Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ରିଲିଫ
ରିଲିଫ
★★★★★

© Arati Sahoo

Children Inspirational

4 Minutes   7.9K    21


Content Ranking

ପାଞ୍ଚଦିନ ହେଲାଣି, ଝୁନା ଖାଇ ନାହିଁ।ପେଟରୁ ଅଇ ଉଠୁଛି।ପାଖରେ ଛୁଆ ଭାଇ ଟୁନୁ।ଜମା ତିନି ବର୍ଷର।ବାପା ଜିନିଷ ଟି କଣ,ସେ କେବଳ ତା ମାଆ ପାଖରୁ ଶୁଣିଛି, ତାର ମନେ ନାହିଁ ଜମାରୁ।ମାଆଟା ଥିଲା ଯେ ସାହା ଥିଲା।ଇନ୍ଦିରା ଆବାସ ର ଛାତ ଉପରେ ସେମାନେ ବସି ରହି ଥିଲେ ମେଘର ଦୁର୍ଦ୍ଦାନ୍ତ ରୂପକୁ ଦେଖି ଦେଖି, ମେଘର ନୃଶଂସ ଅତ୍ୟାଚାର କୁ ସହି ସହି।ମେଘରୁ ପାଣି ଏମିତି ଗଳୁଥିଲା ଯେମିତି ଆକାଶରେ ବିରାଟ ଏକ ଛିଦ୍ର ହୋଇ ଯାଇଛି।ପେଟରେ ଭୋକର ଜ୍ୱାଳା ସାଙ୍ଗକୁ ଚର୍ମଭେଦି କାକର ପଶିଯାଉଛି କଲିଜା ଭିତରକୁ।ଘର ଚାରିପଟେ ପାଣିର ପ୍ରଖର ସୁଅ।ସେଥିରେ କିଲିବିଲା ହୋଇ ଅସଂଖ୍ୟ ମଣିଷ ,ଗୋରୁଗାଈ, ଗଛଲତା ଆଖି ଆଗରେ ଭାସି ଯାଉଥାନ୍ତି।ତାଙ୍କର ଛାତିଫଟା ଆକୁଳ ଆର୍ତ୍ତଚିତ୍କାର ସବୁ ମିଳେଇ ଯାଉଥାଏ ଘଡ଼ଘଡି଼ର ବିକଟାଳ ରଡି଼ରେ।ଝୁନା ର ମାଆ ଏହିପରି ଏକ ଆର୍ତ୍ତଚିତ୍କାର ସହି ନପାରି ଭାସି ଯାଉଥିବା ଗୋଟିଏ ଲୋକର ପ୍ରାଣ ବଞ୍ଚେଇ ବାକୁ ତା ହାତଟା ବଢ଼ାଇ ଦେଇଥିଲା।ଝୁନା ଭୟରେ ତା ମାଆର ଅଣ୍ଟାକୁ ଜାବୁଡ଼ି ଧରିଥିଲା।ହେଲେ ସେ ଲୋକଟିର ଓଜନ ସାଙ୍ଗକୁ ସ୍ରୋତର ପ୍ରଖରତା ଟାଣି ନେଇଗଲା ନିର୍ମମ ଭାବରେ ତା ମାଆଙ୍କୂ।ମାଆ ଗୋଟିଏ ହାତରେ ସେ ଲୋକଟିର ହାତକୁ ଧରି ଆର ହାତ ଟିରେ ଝୁନା ହାତର ଶକ୍ତ ବନ୍ଧନରୁ ନିଜକୁ ଯୋର କରି ମୁକୁଳେଇ ନେଇ ତାରି ଆଖି ସାମନାରେ ଭାସିଗଲା ଏକ ଆକୁଳ ଦୃଷ୍ଟି ତା ଆଡ଼କୁ ନିକ୍ଷେପ କରି।ଝୁନା ଆଖିରୁ ଶୁଖିଲା ଲୁହର ବାମ୍ଫ ଚତୁର୍ଦିଗ କୁ କରି ଦେଲା ଆହୁରି ଆର୍ଦ୍ର ଓ କଣ୍ଠର ନିଶବ୍ଦ ଚିତ୍କାର କରୁଣ କରିଦେଲା ସମଗ୍ର ବାତାବରଣ।

ଆଠବର୍ଷର ଝୁନା।ଝୁନା କୋଳରେ ଟୁନୁ।ଦୁହିଁଙ୍କ ଜୀବନ ଝୁଲି ରହିଛି କୋଠା ରୂପକ ଟାପୁ ଉପରେ, ଜଳସମୁଦ୍ର ମଝିରେ।ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ।

ତାଙ୍କର ଘରଟି ଗାଁରେ ସବୁଠାରୁ ଉଚ୍ଚ ସ୍ଥାନରେ ତିଆରି ହୋଇ ଥିଲା।ନହେଲେ ସେ ଗାଁ ଟା ସାରା ଜଳାର୍ଣବ ହୋଇ ଯାଇ ଥିଲା।ଗାଁରେ ପ୍ରାୟ ଦୁଇଶହ ଜୀବନର ସଲୀଳ ସମାଧି ଘଟିଥିଲା।ସେ ସବୁ ଘଟଣାର ଏକମାତ୍ର ନୀରବ ଦ୍ରଷ୍ଟା ଥିଲା ଝୁନା। ସେ ତଟସ୍ଥ ହୋଇ ପ୍ରକୃତିର ଏ ତାଣ୍ଡବଲୀଳା ଦେଖିବା ବ୍ୟତୀତ ତାର ଅନ୍ୟ କିଛି ଉପାୟ ନ ଥିଲା।ନିର୍ବାକ ହୋଇ ଦେଖୁଥିଲା, ଭାସି ଆସୁଥିବା ଡେଗଚି, ଗଗରା ଓ ଅନ୍ୟାନ୍ୟ ଗୃହୋପଯୋଗୀ ଆସବାବପତ୍ର ସବୁକୁ।ଭୋକରେ ହଂସା ଉଡ଼ିଲାଣି।ଆଞ୍ଜୁଳା ଆଞ୍ଜୁଳା ବଢ଼ି ପାଣି ଆଣି ପିଏଇ ଦିଏ ଟୁନୁକୁ।ନିଜେ ପିଇଯାଏ ଗୋଳିଆ ମାଟିଆ ରଙ୍ଗର ପାଣି, ପେଟ ଦାଉରେ।

ବର୍ଷା ଥମି ଯାଇଛି।ମାଆ ର ନାଲି ଚଦରଟା ଶୁଖି ଆସିଲାଣି।ବଢ଼ି କମୁଛି,ଆଉ ଝୁନା ର ଜିଜୀବିଷା ମୁଣ୍ଡ ଟେକିଲାଣି।ଭାଇକୁ ବଞ୍ଚାଇ ରଖିବାର ଆଶା ବଳବତ୍ତର ହେଲାଣି।

ଟୁନୁର ଦେହରେ କିନ୍ତୁ ତାତି ଖଇ ଫୁଟୁଛି।ଅସ୍ପଷ୍ଟ ଚିତ୍କାର କରୁଛି ,ମାଆ ମାଆ ବୋଲି।ଇଆଡୁ ସିଆଡୁ ବାଚାଳ ସମ ବିଳବିଳଉଛି।ଝୁନା ଆତଙ୍କରେ ଶିହରି ଯାଉଛି, ତା ଭାଇ ତାକୁ ଛାଡ଼ି ଏକଲା କରି ନ ଦେଉ।କାଳିଆ ଠାକୁର ଉଦ୍ଦେଶ୍ୟରେ ମଥାରେ ହାତ ରଖୁଛି।

ଭାଇ ଜ୍ୱରରେ କମ୍ପି କମ୍ପି ନିଜର ଶୁଖିଲା ଓଠରେ ଶୁଖିଲା ଜୀଭ ବୁଲାଇ ଆଣୁଛି।ଝୁନା କ୍ଷୁଧା ତୃଷା ଭୂଲି ଭାଇ ପାଇଁ ବ୍ୟାକୁଳ ହୋଇ ପଡୁଛି।ଏପଟ ସେପଟ ଦେଖୁ ଦେଖୁ ଦେଖିଲା, ଶବଟେ ଆସି ଲାଗିଛି ତାଙ୍କ ପାଖରେ।ପେଟଟା ଅସମ୍ଭବ ଭାବରେ ଫୁଲି କଦାକାର ଦେଖା ଯାଉଛି।ଆଖି ଦୁଇଟା ଢିମା ଢିମା ହୋଇ ପଦାକୁ ବାହାରି ପଡ଼ିଛି।ତା ଉପରେ ଅସଂଖ୍ୟ ମାଛି ଭଣଭଣ ହେଉଛନ୍ତି।ଭୟରେ ତାର ଲୋମ ଟାଙ୍କୁରି ଉଠିଲା, ଆଖି ବୁଜି ହୋଇ ଗଲା।ପୁଣି ଆଖି ଖୋଲିଲା ବେଳକୁ ଦେଖିଲା ଶବଟିର ଅଣ୍ଟାରେ ଗାମୁଛା ଟିଏ ଭିଡା଼ ହୋଇ ବନ୍ଧା ହୋଇ ରହିଛି ପାଉଁରୁଟି ଟିଏ।ଉଜ୍ଜ୍ବଳି ଉଠିଲା ଝୁନାର ମଉଳି ଯାଇଥିବା ମୁହଁ।ଖୁବ ଡରି ଡରି ସେ ତା ପାଖକୁ ଯାଏ।ତାକୁ ଲାଗେ ସତେ କି ଶବଟି ଦାନ୍ତ ଦେଖେଇ ତାକୁ ଖତେଇ ହେଉଛି।ସେ ଦୁଇ ପାଦ ପଛକୁ ଘୁଞ୍ଚି ଆସେ । ଦେହ ବରଡ଼। ପତ୍ର ପରି ଥରିଉଠେ।ସେ ଆଖି ବୁଜି ଦେଉ ଦେଉ ତାକୁ ଟୁନୁର ଭୋକିଲା ବିକଳ ଆର୍ତ୍ତନାଦ ଶୁଣାଯାଏ।ଆଖି ବନ୍ଦ ଅବସ୍ଥାରେ, ସାହସ ସଞ୍ଚୟ କରି ସେ ଗାମୁଛା ଖୋଲି ପାଉଁରୁଟି ଟି ନେଇ ଆସେ।ସେ ଝାଳନାଳ ହୋଇ ପଡେ଼।ଛାତି ପଡୁଥାଏ ଉଠୁଥାଏ।

ପ୍ରକୃତିସ୍ଥା ହୋଇ ଦୁଇ ତିନି ଖଣ୍ଡ ପାଉଁରୁଟି ଟୁନୁକୁ ଖୁଆଇ ନିଜେ ଖଣ୍ଡେ ଖାଏ।ଆତ୍ମା ବିକଳ ହେଉଥିଲେ ସୁଦ୍ଧା ନିଜର ଇଚ୍ଛାକୁ ନିୟନ୍ତ୍ରଣ କରେ।ନା,ସେ ପଛେ ମରିଯିବ ତା ଭାଇକୁ ସେ ମରିବାକୁ ଦେବନାହିଁ।ଭାଇ ପାଇଁ ଖାଦ୍ୟ ନିହାତି ଜରୁରୀ।

ଉପରେ ସୂର୍ଯ୍ୟ ଦାଉ ଦାଉ ଜଳୁଛନ୍ତି।ତଳେ ପାଣି ଲହଡି ମାରୁଛି।ତା କୁଳୁକୁଳୁ ସ୍ୱର ବର୍ତ୍ତମାନ ମଧୂର ଜଣା ଯାଉଛି।ଝୁନା ପାଇଁ କିନ୍ତୁ ସମୟ ଅନ୍ତହୀନ ହୋଇ ଅଟକି ଯାଇଛି,ଘରଦ୍ଵାର, ଗଛବୃଛ,ଜନବସତି ହୀନ ଏ ପରିସ୍ଥିତିରେ।ମାଆର ନାଲି ଚଦରଟା ମୁଣ୍ଡ ଉପରେ ଛାଇ କରି ଭାଇକୁ କୋଳ କରି ବସିଥାଏ ଝୁନା।ଧୀରେ ଧୀରେ ତାକୁ ମଧ୍ୟ ଦୁର୍ବଳିଆ ଲାଗିଲାଣି।ଶକ୍ତି କମି କମି ଆସିଲାଣି।ପଛ ପାଖରୁ ହଠାତ ଫୁତ୍କାର ଶୁଣା ଗଲା।ଚଟକିନା ପଛକୁ ବୁଲି ପଡିଲା ଝୁନା।କଳା ସାପଟିଏ ଚୋଟ ମାରିବା ଭଙ୍ଗୀରେ ଫଣା ଟେକି ଥାଏ।ଶତ ସିଂହ ର ବଳ ଆସିଯାଏ ଝୁନାର ଦେହରେ।ପାଉଁରୁଟି ପ୍ୟାକେଟ ଟିକୁ ସମସ୍ତ ବଳ ଖଟାଇ ଫିଙ୍ଗି ଦିଏ ସାଫ ଉପରକୁ।ସାପଟି ପାଣିରେ ପଡ଼ି ଯାଏ,କିନ୍ତୁ ତା ସହିତ ତାର ଶେଷ ଅବଲମ୍ବନ ପାଉଁରୁଟି ଟି ମଧ୍ୟ ସେ ହରାଇ ବସେ।ନିରାଶ ହୋଇ ସେ ନିଜକୁ ପରିସ୍ଥିତି ନିକଟରେ ସମର୍ପଣ କରି ଦିଏ।ନିରୁପାୟ ସେ।ଭାଇକୁ ଜାବୁଡ଼ି ଧରି ଭୋ ଭୋ କାନ୍ଦି ପକାଏ,ଅତିଶୟ ଦୁଃଖରେ।ସନ୍ଧ୍ୟା ହୋଇ ଆସିଲାଣି।ହେଇଟି ତ ,ମାଆ ଦେଖାଇ ଦେଉଥିଲା, ସେ ଧକ୍ ଧକ୍ କିରଣ ବାହାରୁଥିବା ତାରାଟି ତାର ବାପା ବୋଲି।ତା ପାଖକୁ ଲାଗି ଆଉ ଗୋଟିଏ ତାରା ମିଞ୍ଜି ମିଞ୍ଜି ହୋଇ ଜଳୁଛି।ତା ମାଆ ବୋଧେ।ସେ ବି ବୋଧେ ତାରା ହୋଇ ଯିବଣି।ବାପା କୁଆଡ଼େ ମାଆକୁ କହୁଥିଲେ ଯେ ଝୁନା ଡାକ୍ତରୀ ପଢ଼ିବ ଓ ଟୁନୁ ସୈନିକ ହୋଇ ଦେଶ ସେବା କରିବ।ମାଆ ମଧ୍ୟ ସ୍ୱପ୍ନ ଦେଖୁଥିଲା।ସ୍ୱପ୍ନ କଣ ଆଉ ପୂରା ହେବ?

ଆକାଶରେ କେତେ ଉଡ଼ାଜାହାଜ ଚକ୍କର କାଟୁଛନ୍ତି।କଣ ସବୁ ପୁଟୁଳି ତଳକୁ ପକଉଛନ୍ତି।ସେ ସବୁ ଭାସି ଯାଉ ଥାଏ।ଆଉ କିଏ ଅଛି ଯେ ଧରିବ।ଝୁନା ଆଶାପୂର୍ଣ ନିର୍ନିମେଷ ଦୃଷ୍ଟିରେ ଅନେଇ ଥାଏ ଚଦରଟି ବିଛାଇ।ପୁଟୁଳିଟିଏ ତା ପାଖରେ ପଡ଼ିବ କି ସତରେ।କିନ୍ତୁ ତା ପାଖରେ ପୁଟୁଳି ପଡେ ନାହିଁ।ସେ ଚିତ୍କାର କରି ନାଲି ଚଦରଟିକୁ ହଲାଇ ହଲାଇ ଥକି ପଡେ।ରାତି ଘନେଇ ଆସେ।ଅବଶ ହାତ ଦୁଇଟି ତାର ଜଡେଇ ଧରେ ଟୁନୁକୁ।ନାଲି ଚଦରଟି ନିଜ ଉପରକୁ ଟାଣି ଆଣୁ ଆଣୁ କ୍ଷୁଧା ତୃଷା ରେ ଆତୁର କ୍ଷୁଦ୍ର ଶରୀର ଟି ନିଶ୍ଚଳ ହୋଇ ଯାଏ।ସ୍ୱପ୍ନ ମାନେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଖିରେ ପହଁରୁଥାନ୍ତି।ସେ ଡାକ୍ତର ହୋଇଛି।ଟୁନୁ ସୈନିକ ର ପୋଷାକ ପିନ୍ଧି ଓ ବନ୍ଧୁକ ଧରି ସଲାମ ମୁଦ୍ରା ରେ ଠିଆ ହୋଇଛି।

***********

ଜାନୁଆରୀ ୨୬।ବୀର ବାଳିକା ଝୁନା ପୁରସ୍କୃତା ହୋଇଛି ରାଷ୍ଟ୍ରପତି ଙ୍କ ଦ୍ୱାରା।ଝୁନା କୁ ନେଇ ସୁସଜ୍ଜିତ ପୋଲିସ ଜୀପ୍ ଚାଲିଥାଏ ରାଜପଥରେ ମନ୍ଥର ଗତିରେ ଇଣ୍ଡିଆ ଗେଟ ଦିଗକୁ।ଝୁନାର ସ୍ୱପ୍ନ ମାନେ ମଧ୍ୟ ବୋଧେ ଦୃତ ଗତିରେ ଧାଉଁଥାନ୍ତି ବାସ୍ତବତାର ଦ୍ୱାର ଦେଶକୁ।

ଆରତୀ ସାହୁ (ଆଶା)

ରିଲିଫ ଆର୍ଦ୍ର ଉଚ୍ଚ ସ୍ଥାନ

Rate the content


Originality
Flow
Language
Cover design

Comments

Post

Some text some message..