ଚିହ୍ନା ଅଚିହ୍ନା ବେଳ
ଚିହ୍ନା ଅଚିହ୍ନା ବେଳ
ଶ୍ରୀ ଲକ୍ଷ୍ମୀଧର ନାୟକ (ଆଦିସ୍ୟ)
ପର୍ଟିକୋ ପାଖ ଫାଙ୍କା ଜାଗାଟିରେ ଅମିୟ ସାର୍ଙ୍କ ଉପରମହଲାର ଝର୍କା କବାଟ ପାଇଁ କାଠ କାମ କରୁଛନ୍ତି- ଦୁଇଜଣ ମିସ୍ତ୍ରୀ- ସୁବ୍ରତ ଓ ସୁମନ୍ତ ସୂତାର । ଦୁଇ ଭାଇ ।
ପଟା ଚିକ୍କଣ କରୁଥିବା ଏମାନଙ୍କ ଇଲେକ୍ଟ୍ରିକ୍ ରନ୍ଦା ଏତେ କର୍କଶ ଶବ୍ଦ କରୁଛି ଯେ ଭିତର ଘରେ ଶୋଇଥିବା ଅମିୟ ସାର୍ଙ୍କ ଶହେ ବର୍ଷ ବୟସର ବୁଢ଼ୀ ବୋଉ ଚିତ୍କାର କରି କହୁଛନ୍ତି- “ଯମ ରଥ ଆସିଗଲା । ଏବେ ଘଟ ପଡ଼ିରହିବ । ଲୋ ରାଉତ ଝୁଅ । ହୁଳହୁଳି ପକା । ଯମରଜା ପାଇଁ ପାଣି ନୋଟା ଆଣ୍ । ଯମରେ ! ଟିକେ ରହ ! ବୋହୂ ପରା ତା’ ପୁଅକୁ ହଳଦୀ ତେଲ ଲଗେଇ ଦେଉଚି ।”
ପାଖ ପଡ଼ିଶା ଘରେ ତିନି ମାସର ଟିକି ଝିଅଟା ଶୋଇ ନ ପାରି, କାନ୍ଦୁଛି- ରାଆ ଛାଡ଼ି । ତା’ ଭୁଆସୁଣୀ ବୋଉ ଝର୍କା କବାଟ ଫାଙ୍କରୁ ନିରୀହ ଦୃଷ୍ଟିରେ ଚାହିଁ ଦେଉଛି କେବଳ ମିସ୍ତ୍ରୀ ଦୁଇଟାଙ୍କ ଆଡ଼େ । କିଛି ତ କହିପାରୁନି, କିନ୍ତୁ ଭାବୁଥିବ- କି ମଣିଷ ଏମାନେ କେଜାଣି ! ନିଜ ସ୍ୱାର୍ଥପାଇଁ ଅନ୍ୟକୁ କଷ୍ଟ ଦେଉଛନ୍ତି । ପିଲାଟା କାନ୍ଦୁଛି ବୁଝୁ ନାହାନ୍ତି କିପରି ? ଗାଁଟା ଭିତରେ କାମ କରୁଛନ୍ତି ପଡ଼ିଶାର ଅସୁବିଧାକୁ ଧ୍ୟାନ ଦିଅନ୍ତେ ନାହିଁ ।
ଭିତରୁ ମିନତିଦେବୀ ଆସି କହିଲେ- “ପୁଅରେ ! କାମ ବରଂ ଲେଟ୍ ହେଉ, ତୁମେ ଆଉ ଇଲେକ୍ଟ୍ରିକ୍ ରନ୍ଦା ଚଳାଅନା । ଶାଶୂ ବୁଢ଼ୀ, କି ପଡ଼ିଶା ବୋହୂର ଝିଅ ଶୋଇ ପାରୁନାହାନ୍ତି ।”
ଅମିୟସାର୍ ପର୍ଟିକୋରେ ବସି କାମ ଦେଖୁଥିଲେ ।
କହିଲେ- “ତମ ଗୁରୁମା ପରିବେଶ ପ୍ରଦୂଷଣ କଥା ଉଠେଇଛନ୍ତି । ଠିକ୍ ଅଛି- ଆଣିଛୁ ତ ସୁବ୍ରତ ହାତରନ୍ଦା ?”
ନାଇଁ ସାର୍ । ଆଜିଟା ଚଳିଯାଉ କାଲିକୁ ଆଣିବୁ ।
ଏତିକିବେଳେ କମ୍ପାଉଣ୍ଡ୍-ୱାଲ୍ଗେଟ୍ ସେପାଖରୁ ଶୁଭିଲା- “ଅମିୟ ! ଘରେ ଅଛୁ କିରେ ?”
ସେଠି ଧଳା ଧୋତିଟିଏ ପିନ୍ଧି, କାନ୍ଧରେ ନାଲି ଗାମୁଛା ପକାଇ, ଗେଟ୍ ଗ୍ରୀଲ୍କୁ ଧରି, ଠିଆ ହେଇଛନ୍ତି ହରିମାଷ୍ଟ୍ରେ । ଅମିୟ ସାର୍ଙ୍କ ବାଲ୍ୟଗୁରୁ । ଏଇ ଗାଁରେ ଘର । ନବେ ବର୍ଷ ବୟସ । ଗାଁର ସବୁ ବୟସ୍କ ପୁରୁଷ ତାଙ୍କରି ଚାଟଶାଳୀରୁ ଠ ମଡ଼ାଣ କରି, ଉପରକୁ ଉଠିଛନ୍ତି ।
ସୁନୀତି ବାନ୍, ସଂସ୍କାରଶୀଳ, ଶ୍ରେଷ୍ଠ ପଞ୍ଚାୟତବିଦ୍ ତଥା ଜ୍ୟୋତିଷଶାସ୍ତ୍ରୀ ରୂପେ ଏହି ବିଦ୍ୱାନ ହରିମାଷ୍ଟ୍ରେଙ୍କର ଯଥେଷ୍ଟ ଖ୍ୟାତି ଥିଲା ଏ ଅଞ୍ଚଳରେ । ଏବେ ପରିଣତ ବୟସର ଦୁଷ୍ପ୍ରଭାବ ଯୋଗୁଁ, ତାଙ୍କୁ ଡିମେନ୍ସିଆ ରୋଗ ଗ୍ରାସ କରିଛି । ତାଙ୍କର ଦୂର ଅତୀତ ମନେଥିଲାବେଳେ, ନିକଟ ଅତୀତ ବା ବର୍ତ୍ତମାନର ଘଟଣା ଆଦୌ ମନେ ରହୁନାହିଁ । ଏହା ତାଙ୍କ ପାଇଁ ବଡ଼ ସମସ୍ୟା ।
ଅମିୟସାର୍ ତାଙ୍କର ଏହି ବାଲ୍ୟଗୁରୁଙ୍କୁ ଗେଟ୍ ଖୋଲି ପ୍ରଣାମ କଲେ । ହାତ ଧରିଆଣି ଚେୟାର୍ରେ ବସାଇଲେ । ମିନତିଦେବୀଙ୍କ ଉଦ୍ଦେଶ୍ୟରେ ଡାକ ଛାଡ଼ିଲେ- “ମାଷ୍ଟ୍ରେଙ୍କ ପାଇଁ ଚାହା ଆଣିବ ।”
ହରିମାଷ୍ଟ୍ରେ ଚେୟାର୍ ଧରୁ ଧରୁ ଆରମ୍ଭ କଲେ- “ମୁଁ ଭାବିଥିଲି- ତୋ ବାପା ଅନନ୍ତ ଭାଇ ତ ବିର୍ଲା କମ୍ପାନୀର ବଡ଼ ଅଫିସର୍ ଥିଲେ ରିଟାୟାର୍ଡ କରି, ବୋଧହୁଏ ଆମ ଗାଁରେ କଳ ବସାଉଛନ୍ତି । ସେହି ପାଇଁ ଏଡ଼େ ଜୋରି ଘର୍ଘର୍ ଶବ୍ଦ ହେଉଛି । ଏଠି ତ କ’ଣ କାଠ କାମ ଚାଲିଛି ! !”
ଆଚ୍ଛା ଅମିୟ ! ଅନ୍ତଭାଇ ତ ପିଆଶାଳ କାଠର ବଢ଼ିଆ ନକ୍ସିକରା ଆଲ୍ମାରୀ ଗଢ଼ାଇଥିଲେ । ଗଢ଼ିଥିଲା- ଖରିଅଣ୍ଟା ଗାଁର ଉପ ସୂତାର । ଏଡ଼େ ସୁନ୍ଦର ଆଲ୍ମାରୀ ଥାଉ ଥାଉ, ପୁଣି କାହିଁକି ଗଢ଼ାଉଛୁ ? ଏମାନେ କ’ଣ ତା’ଠୁ ଆହୁରି ସୁନ୍ଦର ଗଢ଼ିପାରିବେ ?
ଅମିୟ ସାର୍ କହିଲେ- “ନାଇଁ ମାଷ୍ଟ୍ରେ ! ଏମାନେ ଉପରଘର ପାଇଁ ଝର୍କାକାମ କରୁଛନ୍ତି । କବାଟ ହେଉଛି ।”
ହରିମାଷ୍ଟ୍ରେ ପଚାରିଲେ- “ଉପର ଘର କ’ଣ ? ତୋର ପରା ଚାଳ ଘର । ଚାଳ ଘର ଉପରେ ଘର କରୁଛୁ । କର୍ ଥାକ ଦିଶିବ- ବାରମାଣିଆ ଯଜ୍ଞଘର ପରି । ଭଲ ଲାଗିବ । କର୍ କର୍ ।”
ଅମିୟସାର୍ଙ୍କର ଏବେ ମନେପଡ଼ିଲା- ମାଷ୍ଟ୍ରେଙ୍କୁ ଡିମେନ୍ସିଆ ରୋଗ । ଏହି ପାଇଁ ସେ ବସିଛନ୍ତି ପକ୍କାଘର ପର୍ଟିକୋରେ, ଅଥଚ ଭାବୁଛନ୍ତି- ତାଙ୍କ ଅତୀତର ଏଇଟା ଚାଳଘର ।
ସେ କହିଲେ- “ଆପଣଙ୍କର ବି ପକ୍କାଘର ମାଷ୍ଟ୍ରେ !”
– ନାଇଁ ନାଇଁ । ଆମର କାହିଁକି ପକ୍କା ଘର ହେବ । ଆମର ତ ବାପାଙ୍କ ଅମଳରୁ ସେହି ନୁଆଁଣିଆ ମାଟିଘର । ଆରେ ଅମିୟ ! ଗୁରୁଙ୍କୁ ଥଟ୍ଟା କରୁଛୁ ।
ଓଃ ! କେତେ ଯେ ଦୁରବସ୍ଥା । ଦିନ ଥିଲା- ହରିମାଷ୍ଟ୍ରେଙ୍କ ବୌଦ୍ଧିକ ସାହାଯ୍ୟ ବିନା ଏ ଅଞ୍ଚଳରେ ନ୍ୟାୟ ନିଶାପ ଛିଡୁ ନଥିଲା । ଆଜି ତାଙ୍କୁ ଏହି ଅତି ବିସ୍ମରଣରୋଗ ଏପରି କବଳିତ କରିଛି ଯେ- ନିଜର ବର୍ତ୍ତମାନ ଠାରୁ ସେ ଘୁଞ୍ଚି ଯାଇଛନ୍ତି ବୋଲି, ଜାଣିପାରୁ ନାହାନ୍ତି ।
ଅମିୟସାର୍ଙ୍କ ମୁହଁ ମଳିନ ପଡ଼ିଗଲା ।
କହିଲେ- “ମାଷ୍ଟ୍ରେ ! ଆପଣଙ୍କର ବିରାଟ ଦୋ’ମହଲା ପକ୍କାଘର । ଚାରିବର୍ଷ ହେଲାଣି ଆପଣଙ୍କ ଦୁଇ ପୁଅ ରାମ ଓ ଶ୍ୟାମ, ସେହି ଘର ତୋଳାଇଛନ୍ତି ।”
ମାଷ୍ଟ୍ରେ କହିଲେ- “ହଇରେ ଅମିୟ ! ମୁଁ ପରା ତତେ ପଢ଼େଇଛି । ମତେ ମିଛ କହୁଛୁ । କିରେ ! ଘର କଣ ସୁନା ନା ରୂପା । ବାକ୍ସ ସିନ୍ଦୁକରେ ରହିବ । ମୋର ଘର ହେଇଛି, ମୁଁ ଜାଣିନି କିପରି ? ପୁଣି ମୋର ତ ଗୋଟିଏ ପୁଅ ରାମ, ଶ୍ୟାମ କିଏ ? ଛି ଛି ! ଗୁରୁଙ୍କୁ ମିଛ ! ତୁ ପରା ନିଜେ ଗୁରୁ ଥିଲୁ ।”
ଅମିୟ ସାର୍ଙ୍କ ମୁହଁ ବିବର୍ଣ୍ଣ ହୋଇଗଲା ଏଥର । ଗମ୍ଭୀର ହୋଇ କହିଲେ- “ଆପଣଙ୍କର ଦୁଇପୁଅ ମାଷ୍ଟ୍ରେ । ସାନପୁଅ ଶ୍ୟାମକୁ ଆପଣ ଭୁଲିଯାଇଛନ୍ତି ! !”
ହଠାତ୍ ରାଗରେ ଚିତ୍କାର କଲେ ହରିମାଷ୍ଟ୍ରେ- “ମୁଁ ଭୁଲିଯାଇଛି । ମୁଁ ଭୁଲା । ମୋତେ ତୁ ଭୁଲା କହୁଛୁ ଅମିୟ । ଏବେ ଯଦି ତୋ କାନଧରି ପଚାରେ କହ- ଓଡ଼ାଙ୍କ କ’ଣ ? ଫେଡ଼ାଙ୍କ କ’ଣ ? ମେଲାଙ୍କ କ’ଣ ? ଶୋଧି କ’ଣ, ବର୍ଣ୍ଣ କ’ଣ, ଧ୍ୱନି କ’ଣ, ଶବ୍ଦ କ’ଣ, ପଦ କ’ଣ କହିପାରିବୁ । ତୁ ଭୁଲା ନା, ମୁଁ ଭୁଲା ? କିଏ ଭୁଲା ??”
କାମ ଛାଡ଼ି ହରିମାଷ୍ଟ୍ରେଙ୍କ ଉଗ୍ର ମୂର୍ତ୍ତିକୁ ଚାହିଁ ରହିଲେ – ସୁବ୍ରତ, ସୁମନ୍ତ ! ସେ କହିଚାଲିଥିଲେ- ମୋ ଦୁଇଟା ପୁଅ ମୁଁ ଜାଣିନି, ତୁ ଜାଣିଛୁ । ବାପ ମୁଁ, ନା ତୁ ? ଚାଲ୍ ଆମ ରାମ ବୋଉ ପାଖକୁ । କହୁ ତା’ର ଆଉ ଗୋଟାଏ ପୁଅ କିଏ ?
ଏତିକିବେଳେ ମିନତିଦେବୀ ଚା’ ଆଣି, ଶିଷ୍ୟ-ବଧୂର ଭୂମିଷ୍ଠ ପ୍ରଣାମ ଜଣାଇଲେ ମାଷ୍ଟ୍ରେଙ୍କୁ । ତାଙ୍କ ହାତରେ ଚା’ କପ୍ ଧରାଇଲେ ।
ଶାନ୍ତ ହେଇଯାଇ ପଚାରିଲେ ମାଷ୍ଟ୍ରେ- “ଇଏ ମା’ କିଏ କିରେ ଅମିୟ ?”
“ଆପଣଙ୍କ ବୋହୂ ମାଷ୍ଟ୍ରେ !”
ନିଜ ସ୍ତ୍ରୀକୁ ଗୁରୁଙ୍କ ବୋହୂ ରୂପେ ପରିଚିତ କରାଇ, ଖୁସି ହେଉଥିଲେ ଅମିୟ ସାର୍ । ଏଠି ବି ବାହାରିଲା ମାଷ୍ଟ୍ରେଙ୍କ ଡିମେନ୍ସିଆ ରୋଗର ଦୁଷ୍ପ୍ରଭାବ ।
ସେ କହିଲେ- “ମୋ ବୋହୂ ତୋ ଘରେ କାହିଁକି ? ଘରର ବୋହୂ କୁଳର ଲକ୍ଷ୍ମୀ । ନିଜ ଦ୍ୱାରବନ୍ଧ ଡେଇଁବା ଆଗରୁ, ଘରର ମୁରବିକୁ ପଚାରିବା କଥା । ଆଜିକାଲି ସମୟ ଏମିତି ହେଲାଣି ଯେ ବୋହୂ ବି ଶ୍ୱଶୁରକୁ ପଚାରୁ ନାହାନ୍ତି । ହେଉ ଆସିଲେ, ଆସିଲେ, ତାଙ୍କୁ ଅବହେଳା କରିବୁନାହିଁ । ଖୁବ୍ ଧନୀ ଘରର ଝିଅ । କାନ୍ଦିବେ ତ ତାଙ୍କ ଲୁହ ମୋ ଉପରେ ପଡ଼ିବ । ମୁଁ ଘରର ମୁରବି ପରା ।”
ଏତେବେଳକୁ କାଠମିସ୍ତ୍ରୀ କାମ ଆରମ୍ଭ କରିଦେଲେଣି ।
ମିନତିଦେବୀ ଭିତର ଘରକୁ ଚାଲିଗଲେଣି ସକାଳ ଜଳଖିଆ ପ୍ରସ୍ତୁତ କରିବାକୁ । ଘରେ ନାତୁଣୀଟାକୁ ଛାଡ଼ି ଦେଇ, ପୁଅବୋହୂ ବାହାରେ । ଶହେ ବର୍ଷର କତରାଲଗା ବୁଢ଼ୀଶାଶୂଙ୍କ ଦାୟିତ୍ୱ ତାଙ୍କରି ମୁଣ୍ଡରେ । ନିଜେ ବି ବୁଢ଼ୀ ହେଲେଣି ଯେ- ଅଣ୍ଟା ଆଣ୍ଠୁ ଧରୁଛି । ଏ ତ ରିଟାୟାର୍ଡ ହେବା ପରଠୁ, ସବୁବେଳେ ଲେଖାପଢ଼ାରେ ବ୍ୟସ୍ତ । ବୁଡ଼ିଯାଉଛନ୍ତି ଯେ ଲେଖାରେ ଖାଇବା ପିଇବା ଭୁଲିଯାଉଛନ୍ତି ।
ଅମିୟସାର୍ ଭାବୁଛନ୍ତି- କେମିତି କେମିତି ହରିମାଷ୍ଟ୍ରେଙ୍କୁ ବିଦାୟ ଦେବାକୁ ହେବ । ନଚେତ୍ ଏଣୁ ତେଣୁ ପଚାରି ପଚାରି ମିସ୍ତ୍ରୀ ଦୁହିଁଙ୍କ କାମ କମେଇ ଚାଲିବେ ।
ମାଷ୍ଟ୍ରେ ଚାହା ଖାଇସାରି, ଚାହିଁଥିଲେ ସୁବ୍ରତ ଓ ସୁମନ୍ତଙ୍କୁ । ତାଙ୍କ ଇଲେକ୍ଟ୍ରିକ୍ ରନ୍ଦା କିପରି କାଠକୁ ସ୍ପ୍ରିଙ୍ଗ ପରି ମୋଡ଼ିମୋଡ଼ି, କାଗଜ ପରି ପତଳା କରି, ବାଁ ପାଖକୁ ଫୋପାଡ଼ି ଦେଉଛି, ତାକୁ ଲକ୍ଷ୍ୟ କରି କରି କହିଲେ- “ପିଲା ଦୁଇଟା ବଢ଼ିଆ କାମ କରୁଛନ୍ତି । ସିଧା କାଠକୁ ମୋଡ଼ା ମୋଡ଼ା କରି, ଫୁଲ କରି ଦେଉଛନ୍ତି । ୟା’ଙ୍କ ନାଁ କ’ଣ ? ବାପା କିଏ ? କୋଉ ଗାଁରେ ୟା’ଙ୍କ ଘର ?”
ଅମିୟ ସାର୍ କହିଲେ- “ଏ ଦୁହେଁ ମୋର ଛାତ୍ର ମାଷ୍ଟ୍ରେ । ସୁବ୍ରତ ଓ ସୁମନ୍ତ ଦୁଇଭାଇ । ଏମାନଙ୍କ ଘର- କରିଲୋପାଟଣା ପାଖ ଡିହବଳରାମପୁର । ବାପାଙ୍କ ନାଁ କଣ୍ଡୁରୀ ସୂତାର ।”
ମାଷ୍ଟ୍ରେ କହିଲେ- “ଓ ହୋ’ ହୋ’ ହୋ’ ! ଡିହବଳରାମପୁର କଣ୍ଡୁରୀ ସୂତାର । କାଳିଆ ହେଇ, ଡେଙ୍ଗା ଲୋକ । ଆଇଲା ଗଲାବେଳେ, କାନ୍ଧରୁ କାଠ କଟା ବାର୍ସିଟାଏ ଛାତି ଉପରକୁ ଝୁଲୁଥିବ । ବଢ଼ିଆ ଲଙ୍ଗଳ କାଟେ କଣ୍ଡୁରୀ ସୁତାର । ଲଙ୍ଗଳ କାଟୁଥିବ ପାନ କଳେ କଳେ ଖାଉଥିବ କଣ୍ଟିରେ ଫୁଲ ପକାଉଥିବ କହୁଥିବ- ରଜାଘର ଚଉଷଠୀ କର କଥା । ବାରି ମଜାଳିଆ ଲୋକ । ରଜା ଘର ନୂଆ କୋଠି ପାର୍ଶ୍ୱ-ରାଣୀମାନଙ୍କୁ ଜଗିବାପାଇଁ, କିପରି ବଳୁଆ ପହିଲ୍ମାନ୍ ମାନଙ୍କ ପୁରୁଷାଙ୍ଗ କାଟିଦେଇ, ତାଙ୍କୁ ପ୍ରହରୀ କରାଯାଏ କିପରି ଗାମୁଛାରେ ପଇଡ଼ ବାନ୍ଧି, ଖଜଣା ଦେଇନପାରିଥିବା ଗରିବ ପ୍ରଜାକୁ ରଜାଘର ପିଅନ ପିଟି ପିଟି ଦରମରା କରନ୍ତି କଣ୍ଡୁରୀବୁଢ଼ା କହୁ କହୁ, କାନ୍ଦିପକାଏ ।”
ସୁବ୍ରତ ସୁମନ୍ତ ଦୁହେଁ ଖୁସି ହେଉଥିଲେ ଯେ ତାଙ୍କ ବାପାଙ୍କ ସମ୍ପର୍କରେ ଏତେ କଥା ମନେ ରଖିଛନ୍ତି- ଏ ବୁଢ଼ା ମାଷ୍ଟ୍ରେ ! ସୁବ୍ରତ କହିଲା- “ବାପା କୋଡ଼ିଏ ବର୍ଷ ତଳୁ ଚାଲିଗଲେଣି ଆଜ୍ଞା ।”
ମାଷ୍ଟ୍ରେ କହିଲେ- “ଚାଲିଗଲେଣି ! ହଁ, ହଁ, ସେ ତ ସବୁବେଳେ ତୁମ ଗାଁରୁ ଚାଲି ଚାଲି ଆସୁଥିଲେ । ଚାଲିବାରେ ତାଙ୍କର ଅଭ୍ୟାସ ଅଛି । କୋଉଠିକୁ ଚାଲି ଯାଇଛନ୍ତି ଯାଇଥାନ୍ତୁ, କାମ ଶେଷକରି ଆସିବେ ନାହିଁକି ?”
ସୁମନ୍ତ କହିଲା- “ମଉସା ! ଆମ ବାପା ମରିଗଲେଣି ।”
– ଆଁ ଏଁ ! ମରିଗଲେଣି ! ହଁ, ହଁ ଆଦୌ ଶବ୍ଦ ନ କରି, କିଛି ବି ଈଶାରା ନ ଦେଇ, ଜୀବନ ନଈର ଲହରୀ ମାଡ଼ି ମାଡ଼ି ଚାଲିଛି ପରା ମରଣ ନାମକ ସମୁଦ୍ରରେ ମିଶିବାକୁ । ସେଇଠୁ ଆସିଛି, ସେଇଠିକୁ ଯାଉଛି । ଏ କଥା ଭକ୍ତକବି ମଧୁସୂଦନ କହିଥିଲେ । ଆମେ ବ୍ରହ୍ମକୁ ଭୁଲି ଯାଉଛନ୍ତି ବୋଲି, ଖରାପ ହେଉଛନ୍ତି । ରୋଗରେ ପଡ଼ି ସଢୁଛନ୍ତି । ମୋହ ମାୟାରେ ପଡୁଛନ୍ତି ।
ହରିମାଷ୍ଟ୍ରେଙ୍କ ଅଦ୍ଭୁତ ସ୍ମରଣ ଶକ୍ତି ଚମତ୍କୃତ କରୁଥାଏ- ସୁବ୍ରତ ଓ ସୁମନ୍ତଙ୍କୁ । ସେ ଆଦୌ ଅସ୍ୱାଭାବିକ୍ ଲାଗୁନଥାନ୍ତି ଏବେ ।
ଏବେ ତାଙ୍କୁ ନବେ ବର୍ଷ ବୟସ । ସୁବ୍ରତ ସୁମନ୍ତଙ୍କୁ ଲାଗିଲା- ଏହିପରି ଶିକ୍ଷକଙ୍କୁ ପାଇ, ତାଙ୍କ ସାର୍- ଅମିୟ ସାର୍ ଭଲ ଶିକ୍ଷକ ହେଇପାରିଥିଲେ ।
ଏତିକିବେଳେ ମିନତିଦେବୀ ମିସ୍ତ୍ରୀଙ୍କ ପାଇଁ ସକାଳ ଜଳଖିଆ ଆଣିଲେ ।
ମାଷ୍ଟ୍ରେ କହିଲେ- “ଅମିୟରେ ! ଆଜି ଆମ ରାମବୋଉ ମୋତେ ଚାହା ଖାଇବାକୁ ଦେଲେ ନାହିଁ । ମାରି କି ପିଠି ଫୁଲେଇ ଦେଲେ । ତୁ ମୋ ଛାତ୍ର । ଏ ଯାଏ ବସେଇଛୁ । ଚାହା କପେ ବି ଗୁରୁକୁ ଦେବାକୁ ଭୁଲିଗଲୁ । ତୋ ପଇସା ସରିଯିବ । ମୁଁ କ’ଣ ମାଗନ୍ତି ? ଗୁରୁ ମାଗିକି ଖାଇବ ଶିଷ୍ୟଠାରୁ ! ଶିଷ୍ୟମାନେ ମାଗିକି ଆଣି, ଗୁରୁଙ୍କୁ ଦିଅନ୍ତି । ଓଲଟା ମୁଁ ମାଗନ୍ତି ! ତୁ ମୋ ଚାହାଳିରେ ବଡ଼ଚାଟ ଥିଲୁ । ଏୟା ଶିଖିଛୁ ଯେ ଗୁରୁଙ୍କୁ ଚାହା ଟୋପେ ଦେବୁ ନାହିଁ ।”
ଅମିୟ ସାର୍ ମିନତି ଦେବୀଙ୍କୁ କହିଲେ- “ମାଷ୍ଟ୍ରେ ପ୍ରଥମ ଚାହାକପ୍ କଥା ଭୁଲିସାରିଲେଣି ୟା’ ଭିତରେ । ଆଉ କପେ କରିଆଣ ।”
ମିନତିଦେବୀ ଭିତରକୁ ଗଲେ । ସୁବ୍ରତ ଓ ସୁମନ୍ତ ହାତଧୋଇ, ବସିଗଲେ ଖାଇବାକୁ । ମାଷ୍ଟ୍ରେ ତାଙ୍କ ଆଡ଼େ ବିସ୍ମୟରେ କିଛି ସମୟ ଚାହିଁ ରହିଲେ । ଯେମିତି ନୂଆ ଦେଖୁଛନ୍ତି । ଆଗରୁ ଦେଖିନଥିଲେ ।
ପଚାରିଲେ- “ଏ ପିଲା ଦୁହେଁ କିଏ ? ୟା’ଙ୍କ ନାଁ କ’ଣ ? ବାପାଙ୍କ ନାଁ କ’ଣ ? ଘର କୋଉ ଗାଁରେ ?'”
ସୁବ୍ରତ ସୁମନ୍ତ ଖାଉ ଖାଉ ତଳକୁ ମୁହଁ କରି ହସୁଥାନ୍ତି ନିରବରେ । ଖରାପ ଲାଗିଲା ଅମିୟସାର୍ଙ୍କୁ । କହିଲେ –
ହସ ନାହିଁ ପିଲାଏ । ମାଷ୍ଟ୍ରେଙ୍କର ଏଇଟା ଡିମେନ୍ସିଆ ରୋଗ । ପଚାଶରୁ ଅଶୀବର୍ଷ ବୟସରେ, ଏହି ରୋଗରେ କିଛି ଲୋକ ଆକ୍ରାନ୍ତ ହୁଅନ୍ତି । ଡିମେନ୍ସିଆର ଅର୍ଥ-ଦୀର୍ଘସ୍ଥାୟୀ ମାନସିକ ବିକୃତି, କିନ୍ତୁ ଏହା ପାଗଳାମି ନୁହେଁ । ଏ ରୋଗରେ ପୀଡ଼ିତ କାହାରି କାହାରି ବର୍ତ୍ତମାନ କଥା ଆଦୌ ମନେ ରହେନାହିଁ ଦୂର ଅତୀତ ନିର୍ଭୁଲ୍ ଭାବରେ ମନେରଖିଥାନ୍ତି, କହି ଯାଆନ୍ତି । ଯେମିତି ମାଷ୍ଟ୍ରେ ତୁମ ବାପଙ୍କ ସମ୍ୱନ୍ଧରେ କହିଲେ । କେହି କେହି ଅତୀତକୁ ଭୁଲିଯାଇ, ନିକଟକୁ ମନେ ରଖିଥାନ୍ତି । ମାଷ୍ଟ୍ରେ ପ୍ରଥମ ଶ୍ରେଣୀର ରୋଗୀ । ତାଙ୍କ ଦୁଇପୁଅ ଓ ନାତିମାନେ ଡାକ୍ତରୀ ଚିକିତ୍ସା ଲଗାଇ ରଖିଛନ୍ତି । ନଚେତ୍ ସେ ପାଗଳ ହେଇ ସାରନ୍ତେଣି, କ୍ରମାଗତ ଡିମେନ୍ସିଆରେ ଆକ୍ରାନ୍ତ ହେଇ ।
ଡିମେନ୍ସିଆର ଆଉ ଗୋଟେ ନାଁ ମଧ୍ୟ ଅଛି । ତାହା- ଆଲ୍ଜାଇମର୍ସ୍ । ନୋବେଲ୍ ପୁରସ୍କାର ଲାଭ କରିଥିବା ସ୍ନାୟୁ ବିଜ୍ଞାନୀ ଆଲ୍ଜାଇମର୍ ଏହି ରୋଗ ପ୍ରଥମେ ଚିହ୍ନଟ କରିଥିଲେ । ଭେଜଷ ବିଜ୍ଞାନୀ ତାଙ୍କରି ନାମାନୁସାରେ, ଏ ରୋଗର ନାମକରଣ କରିଛନ୍ତି- ଆଲ୍ଜାଇମରସ୍ (Alzheimer’s) । ଏହା ଅକାଳ ବାର୍ଦ୍ଧକ୍ୟ ଟାଣି ଆଣେ । ପୀଡ଼ିତ ବ୍ୟକ୍ତି ଜାଣିପାରେନି- ତା’ ଉପରେ ରୋଗର କି ପ୍ରଭାବ ପଡ଼ିଛି କି, ସେ ଅସ୍ୱଭାବିକ୍ ବ୍ୟବହାର କରୁଛି ।
ଏଣୁ, ତୁମେ ସବୁ କେବଳ ମାଷ୍ଟ୍ରେଙ୍କୁ ନୁହେଁ କୌଣସି ବିସ୍ମରଣଗ୍ରସ୍ତ ରୋଗୀକୁ ହସିବ ନାହିଁ । ବାର୍ଦ୍ଧକ୍ୟ ସମସ୍ତଙ୍କ ପାଇଁ ଅଛି ନା ।
ମିନତିଦେବୀ ଫ୍ଲାସ୍କରେ ଚାହା ଭର୍ତ୍ତିକରି, ଚାରିଟା ଖାଲି କପ୍ ଟ୍ରେ’ରେ ରଖି ପହଞ୍ଚିଲା କ୍ଷଣି କହିଲେ- “କ’ଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଦେଲଣି । ଶୁଣ- ତେଣେ ବୋଉ ମୋତେ ବହୁତ ହଇରାଣ କରୁଛନ୍ତି । ଏବେ ଏବେ ଖାଇବାକୁ ଦେଇ, ବିଛଣାରେ ଶୁଆଇଲି । ଶୋଇ ଶୋଇ ପାଟି କରୁଛନ୍ତି- ଡାକିକି ଗଲୁ, ଖାଇବାକୁ ଦେଉନାହୁଁ କାହିଁକି ? ବସି ବସି, ପିଠି କମର ବିନ୍ଧିଲାଣି । ଶୀଘ୍ର ଖାଇବାକୁ ଦେ’ ନ ଦେବୁ ତ ପଳେଇଯିବି ।”
ଅମିୟସାର୍ ତଟସ୍ଥ ହେଇଗଲେ ।
ବୋଉକୁ ବାହୁ ମୂଳରୁ ନ ଧରିଲେ ଉଠିପାରୁ ନାହିଁ । ଖାଇସାରି, ଖାଇବା ଭୁଲି ଯାଉଛି ଶୋଇଥିଲେ ବି ଖାଇବା ଜାଗାରୁ ଉଠି ପଳେଇବ ବୋଲି କହୁଛି । ବୋଉକୁ ବି କ’ଣ ଡିମେନ୍ସିଆ ହେଇଗଲା ? ବୟସକୁ ବିଶ୍ୱାସ କ’ଣ କେତେବେଳେ କି ରଙ୍ଗ ଦେଖାଇବା ।
ସେ ସଙ୍ଗେ ସଙ୍ଗେ ଭିତରକୁ ଯାଇ, ବୋଉ ଖଟର ବିଛଣା ଧାରରେ ବସିଲେ । ଆଉଁଶି ଦେଲେ ପିଠି, ଛାତି, ଗୋଡ଼କୁ ।
ବୋଉ ପଚାରିଲେ- “ତୁ କିଏ ଆରେ ?”
– ଅମି ପରା । ତୋ ପାଗଳା । ଚିହ୍ନି ପାରୁନୁ ।
– ଆରେ ପାଗଳା ! ମତେ ଯମ ଡାକିଲାଣି । ତୁ ବାହା ହଉନୁ । କ’ଣ ବୁଢ଼ା ହେଲେ ବାହାହବୁ ? ମୁଁ ନାତି ନାତୁଣୀ ଦେଖିବି କେବେ ? କ’ଣ ମଲା ପରେ ?
ସ୍କୁଲ୍କୁ ବାହାରିଥିଲା- ଅଣନାତୁଣୀ ପ୍ରଜ୍ଞା । ସପ୍ତମ ଶ୍ରେଣୀରେ ପଢ଼େ । କହିଲା- ମା’ ! ମୁଁ ପରା ତମ ନାତିଙ୍କ ଝିଅ ତମର ଅଣନାତୁଣୀ ।
ତାକୁ କିଛି ସମୟ ଯାଏ ଚାହିଁଲା ପରେ, ବୁଢ଼ୀ ପଚାରିଲେ- “ଆରେ ପାଗଳା ! ଇଏ କିଏ ?”
ଅମିୟସାର୍ଙ୍କ ଆଖି ଭିଜିଆସିଲା ।