ଆକବର ବିରବଲ - ୧୦
ଆକବର ବିରବଲ - ୧୦
ଈଶ୍ୱର ଏକ
ଦିନେ ଆକବରଙ୍କ ଦରବାରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥାଏ । ଆକବର ବିରବଲଙ୍କୁ ପଚାରିଲେ, ‘ମୁଁ ତ’ ହେଉଛି ଏକ ମୁସଲ୍ମାନ । ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରେ । ତୁମେ ଜଣେ ହିନ୍ଦୁ ହୋଇଥିବାରୁ ତୁମ ଧର୍ମ ଅନୁସାରେ ଦେବା ଦେବୀଙ୍କୁ ଉପାସନା କର । ସେହିପରି ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କୁ ଉପାସନା କରିଥାଆନ୍ତି । କିନ୍ତୁ ହିନ୍ଦୁମାନଙ୍କର କାହିଁକି ଅନେକ ଦେବା ଦେବୀ ଅଛନ୍ତି?” ଆକବରଙ୍କ କଥା ଶୁଣି ବିରବଲ କହିଲେ – “ମହାରାଜ! ଈଶ୍ୱର ହେଉଛନ୍ତି ଏକ କେବଳ ସେମାନଙ୍କର ନାମ ଅଲଗା ଅଲଗା ।” ଆକବର କିନ୍ତୁ ବିରବଲଙ୍କ କଥାରେ ଏକମତ ହେଲେ ନାହିଁ ।
ଏହାପରେ ବିରବଲ ପାଖରେ ଠିଆହୋଇଥିବା ଜଣେ କର୍ମଚାରୀଙ୍କୁ କହିଲେ, “ତୁମେ ତୁମର ମୁଣ୍ଡରେ କଣ ପିନ୍ଧିଛ? କର୍ମଚାରୀ ଜଣକ କହିଲା, ‘ମୁଁ ଏକ ପଗଡି ବାନ୍ଧିଛି?’ ବିରବଲ କହିଲେ ସେହି ପଗଡିକୁ ଖୋଲିଦେଇ ଯଦି ଆମେ ଅଂଟାରେ ବାନ୍ଧିଦେବା ତା’ହେଲେ ତାହାଏକ ଗାମୁଛାର କାମ ଦେବ । ତାକୁ ଯଦି ଆମେ ଅଂଟାରୁ ଖୋଲିଦେଇ ପିନ୍ଧିଦେବା ତା’ହେଲେ ତାକୁ ଆମେ ଧୋତି କହିବା । ମହାରାଜ! ପଗଡି, ଗାମୁଛା ଏବଂ ଧୋତି ସେହି ଏକା କପଡାରୁ ସୃଷ୍ଟି ହେଲା । ଗୋଟିଏ ଜିନିଷ ତାକୁ ଆମେ ଭିନ୍ନ ଭିନ୍ନ ରୂପରେ ପରିଧାନ କରୁଛୁ, ଓ ତା’ର ଭିନ୍ନ ଭିନ୍ନ ନାମକରଣ କରିଛୁ ।
ସେହିପରି ଜଳ ପ୍ରଥମେ ବାଷ୍ପୀଭୂତ ହୋଇ ମେଘଖଣ୍ଡରେ ପରିଣତ ହୁଏ । ତାହାକୁ ଆମେ ବାଦଲ କହିଥାଉ । ଏହା ଯେତେ ବେଳେ ପୃଥିବୀ ପୃଷ୍ଠରେ ବର୍ଷିଯାଏ ତାହାକୁ ଆମେ ବର୍ଷା କହିଥାଉ । ବର୍ଷା ପାଣି ବୋହିଗଲେ ତାହା ନାଳ, ପୋଖରୀ, ନଦୀ ଇତ୍ୟାଦି ବିଭିନ୍ନ ନାମରେ ନାମିତ ହୋଇଥାଏ । ଯେତେବେଳେ ଏହି ଜଳ ଘନୀଭୂତ ହୁଏ ତାହା ବରଫରେ ପରିଣତ ହୋଇଥାଏ । ତେଣୁ ଏଠାରେ ଜଳ ହେଉଛି ଗୋଟିଏ ଉପାଦାନ । ବାଦଲ, ବର୍ଷା, ନଦୀ, ବରଫ ସବୁ ସେଇ ଜଳକୁ ନେଇ ସୃଷ୍ଟି ହୋଇଥାଏ । ତେଣୁ ଭଗବାନ ଏକ । ବିଭିନ୍ନ ବ୍ୟକ୍ତି ତାଙ୍କୁ ବିଭିନ୍ନ ନାମରେ ଆରାଧନା କରିଥାଆନ୍ତି ।
ଆକବରଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବିରବଲ ପୁଣିଥରେ ଆକବରଙ୍କ ହୃଦୟ ଜୟ କରିପାରିଥିଲେ ।