Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Dass

Drama Action

700  

Sasmita Dass

Drama Action

ଆବିଷ୍କାର

ଆବିଷ୍କାର

6 mins
1.5K


ଆବିଷ୍କାର

         “ସମୁଦ୍ରର ଏ ଗମ୍ଭୀର ବିସ୍ତୃତି, ଆକାଶର ଏ ଅନନ୍ତ ନୀଳିମା, ତୁମକୁ କ’ଣ ଭଲ ଲାଗେନି?” ସାଧୁଙ୍କ ପ୍ରଶ୍ନରେ ବିଶାଖାର ମନ ଅଭିମାନର ଶାଖା ସମୂହରେ ଗଜୁରି ଉଠୁଥିବା ପ୍ରଶ୍ନ ସବୁ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇ ରହିଗଲେ .

    ପୁରୀ ସମୁଦ୍ର କୂଳର ଏକ ପାଖେ ବାଲୁକା ରାଶିର ଆଖି ପାଉ ନଥିବା ଶଯ୍ୟା, ଅନ୍ୟ ପାଖେ ଶେଷ ହୀନ ସମୁଦ୍ର ଲହରୀର ଗଢା – ଭଙ୍ଗାରେ, କାହାର ଯିବା – ଆସିବାରେ ନିର୍ବିକାର . ଆଉ ଉପରେ ସତେ ଯେମିତି ବ୍ୟାପିଛି ଆଶୀର୍ବାଦର ସ୍ନିଗ୍ଧତା ! ସକାଳର ଶୁଭ୍ରତାରେ ସମସ୍ତେ ଔଜ୍ଜଲ୍ୟପ୍ରାପ୍ତ, ପ୍ରାଣ ପୂର୍ଣ୍ଣତାରେ ସମଗ୍ର ସତ୍ତା ସ୍ପନ୍ଦିତ . ସେ ଭିତରେ ଏ ଦୁଇ କ୍ଷୁଦ୍ର ସତ୍ତାର ଅବସ୍ଥିତି –  ବେଳାଭୂମିରେ .

ନୀରବ ରହିଲୁ ଯେ ମାଆ ? ସାଧୁ ପଚାରିଲେ . ଭାବନା ଭଙ୍ଗ ହେଲା ବିଶାଖାର . ମୁଁ ଆସିଛି ମୋ ଉତ୍ତର ଖୋଜିବାକୁ, ଆଉ ସାଧୁ ମୋତେ ପ୍ରଶ୍ନ ପଚାରୁଛନ୍ତି ! ନିଜକୁ ସାମାନ୍ୟ ପ୍ରକୃତିସ୍ଥ କଲା . “ହଁ, ମହାତ୍ମା! ନିଶ୍ଚିତ ଭଲ ଲାଗେ .” ଉତ୍ତର ଦେଲା ସିଏ . “ସବୁବେଳେ ଏମାନେ ମୋତେ ସମ୍ମୋହିତ କରନ୍ତି . ଆତ୍ମାରେ ମିଳେ ଏକ ଅଦ୍ଭୁତ ପ୍ରଶାନ୍ତି . ମୁଁ ଭାବେ ଏହା ସମସ୍ତଙ୍କ ଅନୁଭବ .” ସାଧୁ ଖୁସି ହେବା ପରି ମନେ ହେଲା . ତାଙ୍କ ମୁଖର ସସ୍ମିତ ଗାମ୍ଭୀର୍ଯ୍ୟରେ ଓ ସସ୍ନେହ ଦୃଷ୍ଟିରେ ଆଶ୍ୱସ୍ତ ହେଲା ବିଶାଖା . ସାଧୁ ପୁଣି ନୀରବ . ବିଶାଖା ମଧ୍ୟ ଅପେକ୍ଷା କରୁଥିଲା ଆଉ ଏକ ପ୍ରସ୍ତୁତିକୁ . ନୀରବତାର ପର୍ଦ୍ଦା ତଳୁ ଉଙ୍କି ମାରୁଥିଲେ ପୁଣି ତାର ପ୍ରଶ୍ନ ରାଶି . ବିଶାଖାର ନିର୍ଦ୍ଦେଶରେ ସେମାନେ ଚାଲିଗଲେ ପୁଣି ସେହି ପର୍ଦ୍ଦା ପଛକୁ . ପ୍ରଶ୍ନ ସବୁ ସିନା ଚାଲିଗଲେ, ତେବେ ସେ ନିଜେ ଖୋଜୁଥିଲା ସାମଞ୍ଜସ୍ୟ – ନିଜ ପ୍ରଶ୍ନ ଓ ସାଧୁଙ୍କ ପ୍ରଶ୍ନ ଭିତରେ . ନା, ସିଏ ପାରୁନି . ସେ ଭାବିବାକୁ ଲାଗିଲା, ଏ ବିଶାଳ ସୃଷ୍ଟି ଭିତରେ କ୍ଷୁଦ୍ର ମାନବର ଅସ୍ତିତ୍ୱ ! ବସିଥିବା ସ୍ଥାନଟି ହିଁ ହଜିଯାଉଥିଲା ଦୃଷ୍ଟି ବାଡ ବାନ୍ଧିଥିବା ଖଣ୍ଡିଏ ପୃଥିବୀ ଭିତରେ – ଆଉ ଆଗକୁ ଭାବି ପାରିଲା ନାହିଁ........... ସାଧୁ ଏବେ ବି ଚେତନା ରାଜ୍ୟରେ . କ’ଣ କରିବ ସେ ? ଆଉ କିଛି କ୍ଷଣ ଅପେକ୍ଷା ? ଏ ପରିବେଶରେ ଅପେକ୍ଷା କରିବାକୁ ଭଲ ଲାଗୁଛି . ଅପେକ୍ଷା ଜନିତ ବିରକ୍ତି ନାହିଁ . ଭାବନା ଅତି ଶୀଘ୍ର ନିଜ ଚିନ୍ତା ରାଜ୍ୟରୁ ବାହାରି ଯାଉ ଏ ବ୍ୟାପକ ସୃଷ୍ଟିର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ପଡୁଛି . ସେଥିପାଇଁ ସେ ନିଜେ ଚେଷ୍ଟା କରୁନି ସାଧୁଙ୍କୁ କିଛି ପଚାରି ତାଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ . କିନ୍ତୁ, କେତେ ସମୟ?

    ମନେ ପଡିଲା ତାର ପିଲାଦିନ . ଚଳନ୍ତି ଚିତ୍ର ପଟ୍ଟ ପରି ବିଶାଖା ଦେଖୁଥିଲା ସେ ଦିନ ସବୁ ସ୍ମୃତି, ସମସ୍ତଙ୍କ ସ୍ନେହରେ ଜୁଡୁବୁଡୁ ନିଜ ଜୀବନର ଖଣ୍ଡେ, ସାଙ୍ଗ ସାଥୀଙ୍କ ମେଳରେ କଟି ଯାଇଥିବା ପାଠ ପଢିବା ସମୟ ଯେତେକ, ବିବାହ ପରେ ସଂଯମ ଓ ସଙ୍ଘର୍ଷର ଆଶ୍ଚର୍ଯ୍ୟାନ୍ୱିତ କ୍ଷଣ ମାନ .  ସବୁ ଜୀବନର କ’ଣ ଏଇ ଧାରା? ଅନାଗତ ଭବିଷ୍ୟତର କି ସ୍ୱପ୍ନ ଦେଖିବ ମଣିଷ? ଭବିଷ୍ୟତ ପାଇଁ ଅନେକଙ୍କ ଯୋଜନା ତାକୁ ହାସ୍ୟାସ୍ପଦ ମନେ ହେଉଥିଲା . ସ୍ୱପ୍ନ, ଯୋଜନା ସବୁକୁ ଫଳବତୀ କରିବାକୁ ପାଦ ବଢାଉଥିବା ମଣିଷ କ’ଣ ପରାଧୀନତା ଓ ଅସହାୟତାରୁ ମୁକୁଳେଇ ନେଇଛି? ଯଦି ନୁହେଁ, ତା’ ହେଲେ ତାକୁ ସ୍ୱପ୍ନ ଦେଖିବା ମନା . ଆଉ ନାରୀ? ସିଏ କେବଳ ଗୋଟେଇ ଚାଲେ ତାର କ୍ଷଣ ଭଙ୍ଗୁର କଳ୍ପନାମାନ .ନିଃସ୍ୱାର୍ଥପର ହେଲେ ବି ଗ୍ରହଣୀୟ ହୁଏ ନାହିଁ କାହିଁକି ? ଆବିଳତାର ଅନ୍ଧକାରରେ ହଜିଯାଏ ସମସ୍ତ ଶୁଭ୍ରତା . ଆକାଶକୁ ଚାହିଁଲା . ସୂର୍ଯ୍ୟ ଦୀପ୍ତିମାନ . କିନ୍ତୁ ସେ ତ ଅନ୍ଧକାର ଦୂରେଇ ଦିଏ . “ନାରୀ ଜୀବନର ସାର୍ଥକତା କେଉଁଠି ମା ?” ସାଧୁ ପ୍ରଶ୍ନ କଲେ . ଚମକି ଉଠିଲା ବିଶାଖା . ପୁଣି ପ୍ରଶ୍ନ ? ଏ ପ୍ରଶ୍ନ କଣ ତାର ? ସାଧୁଙ୍କ ପ୍ରଶ୍ନ ଭିତରେ ନିଜର ପ୍ରଶ୍ନ ସବୁ ନିରୁତ୍ତର ତ ରହି ଯିବନି ? ଆଜି ପର୍ଯ୍ୟନ୍ତ ଯେତେ ନାରୀଙ୍କୁ ସେ ଦେଖି ଆସିଛି, ସମସ୍ତଙ୍କ ସାମଗ୍ରିକ ସତ୍ତା ଅସହାୟତାରେ ବନ୍ଧା . ଏ ପ୍ରକୃତି ବି ତ ନାରୀ, ମଣିଷ ତ ତାକୁ ବି ଛାଡିନି . ନାରୀ ଏ ଦୟନୀୟତା ଭିତରେ ନିଜର ସାର୍ଥକତା ଖୋଜିବା ହାସ୍ୟାସ୍ପଦ ନୁହେଁ ତ? ବିଚଳିତ ମନରୁ ସ୍ୱତଃଫୂର୍ତ୍ତ ଭାବେ ଉତ୍ତର ଆସିଲା, “ବୋଧହୁଏ ମାତୃତ୍ୱ .” ସାଧୁ ସ୍ମିତ ହାସ ଦେଲେ . ବିଶାଖା ଅପ୍ରତିଭ ହେଲା . କଣ ଭୁଲ କହିଲା ସେ ନା ସାଧୁ ସନ୍ତୁଷ୍ଟ – ବୁଝି ପାରିଲା ନାହିଁ . ନିଜର ଅସଫଳ ମାତୃତ୍ୱ ତାକୁ ଏପରି ଉତ୍ତର ଦେବା ପାଇଁ ପ୍ରଚୋଦନା ତ ଦେଇନି ? ତା ପରି ଅନେକ ନାରୀଙ୍କ ବେଦନାକୁ ପ୍ରତିଫଳିତ କରିବାକୁ ଚେଷ୍ଟା କରିଛି ? ନିଜକୁ ଅନ୍ତଃଦୃଷ୍ଚି ଓ ବହିଃଦୃଷ୍ଟିରେ ତଉଲିବାକୁ ଲାଗିଲା . ନା କୌଣସି ଆବେଗର ବଶୀଭୂତ ହୋଇ ସେ ଏହା କହିନାହିଁ . ନାରୀ ସମସ୍ତ ଅବସ୍ଥା ଅତିକ୍ରମ କରି ସାରି ହିଁ ଜନନୀତ୍ୱ ପାଏ . ମାତୃତ୍ୱରେ ତାର ପରମପ୍ରାପ୍ତି . ଏ ସମଗ୍ର ସୃଷ୍ଚିକାରିଣୀ ଶକ୍ତି ଜଗଜ୍ଜନନୀ ରୂପରେ ହିଁ ତ ଆରାଧିତା . ତାହେଲେ ସେ ଠିକ୍ କହିଛି . ବିଶାଖା ସାଧୁଙ୍କୁ ଚାହିଁଲା . ମୁଦ୍ରିତ ଚକ୍ଷୁ, ନିଶ୍ଚଳ ଶରୀର  – ଅଧରରେ ଏବେ ବି ସେହି ସ୍ମିତ ହାସ . ତାଙ୍କୁ କଣ ଜୀବନ ଆନ୍ଦୋଳିତ କରେ ନାହିଁ ? କରେ ଯଦି, ସେ ଏପରି ଏକ ପବିତ୍ର ଭାବରେ ନିମଗ୍ନ, ସ୍ଥିର ରହିପାରନ୍ତି କିପରି ? ଆଉ ଯଦି ସେ ଏପରି ଏକ ପବିତ୍ର ଭାବରେ ନିମଗ୍ନ, ସ୍ଥିର ରହିପାରନ୍ତି କିପରି ? ଆଉ ଯଦି ନୁହେଁ, ତେବେ ତାହା ବି କିପରି ? ମୋର ଅସଂଖ୍ୟ ପ୍ରଶ୍ନାବଳୀ ପରି ତାଙ୍କର ବି ଅନେକ ପ୍ରଶ୍ନ ଥିବ ତ? ବିଶାଖା ମନେ ପକାଇଲା . କିନ୍ତୁ ତାକୁ କୌଣସି ରୂପେ ମନେ ହେଲା ନାହିଁ ସାଧୁଙ୍କୁ ତାର ଉତ୍ତରର ଅପେକ୍ଷା ଥିଲା ବୋଲି . ସାଧୁ ପ୍ରଶ୍ନ ପଚାରିଥିଲେ କାହିଁକି ? ତାଙ୍କ ପ୍ରଶ୍ନବାଚୀ ଯୋଡିଥିଲା ଆଉ କେତୋଟି ପ୍ରଶ୍ନ ବିଶାଖା ମନରେ .

ଅସମାଧିତ ପ୍ରଶ୍ନ ସବୁ ତାକୁ ଲାଗୁଥିଲେ କ୍ରମାଗତ ଲହରୀ ପରି . ଗୋଟିଏ ଲହରୀ ମୁଣ୍ଡ ଟେକେ, ପୁଣି ମିଶେ ଅନ୍ୟ ଏକ ଲହରୀରେ – କଣ ନଷ୍ଟ ଯାଏ ତାର ଅସ୍ତିତ୍ୱ ? ପୁଣି ଅନ୍ୟ ଏକ ଲହରୀ ଉଠେ ...... ‘ସଂସାର’ ସମୁଦ୍ର କାହିଁକି ? ଯନ୍ତ୍ରଣା ‘ଲହରୀ’ କାହିଁକି ? ତା ସାମ୍ନାରେ ସମୁଦ୍ର ଉପରେ ଭାସମାନ ଜୀବନ୍ତ ଓ ଜଡ ଅନେକ କିଛି . ଆଉ ତଳେ ? ସେ ଆଉ ଏକ ଅନନ୍ତ ସୃଷ୍ଟି . ତା ଗଭୀରତାରେ ପଶୁ ପଶୁ ଶ୍ୱାସରୁଦ୍ଧ ହେଲା ବିଶାଖା . ନିଜକୁ ପୁଣି ଉପରକୁ ଆଣିଲା, ଏଠି ପବନର ପ୍ରାବଲ୍ୟ ବଢି ଚାଲିଛି – ଚାରିଆଡେ ଚଞ୍ଚଳତାର ଛାପ, ଉପରକୁ ଚାହିଁଲା – ଅମାପ ସ୍ଥିରତା . ତମ, ରଜ ଓ ସତ୍ତ୍ୱ ଗୁଣର କି ଭାଗ ମାପରେ ଏ ସୃଷ୍ଟି – ସଜିତା . ତା ମନ ବି ଅନୁରୂପ ହୋଇଯାଏ . ସୀମିତ ଶରୀରର କେଉଁ ନିଭୃତ କୋଣରେ ଚେତନାର ରାଜ୍ୟ ? ଚେତନା ବି ସଙ୍କୁଚିତ ହୁଏ – ନାନା ତପ, ନାନା କ୍ଲେଶରେ . ତେବେ, ପ୍ରସାରିତ ହୁଏ ଆନନ୍ଦରେ ? ଆଉ ଯଦି ଆନନ୍ଦ ନ ମିଳେ, ସେ ଚେତନା ସଙ୍କୁଚିତ ରହିବାକୁ ବାଧ୍ୟ ? ତାହେଲେ ସେ ମଧ୍ୟ ସୀମିତ ତାର ପରମପ୍ରାପ୍ତିର ଅଭାବରେ . ଭାରାକ୍ରାନ୍ତ ମନ ତଳେ ଅନେକ ସଂଘର୍ଷ . ସିଏ ସମାଧାନ ଚାହେଁ – ତା ପ୍ରଶ୍ନ ସବୁର . ଜନ୍ମ ଆଗର ଓ ମୃତ୍ୟୁ ପରର କଥା ସେ ଜାଣେନି . କିନ୍ତୁ, ଜନ୍ମ ଓ ମୃତ୍ୟୁ ଭିତରର ଜୀବନ ଖଣ୍ଡିକ ବଞ୍ଚିବାର ଶୈଳୀ କଣ, ଯାହା ପୂର୍ଣ୍ଣତା ଦେବ ତାକୁ ?

ପ୍ରଭାତର ପ୍ରଥମ ପ୍ରହର ବିତିଯାଇଛି . ସୂର୍ଯ୍ୟ ଓ ସମୁଦ୍ର ଦର୍ଶନ, ବନ୍ଦନର କୋଳାହଳ ଆଉ ନାହିଁ . ଚାରିଆଡେ କେବଳ ନୀରବତା – ବେଳେବେଳେ ତାକୁ ଭଙ୍ଗ କରୁଛି ସମୁଦ୍ର ବା କୌଣସି ସାମୁଦ୍ରିକ ପକ୍ଷୀ . “ତୁ କଣ ଚାହୁଁ ମା? ” ସାଧୁଙ୍କ ପ୍ରଶ୍ନ ହେଲା . ଏଥର ସେ ସ୍ଥିର କଲା ସେ ପ୍ରଶ୍ନ କରିବ ଗୋଟିଏ ପରେ ଗୋଟିଏ ଏବଂ ଫେରିଯିବ ସମସ୍ତ ଉତ୍ତର ସହ . ତେବେ, ସେ ଚାହେଁ
କଣ ? ସାଧୁଙ୍କ ଦୃଷ୍ଟି ତା ଉପରେ ନିବଦ୍ଧ . କି ଉତ୍ତର ଦେବ ସେ ? କଣ କହିବ, ମାତୃତ୍ୱ ? କିନ୍ତୁ ନାରୀ ଯଦି ଅବିବାହିତା ଥାଏ ? ପୁଣି, ଏପରି ଅନେକ ମାତୃତ୍ୱ ସେ ଦେଖିଛି, ଯେଉଁଠି ପୂର୍ଣ୍ଣତାର ଅନୁଭବ ନାହିଁ  . ତାର ଅନୁସନ୍ଧିଚ୍ଛା ଅନ୍ୟମାନଙ୍କୁ ବି ତୃପ୍ତ କରିବା ଆବଶ୍ୟକ . ଏ ବିଶ୍ୱ ନାରୀ ପାଇଁ ଭାବେ ନାହିଁ . “ମୁଁ ଚାହେଁ ଆନନ୍ଦ” . ସେ ଉତ୍ତର ଦେଲା . ସାଧୁ ପୁଣି ହସିଲେ . ଯୁଗ ଯୁଗରୁ ଏହି ପ୍ରଶ୍ନ ହିଁ ମଣିଷର ଚିରାକାଂକ୍ଷିତ . ବିଶାଖା ବି ବିସ୍ମିତ ହେଲା ନିଜ ଉତ୍ତରରେ . କେବଳ ଆନନ୍ଦ ହିଁ ଚାହୁଁଥିଲା ସେ – ଆଉ ଏତେ ସବୁ ପ୍ରଶ୍ନ ? ସମାହିତ ଚିତ୍ତରେ ଆଉ ଥରେ ଭାବି ନେଲା . “ମୁଁ ଚାହେଁ ଆନନ୍ଦ” . ପୁଣି ଦୋହରାଇଲା . “ତୁମେ ହିଁ ତ ସେହି ‘ଆନନ୍ଦ’ ମା .” ଅନନ୍ତତାରେ ହିଁ ଆନନ୍ଦ . ସାଧୁ ପ୍ରତ୍ୟୁତ୍ତର ଦେଲେ . ବିଶାଖା ଚମତ୍କୃତ ହେଲା . ସ୍ତମ୍ଭୀଭୂତ ମନ କ୍ଷଣକରେ ତାକୁ ଫେରାଇ ନେଲା ସାଧୁଙ୍କ ପ୍ରଥମ ପ୍ରଶ୍ନ ପାଖକୁ . ଆକାଶ ଓ ସମୁଦ୍ର ଆଡେ ପୁଣି ଦୃଷ୍ଟି ନିକ୍ଷେପ କଲା ବିଶାଖା . ଏତିକି ସମୟ ଭିତରେ କେତେ ଥର ନା ତା’ର ଦୃଷ୍ଟି ଯାଇଛି – ପ୍ରତ୍ୟେକ ଥର ସେ ବ୍ୟାପକତାରେ ନିଜର କ୍ଷୁଦ୍ରତ୍ୱକୁ ହରାଇ ନିଜର ଅଶାନ୍ତିକୁ ମଧ୍ୟ ବହୁ ପରିମାଣରେ କମାଇ ପାରିଛି . କିନ୍ତୁ, ଏଥର ତା ନୁହଁ .ଏକ ନୂତନ ଉପଲବ୍ଧି . ଏହି ଉପଲବ୍ଧି, ବିଶାଖା ନିଜେ ଖୋଜି ପାଇବା ପାଇଁ ତା ହେଲେ, ସାଧୁ ପ୍ରଶ୍ନ ପଚାରୁଥିଲେ . ବିଶାଖା ନିଜକୁ ସେ ବିଶାଳତା ଆଡକୁ ପ୍ରସାରିତ
କଲା . ତା’ର ‘ମୁଁ’ର ପରିଧି ଧିରେ ଧିରେ ବଢିବାକୁ ଲାଗିଲା . ଅନୁଭବ କଲା ସେ ଆଉ କେବଳ ଏ ଶରୀର ନୁହେଁ, ଏବେ ଦେଖୁଥିବା ସମସ୍ତ କିଛି ତା’ର ଆପଣାର . ଏ ଆକାଶ, ଏ ସମୁଦ୍ର, ଏ ବାଲୁକାରାଶି ସବୁଠାରେ ପ୍ରତିଫଳିତ ହେଉଥିଲା ତା’ର ‘ମୁଁ’ . ଦୃଷ୍ଟିର ଅତୀତ ସୃଷ୍ଟି ବି ତା’ର ‘ମୁଁ’ ଭିତରେ ପାଉଥିଲେ ସ୍ଥାନ . ବିଶାଖାର ମନରେ ଅଫୁରନ୍ତ କରୁଣାର ଧାରା . “Women beautify themselves with the compassion of motherhood”. ସୀମିତ ଅହ୍ଂତ୍ୱର ସାଧାରଣ ମାତୃତ୍ୱ ସ୍ୱାର୍ଥପରତା ଓ ପକ୍ଷପାତିତାରେ ଖଣ୍ଡିତ, ଅପୂର୍ଣ୍ଣତାରେ ଅଶାନ୍ତ ଓ ହରାଇଦେବାର ଭୟରେ ତ୍ରସ୍ତ .

ବିଶାଖା ତା’ର ରୁଗଣ, ଦୁର୍ବଳ ଶରୀରକୁ ଛିଡା କରାଇଲା – ମନରେ ବହୁତ ଉଦ୍ଦୀପନା . ସାଧୁଙ୍କ ଆଡେ ଦୃଷ୍ଟି ଫେରାଇ ଦେଖିଲା, ସେ ପୂର୍ବବତ୍ ଧ୍ୟାନମଗ୍ନ, ପ୍ରଶାନ୍ତ . ତାଙ୍କର ପ୍ରସନ୍ନତା ଓ ନିଜର ଦିବ୍ୟତା  ଭିତରେ କିଛି ଫରକ ଅନୁଭବ କରୁ ନଥିଲା ସେ . ତା’ର ପ୍ରସାରିତ ଅଂହତ୍ୱରେ, ପ୍ରସ୍ଫୁଟିତ ବ୍ୟକ୍ତିତ୍ୱରେ ସାଧୁ ମଧ୍ୟ ଲାଗୁଥିଲେ ଏକ ଶିଶୁ ଭଳି . ...... ପ୍ରଶ୍ନ ସବୁର ଅସ୍ତିତ୍ୱ ଆଉ ନ ଥିଲା . ସେ ଫେରୁଥିଲା ତା’ର କ୍ଷୁଦ୍ର ସଂସାରକୁ ଏକ ବିରାଟ, ଉଦାର ହୃଦୟ ନେଇ . ଅପୂର୍ଣ୍ଣତାର ଶୂନ୍ୟତା ଭରି ଉଠୁଥିଲା ପୂର୍ଣ୍ଣତାରେ ...... ତା’ର ପ୍ରତି ପଦକ୍ଷେପରେ.....


Rate this content
Log in

More oriya story from Sasmita Dass

Similar oriya story from Drama