Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Nayak

Tragedy

5.0  

Snigdha Nayak

Tragedy

ନୂଆଁଜାମା

ନୂଆଁଜାମା

10 mins
563


ଆଲୋ ! ଏ ବୋଉ କାଲି ନୂଆଁ ବରଷଟାରେ ବି ତୁ କ'ଣ କାମକୁ ଯିବୁ କି? ହୁଁ , କାହିଁ କଣ ହେଲା କି ? ଯିବିନି କେମିତି ଯେ, ଆଲୋ

କାଲି ନୂଆଁ ବରଷ ସିନା ହେଲେ ଆଜିଠୁ ପରା ସାହେବଙ୍କ ଘରେପାର୍ଟି । କାଲି କଥା କ'ଣ ପଚାରୁଛୁ , ମୁଁ ଆଜିସଞ୍ଜ ରେ ସହଳ ବହରିଯିବି କାମକୁ । ରାତିରେ ଢେର ବିଳମ୍ବ ହେବ ।ଆସି ପାରିବି କି, ନା' ଜାଣେନି ।ତୁ ଜମାରୁ ଏପଟେ ସେପଟେ ଯିବୁନି ମୁଁ ଗଲା

ପରେ ବୁଝିଲୁ ।ତାଟି ଟା ଭିତର ଆଡୁ ବନ୍ଦ କରି ରହିବୁ । ମୁଁ ଗଲା ବେଳେ ନିରସା ଆଇ କୁ ଖବର କରିଦେଇ ଯିବି,ରାତିରେ ଆସି ତୋ'ପାଖରେ ଶୋଇଯିବ । ମୁଁ ସକାଳୁ ସହଳ ଆଇବି ,ପାର୍ଟି ରୁ ତୋ ପାଇଁ ଭଲ ଖାଇବା ନେଇ କି ଆଇବି ଲୋ , କହି ପୁରୁଣା ଟିଣବାକ୍ସ ଟିକୁ ଖୋଲି ତିଳ ବୋଉ କାଢ଼ିଲା କୋଉ ମାନ୍ଧାତା ଯୁଗର ରଂଗବିରଙ୍ଗ ର ଜରିଲଗା ଶାଢ଼ୀ ଟାଏ । ଇସ୍ ! ବୋଉ କି ସୁନ୍ଦରହେଇଚି ଲୋ ' କହି ବୋଉ ହାତରୁ ଟାଣି ନେଇ ନିଜଦେହ ଉପରେ

ରଖିଲା ,ଅନ୍ୟ ହାତରେ ଦର୍ପଣ ଟିଏ ଧରି ଥରେ ବାଆଁ ତ ଥରେ ଡାହାଣ ପଟକୁ ଦର୍ପଣ ଟିକୁ ବୁଲାଇ କହୁଥାଏ 'ଇମା ସତରେ କେତେ ବଢିଆ ଦିଶୁଛି ଲୋ ବୋଉ '।ତୁ ଏଇଟା କୁ ପିନ୍ଧିକି ଯିବୁ ?

ହଁ ଲୋ ଧନ, କେତେ ବଡ଼ ବଡ଼ ଲୋକ ଆଇବେ ପରା । ବଡ଼ ପାର୍ଟି ।ଖୁବ୍ ସୁନ୍ଦର ସଜଡା ହେଇଛି କୋଠା ଟି । ସତରେ ବୋଉ! ମୁଁ ବି ତୋ' ସାଙ୍ଗରେ ଯିବି, ତତେ ତୋ କାମରେ ସାହାର୍ଯ୍ୟ କରିବି । ମୁଁ ବି

ଟିକେ ବଡ଼ ଲୋକଙ୍କ ପାର୍ଟି ଦେଖି ଆଇବି ଲୋ ବୋଉ .....।ନେଇଯା ' ତୋ ସାଙ୍ଗରେ ମତେ ବି ,କହି ଛଳଛଳ ଓ ଆଶାୟୀତ

ଆଖିରେ କୁଣ୍ଢେଇଧରିଲା ବୋଉ କୁ ।ତିଳବୋଉ ତାକୁ ମନା କରି ପାରୁ ନ ଥାଏ ।ଯୋଉ ବରଷ ଠୁ ତା'ବାପ ଆରିପାରିକି ଚାଲିଯାଇଛି ସେବଠୁ ତିଳ ବି ଗୁମ୍ ସୁମ୍ ରୁହେ ।ଘର ଅବସ୍ଥା ଓ ତା'ବୋଉ ର ଅସହାୟତାକୁ ଅଳପ ବୟସର ପିଲା ହେଲେ ବି ଭଲଭାବରେ ବୁଝିଛି ।ଆଜି ପହିଲି କରି ବୋଉକୁ ପାଟି ଫିଟାଇ

କିଛି ମାଗୁଛି,ବୋଉ ବି ମନା କରିପାରୁନି । ହଉ ହେଲା ଯିବୁ ହେଲେ ତୁ ସେଠି ଜମା କିଛି ଛୁଇଁବୁନି ,ମତେ ନ ପଚାରି ନା କୁଆଡେ ଯିବୁ ନା କିଛି ଜିନିଷକୁ ହାତ ମାରିବୁ , ମାଲିକାଣି ଯାହାକହିବେ ସୁନା ପିଲାଟି ପରି କରିବୁ ବୁଝିଲୁ କହି ତିଳବୋଉ ଚୁଲି ଉପରେ ଭାତ ହାଣ୍ଡିଟି ବସାଇ ବସିପଡ଼ିଲା ଚୁଲି ମୁଣ୍ଡରେ ।ଖୁସିରେ

ମୁଣ୍ଡ ଟୁଙ୍ଗାରି ଦୌଡିଯାଇ ସେଇ ଟିଣ ବାକ୍ସଟିକୁ ଖୋଲି ଅଣ୍ଡାଳିଲା

ତା'ଭିତରୁ କାଢ଼ିଲା ଗୋଟାଏ ଗଣ୍ଠିଲି ,ତରତର ହୋଇ ତାକୁ ଖୋଲି

ପକାଇ କାଢ଼ିଲା ନାଲି ରଙ୍ଗର ଜାମା ଟିଏ,ବିଳମ୍ବ ନ କରି ତାକୁ ପିନ୍ଧିବାକୁ ଚେଷ୍ଟା କଲା ।ବୋଉ ଦେଖିଲୁ ଏଇଟା କେମିତି ପଶୁନି ଯେ...। 'ଆଲୋ' ଇଏ ପରା ତୋ ଛୋଟବେଳ ର ଜାମା ଟି' ପଶିବ କେମିତି ? ବୋଉ ଆଉ ତିଳ ଦି' ଜଣ ଟଣା ଓଟରା କରି ଗଳେଇବାକୁ ଚେଷ୍ଟା କଲେ ହେଲେ ଜାମା ଟି ତିଳ ଦେହରେ ପଶିବାକୁ

ନାରାଜ । ଶେଷରେ ହାରମାନି ସେଇ ଗଣ୍ଠିଲି ରେ ପୁରାଇ ଚୁପ ହୋଇ ବସିପଡ଼ିଲା ଲୁଥ୍ କିନା ତଳେ ।ବିକଳ ହୋଇ କହିଲା -

'ବୋଉ' ମୁଁ କି ଏଇ ପିନ୍ଧିଥିବା ଜାମା କୁ ପିନ୍ଧିକି ଯିବି ? ବୋଉ ତା' ଇଛା ଓ ମନରେ ହେଉଥିଵା କଷ୍ଟ ଦେଖି ହାର ମାନିଗଲା

ନା ଯିବା ପାଇଁ ତାକୁ ମନା କରିପାରିଥିଲା ,ନା ନୂଆଁ ଜାମାଟିର ବ୍ୟବସ୍ଥା କରିପାରିଥିଲା । ରୋଷେଇ ଘର କଣରେ ରଖିଥିବା

ଟିଣଡବାଟିକୁ ଖୋଲି କାଢ଼ିଲା କିଛି ନୋଟ ଏବଂ କିଛି ଖୁଚୁରା ମୋଟାମୋଟି ୭୪ ଟଂକା ।ହାତ ମୁଠାର ପଇସା କୁ ବାନ୍ଧିଲା କାନିରେ ।ବସ୍ତି ପାଖରେ ଗୋଟାଏ ଛୋଟିଆ କପଡା ଦୋକାନ ।

ତିଳକୁ ଧରି ଚାଲିଲା ସେଠିକି ,ଦୋକାନୀ ଗୋଟିଏ ପରେ ଗୋଟିଏ ଜାମା ଦେଖାଇଲା । ଇସ ! ବୋଉ ଏଇ ହଳଦୀ ଚିକିମିକି ଜାମାଟି ଭଲ ହେଇଚି କହି ଜାମାଟିକୁ ଦେହରେ ଲଗାଇ ଖୁସିରେ ଝୁଲି ଝୁଲି ବାରମ୍ବାର ପଚାରୁଥାଏ- ବୋଉ ଦେଖିଲୁ କେମିତି ହେଇଚି ?

ଏଇମିତି ଜାମା ଗୁଡାକ ତ ପିନ୍ଧୁଥିବେ,ନାଇ ବୋଉ ତୋ ମାଲିକ ଘରକୁ ଆସୁଥିବା ପିଲାମାନେ ?ଇସ ! ମୁଁ ଏଇଟାକୁ ପିନ୍ଧିକି ଯିବି ଲୋ' ,ସେମାନଙ୍କ ସାଙ୍ଗରେ ଏଥର ମୁଁ ବି ଖୁବ୍ ମଜା କରିବି ।

ଆଉ ମୋ ଜାମା କୁ ଦେଖି ସେମାନେ ଖୁବ୍ ପ୍ରଶଂସା କରିବେ ।

ହଁ, ବୋଉ ଗଣେଶ ପୂଜା ବେଳେ ବସ୍ତି ରେ ଯୋଉ ମେଳା ହୋଇଥିଲା-ସେଦିନ ରାତିର ସେ ସିନେମା ଟି, ପୂଜା ପଡ଼ିଆରେ ?ମନେଅଛି ଟି ? କେମିତି ସିନେମାରେ ସୁନ୍ଦର ଜାମା ପିନ୍ଧି ସେମାନେ କି ସୁନ୍ଦର ଦେଖାଯାଉଥିଲେ,ଆଉ ସମସ୍ତେ ତାଙ୍କୁ ବୁଟିଫୁଲ ବୋଲି କହୁଥିଲେ ।ମୁଁ ବି 'ବୁଟିଫୁଲ' ହେବି ବୋଉ । ଏ... ବୋଉ ଏଇ ବୁଟିଫୁଲ ଟି କଣ ଗୋଲାପ ଆଉ କଇଁ ଫୁଲ ଠୁ ବି ବେଶି ସୁନ୍ଦର ?

ତୁ ଦେଖିଛୁ କି 'ଲୋ' ? ସେ ଫୁଲ ଟି ଏଇ ଧନୀ ଆଉ ବଡ଼ ବଡ଼ିଆଲୋକଙ୍କ ବାଡ଼ିରେ ଥିବ,ଏତେ ଫୁଲ ଦେଖିଛି ଏଇ ଟିକୁ ତ ଦେଖିନି ପାଟିରେ ଆଙ୍ଗୁଠି ପୁରାଇ ମନେ ମନେ ଭାବିଚାଲିଥାଏ ।

ତିଳ ବୋଉ ବୁଝି ତ ପାରୁଥାଏ- ଜାମାଟି ଦାମିକିଆ ହୋଇଥିବ ।

ତଥାପି ଦୋକାନୀ ଟି ତା' ପରିଚିତ ହୋଇଥିବାରୁ ସାହାସ ବାନ୍ଧି ଦାମ ପଚାରିଲା- ପାଞ୍ଚଶହ ଟଂକା ଦୋକାନୀ ଉତ୍ତର ଦେଲା ।

ମୋ ପାଖରେ ଏବେ ଏତିକି ଅଛି କହି ବଢେଇଦେଲା କାନିରୁ ଫିଠାଇ ତିନି -ଚାରିଟା ନୋଟ ଓ ସେଇ କେତକ ଖୁଚୁରା । ବାକି ଏ ମାସରେ ପାଉଣା ପାଇଲେ ଦେଇଦେବି, ତମ ଉଧାରୀ ଖାତାରେ

ଲେଖିଦିଅ ।ଆଜି ଏହି ପୋଷାକ ନିହାତି ଦରକାର ।ତିଳ ବୋଉ ବିକଳ ହୋଇ କହିଲା ।ତା' କଥା ଶୁଣି ଦୋକାନୀ ତିଳ ବୋଉକୁ ତା' ପଇସା ଫେରାଇ ଜାମାଟି ତିଳ ଠୁ ଟାଣି ନେଇ ଫୋଲ୍ଡ଼ କରି ପଲିଥିନ ରେ ପୁରାଇ ରଖିଦେଲା । କହିଲା-'ଏତିକି ରେ କେବଳ ଗାମୁଛା ମିଳିବ ଜାମା ନୁହଁ ।' ତିଳ କାନ୍ଦ କାନ୍ଦ ହୋଇ ବୋଉକୁ ଜାମା ପାଇଁ ଜିଦ କରୁଥାଏ ହେଲେ ବୋଉ ତା' ହାତ ଟାଣି ଦୋକାନ ରୁ ବାହାରୁଥାଏ ।ଦୋକାନୀ ପଛରୁ ଡାକି କହିଲା-'ଶୁଣ' ଯଦି ତୋର ନିହାତି ଦରକାର ଓ ଦିନକ ପାଇଁ ଦରକାର ହେଲେ ତୁ ଭଡ଼ାରେ ନେଇ ଯାଉନୁ ।ଆଗକୁ ବଢ଼ୁଥିବା ପାଦ କୁ ରୋକି ଦି'ପାଦ ପଛକୁ ଆସି ଦୋକାନୀ କୁ ଆଶାୟୀତ ଚକ୍ଷୁ ରେ ଅନାଇଲେ ତିଳ ଓ ତା' ବୋଉ । ଦୋକାନୀ କହିଲା- 'ଆଲୋ' ମେଲାବେଳେ ଯୋଉ

ନାଚଗୀତ ହୁଏ, ଭଳି କି ଭଳି ଯୋଉ ପୋଷାକ ମାନ ପିନ୍ଧନ୍ତି ସେମାନେ କଣ କିଣନ୍ତି ? ଏଇଠୁ ଵା ମୋ ପାଖରୁ ତ ସଭିଏଁ ନିଅନ୍ତି ।ତୁ ନୂଆଜାମା ନ କିଣି ଏଇୟା କୁ ନାଉନୁ ।ଦୋକାନୀର କଥା ସରୁ ନ ସରୁଣୁ ହାତ ଛଡାଇ ପଶି ଆସିଲା ତିଳ ଦୋକାନ ଭିତରକୁ ।ଦୋକାନୀ ର କଥା ପଦକ ବୋଉ ର ମନକୁ ବି ପାଇଲା । ଗୋଟିଏ ପରେ ଗୋଟିଏ ତାରି ମାପର ଅନେକ ଜାମା କାଢି

ବଢାଇ ଦେଲା । ବୋଉ ଦେଖିଲୁ ଏଇଟି କେମିତି ହେଇଚି ? ହଁ'ଲୋ' ଭଲ ହେଇଚି ହେଲେ ଦେହେରେ ଟିକେ ବଡ଼ ହଉଚି ଲୋ ।

ତିଳ ବୋଉର କଥା କାଟି ଦୋକାନୀ କହିଲା - ଆରେ ନା.. ନା,

ଏଇ ସେମିତିକା ଡିଜାଇନ ପରା,ତଳ ଯାଏଁ ଘୋଷଡିବ ।ଏଇ ବା ପରୀ ଡ୍ରେସ୍ କହି ଦୋକାନୀ ପ୍ୟାକ୍ କରି ଧରାଇଦେଲା ତିଳକୁ ।ଗୋଟାଏ ଖାତା କାଢି ଲେଖିଲା ତିଳ ବୋଉ ର ଠିକଣା ଆଉ କହିଲା- ଏହାର ଭଡା ହେଲା ୧୦୦ ଟଙ୍କା ,ଯେତିକି ଅଛି

ସେତକ ଦେଇଯା' କାଲି ଜାମା ଫେରସ୍ତ ବେଳେ ବାକି ଦେଇଯିବୁ ।

ଜାମା ଟି ଯେମିତି ନେଇଛୁ ସେମିତି ଦେଇଯିବୁ ନଚେତ ଏକ ଶହ ଜାମାର ଭଡା ସାଙ୍ଗକୁ ଆଉ ଏକ ହଜ଼ାର ଜାମାର ଦାମ ଲାଗି ଯିବ । ତିଳ ବୋଉ ନିଜ ସମ୍ମତି ଜଣାଇ ତରତର ହୋଇ ଫେରିଆସିଲା ଘରକୁ । ଦି' ମା ଝିଅ ପ୍ରସ୍ତୁତ ହେବାରେ ଲାଗିପଡିଲେ ।

ନୂଆଁ ଜାମାଟି ପାଇ ତିଳ ଭାରି ଖୁସି । ସତେ ଯେମିତି ଏଇ ନୂଆ ଜାମାଟି ପାଇ ତା' ଭାଗ୍ୟ ବଦଳି ଯାଇଛି ।ମନରେ ଅନେକ ଆଶାର ସଂଚାର.....।ଏଇ ଜାମାଟି ତଳ ଶ୍ରେଣୀ ଓ ଉପର ବର୍ଗ ଭିତରେ ଥିବା ବ୍ୟବଧାନ ଟି କୁ ସତରେ ଯେମିତି କ୍ଷଣିକ ରେ ମିଟାଇ ଦେବ ।ତର ତର ହୋଇ ଗଲାଇ ପକାଇଲା ନିଜଦେହରେ କାନ୍ଥରେ ଲାଗିଥିବା ଛୋଟିଆ ଦର୍ପଣ ଟି' ଆଗରେ ଛିଡା ହୋଇପଡି କଜ୍ବଳ ଡ଼ବାଟିରୁ ମେଞ୍ଚେ କଜ୍ବଳ କାଢି ଲଗାଇଲା । ମନକୁ ମନକହୁଥାଏ - ନା'...ରେ..., ଏତକ ତ ସବୁଦିନ ଲଗାଏ ,ଆଜି ଟିକେ ବେଶି କରି ନଗେଇବି । ବାବୁଆଣି ମାନେ କେମିତି ମେଞ୍ଚେ ମେଞ୍ଚେ ନାଗାଇଥାନ୍ତି ,କେଡେ ସୁନ୍ଦର ଦିଶୁ ଥାଆନ୍ତି ପରା । ଦିଆସିଲିର କାଠିଟିଏ ନେଇ ତାକୁ କଜ୍ବଳ ରେ ଡୁବାଇ ନିଜ ଭ୍ରୁଲତା ଗୁଡିକୁ ମଧ୍ୟ କଳା ରଂଗରେ ରଂଗାଇଦେଲା । ଇସ ମୁଁ ତ ପରିଭଳିଆ ଦେଖାଗଲିଣି କହି ଖୁସିହେଉଥାଏ । ଠାକୁର ଙ୍କ ପାଖରେ ଥିବା

ସିନ୍ଦୁର ଡ଼ବା ରୁ ଅଳ୍ପକେ କାଢି ସେଥିରେ ନଡିଆ ତେଲ ଡି' ଟୋପାମିଶାଇ ବୋଲି ଦେଲା ନିଜ ଓଠରେ ।ବୋଉ ...ଆଲୋ, ଏ ବୋଉ..ଚାଲେ ମ ,ଜଲଦି କରେ ,କହି ଶୀଘ୍ର ଯିବାପାଇଁ ବୋଉକୁ ଅସ୍ତବ୍ୟସ୍ତ କରି ପକାଉଥାଏ ।ମୋ ଧନ ଟା' କେଡେ ସୁନ୍ଦର ଦେଖାଯାଉଛି ଲୋ' କାହାରି ନଜର ନ ପଡୁ କହି ଆଉ ମେଂନ୍ଚାଏ କଜଳ ଆଣି ତିଳର କପାଳରେ ଲଗାଇଦେଲା ।ଘର କବାଟ ଟିକୁ ବନ୍ଦକରି ଶୀଙ୍କୁଳିଟା ଲଗାଇ ତାଲା ଟିଏ ଝୁଲାଇଦେଲା । ବାହାରିଗଲେ ଦି'ଜଣ ବସ୍ତି ଠୁ ଟିକେ ଆଗକୁ ଯାଇ ମୁଖ୍ୟ ରାସ୍ତାରେ

ସିଧା ଆଗକୁ......ଅଧ ଘଣ୍ଟା ପରେ ଯାଇ ପହଁଚିଲେ ମାଲିକ ଘର ସମ୍ମୁଖରେ ।

ତିଳର ଖୁସି କହିଲେ ନ ସରେ ।ସତେ ଯେମିତି ତା'ଆଖିକି ପରୀରାଇଜ ଭଳି ଦେଖାଯାଉଥିବା ବଙ୍ଗଳାଟି ତା'ରି ଅପେକ୍ଷାରେରହିଛି ।ବୋଉ ସାଙ୍ଗରେ ଭିତରକୁ ପଶିଲା ତିଳ ।ପାର୍ଟି ଆରମ୍ଭ

ହେବା ଉପରେ, ତାଙ୍କ ଉପରେ ଦୃଷ୍ଟି ପଡୁ ପଡୁ ବାବୁଆଣୀ କହିଲେ-

'ଆଲୋ" ,ଏତେ ବିଳମ୍ବ ? 'ମେହେମାନ ଆନେ ଲାଗେ ହେଁ....ଅର

ତୁ ଅଭି ଆ ରହି ହୈ ' ? ମୁଣ୍ଡ ତଳ କରି କିଛି ଉତ୍ତର ନ ଦେଇଶାଢ଼ୀର କାନି ଟିକୁ ଅଣ୍ଟାରେ ଖୋସି ଚାଲିଗଲା ରୋଷେଇ ଜାଗାକୁ।

ତିଳ ସେଇଠି ଛିଡା ହୋଇ ପାଟି ମେଲାଇ ଅନେଇ ରହିଥାଏ ।ସେଠାକୁ ଆସୁଥିବା ଭଦ୍ରମହିଳା ଓ ଝିଅ ମାନଙ୍କ ପୋଷାକ ଦେଖି

ତା'ଆଖି ର ପଲକ ପଡୁ ନଥାଏ । ସମସ୍ତେ ତା' ଆଡକୁ ଅନାଉଥାନ୍ତି ସତେ ଯେମିତି ପାର୍ଟି କୁ ଅଜଣା ଜଙ୍ଗଲୀ ଜୀବ ଟିଏ ପଶିଆସିଛି ।

ତିଳ ବୋଉ ଆସୁଥିବା ଅତିଥି ମାନଙ୍କୁ ଟ୍ରେ ରେ ବିଭିନ୍ନ ରକମର ସରବତ ଆଣି ଦେଉଥାଏ ,ତା' ସାଙ୍ଗକୁ ତିଳ ମଧ୍ୟ ଏପଟ ସେପଟ ହେଉଥାଏ ।ବାବୁଙ୍କୁ ଏହା ବରଦାସ୍ତ ହେଉ ନଥାଏ ,ସ ବାବୁଆଣିଙ୍କୁ ଡାକି କହିଲେ-'ଏ ଝିଅଟି ପାର୍ଟିର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି ।'

ବାବୁଆଣୀ ଉତ୍ତରରେ କହିଲେ -' ଆରେ ଠିକ ହେ ନା' ମେ ଉସ୍କୋ ଟେବଲ ସାଫ କରନେ କି କାମ ମେ ଲଗା ଦେତି ହୁଁ' । ଏଥରବାବୁ ବିରକ୍ତି ଭାବ ପ୍ରକାଶ କରି କହିଲେ - କିତନେ ବଡେ ବଡେ

ଲୋଗ ଆଏଙ୍ଗେ, ମୁଝେ ଚାଇଲ୍ଡ଼ ଲେବର କେସ ମେ ଫସ୍ ଵାଓଗି କ୍ୟା??' ପଛରୁ ତିଳ ବୋଉ ସବୁ ଶୁଣି ସାରିଥିଲା ।ବାବୁଆଣୀ ପଛକୁ ବୁଲି ପଡି ତିଳବୋଉ କୁ କିଛି କହିବାକୁ ଯାଉଥାଆନ୍ତି, ହେଲେ ତାଙ୍କ

କହିବା ଆଗରୁ ତିଳବୋଉ କହିଲା- ମୁଁ ତାକୁ ଭିତରକୁ ନେଇଯାଉଛି । ସେ ବାସନ ମଜା କାମରେ ସାହାର୍ଯ୍ୟ କରିବ ।ଏଥର ବାବୁ ବେଶ ଖୁସି ।ପାର୍ଟି ଜୋର ସୋରରେ ଚାଲିଥାଏ । ତିଳ ବାରମ୍ବାର ବୋଉକୁ ପଚାରୁଥାଏ - ଏ ବୋଉ କେତେବେଳେ ମୁଁ

ସେଠିକି ଯିବି' ହେଲେ ବୋଉ କିଛି ନା କିଛି ବାହାନା କରି କଥାକୁ ଟାଳିଦିଏ । ପାର୍ଟି ସାରିବା ଉପରେ ଥାଏ ବାବୁଆଣୀ ଭିତରକୁ ଆସି ତିଳବୋଉକୁ କହିଲେ- ଡେରି ହୋଇଗଲାଣି ତୁ ଏଇଠି ରହିଯା' ଖାଇଦେଇ ଟିକେ ବିଶ୍ରାମ ନେଇଯା ।ସବୁ ସଫାସୁତୁରା କରୁ କରୁଭୋର ହୋଇଯିବ ।କାଲି ସକାଳେ ମିନି(ବାବୁଆଣୀ ଙ୍କ ଏକମାତ୍ର ଅଳିଅଳ କନ୍ୟା) ଓ ତା' ସାଙ୍ଗମାନେ ଟ୍ରି' ହାଉସ ରେ ଗେଟ ଟୁଗେଦର କରିବେ ।ତୁ ଭୋରରୁ ଟ୍ରି ହାଉସକୁ ସଫା ସୁତୁରା କରିଦେବୁ,ତିଳକୁ ବି ନେଇଯିବୁ ସେ ତତେ ସାହାଯ୍ୟ କରିବ ' ଏତିକି ଶୁଣାଇ ବାବୁଆଣୀ ସେଠୁ ଚାଲିଗଲେ ।ପାର୍ଟି ଶେଷ ହେଲା, ତିଳ କାନ୍ଦିବାକୁ ଲାଗିଲା ।ବୋଉ ତିଳକୁ ବୁଝାଇ କହିଲା-' ଆଲୋ' ଇଏ ପରା ବଡ଼ ମାନଙ୍କ ପାର୍ଟି, କାଲି ପରା ତୋରି ଭଳିଆ ପିଲାଙ୍କ ପାର୍ଟିଶୀଘ୍ର ଖାଇ ଦେଇ ଶୋଇପଡ଼େ । ବାବୁଆଣୀ ପରା ନିଜେ ଆସି କହିଲେ ଯେ କାଲି ଟ୍ରି ହାଉସ ରେ ପିଲାଙ୍କ ପାର୍ଟି ,ତତେ ବି ପରା

ଯିବାକୁ କହିଛନ୍ତି । ବୋଉ ନିଜ ହାତରେ ତିଳକୁ ଖୁଆଇ ଦେଉଥାଏ ଓ ଟ୍ରି ହାଉସ କଥା କହି ତିଳ କୁ ସାନ୍ତ୍ଵନା ଦେଉଥାଏ । ପାର୍ଟି ପାଇଁ ରୋଷେଇ ହେଉଥିବା ଜାଗାର ଗୋଟାଏ କଣରେ ଶପଟିଏ ପାରି ତା'ଉପରେ ବୋଉ ସାଙ୍ଗରେ ଗଡିଥାଏ ତିଳ । ବୋଉ ତା' ମୁଣ୍ଡକୁ ଆଉଁସି ଆଉଁସି ଶୁଆଇ ଦେଉଥାଏ । ହେଲେ ତିଳକୁ କି ଆଉ ନିଦ ହେଉଥାଏ ? ମନରେ ଅସୁମାରୀ ସ୍ବପ୍ନ ।-' ଟ୍ରି ହାଉସ' !

ଗଛ ଉପରେ କାଠ ତିଆରି ଘର ।ଆରେ ବାଃ ! ତାରି ଭିତରେ ହେବ ପାର୍ଟି । କେତେ କଣ କଳନା କରିଚାଲିଥାଏ ମନରେ...।

ରାତି ପାହିବାକୁ ହେଲାଣି ହେଲେ ତା' ଆଖିରେ ନିଦ ନ ଥାଏ ।

ବାରମ୍ବାର ବୋଉକୁ ଉଠାଇ କହୁଥାଏ - ଏ ବୋଉ...ବୋଉ ..ବାସନମାଜି ଜାମାଟି ରେ କଳା ଲାଗିଯାଇଛି ଆଉ ସାଙ୍ଗକୁ ତରକାରୀର ହଳଦୀ ରଙ୍ଗ ବି ଲାଗିଯାଇଛି ।ସକାଳେ କେମିତି ଦେଖାଯିବି ...? ବୋଉ ଖୁବ୍ କ୍ଲାନ୍ତ ଅନୁଭଵ କରୁଥାଏ , ତିଳର କଥାକୁ ଅଣଶୁଣା କରି ଘୋଡାଇ ହୋଇଥିବା ଚାଦର ଟାକୁ ମୁଣ୍ଡଉପରକୁ ଟାଣି ଶୋଇ ପଡ଼ିଲା ।ରାତି ପାହି ସକାଳ ହେଲା । ତିଳ

ବୋଉ ବଙ୍ଗଳା କାମରେ ବ୍ୟସ୍ତ ।ବାବୁଆଣୀଙ୍କ ଆଦେଶ ଅନୁଯାଇ

ତିଳକୁ ଲଗାଇ ଦେଲା ଟ୍ରି ହାଉସର କାମରେ । ବାବୁଆଣୀଙ୍କ ନଜର ପଡ଼ିଲା ତିଳର ଜାମା ଉପରେ ,ସେ ମିନିର ପୁରୁଣା ଜାମା

ଟିଏ ତିଳକୁ ଦେଇ କହିଲେ -' ନେ ଏଇଟାକୁ ପିନ୍ଧେ, କାମ କରିବାକୁ ସୁବିଧା ହେବ ।ଏତେ ବଡ଼ ଜାମାଟେ ପିନ୍ଧିଛୁ ଛନ୍ଦି ହୋଇ

ପଡ଼ିଯିବୁ ପୁଣି ଜାମାଟି ଦେଖିବାକୁ ବି ଅସନା ।' ତିଳ ସଙ୍ଗେ ସାଙ୍ଗେ ଜାମା ଟି ବଦଳାଇ ବାବୁଆଣୀ ଦେଇ ଥିବା ଜାମାଟିକୁ ପିନ୍ଧି ପକାଇଲା ଏବଂ ତା' ଜାମାଟିକୁ ବଗିଚା ର ଗୋଟାଏ ବୁଦାତଳେ ଲୁଚାଇ ରଖିଦେଲା।ଲାଗିପଡ଼ିଲା ତା' କାମରେ ..।

ଦିନ ପ୍ରାୟ ଦଶ ଟା' ।ମିନି ର ସାଙ୍ଗ ମାନେ ଆସିଯାଇଥାନ୍ତି ସେମାନେ 'ଟ୍ରି ହାଉସ' ର ସିଡ଼ି ପାଖରେ ତିଳକୁ ଜଗୁଆଳୀର

କାମ ଦେଇ ବ୍ୟସ୍ତ ରହିଲେ ତାଂକ ର ପାର୍ଟି ରେ । ତିଳ ଖୁସିରେ ମୁଣ୍ଡ ଟେକି ଟ୍ରି ହାଉସ ର ଦ୍ବାର ମୁଂହ କୁ ଅନାଉଥାଏ । ମିନି

ସାଙ୍ଗ ମାନଙ୍କୁ କହିଛି ଯେ ତିଳ ସେମାନଙ୍କ ସାଙ୍ଗରେ ଖାଇବ ସେମାନେ ତିଳ ସାଙ୍ଗରେ ଫୋଟୋ ବି ଉଠେଇବେ,ଗିଫ୍ଟ ଦେବେ ଏମିତି କେତେ କ'ଣ ସେ କଥା ମଧ୍ୟ ସେ ଶୁଣିଛି । ଦେଖୁ ଦେଖୁ ଦିନ ଦି' ତା ହେଲାଣି ।ଟ୍ରି ହାଉସ ଭିତରୁ ଆସୁଥିବା ସୁସ୍ୱାଦୁ ବ୍ୟଞ୍ଜନର ମହକରେ ତିଳର ପାଟିରୁ ଲାଳ ଗଡି ଯାଉଥାଏ ।

ତିଳ ବୋଉକୁ ବି ଚିନ୍ତା ଘାରୁଥାଏ ସକାଳୁ ପିଲାଟା କିଛି ଖାଇ ନ ଥିଲା ଯଦିଓ ମାଲିକାଣି ତିଳର ଖାଇବା ବ୍ୟବସ୍ଥା କରାଇଥିଲେ ତଥାପି ତାକୁ ଚିନ୍ତା ଥାଏ । ପାଟି ଫିଟାଇ ନାଁ ମାଲିକାଣି ଙ୍କୁ କିଛି

ପଚାରି ପାରୁ ଥାଏ ନାଁ ବଙ୍ଗଳାର କାମ ଛାଡି ତିଳ ପାଖକୁ ଯାଇ ପାରୁଥାଏ ,ମନ ଭିତରେ ଘାଣ୍ଟି ହେଉଥାଏ ।'ଟ୍ରି ହ।ଉସ୍ ର ଶିଢି ପାଖରେ ବସି ବସି ତିଳ ବି କ୍ଲାନ୍ତ ହୋଇପଡିଥାଏ ହେଲେ ମନରେ ଉତ୍କଣ୍ଠା ନେଇ ଅପେକ୍ଷା କରିଥାଏ ।ଆସି ଦିନ ଚାରିଟା ହେଲା । ମିନି ଓ ତା'ସାଙ୍ଗମାନେ ଟ୍ରି'ହାଉସ ରୁ ତଳକୁ ଓଲ୍ହାଇଲେ ।

ତିଳ ବୋଉ ବି ବଙ୍ଗଳା କାମସାରି ଘରକୁ ଯିବାପାଇଁ ତିଳ କୁ ନେବାପାଇଁ ବଙ୍ଗଳା ରୁ ବାହାରିଲା । ଠିକ ସେତିକି ବେଳେ ମିନି ଥାଳିରେ ଖାଇବା ଜିନିଷ ଆଣି ତିଳ କୁ ଦେଲା ।ଥାଳିରେ କେତେ କ'ଣ ଖାଇବା ଜିନିଷ- ବିରିଆନି, ମିଠା, ଭଳି କି ଭଳି ତରକାରୀ ।ଥାଳି ଟି ତଳେ ଥୋଇ ଦେଇ ତିଳ କୁ ବସିବାକୁ କହି ମିନି ସାଙ୍ଗ ମାନଙ୍କ

ସହ କିଛି କଥାବାର୍ତ୍ତା କଲା ।ବାବୁଆଣୀ ଗୋଟାଏ ପୁରୁଣା ସାଲଟି ଆଣି ନିଜ ହାତରେ ତିଳକୁ ଘୋଡାଇ ଦେଲେ । ବାବୁଆଣୀ କେତେ ଭଲ ସତରେ ଶୀତ ଦିନ ବୋଲି ତାକୁ ନିଜ ହାତରେ ସାଲ ଘୋଡାଇ ଦେଉଛନ୍ତି ଯଦିଓ ସାଲ ଟି ପୁରୁଣା ଓ ଅଳ୍ପକେ ଛିଣ୍ଡା ତଥାପି ତା' କଥା ଚିନ୍ତା କରି ନିଜେ ସାଲ ଟି ଘୋଡାଇ ଦେଲେ ।

ମିନି ନିଜ ହାତରେ ଖାଇବା ପରସି ଦେଉଛି । କିଛି ସମୟ ପରେ ମିନି ସାଙ୍ଗ ମାନଙ୍କ ସହ ପେପର ପ୍ଲେଟ ରେ କିଛି ଖାଇବା ଜିନିଷ ନେଇ ତିଳ ର ଚତୁର୍ପାଶ୍ୱରେ ଘେରି ବସିଗଲେ ।ତିଳ ଖୁସିରେ ଗଦ୍ ଗଦ୍ ହୋଇଯାଉଥାଏ ।ସମସ୍ତେ ତିଳ ସାଙ୍ଗରେ ଏକାଠି ବସି ଖାଇବେ ଏକଥା ତିଳ କୁ ବିଶ୍ୱାସ ହେଉ ନ ଥାଏ । ବାବୁ ନିଜେ କ୍ୟାମେରା ଧରି ଫୋଟୋ ଉଠାଇଲେଣି । ବିଭିନ୍ନ ପୋଜ୍ ରେ ମିନି ଓ ତା' ସାଙ୍ଗ ମାନେ ତିଳ ସହ ଫୋଟୋ ଉଠାଉ ଥାଆନ୍ତି ।

ମିନି ତାର ପୁରୁଣା ଜାମା ତାଙ୍କ ତିଳକୁ ଧରାଇ ଫଟୋ ଉଠାଉ ଥାଏ ତ କେତେବେଳେ ମୁଠାଏ ବିରିଆନି ଧରି ତିଳ କୁ ପାଟି ମେଲାଇବାକୁ କହି ଫଟୋ ଉଠାଉ ଥାଏ । ମିନି କହୁଥାଏ -ଆରେ ୟେ ସବ

ବଢିଆ ହେ, ଇସ କୋ ପ୍ରୋଜେକ୍ଟ ମେ ଡାଲେଁଗେ । ଦେଖନା ବେଷ୍ଟ ସୋସିଆଲ ବର୍କ କା ମେଡାଲ ମିଲେଗା ' । ସାଙ୍ଗ ମାନେ ବି ତା'ହଁ ରେ ହଁ ମିଳାଉଥାନ୍ତି ।

ମାଲିକ ,ମାଳିକାଣି ବି ଝିଅର ଏ ସୋସିଆଲ ବର୍କ କୁ ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ରେ ସେୟାର କରି ସାବାସୀ

ନେବାରେ ବ୍ୟସ୍ତ ଥାଆନ୍ତି । ତିଳ ବୋଉ ଭଡ଼ାରେ ଆଣିଥିବା ନୂଆଁ ଜାମାଟିକୁ ଖୋଜିବାରେ ବ୍ୟସ୍ତ ଥାଏ । ବଗିଚା ସାରା

ଖୋଜି ସାରିଲାଣି ହେଲେ ପାଉନି । ବଗିଚା ର ମାଳି ଠୁ ଜାଣିବାକୁ ପାଇଲା ଯେ ପାର୍ଟିର ଅଳିଆ ଆବର୍ଜ୍ଜନା ସହ ବଗିଚା ରେ ପଡିଥିବା ଅଦରକାରୀ ପଦାର୍ଥ ସବୁ କିଛି ସମୟ ଆଗରୁ ଅଳିଆ ଵାଲା ଆସି ନେଇଗଲାଣି ।ତିଳ ଦଉଡି ଆସି ବୋଉ ର ହାତ ଧରିଘରକୁ ଯିବାପାଇଁ ବାହାରିଗଲା । ତିଳ ବେଶ ଖୁସିଥାଏ । ବଳକା ଖାଦ୍ୟ, କିଛି ପୁରୁଣା ଜିନିଷ ଓ ଖେଳଣା ର ଗିଫ୍ଟ ପାଇ ଖୁସିରେ ତା'ଗୋଡ଼ ତଳେ ଲାଗୁ ନ ଥାଏ । ତାକୁ ସପନ ଭଳିଆ ଲାଗୁଥାଏ ।

ପାଇ ଥିବା ଜିନିଷ ଗୁଡିକ ବୋଉ କୁ ଧରାଇ ଗୋଟେ ହାତରେ ବୋଉର ହାତକୁ ଧରିଥାଏ ଓ ଓ ଅନ୍ୟ ହାତଟିକୁ ହଲାଇ ହଲାଇ

ଚାଲିଥାଏ ବୋଉ ସାଙ୍ଗରେ ଘର ଅଭିମୁଖେ ...। କହି ଚାଲିଥାଏ-ଏତେ ବଡ ଘରର ଶିକ୍ଷିତ ଲୋକ ବି ତା ସହ ଫଟୋ ଉଠାଇଲେ ଆଉ ସେ ଫଟୋ ଗୁଡିକୁ ଖୁସିରେ ସମସ୍ତେ ଦେଖୁଥିଲେ ,ଆରେ ବାଃ

....! ବୋଉ ଅଟକିଯାଇ ତିଳ ର ଜାମାର ପଛପଟ ବୋତାମଟି ଲଗାଇବାକୁ ଚେଷ୍ଟା କରୁଥାଏ ହେଲେ ଲାଗୁ ନ ଥାଏ । ତିଳ ବିରକ୍ତ ହୋଇ କହୁଥାଏ - ଆଲୋ ଏ ବୋଉ ,ସେଇଟା ଡ଼ିଜାଇନି ପରା ।

କାଲିର ଜାମାଟି ଭଲ ନ ଥିଲା, ସେ ଦୋକାନୀ ଠକିଦେଲା ବୁଝିଲୁ' । ଆଉ ଆଜି ପିନ୍ଧିଥିବା ପୁରୁଣା ଜାମା ଓ ସାଲ ଟି ର

ପ୍ରଶଂସା କରି କହୁଥାଏ -ଏଇଟା ନୂଆ ଡିଜାଇନ ,ଦେଖିନୁ କି ସିନେମା ରେ ଆଜିକାଲି ର ଜାମାରେ ପରା ଏମିତି ଗୋଟେ ପଟେ ଜାମା ରେ ହାତ ନ ଥାଏ ଆଉ ପିଠି ର ଚେନ ବି ଏମିତି ଖୋଲା ଥାଏ ' ।

ବୋଉ କ'ଣ ବା କହିବ, ସେ ଠିକ୍ ବୁଝିପାରୁଥାଏ କାଲିର ଜାମା ଓ

ଆଜି ର ନୂଆଁ ଜାମାଟି ଭିତରର ପାର୍ଥକ୍ୟ । ତା' ସାଙ୍ଗ କୁ ତାକୁ ଚିନ୍ତା ଘାରୁଥାଏ ଦୋକାନରୁ ଆଣିଥିବା ଜାମାଟିର ଅର୍ଥ ଚୁକ୍ତା କରିବାକୁ ନେଇ...।

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ


Rate this content
Log in

Similar oriya story from Tragedy