହିଁ । ସମାଜରେ ଆଜି ମଧ୍ୟ ସେହି ଅବସ୍ଥା ।ପରିବାରର ଗୋଟିଏ ସଦସ୍ୟର ଆଚରଣରେ ସମଗ୍ର ପରିବାରକୁ ମପା ଯାଇଥାଏ । ଖାଲି କଥାରେ କହିବାକୁ ଆମେ କହୁ ବ୍ୟକ୍ତି ତାହାର କୁକର୍ମ ପାଇଁ ଏକା ଦଣ୍ଡିତ ହେବ," ଚନ୍ଦନ କହିଲା ।

" ହଁ ସତ କଥା କହିଲୁ. ତାହା ହେଲେ ବୈଦେହୀ କଣ ଆତ୍ମହତ୍ୟା କରିଥିଲା । କଳିଯୁଗ; ନ୍ୟାୟ ବା କେମିତି ମିଳିଥାଆନ୍ତା," ମୁଁ କହିଲି I

" ନା ନା ସେମିତି କଥା ନୁହଁ । ବୈଦେହୀ ବିଷୟରେ କମ ଖବର ଅଛି କିନ୍ତୁ ତାହାର ଗାଁ ବିଷୟରେ ଅନେକ ଅଛି ,” ଚନ୍ଦନ କହିଲା ।

"କେମିତି ", ମୁଁ ପଚାରିଲି ଆଶ୍ଚର୍ଯ୍ୟ ହୋଇ ।

" ସେଦିନ କୋର୍ଟରୁ ବାହାରି ବୈଦେହୀ ଅତି କରୁଣ ଭାବରେ କାକୁତି ମିନତି କରିଥିଲା ତାହାର ଶଶୁରଙ୍କୁ ଘରକୁ ନେବା ପାଇଁ । ତାହାର ଶ୍ଵଶୁର କିନ୍ତୁ ତାକୁ ମୁହଁମୋଡ଼ି ଛାଡି ଚାଲି ଯାଇଥିଲେ । ପଛରୁ ବୈଦେହୀ ସେଦିନ ଅଭିଶାପ ଦେଇଥିଲା," ତୁମ୍ଭେମାନେ ସବୁ ମୋ ପ୍ରତି ନୁହେଁ ଏହି ଅଜାତ ଶିଶୁ ପ୍ରତି ଅନ୍ୟାୟ କରିଛ । ଗାଁ ଠାକୁରାଣୀ ତୁମ୍ଭମାନଙ୍କୁ କେବେ ମଧ୍ୟ କ୍ଷମା କରିବନି । ଯେଉଁ ଗାଁ ତାହାର କୁଳବଧୂକୁ ସମ୍ମାନ ଦେଇ ନାହିଁ ସେହି ଗାଁର ଅସ୍ତିତ୍ଵର ଆଧାର କଣ ?”, ଚନ୍ଦନ କହିଲା ।

"ତାହା ପରେ?" ମୁଁ ପଚାରିଲେ, କୌତୁହଳରେ ।

"ମୁଁ ନିଜେ ମଧ୍ୟ ପ୍ରଥମ କେସ ହାରିଥିବାରୁ ଦୁଃଖୀ ଥିଲି । କୌଣସି ପ୍ରକାର ବୈଦେହୀକୁ ବୁଝେଇ କିଛି ଟଙ୍କା ଦେଇ ବସରେ ଛାଡି ଆସି ଥିଲି । ତେବେ ସିଏ ତାହାର ମା ଘରକୁ ଫେରି ନଥିଲା । ବୈଶାଖ ମାସର ପ୍ରଗାଢ ନିଦାଘରେ ନିରୁଦ୍ଧିଷ୍ଟ ହୋଇ ଯାଇଥିଲା ।ପରେ ତାହାର ନିରୁଦ୍ଦିଷ୍ଟ ହେବାର ଖବର ପାଇଥିଲି” ।

"କିନ୍ତୁ ତୁ କହୁ ତାକୁ ନ୍ୟାୟ ମିଳିଲା I କେମିତି?"

" ହଁ ।

ବୈଦେହୀ ଉଭାନ ହେବ ପରେ ପରେ କାଳ ବୈଶାଖୀରେ ତାହାର ଶ୍ଵଶୁର ଘର ଗାଁଟି ସମଗ୍ର ନଷ୍ଟ ହୋଇ ଯାଇଥିଲା । କେବଳ ଠାକୁରାଣୀ ମନ୍ଦିରଟି ବର୍ତ୍ତି ଯାଇଥିଲା ।

ଆଉ ତାହା ସାଥିରେ ସେହି ବୁଢା ବରଗଛଟି ଯାହା ତଳେ ଉଭାନ ହେବା ପୂର୍ବରୁ ବୈଦେହୀ ରାତି ଯାପନ କରିଥିଲା ।"

"ତାହା ହେଲେ କଣ ପୁରା ଗାଁଟି ନଷ୍ଟ ହୋଇଗଲା ଗୋଟିଏ ଝଡ଼ରେ", ମୁଁ ପଚାରିଲି ।

“ନା । ଝଡ଼ରେ ଯାହା ଗଲା ଗଲା । ଝଡ ସରିବା ପୂର୍ବରୁ ପ୍ରଥମ ଥର ପାଇଁ ଏକ ଅଦିନ ବନ୍ୟାରେ ସମଗ୍ର ଗାଁଟି ଜଳ ମଗ୍ନ ହୋଇ ଯାଇଥିଲା । ଅବଶ୍ୟ ଖବରଟି ଜଳବାୟୁ ପରିବର୍ତ୍ତନ ପପ୍ରସଙ୍ଗରେ ପ୍ରକାଶ ପାଇଥିଲା ।ବୈଦେହୀ ବିଷୟରେ ତାହା ପରେ ଅନେକ ଗୁଜବ ଶୁଣିଥିଲି । କିଏ କହିଥିଲା ସିଏ ଗାଁରେ ଆତ୍ମହତ୍ୟା କରିଥିଲା ଓ ବନ୍ୟାରେ ତାହାର ଶବ ଭାସି ଯାଇଥିଲା । କିଏ କହିଲା ଆତ୍ମହତ୍ୟା ପରେ ତାହାର ଶବକୁ ତଶ୍ଵଶୁର ଘର ଚୁପଚାପ ପୋତି ଦେଇଥିଲେ ।

ଆଉ କିଏ କହିଲା ବୈଦେହୀ ଦୂରରେ କେଉଁଠାରେ ଘର ସଂସାର କରିକି ସୁଖରେ ରହିଛି, ”ଚନ୍ଦନ କହିଲା ।

“ଓଃ । ତୁ ତାହା ହେଲେ ସବୁ ବିବରଣୀ ରଖିଛୁ I ମାନିଗଲି ତୋହର ଓକିଲାତିକୁ", ମୁଁ କହିଲି ।

"ହଁ ଆଜି ପର୍ଯ୍ୟନ୍ତ କେବଳ ନ୍ୟାୟ ପାଇଁ ଲଢ଼ିଛି Iଆଉ କେବେ ମଧ୍ୟ କୌଣସି ଆସାମୀକୁ ଦଣ୍ଡରୁ ବଞ୍ଚେଇବାକୁ ପ୍ରୟାସ କରିନି ।"

ଚନ୍ଦନ ଆଗକୁ ଯାଇ ତାହାର କୋଟ ପିନ୍ଧିଲା ଓ ଆରମ୍ଭ କରିଲା ତାହାର ଉପସ୍ଥାପନା ମୋ ସାମ୍ନାରେ ।

"ହିଜ଼ ଅନର, ଆପଣଙ୍କର ଏହି ନ୍ୟାୟାଳୟରେ ଆଜି ବୈଦେହୀର ଅଗ୍ନି ପରୀକ୍ଷା ହୋଇଛି I ସମଗ୍ର ସମାଜ ତାହାର ବିପକ୍ଷରେ ମତ ଦେଇଛି । କିନ୍ତୁ ସମୟର ମଧ୍ୟ ଗୋଟିଏ ନ୍ୟାୟ ଅଛି । ନିଶ୍ଚୟ ଦିନେ ନା ଦିନେ ତାହାକୁ ନ୍ୟାୟ ମିଳିବା ।" ଚନ୍ଦନ ବାବୁ ସାମ୍ନାରେ ଠିଆ ହୋଇଥିଲେ ମୋର ।

ଇତିହାସର ପୁନରାବୃତ୍ତି ହୁଏ ଅନେକ ଥର । ତଥାପି ପ୍ରତି ଥର ଏହା ଅତୀତକୁ ଏକ ନୂଆ ରୂପରେ ଉପସ୍ଥାପନା କରେ ମଣିଷର ଦୃଷ୍ଠିରେ ।

ଯାହା ସର୍ବଜ୍ଞାତ ତାହା ମଧ୍ୟ ବେଳେ ବେଳେ ଆଚମ୍ବିତ କରେ ଯେତେ ବେଳେ ତାହାର ସମୀକ୍ଷା ହୁଏ ଏକ ଭିନ୍ନ ଦୃଷ୍ଟିକୋଣରୁ ।

ଆଜି ପ୍ରାୟ ତିରିଶି ବର୍ଷ ପରେ ଚନ୍ଦନ ବାବୁଙ୍କ ମାନସ ପଟ୍ଟକୁ ଜବରଦସ୍ତି ପଶି ଆସୁଛି ଅତୀତର ସେଇ ଅଭୁଲା ଘଟଣା, ଯାହାକୁ ସିଏ ଯେତେ ଚେଷ୍ଠା କଲେ ମଧ୍ୟ ଆଦୌ ଭୁଲି ପାରୁନାହାନ୍ତି ।

"ସତ ଜାଣି ମଧ୍ୟ କିଛି ନ ପାରିଥିବାରୁ ବେଶ ଅସହାୟ ମନେ କରିଥିଲି ନିଜକୁ I ଆଇନ ଠାରୁ ଅଧିକ ମୋ ନିଜ ଉପରେ ମୋର ଭରସା ଏକ ରକମ ଉଠି ଯାଇଥିଲା I କିନ୍ତୁ ବନ୍ଧୁ ମାନଙ୍କ ପ୍ରୋତ୍ସାହନ ଯୋଗୁଁ ପେଶାରେ ପରେ ନିଜର ସ୍ଥାନ ଦୃଢ଼ୀଭୁତ କରି ପାରିଥିଲି I କିନ୍ତୁ ଅସହାୟ ହୋଇ, ନିରୁପାୟ ହୋଇ ଜଣେ ବିନା ଅପରାଧରେ ଦଣ୍ଡ ପାଉଥିବା ଦେଖିବାର ଅବସ୍ଥା ଆଜି ମଧ୍ୟ ମୋତେ ବିଚଳିତ କରେ I ସମସ୍ତେ ତ ଧୋକା ଦେଇଥିଲେ ବୈଦେହୀକୁ: ତାହାର ସ୍ୱାମୀ, ଶ୍ଵଶୁର ଘର, ବାପ ଘର, ଗାଁ ଲୋକ, ଆଉ ଶେଷରେ ଦେଶର ଆଇନ ମଧ୍ୟ, ଯେଉଁଥିର ମୁଁ ମଧ୍ୟ ଗୋଟିଏ ଅଙ୍ଗ !" ଚନ୍ଦନ କହିଲା ।

ବୈଦେହୀ ବାରିଷ୍ଟର ଝଡବର୍ଷା

Rate the content


Originality
Flow
Language
Cover design

Comments

Post

Some text some message..