Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଘର ବାହୁଡା
ଘର ବାହୁଡା
★★★★★

© Kamala Satpathy

Tragedy

18 Minutes   21.3K    25


Content Ranking

ଆଜି ମୋ ପାଇଁ ପୃଥିବୀଟା ପାଲଟି ଯାଇଥିଲା ନୀରବ, ନିଥର, ଭାବହୀନ କିଛି ଶବ୍ଦର ସମାବେଶ । ସବୁକିଛି ଶେଷ ହେଇଯାଇଥିଲା ଜୀବନରୁ । ବୃତ୍ତର ଯେଉଁ ବିନ୍ଦୁରୁ ଜୀବନ ଆରମ୍ଭ ହେଇଥିଲା, ବୁଲି ବୁଲି ଆଜି ସେଇଠି ପୁଣି ପହଞ୍ଚି ଯାଇଥିଲା । ଏହାପରେ ଆଉ କ’ଣ ??

ବିରାଟ ପ୍ରଶ୍ନବାଚୀ ସବୁ ମୁଣ୍ଡ ଉଠେଇ ମୋ ଆଡକୁ ଧାଇଁ ଆସୁଥିଲେ । ଆଖି ବୁଜିଦେଲି ମୁଁ । ତଥାପି ସେଥିରୁ ନିସ୍ତାର ପାଇଲି ନାହିଁ ।

ସେପଟ ଘରୁ ଭାସି ଆସୁଥିବା ଯୁକ୍ତିତର୍କ ମୋର ଭବିଷ୍ୟତକୁ ସୁଧାରିବାର ପ୍ରୟାସରେ ବର୍ତ୍ତମାନକୁ ଧ୍ୱସ୍ତ କରି ଚାଲିଥିଲା । ଆଜି ମୋର ଭାଗ୍ୟ ନିର୍ଦ୍ଧାରଣ ହେବ । ମୋର ଭାଗ୍ୟ - କିନ୍ତୁ ମୋ ବିନା ଅନୁମତିରେ .. ବିନା ସହମତିରେ !

ଝରକା ସେପଟକୁ ଚାହିଁଲି । ଆମ୍ୱଗଛରେ ନୂଆକରି ଏ ବର୍ଷ ବଉଳ ହେଇଛି । ମୁଁ ଏ ଘରକୁ ଆସିବାର ପ୍ରଥମ ବର୍ଷ ବୋଉର ମୋର ଏ ଗଛ ପୋତିଥିଲୁ । ତା’ ମୂଳରେ ପାଣି ଢାଳିଲା ବେଳେ ବୋଉ କହିଥିଲା, “ଏ ଆମ୍ୱଗଛକୁ ଯେବେ ଯେବେ ଦେଖିବୁ, ତା’ ଫଳ ଖାଇବୁ, ମତେ ମନେ ପକେଇବୁ । .. କିଏ ଜାଣେ ସେତେବେଳେ ମୁଁ ଥିବି କି ନାହିଁ !”

ସତରେ, ବୋଉ କ’ଣ ଜାଣି ସାରିଥିଲା ଏତେ ଶୀଘ୍ର ସେ ଚାଲିଯିବ ବୋଲି ! ଗତ ବର୍ଷ ପର୍ଯ୍ୟନ୍ତ ସେ କହି ହେଉଥିଲା, “କେମିତିଆ ଗଛଟା କେଜାଣି ! ଖାଇ ପିଇ ଏତେ ବଡ ହେଲାଣି .. ହେଲେ କଷିଟିଏ ଧରିବାର ନାଁ ଧରୁନାହିଁ !”

ଏ ବର୍ଷ ଏଥିରେ କଷି ଧରିଛି, କିନ୍ତୁ ତାକୁ ଦେଖିବାକୁ ବୋଉ ଆଉ ନାହିଁ ।

ଆଖି ମୋର ଜକେଇ ଆସିଲା । ବୋଉ ବିନା ସବୁକିଛି ମତେ ଶୁନଶାନ୍ ଲାଗୁଥିଲା । ସେଇ ଶୂନ୍ୟ ପରିବେଶ ଆଡକୁ ଚାହିଁ ମୁଁ ସ୍ୱଗତୋକ୍ତି କଲି – “ବୋଉ ତୁ କୋଉଠି ? ମତେ ଛାଡି ଦଣ୍ଡେ ରହି ପାରିବୁନି ବୋଲି କହୁଥିଲୁ, ଏଇଲେ ପୁଣି ଏତେ ଦିନ ହେଲା କେମିତି ରହିଛୁ ? ମତେ କ’ଣ ସବୁବେଳେ ତୁ ମିଛ କହୁଥିଲୁ ? ମୋ ମନ ଭୁଲେଇବାକୁ, ନା ବାପାଙ୍କ ରାଗ ଦେଖି ଡରିଯାଏ ବୋଲି ମତେ ଖୁସି କରିବାକୁ ଏମିତି କହୁଥିଲୁ ? ବୋଉ ତୁ କୋଉଠି .. ! ଆଜି ବି ବାପା ରାଗିଛନ୍ତି .. । ମାମୁଁଙ୍କ ସହିତ ସକାଳ ପହରୁ ଯୁକ୍ତିତର୍କ କରୁଛନ୍ତି । ଏହା ପରେ ନିଶ୍ଚୟ ମୋ ପାଳି ପଡିବ । ମତେ ହିଁ ସମସ୍ତେ ମିଳିମିଶି ଗାଳି କରିବେ ଏଇଲେ । ତୁ ନାହୁଁ .. ମତେ ଆଉ କିଏ ରକ୍ଷା କରିବ ବୋଉ ..? ତୁ କାହିଁକି ଚାଲିଗଲୁ ଯେ ! ତୁ ବି କ’ଣ ମୋ ଉପରେ ରାଗି ଯାଇଥିଲୁ ? ତୁ କ’ଣ ଆଉ ସତରେ କେବେ ବି ଫେରିବୁନି ? ତୋ’ ଧନମାଳି ଏକା ଏକା ସମସ୍ତଙ୍କ ଗାଳି ଏମିତି ଶୁଣୁଥିବ ?”

ଅମାନିଆ ଲୁହଧାର ସବୁ ଆଖିରୁ ବାହାରି ଆସିଲେ । ସେପଟ ଘରୁ ମାମୁଁଙ୍କ ପାଟି ଜୋରରେ ଶୁଭୁଥିଲା – “ଏମିତି କେମିତି ଛାଡି ଦେଇଯିବି ? ତୁମର କିଛି ଠିକ୍ ଠିକଣା ନାହିଁ ! ଏମିତି ବି ପିଲାଟାକୁ ପ୍ରଥମରୁ ଘୃଣା କରି ଆସିଛ । ଖାଲି ସରୋଜାର ମୁହଁକୁ ଚାହିଁ ସବୁ ସହିଯିବା କଥା .. ନଚେତ୍ ତୁମ ଭଳି କଂସେଇ ହାତରେ କିଏ କ’ଣ ନିଜ ପିଲାକୁ ଦିଏ ?”

ବାପାଙ୍କର ପ୍ରତିବାଦ ଭରା ରୁକ୍ଷ, କିନ୍ତୁ ଦୃଢ ସ୍ୱର ଶୁଭିଲା, “ତୁମେ କ’ଣ କହିବାକୁ ଚାହୁଁଛ, ମୁଁ ଜାଣିଛି । ସେ ବିଷୟରେ ତୁମ ସଙ୍ଗେ ବିଶେଷ ଆଲୋଚନା କରିବାକୁ ଏବେ ଚାହୁଁନି । ମୁଁ ଯେ ଶଙ୍କରକୁ ଭଲ ପାଇ ତାକୁ ଛାଡିବାକୁ ଚାହୁଁଛି, ସେକଥା ମୁଁ କହୁନି । କିନ୍ତୁ ପିଲାଟାର ମାନସିକ ସ୍ଥିତି ବିଷୟରେ ଆମେ ସମସ୍ତେ ବୁଝିବାକୁ ଚେଷ୍ଟା କରିବା କଥା କି ନାହିଁ ? ମା’ ମରିବାରର ପନ୍ଦରଟା ଦିନ ବି ବିତିନି .., ଏମିତି ବେଳେ ତାକୁ ଏ ଘରୁ ନେଇଗଲେ, ତା’ର ମାନସିକ ବିକୃତି ଘଟିବନି ? ଆଉ କିଛି ଦିନ ଯାଉ ! ମନଟା ଟିକିଏ ତା’ର ବୁଝିଗଲା ପରେ, ତାକୁ ନେଇଯିବ । କେହି ରୋକିବେନି ସେତେବେଳେ !”

“ଥାଉ, ଥାଉ, ଏତେ ତା’ ବିଷୟରେ ଚିନ୍ତା କରିବା ଦରକାର ନାହିଁ । ଆମ ପିଲା, ଆମେ ତା’ କଥା ବୁଝିବୁ । ଭଉଣୀ ମୁହଁକୁ ଚାହିଁ ଆମେ ତାକୁ ଟେକି ଦେଇଥିଲୁ । ଆଜି ଯେତେବେଳେ ଭଉଣୀ ରହିଲାନି, ଆଉ କ’ଣ ପାଇଁ ଏ ଅଲଣା ସ୍ନେହ ଶରଧା !”

ଶେଷ ବେଳକୁ ମାମୁଁଙ୍କ କଣ୍ଠ ରୁନ୍ଧି ହେଇ ଆସିଲା । ମୁଁ ଯେ ସେଇ ସବୁ ଯୁକ୍ତିତର୍କର ମୂଳ କାରଣ, ସେକଥା ମୁଁ ଜାଣୁଥିଲି । ସକାଳ ପହରୁ ସବୁ ଶୁଣୁଥିଲି, ସବୁ ବୁଝୁଥିଲି, କିନ୍ତୁ ଚୁପ୍ ରହିବାକୁ ବାଧ୍ୟ ଥିଲି । ଏଠି ମତେ କେହି କିଛି ପଚାରୁ ନାହାନ୍ତି, ମୁଁ କହିବି ବା କାହାକୁ ! ଏମିତି ବି ବୋଉ ଛଡା ମୋ କଥା ଆଉ କିଏ ଶୁଣିବାକୁ ଚାହିଁଛି କି କେବେ !

ଦରଜା ମେଲେଇ ନିଶବ୍ଦରେ ମୋ ରୁମ୍ ଭିତରକୁ ପଶି ଆସିଲେ ମାଇଁ । ଆଖିର ଲୁହ ଏପର୍ଯ୍ୟନ୍ତ ବି ଶୁଖି ନଥିଲା ତାଙ୍କର । ତାଙ୍କ ହାତରେ ଥିଲା ମୋର କିଛି ଲୁଗାପଟା ଆଉ ଗୋଟିଏ ବଡ ବ୍ୟାଗ୍ । ସେଥିରେ ବି କିଛି ଜିନିଷପତ୍ର ଭରିକି ସେ ଆଣିଥିଲେ । ତାଙ୍କର ସେ ପ୍ରକାରର ପ୍ରସ୍ତୁତି ଦେଖି ମୁଁ ବୁଝିଗଲି ଯେ ଏଠାରୁ ଏଥର ମୁଁ ନିଶ୍ଚୟ ଯାଉଛି । ଛାତି ଭିତରେ କିଛି ଗୋଟେ ଦଳି ଚକଟି ହେଇଗଲା ଯେମିତି । ବଡ କରୁଣ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁ ରହିଲି ମୁଁ ।

ମୋ ପାଖକୁ ଆସିଲେ ସେ । କିଛି କହିବାକୁ ଚାହୁଁଥିଲେ ବୋଧେ । କିନ୍ତୁ କ’ଣ ଭାବିଲେ କେଜାଣି, କିଛି ନକହି ମୋ ମୁଣ୍ଡକୁ ଖାଲି ଆଉଁସି ଦେଇ ଫେରିଗଲେ । ତାଙ୍କ ପରଶରେ ରହିଥିବା ଏକ ଅଜବ ଆତ୍ମୀୟତା ମତେ ଭାରି ଭଲ ଲାଗିଲା । ସକାଳ ପହରୁ ମନଟା ଖାଲି କହୁଥିଲା କାହାର କୋଳରେ ମୁଣ୍ଡ ଥୋଇ ଭେଁ ଭେଁ ହୋଇ କାନ୍ଦନ୍ତି । କିନ୍ତୁ ସେ କୋଳ ଏଇ ମାଇଁଙ୍କର ହେଉ ବୋଲି ମୁଁ ଚାହୁଁ ନଥିଲି । ତାଙ୍କ ମନରେ ମୋ ପ୍ରତି ଭଲ ପାଇବା ଥିଲା । ମତେ ବି ସେ ଭଲ ଲାଗୁଥିଲେ । ହେଲେ ତାଙ୍କ ଉପସ୍ଥିତିକୁ ବେଶି ସମୟ ପର୍ଯ୍ୟନ୍ତ ସହ୍ୟ କରିପାରୁ ନଥିଲି ମୋ ଆଖପାଖରେ । କେଜାଣି କାହିଁକି ମନରେ ବିତୃଷ୍ଣା ଭରି ଯାଉଥିଲା ।

ତାଙ୍କ ଆଡୁ ମୁହଁ ଫେରେଇ ନେଲି ମୁଁ । ଚୁପଚାପ୍ ଫେରି ଯାଉଥିଲେ ସେ । ମୁଣ୍ଡ ଉଠେଇ ଆଉ ଥରେ ଚାହିଁଲି । ଇଏ କୁଆଡେ ପ୍ରକୃତରେ ମୋର ବୋଉ । ମାଇଁ ନୁହେଁ । ଦୀର୍ଘ ବର୍ଷରୁ ମୁଁ କିନ୍ତୁ ତାଙ୍କୁ ମାଇଁ ବୋଲି ଡାକି ଆସିଛି । ଯେପର୍ଯ୍ୟନ୍ତ ଏ ଘରକୁ ଆସିନଥିଲି, ସେପର୍ଯ୍ୟନ୍ତ ମୁଁ କୁଆଡେ ତାଙ୍କୁ ବୋଉ ବୋଲି ଡାକୁଥିଲି ।

ଏ କେବଳ ମୋର ଶୁଣିବା କଥା । ସେପରି କିଛି ବି ଘଟଣା କାହିଁ ମୋର କେବେ ମନେ ପଡୁନଥିଲା । ଏ ଘରକୁ ଆସିଗଲା ପରେ ସେଇ ବୋଉ ହେଇଗଲେ ମୋର ମାଇଁ । ଏବେ ପୁଣି ତାଙ୍କୁ ମୁଁ ବୋଉ ବୋଲି ଡାକିବି ! କି ବିଚିତ୍ର ମୋ ଭାଗ୍ୟ !! ସଂପର୍କର ଏ ପ୍ରକାରର ପେଣ୍ଡୁଲମ୍ କୁ କିପରି ବହନ କରିବି ମୁଁ ! କେମିତି ଏତେ ସବୁ ଅନିଶ୍ଚିତତା ଭିତରେ ନିଜକୁ ସାମାନ୍ୟ ରଖିବି ?

ବୋଉ ସହିତ ବିତେଇଥିବା ଦୀର୍ଘ ଆଠ ବର୍ଷର ହସକାନ୍ଦ ଭରା ସ୍ମୃତି ମଧୁର ଦିନ ସବୁ ସ୍ପଷ୍ଟ ଭାବରେ ମନେ ପଡି ଯାଉଥିଲା । କିନ୍ତୁ ତା’ ଭିତରେ କିଛି ଅସ୍ପଷ୍ଟ, ଝାଲୁଝାଲୁଆ ଛବି ବି ଆଖି ଆଗରେ ନାଚି ଉଠୁଥିଲା । ସେ ଛବି ଗୁଡିକର ସଂପର୍କ କ’ଣ ମୋର ବିଗତ ଅତୀତ ସହିତ ଜଡିତ ? ଭଲ ଭାବରେ କିଛି ଦୃଶ୍ୟ ତ ହେଉନଥିଲା, ତଥାପି ମୁଁ କିଛି କିଛି ଅନୁମାନ କରି ପାରୁଥିଲି । ସେ ଛବିରେ ବି ମୁଁ ଦୋଳିରେ ଝୁଲୁଥିଲି, ପାଣିରେ ଖେଳୁଥିଲି, ଅଗଣାରେ ଦୌଡୁଥିଲି, କିନ୍ତୁ ତାହାର ପରିବେଶ ଆଜିର ପରିବେଶ ସହିତ ଖାପ୍ ଖାଉନଥିଲା । ମୋ ପଛେ ପଛେ ଘୂରି ବୁଲୁଥିବା ମମତାର ସୁଦୃଢ ହାତ ମୋ ଦିବଂଗତା ବୋଉର ନଥିଲା, ବରଂ ଥିଲା ଅନ୍ୟ କାହାର । ତା’ ଆଖିରେ ବି ଥିଲା ମୋ ପାଇଁ ସ୍ନେହ ଆଉ ମମତା । ଅସ୍ପଷ୍ଟ ହେଲେ ବି ସେ ଛବିକୁ ମୁଁ ଚିହ୍ନି ପାରୁଥିଲି । ସେ ଥିଲେ ମୋର ପ୍ରକୃତ ଜନ୍ମଦାତ୍ରୀ, ଯାହାଙ୍କୁ ଏବେ ମୁଁ ମାଇଁ ବୋଲି ଡାକୁଛି !

ଛିଣ୍ଡା ଛିଣ୍ଡା ହେଇ ମନେ ପଡିଯାଉଛି ବିଦାୟ ବେଳର ସେହି କରୁଣ ଦୃଶ୍ୟଟା, ଯେତେବେଳେ ଗୋଟିଏ ଲମ୍ୱା ଚଉଡା ଗାଡିରେ ମୁଁ ବସିଥିଲି ମୋ ପିଉସୀନାନୀଙ୍କ କୋଳରେ । ମଖମଲି ଶାଢୀର କଅଁଳ ପରଶ ମତେ କୁତୁକୁତୁ କରି ପକୋଉଥିଲା । ଏତେ ବଡ ବିଦେଶୀ ଗାଡିରେ ବସି ମୁଁ ନିଜକୁ ବଡ ଭାଗ୍ୟବାନ ମନେ କରୁଥିଲି । ମୋ ସାଙ୍ଗମାନେ ଝରକା ସେପଟେ ବଡ ସନ୍ତୃପ୍ତ ନୟନରେ ମତେ ଚାହିଁ ରହିଥିଲେ । ନିଶ୍ଚୟ ଈର୍ଷା କରୁଥିବେ । ତାଙ୍କ ଆଖିର ବିକଳତା, ଲୋଲୁପତାକୁ ଅନୁଭବ କରି ମୁଁ ଗର୍ବ ଅନୁଭବ କରୁଥିଲି । ଗାଡିର ଡିକି ଖୋଲି ଛୋଟ ଛୋଟ ଦୁଇଟା ବ୍ୟାଗ୍‌ କିଛି ଭଙ୍ଗାତୁଟା ଖେଳନା, ଆଉ ମୋ ଖାଇବା ଡବା ରଖାଗଲା । ମୁଁ କିଛି ବୁଝି ପାରୁନଥିଲି, ତଥାପି ଜାଣିଗଲି ଯେ ଗାଡିରେ ବସି ମୁଁ କୁଆଡେ ଦୂରକୁ ଯିବି ।

ଝରକା ବାହାରକୁ ଚାହିଁଲି । ମୋ ଜନ୍ମଦାତ୍ରୀ କବାଟ କଣରେ ମୁହଁ ଛୁପେଇ କାନ୍ଦୁଥିଲେ । ଜନ୍ମଦାତାଙ୍କ ଆଖି ଛଳଛଳ ହେଇଗଲା । ପିଇସୀନାନୀଙ୍କୁ ମୁଁ ଚାହିଁଲି ମୁଣ୍ଡ ଉଠେଇ । ସେ ମତେ ଆବଶ୍ୟକତା ଠାରୁ ଅଧିକ ଗେଲ କରୁଥିଲେ । ଭାରି ଅଣନିଶ୍ୱାସୀ ଲାଗୁଥିଲା ମତେ । ପ୍ରତିବାଦ କରିବାକୁ ଇଚ୍ଛା ହେଉଥିଲା, କିନ୍ତୁ କିଛି କହିବା ପୂର୍ବରୁ, ବୁଝିବା ପୂର୍ବରୁ ଗାଡି ଷ୍ଟାର୍ଟ ହେଇଗଲା । ଗାଁ ଦାଣ୍ଡର ଧୂଳିକୁ ପଛରେ ଉଡେଇ ଉଡେଇ ଆଗେଇ ଯାଇଥିଲା ଗାଡି ସହରର ରାଜରାସ୍ତାକୁ ମତେ ସାଙ୍ଗରେ ନେଇ । ମତେ ଭାରି କାନ୍ଦ ମାଡୁଥିଲା । ଚେଷ୍ଟା କରି ମଧ୍ୟ ନିଜକୁ ରୋକି ପାରିନଥିଲି । ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କରିଦେଇଥିଲି ।

ପିଉସୀ ନାନୀ ବହୁତ ପ୍ରକାରର ଚେଷ୍ଟା କରି ମତେ ଚୁପ୍ କରେଇଥିଲେ, କିନ୍ତୁ ମୋ ଭିତରର ଉଦାସ ଭାବଟା କମିବା ପରିବର୍ତ୍ତେ ବଢି ବଢି ଚାଲିଥିଲା । ମୋର ଖାଲି ମନେ ପଡିଯାଉଥିଲା ମୋ ସାଙ୍ଗସାଥୀ, ମାଟିପାଣିର ଖେଳ, ଆମ ଝାଟିମାଟିର ଘର, ତା’ର ଗୋବର ଲିପା ଅଗଣା .. ମୋ ଜନ୍ମଦାତ୍ରୀଙ୍କର କୋମଳ ସ୍ପର୍ଶ .. ଏମିତି ଏମିତି ସବୁକିଛି !

ମାତ୍ର ଛଅ ବର୍ଷର କଞ୍ଚାମାଟି ବୟସରେ ମୋର ରୂପାନ୍ତର ଘଟିଥିଲା । ସହରର ଆଭିଜାତ୍ୟପୂର୍ଣ୍ଣ ଜୀବନ, ଇଂରାଜୀ ସ୍କୁଲ୍ ର ଆବହାୱା, କେକ୍ ପେଷ୍ଟ୍ରିର ଜୀବନ ଭିତରେ ଧିରେ ଧିରେ ମୁଁ ଭୁଲିଗଲି ମୋର ପୁରୁଣା ଜୀବନକୁ । ଗାଁ ମତେ ଯେମିତି ଭଲ ଲାଗୁଥିଲା, ଏବେ ସହର ବି ସେମିତି ଭଲ ଲାଗିଲା । ମୋ ଜନ୍ମଦାତ୍ରୀ ମତେ ଯେତିକି ଭଲ ଲାଗୁଥିଲେ, ସହରର ବୋଉ ବି ସେତିକି ଭଲ ଲାଗିବାକୁ ଲାଗିଲେ ।

ବୋଉ ସହିତ ଜୀବନଟା ମୋର ବେଶ୍ ସ୍ମୃତି ମଧୁର ହେଇ ଉଠୁଥିଲା । ଜୀବନରେ ସୁଖ ସୁବିଧାର ଅଭାବ ଆଉ ନଥିଲା । ଭଲ ଖାଇବା ପିନ୍ଧିବା ବୁଲିବା ସହିତ କେତେ ନୂଆ ନୂଆ କଥା ମୁଁ ଶିଖି ଯାଇଥିଲି ଏବେ । ଚକଲେଟ୍ ବିସ୍କୁଟ ଖାଇ ଖାଇ ବିରକ୍ତ ହେଇ ଯାଉଥିଲି । ସେସବୁର ସ୍ୱାଦ ଏବେ ମତେ ଆଉ ପ୍ରଲୋଭିତ କରି ପାରୁନଥିଲା । ମୁଁ ଏବେ ଏକ ଅଲଗା ଦୁନିଆରେ ବିଚରଣ କରୁଥିଲି । .. କିନ୍ତୁ କେଜାଣି କାହିଁକି, ଏତେ ସୁଖ ସୁବିଧା ଭିତରେ ବି କେବେ କେବେ କାହର କରୁଣ ଚାହାଣୀକୁ ସ୍ୱପ୍ନରେ ଦେଖି ମୁଁ ଚମକି ପଡେ । ନିଦ ଭାଙ୍ଗିଯାଏ । ହେଲେ ଜମା ମନେ ପକେଇ ପାରେନା, କାହାର ସେହି କରୁଣ ଚାହାଣୀ !!

ଆଉ କେବେ ମୁଁ ସେ ଗାଁକୁ ଯାଇନି । ଗାଁ କଥା ସ୍ମୃତିପଟରୁ ସଂପୂର୍ଣ୍ଣ ଲିଭି ଯାଇଥିଲା । ମଝିରେ ମଝିରେ ଗାଁରୁ ଆସୁଥିବା ଦମ୍ପତ୍ତି, ଯାହାଙ୍କୁ ମାମୁଁ ମାଇଁ କହି ବୋଉ ଚିହ୍ନେଇ ଦିଏ ଆଉ ମୁଣ୍ଡିଆ ମାରିବାକୁ କୁହେ, ଦେଖିଲେ ମୋ ମନଟା କେମିତି କେମିତି ହେଇଯାଏ । କୋଉଠି ଦେଖିଲା ପରି .. ନିହାତି ଚିହ୍ନିଲା ପରି ପ୍ରତୀତ ହୁଅନ୍ତି ସେମାନେ, କିନ୍ତୁ ଆଦୌ ମନେ ପକୋଇ ପାରେନା ।

ସହରର ଚକମକ୍ ଜୀବନ ଭିତରେ ସବୁକିଛି ମୁଁ ପାଇଲି ସତ, ହେଲେ ବାପାଙ୍କ ସ୍ନେହମମତା ପାଇବାରୁ ବଞ୍ଚିତ ଥିଲି । ମତେ ପାଖରେ ଦେଖିଲା ମାତ୍ରେ ଚିଡିଚିଡି ହେଉଥିଲେ ସେ । ସାମାନ୍ୟ ଭୁଲ୍ ପାଇଁ ପାଟି କରି ଉଠୁଥିଲେ । କଥାରେ କଥାରେ ବୋଉକୁ ବିରକ୍ତ ହେଉଥିଲେ । ତାଙ୍କ ବିରକ୍ତିର କାରଣକୁ ଖୋଜି ନପାଇଲେ ବି ମୁଁ ଜାଣିପାରେ ସେ ମତେ ଦେଖି ଖୁସି ହେଉନାହାନ୍ତି । ସେ ବିଷୟରେ କେବେ କେମିତି ବୋଉକୁ ପଚାରିଲେ, ସେ ମତେ କୋଳେଇ ନେଇ ଅଧିକା ଗେହ୍ଲା କରି କୁହେ, “କିଏ ଖୁସି ହେଉ କି ନହେଉ, ମୋ ପାଇଁ ତୁ ହେଉଛୁ ଖୁସିର ଗନ୍ତାଘର । ତୋ’ ବିନା ମୁଁ ବଞ୍ଚି ପାରିବିନି । ବାପା ତତେ ପ୍ରକୃତରେ ଭଲ ପାଆନ୍ତି, କିନ୍ତୁ ମୁହଁରେ କହିବା ତାଙ୍କୁ ଜଣାନାହିଁ । ଦେଖିବୁ ଦିନ ଆସିବ, ତତେ ଛାଡି ସେ ବି ମୁହୂର୍ତ୍ତେ ରହି ପାରିବେନି ।“

ବୋଉର ଆଶ୍ୱାସନାରେ ମୋ ମନ ଖୁସିରେ ନାଚିଉଠେ । ସେହି ସୁଦିନର ପ୍ରତିକ୍ଷାରେ ରାତିରେ ମୋ ଆଖିକୁ ନିଦ ଆସେନା । ବାପାଙ୍କୁ ମୁଁ ଖୁବ୍ ଭଲ ପାଏ । କିନ୍ତୁ ତାଙ୍କ ରାଗକୁ ମୁଁ ଭାରି ଭୟ କରେ । ତେଣୁ ଇଚ୍ଛା ଥିଲେ ବି ତାଙ୍କ ପାଖକୁ ଯିବାର ସାହାସ ମୁଁ କେବେ କରିପାରେନା । ବୋଉ ସେସବୁ ବିଷୟରେ ଭାବିବାର ଫୁରସତ କୋଉ ଦିଏ କି !

ଆଜି ସେ ଚାଲିଗଲା ପରେ ଏକା ଏକୁଟିଆ ବସି ମୁଁ ସେଇ ସେଇ କଥା ସବୁକୁ ମନେ ପକୋଉଛି । ଦିନୁକାକା କହିଲେ – ବୋଉ ମୋର ଆଉ ନାହିଁ !

ନାହିଁ ମାନେ କ’ଣ ? ଏବେ ସିନା ନାହିଁ, ହେଲେ ପରେ ଆସିବ ତ ! ଚଳିବ !

କିନ୍ତୁ ନା, ତାଙ୍କ କହିବାର ଉଦ୍ଦେଶ୍ୟ କିଛି ଅଲଗା ଥିଲା, ଯାହାକୁ ପ୍ରଥମେ ମୁଁ ଜମା ବୁଝି ନଥିଲି । ଗଲା କେତେ ଦିନରୁ ବୋଉର ଦେହ ଜମାରୁ ଭଲ ରହୁନଥିଲା । ଭୀଷଣ କଷ୍ଟ ହେଉଥିବାରୁ ବାପା ତାକୁ ଡାକ୍ତର ପାଖକୁ ନେଇ ଯାଇଥିଲେ । ମୁଁ ବି ସାଙ୍ଗରେ ଯାଇଥିଲି ।

ସେ ଡାକ୍ତର କ’ଣ ଦେଖିଲା କେଜାଣି .. ସାଙ୍ଗେ ସାଙ୍ଗେ ବୋଉକୁ ହସପିଟାଲ୍ ରେ ଆଡମିଟ୍ କରିଦେଲା । ଔଷଧ, ଇଂଜେକସନ୍‌ ସାଲାଇନ୍ ରେ ବୋଉ ପୋତି ହେଇଗଲା । ସେଦିନ ବାପାଙ୍କ ଆଖିରେ ପ୍ରଥମ ଥର ପାଇଁ ମୁଁ ଲୁହ ଦେଖିଲି । ସେହି ଲୁହ ହି କହି ଦେଉଥିଲା ଆଗାମୀ ଦିନରେ ଘଟିବାକୁ ଯାଉଥିବା ଏଇ ଦୁଃଖଦ ଘଟଣାଟିକୁ .. ତଥାପି ମୁଁ ଜାଣି ପାରିନଥିଲି ।

ଖୁବ୍ ଶୀଘ୍ର ଆମକୁ ଛାଡି ସବୁଦିନ ପାଇଁ ବୋଉ କୁଆଡେ ଚାଲିଗଲା । ଶେଷ ସମୟରେ ମୁଁ ତା’ ପାଖରେ ନଥିଲି । ତେଣୁ ସେ କୁଆଡେ ଗଲା, କେମିତି ଗଲା, କିଛି ଜାଣିବାକୁ ପାଇଲିନି । କେବଳ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରବୋଧନା ଶୁଣି ଶୁଣି ଅତିଷ୍ଠ ହେଇପଡିଲି । ଭାରି ବିରକ୍ତ ଲାଗୁଥିଲା ସେମାନଙ୍କର ସେପରିକା କଥା ଶୁଣି ଶୁଣି । ଇଚ୍ଛା ହେଉଥିଲା ସେ ସମସ୍ତଙ୍କୁ ଧରି ପିଟି ପକାନ୍ତି । କିନ୍ତୁ ଅବକାଶ ନଥିଲା ।

ବୋଉ ଚାଲିଯିବାର ଖବର ପାଇ ଗାଁରୁ ମାମୁଁ ମାଇଁ ନିଜର ଦୁଇ ପୁଅଙ୍କୁ ସାଙ୍ଗରେ ଧରି ଦଉଡି ଆସିଥିଲେ । ବୋଉର ଅନୁପସ୍ଥିତିରେ ସେମାନଙ୍କୁ ଆମ ଘରେ ଦେଖି ମତେ ବଡ ବିରକ୍ତ ଲାଗୁଥିଲା । ତାଙ୍କର ଚାଲିଚଳଣ, କଥାବାର୍ତ୍ତା, ଦୁଷ୍ଟାମୀ, ପ୍ରଥମରୁ ମୁଁ କିଛି ସହ୍ୟ କରି ପାରେନାହିଁ । ଏବେ ତ ସହଜେ ମନଟା ଖରାପ ଅଛି, ଆଉ ଠିକ୍ ଏତିକିବେଳେ ଆମ ଘରର ସବୁ ଜିନିଷରେ ସେମାନଙ୍କର ହାତ ମରାମରି କରିବା, ଭଙ୍ଗାରୁଜା କରିବା, ମୁଁ ବରଦାସ୍ତ କରିପାରୁନଥିଲି । ବୋଉର ଯୋଉ ସବୁ ଜିନିଷରେ ହାତ ମାରିବାକୁ ଆଜି ଯାଏଁ ମୁଁ ବି ସାହାସ କରି ପାରିନାହିଁ, ସେମାନେ ତାକୁ ନଷ୍ଟଭ୍ରଷ୍ଟ କରୁଥିବାର ଦେଖି ଆଉ ଚୁପ୍ ରହିପାରିଲିନି ମୁଁ । ସକାଳ ପହରୁ କେତେ ଥର ମନା କରିସାରିଲିଣି ମୁଁ । ତଥାପି ସେମାନେ ନମାନିବାରୁ ମୁଁ ବାଡିଟେ ଉଠେଇ ଆଣି ସେଥିରେ ପିଟିବା ଆରମ୍ଭ କରିଦେଲି ।

ସେମାନଙ୍କ ପାଟିରେ ବାପା ଦଉଡି ଆସି ମତେ ରୋକିଦେଲେ, ନହେଲେ ମୁଁ ଆଜି ସେମାନଙ୍କ ପ୍ରାଣ ନେଇଯାଇଥାନ୍ତି ! 

ବାପାଙ୍କୁ ପାଖରେ ଦେଖି ମୁଁ ଡରିଗଲି । କିନ୍ତୁ ଆଶ୍ଚର୍ଯ୍ୟର କଥା, ବାପା ମତେ ପଦେ ବି କିଛି କହିନଥିଲେ । ମନେ ପକେଇଲି ବୋଉ ହସପିଟାଲ୍ ଗଲା ପର ଠାରୁ ବାପା ମତେ ଥରେ ବି ଗାଳି ଦେଇନଥିଲେ କି ଚିଡି ବି ନଥିଲେ । ବୋଉ ଯିବା ପରେ ଏବେ ବହୁତ ଗୁମସୁମ୍ ହେଇଯାଇଛନ୍ତି ସେ । ଅନେକ ସମୟରେ ଅନ୍ଧାରରେ ବସି ବସି କାନ୍ଦୁଥିବାର ବି ମୁଁ ଦେଖିଛି । ଖେଳୁ ଖେଳୁ କେବେ କେମିତି ହାତଗୋଡରେ ବାଜିଗଲେ ମୁଁ ଯେତେବେଳେ କାନ୍ଦେ, ବୋଉ ସବୁବବେଳେ ମତେ କହେ, “ପୁଅପିଲାଟେ ହେଇ କାନ୍ଦୁଛୁ କ’ଣ ? ପୁରୁଷମାନଙ୍କ ଆଖିରେ ଲୁହ ଶୋଭା ପାଏନି ।“ ‘ହେଲେ ବାପା କାହିଁକି କାନ୍ଦୁଛନ୍ତି ??

ମାମୁଁ ମାଇଁ ତଥା ଘରର ଅନ୍ୟମାନେ ବି କାନ୍ଦୁଥିଲେ । କିନ୍ତୁ ବାପାଙ୍କ କାନ୍ଦ ଠାରୁ ସେମାନଙ୍କ କାନ୍ଦ ଭିନ୍ନ ଥିଲା । ମାଇଁ ପ୍ରତି ମୁହୂର୍ତ୍ତରେ ମୋ ପାଖକୁ କିଛି ନା କିଛି ବାହାନା କରି ଚାଲି ଆସୁଥିଲେ ।. ମୁହଁ ଖୋଲି କିଛି କହୁନଥିଲେ ସତ, କିନ୍ତୁ ମତେ ଦେଖୁ ଦେଖୁ ତାଙ୍କ ଆଖିରେ ଲୁହ ଭରି ଯାଉଥିଲା । ବୋଉ ଚାଲିଗଲା ପରେ ଯେବେ ଯେବେ ତାଙ୍କୁ ମାଇଁ ଡାକିଛି, ସେବେ ସେବେ ମତେ ଆକଟ କରି କହିଛନ୍ତି, “ଆଉ ମାଇଁ ନୁହେଁ … ମତେ ଏଥର ବୋଉ ଡାକିବୁ ।”

ସ୍ତବ୍ଧ ରହି ଯାଇଥିଲି ପ୍ରଥମେ ତାଙ୍କର ଏମିତିଆ କଥାକୁ ଶୁଣି । ଏ କି ଅଡୁଆ କଥା ! ମାଇଁ ତ ମାଇଁ, ତାଙ୍କୁ ବୋଉ ଡାକିବି କେମିତି ଆଉ କାହିଁକି ! ମୋର ଅନ୍ୟ କେତେ ସାଙ୍ଗଙ୍କର ବୋଉ ବି ୟା’ ଆଗରୁ ମରିଛନ୍ତି, କାହିଁ ସେମାନେ ତ ତାଙ୍କ ମାଇଁଙ୍କୁ ବୋଉ ଡାକୁନାହାନ୍ତି ? ତେବେ ମୁଁ କାହିଁକି ? ଶୁଣି ସେ କହିଲେ, “ଦିନେ ବୋଉକୁ ତ ପୁଣି ମାଇଁ ଡାକିଥିଲୁ ! ଆଜି ପୁଣି ଥରେ ବୋଉ ଡାକିଲେ କାହିଁକି ଅସୁବିଧା ହେବ ?”

ମୋ ମୁଣ୍ଡଟା ପୂରା ଗୋଳମାଳିଆ ହେଇଗଲା । ଏ ସଂସାରରେ କିଏ ମୋର କ’ଣ, କିଛି ହିସାବ ମୋ ପାଖରେ ନଥିଲା । କାହାକୁ ଏ ବିଷୟରେ ପଚରା ଯାଇପାରିବ ? କାହାକୁ ବି ନୁହେଁ । ଯାହାକୁ ପଚାରି ପାରିଥାନ୍ତି, ସେ ଫଟ ହେଇ କାନ୍ଥରେ ଟଙ୍ଗା ହେଇଗଲାଣି । ଅଗରବତୀର ଧୁଆଁ, ଚନ୍ଦନ ସିନ୍ଦୂର ଆଉ ଫୁଲମାଳ ଲଗେଇ ବୋଉ ଫଟରେ ବି ଜୀବନ୍ତ ଲାଗୁଛି । ଏଇ ବୋଧେ ଫଟରୁ ବାହାରି ଆସିବ .. ହସି ହସି ମତେ କୋଳରେ ବସେଇ ଗେଲ କରି ପକେଇବ .. ଯାହା କିଛି ଲୁଚେଇ ରଖିଥିବ, ହଠାତ୍ ହାତରେ ଧରେଇ ଦେଇ ମତେ ଚମକେଇ ଦେବ !

କିନ୍ତୁ ନା, ସେପରି କିଛି ବି ହେବନି । ବୋଉ ଆଉ ବୋଉ ହେଇକି ନାହିଁ । ସେ ଏଇଲେ ଫ୍ରେମ୍ ଭିତରେ ବନ୍ଧା ହୋଇକି ରହିଥିବା କେବଳ ଏକ ଫଟୋ ! ଉଦାସ ଆଖିରୁ ମୋର ଠୋପା ଠୋପା ଲୁହ ବହି ଆସିଲା । ବୋଉ ବିନା ମୋ ଜୀବନ ଆଉ ଜୀବନଟେ ପରି ଲାଗୁନଥିଲା । ମୁଁ ବୃନ୍ତଚ୍ୟୁତ ହେଇଯାଇଥିଲି ।

ମୋର କିଛି ବହିଖାତା ଆଉ ପେନସିଲ୍ ବାକସକୁ ହାତରେ ଧରି ମୋ ରୁମ୍ ଭିତରକୁ ପଶିଆସିଲେ ମାଇଁ । ଯଦିଓ ମାଇଁ ମତେ ପ୍ରଥମରୁ ଭଲ ଲାଗନ୍ତି, ଏବେ କିନ୍ତୁ ମୁଁ ତାଙ୍କୁ ଆଦୌ ଭଲ ପାଇ ପାରୁନଥିଲି । ବୋଉର ସ୍ଥାନ ନେବାକୁ ଚାହୁଁଥିବା ତାଙ୍କ ମନକୁ ଜାଣିଲା ପରେ ମତେ ସେ ବଡ ଭୟଙ୍କର ଲାଗୁଥିଲେ । ତାଙ୍କୁ ଆଖପାଖରୁ ଦୂରେଇ ଯିବାକୁ ମନ ସବୁବେଳେ କହୁଥିଲା । ଜମାରୁ ଭଲ ଲାଗୁନାହିଁ ତାଙ୍କ ଆଦର ସୋହାଗ .. ତାଙ୍କ କଥାବାର୍ତ୍ତା .. ସବୁଥିରେ କୃତ୍ରିମତା ଭରି ରହିଛି । ହେଲେ ମୋର ବିବଶତା ଏଇଆ ଥିଲା ଯେ ତାଙ୍କୁ କଷ୍ଟ ଦେଲା ଭଳି କିଛି କଥା ମୁଁ ତାଙ୍କୁ କହିପାରୁ ନଥିଲି ।

ମୋର ସବୁ ବହିଖାତାକୁ ଗୋଟିଏ ବଡ ବ୍ୟାଗ୍ ରେ ସେ ଭରୁଥିବାର ଦେଖି ମୁଁ ପାଟିକରି ଉଠିଲି, “ସେଗୁଡା କାହିଁକି ଭରୁଛ ସେଥିରେ ? କାଲି ସ୍କୁଲ୍ କେମିତି ଯିବି ମୁଁ ? ମୋର ସବୁ ଜିନିଷରେ ତୁମେ ଏତେ ହାତ ମାରୁଛ କାହିଁକି ?”

ମତେ ସତରେ ଭାରି ବିରକ୍ତ ଲାଗୁଥିଲା । ଯେଉଁଦିନ ଠାରୁ ଆସିଲେଣି, ମତେ ନିଶ୍ଚିନ୍ତରେ ଘଡିଏ ବସେଇ ବି ଦେଉନାହାନ୍ତି କି ଶାନ୍ତିରେ ରହିବାକୁ ଦେଉନାହାନ୍ତି ! ମନ କହୁଥିଲା ବାପାଙ୍କୁ କହି ଯଥାଶୀଘ୍ର ସେମାନଙ୍କୁ ଗାଁକୁ ପଠେଇ ଦେବାକୁ । କିନ୍ତୁ ବାପାଙ୍କ ସାମନାକୁ କେମିତି ଯିବି ? ତାଙ୍କ ଆଗରେ ପାଟି କୋଉ ଖୋଲିବ ମୋର ! ସେ କ’ଣ କେବେ ମୋ କଥା ଶୁଣିଛନ୍ତି ଯେ ଆଜି ଶୁଣିବେ !

ମୋ ଅସନ୍ତୋଷକୁ ଧ୍ୟାନ ନଦେଇ ମାଇଁ ତାଙ୍କ କାମରେ ଲାଗିଥିଲେ । ତାଙ୍କ ହାତରୁ ବ୍ୟାଗ୍ ଛଡେଇ ନେବାକୁ ମୁଁ ନିଜକୁ ପ୍ରସ୍ତୁତ କରୁଥିଲା ବେଳେ ସେ କହିଲେ, “ଆଜି ଆମେ ଗାଁକୁ ଚାଲିଯିବୁ ଆଉ ତତେ ସାଙ୍ଗରେ ନେଇଯିବୁ । ତୋର ପ୍ରକୃତ ଘର ଗାଁରେ । ତୁ ହେଉଛୁ ବାସ୍ତବରେ ଆମରି ପୁଅ । ପିଲାଦିନରୁ ତତେ ଏମାନେ ନେଇ ଆସିଥିଲେ । କିନ୍ତୁ ତୋର ଘର ଯେତେବେଳେ ଏଇଟା ନୁହେଁ, ତୁ କାହିଁକି ସବୁଦିନେ ରହିବାକୁ ଯିବୁ ଏଠି ! ତୋର ପ୍ରକୃତ ବାପ ମା’ ଏମାନେ ନୁହେଁ, ଆମେ । ଆଜି ଠାରୁ ତେଣୁ ମତେ ମାଇଁ ନଡାକି ବବୋଉ ଡାକିବୁ ।”

“ନା, ନା, ମୁଁ କୁଆଡେ ଯିବି ନାହିଁ । ତୁମେ ମିଛ କହୁଛ । ତୁମେ ମୋର ବୋଉ ଜମାରୁ ନୁହଁ । ମୋ ବୋଉ ମତେ ଛାଡି ଚାଲିଯାଇଛି ବୋଲି ତୁମେ ଆଜି ବୋଉ ହେବାକୁ ଚେଷ୍ଟା କରୁଛ । ମୁଁ ତୁମକୁ କେବେ ବି ବୋଉ ଡାକିବିନି । ମୋ ବୋଉ ମତେ କେତେ ଭଲ ପାଏ ! ତାକୁ ଏଠି ଏକା ଛାଡି ମୁଁ କୁଆଡେ ଯିବିନି । ତୁମ ସାଙ୍ଗେ ତ ଆଦୌ ନୁହେଁ । ଚାଲିଯାଅ ତୁମେ ସବୁ । ମୁଁ ତୁମର କେହି ନୁହଁ । ଯାଅ .. ଚାଲିଯାଅ !”

ଚିତ୍କାର କରି କରି ମୁଁ କାନ୍ଦି ପକେଇଲି । ବୋଉ ସହିତ ମୋ ସଂପର୍କକୁ କେତେ ସହଜରେ କାଟିଦେବାକୁ ଏମାନେ ଚେଷ୍ଟା କରୁଛନ୍ତି ! ହେଲେ ମୁଁ ସେମିତି ହେବାକୁ କେବେ ବି ଦେବିନି । ବୋଉକୁ ଛାଡି କାହା ସାଙ୍ଗରେ ମୁଁ ଯିବିନି ।

କାନ୍ଥରେ ଟଙ୍ଗା ହେଇଥିବା ବୋଉର ଫଟ ପାଖକୁ ଦୌଡିଯାଇ ମୁଁ ତାକୁ କୁଣ୍ଢେଇ ଧରିଲି । ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା । ଡାକିଲି – ବୋଉ .. ବୋଉ .. ମତେ ଛାଡି ତୁ କାହିଁକି ଚାଲିଗଲୁ ! ଏମାନେ ସମସ୍ତେ ମିଶି ମତେ କେମିତି ହଇରାଣ କରୁଛନ୍ତି, ଦେଖୁଛୁ ତ ? ତୁ ଫେରିଆ ବୋଉ .. ତୁ ଫେରିଆ ! କାହିଁକି ମୋ ଉପରେ ରାଗିଛୁ ! ମତେ ଛାଡି କେବେ କୁଆଡେ ଯିବୁନାହିଁ ବୋଲି ତୁ କହୁଥିଲୁ, ଆଉ ଆଜି ତା’ହେଲେ କ’ଣ ହେଇଗଲା !

ପଛରୁ ମତେ କିଏ ଭିଡି ଭିଡି ନେଇ ଫଟରୁ ଅଲଗା କରିଦେଲା । “କି ନବରଙ୍ଗ ଲଗେଇଛି ପିଲାଟା ! ଶୀଘ୍ର ବାହାର .. ଗାଡି ଟାଇମ୍ ହେଇଗଲାଣି । ଯୋଉ କଥାକୁ ଥରେ କୁହାଗଲା, ତାକୁ ଶୁଣିବାକୁ ଚେଷ୍ଟା କର । ଏତେ କ’ଣ ଜିଦି ଗୋଟେ ..!”

ଏ କର୍କଶ ସ୍ୱର ଥିଲା ମାମୁଁଙ୍କର । ତାଙ୍କର ବଡ ପାଟି ଶୁଣି ମୁଁ ଶଙ୍କିଗଲି । ସମସ୍ତେ ଯିବାକୁ ପ୍ରସ୍ତୁତ ହେଇ ସାରିଥିଲେ । ଦିନୁକାକା ବାରମ୍ୱାର ମାମୁଙ୍କୁ ଅନୁରୋଧ କରୁଥିଲେ ମତେ ଛାଡିଦେଇ ଯିବାକୁ । ମାମୁଙ୍କ ଉପରେ କିନ୍ତୁ ତାଙ୍କ କଥାର କିଛି ବି ପ୍ରଭାବ ପଡୁନଥିଲା । ମୋ ସାର୍ଟପ୍ୟାଣ୍ଟ୍ ଜବରଦସ୍ତି ଖୋଲିଦେଇ ଭଲ ସାର୍ଟପ୍ୟାଣ୍ଟ୍ ପିନ୍ଧେଇ ଦଉଥିଲେ ସେ ମତେ । ବିକଳ ହୋଇ ସମସ୍ତଙ୍କ ମୁହଁକୁ ମୁଁ ଖାଲି ଚାହୁଁଥିଲି । କିଏ ମୋ ଉପରେ ସାମାନ୍ୟ ଦୟା କରିପାରିବ, ତାହାର ପ୍ରତୀକ୍ଷା କରୁଥିଲି । କିନ୍ତୁ ସେପରି ସଦୟ କେହି ହେଇ ପାରୁନଥିଲେ ବୋଧେ । ସମସ୍ତଙ୍କ ମୁହଁରେ ଥିଲା କେବଳ ଉପାୟହୀନତାର ଛାଇ । ଅନ୍ୟନୋପାୟ ହେଇ ମାମୁଙ୍କ କହିବାନୁସାରେ କାମ କରି ଚାଲିଗଲି । ମୋ ପ୍ରତିବାଦର ଆଉ କିଛି ମୂଲ୍ୟ ନାହିଁ ବୋଲି ଜାଣି ସାରିଥିଲି ।

ମତେ ଭିଡି ଭିଡି ନେଇ ରିକ୍ସାରେ ବସେଇ ଦିଆଗଲା ।

ଚାରିଆଡକୁ ଥରେ ଆଖି ପୂରେଇ ଦେଖିନେଲି । ଏ ଘର ଆଜିଠୁ ଆଉ ମୋର ନୁହେଁ । ସବୁଦିନ ପାଇଁ ଏସବୁ ମୋ ଠାରୁ ଛଡେଇ ନିଆଗଲା । କିଛିଦିନ ପୂର୍ବରୁ ଏମିତି ଘଟଣା ମୋ ଜୀବନରେ ଆଉ ଥରେ ମଧ୍ୟ ଘଟିଥିଲା । ଜାଣେନା ଏସବୁ ଆଉ କେତେ ଥର ଘଟିବ ମୋ ଜୀବନରେ ! ଅନ୍ୟମାନଙ୍କ ହାତର ଖେଳଣା ମୁଁ । ଯିଏ ଯେତେବେଳେ ଚାହିଁଲା, ଛଡେଇ ନେଇ ଖେଳିଲା । ସେମାନଙ୍କର ଏଇ ଖେଳ ପାଇଁ ମୋ ଘର, ବାଡି, ଅଗଣା, ସାଙ୍ଗସାଥୀ, ଖେଳନା, ବହିପତ୍ର, ସ୍କୁଲ୍ ସବୁକିଛି ଆଉ ଥରେ ପର ହେଇଗଲା । ମତେ କାନ୍ଦ ମାଡୁଥିଲା । କିନ୍ତୁ କାନ୍ଦିବାକୁ ଚାହୁଁନଥିଲି । କିନ୍ତୁ ସେସବୁ କ’ଣ ମୋ ଆୟତରେ ଆଉ ଥିଲା ସତରେ !

ବାପାଙ୍କ ସ୍ୱରରେ ଆଜି ପ୍ରଥମ ଥର ପାଇଁ ବ୍ୟସ୍ତତା ଥିବାର ଅନୁଭବ କଲି । ମାମୁଁ ତାଙ୍କୁ ବୁଝେଇ ଦେଲେ, “କାହିଁକି ବ୍ୟସ୍ତ ହଉଛ ! ଥରେ ଗାଁକୁ ଚାଲିଗଲେ, ସବୁକିଛି ଭୁଲିଯିବ । ଯେପର୍ଯ୍ୟନ୍ତ ଏଠି ରହିବ, ସେପର୍ଯ୍ୟନ୍ତ କିଛି ଭୁଲି ପାରିବନି । ଅଯଥା ମୋହ ବଢେଇ ଆଉ ଲାଭ କ’ଣ ? ପିଲାଟା ସେ, ଭଲମନ୍ଦ, ତୋର ମୋର, କିଛି ଜାଣେନା । ଯାହା ତା’ ହାତରେ ଧରେଇ ଦିଆଯିବ, ତାକୁ ନିଜର ମଣିବ । ବରଂ ତୁମେ ନୂଆ କରି ଆଉ ଥରେ ସଂସାର ଗଢ । ମୁଁ ତାକୁ ଏଠୁ ନେଇଯିବାଟା ସମସ୍ତଙ୍କ ପାଇଁ ଭଲ ହେବ ।“

ଜାଣେନା କାହା ପାଇଁ କ’ଣ ଭଲ, ଆଉ କ’ଣ ଖରାପ ! ମୋ ପାଇଁ କିନ୍ତୁ ସବୁ ଖରାପ । ଏଇ କିଛି ଦିନ ଭିତରେ ମୋ ବୟସ ବେଶ୍ ବଢିଯାଇଛି । ସେଥିପାଇଁ ବୋଧେ ହଠାତ୍ ନିଜକୁ ମୁଁ ବେଶ୍ ପରପକ୍ୱ ମଣୁଥିଲି । ବୁଝିନଥିବା ଅନେକ କଥା ଧିରେ ଧିରେ ବୁଝିବାରେ ଲାଗିଥିଲି । ଆଗକୁ ଆଗକୁ ରିକସା ଗଡି ଚାଲିଥିଲା । ବୋଉର କରୁଣ ମୁହଁଟା ଆଖି ଆଗରେ ନାଚି ଯାଉଥିଲା । ଆମ୍ୱ ଗଛରେ କଷି ହେଇଛି .. ଶୁଆ ପାଇଁ ଫ୍ରିଜ୍ ରେ ଲଙ୍କା, ପାଚିଲା ପିଜୁଳି ରଖିଛି .. କାଲି ଠାରୁ ଶଙ୍ଖି ଘରକୁ ଫେରିନି ….! ସମସ୍ତଙ୍କ ଦାୟୀତ୍ୱ ମୋରି ଉପରେ ଦେଇ ବୋଉ ନିଶ୍ଚିନ୍ତରେ ଚାଲିଯାଇଛି ; ଆଉ ସେସବୁ ଛାଡି ଆଜି ଯଦି ମୁଁ ଚାଲିଯାଏ, ତେବେ ମୋ କାମ ସବୁ କିଏ କରିବ ?

ମୋ ହାତକୁ ଚାପି ଧରିଥିଲେ ମାଇଁ । ତାଙ୍କ ଆଖିରେ ଖୁସି ଭରି ରହିଥିଲା । ତାହା ଥିଲା ମତେ ଫେରି ପାଇଥିବାର, ଅଥବା ବାପାଙ୍କ ପାଖରୁ ଛଡେଇ ନେବାର ଜିଦିରେ ସଫଳ ହେଇଯିବାର ଖୁସି, ତାହା ମତେ ଜଣାନଥିଲା । ଯୋଉଥିପାଇଁ ହେଉ ପଛେ, ମତେ ତାଙ୍କର ସେ ଖୁସି ସହ୍ୟ ହେଉନଥିଲା । ମାମୁଁ ଇଆଡୁ ସିଆଡୁ ଅନେକ କଥା ଗପୁଥିଲେ । ସେ ଖୁସିଥିଲେ କି ନାହିଁ, କିଛି ଜଣା ପଡୁନଥିଲା । କିନ୍ତୁ ତାଙ୍କ ପିଲାମାନଙ୍କର ଅସନ୍ତୋଷ ସ୍ପଷ୍ଟ ବାରି ହେଇଯାଉଥିଲା । ମୋ ସହିତ ସେମାନେ ପଦେ ବି କଥା ହେଉନଥିଲେ । ମୁଁ ଯାଉଥିବା ଘରର ପରିବେଶ ପରିସ୍ଥିତି କ’ଣ, ମୁଁ ଜାଣିନଥିଲି । ଯେଉଁମାନଙ୍କ ସହିତ ରହିବି, ସେମାନେ ବି ମୋର ପସନ୍ଦର ନଥିଲେ । ଏପରି ପରିସ୍ଥିତିରେ ଗାଁକୁ ଯାଇ ସବୁଦିନ ପାଇଁ କେମିତି ରହିପାରିବି ମୁଁ ! ଯେଉଁଠି ନିଜର କହି ଚେନାଏ ମାଟି ନଥିବ, ସେଇଠି ସାରା ଜୀବନ କିଏ ବା କେମିତି ରହିପାରିବ ! ମାଇଁ ନିଶ୍ଚିତ ରୂପରେ ମତେ ଭଲ ପାଉଛନ୍ତି, ସେଥିରେ ସନ୍ଦେହ ନାହିଁ । କିନ୍ତୁ କାଲି ଯଦି ବୋଉ ପରି ସେ ବି ମରିଯାଆନ୍ତି, ତେବେ ?? ନିଜ ପ୍ରଶ୍ନରେ ମୁଁ ନିଜେ ଚମକି ଉଠିଲି ।

ଚାହିଁଲି ମାଇଁଙ୍କୁ – ଆଶ୍ୱସ୍ତିର ନିଦ ଆଖିପତାକୁ ମାଡି ଧରିଥିଲା । ମୁହଁରେ ଥିଲା ବିଜୟର ଭାବ । ମୋ ଭିତରେ ଅସଂଖ୍ୟ ପ୍ରଶ୍ନମାଳା । ମୁଁ ଖୁବ୍ ବ୍ୟସ୍ତ ଆଉ ବିବ୍ରତ । ଏମିତି ସମୟରେ ତାଙ୍କୁ ନିଶ୍ଚିନ୍ତ ନିଦରେ ଶୋଇ ପଡିବାକୁ ଦେବିନି । ତାଙ୍କୁ ହଲେଇକି ଉଠେଇଦେଲି । ପ୍ରଶ୍ନିଳ ଦୃଷ୍ଟି ତୋଳି ମୋ ଆଡକୁ ଚାହିଁ ରହିଲେ ସେ । ବାତ୍ସଲ୍ୟର ଢେଉ ଆଖିରୁ ଝର ଝର ଝରୁଥିଲା । ହେଲେ ମୁଁ ସେଆଡକୁ ଧ୍ୟାନ ଦେଲି ନାହିଁ । ବରଂ ଶୁଷ୍କ ସ୍ୱରରେ ପଚାରିଲି, “ବୋଉ ପରି କାଲି ଯଦି ତୁମେ ମରିଯିବ, ତେବେ ମତେ କ’ଣ ଆଉ କେହି ଆସି ତୁମ ଘରୁ ଏମିତି ପୁଣି ଜବରଦସ୍ତି କରି ନେଇ ଚାଲିଯିବ ?”

ଚମକି ପଡିଲେ ସେ । ବଡ ବଡ ଆଖିରେ ଘଡିଏ ଚାହିଁ ରହିଗଲେ । ତା’ପରେ କଥାଟାକୁ ପରିହାସ ମଣି ଉଡେଇ ଦେବାର ଚେଷ୍ଟା ବି କଲେ । କିନ୍ତୁ ମୋ ମୁହଁର ଗମ୍ଭୀରତା ତାଙ୍କୁ ସେପରି କରିବାକୁ ଦେଲା ନାହିଁ । ପ୍ରଶ୍ନଟା ଯେତେ କଠିନ ନଥିଲା, ମୋ ମାନସିକ ଅବସ୍ଥା ଥିଲା ସେତିକି ଚିନ୍ତାର ବିଷୟ । ମୋ ନିରବତାକୁ ସେ ଏପର୍ଯ୍ୟନ୍ତ ଭାବି ନେଇଥିଲେ ଯେ ମୁଁ ତାଙ୍କ ସହିତ ସହର୍ଷରେ ଚାଲିଯାଉଛି । ତାହା ଯେ ତାଙ୍କର ସର୍ବ ବୃହତ୍ ଏକ ଭ୍ରମ, ସେକଥା ଜାଣିଲା ପରେ କ’ଣ ଉତ୍ତର ଦେବେ ମୋ ପ୍ରଶ୍ନର, ଭାବି ପାରୁନଥିବେ । ବୋଧହୁଏ ତାଙ୍କ ପାଖରେ ଏମିତି ପ୍ରଶ୍ନର ଉତ୍ତର ହି କିଛି ନଥିଲା । ବାଧ୍ୟ ହେଇ ନୀରବ ରହିଗଲେ ।

ମାମୁଁଙ୍କ ଆଡକୁ ଚାହିଁଲି ମୁଁ । ସେ ବି କଥାଟାକୁ ଶୁଣିଥିଲେ, କିନ୍ତୁ ନଶୁଣି ପାରିଥିବାର ବାହାନାଟା ବେଶ୍ କରୁଥିଲେ । ତାଙ୍କ ମୁହଁରେ ଉକୁଟି ଆସୁଥିଲା ଝାଳର କିଛି ବୁନ୍ଦା । ମୋର ପ୍ରଶ୍ନ ତାଙ୍କୁ ଚିନ୍ତାରେ ପକେଇ ଦେଇଥିବାର ଅନୁମାନ କରି ମୋ ଭିତରର ଅଶାନ୍ତି ସାମାନ୍ୟ ଉପଶମ ଲାଭ କଲେ । କିନ୍ତୁ ଛାଡି ନଦେଇ ପୁଣି ସେଇ କଥାକୁ ଅନ୍ୟ ବାଗରେ ଦୋହରେଇଲି, “ମୋର କ’ଣ ଜୀବନରେ ନିଜର ବୋଲି କେବେ କିଛି ହେଇ ପାରିବନି ? ମୁଁ କ’ଣ ଖାଲି ଏ ଘରୁ ସେ ଘର ଅନ୍ୟର ଦୟା ଆଉ ଖୁସି ଉପରେ ନିର୍ଭର କରି କରି ନିଶ୍ୱାସ ପ୍ରଶ୍ୱାସ ନେଉଥିବି ? ତୁମେ ଯଦି ସତରେ ମୋର ବୋଉ, ତେବେ ଅନ୍ୟ କାହା ହାତକୁ ମତେ କେମିତି ବଢେଇ ଦେଇ ପାରିଥିଲ ? ତୁମେ କ’ଣ ସେତେବେଳେ ମତେ ଭଲ ପାଉନଥିଲ ? ଯଦି ପାଉନଥିଲ, ତେବେ ଏବେ କାହିଁକି?

ବାପା ମତେ ଭଲ ପାଆନ୍ତୁ କି ନପାଆନ୍ତୁ, ତାଙ୍କୁ ମୁଁ ମୋର ବାପା ବୋଲି ଜାଣେ । ସେ ଘର ମୋର .. ସେ ଘରେ ମୋ ବୋଉର ଭଲ ପାଇବା ଖୁନ୍ଦ ହେଇ ରହିଛି । ସେଇଠି ମୁଁ ବଢିଛି .. ସେଇଠି ହସିଛି .. ଖେଳିଛି ..! ମୋ ସ୍ମୃତିରେ ଘର ମାନେ କେବଳ ସେଇ ଘର ହିଁ ରହିଛି ଆଉ ରହିବ । ତାକୁ ଭୁଲିଯାଇ ଅନ୍ୟ ଗୋଟିଏ ନୂଆ ଘର, ଯୋଉଠିକୁ ମତେ ଜବରଦସ୍ତି କରି ନେଇଯାଉଛ, କେବେ କ’ଣ ନିଜ ଘର ବୋଲି ମୁଁ ଗ୍ରହଣ କରିପାରିବି ?”

ଆଉ ଅଧିକା କିଛି କହି ପାରିଲିନି । କଣ୍ଠ ବାଷ୍ପରୁଦ୍ଧ ହେଇଗଲା । ଆଖି ଲୁହରେ ଝାଲୁଝାଲୁଆ ହେଇଗଲା । ଯାହା ସବୁ କହିଗଲି, ସେସବୁ ଠିକ୍ ଥିଲା କି ଭୁଲ୍‌ ତାହାର ବିଶ୍ଳେଷଣ କରୁ କରୁ କାନ ପାଖରେ ପରିଚିତ କାର୍ ର ହର୍ଣ୍ଣ ମତେ ଚମକେଇ ଦେଲା । ଅଫିସ୍ ଫେରନ୍ତା ସମୟରେ ଗେଟ୍ ପାଖରେ ସବୁଦିନ ଏହି ହର୍ଣ୍ଣର ଆବାଜକୁ କାନ ଡେରି ମୁଁ ଅପେକ୍ଷା କରିଥାଏ । ତାହାହେଲେ ବାପା କ’ଣ ମୋ ପଛେ ପଛେ …

ଆନନ୍ଦ ଆତିଶଯ୍ୟରେ ଆଖି ମୋର ଖୋଲିଗଲା । ସତରେ ବାପା ହିଁ ରାସ୍ତା ସେପାଖେ ଗାଡି ଠିଆ କରି ଓହ୍ଲୋଉଥିଲେ । ମାଇଁଙ୍କ ହାତ ଛଡେଇ ରିକସାରୁ ଓହ୍ଲେଇ ଦୌଡିଗଲି ମୁଁ ବାପାଙ୍କ ପାଖକୁ । ବାପା … କହି ତାଙ୍କୁ କୁଣ୍ଢେଇ ପକେଇଲି ଜୋରରେ । ଆଜି ଏ ଡାକ ମତେ ଅମୃତ ପରି ଲାଗୁଥିଲା । ତାଙ୍କୁ କୁଣ୍ଢେଇବାରେ ଯେ ଏତେ ଆନନ୍ଦ, ଏତେ ସନ୍ତୋଷ ମିଳେ, ଆଗରୁ ଜାଣିନଥିଲି ।

ପ୍ରଥମ ଥର ପାଇଁ ବାପା ତାଙ୍କ ସୁଦୃଢ ହାତରେ ମତେ ତାଙ୍କ ଛାତି ଉପରକୁ ଟାଣିନେଲେ । ପରମ ତୃପ୍ତିରେ ଆଖି ମୋର ବନ୍ଦ ହେଇଆସିଲା । ମାମୁଙ୍କୁ ସେ କହୁଥିବା କଥା ମୋ କାନରେ ପଡୁଥିଲା, ତଥାପି ଆଖି ଖେଲିଲିନି ମୁଁ । “ସରୋଜା ଚାଲିଗଲା ବୋଲି ତା’ର ସବୁ ସ୍ମୃତି କ’ଣ ହଜିଯିବ ମୋ ଜୀବନରୁ ! ଏତେ କ’ଣ ସହଜ ହେଇଛି ଦୀର୍ଘ କୋଡିଏ ବର୍ଷର ସଂପର୍କକୁ ଏତେ ଶୀଘ୍ର ଭୁଲିଯିବା ! ଜୀବନ ସାରା ତାରି ହସ, ତାରି ଖୁସି, ତାରି ଶାନ୍ତି ପାଇଁ ସବୁକିଛି ମୁଁ କରିଆସିଲି, ଆଉ ଆଜି ତା’ର ସବୁଠାରୁ ବଡ ଖୁସିକୁ ମୋ ଠାରୁ ଛଡେଇ ନେଇ ତୁମେ ଚାଲିଯିବ ଯଦି, ମୁଁ ଆଉ କାହା ପାଇଁ ବଞ୍ଚିବି ?”

ମାମୁଁ ମାଇଁ ମୁଣ୍ଡ ତଳକୁ କରି ଚୁପଚାପ୍ ଠିଆ ହେଇଥିଲେ । ଟ୍ରେନ୍ ଟାଇମ୍ ହେଇ ଯାଉଥିଲା । ମତେ ଛାଡିଦେଇ ସେମାନେ ରିକ୍ସାକୁ ଉଠିଗଲେ । ମାଇଁଙ୍କ ଆଖିର ଲୁହ ବନ୍ଧବାଡ ମାନୁନଥିଲା । ମତେ କିନ୍ତୁ ଟିକିଏ ବି ଦୁଃଖ ଲାଗୁନଥିଲା । ବାପାଙ୍କୁ ସେମିତି ଜାବୁଡି ଧରି ମୁଁ ଠିଆ ହୋଇଥିଲି ।

ସେମାନେ ଦୃଷ୍ଟିର ଆଢୁଆଳକୁ ଚାଲିଗଲା ପରେ ଆମେ ଘରକୁ ଫେରିଆସିଲୁ । ଘର – ମାନେ ଆମ ଘର …ମୋ ଘର !

ଗାଡି ରହୁ ରହୁ ମୁଁ ଦୌଡିଗଲି ଘର ଭିତରକୁ ….. ବୋଉ ପାଖକୁ । ପାଟି କରି ଉଠିଲି, “ବୋଉ ଦେଖ, ମୁଁ ଫେରିଆସିଲି । ଆଉ କେହି କେବେ ତୋ’ ପାଖରୁ ମତେ ଛଡେଇ ନେଇ ପାରିବେନି । ବାପା ମତେ ଫେରେଇ ଆଣିଛନ୍ତି । ବାପାଙ୍କୁ ଛାଡି .. ତତେ ଛାଡି .. ଆମ ଘରକୁ ଛାଡି, ମୁଁ କେବେ କୁଆଡେ ବି ଯିବିନି ! ବୋଉ ତୁ ଖୁସି ନା ?”

ହଁ, ବୋଉ ଖୁସି .. ଖୁବ୍ ଖୁସି । ତା’ ହସ ହସ ମୁହଁଟା ଏବେ ଆହୁରି ସୁନ୍ଦର ଦିଶୁଥିଲା .. ଖୁସିରେ ... ମୋର ଘରବାହୁଡାର ଖୁସିରେ !

                                                     -0- 

ଭବିଷ୍ୟତ ପ୍ରଶ୍ନବାଚୀ ବର୍ତ୍ତମାନ

Rate the content


Originality
Flow
Language
Cover design

Comments

Post

Some text some message..