Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବେସୁରା ରାଗିଣୀ
ବେସୁରା ରାଗିଣୀ
★★★★★

© SIPRA NAMTA

Others

10 Minutes   429    42


Content Ranking

ସପିଙ୍ଗ ମଲ ରୁ ବାହାରିବା ବେଳକୁ ସାଗରିକା କୁ ହଠାତ ରାସ୍ତା ରୋକୋ ,ପୋଡା ଜଳା ,ଭଙ୍ଗା ରୁଜା ଭଳି ଘଟଣା ର ସମ୍ମୁଖୀନ ହେବାକୁ ପଡିଲା । ସେ ପୁଣି ରାସ୍ତା କଡ ରୁ ମଲ ଭିତରକୁ ପଶି ଆସିଲା ।ସିକ୍ୟୁରିଟି କହିଲା ,"ମ୍ୟାଡାମ କିଛି ସମୟ ରହିଯାନ୍ତୁ ,ଟିକେ ନର୍ମାଲ ହୋଇଗଲେ ଚାଲିଯିବେ ।"

ମନେ ମନେ ଭାବିଲା ସେ, ହଁ ଠିକ୍ କଥା ଟି କହିଛି ସିକ୍ୟୁରିଟି ।

ସିକ୍ୟୁରିଟି ତା ସିଟ ରେ ଯାଇ ବସିଗଲା ।ଆଉ ପକେଟ ଅଣ୍ଡାଳୁ ଥିବାର ,ଲକ୍ଷ୍ୟ କରୁଥାଏ ସାଗରିକା ।ଭାରି ବ୍ୟସ୍ତ ଲାଗୁଥାଏ ।ସିଟ ରୁ ଉଠିପଡ଼ି ଚାରିଆଡ଼କୁ ଈଷତ ନଜର ଘୁରାଇ ଆଣୁ ଥିଲା ବେଳେ କିଛି ଗୋଟାଏ ପାଇଯିବାର ଖୁସି ରେ ଆଖି ଦୁଇଟା ବଡ ହୋଇଗଲା । ଘଟଣା ଚକ୍ର ରେ ସେ ଗେଟ ବାହାର କୁ ଆସିଥିଲା ବେଳେ ଭିଡ ଭିତରେ ଗୋଳମାଳ ରେ ପକେଟ ରୁ ଫୋନ ଟି ପଡି ଯାଇଥିଲା ।ଯାହା ହେଉ ବଞ୍ଚିଗଲା ମଣିଷ ...ଓଃ ହୋ ...ସତ ରେ ,କଣ ଯେ ହୋଇଥାନ୍ତା ଏଇନେ !!

ସାଗରିକା ସିକ୍ୟୁରିଟି ର ସ୍ୱାଗତୋକ୍ତି ରୁ ତା 'ର ଅସହାୟତା ଓ ଦାରିଦ୍ର୍ୟ କୁ ନିଜର ଅତୀତ ଜୀବନ ସହ ତୁଳନା କରୁଥାଏ ।ସତ ରେ କଣ ଏମାନେ ମଣିଷ ? କେବଳ ନିଜର ପାରିବା ପଣିଆ କୁ ବନ୍ଧା ରଖି ଶାସନ କଳରେ ପେଷି ହୋଇଯିବା ହିଁ ହେଉଛି ଜୀବନ ।ହଁ ,ଜୀବନ ଏମିତି ସବୁବେଳେ କିଛି ନା କିଛି ଘଟଣା ପ୍ରବାହ ରେ ଚାଲିଥାଏ ।ଭଲ ହେଉ କି ମନ୍ଦ ହେଉ ।ଦୁଇ ଦୁଇଟା ପୋଲିସ ଗାଡି ସାଇରନ ମାରି ଚାଲିଗଲେ ।ମଲ ରେ ମଧ୍ୟ କୁହାସରିଲାଣି କଷ୍ଟମର ମାନେ ଶୀଘ୍ର ବିଲ କରି ନେଇ ପ୍ରସ୍ଥାନ କରନ୍ତୁ ,ମଲ କୁ ବନ୍ଦ କରାଯିବ । ସାଗରିକା ସଚେତନ ହେଲା ।ଏଠୁ ବହାରିଯିବା ପାଇଁ ତାକୁ ମଧ୍ୟ କିଛି ନା କିଛି ବ୍ୟବସ୍ଥା କରିବାକୁ ହେବ ନିଶ୍ଚୟ ।ଯଦିଓ ତା ପାଇଁ ବ୍ୟସ୍ତ ହେବାକୁ କେହି ନାହାନ୍ତି ,ତଥାପି ଜଣେ ବୃଦ୍ଧା ଙ୍କୁ ରଖିଛି ନିଜ ପାଖରେ ।ଝିଅ ଗୋଟିଏ କୁ ପାଳିଛି ଅନେକ ଶିଶୁ ଅବସ୍ଥାରୁ ।ଏବେ ଦେଶ ବାହାରେ ପଢୁଛି ।ଷ୍ଟାଇପେଣ୍ଡ ପାଉଛି ।ସାଗରିକା ବିଶେଷ ଶିକ୍ଷିତା ନୁହେଁ ,ତେଣୁ ବେଶୀ ବଡ ବଡ ସଂସ୍ଥାର ଘଟଣା ତଥା ସେ ସମ୍ପର୍କିତ ସୂତ୍ର ଗୁଡିକୁ ମନେ ରଖିପାରେ ନାହିଁ ।ତେଣୁ ସ୍ପଷ୍ଟ ଭାବେ କାହାକୁ କିଛି ବୁଝାଇ କହିପାରେନା ସେ ।

------------- -------------- --------------

ବାପା ମାଆ ଙ୍କ ଇଛା ରେ ବିବାହ କରିଥିଲା ସେ କିନ୍ତୁ ,ତା ଭାଗ୍ୟ ରେ କୌଣସି ପ୍ରକାର ସୁଖ ନ ଥିଲା ଯେମିତି ।

ସାଗରିକା ର ଦର୍ଶନ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଥିଲା ତେଣୁ ସ୍ୱାମୀ ଛାଡପତ୍ର ଦେଇ ଅଲଗା ହୋଇଗଲେ ।କୌଣସି ଆପତ୍ତି କିମ୍ବା ଅଭିଯୋଗ କରି ନ ଥିଲା ସେ ।ଯେଉଁଠି ମନ ର ମେଳ ନାହିଁ ସେଠାରେ ଏକତ୍ର ରହିବାରେ କିଛି ପ୍ରୟୋଜନ ନାହିଁ ବୋଲି ଧରି ନେଲା ସେ । କିନ୍ତୁ ଏଥିପାଇଁ ତାକୁ ବହୁମୂଲ୍ୟ ଦେବାକୁ ପଡିଛି । ସମାଜ ର ଅନେକ କଟୁଉକ୍ତି କୁ ନୀରବ ରେ ସହିନେଇ ବାଟ ଚାଲି ବାକୁ ପଡିଛି । ଅନେକ ଲାଂଛନା ,ଅପବାଦ , ତାତ୍ସଲ୍ୟ ,ଛି ..ଛାକର , ଶୁଣି ଶୁଣି ପଥର ପାଲଟିଛି ସେ ।ତଥାପି ହାର ମାନି ନାହିଁ ।ଯୋଗ୍ୟତା ର ମାପ କାଠିରେ ପରିବର୍ତ୍ତନ ଆଣିଛି ।ଏଥିପାଇଁ ଅନେକ କଷ୍ଟ ,ଅନେକ ସାଧନା କରିବାକୁ ପଡିଛି ତାକୁ । ପରେ ପରେ ଅନେକ ପରିବର୍ତ୍ତନ ଆସିଛି ସମାଜ ରେ ମଧ୍ୟ । ପରିବାର ରୁ ହରାଇଥିବା ପ୍ରତିଷ୍ଠା ପୁଣି ଥରେ ଫେରାଇ ଆଣିବା ରେ ସକ୍ଷମ ହୋଇଥିଲା ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ।

ସେଦିନ ମିସେସ ମହାପାତ୍ର କହିଲେ ,--ସାଗର ର ଗଭୀରତା କୁ ଯେମିତି ମପା ଯାଇ ପାରେ ନାହିଁ ଠିକ୍ ସେମିତି ତୁମ ଭିତରେ କଣ ଚାଲିଥାଏ ସବୁବେଳେ ବୁଝିବା କଷ୍ଟ ଆଉ ତୁମ ହୃଦୟ ର ଗଭୀରତା କୁ ମଧ୍ୟ ମାପିବା କଷ୍ଟ ।

--କାହିଁକି ଏମିତି କହୁଛନ୍ତି ? ମୁଁ ସେମିତି କଣ ବଡ କାମ ଟେ କରିଦେଇଛି କି ? କହିଲା ସାଗରିକା ।

--ଏକୁଟିଆ ଏତେ ବଡ ସଂସାରରେ ତୁମେ ଏକା ଏକା କେମିତି ନିଷ୍ପତ୍ତି ନେଇପାର ?

--ଏକା ଆଉ କୋଉଠି ଯେ ?,ଏଇ ତ ମୋ ଚାରିକଡେ ଆପଣ ମାନେ ସମସ୍ତେ ଅଛନ୍ତି । ସବୁବେଳେ ଏମିତି ଚିରହରିତ

ଅରଣ୍ୟ ମଧ୍ୟରେ ଏମିତି ମୋ ଜୀବନ କଟିଯାଉ ,ଏଇୟା ହିଁ ଭଗବାନ ଙ୍କ ପାଖରେ ମିନତୀ ।

,,,,,, ହଁ ,ସେ ସବୁବେଳେ ଚିରହରିତ ରହିବାର ସ୍ବପ୍ନ ଦେଖେ ।ଅନେକ ସୋସିଆଲ ୱାର୍କ କରେ ।ସେଇ କରିବା ଟା ସତରେ କଣ ତା'ର ମାନସିକତା ନା ସମୟ ର ଯଥାର୍ଥ ଉପଯୋଗ !

ୟା ଭିତରୁ କେଉଁଟା ଠିକ୍ ବୁଝିପାରେନି ସେ ଅନେକ ସମୟରେ ।ନିଜ ଭିତରେ ଯେଉଁ ଖାଲିପଣ ସୃଷ୍ଟି ହୋଇଥିଲା ସ୍ୱାମୀ ପରିତ୍ୟାଗ କରିବା ପରେ ସେଇ ପରିସ୍ଥିତିରେ ଅନେକ କିଛି ର ସମ୍ମୁଖୀନ୍ନ ହେବାକୁ ପଡିଥିଲା ,ଆଉ ସେଇସବୁ."କିଛି " କୁ ମୁକାବିଲା କରିବାକୁ ଆପ୍ରାଣ ଚେଷ୍ଟା କରିଥିଲା ସେ ।।

ଜନୈକ ସହୃଦୟ ବ୍ୟକ୍ତି ମିଳିଥିଲେ ଦ୍ଵିତୀୟ ବିବାହ ନିମନ୍ତେ କିନ୍ତୁ ତାଙ୍କର ସଂଗୁପ୍ତ ଇଛା କୁ ବୁଝିପାରି ସେଥିରୁ ଓହରି ଆସିଥିଲା ସେ ।ତାଙ୍କର ଦୁଇ ସନ୍ତାନ ମାତୃହରା ହେବା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ମାତୃତ୍ବ ର ସ୍ନେହ ପ୍ରତ୍ୟର୍ପଣ ପାଇଁ ସାଗରିକା କୁ ତା'ର ଗର୍ଭାଶୟ ଟି କୁ କାଟିଦେଇ ଫିଙ୍ଗିଦେବାକୁ ପଡିବ ।

ହେଲେ ସେଥିରେ କିଛି ବି ଆପତ୍ତି ନ ଥିଲା ତା'ର ।କିନ୍ତୁ କୌଣସି ଏକ କାମ ରୁ ଫେରିବା ରାସ୍ତା ରେ ଝିଅଟି ଏ କୁ ଦେଖି

ତା'ଲୁହ ଛଳ ଛଳ କାନ୍ଦୁରା ମୁହଁ ର ହତାସିଆ ଭାଵ କୁ ଦେଖି ଛାତି କରତି ହୋଇଯାଇଥିଲା ।ସେ ଝିଅକୁ କୋଳ ରେ ଆଉଜାଇ ଆଣିଥିଲେ ମଧ୍ୟ ପୋଲିସ ରେ ଖବର ଦେଇ ଶେଷରେ ଦାବୀଦାର କେହି ନ ମିଳିବାରୁ ନିଜ ପାଖରେ ରଖି ବାର ନିଷ୍ପତ୍ତି ନେଇଥିଲା । ସେତେବେଳେ ଏଇ ଶିଶୁ ପାଇଁ ମାଆ ର ଆବଶ୍ୟକତା ଅଧିକ ବୋଲି ତାକୁ ଲାଗିଲା ।ତେଣୁ ସେ ଭଦ୍ରବ୍ୟକ୍ତିଙ୍କ ପ୍ରସ୍ତାବ କୁ ପ୍ରତାଖ୍ୟାନ କରିଦେଇ ଥିଲା ।

ଝିଅ ମାନଙ୍କ ପାଇଁ ନିରାପତ୍ତା ହିଁ ଏ ଦୁନିଆ ରେ ମହରଗ ।ସବୁକିଛି ମିଳିପାରେ ଅର୍ଥ ବଦଳ ରେ କିନ୍ତୁ ନିରାପତ୍ତା ନୁହେଁ ।ଲକ୍ଷ୍ୟହୀନ ଭାବେ ଅନେକ ସ୍ଥାନ ବୁଲିଛି ସାଗରିକା ।ସବୁଠି ଦେଖିଛି ସେଇ ଗୋଟେ ଅସହାୟତା ଓ ଦୁସ୍ଥ କରୁଣ ଚିତ୍ର ।ନିଜର ଅତୀତ ଟା ବି ତ ଅନେକ ମୁହୂର୍ତ୍ତରେ ଖିନଭିନ ହୋଇଯାଇଛି ।ଲଜ୍ଜା ଲାଗେ ଏମିତି ଏକ ସମାଜ ରେ ରହିଥିବା ଯୋଗୁଁ ।ଯୋଉଠି ପୁରୁଷ ନିଜର ସତ୍ତା କୁ ବଜାୟ ରଖିବା ପାଇଁ ସବୁକିଛି କରିପାରେ ।ଶାନ୍ତି ଲାଭ ପାଇଁ ଯୋଗୀ, ମୁନି ଙ୍କ ଆଶ୍ରମ ଯିବା ମଧ୍ୟ ନିରାପଦ ନୁହେଁ ।ଏମିତି କିଛି ଦଳିତ ମହିଳା ଙ୍କୁ ଏକଜୁଟ କରିବାକୁ ଅବଶେଷରେ ସଫଳ ହୋଇଥିଲା ସେ । ସେଇ ଲାଂଛିତା ପୀଡିତା ମାନଙ୍କ ର ମନୋବେଦନା କୁ ସାହସ ରେ ରୂପାନ୍ତରିତ କରିବାରେ ଅନେକ ପ୍ରୟାସ କରିବାକୁ ପଡିଥିଲା ।ବିଭିନ୍ନ ସ୍ଥାନରୁ ପତିତା ମାନଙ୍କୁ ଏକଜୁଟ କରିବା କିଛି କମ କଥା ନୁହଁ ।ଅନେକ ଘାତ ,ପ୍ରତିଘାତ ତଥା ନିଜର ଶାରୀରିକ ,ମାନସିକ ଆଘାତ କୁ ଖାତିର ନ କରି ପ୍ରଥମ ପଦକ୍ଷେପ ରେ ସେ ଏକ ନୂତନ ଦିଗ ସୃଷ୍ଟି କରିପାରିଥିଲା ଏଇ କିଛି ତିରିଶ ପଇଁତିରିଶ ମହିଳା ଙ୍କୁ ନେଇ ।ଆସ୍ତେ ଆସ୍ତେ ସେଇମାନେ ହିଁ ଦଳ ସମ୍ପ୍ରସାରଣ କରିଆସୁଛନ୍ତି ।ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ରେ ସେମାନଙ୍କ ର ଯୋଗଦାନ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ।ସେ ତା'ର ଦଳ ର ନାମ ରଖିଛି" ଓମେନ ପାଇଲଟ ",ଏବଂ ଅଚାନକ ସାହଯ୍ୟ ପାଇଁ ତାଙ୍କ ଦଳ ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି । ସଦ୍ୟ ବୈଧବ ,ସ୍ୱାମୀ ପରିତ୍ୟକ୍ତ ,ସାମାନ୍ୟ ବୟସ୍କା ଅବିବାହିତା ମହିଳା ,ପୁତ୍ର କନ୍ୟା ଦ୍ୱାରା ଅତ୍ୟାଚାରିତ ମହିଳା ,ନିଃସନ୍ତାନ କାରଣରୁ ସପତ୍ନୀ ସହିତ ରହୁଥିବା ମହିଳା , ନିଜର ଆର୍ଥିକ କ୍ଷମତା ନ ଥାଇ ପରିବାର ଉପରେ ବୋଝ ହୋଇ ରହୁଥିବା ଏବଂ ଆହୁରି ଅନେକ କାରଣ ରୁ ମାନସିକ ବିଷାଦ ରେ ରହୁଥିବା ନାରୀ ଙ୍କ ର ପ୍ରତକ୍ଷ୍ୟ ତଥା ପରୋକ୍ଷ ସହଭାଗିତାରେ ସାଗରିକା ଆଉ ଟିକେ ଉତ୍ସାହିତ ହୁଏ ଅଧିକ କିଛି କରିବାକୁ ।

ସରକାରଙ୍କର ମଦ ଉପରେ ଅଙ୍କୁଶ ହଟେଇଦେବା ଦ୍ୱାରା ଖୋଲା ଖୋଲି ନିର୍ଧୁମ ବେପାର ଚାଲିଲା ,,ନାରଣ ପୁର ର ରାସ୍ତା ଘାଟ ରେ ମଦ ର ସୁଅ ଛୁଟିଲା । କିଛି ମହିଳା "ଓମେନ ପାଇଲଟ "ଦଳ ର ସାହାରା ଖୋଜିଲେ ।ସମଗ୍ର ଦଳ କୁ ଏକଜୁଟ କରି ତାଙ୍କ ଦଳ ଦୁଇଶ ସରିକି ମହିଳା ମୋର୍ଚ୍ଚା କାଢ଼ିଲେ ମଦ ବିରୁଦ୍ଧରେ ।ସବୁ ମଦ ତିଆରି ହେଉଥିବା ସ୍ଥଳରେ ଭଙ୍ଗା ରୁଜା ଚାଲିଲା । ମଦୁଆ ମାନଙ୍କୁ ଧରି ବାନ୍ଧିପକାଇ ପିଟିଲେ ମହିଳା ମାନେ ।ପରବର୍ତ୍ତୀ ଫଳାଫଳ ଥିଲା ,ସେ ଗାଁ ରେ ମଦ ତିଆରି ଉଠିଗଲା ।କାଁ ଭାଁ ଯଦି କେହି ହାତ ଦେଲା ତା ହେଲେ ସେ ଲୋକ ର ଗୋଡ ଭାଙ୍ଗିଲେ ମହିଳା ଦଳ ।ଧୀରେ ଧୀରେ ଶାନ୍ତି ଫେରିଲା ନାରଣ ପୁରକୁ ।

---------- ------------ -----------

"ଅପା , ମସଜିଦ ପାଖରେ ଭୀଷଣ ଦଙ୍ଗା ।ଲାଠି ଖେଳ ରୁ ଆରମ୍ଭ । " ଫୋନ ରେ ସେପଟୁ କେହି ଜଣେ କହୁଥିଲା ।

ସାଗରିକା ଏଇ ହିନ୍ଦୁ ଅଣହିନ୍ଦୁ ଙ୍କ ସହ ଆଗରୁ ଥରେ ମୁକାବିଲା ର ସମ୍ମୁଖୀନ୍ନ ହୋଇଥିଲା ।କିନ୍ତୁ ସେ ଦୀର୍ଘ କୋଡିଏ ବର୍ଷ ଗତ ହେଲାଣି ।ସେତେବେଳେ ପରିସ୍ଥିତି ଏଭଳି ଭୟଙ୍କର ନ ଥିଲା ।

ସେତେବେଳେ ସାହଯ୍ୟ କରିବାକୁ ତା ପାଖରେ ଅମୀୟ ଥିଲେ । ଲୋକମାନେ ତାଙ୍କ କଥା କୁ ବୁଝିଥିଲେ ।କାରଣ ମୁସ୍ତାକ , ରେଶମା ,ଆହୁରି କେତେ ମୁସଲିମ ବନ୍ଧୁ ଥିଲେ ତାଙ୍କ ସହିତ ।ସେଥିପାଇଁ ବିଶେଷ ଅସୁବିଧା ହୋଇ ନ ଥିଲା । କିନ୍ତୁ ଏବେ ତ ଟିକେ ଟିକେ କୁ ଗଣ୍ଡଗୋଳ ,ମାର ପିଟ ।କ'ଣ କରିବ ଭାବୁଥାଏ ସାଗରିକା । ଇତସ୍ତତଃ ହୋଇ ବୁଲୁଥାଏ ସେ ପୁଣି ଫୋନ ଆସୁଥାଏ -

---ଅପା ,ମସଜିଦ ତଳ ସାହି ର ଶୀଳା କୁ କେତୋଟି ମୁସଲିମ ଟୋକା ଉଠେଇ ନେଇଗଲେ ।ଏବେ ତ କିଛି କରିବାକୁ ହେବ ।

ତୁମେ ଆସୁଛ ତ ?

---ସାଗରିକା ,କହ କ'ଣ କରିବା ? ବେଳକୁ ବେଳ ପରିସ୍ଥିତି ଭୟଙ୍କର ହେଉଛି ।ପୋଲିସ କୁ ଖବର ଯଦିଓ ହୋଇସାରିଛି ମାତ୍ର ସମସ୍ତେ ଜାଣନ୍ତି ଯେ କାଢୁଆ ପୋଲିସର କେତେ ଦମ ।

ନିରୁ ର କଥାରେ ସାଗରିକା କୁ ଆହୁରି ବ୍ୟସ୍ତ ଲାଗିଲା ।

ଶୀଳା ର କିଛି ଅସୁବିଧା ହୋଇଯିବନି ତ ? କେଜାଣି କାହିଁକି ଛାତି ଟା ଧଡ ଧଡ ହେଉନି ତ ।ହୁଏତ ଅସୁବିଧା ବିଶେଷ ଭାବେ ନାହିଁ ,କେବଳ ଭୟ ଦେଖାଇବା ପାଇଁ ଏମିତି କରି ପାରି ଥାନ୍ତି ।ଆଖି ଆଗରେ ଜଣକ ର ଚେହେରା ନାଚି ଉଠିଲା ।କବୀର .....ହଁ ..କବୀର ..ସେ ହିଁ ତାକୁ ଏ ବିପଦ ରୁ ଉଦ୍ଧାର କରିପାରିବ ।ଏକ ଆତ୍ମ ପ୍ରତ୍ୟୟ ର ଭାଵ ଉକୁଟି ଉଠିଲା ମୁହଁରେ । ପୁରୁଣା ଖାତା ରୁ କେଇଟା ନମ୍ବର ବାହାର କରି କଲ କଲା ।ନା ...କୌଣସି ନମ୍ବର ଲାଗୁନାହିଁ ।ଉଦାସ ହୋଇଗଲା ସେ ।ଗୋଟେ ଲେଣ୍ଡ ଲାଇନ କୁ ଡାଏଲ କଲା ।ଛ ସାତ ଥର କରିବା ପରେ ସେପଟୁ ରିସିଭ ହେଲା ଫୋନ ।ଓଃ...ପ୍ରଭୁ ବଞ୍ଚି ଗଲା ମଣିଷ । ନିରାଶ ହେବାକୁ ପଡିଲା ତାକୁ । କବୀର ର ଘର ଲୋକେ ସେ ଭଦ୍ର ବ୍ୟକ୍ତି ଙ୍କୁ ଘର ଦ୍ୱାର ବିକ୍ରୀ କରିଦେଇ ଅନ୍ୟତ୍ର ଚାଲିଯାଇଛନ୍ତି । କବୀର ଦୀର୍ଘଦିନ ହେବ ତାଙ୍କ ସହିତ କୌଣସି ସମ୍ପର୍କ ରଖି ନ ଥିବାରୁ ସେ କବୀର ର ଫୋନ ନମ୍ବର ଜାଣି ନ ଥିଲେ । କିନ୍ତୁ ,, ଆଶା ତଥାପି ଥାଏ ,କେଉଁଠୁ ନା କେଉଁଠୁ ତାକୁ ନମ୍ବର ଟି ମିଳିପାରେ ,ଏ ଭାବନା ଟି ମନ କୁ ଆସୁଥିବା ବେଳେ , ସେଇ ବୃଦ୍ଧ ବ୍ୟକ୍ତି ଙ୍କ ଘରକୁ ଆସିଥିବା କେହି ଜଣେ ଆଗନ୍ତୁକ କବୀର କୁ ଜାଣିଥିବାରୁ ତାଙ୍କୁ କବୀର ର ନମ୍ବର ଦେବାରେ ସାହାଯ୍ୟ କଲେ ।ନମ୍ବର ମିଳିଗଲା ଏବେ ଅନେକ କାମ ସେ ଘରେ ବସି ବସି କରିପାରିବ ।ସାଗରିକା କବୀର କୁ ଫୋନ କଲା .......।

------------ ---------------- -------------

କବୀର କୁ ଅନେକ ଦିନ ନିଜ ପାଖରେ ରଖିଥିଲା ସାଗରିକା ।ପ୍ରାୟ ଛଅ ସାତ ବର୍ଷ ର ହୋଇଥିଲା ବେଳେ ଖାଇବା ପାଇଁ ଅନେକ କଷ୍ଟ ପାଉଥିଲେ କବୀର ପରିବାର କାରଣ ନଅ ଦଶ ଟି ପିଲା କବିଲା କୁ ନେଇ ତାଙ୍କ ପରିବାର ।ସେ ପୁଣି ଗୋଟିଏ ସ୍ତ୍ରୀ ପକ୍ଷରୁ ।ଆହୁରି ଦୁଇ ତିନି ଟି ସ୍ତ୍ରୀ ଥିଲେ ଆରଫନ ମିଆଁ ର କିନ୍ତୁ କବୀର କୁ ଖୁବ୍ ଭଲ ଲାଗୁଥିଲା ।ସେଥିପାଇଁ ତାକୁ ଅନେକ ସମୟରେ ଖାଇବାକୁ ଦେଉଥିଲା ଓ ପଢିବାକୁ ପ୍ରେରଣା ବି ଦେଉଥିଲା ।ମାତ୍ର ପାଠ ରେ ବେଶୀ ମନ ନ ଥିଲା କବୀର ର । ସେ ଭଲ ଖେଳୁଥିଲା ।ତେଣୁ ପ୍ରତ୍ୟେକ ଫୂଟବଲ ଖେଳ ର ପ୍ରତିଯୋଗିତା ରେ ଭାଗ ନେଉଥିଲା ଏବଂ ସାଗରିକା ହିଁ ତାକୁ ସେ ଦିଗରେ ଆଗେଇବା ପାଇଁ ସବୁକିଛି କରିଥିଲା ।

ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ବିଚାର ର ମଧ୍ୟ ପରିପକ୍ଵତା ବଢେ ।

ଅନେକ କାମ ରେ ସାଗରିକା କବୀର ର ସାହାଯ୍ୟ ଲୋଡିଥାଏ ।ମଝିରେ ମଝିରେ ଆସୁଥାଏ ଦେଖା କରିବାକୁ ,ହେଲେ ଏଇ କିଛି ବର୍ଷ ହେବ ଏ ଅଞ୍ଚଳ ରୁ କୁଆଡେ ଚାଲିଯାଇ ଥାଏ ଯେ ତା'ର କିଛି ଖୋଜ ଖବର ଆଉ ସାଗରିକା ପାଖରେ ନ ଥିଲା । ଯାହା ବି ହେଉ କିନ୍ତୁ ଡାକିଦେବା ମାତ୍ରକେ କବୀର ଧାଇଁ ଆସି ସାଗରିକା ର କାମ ହାଲୁକା କରିଦେଇଥଲା। ଜୀବନର ଘାତ ପ୍ରତିଘାତ କୁ ଶୁଣାଇ ଚାଲିଥାଏ ।

----ଠିକ୍ ଅଛି ,କବୀର ତୋତେ ଏବେ ଆଉ କୁଆଡେ ଯିବାକୁ ହେବନି ।ତୁ ମୋ ପାଖରେ ରହିବୁ ।ମୋତେ ସାହାଯ୍ୟ କରିବୁ ।

ନା ...କ'ଣ କହୁଛୁ ।

କବୀର ମୁଣ୍ଡ ହଲାଇ ସ୍ୱୀକୃତି ଦେଲା । ଶୀଳା ଉଦ୍ଧାର ପାଇବା ସେତେ ସହଜ କାମ ନ ଥିଲା ଯେତେ ଟା ସାଗରିକା ଭାବୁଥିଲା । କବୀର କୁ ମଧ୍ୟ ଅନେକ ପାମ୍ପଡ଼ ବେଲିବାକୁ ପଡିଥିଲା ।ଶୀଳା କୁ ଉଠେଇ ନେଇଥିବା ଯୁବକ ଜାଫର ର ଭଉଣୀ ଗୋଟେ ଥିଲା ଏବଂ ସେଇ ଭଉଣୀ କୁ ହାତ କରି ଶୀଳା କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା

କବୀର ।

------- ------- ---------

ଡ୍ରଇଂ ରୁମ ରେ ସେଦିନ ଅନେକ ଲୋକଙ୍କ ସମାଗମ ।କାରଣ ଖୋଜି ବୁଝୁ ବୁଝୁ ,ସେ ମଧ୍ୟରେ କିଛି ରାଜନେତା ସାମିଲ ଥିବାର ଜାଣିବାକୁ ପାଇଲା ସେ ।ସାଗରିକା ର କାମ କୁ ଆଖି ଆଗରେ ରଖି ନିର୍ବାଚନରେ ଅଂଶ ଗ୍ରହଣ କଲେ ଭୋଟ କିଣିବାରେ ଅସୁବିଧା ହେବନି ।କାରଣ ଲୋକମାନେ ଏଇଭଳି ସାମାଜିକ କାର୍ଯ୍ୟକ୍ରମ କରୁଥିବା ନାରୀ ନେତ୍ରୀ ମାନଙ୍କୁ ଅବଶ୍ୟ, ପସନ୍ଦ କରିବେ ।......ହା ,,ହା ,, କି ବିଚିତ୍ର ଏଇ ଦୁନିଆ ସତରେ ।

ଯେତେବେଳେ ସେ ନିଃସହାୟ ଥିଲା ସେତେବେଳେ କୋଉ ,ନେତା କି ନେତୃସ୍ଥାନୀୟ ଲୋକ ଏଇ ସମାଜ ତାକୁ ସାହାରା ଦେବାକୁ ଆସି ନ ଥିଲେ ।ଅଥଚ ଆଜି ସେ କେଇଜଣଙ୍କୁ ସାହାରା ଦେଇପାରିଛି ବୋଲି ,କେଇଜଣ ଙ୍କର ସାହାରା ହୋଇପାରିଛି ବୋଲି ନିଜ ସ୍ୱାର୍ଥ ପାଇଁ ,ବେଶ ଦଉଡି ଆସିଛନ୍ତି ।ଦିନେ ଥିଲା ସେ ସ୍ୱାମୀ ପରିତ୍ୟକ୍ତ ,ବେସାହାରା , ନିଜ ପାଇଁ ସାହାରା ଟିଏ ଖୋଜିବୁଲୁଥିବା ନିହାତି ଅଦରକାରୀ ,ଅସନା ,ଅପରିଚ୍ଛନ୍ନ ମହିଳା ଟିଏ ।ଆଜି କିନ୍ତୁ ବେଶ ଦାମୀ ହୋଇପାରିଛି ।ଚାକିରୀ ଟିଏ ମାଗିବାକୁ ଯାଇ ସମାଜର ଏଇମିତି ଠେକାଦାର ମାନଙ୍କ କବଳରୁ କେମିତି ଅନ୍ତର୍ବସ୍ତ୍ର ଶୂନ୍ୟ ହେଉ ହେଉ ଆଉ ମୁହୂର୍ତ୍ତେ ମାତ୍ର ପାଇଁ ବର୍ତ୍ତି ଯାଇଥାଏ ,,ସେକଥା ମନେପଡିଲେ ରୋମ ଟାଙ୍କୁରି ଉଠେ।

ଟି ପୟ ଉପରେ ଥୁଆ ହୋଇଛି ମୋଟା ମୋଟା କେଇଟା ଟଙ୍କାର ବିଡ଼ା।ଅନ୍ୟ ଦଳ ଟି ଆସନ୍ତା କାଲି ସକାଳେ ଆସିବ କହି ବିଦାୟ ନେଇ ଯାଇଛି ।ନିର୍ବାଚନ ନୋମିନେସନ ପାଇଁ ନାଁ ଦିଆଯିବ ।

---ସାଗରିକା ଦେବୀ ,ଆପଣ ଏ ମଧ୍ୟ ରେ ଅନେକ ନାମ ହୋଇସାରିଛି ଯେ ,ଆଉ ଦଳ ମାନେ ଆସିଲେ ଆପଣ ମନା କରିବେ ନାହିଁ ।

କହୁଥିଲା ଚାଟୁକାର ଜଣେ ।ଏମାନେ ହେଉଛନ୍ତି ଛତା ।ବର୍ଷା ଯୁଆଡେ ,ଖରା ଯୁଆଡେ ,ସେଇ ପଟ କୁ ଢଳୁଥିବେ ।

ସାଗରିକା ଏହା ମଧ୍ୟରେ ଦେବୀ ରୂପେ ଅଭିହିତା ହୋଇସାରିଥାଏ ।ଖାଲି ଥରେ ମାତ୍ର ସ୍ୱୀକୃତି ଦେଲେ ଏଥର ତା'ଦେବୀତ୍ୱ ର ପୂଜା ଆରମ୍ଭ କରାଯିବ । ଏକ ବିଦ୍ରୁପ ଭରା ହସ ଫୁଟିଉଠୁଥିଲା ତା ମୁହଁ ରେ ।

ହାତରେ ଆଡେଇ ଦେଇ କହିଲା ସାଗରିକା --"ନା ,ବିଶ୍ୱମୋହନ ବାବୁ ,ସେସବୁ ର ଆବଶ୍ୟକତା ନାହିଁ ।ମୁଁ ଏତେ ପର୍ଯ୍ୟନ୍ତ ଦେବୀ ହୋଇପାରିନି ।ତେଣୁ ମୋ ଦେବୀତ୍ୱ ର ପୂଜନ ପାଇଁ ଏ ସବୁ ଆଦୌ ଦରକାର ନାହିଁ ।ଦେବୀତ୍ୱ ପ୍ରାପ୍ତି କ'ଣ ଏତେ ସହଜ ?????

ନେତୃଗଣ ଙ୍କ ପ୍ରସ୍ଥାନ ପରେ ,ସାଗରିକା ଆଖିରୁ ଚିବୁକ ଦେଇ ଦୁଇ ଟୋପା ତତଲା ଲୁହ ନିଗିଡି ଆସିଲା ।ବର୍ଷ ବର୍ଷ ର ସଂଚିତ କୋହ ଛାତିପାଖରେ ହାବୁକା ମାରୁଥିଲା ।

ସ୍ୱାଗତୋକ୍ତି କରୁଥିଲା ,,

--ସତ ରେ ସେ ଦେବୀ ହୋଇଯାଇଛି ?ଏ ସମାଜ କେତେ ଜଘନ୍ୟ ହୋଇପାରେ ! ଏକ ଘୃଣ୍ୟ ମାନସିକତା କୁ ଦୂର କରାଇବାରେ ସହାୟକ ହୁଏନାହିଁ କିନ୍ତୁ କାହାର ଅସହାୟତା ରୁ ବେଶ ଫାଇଦା ଉଠାଇପାରେ ।ଜୀବନର ଯନ୍ତ୍ରଣା ସବୁ ସମୁଦ୍ର ର ଜୁଆରିଆ ଲୁଣିପାଣି ପରି ଖୁବ୍ ତିକ୍ତ ,ଅଥଚ ସେସବୁ କୁ ବାଦ ଦେଇ ଜୀବନ ର ଚକ ଗଡେନା ଆଗକୁ ।

ତା ଦେବୀତ୍ୱ ର ପୂଜା ଆରମ୍ଭ ହୋଇଯାଇଛି ।ଦେବୀ ହେବାକୁ ଯେ ଅନେକ କଷ୍ଟ , , ତ୍ୟାଗ ଦରକାର , ନିଜ ରକ୍ତ, ମାଂସ ହାଡକୁ ଟିକ ଟିକ କରି କାଟି ଦେବାକୁ ପଡେ ।ନିଜ ଇଛା ,ଅନିଚ୍ଛା ର ତଣ୍ଟି ଚିପି ଦେବାକୁ ହୁଏ। ,ଏ ସବୁ କୁ ଯାହା ସେ ଅତି ପିଲାଟି ଦିନ ରୁ କରିଆସୁଛି।କିନ୍ତୁ ସେତିକି ରେ କଣ ଦେବୀତ୍ୱ ପ୍ରାପ୍ତି ହୋଇପାରେ ? ନା ...ନା ....ସେ କେବେ ଦେବୀ ର ଆସନ ପାଇପାରେନା ।ଦେବୀ ସିଏ ,ଯିଏ ନିଜର ଭକ୍ତ ର ଆକୁଳ ଆହ୍ବାନ କୁ ସମ୍ମୁଖୀନ୍ନ କରେ ଏବଂ ଦୂର କରେ ।କେବଳ ମାତ୍ର ଅତି ସାଧାରଣ ମଣିଷ ଟିଏ ସେ ।

ନା --ନା ---ସେ ଦେବୀତ୍ୱ ପ୍ରାପ୍ତି ଚାହେଁନା ।ସାଧାରଣ ମଣିଷ ଟିଏ ଯେମିତି ତା'ର ସମସ୍ତ ସ୍ବାଧୀନତା ର ଆନନ୍ଦ,ଅଧିକାର ନେଇ ବଞ୍ଚିରହେ ,ଠିକ୍ ସେମିତି ରହିବାକୁ ସେ ଚାହେଁ ।

ସାଧାରଣ ମଣିଷ ର ହସ, କାନ୍ଦ ,ପ୍ରେମ, ବିରହ ରେ ବଞ୍ଚିବାକୁ ଚାହେଁ ।ଲୋଡା ନାହିଁ ସେ ପାଷାଣ ମୂର୍ତ୍ତି ରେ ଲମ୍ବା ସିନ୍ଦୁର ଗାର କି ଗଜରା ହାର ,ଦାମି ଉପଢୌକନ ,ଆଉ ଚବିଶ ଘଣ୍ଟା ର ହାରି ଗୁହାରି ପରି ଲମ୍ବା ଧାଡି ।ଦେବୀ ଙ୍କୁ ଯେ କେତେ କଷ୍ଟ ହୁଏ ସେକଥା ସାଧାରଣ ମଣିଷ ବୁଝିପାରେନି । ନିଜ ଜୀବନର ଯନ୍ତ୍ରଣା କୁ ଦେବୀ ଙ୍କୁ ସମର୍ପଣ କରିଦେଇ ନିଶ୍ଚିନ୍ତ ହେବାକୁ ଚାହେଁ ।

ଏମାନେ ତାକୁ ଟଙ୍କାରେ କିଣି ନେବାକୁ ଆସିଛନ୍ତି ।ତା'ର ସମସ୍ତ ମୌଳିକତା କୁ ପାଦରେ ଦଳିଦେବା ପାଇଁ ବସିଛନ୍ତି ।ନିଜ ସ୍ୱାର୍ଥସାଧନ ପାଇଁ ଅନ୍ୟ କାନ୍ଧ ରେ ବନ୍ଧୁକ ରଖିବାକୁ ଚାହୁଁଛନ୍ତି ।କେତେ ସ୍ୱାର୍ଥପର ସତେ ଏଇ ମଣିଷ ମାନେ ।ଅନେକ ବାର ଧିକ୍କାର କଲା ସାଗରିକା ଏଇ ସମାଜ କୁ ।କିନ୍ତୁ ତଥାପି ବଞ୍ଚିବାକୁ ହେବ ଏଇ ସମାଜ ରେ ସବୁ ଯନ୍ତ୍ରଣା କୁ ପିଇ ନେଇ ।ସାଗରିକା ନିଜକୁ ଦମ୍ଭ ର ସହ ବାନ୍ଧୁଥିଲା ,କାରଣ ତାକୁ ଏଇ ସ୍ୱାର୍ଥନ୍ୟେସୀ ଦୁନିଆ ରେ ସମାନ୍ତରାଳ ପଥ ରେ ଚାଲିବାକୁ ହେବ ।ହଁ ...କିଛି ଅନ୍ୟାୟ ର ପ୍ରତିରୋଧ କରି କରି ଚାଲିବାକୁ ହେବ । ଏସବୁ ଯନ୍ତ୍ରଣା ଯେ ତା'ର ଏକାନ୍ତ ଆପଣାର ।

ଜୀବନ କାହା ପାଇଁ କଣ ସେକଥା ତ ସେ କହିପାରିବନି କିନ୍ତୁ ତା'ର ଯେ ସବୁ ଛନ୍ଦ ,ଲୟ ,ତାଳ କେହି କାହା ସହ ଖାପ ଖାଉ ନାହାନ୍ତି ସେ ବିଷୟ ନିଜ ଛଡା ଆଉ କିଏ ବା ଅଧିକ ଜାଣିବ ।ତା ଜୀବନରେ କେବଳ କେଇଟା ଛିଣ୍ଡା ତାର କୁ ନେଇ ଏମିତି ବେସୁରା ରାଗିଣୀ ଟିଏ ତୋଳୁଥିବ ।

------

ସିପ୍ରା ନାମତା

ତୁଳସୀଚୌରା

ବାରିପଦା

8249850168

ସାଗରିକା ଛାଡପତ୍ର ଦଙ୍ଗା

Rate the content


Originality
Flow
Language
Cover design

Comments

Post

Some text some message..