Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Drama

2  

Amiya Bej

Drama

ନଈ ସେପାରିର କନକ ଗୋରୀ

ନଈ ସେପାରିର କନକ ଗୋରୀ

5 mins
6.8K


{୧}

ରାମା କୁହେ , ଝିଅମାନେ ସଅଳ ବଢନ୍ତି ! ଆଗତୁରା ବା'ହୋଇ , ପିଲା ପାଳି , ଆଗ ମରିଯା'ନ୍ତି ! ପୁଅ ଗୁଡା ମଠୁଆ । ମରିବାରେ ବି !!!

ଦେଖୁନୁ , ସୁଲୀଆଈ କେଉଁଦିନୁ ଗଲାଣି , ନାରୁଅଜା ଅଛି ସେଇମିତି ! ରାମାଟା ପବନା । ତଥାପି ତା'କଥା ବେଳେବେଳେ ଯୁକ୍ତିଯୁକ୍ତ ଲାଗେ । 'କନକ' ମୋତେ ଦେଖିଲାକ୍ଷଣି ମୁରୁକି ଦିଏ । ମୁଁ ପାରେନା । ଝାଉଁଳିପଡେ ଗୋଟାପଣେ । କନକ ମୋତେ ଦେଖେଇଶିଖେଇ କୁହେ 'ଜାଣି ଚତୁରା' !

କଣ ଜାଣନ୍ତି ଯେ ? ମୋତେ ରାମା ଶିଖେଇଛି , ଝିଅପିଲାଙ୍କ ଆଗରେ ଯେତେ ଭଦ୍ର , ନମ୍ର , ଶାନ୍ତ , ସରଳ ହେବୁ , ସେମାନେ ସେତେ ପସନ୍ଦ କରିବେ । ମୁଁ ତ଼ ସେୟା କରେ । ମୁହଁ ତଳକୁ କରି ଖାଲି ଭଲପିଲା ହେବାକୁ ଚେଷ୍ଟା କରେ ।

{୨}

ତାଙ୍କ ଆମ ଭିତରର ବ୍ୟବଧାନ 'କାଣୀନଈ' । ନାଁ କାଣୀ ହେଲେବି ସ୍ରୋତ ପ୍ରଖର । ସରକାର ସମସ୍ତଙ୍କୁ ଯୋଡିବାପାଇଁ ଠାଏ ଠାଏ ପୋଲ ତିଆରି ପାରନ୍ତି ନାହିଁ କି ପଢିବା ପାଇଁ ସ୍କୁଲ୍ । ତେଣୁ କନକ ଆସେ ଆମରି ଗାଁକୁ । କାଠଡଙ୍ଗାରେ ପାରି ହୋଇ ନିତି । ଏଇଠି ବି ତା' ମାମୁଁଘର । ଆମଗାଁ ନାଲି ରାସ୍ତାରେ ଚାଲିଚାଲି ଯାଏ ବାଳିକା ଉଚ୍ଚ ବିଦ୍ୟାଳୟ । ଫେରେ ସମାନ ରାସ୍ତାରେ । ବାଟରେ ପଡେ କାହ୍ନୁସାରେଙ୍କ ବସା । ତାଙ୍କ ଗରିବ ଗାଁରେ କାହ୍ନୁସାର୍ ଟେ' ବି ନଥାନ୍ତି । ଏଇଠି ଟ୍ୟୁସନ୍ ସରୁସରୁ ମୁହଁସଂଜ । ଶେଷଡଙ୍ଗା ଚାହିଁ ବସିଥାଏ ଘାଟରେ । କନକ ଫେରେ ରାତି କାଟିବାକୁ । ଜନ୍ମ ସେଠି , କର୍ମ ଏଠି । କାଣୀନଈ ବେଳେବେଳେ ଥିବଥିବ ଅଶାନ୍ତ ହୋଇପଡେ । କନକ ଫେରିପାରେନି । ରହିଯାଏ ତା' ମାମୁଁଘରେ । ଆମଗାଁରେ । କେମିତି ଗୋଟେ ମିଠାମିଠା ହୋଇଯାଏ ପରିବେଶ ! ଏକଥା ଖାଲି ମୁଁ ଭାବେନି , ଢେର୍ ଜଣ କୁହାକୁହି ହୁଅନ୍ତି ବି ।

{୩}

ନଈକୂଳ ଗାଁ ସୁନ୍ଦର । ମଣିଷ ସବୁ ବି । ତେବେ , ଏପାରିର ଲୋକଙ୍କୁ , ସେପାରିଟା କାଇଁ ବେଶି ଭଲଲାଗେ ! ସେପାରିଏ ବି ସମଦଶା ଭୋଗୁଥିବେ ନିଶ୍ଚୟ । ବ୍ୟବଧାନ ମାତ୍ର ନଈଟିଏ ।

କନକ ଆମ ଗାଁ ଛୁଇଁଲା ମାତ୍ରେ , ସତେଜତା ଭରିଯାଏ । ଚାଲିଗଲେ ମଉଳି ପଡେ ସବୁକିଛି । 

ମୁଁ ପଚାରେ ନିଜକୁ , ମୋର କି ଭଲପାଇବାର ବୟସଟେ ଛୁଇଁଲାଣି ? ହାଫ୍ ପ୍ୟାଣ୍ଟ ତଳକୁ ଯେତିକି ଗୋଡ଼ ଦୃଶ୍ୟମାନ ହୁଏ , ସେତକ କ୍ରମଶଃ ଲୋମାବୃତ ହୋଇଆସିବାର ଲକ୍ଷଣ ବୋଧେ ବଡ ହୋଇଯିବା ! 

କିନ୍ତୁ କନକ ମୋଠୁଁ ବି ଆଉରି ଦ୍ରୁତରେ ବଡ ହେଉଥିଲା ବୋଧେ ! ଫି'ଦିନ ତା' କଥାରେ , ଚାଲିରେ ବଦଳାପଣ ।ତାକୁ ନେଇ ଆମ ଗାଁ ଯାକ ଅନେକ ଗପ । ସାମିଲ୍ ସେଥିରେ ବଡସାନ । 

ଆମ ଗାଁ ଝିଅଗୁଡା ସତରେ ସିଙ୍ଘାଣୀନାକୀ । 

ତା'ସରି କେହି ନାହିଁ । ଏକଥା ଜାଣି ପାରୁଥିଲା କି କଣ କେଜାଣି କନକ ?

ଅପମାନ ଲାଗେ । ଭାବେ , ତାଙ୍କ ଗାଁରେ ମୋ' ଜନ୍ମ ହେଇନଥାନ୍ତା ????

{୪}

ଆମ ଗାଁରେ ସିନା ସୁନ୍ଦରୀ ମରୁଡି , ସୁନ୍ଦରୀଆ ପୁଅଙ୍କ ଅଭାବ ନାହିଁ ଏଠି। କନକକୁ ନେଇ ଏତେଯାକ ଚର୍ଚ୍ଚା ଭିତରେ ହଜିଯାଏ ମୁଁ କୁଆଡ଼େ । ମୁଁ ବ୍ୟସ୍ତ ହୁଏ । ସେ କାଇଁ ବା ହୁଅନ୍ତା ?? ଗାଁଯାକ ଉଣାଅଧିକେ କନକମୁଖା । ସିଙ୍କୁଡିଯାଏ ମୁଁ ।

ମାମୁଁଘର ଆସୁଥିବା ଝିଅମାନେ ସବୁବେଳେ ପ୍ରେମମଂଜି ପୋତିଦେଇ ଯା'ନ୍ତି । କାଁ ଭାଁ ସେଥିରୁ ମହାଦ୍ରୁମ ପାଲଟେ । କାହ୍ନୁସାରଙ୍କ ନୁଆଁଣିଆଁ ଘର । ନିଜର ପିଲାପିଲି ନଥିଲେ ବି ତାଙ୍କ ଘର ସବୁବେଳେ ପିଲାମୟ । ଭାରି ଶୃଙ୍ଖଳିତ । ପୁଅ ବସିବେ ଅଲଗା , ଝିଅ ଅଲଗା । ପିଣ୍ଡାଧାରରେ ଚପଲ ଥୁଆହେବ ଧାଡିକିଧାଡି ।

ବିଶୃଙ୍ଖଳତାଟେ ସବୁବେଳେ ଶୃଙ୍ଖଳିତ ଆଖିକୁ ଠକିଦିଏ । କନକ ଯାଏଁ ପହଞ୍ଚିପାରିବାର ଅପହଞ୍ଚତା ମୋତେ ନେଇ ,ତା ସରୁ ଫିତା ବାଲା ଉଚ୍ଚା ଚପଲ ପାଖରେ ପହଞ୍ଚାଇଦିଏ । ମୁଁ ସବୁବେଳେ ଅପେକ୍ଷାରେ ରୁହେ । ସେ ଭିତରକୁ ଗଲାପରେ , ସମସ୍ତଙ୍କ ଅଲକ୍ଷରେ ,କୌଣସିମତେ ତା' ଚପଲ ପାଖରେ ମୋ ହାୱାଇ କୁ ନେଇ ରଖେ । ଟିକେ ଜକେଇ , ଟିକେ ମଡେଇ । କାହ୍ନୁସାରଙ୍କ ଅନୁଶାସନ ଏଇଠି କାମ ଦିଏନି । ନିର୍ଜୀବ ଚପଲ ମାନଙ୍କ ପର୍ଯ୍ୟନ୍ତ ସାରଙ୍କ ଦୃଷ୍ଟି ପାଏନାହିଁ । ପ୍ରେମ ସବୁବେଳେ ସୁଯୋଗ ଖୋଜିନିଏ । ମୋର ଏଇ ଉଦଦ୍ଭାନ୍ତ ଚପଲ ଚପଲ ଖେଳରେ ଯେ କନକ ପ୍ରଭାବିତ ହେବ , ସେ ବିଶ୍ବାସ ନଥିଲା । କିନ୍ତୁ ମୁଁ କରେ । କରିପାରେ। ଚପଲ ମାନେ ନିର୍ଜୀବ । ବିଜ୍ଞାନ ମନାକରେ ଯେ' ନିର୍ଜୀବ ପ୍ରେମଭାଷା ବୁଝେନା । ତେବେ ସବୁବେଳେ ବିଜ୍ଞାନ କୁ ମାନିନେବାବି କି ଜରୁରୀ ଯେ??

{୫}

ରାମା ପିଠିରେ ସେଦିନ କାହ୍ନୁସାର୍ ପାଞ୍ଚୁଟା ଅମରି ଡାଙ୍ଗ ଭାଙ୍ଗିଦେଲେ । ସମସ୍ତେ ଜାଣିଥିଲୁ ରାମା ନିର୍ଦ୍ଦୋଷ । ତଥାପି ସାର୍ କହିଲେ ନିଆଁ ଅଛି , ସେଥିପାଇଁ ତ ଧୂଆଁ ଉଡୁଛି । କେଯଣେ ସାରଙ୍କ କାନ୍ଥରେ , କନକକୁ ନେଇ ଅଖାଡୁଆ କିଛି ଗାରେଇଦେଇଥିଲା । ଯେହେତୁ ରାମା ବାଳୁଙ୍ଗା ଥିଲା , ତା'ଆଡକୁ ଆଖି ପ୍ରଥମେ ଗଲା ସାର୍ ଙ୍କର । ବାସ୍ ସେଦିନୁ ମନରେ ପଶିଗଲା ପ୍ରେମ ମାନେ ପାପ । ଦଣ୍ଡିତ ହେବାଟା ଥୟ ।

କିଛି ଫରକ୍ ପଡିନଥିଲା କନକକୁ । ସେ ଚାହିଁଥିଲେ କଥାଟା ବଢିଥାନ୍ତା । ସେ କିନ୍ତୁ ଚାହିଁଲାନି । ଝିଅମାନେ ସବୁବେଳେ ରହସ୍ୟମୟ । ଚର୍ଚ୍ଚା କରିବାକୁ ଆଉ ଚର୍ଚ୍ଚିତ ହେବାକୁ , ମନତଳେ ଢେର୍ ଆଗ୍ରହ ଚପେଇ ରଖନ୍ତି ।

ତେବେ ଆଉ ସମୟ ନଥିଲା ଏସବୁକୁ । ମୁଣ୍ଡ ଉପରେ ମ୍ୟାଟ୍ରିକ୍ ପରୀକ୍ଷା । ସାରା ଗାଁ , ଏ ପରୀକ୍ଷା ମାସରେ ଚୁପ୍ ହେଇଯାଏ । ପିଲାଏ ଗାଁର ଭବିଷ୍ୟତ , ସମ୍ମାନ । ଗାଁ ଠାକୁରାଣୀ ପାଖରେ ପିଲାଙ୍କ ସଫଳତା ପାଇଁ ଗଲାଆଇଲା ବେଳେ ମୁଣ୍ଡିଆଟେ ମାରୁଥାଏ ଗ୍ରାମବାସୀ ।  ଆମେ ପ୍ରାୟ ସମସ୍ତେ ସବୁଯାକ ଅନ୍ୟାନ୍ୟକୁ ଭୁଲି ପ୍ରସ୍ତୁତିରେ ଲାଗିଯାଇଥିଲୁ । କନକ ପର ଗାଁ ଝିଅ । ମାମୁଁଘରଟା ନଥିଲେ , ଆଉ ତା' ପାଦ ପଡିବା ଦର୍କାର ନଥିଲା ଏଠି । ନଈ ସେପାରିର ଝିଅ ସବୁବେଳେ ଅପହଞ୍ଚ । ଶେଷ ଡଙ୍ଗା ଆଉ ତା' ଅପେକ୍ଷାରେ ରହିବନି । କନକକୁ ନେଇ ଆମ ଗାଁ ଆଉ ଗପମୁଖର ହେବନି । ସବୁଯାକ ସତେଜତା ଉଭାନ୍ ହୋଇଯିବ ଏଥର । ପୁଣିଥରେ ହୁଏତ ଚାହିଁରହିବେ ସମସ୍ତେ , ସେଇ ଯୋଗାଯୋଗର ଡଙ୍ଗାକୁ ! ବୋହିଆଣିବକି ସେପାରିରୁ କନକ ଟିଏ ।

ମୁଁ ଭାଙ୍ଗୁଥିଲି । ଏବେ କାଇଁ ଲାଗିଲା , ଏଇଟାହିଁ ଭଲପାଇବା । ଯାହା ଯାଣୁଯାଣୁ ସରିବାକୁ ବସିଗଲା ! ପ୍ରେମ ଏଇମିତି ! ଗାଢତ୍ୱ ପାଇଁ ଟିକେ ବ୍ୟବଧାନ ଜରୁରୀ । ବୁଝାପଡିଯାଏ ଲୋଡାପଣ !!!

କେଯାଣି କନକକୁ ଏସବୁ ର ଫରକ୍ ପଡୁଥିବ କି ନାହିଁ ? ସେ ତ ସବୁବେଳେ ଭିଡ଼ରେ । ଆଉ ନଆସିବାର ଦୁଃଖ ଟିଏ ବି ନାହିଁ ତା'ଠାରେ । ରାମା କୁହେ -

- ଝିଅମାନେ ଦୁଃଖ ଢୋକିଦିଅନ୍ତି । ସହଜରେ ସ୍ୱୀକାର କରନ୍ତିନି କି ସ୍ୱୀକୃତି ଦିଅନ୍ତିନି ।

ରାମା କଥା ଠିକ୍ ହେଲେ , ହୁଏତ କନକ ବି ମୋତେ ..

ନା' ! ଟିକେ ସାହସ କରିନେବି କି ଆଉ ମୁଁ ????

{୬}

ସାର୍ କହିଲେ -

- ଆଜିଠୁଁ ଯାଅ । ସୁସ୍ଥ ରହିବ । ସ୍ଥିର ହେବ। ସମସ୍ତେ ପୂର୍ଣ୍ଣ ପ୍ରସ୍ତୁତ । ନିଶ୍ଚେ ବିଜୟୀ ହେବ । ବ୍ୟସ୍ତ ନାହିଁ ।

ଫେରୁଥିଲୁ ମୁହଁପୋତି । ପରୀକ୍ଷାର ଭୟ । ସାଙ୍ଗଛଡା ହେବାର ଦୁଃଖ , ଫେଣ୍ଟି ହେଇଯାଉଥିଲା ସମସ୍ତଙ୍କଠାରେ । କନକ ସ୍ଥିର ଥିଲା । ମୁହଁ ଫେରାଇ ପଛକୁ ବି ଚାହୁଁ ନଥିଲା ଯମା । ସେ ସେପାରିର ଝିଅ । ଫେରିବାକୁ ହେବ ତାକୁ , ଏକଥା ବେଶ୍ ବୁଝିନେଇଥିଲା ବୋଧେ ।

ମୁଁ ଘରମୁହାଁ ହେଲି ବାଧ୍ୟ ହୋଇ । ଅନ୍ୟମାନଙ୍କର ବି କା'ପ୍ରତି ବିଶେଷ ନଜର ନଥିଲା । କେଜାଣି କାହିଁକି ଯେ' ମୋ ଭିତରର ପୁଅପଣ କହିଲା ଅନ୍ତତଃ ଘାଟ ଯାଏଁ ଯିବାକୁ ହେବ । କହି ନହେଲେ ନାହିଁ , ଶେଷ ଡଙ୍ଗାରେ ତ ତାକୁ ମେଲାଣି ଦେଇହେବ ? ସେ ଯେ ଆଉ ଫେରିବନି ଯମା ! ସେଇତକ ସ୍ମୃତି ଯଥେଷ୍ଟ ହୋଇପାରେ ।

ମୁଁ ସାଇକେଲ ମୋଡିଲି । ସଂଜ ରତରତ ହେଲାଣି ବେଳ । ଡଙ୍ଗା ଫିଟିଯାଇନଥିବ ତ?

ନା ପହଞ୍ଚି ପାରି ନଥିଲା ସେଯାଏଁ କନକ ।

ପ୍ରେମପାଇଁ ପ୍ରକୃତରେ ମୁହୂର୍ତ୍ତଟେ ଯମା ଲୋଡା !

- ଜାଣିଥିଲି ତୁ ଆସିବୁ ।

- କେମିତି ?

- ଆଉ କା' ଠେଇଁ ଚପଲ ଥୋଇବୁ ଯେ' ?

- ସେଇଟା ବି ଜାଣିଛୁ ?

- ହଁ ! ଭଲପାଉ ମୋତେ ?

- ନାନା ! ହଁଅଁଅଁ ଯେ ? ତୁ ବଡଘର ..

- ଭଲପାଇବାରେ ଘର ନୁହଁ , ହୃଦୟ ବଡ ହେବା ଦର୍କାର ।

- ହୃଦୟ ? ସେଇଟା କେଉଁଠି ??

- ଏଇଠି !!!!

ମୋ' ଡାହାଣ ହାତକୁ ସଟକି ଟାଣିନେଇ , କନକ ତା' ବାଁ ପଟ ଛାତିରେ ମାଡ଼ିବସିଲା ଖୁବ୍ ଜୋର୍ ରେ ...!

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in

Similar oriya story from Drama