Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Romance

3  

Deepak Sarangi

Romance

ପ୍ରେମ ବର୍ଷା ଓ ଫେବିକଲ

ପ୍ରେମ ବର୍ଷା ଓ ଫେବିକଲ

5 mins
7.5K



ଦୀପକ ଷଡଙ୍ଗୀ

ଆଷାଢ ମାସର ପ୍ରଥମ ମୌସୁମୀ ବର୍ଷା ଉତ୍ତପ୍ତ ଧରାପୃଷ୍ଠକୁ ଟିକିଏ ଶାନ୍ତି ଦେଇଥିଲା ନିଶ୍ଚୟ; କିନ୍ତୁ ଏଇ ବର୍ଷା ଦିନେ ରୋହନର ଜୀବନ ପାଇଁ ଆଣିଥିଲା ଶ୍ରାବଣର ସବୁଜିମା ଓ ପ୍ରଳୟଙ୍କରୀ ବନ୍ୟା । ବାଣୀବିହାରର ରସାୟନ ବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ରୋହନ ମିଶ୍ର, ଗୋପବନ୍ଧୁ ଛାତ୍ରାବାସର ପ୍ରଥମ ମହଲାର ୪୫ ନମ୍ବର ରୁମରୁ ଅଧା ଖୋଲା ଝରକା ବାଟେ ଦିଶୁ ଥିବା ବର୍ଷା କୁ ଦେଖି ପୃଷ୍ଠା ଲେଉଟାଇ ଚାଲି ଥିଲା ତାର ୭ ବର୍ଷ ତଳର ଅତୀତର ସେଇ ପୁରୁଣା ବହିକୁ.......

+୨ ପ୍ରଥମ ବର୍ଷରେ ନାମ ଲେଖିବାକୁ ରୋହନ ତା ବାପାଙ୍କ ସହିତ ବର୍ଷାରେ ଭିଜିଭିଜି ଆସିଥିଲା କଟକର ଖ୍ରୀଷ୍ଟ ମହାବିଦ୍ୟାଳୟକୁ , ଲାଷ୍ଟ ସିଲେକସନରେ ତା ନାଁ ଆସିଥାଏ । ତା ବାପା ନେଇ ସବୁ ସାର୍ଟିଫିକେଟ ଏଡମିଶନ କାଉଣ୍ଟର ରେ ଜମା କରାଉ ଥାଆନ୍ତି । ରୋହନ ଛିଡା ହୋଇ ଥାଏ ତା ବାପାଙ୍କ ସାଇଡରେ । କାଉଣ୍ଟର ଭିତରୁ କର୍ମଚାରୀ ଜଣକ କହିଲେ ପୁଅର ଆଉ ଦୁଇଟା ଫଟୋ ଲାଗିବ, ଏଡମିଶନ ଫର୍ମରେ ତାକୁ କୁହନ୍ତୁ “ଫର୍ମର ଫ୍ରଣ୍ଟରେ ଦୁଇଟା ଫଟୋ ଅଠାରେ ଲଗେଇ ତା ଉପରେ ନିଜର ସାଇନ କରିବ” । ବାପା ଆସି ରୋହନକୁ କହିଲେ “ଫର୍ମରେ ଫଟୋ ଲଗେଇ ସାଇନ କରି ଦେ” । ରୋହନ ଫଟୋ ଲଗେଇବା ପାଇଁ ତା ବ୍ୟାଗ ଅଣ୍ଡାଳିଲା, କିନ୍ତୁ ଏ କଣ ଫେଭି କୁଇକ ତ ଆଣିନି । ବାପାଙ୍କୁ କହିଲେ ବାପା ଚିଡିବେ ବିରକ୍ତ ହେବେ , ସେ ଦେଖିଲା ଯେ ବାପା କାଉଣ୍ଟରର କର୍ମଚାରୀ ଜଣକ ସହ କଥା ହେଉଛନ୍ତି , ଏ ମଉକା ନେଇ ସେ ଚାଲିଗଲା ଟିକେ ଫେଭି କୁଇକ ଯୋଗାଡ କରିବା ପାଇଁ । ବାହାରେ ପ୍ରବଳ ବର୍ଷା ,କୁଆଡେ ଯିବ ଦୋକାନକୁ ଗଲେ ଫର୍ମ ସବୁ ବର୍ଷାରେ ଓଦା ହୋଇଯିବ । କଲେଜ ବାରଣ୍ଡାରେ ଛିଡା ହୋଇ କଣ କରିବ ବୋଲି ଭାବିଲା ବେଳକୁ ତାର ଆଖି ପଡିଲା ଆର୍ଟସ ବ୍ଲକର ଏଡମିଶନ କାଉଣ୍ଟରରେ , ସେଠି ମଧ୍ୟ କିଛି ଲୋକ ଫର୍ମ କାଉଣ୍ଟରରେ ଦାଖଲ କରିବା ପାଇଁ ଲାଇନରେ ଛିଡା ହୋଇଥାନ୍ତି । ସେ ଗଲା ସେ କାଉଣ୍ଟର ଆଡକୁ ,ଦେଖିଲା ଗୋଟେ ଗୋଲାପି ରଙ୍ଗର ଡ୍ରେସ ପିନ୍ଧି ଥିବା ଝିଅ ହାତରେ ସାର୍ଟିଫିକେଟ ଜରି ଧରି ଛିଡା ହୋଇଛି ,ସେ ବର୍ଷା ରେ ଅଳ୍ପ ଅଳ୍ପ ଓଦା ହୋଇ ଯାଇଛି ,ତା ଓଦା ହୋଇଯାଇ ଥିବା ଚୁଟିରୁ ଟିକେ ଟିକେ ପାଣି ଗଳି ପଡୁଛି ,ଓଦା ହେଇ ଯାଇ ଥିବା ଚୂନିଟାକୁ ଧୀରେ ଧୀରେ ସାଇଜ କରୁଛି, ଧଳା ରୁମାଲ ବ୍ୟାଗରୁ ବାହାର କରି ତା ତୋଫା ଗୋରା ମୁହଁଟାକୁ ପୋଛୁଛି । ରୋହନ ଧୀରେ ଯାଇ ତା ପାଖେ ଛିଡା ହେଲା ଆଉ ପଚାରିଲା “ଫେଭି କୁଇକ ଅଛି କି”? ଆଉ କିଛି ରୋହନ ପଚାରିବା ପୂର୍ବରୁ ଝିଅଟି ଜରିରୁ ଫେଭି କୁଇକଟି କାଢି ରୋହନ ହାତକୁ ବଢାଇ ଦେଲା , ତରତରରେ କାଢିଲା ବେଳକୁ ତା ମାଟ୍ରିକ ସାର୍ଟିଫିକେଟର ଜେରକ୍ସ କପିଟା ଜରିରୁ ବାହାରି ଆସି ତଳେ ପଡିଲା , ରୋହନର ନଜର ତା ଉପରେ ପଡିଲା ଲେଖା ଥିଲା “ସୁରଭି ପଣ୍ଡା” ଆଉ କିଛି ପଢିବା ପୂର୍ବରୁ ଚଟ କରି ଝିଅଟି ସାର୍ଟିଫିକେଟଟା ତଳୁ ଉଠେଇ ନେଇ ଜରିରେ ରଖି ଦେଲା , ରୋହନ ସେଇଠି ଫେଭି କୁଇକରେ ତା ଫଟୋକୁ ଫର୍ମ ରେ ଲଗେଇ ଝିଅଟିକୁ ଫେଭି କୁଇକ ଫେରାଇ ଦେଲା ଓ ଥ୍ୟାଙ୍କୁ ବୋଲି କହିଲା ଓ ଝିଅଟି ପ୍ରତି ଉତ୍ତରରେ ନୋ ମେନସନ ବୋଲି କହି ଟିକେ ହସି ଦେଲା , ରୋହନ ବି ଟିକେ ହସି ଦେଇ ତା ଠାରୁ ବିଦାୟ ନେଲା , ସୁରଭିର ସେଇ ହସ ଟିକକ କିନ୍ତୁ ରୋହନର କୈଶୋର ହୃଦୟରେ ଆଣିଦେଲା ପ୍ରଥମ ପ୍ରେମର ଉତୁଙ୍ଗ ମାଦକତା ।

ଏଡମିଶନ ସରିଲା ଅଗଷ୍ଟ ମାସ ଆରମ୍ଭରୁ କ୍ଲାସ ଆରମ୍ଭ ହେବ ବୋଲି ଜଣେଇବି ଦିଆଗଲା, ସେଦିନ ରାତିରେ କିନ୍ତୁ ଆଉ ରୋହନ ଶୋଇ ପାରିଲା ନାହିଁ, ତାର ହୃଦୟ ଓ ମନ କିଛି ଗୋଟେ ଅଶାନ୍ତ ହେବାର ସେ ଠିକ ଅନୁମାନ କରିପାରୁଥିଲା । ଅଗଷ୍ଟ ମାସ ଆରମ୍ଭ ହେଲା ସେ ତା ସାଇକେଲ ଧରି ବାହାରିଲା କଲେଜକୁ ପ୍ରଥମ କଲେଜର ପ୍ରଥମ ଦିନ ଟିକେ ଡର ମାଡ଼ୁଥାଏ ତାକୁ କ୍ଲାସରେ ବସିଲା କ୍ଲାସ ଦିନ ୩ ଟା ରେ ସରିଲା; କିନ୍ତୁ ତାର ଆଖି ଖୋଜି ବୁଲୁ ଥାଏ ସୁରଭିକୁ ,ଆର୍ଟସ ବ୍ଲକ ଆଡକୁ ଗଲା ତଥାପି ତାର ଟିକେ ଝଲକ ସେ ପାଇ ପାରିଲା ନାହିଁ ।  ନିରାଶ ହୋଇ ଫେରିଲା । ସେଇ ଚେହେରାକୁ ଟିକେ ଆଉ ଥରେ ଦେଖିବା ପାଇଁ ସତେ ଯେମିତି ସେ ବ୍ୟାକୁଳ ହୋଇ ଉଠୁଥିଲା । ଷ୍ଟାଣ୍ଡରୁ ସାଇକେଲକୁ ବାହାର କଲା , କଲେଜରୁ ଚାଲିଲା ଘର ଆଡକୁ ,ହଠାତ ତା ନଜର ପଡିଲା ସୁରଭି ଉପରେ । ବହି ଦୋକାନରେ ଛିଡା ହୋଇଛି ସେ କିଛି କିଣାକିଣି କରୁଛି, ରୋହନ ଗଲା ସେ ବହି ଦୋକାନ ଆଡକୁ ; କିନ୍ତୁ ଭିତରକୁ ନ ଯାଇ ବାହାରେ ଆପେକ୍ଷା କଲା । ସୁରଭି କିଣାକିଣି ସାରି ବାହାରକୁ ଆସିଲା ରୋହନକୁ ଦେଖି ବୋଧେ ସେ ତାକୁ ଚିହ୍ନି ପାରିଲା ; ସେଥିପାଇଁ ଟିକେ ହସି ଦେଲା ଏଥର ରୋହନ ସାହସ ସଞ୍ଚୟ କରି ତା ପାଖକୁ ଗଲା ପଚାରିଲା “ଆରେ ତମେ ଏଠି” ! ସୁରଭି କହିଲା “ହଁ ବହି କିଣିବାକୁ ଆସିଥିଲି” ଆଉ ତୁମର ଆର୍ଟସ ,ସାୟେନ୍ସ ନା କମରସ? ରୋହନ କହିଲା “ସାୟେନ୍ସ” ଆଉ ତୁମର କେଉଁ ସ୍ଟ୍ରୀମ? ସୁରଭି କହିଲା “ଆର୍ଟସ ! ଆଛା ତୁମ ଘର କଣ ଏଇଠି”? ରୋଶନ କହିଲା “ହଁ ଏଇ ଚଣ୍ଡୀ ଛକ ପାଖରେ ଆଉ ତୁମର” ? ସୁରଭି “ଆମ ଘର ଏଇ ବକ୍ସି ବଜାରରେ” ଏଇମିତି କିଛି ସମୟ ଗପସପ ହେଉହେଉ ଚାଲିଲେ ଦୁଇ ଜଣ । ଚଣ୍ଡୀ ଛକର ଚାରି ଛକରେ ଦୁଇ ଜଣ ଅଲଗା ହେଇ ଚାଲିଗଲେ କିନ୍ତୁ କଥା ଦେଲେ ଯେ ଏଥର ସବୁ ଦିନେ ଏକା ସମୟରେ ଏଇ ଚାରି ଛକ ପାଖରୁ ମିଶିକି କଲେଜ ଯିବେ ବୋଲି ଆଉ ସେଇଆ ହିଁ ହେଲା । ରୋହନ ଆଉ ସୁରଭିର ବନ୍ଧୁତା ଧୀରେଧୀରେ ପ୍ରେମ ଆଡକୁ ଆଗେଇଲା । କୈଶୋର ବୟସର ପ୍ରଥମ ପ୍ରେମ ରୋହନକୁ ଲାଗୁଥାଏ ଯେମିତି ସେ ଏକ ନୂଆ ଦୁନିଆର ପ୍ରେମର ମତୁଆଲା ବିହଙ୍ଗ ।

 ଏମିତି କଟିଗଲା ଦୁଇବର୍ଷ ତାପରେ ଆସିଲା +୩ ବର୍ଷ । ଏଇ ବିଗତ ଦୁଇ ବର୍ଷରେ ରୋହନ ଆଉ ସୁରଭିର ପ୍ରେମ ହୋଇ ଯାଇ ଥାଏ ଆହୁରି ନିବିଡ । +୩ରେ ମଧ୍ୟ ଦୁଇ ଜଣ ସେଇ ଏକା କଲେଜରେ ରୋହନ ନେଲା ରସାୟନ ବିଜ୍ଞାନର ଅନର୍ସ ଓ ସୁରଭି ନେଲା ଅର୍ଥନୀତିର ଅନର୍ସ ଧୀରେଧୀରେ ତାଙ୍କ ଦୁଇ ଜଣଙ୍କ ପ୍ରେମ ପାଲଟି ଯାଇ ଥିଲା ଅନ୍ୟ ପ୍ରେମୀ ଯୁଗଳ ମାନଙ୍କ ପାଇଁ ଉଦାହରଣ । କଲେଜର ବାର୍ଷିକ ଉତ୍ସବ ହେଉ ଅବା ଯେ କୌଣସି ସଂସ୍କୃତିକ ଅନୁଷ୍ଠାନ ରୋହନ ଓ ସୁରଭିର ଉପସ୍ଥିତି ସମସ୍ତଙ୍କୁ ପ୍ରେମର ଶିକ୍ଷା ଦେଇ ଯାଉ ଥିଲା , କିନ୍ତୁ +୩ ଶେଷବର୍ଷରେ ତାଙ୍କ ପ୍ରେମରେ କାହାର ନଜର ଲାଗି ଯାଇ ଥିଲା । ସୁରଭିର ଘରେ କିଛି ଲୋକ ଜାଣିଯାଇ ଯାଇ ଥିଲେ, ସୁରଭି ଓ ରୋହନର ସମ୍ପର୍କ ବିଷୟରେ । ତାଙ୍କ ବିଷୟରେ ସବୁ ଜାଣିବା ପରେ ସୁରଭିର ବାପା ସୁରଭିର କଲେଜ ଯିବା ଓ ଘରୁ ବାହାରିବା ବନ୍ଦ କରିଦେଲେ ; ଯଦିଓ ସୁରଭି କଲେଜ ଆସୁଥିଲା ତାକୁ ତାଙ୍କର ଘରର ଜଣେ ସଦସ୍ୟ ନେବା ଆଣିବା କରୁଥିଲା ରୋହନ ଚାହୁଁ ନଥିଲା ଯେ ତାଙ୍କ ଘର ସଦସ୍ୟ ଆଗରେ ସେ ସୁରଭି ଆଗକୁ ଯାଉ ଓ କିଛି ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉ ବୋଲି । ମୋବାଇଲରେ ବି ଯୋଗାଯୋଗ ସମ୍ଭବ ହୋଇ ପାରୁ ନଥିଲା । +୩ ପରୀକ୍ଷା ଶେଷ ହେବା ଦିନ ସୁରଭିର ସାଙ୍ଗ ଠାରୁ ରୋହନ ଜାଣିବାକୁ ପାଇଲା ଯେ ଆସନ୍ତା ମାସରେ ସୁରଭିର ବାହାଘର ମୁମ୍ବାଇରେ ଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ସହ ସ୍ଥିର ହେଇଛି ବୋଲି ,ସେ ପିଲା ହେଉଛି ସୁରଭିର ବାପାଙ୍କର ଜଣେ ଘନିଷ୍ଠ ବନ୍ଧୁର ଏକ ମାତ୍ର ପୁଅ ,କଥାଟା ଶୁଣି ରୋହନର ପାଦତଳୁ ଭୂମି ଖସିଗଲା ଭଳି ମନେ ହେଲା ; ତାକୁ ବେଶି କଷ୍ଟ ଲାଗିଲା ଯେ ଏତେ ସବୁ କଥା ଆଗେଇ ଗଲା ପରେ ମଧ୍ୟ ସୁରଭି ତା ସହ ଟିକେ ଯୋଗାଯୋଗ କରିବାକୁ ଚେଷ୍ଟା ବି କଲାନି । ତାର ମନେ ହେଉ ଥିଲା ଯେମିତି ତା ଉପରେ ପୁରା ଆକାଶଟା ଛିଡି ପଡିବ । ଆଉ ଠିକ ସେତିକି ବେଳେ ଖୁବ ଜୋରରେ ଘଡଘଡି ସହ ବର୍ଷା ହେଲା । ଅସ୍ଥିର ମନରେ ଭଙ୍ଗା ହୃଦୟ ନେଇ ରୋହନ ବର୍ଷାରେ ଫେରୁଥିବା ବେଳେ ତାର ମୁହାଁମୁହିଁ ଧକା ହୁଏ ଏକ ଟ୍ରକ ସହ ,ସାତ ଦିନ ପରେ ସେ ଯେତେବେଳେ ତାର ଚେତା ଫେରିପାଏ ,ନିଜକୁ ପାଏ କଟକ ମେଡିକାଲର ଖଟିଆ ଉପରେ , ଦେଖେ ଯେ ତାର ଦୁର୍ଘଟଣାରେ ଡାହାଣ ଗୋଡଟି ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି ।ରୋହନ ଭାଇ.... ! ! ବର୍ଷା ଟିକେ କମିଲାଣି ପରା କ୍ଲାସ ଯିବାନି କି? ଆଜି ବା ଚକ୍ରବର୍ତୀ ସାରଙ୍କ ଇମ୍ପୋନ୍ଟାଟ କ୍ଲାସ ଅଛି କେମିକାଲ ବଣ୍ଡିଙ୍ଗର? ସଂବିତ ଫେରି ପାଇଲା ରୋହନ.... ପଛକୁ ବୁଲିକି ଦେଖେ ତ ତାଠାରୁ ୩ବର୍ଷ ସାନ ତା ରୁମମେଟ ସୁବାସ କ୍ଲାସ ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଲାଣି । ଆରେ ହଁ....ଚାଲ “ମୋ ଗୋଡଟା ସେଇ କବାଟ ପାଖରେ ଅଛି ଆଣିକି ମୋତେ ଟିକେ ପିନ୍ଧେଇ ଦେ” । ସୁବାସ ଧୀରେ ଯାଇ ରୋହନର ପ୍ଲାଷ୍ଟିକ ଗୋଡଟା ଆଣି ତା ଆଣ୍ଠୁ ସହ କ୍ଲିପ ରେ ଯୋଡି ଦେଲା ....ଏଥର ଯିବା ରୋହନ ଭାଇ ? ହଁ... ହଁ ଚାଲ ଆରେ ରହରହ ! ଏ ବର୍ଷାଟା ପରା ପୁଣି ଆରମ୍ଭ ହେଇ ଗଲାଣି ... ତୁ ଛତାଟା ସାଙ୍ଗରେ ଆଣିଥା । ଦୁହେଁ ଚାଲିଲେ ରସାୟନ ବିଜ୍ଞାନ ବିଭାଗକୁ । ଆଉ ହଷ୍ଟେଲ ପାଖ ଗୋବିନ୍ଦ ସାହୁ ଜଳଖିଆ ଦୋକାନର ଏଫଏମରୁ ଭାସି ଆସୁଥିଲା ଦବଙ୍ଗ୨ ର ସେଇ ଲୋକପ୍ରିୟ ଗୀତ “ମେରେ ଫୋଟୋ କୋ ସୀନେ ସେ ୟାର ଚିପକାଲେ ସଇଁୟା ଫେଭିକଲ ସେ” ।ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


Rate this content
Log in

Similar oriya story from Romance